ନଭେମ୍ବର ପାଖାପାଖି, ତିନି ଦିନ ଧରି ରଙ୍ଗୀନ ଆଲୋକ ଓ ମାଟି ତିଆରି ଦୀପରେ ଝଲସି ଉଠେ ମାଜୁଲି ଦ୍ୱୀପର ଗରାମୁର ବଜାର। ଶୀତ ସନ୍ଧ୍ୟାର ଆଗମନ ସହିତ ଏଣେତେଣେ ଲାଗିଥିବା ଅସୁମାରି ଡାକବାଜି ଯନ୍ତ୍ରରୁ ଝଙ୍କୃତ ହୋଇଉଠେ ଖୋଳ ଓ ଝାଞ୍ଜ ବାଜଣାର ଧ୍ୱନି।
ଆରମ୍ଭ ହୋଇଯାଇଛି ରାସ ମହୋତ୍ସବ।
ସାଧାରଣତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ, ଆସାମରେ ପ୍ରଚଳିତ କଟି-ଆଘନ ମାସର ପୂର୍ଣ୍ଣିମା ଦିନ ଏହି ଉତ୍ସବ ପାଳିତ ହୁଏ। ପ୍ରତି ବର୍ଷ ଏହି ଉତ୍ସବ ପାଳନ ଅବସରରେ ବହୁସଂଖ୍ୟକ ଯାତ୍ରୀ ଓ ପର୍ଯ୍ୟଟକ ଏହି ଦ୍ୱୀପରେ ସମବେତ ହୋଇଥାଆନ୍ତି। ଏହା ଦୁଇ ଦିନ ଧରି ଚାଲେ।
ବୋରୁନ ଚିତାଦର ଚକ୍ ଗାଁରେ ଏହି ଉତ୍ସବ ଆୟୋଜନ କମିଟିର ସଂପାଦକ ରାଜା ପାୟେଙ୍ଗ କହନ୍ତି, “ଏହା ଯଦି ନ ଥାଆନ୍ତା, ଆମକୁ କିଛି ହଜେଇ ଦେବା ଭଳି ଲାଗିଥାଆନ୍ତା। ଏହା (ରାସ ମହୋତ୍ସବ) ହେଉଛି ଆମର ସଂସ୍କୃତି। ବର୍ଷ ସାରା ଏହି ଉତ୍ସବ ପାଳନକୁ ଲୋକେ ଆଗ୍ରହର ସହିତ ଅପେକ୍ଷା କରିଥାଆନ୍ତି।”
ଆସାମର ଅନେକ ବୈଷ୍ଣବ ମଠ ମଧ୍ୟରୁ ଗୋଟିଏ ଗରାମୁର ସାରୁ ସତ୍ର। ସେଠାରେ ରୁଣ୍ଡ ହୋଇଛନ୍ତି ସେ ଅଞ୍ଚଳର ଶହ ଶହ ଲୋକ। ସମସ୍ତେ ନିଜ ନିଜର ସର୍ବୋତ୍ତମ ପୋଷାକ ପରିଧାନ କରି ଆସିଛନ୍ତି।
ରାସ ମହୋତ୍ସବ (କୃଷ୍ଣଙ୍କ ନୃତ୍ୟ ଉତ୍ସବ)ରେ ନୃତ୍ୟ, ନାଟକ ଏବଂ ସଙ୍ଗୀତ ପରିବେଷଣ ମାଧ୍ୟମରେ ଭଗବାନ କୃଷ୍ଣଙ୍କ ଜୀବନ ବୃତ୍ତାନ୍ତ ପରିବେଷିତ ହୁଏ। ଏହି ଉତ୍ସବ ପାଳନ ଅବସରରେ ଗୋଟିଏ ଦିନରେ କଳାକାରମାନେ ୧୦୦ରୁ ଅଧିକ ଚରିତ୍ରରେ ମଞ୍ଚ ଉପରେ ଅବତୀର୍ଣ୍ଣ ହୁଅନ୍ତି।
ମଞ୍ଚରେ ପରିବେଷିତ ହୁଏ କୃଷ୍ଣଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ- ବୃନ୍ଦାବନରେ ବଢୁଥିବା ଜଣେ ଶିଶୁରୁ ଆରମ୍ଭ କରି ରାସଲୀଳା ରୂପେ ବର୍ଣ୍ଣିତ ଗୋପୀମାନଙ୍କ (ଗୋପାଳୁଣୀ) ସହିତ ତାଙ୍କର ନୃତ୍ୟ ପର୍ଯ୍ୟନ୍ତ। ଏହି ଅବସରରେ ପରିବେଷିତ କେତେକ ନାଟିକା ଶଙ୍କରଦେବଙ୍କ ରଚିତ ‘କେଲି ଗୋପାଲ’ ଏବଂ ତାଙ୍କ ଶିଷ୍ୟ ମାଧବଦେବଙ୍କ ରଚିତ ‘ରାସ ଝୁମୁରା’ ଶୀର୍ଷକ ଅଙ୍କିୟା ନାଟ (ଏକାଙ୍କିକା)ର ଉଦ୍ଧୃତ ରୂପ।
ଗରାମୁର ମହୋତ୍ସବରେ ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରୁଥିବା ମୁକ୍ତା ଦତ୍ତ କହନ୍ତି ଯେ ଥରେ ନାଟିକାରେ ତାଙ୍କ ଚରିତ୍ର ସ୍ଥିର ହୋଇଗଲେ ତାଙ୍କୁ କେତେକ ପରମ୍ପରା ଅନୁସରଣ କରିବାକୁ ପଡ଼େ। “ଆମ ଭିତରୁ ଯେଉଁମାନେ କୃଷ୍ଣ, ନାରାୟଣ କିମ୍ବା ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରନ୍ତି, ସେମାନେ ନିଜ ନିଜର ଭୂମିକା ସ୍ଥିର ହେବା ଦିନରୁ ହିଁ କେବଳ ସାତ୍ତ୍ୱିକ ନିରାମିଷ ଭୋଜନ କରନ୍ତି। ରାସର ପ୍ରଥମ ଦିନରେ ଆମେ ଏକ ବ୍ରତ (ଉପବାସ) ପାଳନ କରୁ। ପ୍ରଥମ ଦିନର ଅଭିନୟ ପ୍ରଦର୍ଶନ ଶେଷ ହେବା ପରେ ହିଁ ଆମର ବ୍ରତ ଭଙ୍ଗ ହୁଏ।”
ଆସାମରେ ପ୍ରାୟ ୬୪୦ କିଲୋମିଟର ଧରି ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଏକ ଖୁବ୍ ବଡ଼ ଦ୍ୱୀପ ହେଉଛି ମାଜୁଲି। ଏହି ଦ୍ୱୀପରେ ରହିଥିବା ସତ୍ର (ମଠ) ସମୂହ ବୈଷ୍ଣବପନ୍ଥୀ ଧର୍ମ ସହିତ କଳା ଓ ସଂସ୍କୃତିର କେନ୍ଦ୍ରସ୍ଥଳ ରୂପେ ପରିଗଣିତ। ପଞ୍ଚଦଶ ଶତାବ୍ଦୀରେ ସମାଜ ସଂସ୍କାରକ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସତ୍ରଗୁଡ଼ିକ ଆସାମର ନବ-ବୈଷ୍ଣବପନ୍ଥୀ ଭକ୍ତି ଆନ୍ଦୋଳନର ରୂପରେଖ ନିର୍ଣ୍ଣୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ଏକଦା ମାଜୁଲିରେ ପ୍ରତିଷ୍ଠିତ ପ୍ରାୟ ୬୫ଟି ସତ୍ର ମଧ୍ୟରୁ ଏବେ ମାତ୍ର ପ୍ରାୟ ୨୨ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ବିଶ୍ୱର ବୃହତ୍ତମ ନଦୀ ପ୍ରଣାଳୀ ମଧ୍ୟରୁ ଅନ୍ୟତମ ବ୍ରହ୍ମପୁତ୍ରରେ ବାରମ୍ବାର ବନ୍ୟା ଯୋଗୁଁ ମୃତ୍ତିକା କ୍ଷୟ ଘଟିବାରୁ ଅନ୍ୟ ସତ୍ରଗୁଡ଼ିକ ନିଶ୍ଚିହ୍ନ ହୋଇଯାଇଛି। ଗ୍ରୀଷ୍ମ ଓ ବର୍ଷା ମାସ ମଧ୍ୟରେ ହିମାଳୟର ବରଫାବୃତ୍ତ ଅଞ୍ଚଳରେ ତରଳୁଥିବା ବରଫ ଏହି ନଦୀଶଯ୍ୟାରେ ମିଶିଥାଏ। ଏହା ସହିତ ବୃଷ୍ଟିପାତ ହିଁ ମାଜୁଲି ଓ ଆଖପାଖରେ ମୃତ୍ତିକା କ୍ଷୟର ପ୍ରମୁଖ କାରଣ।
ଏହି ସବୁ ସତ୍ର ରାସ ମହୋତ୍ସବ ପାଳନର ଉତ୍ସବସ୍ଥଳୀ ରୂପେ ବିବେଚିତ ହୁଅନ୍ତି। ସତ୍ରର ସଭାକକ୍ଷରେ ଏବଂ ଖୋଲାପଡ଼ିଆରେ, ଏମିତି କି ବିଦ୍ୟାଳୟର ଖେଳପଡ଼ିଆରେ ସ୍ଥାପିତ ଅସ୍ଥାୟୀ ମଞ୍ଚରେ ଦ୍ୱୀପରେ ରହୁଥିବା ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକେ ଉତ୍ସବ ପାଳନ ସହିତ କଳା ପ୍ରଦର୍ଶନ କରନ୍ତି।
ସାଧାରଣତଃ ଉତ୍ତର କମଲାବାରୀ ସତ୍ର ପକ୍ଷରୁ ଆୟୋଜିତ କଳା ପ୍ରଦର୍ଶନରେ ମହିଳାମାନେ ଅଭିନୟ କରନ୍ତି। କିନ୍ତୁ ଗରାମୁର ସାରୁ ସତ୍ରରେ ମହିଳାମାନେ ଅଭିନୟରେ ଅଂଶଗ୍ରହଣ କରନ୍ତି ନାହିଁ। ଏଠାରେ ଧାର୍ମିକ ଓ ସାଂସ୍କୃତିକ ଶିକ୍ଷାଲାଭ କରୁଥିବା ଭକ୍ତ ରୂପେ ଅଭିହିତ ଚିର ଅବିବାହିତ ସନ୍ଥମାନେ ନାଟକରେ ଅଭିନୟ କରନ୍ତି ଏବଂ ଏହି ପ୍ରଦର୍ଶନ ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ ହୋଇଥାଏ।
ଗରାମୁର ସାରୁ ସତ୍ରରେ ପାଳିତ ରାସ ମହୋତ୍ସବର ଅନ୍ୟତମ ପ୍ରତିଷ୍ଠାତା ହେଲେ ୮୨ ବର୍ଷୀୟ ଇନ୍ଦ୍ରନୀଲ ଦତ୍ତ। ପୁରୁଣା ଦିନର କଥାକୁ ମନେ ପକାଇ, ୧୯୫୦ ମସିହାରେ କେବଳ ପୁରୁଷ ଅଭିନେତାଙ୍କ ଅଂଶଗ୍ରହଣ ପରମ୍ପରାକୁ ଭଙ୍ଗ କରି ତତ୍କାଳୀନ ସତ୍ରାଧିକାର (ସତ୍ରର ମୁଖ୍ୟ) ପୀତାମ୍ବର ଦେବ ଗୋସ୍ୱାମୀ କିଭଳି ମହିଳା କଳାକାର ଓ ଅଭିନେତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ସେ କଥା କହନ୍ତି।
ଅତୀତର ସ୍ମୃତି ରୋମନ୍ଥନ କରି ସେ କହନ୍ତି, “ପୀତାମ୍ବର ଦେବ ନାମଘର (ପ୍ରାର୍ଥନା ଗୃହ) ବାହାରେ (ପାରମ୍ପରିକ ସ୍ଥାନ) ମଞ୍ଚ ନିର୍ମାଣ କରିଥିଲେ। ନାମଘର ପୂଜାସ୍ଥଳୀ ହୋଇଥିବାରୁ ଆମେ ବାହାରେ ମଞ୍ଚ ସ୍ଥାପନ କରିଥିଲୁ।”
ସେହି ପରମ୍ପରା ଆଜି ଯାଏଁ ଅବ୍ୟାହତ ରହିଛି। ମହୋତ୍ସବ ଆୟୋଜନ କରାଯାଉଥିବା ୬୦ରୁ ଅଧିକ ଉତ୍ସବସ୍ଥଳରୁ ଗରାମୁର ଅନ୍ୟତମ। ପ୍ରାୟ ୧,୦୦୦ ଲୋକଙ୍କ ବସିବା ବ୍ୟବସ୍ଥା ଥିବା ପ୍ରେକ୍ଷାଳୟରେ ଏହି କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଦେଖିବା ପାଇଁ ଟିକଟ କରିବାକୁ ପଡ଼େ।
ଏଠାରେ ଯେଉଁ ସବୁ ନାଟକ ପରିବେଷିତ ହୁଏ ସେ ସବୁ ଶଙ୍କରଦେବ ଏବଂ ବୈଷ୍ଣବଧର୍ମ ପରମ୍ପରାର ଅନ୍ୟମାନେ ଲେଖିଥିବା ନାଟକରୁ ଉଦ୍ଧୃତ ଏବଂ ଅଭିଜ୍ଞ କଳାକାରମାନେ ଏଥିରେ କିଛିଟା ନୂତନତ୍ୱ ସାମିଲ କରିଛନ୍ତି। ଇନ୍ଦ୍ରନୀଲ ଦତ୍ତ କହନ୍ତି, “ ମୁଁ ଯେତେବେଳେ କୌଣସି ନାଟକ ଲେଖେ, ସେଥିରେ ଲୋକ ସଂସ୍କୃତିର ଉପାଦାନ ଯୋଡ଼ିଦିଏ। ଆମକୁ ଆମ ଜାତି ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ହେବ।”
ମୁକ୍ତା ଦତ୍ତ କହନ୍ତି, “ଦୀପାବଳି ପରଦିନଠାରୁ ମୁଖ୍ୟ ରିହର୍ସାଲ ଆରମ୍ଭ ହୁଏ।” ଏହା ଫଳରେ କଳାକାରମାନେ ପ୍ରସ୍ତୁତ ହେବା ଲାଗି ଦୁଇ ସପ୍ତାହରୁ କମ୍ ସମୟ ପାଆନ୍ତି। ଜଣେ ଅଭିନେତା ତଥା ଗରାମୁର ସଂସ୍କୃତ ଟୋଲ୍ (ବିଦ୍ୟାଳୟ)ରେ ଶିକ୍ଷକତା କରୁଥିବା ଦତ୍ତ କହନ୍ତି, “ପୂର୍ବରୁ ଅଭିନୟ କରିଥିବା କଳାକାରମାନେ ଭିନ୍ନ ଭିନ୍ନ ଜାଗାରେ ରହୁଛନ୍ତି। ସେମାନଙ୍କୁ ପୁଣି ଆଣି ଏକାଠି କରିବା ସହଜ ନୁହେଁ।”
ପ୍ରାୟତଃ ଏହି ମହୋତ୍ସବ ସମୟରେ ହିଁ କଲେଜ ଓ ବିଶ୍ୱବିଦ୍ୟାଳଯ ପରୀକ୍ଷା ହୋଇଥାଏ। କଥାବାର୍ତ୍ତା ଆଗେଇ ନେବାକୁ ଯାଇ ମୁକ୍ତା କହନ୍ତି, “ଦିନକ ପାଇଁ ହେଲେ ବି ସେମାନେ (ଛାତ୍ରଛାତ୍ରୀମାନେ) ଆସନ୍ତି। ରାସରେ ସେମାନେ ନିଜ ନିଜ ଭୂମିକାରେ ଅଭିନୟ କରନ୍ତି ଏବଂ ପରଦିନ ପରୀକ୍ଷା ଦେବାକୁ ଚାଲିଯାଆନ୍ତି। ”
ପ୍ରତି ବର୍ଷ ମହୋତ୍ସବ ଆୟୋଜନ ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଗରାମୁରରେ ୨୦୨୨ରେ ଏହି ଖର୍ଚ୍ଚ ପ୍ରାୟ ୪ ଲକ୍ଷ ଟଙ୍କା ଥିଲା। ମୁକ୍ତା କହନ୍ତି, “ଆମେ ଟେକନିସିଆନମାନଙ୍କ ପାଉଣା ଦେଉ। ସବୁ ଅଭିନେତା ଏବଂ ସ୍ୱେଚ୍ଛାସେବୀମାନଙ୍କୁ ବି। ପାଖାପାଖି ୧୦୦ରୁ ୧୫୦ ଲୋକ। ସେମାନେ ସମସ୍ତେ ନିଜ ଇଚ୍ଛାରେ କାମ କରନ୍ତି।”
ଆସାମର ଏକ ଅଧିସୂଚିତ ଜନଜାତି ମିସିଂ (ବା ମିଶିଂ) ସଂପ୍ରଦାୟର ସଦସ୍ୟମାନଙ୍କ ଦ୍ୱାରା ବୋରୁନ ଚିତାଦର ଚକ ପକ୍ଷରୁ ଗୋଟିଏ ସ୍କୁଲରେ ରାସ ମହୋତ୍ସବ ଆୟୋଜିତ ହୋଇଥାଏ। ଯୁବ ପିଢ଼ିର ଆଗ୍ରହ ଅଭାବରୁ ଏବଂ କାମଧନ୍ଦା ଲାଗି ଏ ଅଞ୍ଚଳର ବହୁ ଲୋକ ରାଜ୍ୟ ବାହାରକୁ ଚାଲି ଯାଉଥିବାରୁ ଗତ କିଛି ବର୍ଷ ହେଲା କଳାକାରମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତଥାପି ସେମାନେ ଉତ୍ସବ ପାଳନ ଧାରାରୁ ଓହରି ଯାଇନାହାନ୍ତି। ରାଜା ପାୟେଙ୍ଗ କହନ୍ତି, “ଆମେ ଯଦି ଏହା ପାଳନ ନ କରିବୁ ତେବେ ଗାଁରେ କିଛି ଅମଙ୍ଗଳ ଘଟିପାରେ। ଅଧିକାଂଶ ଗାଁ ଲୋକଙ୍କର ଏହି ବିଶ୍ୱାସ ରହିଛି।”
ଏହି ଆଲେଖ୍ୟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ଦ୍ୱାରା ପ୍ରଦତ୍ତ ଏକ ଫେଲୋସିପ୍ର ସହାୟତା ରହିଛି
ଅନୁବାଦ: ଓଡ଼ିଶାଲାଇଭ୍