କେବଳ ଗୋଟିଏ ଗାଇ ଓ ଗୋଟିଏ ମଇଁଷି ପାଇଁ ଅରୁଣ ଯାଦବଙ୍କର ଗୁହାଳଘର ନିଶ୍ଚିତଭାବେ ବଡ଼ ଅଟେ । ସେଠାରେ ଗୋଟିଏ ଖୁଣ୍ଟିରେ ବନ୍ଧା ହୋଇଥିବା ପଶୁସମ୍ପଦ ଅସୁଖୀ ଦେଖାଯାଉଛନ୍ତି । “ଏହା ପଛରେ ମୋର ଆଉ ଏକ ଗୁହାଳଘର ଅଛି,” ବୋଲି ଅରୁଣ କୁହନ୍ତି । “ମୋର ଯେତିକି ଗୁହାଳଘର ଅଛି ତାହା ପଶୁମାନଙ୍କ ସଂଖ୍ୟା ସହିତ ସମାନ ହେବ । ଅତିଶୀଘ୍ର ମୋର ଗୁହାଳଘର ସଂଖ୍ୟା ବୋଧହୁଏ ପଶୁସଂଖ୍ୟାଠାରୁ ଅଧିକ ହୋଇଯିବ ।

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ୩୯ବର୍ଷ ବୟସ୍କ ଆଖୁଚାଷୀ ଅରୁଣ ଏକଦା ତାଙ୍କ ଗ୍ରାମ ଅଲ୍‌ସୁନ୍ଦରେ ସାତଟି ଗାଈ ଓ ଚାରିଟି ମଇଁଷିଙ୍କ ଲାଳନପାଳନ କରୁଥିଲେ । “ଗତ ୧୫ବର୍ଷରେ ମୁଁ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ବିକ୍ରି କରିଦେଲି,” ବୋଲି ସେ କୁହନ୍ତି । “ମୋର ୧୦ଏକରର ଆଖୁ କିଆରି ଅଛି । ପୂର୍ବେ ଦୁଗ୍ଧ ଉତ୍ପାଦନ ଏକ ସୁବିଧାଜନକ ପାର୍ଶ୍ୱ ବ୍ୟବସାୟ ଥିଲା, ହେଲେ ବର୍ତ୍ତମାନ ଏହା ମୋର ବେକରେ ଫାଶି ଦଉଡ଼ିଟିଏ ଗୁଡ଼ାଇ ହୋଇ ରହିଥିବା ପରି ମନେ ହେଉଛି ।

ପଶ୍ଚିମ ମହାରାଷ୍ଟ୍ରରେ ସ୍ଥିତ ସାଙ୍ଗଲି ହେଉଛି ଡେରୀ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଯେଉଁଠି ରାଜ୍ୟର ମୋଟ ଦୁଗ୍ଧ ଉତ୍ପାଦନର  ୪୨ ପ୍ରତିଶତରୁ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ । ଏଠାରେ ପ୍ରାୟ ସମସ୍ତ ଚାଷୀ ଗାଈ ଓ ମଇଁଷି ପାଳନ କରନ୍ତି । ଅରୁଣଙ୍କ ପରି ଚାଷୀମାନଙ୍କ ପାଇଁ  ଦୁଗ୍ଧ  ହେଉଛି ଆୟର ଏକ ଅତିରିକ୍ତ ଉତ୍ସ । ଅନ୍ୟମାନଙ୍କ ପାଇଁ ଏହା ପ୍ରଧାନ ଅବଲମ୍ବନ ଅଟେ । ହେଲେ, ଦୁଗ୍ଧ ଚାଷୀମାନେ  ବର୍ତ୍ତମାନ ଏହାକୁ ଆନୁପାତିକ ଭାବେ କ୍ଷୁଦ୍ରାକାର କରିଚାଲିଛନ୍ତି – ଆର୍ଥିକ ଉନ୍ନତି ହେଉନି ବୋଲି ସେମାନେ କହୁଛନ୍ତି ।

ଦଶବର୍ଷରୁ ଅଧିକ ସମୟ ହେବ, ପଶ୍ଚିମ ମହାରାଷ୍ଟ୍ରର ଡେରୀ ଚାଷୀମାନେ ଦୁଗ୍ଧ  ମୂଲ୍ୟ ନିୟମିତ ଭାବେ ହ୍ରାସ ବୃଦ୍ଧି ହେଉଥିବା ବିରୋଧରେ ବାରମ୍ବାର ଆନ୍ଦୋଳନ କରିଆସୁଛନ୍ତି । ସେମାନେ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ସେମାନଙ୍କର ଦୁଗ୍ଧ ଢାଳୁଛନ୍ତି, ନଷ୍ଟ କରୁଛନ୍ତି ଓ ବାଣ୍ଟି ଦେଉଛନ୍ତି । ଅଜିତ୍‌ ନଭ୍‌ଲେ, ଅଖିଳ ଭାରତୀୟ କିସାନ ସଭାର ସାଧାରଣ ସମ୍ପାଦକ, ଯିଏ ଏହିପରି ଅନେକ ପ୍ରଦର୍ଶନର ନେତୃତ୍ୱ ନେଇଛନ୍ତି, କୁହନ୍ତି ଯେ ଯେତେବେଳେ ଉତ୍ପାଦିତ ଦୁଗ୍ଧ ଏକ ବଡ ଅଂଶ ସମବାୟ ଓ ରାଜ୍ୟ ଦ୍ୱାରା ସଂଗ୍ରହଣ କରାଯାଉଥିଲା, ସେତେବେଳେ ଦୁଗ୍ଧର ମୂଲ୍ୟ ଅପେକ୍ଷାକୃତ ସ୍ଥିର ରହୁଥିଲା । ସେ ଆହୁରି କୁହନ୍ତି ଯେ: “ବଜାରରେ ଘରୋଇ ଉଦ୍ୟୋଗୀମାନଙ୍କ ପ୍ରବେଶ ପରେ ସରକାରଙ୍କ ଭୂମିକା ହ୍ରାସ ପାଇଛି ଓ କମ୍‌ ପ୍ରଭାବୀ ହୋଇପଡ଼ିଛି । ସେମାନଙ୍କ ଇଚ୍ଛା ମୁତାବକ ମୂଲ୍ୟ ହ୍ରାସ – ବୃଦ୍ଧି ହେଉଛି ।’’

“ଘରୋଇ ଉଦ୍ୟୋଗୀମାନେ ମୂଲ୍ୟ ନିୟନ୍ତ୍ରଣ କରି ଲାଭବାନ ହୋଇଛନ୍ତି । କୃଷି ଆଇନ ସମ୍ବନ୍ଧରେ ଆମେ ଏହା ହିଁ କହି ଆସୁଛୁ,” ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୦ରେ ପ୍ରଚଳନ କରାଯାଇଥିବା ତିନିଟି କୃଷି ଆଇନ୍‌ ବିଷୟରେ ଉଲ୍ଲେଖ କରି ନାଭ୍‌ଲେ କହିଛନ୍ତି । ଗତ ବର୍ଷ ଚାଷୀମାନଙ୍କ ଦ୍ୱାରା  ବିରୋଧ ପ୍ରଦର୍ଶନ ( ପରୀର ସମ୍ପୂର୍ଣ୍ଣ କଭରେଜ ଦେଖନ୍ତୁ ) କରାଯିବା କାରଣରୁ ନଭେମ୍ବର ୨୯,୨୦୨୧ରେ ସଂସଦରେ ଏହି ଆଇନକୁ ଖାରଜ କରାଯାଇଥିଲା ।

Arun Jadhav outside his cowshed in Alsund
PHOTO • Parth M.N.
Buffaloes in a shed in the village. Farmers say they are riskier to rear
PHOTO • Parth M.N.

ବାମ : ଅରୁଣ ଯାଦବ ଅଲ୍‌ସୁନ୍ଦରେ ଥିବା ତାଙ୍କ ଗୁହାଳଘରେ ବାହାରେ । ଡାହାଣ : ଗ୍ରାମର ଏକ ଗୁହାଳରେ ଥିବା ମଇଁଷିମାନେ। ଚାଷୀମାନେ କହୁଛନ୍ତି ସେଗୁଡ଼ିକର ଲାଳନପାଳନ କରିବା ବିପଦପୂର୍ଣ୍ଣ

ନାଭ୍‌ଲେ, ଯିଏ ଅହମଦ୍‌ନଗର ସହରରେ ରୁହନ୍ତି, ସୂଚିତ କରିଛନ୍ତି ଯେ ଡେରୀ କ୍ଷେତ୍ର ଘରୋଇ ନିବେଶ ଅଧିନରେ ଅଧିକ ଉନ୍ନତି କରିବାକଥା । “ମହାରାଷ୍ଟ୍ରର ଦୁଗ୍ଧ କ୍ଷେତ୍ରରେ ୩୦୦ରୁ ଅଧିକ ବ୍ରାଣ୍ଡ କାର୍ଯ୍ୟରତ ଅଛନ୍ତି । ଆଦର୍ଶତଃ, ଏହି ପ୍ରକାର ପ୍ରତିଯୋଗିତା ଯୋଗୁ ଚାଷୀମାନଙ୍କ ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି ହେବା କଥା । ହେଲେ, ସେପରି ହେଲାନାହିଁ,” ବୋଲି ସେ କୁହନ୍ତି । ଏହା ପରିବର୍ତ୍ତେ, ଡେରୀ ଚାଷୀମାନେ ଦୁଗ୍ଧ ମୂଲ୍ୟରେ ହେଉଥିବା ନାଟକୀୟ ହ୍ରାସବୃଦ୍ଧି, ଯାହା ଲିଟର ପିଛା ୧୭ଟଙ୍କା ରୁ ୩୨ଟଙ୍କା ମଧ୍ୟରେ  ରହିଥାଏ, ସହ୍ୟ କରିବାକୁ ବାଧ୍ୟ ହେଉଛନ୍ତି ।

ସେପ୍ଟେମ୍ବର ୨୦୨୧ରେ ମାର୍କେଟ୍‌ ରିସର୍ଚ୍ଚ ଏଜେନନ୍ସି କ୍ରିସିଲ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ, ମହାରାଷ୍ଟ୍ରରେ ଘରୋଇ ଡେରୀଗୁଡିକ ଦୈନିକ ୧୨୩ -୧୨୭ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରିଥାନ୍ତି, ଯେତେବେଳେକି ସମବାୟ ଡେରୀଗୁଡିକ ୩୬-୩୮ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରିଥାନ୍ତି । ୧୯୯୧ରେ ଉଦାରୀକରଣ ପରେ ଡେରୀ ଶିଳ୍ପର ଲାଇସେନ୍ସ ପ୍ରତ୍ୟାହାର କରାଯାଇଥିଲା । ଦୁଗ୍ଧ ଓ ଦୁଗ୍ଧ ଜାତ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଣ୍ଟନକୁ ନିୟନ୍ତ୍ରିତ କରିବା ପାଇଁ ୧୯୯୨ରେ ଦୁଗ୍ଧ ଓ ଦୁଗ୍ଧ ଜାତ ଉତ୍ପାଦ ଅର୍ଡର ଆରମ୍ଭ କରାଗଲା । ହେଲେ, ୨୦୦୨ରେ ଏଥିରେ ସଂଶୋଧନ କରାଯାଇ କ୍ଷୀର ପ୍ରକ୍ରିୟାକରଣ କ୍ଷମତା ଉପରେ ରହିଥିବା କଟକଣାକୁ ଉଠାଇ ଦିଆଗଲା, ଯାହା ମୂଲ୍ୟଗତ ଅସ୍ଥିରତାକୁ ଆହୁରି ଉପରମୁହାଁ କରିଥିଲା ।

ପ୍ରକାଶ କୁତ୍‌ୱାଲ, ପୁନା ଜିଲ୍ଲାର ସିରୁର୍‌ ଟାଉନ୍‌ରେ ଥିବା ଏକ ଘରୋଇ ଡେରୀ-ଉତ୍ପାଦ କମ୍ପାନି ଉର୍ଜା ମିଲ୍କର ଜେନେରାଲ୍‌ ମ୍ୟାନେଜର, ମହାରାଷ୍ଟ୍ରରେ ଘରୋଇ ନିବେଶ କାହିଁକି ଡେରୀ ଚାଷୀଙ୍କ କୌଣସି ସହାୟତା କରିପାରିଲା ନାହଁ, ସେ ବିଷୟରେ ଜଣାଇଛନ୍ତି । “ପୂର୍ବେ, ଯେଉଁମାନେ ଡେରୀ ବ୍ୟବସାୟ କରୁଥିଲେ, ସେମାନେ କେବଳ ପାଉଚ୍‌ ତିଆରି ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରୁଥିଲେ ଓ ମୂଲ୍ୟ ଅତିକମ୍‌ରେ ଛଅ ମାସ ବା ଅଧିକ ସମୟ ପର୍ଯ୍ୟନ୍ତ ସ୍ଥିର ରହୁଥିଲା । ଏହାଦ୍ୱାରା ଉଭୟ ଚାଷୀ ଓ ଉପଭୋକ୍ତାଙ୍କ ହିତ ସାଧନ ହେଉଥିଲା ।  ନିୟନ୍ତ୍ରଣମୁକ୍ତ ହେବାପରେ ମୂଲ୍ୟ ବିଶ୍ୱ ଡେରୀ ବଜାରରେ ସ୍କିମ୍‌ଡ୍‌ କ୍ଷୀର ଗୁଣ୍ଡର ମୂଲ୍ୟରେ ହେଉଥିବା ହ୍ରାସ ବୃଦ୍ଧି ଦ୍ୱାରା ପ୍ରଭାବିତ ହେବାକୁ ଲାଗିଲା ।

ନିୟନ୍ତ୍ରଣମୁକ୍ତ ହେବାପରେ ଭାରତୀୟ ବଜାରରେ ଦୁଗ୍ଧ ଗୁଣ୍ଡ ପ୍ଲାଣ୍ଟ – ଯାହା ଦୁଗ୍ଘଜାତ ଦ୍ରବ୍ୟ ପ୍ରସ୍ତୁତ କରୁଥିବା କମ୍ପାନିକୁ ଯୋଗାଇଥାଏ – ର ସଂଖ୍ୟା ବୃଦ୍ଧି ପାଇଛି । “ଦୁଗ୍ଧ ଗୁଣ୍ଡ ଓ ଲହୁଣି କାରବାର କରୁଥିବା କମ୍ପାନିଗୁଜଡିକର ମୂଲ୍ୟରେ ପ୍ରତି ସପ୍ତାହରେ ପରିବର୍ତ୍ତନ ଦେଖାଦେଇଥାଏ, ଯେଉଁ କାରଣରୁ ପ୍ରତ୍ୟେକ ୧୦ ଦିନରେ ଥରେ କ୍ଷୀରର ମୂଲ୍ୟ ବଦଳିଥାଏ, ଯାହା ଏକ ଜୁଆ ଖେଳପରି ଅଟେ,” ବୋଲି କୁତ୍‌ୱାଲ୍‌ କୁହନ୍ତି । "ବଡ଼ ବଡ଼ ବ୍ରାଣ୍ଡଗୁଡ଼ିକ କ୍ଷୀରର ମୂଲ୍ୟ ନିୟନ୍ତ୍ରଣ କରିଥାନ୍ତି। ସେମାନଙ୍କୁ ରାଜନୈତିକ ସମର୍ଥନ ମଧ୍ୟ ରହିଛି । ହେଲେ, ଚାଷୀମାନେ ସେମାନଙ୍କ ଉତ୍ପାଦନ ବ୍ୟୟ ଅସୁଲ କରିପାରୁଛନ୍ତି କି ନାହିଁ ସେ ବିଷୟରେ କେହ ମଧ୍ୟ ଚିନ୍ତା କରୁନାହାନ୍ତି ।

Milk production used to be a convenient side business for sugarcane farmers like Arun Jadhav.
PHOTO • Parth M.N.
Arun's mother, Mangal , outside their hut
PHOTO • Parth M.N.

ବାମ : ଅରୁଣ ଯାଦବଙ୍କ ପରି ଆଖୁ ଚାଷୀଙ୍କ ପାଇଁ କ୍ଷୀର ଉତ୍ପାଦନ ଏକ ସୁବିଧାଜନକ ପାର୍ଶ୍ୱ ବ୍ୟବସାୟ ଥିଲା । ଡାହାଣ : ଅରୁଣଙ୍କ ମା ମଙ୍ଗଳ , ତାଙ୍କ କୁ ଡ଼ିଆ ବାହାରେ

“ସ୍ତନ୍ୟପାନ କରାଉଥିବା ଗୋଟିଏ ଗାଇ ଦିନକୁ ୧୧-୧୨ଲିଟର କ୍ଷୀର ଦେଇଥାଏ । ତା’ ପରେ ଏହା ଆଠ ଲିଟରକୁ କମିଯାଏ,” ବୋଲି ମଙ୍ଗଳ, ଅରୁଣଙ୍କ ୬୫ବର୍ଷ ବୟସ୍କ ମା’ କୁହନ୍ତି । “କ୍ଷୀର ଲିଟର ପିଛା ୨୪ -୨୫ ଟଙ୍କାରେ ବିକ୍ରି ହୋଇଥାଏ । ଆମର ଗାଈ ପାଇଁ ଆମକୁ ପ୍ରତିଦିନ ଚାରି କିଲୋ ଗୋ-ଖାଦ୍ୟ କିଣିବାକୁ ପଡ଼ିଥାଏ । ସେଥିପାଇଁ କିଲୋ ପିଛା ୨୨ – ୨୮ ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ,” ବୋଲି ମଧ୍ୟ ସେ କୁହନ୍ତି ।

ଅରୁଣ  ହାରାହାରି ୧୦ଲିଟର ଦୁଗ୍ଧ ବିକ୍ରି କରି ଦିନକୁ ୨୫୦ଟଙ୍କା ଉପାର୍ଜନ କରିପାରିବେ । “ଯଦି ମୁଁ ସବୁଠାରୁ ଶସ୍ତା ଗୋ-ଖାଦ୍ୟ ଆଣିବି, ତାହାହେଲେ ମଧ୍ୟ ମୋତେ ଦିନକୁ ୮୮ଟଙ୍କା ଖର୍ଚ୍ଚ କରିବାକୁ ହେବ । ଅତଏବ ମୋର ପାଖାପାଖି ୧୬୦ଲାଭ ହେବ । ଆଉ, ମୁଁ ଗାଈର ଔଷଧ  ବାବଦକୁ ଆମେ କରୁଥିବା ବ୍ୟୟ ପରିମାଣ ହିସାବ କରୁନାହୁଁ,” ବୋଲି ସେ କୁହନ୍ତି । “ଯଦି ମୁଁ ଜଣେ କୃଷି ଶ୍ରମିକ ଭାବେ କାହାର ଚାଷଜମିରେ ଚାଷ କରିବି, ତା’ହେଲେ ଦିନକୁ ୩୦୦ଟଙ୍କା ପାଇପାରିବି’’।

ମଇଁଷି ପାଳନ କରିବା ବିପଦପୂର୍ଣ୍ଣ ଅଟେ, ବୋଲି ଅଲ୍‌ସୁନ୍ଦର ୨୮ବର୍ଷ ବୟସ୍କ ଆଖୁ ଚାଷୀ ଭରତ ଯାଦବ କୁହନ୍ତି । ଏହି ପଶୁଗୁଡ଼ିକ ପ୍ରାୟତଃ ଏକ ନିଷ୍ଫଳା ସମୟ ଅବଧି ଦେଇ ଗତି କରିଥାନ୍ତି, ଯାହା ଅତିକମ୍‌ରେ ୪-୫ ମାସର ହୋଇଥାଏ। “ହେଲେ, ଆମକୁ ସବୁବେଳେ ସମାନ ଯତ୍ନ କରିବାକୁ ପଡ଼ିଥାଏ,” ବୋଲି ସେ କୁହନ୍ତି । “ମଇଁଷି କ୍ଷୀର ଲିଟର ପିଛା ୩୫ଟଙ୍କାରେ ବିକ୍ରି ହୋଇଥାଏ । ହେଲେ, ମଇଁଷିମାନେ ଦିନକୁ ଛଅ ଲିଟର୍‌ରୁ ଅଧିକ କ୍ଷୀର ଦିଅନ୍ତି ନାହିଁ”। ମୂଲ୍ୟରେ ହ୍ରାସ ବୃଦ୍ଧି ହେବା କାରଣରୁ ଭରତ ଅଧୀର ହୋଇ ଉଠନ୍ତି, ଏଣୁ ସେ ଆଉ କ୍ଷୀର ବିକ୍ରି କରୁନାହାନ୍ତି । “ମୋର ଚାରିଟି ମଇଁଷି ଥିଲା । ମୁଁ ସେମାନଙ୍କୁ ଅତି ତୁଚ୍ଛ ମୂଲ୍ୟରେ ଦୁଇ ବର୍ଷ ପୂର୍ବେ ବିକ୍ରି କରିଦେଲି’’।

ମହାରାଷ୍ଟ୍ରରେ ଦୁଗ୍ଧ ଉତ୍ପାଦନ ପରିମାଣ ୨୦୦୧ - ୦୨ ରୁ  ୨୦୧୮ – ୧୯ମଧ୍ୟରେ ୯୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୦୧ – ୦୨ରେ ଏହାର ପରିମାଣ ଥିଲା ୬,୦୯୪, ୦୦୦ ଟନ୍‌ ଥିଲା ଓ ୨୦୧୮ – ୧୯ରେ ଏହା ୧୧,୬୫୫,୦୦୦ଟନ୍‌ କୁ ବୃଦ୍ଧି ପାଇଛି । ତୁଳନାକଲେ ଏହା ଜଣାଯାଏ ଯେ ଗୁଜୁରାଟରେ, ଯେଉଁଠାରେ ଦୁଗ୍ଧ ଚାଷୀମାନଙ୍କ ସ୍ଥିତି ଅପେକ୍ଷାକୃତ ଉନ୍ନତ, ୨୦୦୧ – ୦୨ ଓ ୨୦୧୮ – ୧୯ ମଧ୍ୟରେ ୧୪୭ ପ୍ରତିଶତ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଯେଉଁଠାରେ ଦୁଗ୍ଧ ସଂଗ୍ରହ କରୁଥିବା ୩୦୦ରୁ ଅଧିକ ବ୍ରାଣ୍ଡ ଅଛନ୍ତି, ଠାରୁ ଭିନ୍ନ, ଏହି ରାଜ୍ୟରେ ପ୍ରାୟ ଦୁଗ୍ଧ ଗୋଟିଏ ବ୍ରାଣ୍ଡ ଦ୍ୱାରା ସଂଗୃହିତ ହୋଇଥାଏ: ଅମୂଲ ଦ୍ୱାରା ।

ଶିଳ୍ପ ପ୍ରମୁଖମାନେ ମହାରାଷ୍ଟ୍ରର ଡେରୀ କ୍ଷେତ୍ରରେ ଦେଖାଦେଇଥିବା ଏହି ବିଶୃଙ୍ଖଳାର କାରଣ ପାଇଁ ସମନ୍ୱୟର ଅଭାବକୁ ଦାୟୀ କରିଛନ୍ତି । ଉତ୍ତମ ସଂଗଠନ ପାଇଁ ସେମାନଙ୍କ ଦାବି ରକ୍ଷା କରିବାକୁ ଯାଇ ଫେବୃଆରି ୨୦୨୦ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିଭିନ୍ନ ଘରୋଇ ଓ ସମବାୟ ଡେରୀର ପ୍ରତିନିଧିମାନଙ୍କୁ ନେଇ ଏକ ପରାମର୍ଶକାରୀ ପ୍ୟାନେଲ ଗଠନ କରିଥିଲେ, ସରକାରଙ୍କୁ ପରାମର୍ଶ ଦେବାପାଇଁ ।

The empty shed at Bharat Jadhav's home.
PHOTO • Parth M.N.
Bharat sold all his buffaloes two years ago
PHOTO • Parth M.N.

ଭରତ ଯାଦବଙ୍କ ଘରେ ଥିବା ଖାଲି ଗୁହାଳ ( ବାମ )। ଭରତ ( ଡାହାଣ , ବାଇକ୍‌ ଚଲାଉଛନ୍ତି ) ତାଙ୍କର ସମସ୍ତ ମଇଁଷି ଦୁଇବର୍ଷ ପୂର୍ବେ ବିକି ଦେଇଥିଲେ

କୁତ୍‌ୱାଲ୍‌ ହେଉଛନ୍ତି ସେହି ପ୍ୟାନେଲ୍‌ର ଜଣେ ସଦସ୍ୟ । “ବର୍ତ୍ତମାନ ଡେରୀ ବ୍ୟବସାୟରେ ତିନୋଟି କ୍ଷେତ୍ର କାର୍ଯ୍ୟକ୍ଷମ ଅଛନ୍ତି: ସମବାୟ, ରାଜ୍ୟ ଓ ଘରୋଇ,” ବୋଲି ସେ କୁହନ୍ତି । “ଉତ୍ପାଦିତ ସମୁଦାୟ ଦୁଗ୍ଧର ୭୦ପ୍ରତିଶତର ସଂଗ୍ରହଣ ଘରୋଇ କମ୍ପାନିଗୁଡ଼ିକ ଦ୍ୱାରା ହୋଇଥାଏ । ବାକି ସମବାୟ ଦ୍ୱାରା ସଂଗ୍ରହ ହୋଇଥାଏ । ରାଜ୍ୟର ଉପସ୍ଥିତି ପ୍ରାୟତଃ ନଗଣ୍ୟ । ପ୍ରତ୍ୟେକଥର ଯେତେବେଳେ କ୍ଷୀରର ମୂଲ୍ୟ ୨୦ଟଙ୍କାରୁ ନିମ୍ନକୁ ଖସିଯାଏ, ସେତେବେଳେ ସରକାର ସାମୟିକ ହସ୍ତକ୍ଷେପ କରନ୍ତି ଓ ଚାଷୀମାନେ ଯେପରି ତାଙ୍କ ବିପକ୍ଷରେ ଭୋଟ୍‌ ନକରିବେ ତାହା ନିଶ୍ଚିତ କରିବା ପାଇଁ  ସବ୍‌ସିଡ଼ି ଘୋଷଣା କରିଦିଅନ୍ତି” । ଘରୋଇ ଗୁଣ୍ଡ ପ୍ଲାଣ୍ଟଗୁଡ଼ିକ ଦୁଗ୍ଧ ମୂଲ୍ୟକୁ ପ୍ରଭାବିତ କରିଥାନ୍ତି, ବୋଲି କୁତ୍‌ୱାଲ୍‌ କୁହନ୍ତି, ଯିଏ ଦୁଗ୍ଧ ଉତ୍ପାଦନକାରୀ ଓ ପ୍ରକ୍ରିୟାକରଣକାରୀ କଲ୍ୟାଣ ସଂଘର ସେକ୍ରେଟାରୀ ମଧ୍ୟ ଅଛନ୍ତି । ଏହି ସଂଘରେ ଘରୋଇ ଓ ସମବାୟ ଦୁଗ୍ଧ ବ୍ୟବସାୟୀମାନେ ମଧ୍ୟ ସାମିଲ ଅଛନ୍ତି ।

ଘରୋଇ କମ୍ପାନିଗୁଡ଼ିକ ସହିତ ସେମାନଙ୍କର ଅନୁଭୂତି ଯୋଗୁଁ ପଶ୍ଚିମ ମହାରାଷ୍ଟ୍ର ଡେରୀ ଉତ୍ପାଦନକାରୀମାନେ କୃଷି କ୍ଷେତ୍ରର ଉଦାରୀକରଣ ପାଇଁ  ପ୍ରଚଳନ କରାଯାଇଥିବା ଆଇନ୍‌ ବିରୋଧରେ ହୋଇଥିବା କୃଷକ ଆନ୍ଦୋଳନକୁ- ଯାହା ନଭେମ୍ବର ୨୦୨୦ରେ ଆରମ୍ଭ ହୋଇଥିଲା- ସେମାନଙ୍କର ସମର୍ଥନ ଦେଇଥିଲେ ।

ରାହୁଲ ଗଲାନ୍ଦେ, ୨୯, ଜଣେ ଦୁଗ୍ଧ ଚାଷୀ ଯିଏ ଖାନପୁର ତହସିଲରେ ଅଲ୍‌ସୁନ୍ଦଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଭିଟା ଟାଉନ୍‌ରେ ଟିକ୍ ଟକ୍ ନାମକ ଏକ ଛୋଟ କାଫେ ମଧ୍ୟ ଚଳାନ୍ତି, ମୋର ହାତରେ ଥିବା ପେନ୍‌ ଆଡ଼କୁ ଦେଖି କହିଲେ ଯେ ,‘‘ଆପଣ ଏହାକୁ କେତେ ଟଙ୍କାରେ କିଣିଛନ୍ତି?”

“୫୦୦ଟଙ୍କା,” ମୁଁ ଉତ୍ତର ଦେଲି ।

“ ଏହି ପେନ୍‌ର ମୂଲ୍ୟ କିଏ ନିର୍ଦ୍ଧାରଣ କରିଥିଲେ?" ”ସେ ମୋତେ ପଚାରିଲେ ।

“ ଯେଉଁ କମ୍ପାନି ଏହାର ନିର୍ମାଣ କରିଛି,”  ମୁଁ ଉତ୍ତର ଦେଲି ।

“ଯଦି ଏହି ପେନ୍‌କୁ ତିଆରି କରିଥିବା କମ୍ପାନି ଏହି ପେନ୍‌ ପାଇଁ ଯେତେ ମୂଲ୍ୟ କରିବାକୁ ଇଚ୍ଛା କରୁଛି ତାହା ନିର୍ଦ୍ଧାରଣ କରିପାରିବ, ତାହାହେଲେ ଆମେ କାହିଁକି ସେହି ଦୁଗ୍ଧର ମୂଲ୍ୟ ନିର୍ଦ୍ଧାରଣ କରିପାରିବୁ ନାହିଁ ଯାହା ଆମେ ଆମର କଠିନ ପରିଶ୍ରମ ଦ୍ୱାରା ଉତ୍ପାଦନ କରୁଛୁ? ଏକ ଘରୋଇ କମ୍ପାନି ମୋର ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରିବ କାହିଁକି?’’  ବୋଲି ଗଲାନ୍ଦେ କହିଥିଲେ। “ଏଠାରେ କ୍ଷୀର ୨୫ ଟଙ୍କାରେ ବିକ୍ରି ହୋଇଥାଏ । କିଛିଦିନ ପୂର୍ବେ (୨୦ ୨୦ରେ କୋଭିଡ୍‌ ଲକଡାଉନ୍‌ ବେଳେ) ଏହା ନିମ୍ନକୁ ଖସି ଲିଟର ପ୍ରତି ୧୭ ଟଙ୍କା ହୋଇଯାଇଥିଲା । ଗୋଟିଏ ବିସ୍‌ଲେରୀ ବୋତଲ୍‌ ମଧ୍ୟ ୨୦ଟଙ୍କାରେ ବିକ୍ରି ହେଉଛି । ଏପରି ସ୍ଥିତିରେ ଆମେ କିଭଳି ବିପତ୍ତି ମୁକ୍ତ ହୋଇ ରହିପାରିବୁ।’’

Rahul Galande says farmers should get to decide the prices of the milk they produce.
PHOTO • Parth M.N.
Cans of milk at Arun Jadhav's shop. More than 70 per cent of the milk produced in Sangli is procured by private companies
PHOTO • Parth M.N.

ବାମ : ରାହୁଲ ଗଲାନ୍ଦେ କୁହନ୍ତି ଯେ ଚାଷୀମାନେ ଯେଉଁ ଦୁଗ୍ଧ ଉତ୍ପାଦନ କରୁଛନ୍ତି ତାହାର ମୂଲ୍ୟ ସେମାନେ ନିର୍ଦ୍ଧାରଣ କରିବା ଉଚିତ । ଡାହାଣ: ଅରୁଣ ଯାଦବଙ୍କ ଦୋକାନରେ ଥିବା ଦୁଗ୍ଧ କ୍ୟାନ୍‌ । ସାଙ୍ଗଲିରେ ଉତ୍ପାଦନ ହେଉଥିବା ମୋଟ ଦୁଗ୍ଧର ୭୦ ପ୍ରତିଶତରୁ ଅଧିକ ଘରୋଇ କମ୍ପାନିଗୁଡ଼ିକ ଦ୍ୱାରା ସଂଗୃହୀତ ହୋଇଥାଏ

ଦୁଗ୍ଧ ଚାଷୀମାନେ ସେମାନଙ୍କ ସିମୀତ ସମ୍ବଳରେ କଷ୍ଟେ ମଷ୍ଟେ ଚଳିବାକୁ ଚେଷ୍ଟା କରୁଥିବା ବେଳେ, କୃଷି ବ୍ୟବସାୟ କ୍ରମଶଃ ବୃଦ୍ଧି ପାଉଥିବା ଦେଖା ଯାଉଛି, ବୋଲି ଅରୁଣ କୁହନ୍ତି । “ଗୋ-ଖାଦ୍ୟର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାର, କୀଟନାଶକ ମଧ୍ୟ ମହଙ୍ଗା ହେବାରେ ଲାଗିଛି । ହେଲେ, ଏହି ନିୟମ କିନ୍ତୁ ଦୁଗ୍ଧ କ୍ଷେତ୍ରରେ ଲାଗୁ ହେଉନାହିଁ’’।

ଦୁଗ୍ଧ ଚାଷୀମାନଙ୍କୁ ସଂଘର୍ଷ କରିବାକୁ ପଡୁଛି କାରଣ ସେମାନଙ୍କ ପାଇଁ କୌଣସି ନିଶ୍ଚିତ ମୂଲ୍ୟ ଧାର୍ଯ୍ୟ ହୋଇନାହିଁ, ବୋଲି ଗଲାନ୍ଦେ କୁହନ୍ତି । “ଚାଷୀମାନେ କାହିଁକି ଆଖୁ ଚାଷ କରୁଛନ୍ତି?” ବୋଲି ସେ ପଚାରିଲେ ଓ ନିଜେ ଏହାର ଉତ୍ତର ମଧ୍ୟ ଦେଲେ। “କାରଣ ଏହାର ଏକ ନିଶ୍ଚିତ ବଜାର ରହିଛି ଓ ଏଥିପାଇଁ ନିଶ୍ଚିତ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଦୁଗ୍ଧ ପାଇଁ ମଧ୍ୟ ସେପରି ନିଶ୍ଚିତତା ଆମେ ଚାହୁଁଛୁ, ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସହାୟକ ମୂଲ୍ୟ । ଦିଲ୍ଲୀର କୃଷକମାନେ ଏହି [କୃଷି] ଆଇନ ଯୋଗୁଁ ଏହି ମୂଲ୍ୟ ହରାଉଛନ୍ତି। ଆପଣ ଘରୋଇ କମ୍ପାନିଗୁଡିକୁ ନିୟନ୍ତ୍ରଣମୁକ୍ତ ଭାବେ ପ୍ରବେଶ କରିବାକୁ ଥରେ ସୁଯୋଗ ଦେଇଦେଲେ, ସମଗ୍ର ଦେଶର ଚାଷୀମାନଙ୍କୁ ସେହି ସ୍ଥିତି ଭୋଗିବାକୁ ପଡିବ ଯାହା ଆଜି ମହାରାଷ୍ଟ୍ରର ଡେରୀ (ଦୁଗ୍ଧ) ଚାଷୀମାନେ ଭୋଗୁଛନ୍ତି’’।

ସରକାର ଚାହିଁଲେ ହସ୍ତକ୍ଷେପ କରିପାରିବେ ଓ ସମବାୟ କ୍ଷେତ୍ର ପାଇଁ ଦୁଗ୍ଧର ମୂଲ୍ୟରେ ସ୍ଥିରତା ଆଣିପାରିବେ, ବୋଲି ନଭ୍‌ଲେ କୁହନ୍ତି । “ହେଲେ ଘରୋଇ ଉଦ୍ୟୋଗୀମାନେ ଯାହା କରନ୍ତୁ, ସେଥିନେଇ ଏହାର କିଛି କହିବାର ନାହିଁ । “ଆଉ ଅଧିକାଂଶ ଦୂଗ୍ଧ ଘରୋଇ ଉଦ୍ୟୋଗ ଦ୍ୱାରା ସଂଗୃହୀତ ହେଉଥିବାରୁ, ସରକାର ଚାଷୀମାନଙ୍କ ପାଇଁ ବିଶେଷ କିଛି କରିପାରିବେ ନାହିଁ । ଦୁଗ୍ଧ ସଂଗ୍ରହଣ କରୁଥିବା ବ୍ରାଣ୍ଡଗୁଡ଼ିକ ତାଙ୍କର ପ୍ରଭାବ ସାବ୍ୟସ୍ତ କରନ୍ତି ଓ ମୂଲ୍ୟ ଯେପରି ବୃଦ୍ଧି ହେବନି ତାହା ନିଶ୍ଚିତ କରନ୍ତି । ସେମାନେ ବଜାର ନିୟନ୍ତ୍ରଣ କରନ୍ତି ଓ ପ୍ରଚୁର  ଲାଭ ପାଆନ୍ତି’’।

ମାର୍ଚ୍ଚ ୨୦୨୦ରେ କୋଭିଡ୍‌- ୧୯ ଲକ୍‌ଡାଉନ୍‌ ପୂର୍ବରୁ, ନଭ୍‌ଲେ ସୂଚିତ କରନ୍ତି ଯେ, ଚାଷୀମାନେ ଲିଟର ପ୍ରତି ୨୯ଟଙ୍କା ମୂଲ୍ୟରେ ଗାଈ କ୍ଷୀର ବିକ୍ରି କରୁଥିଲେ। “ମୁମ୍ବାଇରେ ଆପଣ ଏହାକୁ ୬୦ଟଙ୍କାରେ କିଣୁଥିଲେ,” ବୋଲି ସେ ମୋତେ କହିଲେ। “ଲକ୍‌ଡାଉନ୍‌ ପରେ, ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇଲା ଓ ଚାଷୀମାନେ ସେମାନଙ୍କର ଗାଈର ଦୁଗ୍ଧ ୧୭ଟଙ୍କାରେ ବିକ୍ରି କଲେ। ଆପଣମାନେ ମୁମ୍ବାଇରେ, ଏହାକୁ ୬୦ଟଙ୍କାରେ କିଣିବା ଜାରି ରଖିଥିଲେ। ଏହି ପ୍ରଣାଳୀରେ ପ୍ରକୃତିରେ କିଏ ଲାଭାନ୍ୱିତ ହେଉଛି? ନିଶ୍ଚିତ ଭାବେ ଚାଷୀ ନୁହେଁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

पार्थ एम एन, साल 2017 के पारी फ़ेलो हैं और एक स्वतंत्र पत्रकार के तौर पर विविध न्यूज़ वेबसाइटों के लिए रिपोर्टिंग करते हैं. उन्हें क्रिकेट खेलना और घूमना पसंद है.

की अन्य स्टोरी Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE