ବାରମ୍ବାର ଫୋନ୍ ଆସିବା ପରେ ଯାଇ ପ୍ରମୋଦ କୁମାର ତାଙ୍କର ଆଧାର ନମ୍ବର ଦେଇଥିଲେ । ଫୋନ୍ କରିଥିବା ଲୋକ ଜଣକ କହିଥିଲେ, “ତୁମ ଆଧାର ନମ୍ବର ସଂଯୋଗ କର ନ ହେଲେ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ।’’
୨୦୧୮ର ପ୍ରଥମାର୍ଦ୍ଧଠାରୁ କୁମାରଙ୍କ ଗାଁ ଦାଡେଓରାରେ ଲୋକମାନଙ୍କୁ ଏଭଳି ଫୋନ୍ କଲ୍ ଆସୁଥିଲା । ତେଣୁ ଯଦିଓ ସେ ମୋବାଇଲ୍ ନମ୍ବରକୁ ଏଭଳି କୌଣସି ପରିଚୟପତ୍ର ବିନା ୩ ବର୍ଷ ଧରି ବ୍ୟବହାର କରିଆସୁଥିଲେ, ତେବେ ଫୋନ୍ ପାଇବା ପରେ ୨୦୧୮ର ମଝାମଝି କୌଣସି ଏକ ଦିନ ସକାଳେ ୪ କିମି ସାଇକେଲ୍ ଚଳାଇ ପରସଦା ମାର୍କେଟùe [òବା ଏକ ସିମ୍ କାର୍ଡ ଦୋକାନୀଙ୍କର ଦୋକାନକୁ ଗଲେ । କୁମାର ମନେ ପକାଇଲେ, “ମୋତେ କୌଣସି ପ୍ରଶ୍ନ ପଚରାଯାଇନଥିଲା । ଦୋକାନୀ ମୋର ଆଧାର କାର୍ଡ ନେଲେ ଏବଂ ମୋତେ ଏକ ଛୋଟ କଳା ରଙ୍ଗର ମେସିନରେ ଥିବା ଏକ ବଟନକୁ ଦୁଇ ଥର ଦବାଇବାକୁ କହିଲେ । କମ୍ପ୍ୟୁଟର ସ୍କ୍ରିନ୍ରେ ମୁଁ ମୋର ଫଟୋ ଦେଖିପାରିଲି । ସେ କହିଲେ ଯେ ପୂର୍ବ ଭଳି ମୋର ସିମ୍ କାର୍ଡ କାମ କରିବା ଜାରି ରହିବ ।’’
ବିନା ପରିଶ୍ରମରେ ସେ କରିଥିବା ସେହି କାର୍ଯ୍ୟ ଯୋଗୁ ପରେ କୁମାରଙ୍କର ମଜୁରୀ ଅନ୍ତର୍ଦ୍ଧାନ ହୋଇଗଲା ।
୨୦୦୫ ମସିହାରୁ ଟେଲିକମ୍ୟୁନିକେସନ୍ ବିଭାଗ (ଡିଓଟି) ସିମ୍ କାର୍ଡଧାରୀମାନଙ୍କର ପରିଚୟ ଯାଂଚ କରିବାର ଆବଶ୍ୟକତା ସଂପର୍କରେ କହିଥିଲା । ବିଭାଗ ଏହାକୁ ‘ସୁରକ୍ଷା ଜଡ଼ିତ ଗୁରୁତର ପ୍ରସଙ୍ଗ ବୋଲି ଦର୍ଶାଇ ଏକ ଚିନ୍ତାର ବିଷୟ ବୋଲି ବ୍ୟକ୍ତ କରିଥିଲା’ । ୨୦୧୪ ସୁଦ୍ଧା, ଟେଲିକମ୍ୟୁନିକେସନ୍ ବିଭାଗ ଏଥିରେ ପରିବର୍ତ୍ତନ ଆଣିଥିଲା -ଏବେ ଜଣେ ଗ୍ରାହକଙ୍କୁ ଏଥିପାଇଁ ତାଙ୍କର ଆଧାର ନମ୍ବର ଦେବାକୁ ପଡ଼ିବ ।
ଜାନୁୟାରୀ ୨୦୧୭ରେ ଏୟାରଟେଲ ଭାରତର ପ୍ରଥମ ମୋବାଇଲ୍ ସେବା ପ୍ରଦାନକାରୀ କଂପାନି ଭାବେ ପେମେଣ୍ଟ ବ୍ୟାଙ୍କ୍ ଆରମ୍ଭ କଲା; ତାର ୱେବସାଇଟରେ ‘ପ୍ରତି ଭାରତୀୟଙ୍କୁ ସମାନ, ପ୍ରଭାବଶାଳୀ ଏବଂ ବିଶ୍ୱାସଯୋଗ୍ୟ ବ୍ୟାଙ୍କିଂ ଅଭିଜ୍ଞତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।’
ସୀତାପୁର ଜିଲ୍ଲାର ଗାଁରେ ଏହି ବିକାଶ ୩୩ ବର୍ଷୀୟ କୁମାରଙ୍କ ଜୀବନକୁ ପରିବର୍ତ୍ତନ କରିଦେଲା । କୁମାର ଜଣେ କ୍ଷୁଦ୍ର ଚାଷୀ ଓ ଶ୍ରମିକ। ସେ ତାଙ୍କ ପରିବାର ଏବଂ ତାଙ୍କ ଗାଁର ଅନେକ ଏୟାରଟେଲ ସିମ୍ କାର୍ଡ ବ୍ୟବହାର କରିଥିଲେ ।
କୁମାରଙ୍କର ସିମ୍ ଯାଞ୍ଚ କରାଯିବା ସମୟରେ ସେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଆଇନ (ମନରେଗା) ଅଧୀନରେ ଏକ ପୋଖରୀ ଝାଭର ତାଲାବ ଖୋଳୁଥିଲେ। ଦିନକୁ ସେ ୧୭୫ ଟଙ୍କା ପାଉଥିଲେ। ୨୦୧୬ରେ ସେ ୪୦ ଦିନ ପାଇଁ କାମ କରିଥିଲେ ଏବଂ ତାଙ୍କର ମଜୁରୀ ପରସଦାରେ ଥିବା ୟୁପିର ଆହ୍ଲାବାଦ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ଆକାଉଣ୍ଟରେ ଜମା ହୋଇଥିଲା। ସେହି ଆକାଉଣ୍ଟକୁ ସେ ତାଙ୍କର ଜବ୍ କାର୍ଡରେ ଉଲ୍ଲେଖ କରିଥିଲେ ।
କୁମାର କହିଲେ, “ସରକାରୀ କାମରେ ସବୁଠୁ ଭଲ ମଜୁରୀ ମିଳେନାହିଁ । କିନ୍ତୁ ଘର ପାଖରେ କାମ ମିଳେ । ମୋର ବାପା ମା’ ବୁଢାବୁଢୀ ହୋଇଯାଇଛନ୍ତି ଏବଂ ସେମାନଙ୍କର ଯତ୍ନ ନେବା ଆବଶ୍ୟକ । ସେହିପରି ଏହାଦ୍ୱାରା ମୁଁ ମୋର ପିଲାଙ୍କ ସହିତ ମଧ୍ୟ ସମୟ ବିତାଇବାକୁ ପାଇଥାଏ ।’’ ସମୟ ସମୟରେ ସେ ମଧ୍ୟ ଘରୋଇ ସଡ଼କ ନିର୍ମାଣକାରୀ ଠିକାଦାରମାନଙ୍କ ସହିତ ଦିନକୁ ୨୦୦ ଟଙ୍କା ବିନିମୟରେ କାମ କରିଥାନ୍ତି । ତାଙ୍କ ଗାଁଠାରୁ ୧୦୦ କିମି ଦୂରରେ ଲକ୍ଷ୍ନୌରେ ଥିବା ନିର୍ମାଣ ସ୍ଥାନମାନଙ୍କରେ କାମ କରି ବେଳେବେଳେ ସେ ଦିନକୁ ୩୦୦ ଟଙ୍କା ପାଇଥାନ୍ତି ।
ଅଗଷ୍ଟରୁ ଡିସେମ୍ବର ୨୦୧୭ ମଧ୍ୟରେ କୁମାର ୨୪ ଦିନ ଧରି ପୋଖରୀ ପାଇଁ ପାହାଡ଼ିଆ ମାଟିକୁ ଖୋଳିଥିଲେ । ସେ ୪,୨୦୦ ଟଙ୍କା ରୋଜଗାର କରିଥିଲେ । ସାଧାରଣତଃ କାମ ସରିବାର ୧୫ ଦିନ ମଧ୍ୟରେ ମଜୁରୀ ବ୍ୟାଙ୍କ୍ରେ ଜମା ହୋଇଥାଏ । କିନ୍ତୁ ସେ ଥରକ ତାଙ୍କ ଆକାଉଣ୍ଟରେ ଟଙ୍କା ଦେଖାଇଲା ନାହିଁ । ତାଙ୍କ ପରି ତାଙ୍କ ଗାଁର କିଛି ଲୋକଙ୍କ ମଜୁରୀ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।
ନିଜ ଟଙ୍କାର ସନ୍ଧାନ ପାଇଁ କୁମାର ସ୍ଥାନୀୟ ସଂଗଠନ ସାଙ୍ଗତିନ୍ କିଶାନ୍ ମଜଦୁର ସଂଗଠନ ସାହାଯ୍ୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କଲେ। ସେ ସୁନିଶ୍ଚିତ କଲେ ଯେ କାର୍ଯ୍ୟସ୍ଥଳୀରେ ତାଙ୍କର ଉପସ୍ଥାନକୁ ଠିକ୍ ଭାବେ ଲେଖାଯାଇଥିଲା । ପ୍ରତି ମାସ ସେ ଟଙ୍କା ଯାଞ୍ଚ ପାଇଁ ବ୍ୟାଙ୍କ୍ ଗଲେ । ଦୁଇ ଥର ପ୍ରାୟ ୬ କିମି ଦୂରରେ ମାଛେହଟାରେ ଥିବା ମନରେଗା ବ୍ଲକସ୍ତରୀୟ ଅଫିସକୁ ସେ ଗଲେ । କୁମାର କହିଲେ, “ମୁଁ ସେମାନଙ୍କୁ ମୋର ଟଙ୍କା କେଉଁଠି ଅଛି ତାହା କମ୍ପ୍ୟୁଟରରେ ଯାଞ୍ଚ କରିବାକୁ କହିଲି । ସେମାନେ କହିଲେ ଯେ ତାହା ମୋର ଆକାଉଣ୍ଟକୁ ପଠାଇ ଦିଆଯାଇଛି । ଯଦି କମ୍ପ୍ୟୁଟରରୁ ତାହା ବାହାରୁଛି, ତା’ ହେଲେ ତାହା ସତ ହୋଇଥିବ’’ ।
ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଯୋଜନାର ଲାଭକୁ ଏଭଳି ସିଧାସଳଖ ଭାବେ ହିତାଧିକାରୀମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବା(ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ଡିସେମ୍ବର ୨୦୧୩ରେ ଆରମ୍ଭ ହୋଇଥିଲା । କାରଣ ଡିବିଟି ମିସନରେ କୁହାଯାଇଛି ଯେ, ଏହା ‘ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା’ ଏବଂ ‘ଠକେଇ କମାଇବା’ ଲାଗି ଲାଭଦାୟକ ହୋଇପାରିବ ।
୨୦୧୪ରେ ମନରେଗା ମଜୁରୀକୁ ଟ୍ରାନ୍ସଫର ତାଲିକାରେ ସାମିଲ କରାଗଲା । ଏହାପରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ମଜୁରୀ ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କର ବ୍ୟାଙ୍କ୍ ଏକାଉଣ୍ଟକୁ ସେମାନଙ୍କର ଆଧାର ନମ୍ବର ସହିତ ସଂଯୋଗ କରିବାକୁ ବାଧ୍ୟତାମୂଳକ କରିବା ଲାଗି ବାରମ୍ବାର ନିର୍ଦ୍ଦେଶ ଦିଆଗଲା । ସରକାରଙ୍କ ଅନୁସାରେ ଏହାଯୋଗୁ ଟଙ୍କା ପଇଠ କରିବାରେ ସୁବିଧା ହେଲା ।
ସିଂହ ବୁଝାଇଲେ ସୀତାପୁରରେ ଏଭଳି ଟ୍ରାନ୍ସଫର “ପ୍ରାୟତଃ ଗରିବ ଏବଂ ଅଶିକ୍ଷିତ’’ ଲୋକଙ୍କ ଆକାଉଣ୍ଟକୁ କରାଗଲା ଯେଉଁମାନେ କି ସେହି ଆକାଉଣ୍ଟ ଅଛି ବୋଲି ଜାଣି ବି ନଥିଲେ । ‘ଆଧାର ଭିତ୍ତିକ ସିମ୍ ଯାଞ୍ଚ’ ସମୟରେ ସେମାନଙ୍କୁ ଅନଲାଇନ୍ ଫର୍ମରେ କେବଳ ଏକ ବକ୍ସରେ ଟିକ୍ ମାରିବାକୁ କହି ଏହି ଆକାଉଣ୍ଟ ଖୋଲିବା ପାଇଁ ସେମାନଙ୍କ ଅନୁମତି ନିଆଯାଇଥିଲା । ଯାହାଫଳରେ କି ଏହି ସବୁ ନୂଆ ଆକାଉଣ୍ଟରେ ହିତାଧିକାର ବାବଦ ଟଙ୍କା ଜମା ହେଲା । ଏହା ଭାରତ ସରକାରଙ୍କ ଏକକ ପରିଚୟ ପତ୍ର ପ୍ରାଧିକରଣର ନିୟମାବଳୀକୁ ପାଳନ କରି କରାଗଲା। ସେଥିରେ କୁହାଯାଇଛି ଯେ ଆଧାର ନମ୍ବର ସହିତ ଶେଷ ଥର ପାଇଁ ଯେଉଁ ଆକାଉଣ୍ଟ ସଂଯୋଗ କରାଯାଇଥିବ ସେହି ଆକାଉଣ୍ଟରେ ଆପେ ଆପେ ଡିବିଟି ଅଧୀନରେ ଦିଆଯିବାକୁ ଥିବା ଟଙ୍କା ଜମା ହେବ ।
ସିଂହ କହିଲେ, “ଏହା ହେଉଛି ଡିଜିଟାଲ ଇଣ୍ଡିଆର ଯାଦୁ ।’’ “କୌଣସି ମନରେଗା କାର୍ଡଧାରୀଙ୍କ ପାଇଁ ଆମେ ଏକ ଆକାଉଣ୍ଟ ନମ୍ବର କମ୍ପ୍ୟୁଟରରେ ଫିଡ୍ କରିଥାଉ । ସେହି ଆକାଉଣ୍ଟକୁ ଟଙ୍କା ଯାଉଛି ବୋଲି ଆମେ କେବଳ ମନେ କରିପାରିବୁ । ଯଦି କିଛି ପରିବର୍ତ୍ତନ କରାଗଲା (ଉଦାହରଣସ୍ୱରୂପ, ଆଧାର ସହିତ ସଂଯୁକ୍ତ ଏକ ନୂଆ ଆକାଉଣ୍ଟ ଯଦି ଟଙ୍କା ପଇଠ ପାଇଁ ସ୍ଥିରୀକୃତ ହୋଇଗଲା), ଆମେ ତାହା ଜାଣିବାର ଉପାୟ ନାହିଁ । କମ୍ପ୍ୟୁଟରରୁ ଏହା ଜାଣି ହେବନାହିଁ ।’’
ଅଧିକ ସଚେତନ ହେଲେ ଏପରି ଘଟଣା ହେବନାହିଁ କି? ସିଂହ ହସିଲେ। “ଜଣେ କିଭଳି ସଚେତନ ହୋଇପାରିବ? ଗୋଟେ ଏୟାରଟେଲ ସିମ୍ କାର୍ଡ କିଣିବା କ’ଣ ଅପରାଧ? ବିନା ଅନୁମତିରେ, ବିନା କାଗଜପତ୍ରରେ ଆକାଉଣ୍ଟ ଖୋଲାଯାଉଛି । ଏହା ଏକ ନୂଆ ପ୍ରକାର ଶୂନ୍ୟରେ ବ୍ୟାଙ୍କିଂ । ଜଣେ କେତେ ସତର୍କ ହୋଇପାରିବ?’’
କିଭଳି ଭାବେ ତାଙ୍କର ଏକ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଗଲା ତାହା କୁମାର ଜାଣିନାହାନ୍ତି । ସେ ବୁଝାଇଲେ, “ଏକ ସିମ୍ କାର୍ଡ ଯୋଗୁଁ ଆକାଉଣ୍ଟ ଖୋଲିଗଲା। ଟଙ୍କା ଆଧାର ନମ୍ବରକୁ ଯାଉଛି ।’’ ଏଭଳି ଆକାଉଣ୍ଟକୁ ଟଙ୍କା ଯାଇଥିବା ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ହୋଇ କୁମାର ପ୍ରାୟ ୧୪ କିମି ଦୂରରେ ହର୍ଦ୍ଦୋଇ ଚୁଙ୍ଗଲି ଟୋଲ ରୋଡ୍ରେ ଥିବା ଏୟାରଟେଲ ଡିଲରଙ୍କର ଅଫିସ୍କୁ ଗଲେ । ଟେମ୍ପୋରେ ତାଙ୍କୁ ଯିବା ପାଇଁ ତାଙ୍କୁ ଥରକେ ୬୦ ଟଙ୍କା ଭଡ଼ା ପଡ଼ିଲା। “ଦୋକାନରେ ଥିବା ଲୋକଜଣକ ମୋତେ ମୋର ଅଧାର ନମ୍ବର ମାଗିଲେ । ତା’ ପରେ ସେ ଏକ ନମ୍ବର ଡାଏଲ୍ କଲେ । ସେଥିରେ ଦେଖାଇଲା ଯେ ମୋ ଆକାଉଣ୍ଟ (ଏୟାରଟେଲ୍)ରେ ୨,୧୦୦ ଟଙ୍କା ଅଛି (କୁମାରଙ୍କୁ ମିଳିନଥିବା ୪,୨୦୦ ଟଙ୍କାର ମଜୁରୀର ଅଧା) । ସେ ସେଦିନ ମୋତେ ୧୦୦(ନଗଦ)ଟଙ୍କା ଦେଲେ ଏବଂ କହିଲେ ସେଦିନ ତାଙ୍କ ପାଖରେ ମାତ୍ର ଏତିକି ଟଙ୍କା ଥିଲା । ଆଉ ଦିନେ ଆସି ଟଙ୍କା ନେଇଯିବାକୁ ସେ ମୋତେ କହିଲେ ।’’
୧୨ ଦିନ ପରେ କୁମାର (ଜୁନ୍ ୨୫, ୨୦୧୮)ରେ ସେଠାକୁ ଗଲେ ଏବଂ ଅବଶିଷ୍ଟ ୨୦୦୦ ଟଙ୍କା ନଗଦ ଆକାରରେ ନେଇ ଆସିଲେ। ପରେ କୁମାର ଅନ୍ୟମାନଙ୍କ ସହ ମିଶି ବ୍ଲକ୍ ଅଫିସ୍ ସାମ୍ନାରେ ଆଉ ୮ ଦିନ ବିକ୍ଷୋଭ କରିବା ପରେ ଅଚାନକ ତାଙ୍କ ପୂର୍ବ ଆକାଉଣ୍ଟ, ପରସଦାରେ ଥିବା ଆହ୍ଲାବାଦ ଗ୍ରାମୀଣ ବ୍ୟାଙ୍କରେ ୧୪୦୦ ଟଙ୍କା ଜମା ହେଲା । କୁମାର ସେହି ଟଙ୍କାକୁ ନଗଦ ଆକାରରେ ଉଠାଇଲେ। ବାକି ଚାରିଦିନର ମଜୁରୀ ପ୍ରାୟ ୭୦୦ ଟଙ୍କା ଏବେ ମଧ୍ୟ ଅର୍ନ୍ତଦ୍ଧାନ ଅଛି ।
ଇତିମଧ୍ୟରେ ତାଙ୍କ ପରିବାର ସଂପର୍କୀୟମାନଙ୍କଠାରୁ ପ୍ରାୟ ୫୦୦୦ ଟଙ୍କା ଧାର କରିଛନ୍ତି । ବାପା ମା’ ଓ ୫ ଭାଇ ଭଉଣୀଙ୍କ ସହିତ ଏକ ଯୌଥ ପରିବାରରେ ରହିବା ସେହି ସମୟରେ କୁମାରଙ୍କର ଆର୍ଥିକ ଚାପକୁ ବଢାଇ ଦେଇଥିଲା । ତାଙ୍କର ନିଜର ୩ଟି ସନ୍ତାନ ଅଛନ୍ତି ଏବଂ ତାଙ୍କୁ ସବୁବେଳେ କଫ ସମସ୍ୟା ଲାଗି ରହୁଛି । ତାଙ୍କର ପତ୍ନୀ ୨୬ ବର୍ଷୀୟ ମୀନୁ ଦେବୀ କହିଲେ, “ଆମେ ଯେ ଖାଇବାକୁ ପାଉନଥିଲୁ ତାହା ନୁହେଁ ।’’ “କିନ୍ତୁ ସେହି ଟଙ୍କାରେ ଆମେ ଆମର ଝିଅକୁ ଏକ ଘରୋଇ ଡାକ୍ତରଙ୍କୁ ଦେଖାଇ ପାରିଥାନ୍ତୁ । ତାର ପିଠି ସାରା ଚର୍ମରେ ଫଳିଯାଇଛି ।’’
କୁମାରଙ୍କର ସେହି ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଆକାଉଣ୍ଟ ଏବେ ମଧ୍ୟ ରହିଛି । ତାଙ୍କ ଆକାଉଣ୍ଟରେ ୫୫ଟଙ୍କା ଅଛି ବୋଲି ସେ ଏକ ମେସେଜ୍ ପାଇଥିଲେ । ତାହା ବୋଧହୁଏ ସୁଧ ବୋଲି ସେ ମନେ କରୁଛନ୍ତି । ଯେତେବେଳେ ସେ ହର୍ଦ୍ଦୋଇ ଚୁଙ୍ଗଲି ଆଉଟଲେଟକୁ ସେହି ଟଙ୍କା ପାଇଁ ଗଲେ ତାଙ୍କୁ କୁହାଗଲା ଯେ ୧୦୦ ଟଙ୍କିଆ ହିଁ କାଢି ହେବ ।
ଏପରିସ୍ଥଳେ କାଳେ ତାଙ୍କର ମଜୁରୀ ସେହି ଆକାଉଣ୍ଟକୁ ପଳାଇବ, ତେଣୁ ସେ ମନେରଗା କାମ ପାଇଁ ଆବେଦନ କରିବା ବନ୍ଦ କରି ଦେଇଛନ୍ତି ।
ଯେଉଁ ଦୋକାନୀମାନେ ଏଭଳି ଆକାଉଣ୍ଟ ଖୋଲିଲେ ସେମାନଙ୍କର କ’ଣ ହେବ? ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ଜଣେ ମୁଖପାତ୍ର ଏହି ସାମ୍ବାଦିକଙ୍କୁ କହିଲେ ଯେ, “ଭୁଲ୍ କରିଥିବା ଦୋକାନୀମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ।’’
ଅନୁବାଦ: ଓଡ଼ିଶାଲାଇଭ୍