ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଥିବା ବେଲତାଙ୍ଗଡ଼ି ତାଲୁକର ଖାଲଢିପ ପାହାଡ଼ିଆ ଇଲାକାରେ ଏବେ ଗୋରୁ ଘଣ୍ଟିର ଟେଁ – ଟେଁ – ଟେଁ ଶବ୍ଦ ଖୁବ୍‌ କ୍ୱଚିତ୍ ଶୁଣିବାକୁ ମିଳୁଛି । ‘‘କେହି ଏବେ ଏ ଘଣ୍ଟି ଆଉ ତିଆରି କରୁନାହାନ୍ତି’’, ହୁକ୍ରାପ୍ପା କୁହନ୍ତି । ତେବେ ସେ ଯେଉଁ ଘଣ୍ଟି କଥା କହୁଛନ୍ତି, ତାହା ସାଧାରଣ ଗୋରୁ ଘଣ୍ଟି ନୁହେଁ । ତାଙ୍କ ଗାଁ ଶିବାଜେରେ ଏହି ଘଣ୍ଟିକୁ ଗୋରୁଙ୍କ ବେକରେ ବନ୍ଧା ଯାଇଥାଏ – ରୋଚକ କଥା ହେଉଛି ଏହା କୌଣସି ଧାତୁରେ ନୁହେଁ ବରଂ ହାତ ତିଆରି ଏ ଘଣ୍ଟି ବାଉଁଶରେ ତିଆରି କରାଯାଏ। ବୟସର ୬୦ଟି ବସନ୍ତ ଅତିକ୍ରମ କରିସାରିଥିବା ହୁକ୍ରାପ୍ପା ବହୁ ବର୍ଷ ଧରି ଏହି ଅଭିନବ ଉପକରଣ ତିଆରି କରି ଆସୁଛନ୍ତି।

ହୁକ୍ରାପ୍ପା କୁହନ୍ତି, ‘‘ପୂର୍ବରୁ ମୁଁ ଗାଈ ଚରାଳି ଥିଲି। ବେଳେ ବେଳେ ଆମ ଗୋରୁ ହଜି ଯାଉଥିଲେ, ତେଣୁ ସେମାନଙ୍କୁ ଖୋଜି ଆଣିବା ଲାଗି ବାଉଁଶରେ ଗୋରୁ ଘଣ୍ଟି ତିଆରି କରିବାର ଉପାୟ ମନକୁ ଆସିଥିଲା।’’ ପାହାଡ଼ରେ ଏଣେତେଣେ ବୁଲୁଥିବା କିମ୍ବା ଅନ୍ୟମାନଙ୍କ ଗୁହାଳକୁ ଚାଲିଯାଇଥିବା ଗୋରୁଙ୍କୁ ଠାବ କରିବା ଲାଗି ଏହି ଘଣ୍ଟିର ଶବ୍ଦ ବିଶେଷ ସହାୟକ ହୋଇଥାଏ। ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଏହି କାରିଗରୀ ଶିଖିବା ପରେ ସେ ଘଣ୍ଟି ତିଆରି କରିବା ଆରମ୍ଭ କରିଥିଲେ। ସମୟ ବିତିବା ସହିତ, ସେ ବିଭିନ୍ନ ଆକାରର ଘଣ୍ଟି ତିଆରି କରିବାରେ କୁଶଳୀ ହୋଇପାରିଥିଲେ। ଆଖପାଖ ଇଲାକାରେ ସହଜରେ ବାଉଁଶ ମିଳିଯାଉଥିବାରୁ ତାଙ୍କୁ ବିଶେଷ ସହାୟତା ମିଳିପାରୁଥିଲା। ହୁକ୍ରାପ୍ପାଙ୍କ ଗାଁ ବେଲତାଙ୍ଗଡ଼ି କର୍ଣ୍ଣାଟକର ପଶ୍ଚିମଘାଟ ପର୍ବତମାଳା ଅନ୍ତର୍ଗତ କୁଦ୍ରେମୁଖ ଜାତୀୟ ଉଦ୍ୟାନ ଅଧୀନରେ ଆସିଥାଏ, ଏଠାରେ ତିନି ପ୍ରକାରର ବାଉଁଶ ଗଛ ଦେଖିବାକୁ ମିଳେ।

ହୁକ୍ରାପ୍ପା ‘ଟୁଲୁ’ ଭାଷାରେ କଥା ହୋଇଥାନ୍ତି, ତାଙ୍କ ଭାଷାରେ ବାଉଁଶ ଗୋରୁ ଘଣ୍ଟିକୁ ‘ବୋମକା’ ବୋଲି କୁହାଯାଇଥାଏ । ଅନ୍ୟପଟେ କନ୍ନଡ଼ ଭାଷାରେ ଏହାକୁ ‘ମୋଣ୍ଟେ’ ବୋଲି କହିଥାନ୍ତି । ଶିବାଜେର ସାଂସ୍କୃତିକ ଜୀବନରେ ଏହାର ବିଶେଷ ମହତ୍ତ୍ୱ ରହିଛି । ସ୍ଥାନୀୟ ଦୁର୍ଗା ପରମେଶ୍ୱରୀ ମନ୍ଦିରରେ ଦେବୀଙ୍କୁ ମୋଣ୍ଟେ ଅର୍ପଣ କରାଯିବାର ପରମ୍ପରା ରହିଛି । ଏପରିକି ମନ୍ଦିର ପରିସରକୁ ‘ମୋଣ୍ଟେତଡ୍‌କା’ କୁହାଯାଏ। ଭକ୍ତମାନେ ନିଜ ଗୋରୁଙ୍କ ସୁରକ୍ଷା ଏବଂ ସେମାନଙ୍କର ମନୋସ୍କାମନା ପୂରଣ କରିବା ଲାଗି ପ୍ରାର୍ଥନା କରିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଭକ୍ତ ହୁକ୍ରାପ୍ପାଙ୍କଠାରୁ ଆଗୁଆ ଅର୍ଡର ଦେଇ ବାଉଁଶ ଗୋରୁ ଘଣ୍ଟି ତିଆରି କରିଥାନ୍ତି । ‘‘ଲୋକମାନେ ହରକେ (ମାନସିକ ଅର୍ପଣ) ପାଇଁ ଏହାକୁ କିଣିଥାନ୍ତି। ଗାଈଟିଏ ବାଛୁରୀ ଜନ୍ମ କରିନପାରିଲେ [ଉଦାହରଣ ସ୍ଵରୁପ], ସେମାନେ ଏହାକୁ ଦେବୀଙ୍କୁ ଅର୍ପଣ କରିଥାନ୍ତି। ସେମାନେ ଏକ ଖଣ୍ଡ ପାଇଁ ୫୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦିଅନ୍ତି। ବଡ଼ ଘଣ୍ଟିଗୁଡ଼ିକ ୭୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ’’।

ଭିଡ଼ିଓ ଦେଖନ୍ତୁ : ଶିବାଜେର ଗୋରୁ ଘଣ୍ଟି ନିର୍ମାତା

ଚାଷ କାମ ଓ ଘଣ୍ଟି କାରିଗରୀକୁ ଆପଣାଇବା ପୂର୍ବରୁ ହୁକ୍ରାପ୍ପା ଗାଈ ଚରାଇ ଜୀବିକା ଅର୍ଜନ କରୁଥିଲେ । ସେ ଓ ତାଙ୍କ ବଡ଼ ଭାଇ ଗାଁରେ ଆଉ ଏକ ପରିବାରର ଗୋରୁ ଚରାଉଥିଲେ। ‘‘ଆମ ପାଖରେ ନିଜର ଜମି ନଥିଲା । ଆମ ପରିବାରରେ ୧୦ ଜଣ ସଦସ୍ୟ ଥିଲେ, ତେଣୁ ଘରେ ଯଥେଷ୍ଟ ଖାଦ୍ୟ ନଥିଲା। ମୋ ବାପା ମୂଲ ଲାଗୁଥିଲେ ଏବଂ ମୋ ବଡ଼ ଭଉଣୀମାନେ ମଧ୍ୟ କାମ କରିବାକୁ ଯାଉଥିଲେ’’, ସେ କୁହନ୍ତି। ଏହାପରେ, ଜଣେ ଜମି ମାଲିକ ତାଙ୍କ ପରିବାରକୁ ଖାଲି ପଡ଼ିଥିବା ଏକ ଜମି ଭାଗରେ ନେଇ ଚାଷ କରିବାକୁ ପ୍ରସ୍ତାବ ଦେଲେ। ସେଥିରେ ସେମାନେ ଗୁଆ ଚାଷ ଆରମ୍ଭ କଲେ। ‘‘ଭାଗ ବାବଦକୁ ଜମି ମାଲିକଙ୍କୁ କିଛି ଅଂଶ ଦିଆଯାଉଥିଲା । ୧୦ ବର୍ଷ ପର୍ଯ୍ୟନ୍ତ ଆମେ ଏହି କାମ କଲୁ । ଇନ୍ଦିରା ଗାନ୍ଧୀ ଯେତେବେଳେ (୧୯୭୦ରେ) ଜମି ସଂସ୍କାର କାର୍ଯ୍ୟକାରୀ କଲେ, ଆମକୁ ସେହି ଜମିର ମାଲିକାନା ମିଳିଲା’’, ସେ କୁହନ୍ତି ।

ତେବେ ଗୋରୁ ଘଣ୍ଟି ତିଆରିରୁ ହେଉଥିବା ଆୟ ଯଥେଷ୍ଟ ନୁହେଁ । ‘‘ଏବେ ସ୍ଥାନୀୟ ଅଞ୍ଚଳରେ କେହି ଏହାକୁ ତିଆରି କରୁନାହାନ୍ତି । ମୋ ପିଲାମାନଙ୍କ ମଧ୍ୟରୁ କେହି ସୁଦ୍ଧା ଏ କଳା ଶିଖିନାହାନ୍ତି’’, ହୁକ୍ରାପ୍ପା କୁହନ୍ତି । ତା’ଛଡ଼ା ଏକଦା ସହଜରେ ଉପଲବ୍ଧ ଜଙ୍ଗଲ ସମ୍ପଦ ଥିବା ବାଉଁଶ ଏବେ ପ୍ରାୟ ଦେଖିବାକୁ ମିଳୁନାହିଁ । ‘‘ବାଉଁଶ ଖୋଜିବା ଲାଗି ଆମକୁ ୭-୮ ମାଇଲ (୧୧-୧୩ କିଲୋମିଟର) ରାସ୍ତା ଚାଲି ଚାଲି ଯିବାକୁ ପଡ଼ୁଛି। ଏପରିକି ସେଠାରେ ମଧ୍ୟ ଏହା ଆଉ କିଛି ବର୍ଷ ପର୍ଯ୍ୟନ୍ତ ରହିବ,’’ ସେ କୁହନ୍ତି ।

କିନ୍ତୁ ହୁକ୍ରାପ୍ପାଙ୍କ କୁଶଳୀ ହାତ, ଏବେ ସୁଦ୍ଧା ଟାଣ ବାଉଁଶକୁ କାଟୁଛି ଓ ଖଣ୍ଡ ଖଣ୍ଡ କରୁଛି, ଏହାକୁ ଆଶାନୁରୂପ ରୂପ ଦେଇ ପାରୁଛି, ଶିବାଜେରେ ଏବେ ସୁଦ୍ଧା ବାଉଁଶ ଘଣ୍ଟି ତିଆରି ପରମ୍ପରା ଜୀବିତ ରହିଛି- ଏହାର ଶବ୍ଦ ବେଲତାଙ୍ଗଡ଼ିର ଜଙ୍ଗଲରେ ଏବେ ବି ଗୁଞ୍ଜରିତ ହେଉଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Reporter : Vittala Malekudiya

विट्ठल मालेकुड़िया एक पत्रकार हैं और साल 2017 के पारी फेलो हैं. दक्षिण कन्नड़ ज़िले के बेलतांगाड़ी तालुक के कुद्रेमुख राष्ट्रीय उद्यान में स्थित कुतलुरु गांव के निवासी विट्ठल, मालेकुड़िया समुदाय से ताल्लुक़ रखते हैं, जो जंगल में रहने वाली जनजाति है. उन्होंने मंगलुरु विश्वविद्यालय से पत्रकारिता और जनसंचार में एमए किया है, और वर्तमान में कन्नड़ अख़बार 'प्रजावाणी' के बेंगलुरु कार्यालय में कार्यरत हैं.

की अन्य स्टोरी Vittala Malekudiya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE