ହୁଏତ ଏହି ସମୟରେ, ଶାମସୁଦ୍ଦିନ ମୁଲ୍ଲା କ୍ଷେତରେ ଥାଆନ୍ତେ - ଇଞ୍ଜିନ୍ ଓ ପମ୍ପ ମରାମତି କରୁଥାଆନ୍ତେ ।
ମାର୍ଚ୍ଚ ୨୬ ତାରିଖ ଦିନ, ଲକ୍ଡାଉନ୍ର ଦ୍ୱିତୀୟ ଦିନରେ, ସେତେବେଳେ ସେ ଘରୁ ବାହାରିଥିଲେ, ଯେତେବେଳେ ସୁଲକୁଦ୍ ଗାଁର (କୋହ୍ଲାପୁର ଜିଲ୍ଲାର କାଗଲ ତାଲୁକାରେ ଅବସ୍ଥିତ) ଜଣେ ନିରାଶ ଚାଷୀ ବାଇକ୍ରେ ତାଙ୍କ ଘରକୁ ଆସିଥିଲେ । “ସେ ମୋତେ ତାଙ୍କ କ୍ଷେତକୁ ନେଇଗଲେ ଏବଂ ସେଠାରେ ମୁଁ ତାଙ୍କ ଡିଜେଲ ଇଞ୍ଜିନ୍ ଲାଗିଥିବା ପାଣି ପମ୍ପ୍ ସେଟ୍ ମରାମତି କଲି ।” ଶାମସୁଦ୍ଦିନ ଏହା କରି ନଥିଲେ, ସେହି ଚାଷୀଙ୍କ ପକ୍ଷରେ ତାଙ୍କ ଆଖୁ କିଆରିକୁ ପାଣି ମଡ଼ାଇବା କଷ୍ଟକର ହୋଇ ପଡ଼ିଥାଆନ୍ତା ।
ମାତ୍ର ୧୦ ବର୍ଷ ବୟସରୁ କାମ ଆରମ୍ଭ କରି ୭୪ ବର୍ଷ ଧରି ଇଞ୍ଜିନ ମରାମତି କରିଆସୁଥିବା ଏହି ୮୪ ବର୍ଷୀୟ ପ୍ରବୀଣ ମେକାନିକ୍ଙ୍କ ପାଇଁ କାମରୁ ବିରତି ନେବାରେ ଏହା ଥିଲା କେବଳ ଦ୍ୱିତୀୟ ଥର । ପ୍ରଥମ ଥର ଥିଲା ୨୦୧୯ ଜାନୁଆରୀ ମାସ ପାଖାପାଖି ସମୟରେ, ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହେବା ପରେ ।
ସାତଟି ଦଶନ୍ଧି ମଧ୍ୟରେ ଶାମସୁଦ୍ଦିନ ୫,୦୦୦ରୁ ଅଧିକ ଇଞ୍ଜିନ ମରାମତି କରିଛନ୍ତି - ବୋର୍ୱେଲ ପମ୍ପ୍, ମିନି ଏକ୍ସକାଭେଟର (କ୍ଷୁଦ୍ର ମାଟିଖୋଳା ଯନ୍ତ୍ର), ପାଣି ପମ୍ପ୍, ଡିଜେଲ ଇଞ୍ଜିନ ଏବଂ ଆହୁରି ଅନେକ - ଏବଂ ତାଙ୍କର ଏହି କର୍ମକୁଶଳତାକୁ ଏକ କଳା ସ୍ତରରେ ପହଞ୍ଚାଇ ପାରିଛନ୍ତି । ବିଗିଡ଼ି ଯାଇଥିବା ଯନ୍ତ୍ରପାତି ସହ ଯୁଝୁଥିବା ଚାଷୀମାନଙ୍କ ପାଇଁ ଦୀର୍ଘ କାଳ ହେଲା ଏକ ବିପତ୍ତିକାଳୀନ ଉଦ୍ଧାର କେନ୍ଦ୍ର ସଦୃଶ ହୋଇଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲା ଅନ୍ତର୍ଗତ ଚିକୋଡ଼ି ତାଲୁକାର ବାରୱାଡ଼ ଗାଁରେ ଥିବା ତାଙ୍କ ଘର । ତାଙ୍କ ଆକଳନ ଅନୁସାରେ, ସାଧାରଣତଃ ଗୋଟିଏ ବର୍ଷର ଭଲ ରୋଜଗାର ସମୟରେ- ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ- ହୁଏତ ସେ ବିଭିନ୍ନ ପ୍ରକାରର ୩୦ଟି ଇଞ୍ଜିନ ମରାମତି କରିଥାଆନ୍ତେ ଏବଂ ପ୍ରତି ମେସିନ୍ ପିଛା ଅତି କମ୍ରେ ୫୦୦ ଟଙ୍କା ହିସାବରେ ରୋଜଗାର କରିଥାଆନ୍ତେ । ରୋଜଗାରର ସେହି ସମୟକୁ ବରବାଦ କରିଦେଇଛି ଲକ୍ଡାଉନ୍ ।
ଫେବ୍ରୁଆରୀରେ ଏବଂ ମାର୍ଚ୍ଚ ପ୍ରଥମ ଭାଗରେ ଆଠଟି ଇଞ୍ଜିନ ମରାମତି କରି ସେ ପାଇଥିବା ପ୍ରାୟ ୫,୦୦୦ ଟଙ୍କା ଏବଂ ମାଗଣା ଖାଉଟି ସାମଗ୍ରୀ ମିଳିବା ସଂପର୍କିତ ସରକାରଙ୍କ ଘୋଷଣା ଅନୁସାରେ ଜଣ ପିଛା ପାଞ୍ଚ କିଲୋଗ୍ରାମ ଖାଦ୍ୟଶସ୍ୟ ଉପରେ ନିର୍ଭର କରି ଏବେ ତାଙ୍କ ପରିବାର ଚଳୁଛି ।
ନିକଟରେ ସୁଲକୁଦ ଗାଁର ଜଣେ ଚାଷୀ ବାଇକ୍ରେ ତାଙ୍କ ଘରକୁ ଆସିବା ପରେ, ଆଉ ତିନି ଜଣ ଚାଷୀ ମଧ୍ୟ ଖରାପ ହୋଇଯାଇଥିବା ସେମାନଙ୍କ ଇଞ୍ଜିନ୍ଗୁଡ଼ିକୁ ନେଇ ଶାମସୁଦ୍ଦିନଙ୍କ ପାଖକୁ ଆସିଥିଲେ । କିନ୍ତୁ ସମସ୍ୟାର ସମାଧାନ ବିନା ସେମାନଙ୍କୁ ଫେରିଯିବାକୁ ପଡ଼ିଥିଲା । ଫୋନ୍ରେ ମୋତେ ସେ କହିଲେ, “ମୋ ପାଖରେ ଦରକାରୀ ଜିନିଷପତ୍ର ନାହିଁ ଏବଂ କୋହ୍ଲାପୁର ସହରର ସବୁ ଦୋକାନ ଏବେ ବନ୍ଦ ହୋଇ ରହିଛି ।”
ଦୁଇ ମାସ ତଳେ, ୭୦ରୁ ଅଧିକ ବୟସର ତାଙ୍କ ସ୍ତ୍ରୀ ଗୁଲଶନ ଏବଂ ୫୦ରୁ ଅଧିକ ବର୍ଷର ପୁଅ ଇଶାକ୍ ସହ ମିଶି ସେ ତାଙ୍କର ଦୁଇ ଏକର ଜମିରେ ଆଖୁ ଚାଷ କରିଥିଲେ । କିନ୍ତୁ ସ୍ୱାଭାବିକ ସମୟରେ ମଧ୍ୟ ଅଡୁଆ ସମୟରେ (ବେଳେବେଳେ ଭୋର୍ ୨ଟାରେ) ଚାଷ ପାଇଁ ପାଣି ଛଡ଼ାଯାଏ ଏବଂ ପାଣି ଯୋଗାଣରେ ଅନିଶ୍ଚିତତା ଲାଗି ରହିଥାଏ । ଏବଂ ଘର ପାଖରେ ହୋଇଥିଲେ ମଧ୍ୟ ପୋଲିସ୍ ମାଡ଼ ମାରିବା ଭୟରେ ସେ ତାଙ୍କ କ୍ଷେତକୁ ଯିବା ନେଇ ବି ସବୁବେଳେ ଚିନ୍ତିତ । ଆଗକୁ ଏହି ଫସଲର ଅବସ୍ଥା କ’ଣ ହେବ, ତାହା ନିହାତି ଅନିଶ୍ଚିତ ।
ଲକ୍ଡାଉନ୍ ପରଠାରୁ ପ୍ରାୟ ୪୦ ଦିନ ହେଲାଣି ଶାମସୁଦ୍ଦିନ ଗୋଟିଏ ହେଲେ ଇଞ୍ଜିନ କି ଅନ୍ୟ କୌଣସି ମେସିନ୍ ମରାମତି କରିନାହାନ୍ତି । ତାଙ୍କ ଆକଳନ ଅନୁସାରେ, ସେ “ଏହି ପାଞ୍ଚ ସପ୍ତାହ ମଧ୍ୟର ଅତି କମ୍ରେ ୧୫,୦୦୦ ଟଙ୍କା” ହରାଇ ସାରିଲେଣି । ଏବଂ “ଆଗରୁ ମୁଁ ଏମିତି (ସର୍ବବ୍ୟାପୀ ମହାମାରୀ ଏବଂ ଲକ୍ଡାଉନ୍) କିଛି ଦେଖି ନଥିଲି ।” ମହାରାଷ୍ଟ୍ର ଅନ୍ତର୍ଗତ ପଡ଼ୋଶୀ ଜିଲ୍ଲା କୋହ୍ଲାପୁରର ଗ୍ରାମାଞ୍ଚଳରେ ପ୍ଲେଗ୍ର ପ୍ରାଦୁର୍ଭାବ କଥା ସେ ମନେ ପକାନ୍ତି- ସେ ସମୟରେ ତାଙ୍କ ବୟସ ମାତ୍ର ଆଠ ବର୍ଷ ଏବଂ ସେତେବେଳେ ତାଙ୍କ ପରିବାର ହାତକଣଙ୍ଗଲ ତାଲୁକାର ପଟ୍ଟାନ କୋଡ଼ୋଲି ଗାଁରେ ରହୁଥିଲେ ।
“ସେଦିନର ସେହି ସମୟରେ ଆମକୁ ଘର ଛାଡ଼ି ପଡ଼ିଆରେ ରହିବାକୁ କୁହାଯାଇଥିଲା । ଆଜି ଆମକୁ ଘରେ ରହିବାକୁ କୁହାଯାଉଛି,” ହସି ହସି ସେ କହନ୍ତି ।
*****
୮୩ ବର୍ଷ ବୟସରେ ବି ଜଣେ ଆଖୁ କଟାଳି ରୂପେ କାମ କରନ୍ତି ବସନ୍ତ ତାମ୍ବେ । କୋହ୍ଲାପୁରର ହାତକଣଙ୍ଗଲ ତାଲୁକା ଅନ୍ତର୍ଗତ ରେନ୍ଦାଲ ଗାଁରେ ତାଙ୍କ ଘର ପାଖରୁ ଦୁଇ କିଲୋମିଟର ବ୍ୟାସାର୍ଦ୍ଧ ପରିସରରେ କାମ କରନ୍ତି । ତେବେ ତାଙ୍କର ମୁଖ୍ୟ ରୋଜଗାର ହୁଏ ସଂପୂର୍ଣ୍ଣ ଭିନ୍ନ ଏକ ବୃତ୍ତିରୁ । ୨୦୧୯ରେ ରେନ୍ଦାଲର ବୟୋଜ୍ୟେଷ୍ଠ ବୁଣାକାର ଭାବରେ ଅବସର ନେବା ପର୍ଯ୍ୟନ୍ତ ସେ ଥିଲେ ଏ ଅଞ୍ଚଳର ଅନ୍ୟତମ ପ୍ରବୀଣ ହସ୍ତତନ୍ତ ବିଶେଷଜ୍ଞ । ତାଙ୍କ ହିସାବ ଅନୁସାରେ, ଛଅ ଦଶନ୍ଧିରୁ ଅଧିକ ତାଙ୍କ କାର୍ଯ୍ୟକାଳରେ ସେ ୧୦୦,୦୦୦ ମିଟରରୁ ଅଧିକ କପଡ଼ା ବୁଣିଛନ୍ତି ।
ଜଣେ ବୁଣାକାର ହିସାବରେ ତାଙ୍କ ପାରଦର୍ଶିତାର ଅର୍ଥ ନୁହେଁ ଯେ ସେ ଏଇ ସଂଘର୍ଷପୂର୍ଣ୍ଣ ବୃତ୍ତିରୁ ଜୀବନ ନିର୍ବାହ କରିପାରିବେ । ଅନ୍ୟମାନଙ୍କର ଚାଷଜମିରେ ହେଉ କିମ୍ବା ତାଙ୍କ ଦୁଇ ଭାଇଙ୍କ ସହ ମିଳିତ ମାଲିକାନାରେ ଥିବା ଏକ ଏକର କ୍ଷେତରେ ହେଉ, ଗତ ୨୫ ବର୍ଷ ହେଲା ଜଣେ ଆଖୁ କଟାଳି ରୂପରେ ତାଙ୍କୁ ମଧ୍ୟ ଘଣ୍ଟା ଘଣ୍ଟା ବିତାଇବାକୁ ପଡ଼ିଥିଲା । ତାଙ୍କ ନଶ୍ୱର ଅସ୍ତିତ୍ୱକୁ ଦୋହଲାଇ ଦେଇଛି ଲକ୍ଡାଉନ୍ ।
ଅନ୍ୟମାନଙ୍କ ଚାଷଜମିରେ କାମ କରିବା ସଂପର୍କରେ ସେ କହନ୍ତି, “ତିନି ଘଣ୍ଟା ଭିତରେ (ସ୍ୱାଭାବିକ ସମୟରେ) ମୁଁ ୧୦-୧୫ଟି ମୋଲ୍ୟା ( ପ୍ରାୟ ୨୦୦ କିଲୋ ଲେଖାଏଁ ଓଜନର ବିଡ଼ା) କାଟି ଦେଇପାରେ । ଏହି କାମରୁ, ବସନ୍ତଙ୍କୁ ତାଙ୍କ ମଇଁଷି ଓ ରେଡ୍କୁ (ବାଛୁରୀ) ପାଇଁ ପ୍ରାୟ ୧୦୦ ଟଙ୍କା ମୂଲ୍ୟର ପଶୁଖାଦ୍ୟ ମିଳେ, ଯାହାକୁ କି ସେ ତାଙ୍କ ଦିନକର ମଜୁରି ବୋଲି କହନ୍ତି । ଏ ବୟସରେ ବି ସେ ସେଇ ପଶୁଖାଦ୍ୟକୁ ତାଙ୍କ ସାଇକେଲରେ ଘରକୁ ବୋହି ନିଅନ୍ତି । ସ୍ୱାଭାବିକ ସମୟରେ, ପ୍ରତିଦିନ ସେ ଭୋର୍ ୬ଟାରେ ଘରୁ ବାହାରି ଯାଆନ୍ତି ଏବଂ ଅପରାହ୍ଣ ୨ଟା ସୁଦ୍ଧା ଫେରିଆସନ୍ତି ।
ବସନ୍ତ କହନ୍ତି, “ଶେଷ ଥର ପାଇଁ ମୁଁ ମାର୍ଚ୍ଚ ୩୧ ତାରିଖରେ ଆଖୁ କାଟିଥିଲି ।” ଯାହାର ଅର୍ଥ ସେ ୩୨ ଦିନର ଆଖୁକଟା କାମ କିମ୍ବା ୩,୨୦୦ ଟଙ୍କା ମୂଲ୍ୟର ପଶୁଖାଦ୍ୟ ହରାଇଛନ୍ତି । କିନ୍ତୁ ସେହି ତାରିଖର ବହୁ ପୂର୍ବରୁ ବିପର୍ଯ୍ୟୟର ସଂକେତ ଦୃଷ୍ଟିଗୋଚର ହୋଇଥିଲା ।
ସେ ଓ ତାଙ୍କ ଭାଇମାନେ ସେମାନଙ୍କର ଏକ ଏକର ଜମିରେ ଚାଷ କରିଥିବା ଆଖୁର ୬୦ ପ୍ରତିଶତ ଏବଂ ସଂପୂର୍ଣ୍ଣ ଯଅ ଚାଷ ୨୦୧୯ ଅଗଷ୍ଟ ମାସର ବନ୍ୟାରେ ନଷ୍ଟ ହୋଇଗଲା । ତାଙ୍କ ଭାଗର ୦.୩୩ ପ୍ରତିଶତ ଜମିରୁ ସେ ଅମଳ କରିଥିବା ସାତ ଟନ୍ରୁ ସେ ପ୍ରତି ଟନ୍ ପିଛା ୨,୮୭୫ ଟଙ୍କା ହିସାବରେ ପାଇଥିଲେ । (ପୂର୍ବ ବର୍ଷ ସେ ସେହି ଏକରର ତିନି ଭାଗରୁ ଭାଗେ ଜମିରୁ ୨୧ ଟନ୍ ଅମଳ କରିଥିଲେ) । “କୌଣସିମତେ ଆମକୁ ସେହି ସାତ ଟନ୍ ବିକ୍ରି ବାବଦରୁ ମିଳିଥିବା ୨୦,୦୦୦ ଟଙ୍କାରେ (ଏ ବର୍ଷ ମାର୍ଚ୍ଚ ମାସରେ ସେ ଏହି ଟଙ୍କା ପାଇଲେ) ଗୋଟିଏ ବର୍ଷ ଚଳିବାକୁ ହେବ ।”
ମାର୍ଚ୍ଚ ୨୬ ତାରିଖ ଦିନ ସରକାର ଘୋଷଣା କରିଥିବା ପ୍ୟାକେଜ୍ ଅନ୍ତର୍ଗତ ମାଗଣା ଚାଉଳ ବସନ୍ତ ଏବଂ ତାଙ୍କ ୭୬ ବର୍ଷୀୟା ପତ୍ନୀ ବିମଲଙ୍କୁ ଏତେ ଶୀଘ୍ର ମିଳି ନଥିଲା । ସେମାନଙ୍କର ଗୋଟିଏ ରାସନ କାର୍ଡ ଅଛି ଏବଂ ଏପ୍ରିଲ ୨ ତାରିଖ ଦିନ ଏହି ଦମ୍ପତି ୬ କିଲୋ ଗହମ ଓ ୪ କିଲୋ ଚାଉଳ, କିଲୋ ପିଛା ଯଥାକ୍ରମେ ୩ ଟଙ୍କା ଓ ୨ ଟଙ୍କା ଦରରେ ସେମାନଙ୍କର ନିୟମିତ ରାସନ ଦୋକାନରୁ କିଣି ନେଇଥିଲେ । ଏହାର ପ୍ରାୟ ୧୦ ଦିନ ବିତିଯିବା ପରେ ସେମାନଙ୍କୁ ୫ କିଲୋ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ମିଳିଥିଲା ।
ଉଭୟ ସ୍ୱାମୀ ସ୍ତ୍ରୀ ଧନଗର ସଂପ୍ରଦାୟର-ଯାହାକି ମହାରାଷ୍ଟ୍ରରେ ଏକ ଯାଯାବର ଆଦିବାସୀ ରୂପେ ତାଲିକାଭୁକ୍ତ । ଉଭୟଙ୍କୁ ମାସିକ ୧,୦୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ମିଳେ । ଠିକ୍ ସେମିତି ଶାମସୁଦ୍ଦିନ ଏବଂ ଗୁଲଶନଙ୍କୁ ବି ମିଳେ । ବସନ୍ତ ମଧ୍ୟ ବ୍ରିଟିଶ ଶାସନ ଅମଳରେ କୋହ୍ଲାପୁରକୁ ଦୋହଲାଇ ଦେଇଥିବା ପ୍ଲେଗ୍ କଥା ମନେ ପକାନ୍ତି । ସେତେବେଳେ ସେ ଛୋଟପିଲା ଥିଲେ । ସେବେଳର କଥା ମନେ ପକାଇ ସେ କହନ୍ତି, “ସେତେବେଳେ ବହୁ ଲୋକ ପ୍ରାଣ ହରାଇଲେ । ସମସ୍ତେ ଘର ଛାଡ଼ି ଗାଁ ବାହାରକୁ ପଳାଇବା ପାଇଁ କୁହାଯାଇଥିଲା ।”
ବସନ୍ତ ବୁଣାକାର କାମରୁ ଅବସର ନେବାର ପ୍ରାୟ ବର୍ଷକ ପରେ ଲକ୍ଡାଉନ୍ ଆସିଲା । ତାହା ଥିଲା ତାଙ୍କର ପ୍ରାଥମିକ ବୃତ୍ତି ଏବଂ ୬୦ ବର୍ଷ ଧରି କାମ କରି ସେ ଏଥିରେ ପାରଦର୍ଶିତା ହାସଲ କରିଥିଲେ । “ଭାଇ ଝାଲା କି ( ମୁଁ ଏବେ ବୁଢ଼ା ହେବାରେ ଲାଗିଛି) । ବୁଣା କାମ ପାଇଁ ବହୁ ଶାରୀରିକ ପରିଶ୍ରମ ଦରକାର । ଏହା ପ୍ରତିଦିନ ରେନ୍ଦାଲରୁ କୋହ୍ଲାପୁର (୨୭.୫ କିଲୋମିଟର) ଯାଏଁ ଚାଲି ଚାଲି ଯିବା ଭଳି କାମ,” ଏତିକି କହି ସେ ଜୋରରେ ହସନ୍ତି ।
ଏବଂ ତା’ପରେ, ନୈରାଶ୍ୟଭରା କଣ୍ଠରେ କହନ୍ତି: “ମୋର ପୂରା ଜୀବନକାଳରେ, କେବେହେଲେ ବି ଏଭଳି ସଂକଟ ଦେଖି ନାହିଁ ।”
*****
ଖୁବ୍ ଶୀଘ୍ର ୬୦ ବର୍ଷରେ ପାଦ ଦେବାକୁ ଯାଉଥିବା ଦେବୁ ଭୋରେ, ତିନି ଦଶନ୍ଧି ଧରି କର୍ଣ୍ଣାଟକର ବେଲଗାଭି ଜିଲ୍ଲା ଅନ୍ତର୍ଗତ ବୋରାଗାଓଁର ଜଣେ ଦଉଡ଼ି ବୁଣାଳି ଭାବରେ କାର୍ଯ୍ୟରତ । ଆଜିକୁ ପାଞ୍ଚ ପିଢ଼ି ଧରି ଦଉଡ଼ି ବୁଣିବାର କଳାକୁ ଏଠାରେ ଉଜ୍ଜୀବିତ କରି ରଖିଛନ୍ତି ଭୋରେ ପରିବାର । ଲକ୍ଡାଉନ୍ ସମୟରେ ନିଜ ଜୀବନ ବଞ୍ଚାଇବା ଉପରେ ସେମାନେ ଅଧିକ ଧ୍ୟାନ ଦେଉଛନ୍ତି ।
ଏପ୍ରିଲ ୪ ତାରିଖ ଦିନ ଭୋରେଙ୍କ ୩୧ ବର୍ଷୀୟ ପୁଅ ଅମିତ ମୋତେ କହିଲେ, “ଆମ ପାଖରେ ଅଧିକାଂଶ ସାମଗ୍ରୀ (ଦଉଡ଼ି ତିଆରି କରିବାକୁ) ରହିଛି । ଏବେ ଆମେ କେବଳ ଆରମ୍ଭ କରିବା ଦରକାର ।” କୃଷି ଅର୍ଥନୀତିର ଆସନ୍ନ ପତନ ଆଶଙ୍କା କରି ସେ ଉଦ୍ବିଗ୍ନ ହୋଇ ଉଠିଥିଲେ । ସେ କହିଥିଲେ, “ଏପ୍ରିଲ ପ୍ରଥମ ସପ୍ତାହରୁ ଆମକୁ ବେନ୍ଦୁର ପାଇଁ ଦଉଡ଼ି ତିଆରି କରିବାକୁ ପଡ଼ିବ ।” ବେନ୍ଦୁର, ସାଧାରଣତଃ ଜୁନ ଏବଂ ଅଗଷ୍ଟ ମାସ ଭିତରେ ପାଳିତ ହେଉଥିବା ଏକ ଉତ୍ସବ, ଯାହାକି ବଳଦମାନଙ୍କର ଅଭ୍ୟର୍ଥନା ପାଇଁ ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ।
ଅଧିସୂଚିତ ଜାତି ତାଲିକାଭୁକ୍ତ ମତାଙ୍ଗ ସଂପ୍ରଦାୟର ଭୋରେ ପରିବାର ଚାଷୀମାନଙ୍କ ପାଇଁ ଦୁଇ ପ୍ରକାରର ଦଉଡ଼ି ବୁଣନ୍ତି । ଗୋଟିଏ ହେଲା ୧୨ ଫୁଟ୍ ଲମ୍ବା କାସ୍ରା, ଯାହାକି ଲଙ୍ଗଳରେ ବନ୍ଧାଯାଏ । ଅମଳ ପରେ ଶସ୍ୟର ବଡ଼ ବଡ଼ ବିଡ଼ା ବାନ୍ଧିବାରେ ବି ଏହା ବ୍ୟବହୃତ ହୁଏ ଏବଂ ଗ୍ରାମାଞ୍ଚଳର କେତେକ ଘରେ ଶିଶୁମାନଙ୍କର ଝୁଲଣା ଓହଳାଇବା ପାଇଁ ଘର ଭିତର ଛାତରେ ବନ୍ଧା ଯାଏ । ଅନ୍ୟଟି ହେଲା ତିନି ଫୁଟ୍ ଲମ୍ବର ଦଉଡ଼ିଟିଏ, ଯାହାକୁ କାଣ୍ଡା କୁହାଯାଏ ଏବଂ ଏହାକୁ ବଳଦ ବେକରେ ବନ୍ଧାଯାଏ । ସେମାନେ କାସ୍ରା ଦଉଡ଼ି ଗୋଟିକୁ ୧୦୦ ଟଙ୍କାରେ ଏବଂ ହଳେ କାଣ୍ଡା ଦଉଡ଼ିକୁ ୫୦ ଟଙ୍କା ଭଳି କମ୍ ଦାମରେ ବିକନ୍ତି ।
ଅମିତଙ୍କ ଉଦ୍ବେଗ ଅକାରଣ ନଥିଲା । ଆଜିକୁ କେଇ ସପ୍ତାହ ହେଲା କୌଣସି କାମ ନାହିଁ । ଲକ୍ଡାଉନ୍ ପୂର୍ବବର୍ତ୍ତୀ ଦିନରେ ଦେବୁ, ତାଙ୍କ ସ୍ତ୍ରୀ ନନ୍ଦୁବାଇ (୫୦ ପାର ବୟସର) ଏବଂ ଅମିତ ଦିନକୁ ଆଠ ଘଣ୍ଟା କାମ କରି ପ୍ରତ୍ୟେକେ ପ୍ରାୟ ୧୦୦ ଟଙ୍କା ଲେଖାଏଁ ରୋଜଗାର କରିଥାଆନ୍ତି । ସେମାନଙ୍କ ହିସାବରେ, ଲକ୍ଡାଉନ ଯୋଗୁଁ ୩୫୦ରୁ ଅଧିକ ଘଣ୍ଟାର କାମ ବନ୍ଦ କରି, ସେମାନେ ଏହି ସମୟ ଅବସରରେ ଏ ପର୍ଯ୍ୟନ୍ତ ପ୍ରାୟ ୧୩,୦୦୦ ଟଙ୍କା ହରାଇ ସାରିଲେଣି ।
ଏ ବର୍ଷ ଜୁନ୍ ୭ ତାରିଖରେ କର୍ଣ୍ଣାଟକୀ ବେନ୍ଦୁର (କର୍ଣ୍ଣାଟକର ଏକ ଉତ୍ସବ) ପାଳିତ ହେବ । ଦେବୁ, ନନ୍ଦୁବାଇ ଏବଂ ଅମିତ ସଂଘର୍ଷ ଚଳାଇଛନ୍ତି । ସେମାନେ ମିରାଜ୍ ସହରରୁ ଆଣି ବ୍ୟବହାର କରୁଥିବା ଗୁଣ୍ଡ ରଙ୍ଗ ଲକ୍ଡାଉନ୍ ସମୟରେ ମିଳିବ ନାହିଁ । ଏବଂ ଯେଉଁ କୌଶଳରେ ସେମାନେ ଦଉଡ଼ି ବଳନ୍ତି, ସେଥିପାଇଁ ସେମାନଙ୍କ ଘର ବାହାର କଚ୍ଚା ରାସ୍ତା ଉପରେ ହିଁ ସିଧା ଭାବରେ ୧୨୦ ଫୁଟ୍ ଲମ୍ବା ସ୍ଥାନରେ ସରଞ୍ଜାମ ଲଗାଇବା ଦରକାର । ସଂପୂର୍ଣ୍ଣ ପ୍ରକ୍ରିୟା ହାତରେ କରିବାକୁ ହୁଏ ଏବଂ ଏହା ତୁରନ୍ତ ପୋଲିସ ନଜରରେ ପଡ଼ିଯିବ ।
ଯଦିବା କୌଣସି ପ୍ରକାରେ ସେମାନେ ଦଉଡ଼ି ପ୍ରସ୍ତୁତ କରିଦିଅନ୍ତି, ତଥାପି ସମସ୍ୟା ରହିବ । ବେନ୍ଦୁର ସମୟରେ ହିଁ ବହୁତ ଚାଷୀ କାସ୍ରା ଏବଂ କାଣ୍ଡା ଦଉଡ଼ି କିଣିଥାଆନ୍ତି । ସେମାନଙ୍କୁ ଏହା ବିକିବା ପାଇଁ ଦେବୁ ଓ ଅମିତ ଛଅଟି ଅଲଗା ଅଲଗା ଗାଁରେ ବସୁଥିବା ସାପ୍ତାହିକ ହାଟକୁ ଯାଆନ୍ତି । ସେଗୁଡ଼ିକ ହେଲା- କର୍ଣ୍ଣାଟକର ଆକ୍କୋଲ, ଭୋଜ, ଗଲାଟ୍ଗା, କାରାଡ଼ଗା ଏବଂ ସୌନ୍ଦାଲଗା ଏବଂ ମହାରାଷ୍ଟ୍ରର କୁରୁନ୍ଦୱାଡ଼ । ଏହି ବୃହତ୍ ସମାରୋହର କିଛି ଦିନ ପୂର୍ବରୁ, “ଆମେ ଇଚଲକରଞ୍ଜି ସହରରେ ବି ବହୁତ ଦଉଡ଼ି ବିକ୍ରି କରୁ” ବୋଲି ଅମିତ କହନ୍ତି ।
ଏଥର ଜୁନ୍ ୭ ତାରିଖରେ କର୍ଣ୍ଣାଟକୀ ବେନ୍ଦୁର କି ତା ପରବର୍ତ୍ତୀ ସମୟରେ ହେଉଥିବା ଅନ୍ୟ କୌଣସି ଉତ୍ସବ ବାସ୍ତବରେ ଅନୁଷ୍ଠିତ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଏହା ହିଁ ସେମାନଙ୍କୁ ବାଧିଛି । କାରଣ ବେନ୍ଦୁର ଋତୁରେ ହିଁ ହାତତିଆରି ଦଉଡ଼ି ବିକି ସେମାନେ ୧୫,୦୦୦ ଟଙ୍କା ରୋଜଗାର କରନ୍ତି । ତା’ପରେ କେବେ କେମିତି ଯାହା ଦଉଡ଼ି ବିକ୍ରି ହୁଏ ।
ଦେବୁ ଓ ତାଙ୍କର ତିନି ଭାଇଙ୍କ ମିଳିତ ମାଲିକାନାରେ ଥିବା ଗୋଟିଏ ଏକର ଜମିକୁ ସେମାନେ ଜଣେ ଭାଗଚାଷୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ଲିଜ୍ରେ ଦେଇଛନ୍ତି । କିନ୍ତୁ ଏବର୍ଷ ଭାଗଚାଷୀ ଜଣଙ୍କ ସେମାନଙ୍କୁ ଟଙ୍କା ଦେବା ଅବସ୍ଥାରେ ଥିବେ କି ନାହିଁ ବୋଲି ତାଙ୍କ ପରିବାର ସନ୍ଦିହାନ ।
ସେପଟେ, ଏ ବର୍ଷ କୌଣସି ଗୋଟିଏ ହେଲେ ବେନ୍ଦୁର ବାସ୍ତବରେ ପାଳିତ ହେବ ବୋଲି ଭୋରେ ପରିବାର ନିଶ୍ଚିତ ନୁହଁନ୍ତି । ଏବଂ ଲକ୍ଡାଉନ୍ ପୂର୍ବ ମାସରେ ସାମୂହିକ ଭାବେ ସେମାନେ ରୋଜଗାର କରିଥିବା ୯,୦୦୦ ଟଙ୍କାରୁ ହିଁ ସେମାନେ ଚଳୁଛନ୍ତି ଏବଂ ଏହା କ୍ଷୀପ୍ର ଗତିରେ ହ୍ରାସ ପାଇବାରେ ଲାଗିଛି ।
ଅମିତ କହନ୍ତି, “ଆମର ଡେରି ହୋଇଗଲାଣି, ଆଉ ଯଦି ଲକ୍ଡାଉନ୍ ଆଗକୁ ଆହୁରି ବଢ଼େ, ତେବେ ଆମେ କିଛି ହେଲେ ରୋଜଗାର କରିବୁନି ।”
ଅନୁବାଦ: ଓଡ଼ିଶାଲାଇଭ୍