ଧନୁ ତିଆରି କରି ଶେରିଂ ଦୋର୍ଜି ଭୂତିଆ କେବେ ବି ନିଜର ପେଟ ପୋଷି ପାରିନାହାନ୍ତି, ଏହା ହୃଦୟଙ୍ଗମ କରିବା ଲାଗି କିଛି ସମୟ ଲାଗିଥାଏ । ଏହାର କାରଣ ହେଉଛି ଏହି କଳା ଓ ଶିଳ୍ପରେ ତାଙ୍କ ଜୀବନ ଏତେ ମାତ୍ରାରେ ବାନ୍ଧି ହୋଇଯାଇଛି ଯେ ତାଙ୍କ ସହ ମିଶିଲେ ସ୍ୱାଭାବିକ ଭାବେ ଏପରି ଅନୁଭବ ହୋଇଥାଏ। ପାକ୍ୟୋଙ୍ଗ ଜିଲ୍ଲାର କାର୍ଥୋକ୍‌ ଗ୍ରାମରେ ଥିବା ତାଙ୍କ ଘରେ ୮୩ ବର୍ଷ ବୟସ୍କ ଶେରିଂ ନିଜ ବିଷୟରେ ମଧ୍ୟ ଠିକ୍‌ ଏହି କଥା ଆମକୁ କହିଥିଲେ। ୬୦ ବର୍ଷ ଧରି, ବଢ଼େଇ କାମ କରି ସେ ରୋଜଗାର କରିଆସୁଛନ୍ତି – ମୁଖ୍ୟତଃ ସେ ଫର୍ଣ୍ଣିଚର ମରାମତି କରିଥାନ୍ତି । କିନ୍ତୁ, ସିକ୍କିମର ବାସିନ୍ଦା ଭାବେ ରାଜ୍ୟର ସଂସ୍କୃତିରୁ ସେ ତୀରଚାଳନା ପ୍ରତି ଗଭୀର ଭାବେ ଅନୁପ୍ରାଣିତ ହୋଇଥିବା ସମସ୍ତଙ୍କୁ କହିଥାନ୍ତି ।

ଦୀର୍ଘ ଦଶନ୍ଧି ଧରି ଜଣେ କୁଶଳୀ ବଢ଼େଇ ଭାବେ କାମ କରୁଥିଲେ ମଧ୍ୟ ତାଙ୍କର ଏହି ବୃତ୍ତି ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି । ବରଂ ପାକ୍ୟୋଙ୍ଗର ଧନୁ ନିର୍ମାତା ଭାବେ ତାଙ୍କୁ ଅଧିକ ଲୋକ ଜାଣନ୍ତି ।

ଶେରିଂ ପରୀକୁ କହିଥିଲେ ଯେ, ‘‘ମୋତେ ୧୦ କିମ୍ବା ୧୨ ବର୍ଷ ହେବା ସମୟରୁ ମୁଁ କାଠର ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲି। ଧୀରେ ଧୀରେ ସେଗୁଡ଼ିକ ଧନୁର ରୂପ ନେଲା ଏବଂ ଲୋକମାନେ ସେଗୁଡ଼ିକୁ କିଣିବା ଆରମ୍ଭ କଲେ। ଏମିତି ଧନୁନିର୍ମାତା ଭାବେ ମୋତେ ଲୋକମାନେ ଜାଣିଲେ।’’

‘‘ପୂର୍ବରୁ, ଅଲଗା ପ୍ରକାର ଧନୁ ତିଆରି କରାଯାଉଥିଲା’’, ସେ ଆମକୁ କେତେକ ଉତ୍ପାଦ ଦେଖାଇ କୁହନ୍ତି । ‘‘ପୂର୍ବରୁ ଏଭଳି ଧନୁକୁ ତବଜୁ (ନେପାଳୀ ଭାଷାରେ) କୁହାଯାଉଥିଲା। ଏଥିରେ ଦୁଇ ଖଣ୍ଡ ସାଧାରଣ ବାଡ଼ିକୁ ପରସ୍ପର ସହ ଯୋଡ଼ିବା ଓ ବାନ୍ଧିବା ସହିତ ଚମଡ଼ାରେ ଘୋଡ଼ାଇ ଦିଆଯାଉଥିଲା। ଆଜିକାଲି ଆମେ ଯେଉଁ ସଂସ୍କରଣ ତିଆରି କରୁଛୁ, ତାହାକୁ ‘ବୋଟ୍‌ଡିଜାଇନ’ କୁହାଯାଇଥାଏ । ଗୋଟିଏ ଧନୁ ତିଆରି କରିବା ଲାଗି ଅତି କମ୍ରେ ତିନି ଦିନ ଲାଗିଥାଏ। କିନ୍ତୁ ଏହା ସକ୍ରିୟ, ଯୁବ ହାତ ଲାଗି ଉଦ୍ଦିଷ୍ଟ । ବୟସ୍କ ହାତ ଏଥିରେ ଅଭ୍ୟସ୍ତ ହେବା ଲାଗି ଆହୁରି କିଛିଦିନ ଲାଗିଥାଏ,’’ ଶେରିଂ ଏକ କୁଟୀଳ ହସ ହସି କହିଥାନ୍ତି ।

Left: Tshering Dorjee with pieces of the stick that are joined to make the traditional tabjoo bow. Right: His elder son, Sangay Tshering (right), shows a finished tabjoo
PHOTO • Jigyasa Mishra
Left: Tshering Dorjee with pieces of the stick that are joined to make the traditional tabjoo bow. Right: His elder son, Sangay Tshering (right), shows a finished tabjoo
PHOTO • Jigyasa Mishra

ବାମ : ପାରମ୍ପରିକ ତବଜୁ ଧନୁ ତିଆରି କରିବା ଲାଗି ଯୋଡ଼ା ଯାଉଥିବା କାଠ ଖଣ୍ଡ ସହିତ ଶେରିଂ ଦୋର୍ଜି ।  ଡାହାଣ : ତାଙ୍କର ବଡ଼ ପୁଅ, ସାଙ୍ଗେ ଶେରିଂ (ଡାହାଣ), ସମ୍ପୂର୍ଣ୍ଣ ହୋଇଥିବା ତବଜୁ ଦେଖାଉଛନ୍ତି

ଗାଙ୍ଗଟକଠାରୁ ପ୍ରାୟ ୩୦ କିଲୋମିଟର ଦୂର ନିଜ ଗୃହନଗରୀରେ ଶେରିଂ ଗତ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଧନୁ-ତୀର ତିଆରି କରୁଛନ୍ତି । କାର୍ଥୋକିସ ଏହାର  ବୌଦ୍ଧ ମଠ ପାଇଁ ପ୍ରସିଦ୍ଧ – ଯାହାକି ସିକ୍କିମର ଷଷ୍ଠ ପ୍ରାଚୀନତମ ମଠ। ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ଏକଦା କାର୍ଥୋକରେ ବହୁସଂଖ୍ୟାରେ ଧନୁନିର୍ମାତା ଥିଲେ, କିନ୍ତୁ ଏବେ ଏକାକୀ ଶେରିଂ ଅଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶେରିଂଙ୍କ ଘରେ କାର୍ଥୋକର ଆକର୍ଷଣ ପ୍ରତିଫଳିତ ହୋଇଥାଏ। ତାଙ୍କର ଘର ଆଗରେ ଏକ ସୁନ୍ଦର ଓ ରଙ୍ଗବେରଙ୍ଗର ବଗିଚା ରହିଛି। ସେହି ବଗିଚାରେ ପାଖାପାଖି ୫୦୦ କିସମର ଫୁଲ ଏବଂ ଗଛ ରହିଛି। ଏହାଛଡ଼ା ତାଙ୍କର ଘର ପଛପଟେ ଏକ ଗ୍ରୀନହାଉସ ଏବଂ ନର୍ସରୀ ରହିଛି, ଯେଉଁଠି ଆପଣ ଔଷଧୀୟ ବୃକ୍ଷ, ଆଳଙ୍କାରିକ କିସମର ଉଦ୍ଭିଦ ଏବଂ ବୋନସାଇ ଗଛ ବ୍ୟତୀତ ପ୍ରାୟ ୮୦୦ ଅର୍କିଡ୍‌ ମଧ୍ୟ ରହିଛି। ତାଙ୍କର ବଡ଼ ପୁଅ ୩୯ ବର୍ଷ ବୟସ୍କ ସାଙ୍ଗେ ଶେରିଂ ଭୂତିଆଙ୍କ ପ୍ରୟାସ କାରଣରୁ ଏହା ସମ୍ଭବପର ହୋଇପାରିଛି, ସେ ଜଣେ ଉଚ୍ଚ କୁଶଳୀ ଉଦ୍ୟାନକୃଷିବିତ୍। ସାଙ୍ଗେ ବିଭିନ୍ନ ପ୍ରକାରର ଉଦ୍ୟାନ ଡିଜାଇନ କରିଥାନ୍ତି, ଚାରା ବିକ୍ରି କରିଥାନ୍ତି। ଏପରିକି ଅନ୍ୟମାନଙ୍କୁ ବଗିଚା ପ୍ରସ୍ତୁତ କରିବା ଶିଖାଇଥାନ୍ତି ଓ ପ୍ରୋତ୍ସାହିତ କରିଥାନ୍ତି।

‘‘ତେଣୁ ଆମେ ଛଅ ଜଣ ଏଠାରେ ରହିଥାଉ,’’ ଶେରିଂ ଆମକୁ କହିଥିଲେ । 'ଏଠାରେ' କାର୍ଥୋକର ଏହି ସାଧାରଣ ଘରେ। ‘‘ମୁଁ, ମୋର ପତ୍ନୀ ଦାୱତୀ ଭୂତିଆ (ଯାହାଙ୍କୁ ୬୪ ବର୍ଷ), ମୋ ପୁଅ ସାଙ୍ଗେ ଶେରିଂ ଏବଂ ତାଙ୍କର ପତ୍ନୀ ତାଶୀ ଦୋର୍ମା ଶେରପା (ତାଙ୍କୁ ୩୬ ବର୍ଷ) ଆମେ ମିଶି ରହିଥାଉ । ଆହୁରି ଆମ ନାତି ଚ୍ୟାମ୍ପା ହେସାଲ ଭୂତିଆ ଏବଂ ରାଙ୍ଗସେଲ ଭୂତିଆ ମଧ୍ୟ ରହିଥାନ୍ତି ।’’ ଆଉ ଜଣେ ସଦସ୍ୟ ମଧ୍ୟ ରହିଛି : ପରିବାରର ପ୍ରିୟ କୁକୁର ଡଲି - ଯାହାକୁ ଅଧିକାଂଶ ସମୟରେ ତିନି ବର୍ଷ ବୟସ୍କ ଚ୍ୟାମ୍ପା ସହିତ ଦେଖିବାକୁ ମିଳିଥାଏ। ରାଙ୍ଗସେଲଙ୍କୁ ଏବେ ୨ ବର୍ଷ ପୂରି ନାହିଁ ।

ଶେରିଂଙ୍କର ଦ୍ୱିତୀୟ ପୁତ୍ର ୩୩ ବର୍ଷ ବୟସ୍କ ସୋନମ ପାଲାଜୋର ଭୂତିଆ ଇଣ୍ଡିଆ ରିଜର୍ଭ ବାଟାଲିୟନ ଅଫ ସିକ୍କିମରେ କାର୍ଯ୍ୟରତ । ସେ ଏବେ ଦିଲ୍ଲୀରେ ନିୟୋଜିତ ଅଛନ୍ତି, ଯେଉଁଠି ନିଜ ପତ୍ନୀ ଓ ପୁଅ ସହିତ ସେ ରହିଥାନ୍ତି । ପର୍ବପର୍ବାଣୀ ଓ ଛୁଟିଦିନ ହେଲେ ସୋନମ ତାଙ୍କ ବାପାଙ୍କ ପାଖକୁ କାର୍ଥୋକ୍‌ ଆସିଥାନ୍ତି । ଶେରିଂଙ୍କ ପିଲାମାନଙ୍କ ମଧ୍ୟରେ ଝିଅ ଶେରିଂ ଲାମୁ ଭୂତିଆ (୪୩) ସବୁଠୁ ବଡ଼, ସେ ବିବାହ କରିବା ପରେ ଗାଙ୍ଗଟକରେ ରହୁଛନ୍ତି । ସହରରେ ତାଙ୍କ ସାନ ଝିଅ ସାଙ୍ଗେ ଗ୍ୟାମ୍ପୋ (୩୧) ମଧ୍ୟ ରୁହନ୍ତି, ସେ ଜଣେ ଗବେଷିକା ଭାବେ ପିଏଚଡି ଅଧ୍ୟୟନ କରୁଛନ୍ତି । ଏହି ପରିବାର ବୌଦ୍ଧ ଲାମା ସମ୍ପ୍ରଦାୟର ଏବଂ ସେମାନେ ସିକ୍କିମର ସବୁଠୁ ବଡ଼ ଭୂତିଆ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି ।

PHOTO • Jigyasa Mishra
PHOTO • Jigyasa Mishra

ବାମ : ଶେରିଂଙ୍କ ବଗିଚାରେ ବିଭିନ୍ନ କିସମର ଫୁଲ ଓ ଗଛ ରହିଛି । ଡାହାଣ : ଉଦ୍ୟାନକୃଷିବିତ୍‌ ସାଙ୍ଗେ ଶେରିଂ ତାଙ୍କର ଅଧିକାଂଶ ସମୟ ବଗିଚାରେ ବିତାଇଥାନ୍ତି ।  ‘ମୁଁ ଏହାକୁ ପେସା ଅପେକ୍ଷା ନିଶା ଭାବେ ଅଧିକ ଗ୍ରହଣ କରିଛି’

ଆମେ ଶେରିଂଙ୍କ ଧନୁତୀର ବ୍ୟବହାର କରିବା ସମ୍ପର୍କରେ ଶିଖିବା ଓ ଚେଷ୍ଟା କରିବା ସମୟରେ ସାଙ୍ଗେ ଶେରିଂ ନିଜର ବାଦାମୀ ଏବଂ ହଳଦିଆ ରଙ୍ଗର ଧନୁ ଦେଖାଇ କହିଥିଲେ, ‘‘ବାପା ମୋ ପାଇଁ ଏଇଟିକୁ ତିଆରି କରି ଦେଇଥିଲେ''। "ଏହି ଗୋଟିଏ ଧନୁ ସାହାଯ୍ୟରେ ମୁଁ ତୀରଚାଳନା ଅଭ୍ୟାସ କରିଥିଲି।’’ ଧନୁ ବ୍ୟବହାର କରିବାର କୌଶଳ ପ୍ରଦର୍ଶନ କରିବା ଲାଗି ସେ ନିଜର ବାମ ବାହୁକୁ ପ୍ରସାରିତ କରିଥିଲେ।

ତୀରଚାଳନା ସିକ୍କିମର ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ ଏବଂ ରାଜ୍ୟରେ ଏହା କେବଳ ଏକ କ୍ରୀଡ଼ା ନୁହେଁ ବରଂ ଏକ ସଂସ୍କୃତି ମଧ୍ୟ। ସାଧାରଣତଃ ଫସଲ ଅମଳ ପରେ ଲୋକମାନଙ୍କର ସବୁ କାମ ସରି ଯାଇଥାଏ। ଏହି ସମୟରେ ଆୟୋଜିତ ହେଉଥିବା ପର୍ବପର୍ବାଣୀ ଏବଂ ପ୍ରତିଯୋଗିତାରେ ଲୋକମାନେ ଏକତ୍ରିତ ହୋଇ ତୀରଚାଳନା କରିଥାନ୍ତି । ସିକ୍କିମ ଭାରତରେ ମିଶିବା ପୂର୍ବରୁ ତୀରଚାଳନା ଏଠାକାର ଜାତୀୟ କ୍ରୀଡ଼ା ମାନ୍ୟତା ଲାଭ କରିଥିଲା।

ବିଶିଷ୍ଟ ତୀରନ୍ଦାଜ ତରୁଣଦୀପ ରାୟଙ୍କ ଘର ସିକ୍କିମରେ । ସେ ଦୁଇ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ ପଦକ ହାସଲ କରିଛନ୍ତି। ଏସୀୟ କ୍ରୀଡ଼ାରେ ମଧ୍ୟ ସେ ଦୁଇଟି ପଦକ ଜିତିଛନ୍ତି । ବୋଧହୁଏ ଏକମାତ୍ର ତୀରନ୍ଦାଜ ଭାବେ ସେ ତିନି ଥର – ଏଥେନ୍ସ ୨୦୦୪, ଲଣ୍ଡନ ୨୦୧୨ ଏବଂ ଟୋକିଓ ୨୦୨୧ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ପଦ୍ମଶ୍ରୀ ବିଜେତାଙ୍କ ସମ୍ମାନରେ ଗତବର୍ଷ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗ-ଗୋଲେ ରାଜ୍ୟରେ ତରୁଣଦୀପ ରାୟ ତୀରଚାଳନା ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ।

ଗାଙ୍ଗଟକ ରାଜପ୍ରାସାଦ ପଡ଼ିଆ ଏବଂ ରାଜ୍ୟର ଅନ୍ୟ ଭାଗରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ପ୍ରତିବର୍ଷ ପଶ୍ଚିମବଙ୍ଗ, ନେପାଳ ଓ ଭୂଟାନର ତୀରଚାଳନା ଦଳଗୁଡ଼ିକ ନିୟମିତ ଭାବେ ସିକ୍କିମକୁ ଆସିଥାନ୍ତି । ରୋଚକ କଥା ହେଉଛି, ଅନ୍ୟ ଆଧୁନିକ କ୍ରୀଡ଼ା ଅପେକ୍ଷା ‘ବେୟାରବୋ ଆର୍କେରୀ’ ଭଳି ପାରମ୍ପରିକ କ୍ରୀଡ଼ା ସିକ୍କିମବାସୀଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ । ଏଥିରେ ଧନୁ ଏକ ଜଟିଳ ବୈଷୟିକ ଉପକରଣ ହୋଇପାରେ।

PHOTO • Jigyasa Mishra
PHOTO • Jigyasa Mishra

ବାପା ତିଆରି କରିଥିବା ଏକ ଧନୁ ସହ ସାଙ୍ଗେ ଶେରିଂ (ବାମ), ଏବଂ (ଡାହାଣ) ତୀର ଚାଳନା କରିବା ଲାଗି ବାହୁ ପ୍ରସାରିତ କରିବାର କୌଶଳ ପ୍ରଦର୍ଶନ କରୁଛନ୍ତି

ଆଶ୍ଚର୍ଯ୍ୟର କଥା, ଭୂତିଆ ପରିବାରଠାରୁ ଆମେ ଜାଣିବାକୁ ପାଇଲୁ ଯେ ପାରମ୍ପରିକ ଧନୁ କିଣିବା ଲାଗି କୌଣସି ନିର୍ଦ୍ଦିଷ୍ଟ ଦୋକାନ ନାହିଁ । କିଛି ସ୍ଥାନୀୟ ଦୋକାନରୁ ତୀର କିଣାଯାଇପାରିବ କିନ୍ତୁ ଧନୁ ମିଳିବ ନାହିଁ। ‘‘କ୍ରେତାମାନେ ଆମ ସମ୍ପର୍କରେ ସ୍ଥାନୀୟ ବଜାର କିମ୍ବା ତୀରନ୍ଦାଜମାନଙ୍କଠାରୁ ଆମ ସମ୍ପର୍କରେ ସୂଚନା ପାଇବା ପରେ ଆମକୁ ଘରେ ଦେଖା କରିଥାନ୍ତି । ଏହା ଏକ ବଡ଼ ଜାଗା ନୁହେଁ, ତେଣୁ ଆମ ଘର ଖୋଜିବା ଲାଗି କାହାରିକୁ ସଂଘର୍ଷ କରିବାକୁ ପଡ଼ିବ ନାହିଁ । ଏଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି’’, ୮୦ ବୟସ ଟପି ସାରିଥିବା ଶେରିଂ କହିଥାନ୍ତି।

ସିକ୍କିମର ବିଭିନ୍ନ ଅଞ୍ଚଳ, ପଡ଼ୋଶୀ ରାଜ୍ୟ ଏବଂ ଏପରିକି ଭୂଟାନରୁ ଧନୁ କ୍ରେତାମାନେ ଆସିଥାନ୍ତି। ନେପାଳୀ ଭାଷାରେ ଶେରିଂ କୁହନ୍ତି, ‘‘ସେମାନେ ଗାଙ୍ଗଟକ ଓ କାର୍ଥୋକ୍‌ ଦେଇ କିମ୍ବା ସେଠାରୁ ଆସିଥାନ୍ତି’’। ଏହି ପରିବାର ରାଜ୍ୟର ଅନ୍ୟମାନଙ୍କ ଭଳି ନେପାଳୀ ଭାଷାରେ ହିଁ କଥା ହୋଇଥାନ୍ତି ।

ଧନୁ କିପରି ତିଆରି ହୁଏ ଏବଂ ଶେରିଂ ଏହାକୁ କେବେ ତିଆରି କରିବା ଶିଖିଲେ ଓ ତିଆରି କରିବା ଆରମ୍ଭ କଲେ ସେ ସମ୍ପର୍କରେ ଆମେ ଜାଣିବାକୁ ଚାହିଁଥିଲୁ। ଆମ କଥା ଶୁଣି ଶେରିଂ ଚୁପଚାପ କିଛି ଖୋଜିବା ଲାଗି ଘର ଭିତରକୁ ଚାଲିଯାଇଥିଲେ। ପ୍ରାୟ ତିନି ମିନିଟ ପରେ ସେ ହସି ହସି ବାହାରକୁ ଆସିଲେ, ତାଙ୍କ ମନରେ ବେଶ ଉତ୍ସାହ ଥିଲା। ବହୁ ଦଶନ୍ଧି ପୂର୍ବରୁ ସେ ତିଆରି କରିଥିବା ଧନୁ ଓ ତୀର ତାଙ୍କ ହାତରେ ଥିଲା। ସେଗୁଡ଼ିକୁ ତିଆରି କରିବା ଲାଗି ବ୍ୟବହୃତ ଉପକରଣ ମଧ୍ୟ ସେ ଦେଖାଇଥିଲେ ।

ହସି ହସି ସେ ଆମକୁ କହିଥିଲେ, ‘’୪୦ କିମ୍ବା ଆହୁରି କିଛି ବର୍ଷ ପୂର୍ବରୁ ମୁଁ ଏସବୁ ତିଆରି କରିଥିଲି । ଏଥିମଧ୍ୟରୁ କେତେକ ଅତି ପୁରୁଣା। ମୋ ଠାରୁ ଅଳ୍ପ କିଛି ବର୍ଷ କମ୍‌। ଏସବୁକୁ ତିଆରି କରିବା ଲାଗି ମୁଁ କେବେବି କୌଣସି ବିଦ୍ୟୁତ ଉପକରଣ କିମ୍ବା ଯନ୍ତ୍ର ବ୍ୟବହାର କରି ନାହିଁ । ସବୁକିଛି କେବଳ ହାତରେ ତିଆରି ହୋଇଛି ।’’

ସାଙ୍ଗେ ଶେରିଂ କୁହନ୍ତି, "ଆମେ ବର୍ତ୍ତମାନ ବ୍ୟବହାର କରୁଥିବା ତୀରଗୁଡ଼ିକ ପରିବର୍ତ୍ତିତ ସଂସ୍କରଣ ଅଟେ''। ‘‘ମୋର ମନେ ଅଛି, ପିଲାଦିନେ ମୁଁ ଦେଖିଥିବା ତୀରଗୁଡ଼ିକର ଲାଞ୍ଜ ଭିନ୍ନ ଥିଲା। ସେତେବେଳେ ଲାଞ୍ଜରେ ବତକର ଏକ ପର ଲାଗୁଥିଲା। ବର୍ତ୍ତମାନର ଆଧୁନିକ ସଂସ୍କରଣଗୁଡ଼ିକ ଭୂଟାନରୁ ଆସିଛି।’’ ସାଙ୍ଗେ ମୋତେ ତୀର ଧରାଇ ଦେଇ ଆଧୁନିକ ଯନ୍ତ୍ରରେ ନିର୍ମିତ ଏକ ଧନୁ ଆଣିବା ଲାଗି ଘର ଭିତରକୁ ଚାଲି ଯାଇଥିଲେ ।

PHOTO • Jigyasa Mishra
PHOTO • Jigyasa Mishra

ବାମ: ୪୦ ବର୍ଷରୁ ଅଧିକ ସମୟ ପୂର୍ବରୁ ଶେରିଂ ତିଆରି କରିଥିବା ତୀର । ଡାହାଣ : ନିଜର ହାତ ତିଆରି ଧନୁ ଓ ତୀର ପାଇଁ ସେ ବ୍ୟବହାର କରୁଥିବା ଉପକରଣ

ସାଙ୍ଗେ କୁହନ୍ତି, ‘‘ଅଧିକ ଫାଇଲିଂ ଓ ପଲିସ୍ ନକରି ଆମେ ସାଧାରଣ ଭାବେ ତିଆରି ଧନୁ ବିକ୍ରି କରିଥାଉ। ଯେଉଁମାନେ ହାଲୁକା ଓ ଶସ୍ତା ସଂସ୍କରଣ ପାଇଁ ଆମ ପାଖକୁ ଆସିଥାନ୍ତି ସେମାନେ ୪୦୦ ଟଙ୍କା ଦେଇ ଆମଠାରୁ ଧନୁ କିଣି ନେଇଥାନ୍ତି। ଏପରି ଶସ୍ତା ଧନୁ ତିଆରି କରିବା ଲାଗି ଆମେ ବାଉଁଶର ଉପରିସ୍ଥ ଭାଗ  ବ୍ୟବହାର କରିଥାଉ, ଯାହାକୁ ଆମେ ଅନ୍ୟ କ୍ଷେତ୍ରରେ ବ୍ୟବହାର କରିନଥାଉ କାରଣ ଏହାର ଦୃଢ଼ତା କମ୍‌ ଥାଏ। କିନ୍ତୁ ଚିକ୍କଣ, ତିନି ପରସ୍ତ ବିଶିଷ୍ଟ ଓ ସମ୍ପୂର୍ଣ୍ଣ ଭାବେ ପଲିସ୍‌ ହୋଇଥିବା ଧନୁ ଆମେ ୬୦୦ରୁ ୭୦୦ ଟଙ୍କାରେ ବିକ୍ରି କରୁ । ଏହାକୁ ତିଆରି କରିବା ଲାଗି ଆମେ ବାଉଁଶର ନିମ୍ନ ଏବଂ ଦୃଢ଼ ଭାଗ ବ୍ୟବହାର କରିଥାଉ।’’

ହସି ହସି ସାଙ୍ଗେ କୁହନ୍ତି, ‘‘ଗୋଟିଏ ଚିକ୍କଣ ଧନୁ ତିଆରି କରିବା ଲାଗି ୧୫୦ ଟଙ୍କାର ବାଉଁଶ, ରଶି କିମ୍ବା ତାର ପାଇଁ ୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ, ହେଲେ ପଲିସ୍‌ର ମୂଲ୍ୟ ଆକଳନ କରିବା କଷ୍ଟକର।’’

ତାହା କାହିଁକି?

ସାଙ୍ଗେ କୁହନ୍ତି, ‘‘ଆମେ ଘରେ ପଲିସ୍ ତିଆରି କରିଥାଉ। ଅଧିକାଂଶ ସମୟରେ ଦାଶାଇଁ (ଦଶହରା ପର୍ବ) ସମୟରେ ଚମଡ଼ା (ଛେଳି ଚମଡ଼ା) କିଣିଥାଉ ଏବଂ ପଲିସ୍ କରିବା ଲାଗି ସେଥିରୁ ମହମ ବାହାର କରିଥାଉ। ଧନୁ ତିଆରି ସରିଲେ ଏହି ମହମର ଲେପ ସେଥିରେ ଦିଆଯାଇଥାଏ। ଗୋଟିଏ ପରସ୍ତ ଲଗାଇବା ପରେ ଶୁଖିବାକୁ ଛାଡ଼ି ଦିଆଯାଏ। ପରେ ଆଉ ଏକ ପରସ୍ତ ଲେପନ କରାଯାଇଥାଏ। ଏମିତି ଭାବେ ତିନି ପରସ୍ତ ଲେପନ କରାଯାଏ। ସେହି ୧x୧ ଫୁଟ ଛେଳି ଚମଡ଼ାର ଦାମ୍‌ ୧୫୦ ଟଙ୍କା”। ସେମାନେ ଯେପରି ଭାବେ ଏହାର ବ୍ୟବହାର କରିଥାନ୍ତି ସେଥିରୁ ପଲିସିଂ ପ୍ରକ୍ରିୟାର ସଠିକ୍‌ ଦାମ୍‌ ଅନୁମାନ କରିବା କଷ୍ଟକର ହୋଇଯାଏ।

‘‘ହଁ, ଆଉ ସବୁଠୁ ମୁଖ୍ୟ ଉପକରଣ ହେଉଛି, ଧନୁର ମେରୁଦଣ୍ଡ । ଏଥିପାଇଁ ୩୦୦ ଟଙ୍କାର ଖଣ୍ଡେ ବାଉଁଶ  ଦେଖି କିଣିବାକୁ ହୋଇଥାଏ। ଆମେ ଗୋଟିଏ ବଡ଼ ବାଉଁଶରେ ଅତି ସହଜରେ ପାଞ୍ଚଟି ଧନୁ ତିଆରି କରିପାରିବା।’’

PHOTO • Jigyasa Mishra
PHOTO • Jigyasa Mishra

ବାମ : ଶେରିଂ ହାତରେ ପାରମ୍ପରିକ ଧନୁର ଏକ ବିଡ଼ା ଧରିଛନ୍ତି, ଅନ୍ୟପଟେ ତାଙ୍କ ପୁଅ ହାତରେ ଆଧୁନିକ ପ୍ରକାରର ଧନୁ ରହିଛି । ଡାହାଣ : କାଠ ପଲିସରେ ରଙ୍ଗ ହୋଇଥିବା ଧନୁ ଏବଂ ଛେଳି ଚମଡ଼ାରୁ ବାହାରିଥିବା ମହମର ପ୍ରଲେପ ଦିଆଯାଇଥିବା ଧନୁ ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶନ କରୁଛନ୍ତି ସାଙ୍ଗେ

ସାଙ୍ଗେ କିଛି ସମୟ ପାଇଁ ଘର ଭିତରକୁ ଗଲେ ଏବଂ ଏକ ବଡ଼ ତୀରନ୍ଦାଜ କିଟ୍‌ବ୍ୟାଗ୍‌ ସହିତ ବାହାରକୁ ଆସିଥିଲେ। ସେଥିରେ ଏକ ବଡ଼ ଏବଂ ଓଜନିଆ ଧନୁ ରହିଥିଲା, ଯାହାକୁ ଦେଖାଇ ସେ କହିଥିଲେ, ‘‘ଏହା ନୂଆ ଡିଜାଇନ୍‌ର ଧନୁ ମଧ୍ୟରୁ ଗୋଟିଏ। କିନ୍ତୁ ଆମର ସ୍ଥାନୀୟ ପ୍ରତିଯୋଗିତାରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିନଥାଏ। ଆପଣ ଏଥିରେ ଅଭ୍ୟାସ କରିପାରିବେ, କିନ୍ତୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ପାରମ୍ପରିକ ହସ୍ତନିର୍ମିତ ଧନୁ ଥିବା ବାଧ୍ୟତାମୂଳକ। ବାପା ତିଆରି କରିଥିବା ଧନୁ ସାହାଯ୍ୟରେ ମୁଁ ଓ ମୋ ଭାଇ ମଧ୍ୟ ଏସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାଉ। ଏଥର ମୋ ଭାଇ ଦିଲ୍ଲୀରୁ ଏକ ଅଲଗା ପ୍ରକାରର କାଠ ପଲିସ୍‌ ଆଣିଥିଲା ଏବଂ ସେଥିରେ ନିଜ ଧନୁ ରଙ୍ଗାଇଥିଲା। ମୁଁ କିନ୍ତୁ ବହୁ ଦିନ ଧରି ବାପା ବ୍ୟବହାର କରି ଆସୁଥିବା ପାରମ୍ପରିକ ରଙ୍ଗରେ ମୋ ଧନୁ ପଲିସ୍‌ କରିଥିଲି।’’

କିଛି ବର୍ଷ ହେବ ଧନୁ ବିକ୍ରି କମିଯାଇଥିବା ଦୁଃଖର ସହିତ ଭୂତିଆମାନେ କହିଥାନ୍ତି। ସେମାନଙ୍କର ଉତ୍ପାଦ ମୁଖ୍ୟତଃ ଲୋସୋଙ୍ଗ ବୌଦ୍ଧ ପର୍ବ ସମୟରେ ବିକ୍ରି ହୁଏ, ଯାହାକି ସିକ୍କିମର ଭୂତିଆ ଜନଜାତିମାନଙ୍କ ପାଇଁ ନୂଆବର୍ଷ ଭାବେ ପାଳନ କରାଯାଇଥାଏ। ଡିସେମ୍ବର ମାସ ସାରା ପାଳନ କରାଯାଉଥିବା ଏହି ଫସଲ ଅମଳ ପରବର୍ତ୍ତୀ ପର୍ବ ସମୟରେ ତୀରଚାଳନା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ‘‘ଏହି ସମୟରେ ଅଧିକାଂଶ ଲୋକ ବୌଦ୍ଧ ମଠକୁ ଆସିଥାନ୍ତି ଓ ଆମ ଠାରୁ ଧନୁ କିଣିଥାନ୍ତି। ଗତ କିଛି ବର୍ଷ ହେବ, ବର୍ଷକୁ ଆମେ ଚାରି କିମ୍ବା ପାଞ୍ଚଟି ଧନୁ ବିକ୍ରି କରୁଛୁ। ବର୍ତ୍ତମାନ ବଜାରରେ ନକଲି ଧନୁ ଦେଖିବାକୁ ମିଳୁଛି, ଯାହା ବୋଧହୁଏ ଏକ ଜାପାନୀ ଉତ୍ପାଦ। ପୂର୍ବରୁ, ଛଅ କିମ୍ବା ସାତ ବର୍ଷ ପୂର୍ବରୁ, ମୁଁ ବାର୍ଷିକ ୧୦ଟି ଧନୁ ବିକ୍ରି କରୁଥିଲି’’, ଶେରିଂ ଦୋର୍ଜି ପରୀକୁ କହିଥିଲେ।

କିନ୍ତୁ ବର୍ଷକୁ ୧୦ଟି ଧନୁ ବିକ୍ରିରୁ କିଛି ବିଶେଷ ରୋଜଗାର ହୋଇନଥାଏ। ବଢ଼େଇ କାମ, ଫର୍ଣ୍ଣିଚର ତିଆରି ଓ ମରାମତି ଏବଂ ଅନ୍ୟ ଛୋଟମୋଟ କାଠ ସାମଗ୍ରୀ ତିଆରି କରି ସେ ପରିବାର ପ୍ରତିପୋଷଣ କରିଥାନ୍ତି । ଶେଷ ଥର ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସେ ଏହି ପେସାରେ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ଥିଲେ ବୋଲି ଶେରିଂ ଦୋର୍ଜି କୁହନ୍ତି । ସେତେବେଳେ ସେ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଏବଂ ମାସିକ ପ୍ରାୟ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ। ବଢ଼େଇ କାମ ନୁହେଁ ବରଂ ଧନୁ ହିଁ ତାଙ୍କୁ ଅଧିକ ଆକର୍ଷିତ କରିଥାଏ।

PHOTO • Jigyasa Mishra
PHOTO • Tashi Dorma Sherpa

ଭୂତିଆ କୁହନ୍ତି, ଧନୁ ବିକ୍ରି କିଛି ବର୍ଷ ହେବ କମିଯାଇଛି । ଶେରିଂଙ୍କର ଦୃଷ୍ଟିଶକ୍ତି କମି ଯାଇଥିବାରୁ ସେ ଆଉ ଅଧିକ ଧନୁ ତିଆରି କରିପାରୁନାହାନ୍ତି

ଭୂତିଆମାନେ ଏକ ସ୍ୱତନ୍ତ୍ର ପ୍ରକାରର କାଠରେ ଧନୁ ତିଆରି କରିଥାନ୍ତି, ଯାହାକୁ ସାଧାରଣତଃ ଭୂଟାନୀ ବାଉଁଶ କୁହାଯାଏ। ସାଙ୍ଗେ କୁହନ୍ତି, ‘‘ବାପା ତିଆରି କରୁଥିବା ସବୁ ଧନୁ ଭୂଟାନୀ ବାଉଁଶରେ ନିର୍ମିତ ହୋଇଥାଏ ଯାହାକି ପୂର୍ବରୁ ଭାରତରେ ମିଳୁନଥିଲା’’। ‘‘ଏଠାରୁ ୭୦ କିଲୋମିଟର ଦୂର ପଶ୍ଚିମବଙ୍ଗର କାଲିମପୋଙ୍ଗର ଚାଷୀମାନେ ଏବେ ଏହି କିସମର ବାଉଁଶ ଚାଷ କରୁଛନ୍ତି। ଆମେ ସେମାନଙ୍କଠାରୁ ବାଉଁଶ ଆଣିଥାଉ। ମୁଁ ନିଜେ ସେଠାକୁ ଯାଇଥାଏ ଏବଂ ଥରକେ ଦୁଇ ବର୍ଷ ପାଇଁ ବାଉଁଶ ସାମଗ୍ରୀ ଆଣି ଆସିଥାଏ। କାର୍ଥୋକର ଆମ ଘରେ ଆମେ ତାହାକୁ ସଂରକ୍ଷିତ କରି ରଖିଥାଉ’’।

ଶେରିଂ କୁହନ୍ତି, ‘‘ପ୍ରଥମେ ଆପଣଙ୍କୁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି। ଜଣେ ଗୁରୁଙ୍କ ବିନା କେହି କେବେ କିଛି ଶିଖିପାରିବେ ନାହିଁ।’’ ‘‘ଆରମ୍ଭରୁ ମୁଁ ଜଣେ ବଢ଼େଇ ଥିଲି। କିନ୍ତୁ ପରେ ମୁଁ ମୋ ବାପାଙ୍କ ଠାରୁ ଧନୁ ତିଆରି କରିବା ଶିଖିଲି। ମୋ ସାଙ୍ଗମାନେ ଖେଳୁଥିବା ଡିଜାଇନର ଧନୁ ଦେଖିଲି ଏବଂ କିଛି ତିଆରି କରିବା ପାଇଁ ଚେଷ୍ଟା କଲି । ଧୀରେ ଧୀରେ ଏହା ଭଲ ହେଲା। ଯେତେବେଳେ କେହି ମୋ ଠାରୁ କିଛି ଧନୁ କିଣିବା ଲାଗି ଆସନ୍ତି, ମୁଁ ସେମାନଙ୍କୁ ପ୍ରଥମେ ସେଗୁଡ଼ିକୁ କିଭଳି ବ୍ୟବହାର କରିବାକୁ ହେବ ଶିଖାଇ ଦେଇଥାଏ!’’

ଏହି ୮୩ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଧନୁ ତିଆରି କରିବାର ନିଜ ପ୍ରାରମ୍ଭିକ ଦିନଗୁଡ଼ିକର ସ୍ମୃତିକୁ ମନେ ପକାଇଥାନ୍ତି । ‘‘ଏବେ ଏଥିରୁ ମୋର ଆୟ ଅତି ନଗଣ୍ୟ। କିନ୍ତୁ ୧୦ ବର୍ଷ ପୂର୍ବରୁ ଭଲ ଥିଲା। ମୋ ଘର, ଏହି ଘର, ପ୍ରାୟ ଏକ ଦଶନ୍ଧି ହେବ ମୋ ପିଲାମାନେ ଚଳାଉଛନ୍ତି । ଏବେ ମୁଁ ଯେଉଁ ଧନୁ ତିଆରି କରୁଛି ତାହା ରୋଜଗାର ନୁହେଁ ବରଂ ପ୍ରେମର ଶ୍ରମ।’’

ସାଙ୍ଗେ ଶେରିଂ କହିଥିଲେ, ‘‘ବାପା ଏବେ ଆଉ ଅଧିକ ଧନୁ ତିଆରି କରୁନାହାନ୍ତି – ତାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଇଛି। କିନ୍ତୁ ସେ କିଛି କିଛି ତିଆରି କରୁଛନ୍ତି।’’

‘‘ଏହି ହସ୍ତକଳାକୁ ଆଗକୁ କିଏ ଆଗେଇ ନେବ ସେ ସମ୍ପର୍କରେ ଆମେ କିଛି କହିପାରିବୁ ନାହିଁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

जिज्ञासा मिश्रा, उत्तर प्रदेश के चित्रकूट ज़िले की एक स्वतंत्र पत्रकार हैं.

की अन्य स्टोरी Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE