ବିହାର ବୈଶାଳୀ ଜିଲ୍ଲା ରସୁଲପୁର ସୋହନ ଗାଁର ସୁଦାମା ପଣ୍ଡିତ। ମାଟି ହାଣ୍ଡି ଗଢନ୍ତି। ସେ କହନ୍ତି, “ହାଣ୍ଡି ଗଢିବା କେବଳ ଚକ ବୁଲାଇବା ନୁହେଁ; ଆପଣ କଣ କରୁଛନ୍ତି ତା ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଗୋଟିଏ ଶିଶୁକୁ ଲାଳନପାଳନ କଲାଭଳି... ପ୍ରଥମେ ଖୁବ ଯତ୍ନର ସହ ମାଟିକୁ ଚକଟିବାକୁ ପଡ଼ିବ। ତା ପରେ ତାକୁ ଏକ ଆକାର ଦେବାକୁ ହେବ। ତା ପରେ ଚୁଲିରେ ପୋଡି ଟାଣ କରିବାକୁ ପଡ଼ିବ। ”

ସୁଦାମା  ଙ୍କୁ ବର୍ତ୍ତମାନ ୫୪ ବର୍ଷ। ୧୫ ବର୍ଷ ବୟସରୁ ସେ ମାଟି ପାତ୍ର ଗଢିବାର କଳା ଶିଖି ନେଇଥିଲେ। ସେ ଗର୍ବର ସହ କହନ୍ତି, “ମୋ ଜେଜେବାପା ଏଥିରେ ଖୁବ୍ ଦକ୍ଷ ଥିଲେ, କିନ୍ତୁ ବାପାଙ୍କର ଏଥିରେ ଆଗ୍ରହ ନଥିଲା। ଜେଜେବାପା ମୋତେ ଏସବୁ ଶିଖାଇଛନ୍ତି। ଗାଁ ଲୋକ କହନ୍ତି ମୁଁ ପ୍ରକୃତ ଉତ୍ତରାଧୀକାରୀ ନହେଲେ କୁହନ୍ତି ସୁଦାମା କୁମ୍ଭାର[ମାଟି କାରିଗର]। ”

ଚଢେଇଙ୍କ କଳରବରୁ ସୁଦାମାଙ୍କ ଦିନ ଆରମ୍ଭ ହୁଏ। ତାଙ୍କ ପତ୍ନୀ ସୁନୀତା ଦେବୀ ଝାଡୁ କରି କୁମ୍ଭାର ଶାଳକୁ ସଫାସୁତୁରା କରନ୍ତି। ଚକ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିରେ ଲାଗିଥିବା ପୂର୍ବ ଦିନର ଶୁଖିଲା କାଦୁଅକୁ ଛଡାଇ ପରିସ୍କାର କରି ଦିଅନ୍ତି। ତା ଭିତରେ ସୁଦାମା ମାଟିକୁ ପ୍ରସ୍ତୁତ କରିନିଅନ୍ତି। ସେ କହନ୍ତି, “ସଅଳ ସଅଳ କାମ ଆରମ୍ଭ କରିଦେଲେ ଭଲ। କାରଣ ଶୁଖିବାକୁ ଅଧିକ ସମୟ ମିଳିବ।”

ମାଟି ପାତ୍ର ଗଢିବା ପାଇଁ ସୁଦାମା ଯେଉଁ ମାଟି ବ୍ୟବହାର କରନ୍ତି ତାକୁ ସେ ତୁର୍କୀ ଗାଁରୁ କିଣନ୍ତି। ପଡୋଶୀ ମୁଜାଫରପୁର ଜିଲ୍ଲା କୁର୍‌ହାଣୀ ବ୍ଳକର ତୁର୍କୀ ଗାଁ, ଏଠାରୁ ପ୍ରାୟ ୨୫ କିଲୋମିଟର ଦୂର। ସେ କହନ୍ତି, "ଜେଜେବାପାଙ୍କ ସମୟରେ ଘର ପାଖରେ ଭଲ ମାଟି ମିଳିଯାଉଥିଲା। ସେଥିପାଇଁ ଆମକୁ ୩୦ ଫୁଟ ପର୍ଯ୍ୟନ୍ତ ଖୋଳିବାକୁ ପଡ଼ୁଥିଲା। ଏହା କୌଳିକ ବୃତ୍ତି ହୋଇଥିବାରୁ ଘରର ଅଧିକାଂଶ ସଦସ୍ୟ ଏଥିରେ ସହଯୋଗ କରୁଥିଲେ। ଏବେ କିନ୍ତୁ ମାଟି ଖୋଳିବା ପାଇଁ ସେ ଆଉ ସମୟ ଦେଇ ପାରୁନାହନ୍ତି।  ହେଉନି । ଏହା ଛଡ଼ା ମାଟି ଖୋଳିବା ଶ୍ରମ ସାପେକ୍ଷ, ବରଂ କିଣି ଆଣିବା ତା ଠାରୁ ସହଜ। ବର୍ତ୍ତମାନ ମେସିନ ମାଟି ତାଡୁଛି ଆଉ ମାଟି ପାଇଁ ଆମକୁ ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ଏଥିରେ ବହୁତ ପଥର ରହୁଥିବାରୁ ପରିସ୍କାର କରିବାକୁ ସମୟ ଲାଗୁଛି। "

Sudama preparing dough
PHOTO • Shubha Srishti
Sudama's chaak
PHOTO • Shubha Srishti

ତାଙ୍କ ଘର ଆଗରେ ଥିବା କାର୍ଯ୍ୟସ୍ଥଳରେ ସୁଦାମା ମାଟି ଚକଟୁଛନ୍ତି (ବାମ); ତା ପରେ ଚକ ଉପରେ ରଖୁଛନ୍ତି ଏବଂ ତାକୁ ଘୂରୋଉଛନ୍ତି। ଶୀଘ୍ର ଶୀଘ୍ର ଏବଂ ଖୁବ୍ ଦକ୍ଷତାର ସହ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି।

ସୁଦାମା ଯାହା କହନ୍ତି, ସେ ଏକା ଥରେ ୧୦ କିଲୋ ଓଜନର ଚକଟା ମାଟି ଚକ ଉପରେ ରଖି ଘୂରାନ୍ତି। ଚକକୁ ଖୁବ ଦ୍ରୁତ ଗତିରେ ବୁଲାନ୍ତି ଆଉ ମାଟିକୁ ପାତ୍ରର ରୂପ ଦିଅନ୍ତି। ସେ କହନ୍ତି, “ମାଟିକୁ କେମିତି ରୂପ ଦେବେ ସବୁ ହାତର କରାମତି।” ତାଙ୍କ ସଂପ୍ରଦାୟର ଭାଷା ହେଉଛି ‘ବଜ୍ଜିକା’। ଆମେ କିନ୍ତୁ ହିନ୍ଦିରେ କଥା ହେଉଛୁ। ଏକ ଛୋଟିଆ ପଥର ଖଣ୍ଡ ଉପରେ ଚକଟି ଘୂରେ। ଚକଟି ଘୂରିବା ବେଳେ ଖୁବ୍ ପତଳା ଦିଶେ, ଆଉ ଏକା ଥରକେ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଘୂରେ।

ଏଥିରୁ ବିଭିନ୍ନ ପ୍ରକାର ଜିନିଷ ତିଆରି ହୁଏ। କୁହ୍ଲାଡ (ଚା ପାତ୍ର), ମିଠା ରଖିବା ପାତ୍ର, ଦୀପ, ମଦ ରାନ୍ଧା ହାଣ୍ଡି, କୁଲିଆ-ଚୁକିଆ (ଖେଳଣା ରୋଷେଇ ସରଞ୍ଜାମ), ବାହାଘରରେ ଲାଗୁଥିବା ପାତ୍ର ଏବଂ ବିଭିନ୍ନ ଠାକୁର ଠାକୁରାଣୀଙ୍କ ମୂର୍ତ୍ତି।

ମୁଁ ବ୍ଳକ୍ ହେଡକ୍ୱାର୍ଟର ଭଗବାନପୁର ଗାଁରେ ବଢିଛି, ରସୁଲପୁର ସୋହାନ ଠାରୁ ପ୍ରାୟ ୨ କିଲୋମିଟର ଦୂର। ପିଲାବେଳେ ସୁଦାମା ଗଢିଥିବା କୁଲିଆ-ଚୁକିଆରେ ଖେଳିଛି। ପାରଂପରିକ ଭାବେ କୁମ୍ଭାରମାନେ ନିର୍ଦ୍ଦିଷ୍ଟ କେତେକ ପରିବାରକୁ ତାଙ୍କ ଆବଶ୍ୟକତା ଅନୁସରେ ମାଟି ପାତ୍ର ଯୋଗାଇଥାନ୍ତି। ଆମ ଘରର ଯାହା ସବୁ ଆବଶ୍ୟକ ଥାଏ, ସୁଦାମା ସେ ସବୁ ଯୋଗାଇ ଦେଇଥାନ୍ତି।

ସୁଦାମା କଞ୍ଚାମାଟିକୁ ଆକାର ଦେବା ପରେ ତାକୁ ଖରାରେ ଶୁଖାନ୍ତି। ଶୁଖିଗଲା ପରେ ତାର ତଳଭାଗକୁ ଏକ ଗୋଲେଇ ଠୋକନ ଦ୍ୱାରା ଧୀରେଧୀରେ ବାଡ଼ାନ୍ତି ଏବଂ ଅର୍ଦ୍ଧ କୋନ ଆକୃତିର ଏକ ପିଟଣାରେ ଭିତର ପାର୍ଶ୍ୱକୁ ଠୁକେଇ ଠୁକେଇ ପାତ୍ରକୁ ପୂର୍ଣ୍ଣ ରୂପ ଦିଅନ୍ତି। ସେ କହନ୍ତି, ଖରାରେ ଶୁଖିବା ପରେ ନିଆଁରେ ପୋଡିବା ହିଁ ପ୍ରକୃତ ପରୀକ୍ଷା। ତାଳ କିମ୍ବା ଆମ୍ବ କାଠ ଏବଂ କଞ୍ଚା କାଦୁଅରେ ଚୂଲି ପ୍ରସ୍ତୁତ ହୋଇଥାଏ। ଏଥିରେ ଘସି ନିଆଁ ଜାଳେଣି ଭାବେ ବୃବହୃତ ହୋଇଥାଏ। ପ୍ରତ୍ୟେକ ସ୍ତରରେ ଏଭଳି ଯତ୍ନର ସହ ଗଢିଲେ ଭଲ ମାନର ମାଟି ପାତ୍ରଟିଏ ବାହାରିଥାଏ।

Sudama making a kulhad
PHOTO • Shubha Srishti
Sudama making a kulhad
PHOTO • Shubha Srishti

ସୁଦାମାଙ୍କ ଚକରୁ ବିଭିନ୍ନ ପ୍ରକାର ଜନିଷ ବାହାରେ ଯେମିତିକି, ଖୁଲାଡ(ଚା’ ପାଇଁ, ଉପରେ), ଦୀପ, ଖେଳଣା ରୋଷେଇ ସରଞ୍ଜାମ, ଦେବାଦେବୀଙ୍କ ମୂର୍ତ୍ତି ଇତ୍ୟାଦି

ଏହା ଭିତରେ ସୁନୀତା ଦେବୀ ବାହାରକୁ ଯାଇ ଶୁଖିଲା ଡାଳପତ୍ର ଆଣି ଫେରନ୍ତି। ମାଟି ପାତ୍ର ନିର୍ମାଣ ପ୍ରକ୍ରିୟାରେ ସୁନୀତା ଦେବୀ ଏକ ଅଂଶ ବିଶେଷ, କିନ୍ତୁ ସେ ସେମିତି ଭାବନ୍ତି ନାହିଁ। ସେ କହନ୍ତି, “ ମୁଁ ଯଦି ତିଆରି କରିବି ଲୋକେ କଣ କହିବେ? ମୋର ଘର କାମ ରହୁଛି, ଆବଶ୍ୟକ ବେଳେ ସହଯୋଗ କରୁଛି। ମୁଁ ଘସି ତିଆରି କରୁଛି ଏବଂ ଡାଳପତ୍ର ଆଣି ଦେଉଛି। କିନ୍ତୁ ଏହା ଯଥେଷ୍ଟ ହେଉନି। ପ୍ରତି ଦୁଇ ସପ୍ତାହରେ ଥରେ ଆମକୁ ୧,୦୦୦ରୁ ୧,୨୦୦ ଟଙ୍କାର ଜାଳେଣି କାଠ କିଣିବାକୁ ପଡ଼େ। ”

ମାଟିପାତ୍ର ଖରାରେ ଶୁଖିବା ଏବଂ ନିଆଁରେ ପୋଡ଼ିବାବେଳେ ସୁନୀତା ତଦାରଖ କରନ୍ତି। ସେ କହନ୍ତି, ‘ ନିଆଁରେ ପୋଡିବାବେଳେ ଗୋଟିଏ ମିନିଟ୍ ବିଳମ୍ବ ହୋଇଗଲେ, ତାକୁ ଆଉ ବିକ୍ରି କରି ହୁଏନି। ମାଟି ତିଆରି ଜିନିଷଗୁଡିକୁ ସେ ରଂଗ ଦେଇ ସୁନ୍ଦର କରନ୍ତି। ଏଥିପାଇଁ ପାଖ ବଜାରରୁ ରଙ୍ଗ କିଣିବାକୁ ପଡ଼େ। ସେ କହନ୍ତି, “ଅନେକ ଛୋଟଛୋଟ କାମ ଥାଏ। ମୁଁ ଆଦୌ ବସି ପାରେନି। ସବୁ ବେଳେ କିଛି ନା କିଛି କରୁଥାଏ। ”

ଏହି ଚକରୁ ସୁଦାମା ଏବଂ ସୁନୀତାଙ୍କର ଯାହା ଆୟ ହୁଏ ତାର କିଛି ନିର୍ଦ୍ଦିଷ୍ଟତା ନାହିଁ। ସୁଦାମା କହନ୍ତି, “ମାସକୁ ୧୦,୦୦୦ ଟଙ୍କାର ମାଟି ତିଆରି ଜିନିଷ ବିକେ। ଏଥିରୁ ଲାଭ ପ୍ରାୟ ୪,୦୦୦ ଟଙ୍କା ମିଳେ। କିନ୍ତୁ ବର୍ଷା ଦିନେ ଏବଂ ଖୁବ୍ ଶୀତ ସମୟରେ ଅର୍ଥାତ ଡିସେମ୍ବର, ଜାନୁଆରୀ ମାସରେ କାମ ବାଧପ୍ରାପ୍ତ ହୋଇଥାଏ। କାରଣ ସେତେବେଳ କଞ୍ଚା ମାଟିପାତ୍ରକୁ ଶୁଖାଇବା ପାଇଁ ଖରା ନଥାଏ। ତେବେ ପର୍ବପର୍ବାଣୀ ଏବଂ ବିବାହ ଋତୁରେ ଅର୍ଥାତ ଜାନୁଆରୀ ମଧ୍ୟ ଭାଗରୁ ଫେବ୍ରୁଆରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଏବଂ ମେ ଅଧାରୁ ଜୁନ ଅଧା ପର୍ଯ୍ୟନ୍ତ ଏହି ଦମ୍ପତି ମାସକୁ ୩,୦୦୦-୪,୦୦୦ ଟଙ୍କା ଅଧିକ ରୋଜଗାର କରନ୍ତି। ବେଳେବେଳେ ସୁଦାମାଙ୍କୁ ବଡ଼ କାମ ପାଇଁ ବଇନା ମିଳେ। ଏଥିରେ ତାଙ୍କ ଆୟରେ ଆଉ କିଛି ଯୋଡ଼ି ହୋଇଯାଏ।
Sudama making a pot's base
PHOTO • Shubha Srishti
Sudama shaping the pot
PHOTO • Shubha Srishti

କଞ୍ଚା କାଦୁଅକୁ ଆକାର ଦେବା ପରେ ସୁଦାମା ତାକୁ ଖରାରେ ସୁଖାନ୍ତି। ଜିନିଷଟି ସୁଖିଯିବା ପରେ ତାକୁ ଏକ ଗୋଲ ଥୋକନରେ (ଡାହଣ) ଧିରେଧିରେ ବାଡେଇବାଡେଇ ଏହାକୁ ସଂପୂର୍ଣ୍ଣ ରୂପ ଦିଅନ୍ତି।

ଏହି ବୃତ୍ତିରେ କୌଣସି ସ୍ଥିର ଆୟ ନାହିଁ। ସେଥିପାଇଁ ସୁଦାମାଙ୍କ ଦୁଇ ସାନ ଭାଇ ମଲ୍ଲୁ ଏବଂ ଗାବଡ଼ ମାଟି ଜିନିଷ ଗଢିବା ଛାଡି ରାଜମିସ୍ତ୍ରୀ କାମ କରୁଛନ୍ତି। ସୁଦାମାଙ୍କର ଆଉ ଜଣେ ସାନ ଭାଇ କ୍ରିଷ୍ଣା ଆମ ସହ କଥାବାର୍ତ୍ତାରେ ସାମିଲ ହେଲେ। ସେ ବେଳେବେଳେ କୁମ୍ଭାର କାମ କରନ୍ତି, ଏହାଠାରୁ କିନ୍ତୁ ଦିନ ମଜୁରୀ କରିବାକୁ ବେଶି ପସନ୍ଦ କରନ୍ତି। ସେ କହନ୍ତି, “ଏଥିରୁ ଯେଉଁ ରୋଜଗାର ହୁଏ ସେଥିରେ ପେଟ ପୂରେନି। ବେପାର ବେଳେବେଳେ ମାନ୍ଦା ରହେ। ମୋ ଭାଇ ଏଥିରେ ଖୁବ୍ ଦକ୍ଷ ଆଉ ତାଙ୍କର କେତେଜଣ ନିର୍ଦ୍ଦିଷ୍ଟ ଗ୍ରାହକ ଅଛନ୍ତି, ସେଥିପାଇଁ ସେ ତିଷ୍ଠି ଯାଇଛନ୍ତି।”

ସୁଦାମା ଏବଂ ସୁନୀତାଙ୍କ ପୁଅମାନେ ମଧ୍ୟ ଅନ୍ୟ ଧନ୍ଦା କରିବେ। ତାଙ୍କର ଦୁଇ ଝିଅ ବାହା ହୋଇଯାଇଛନ୍ତି। ତାଙ୍କ ବଡ଼ପୁଅ ୨୬ ବର୍ଷୀୟ ସନ୍ତୋଷ ଦିଲ୍ଲୀରେ ପାଠ ପଢନ୍ତି। ସେ ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଭଗବାନପୁରରେ ବିଏସସି ପଢୁଥିବା ତାଙ୍କ ୨୪ ବର୍ଷୀୟ ସାନପୁଅ ସୁନିଲ ସେଠାରେ ଏକ ଗଣିତ କୋଚିଂ କ୍ଲାସ ଖୋଲିଛନ୍ତି।

ସୁଦାମା କହିଲେ, “ମୋ ପରେ ଏ କୁଳ ବେଉଷା ବୁଡିଯିବ।” ସେଥିପାଇଁ ସେ ମୋଟରଚାଳିତ ଚକ କିଣୁ ନାହାନ୍ତି। ଯଦିଓ ଏହା କେତେ ଟଙ୍କା ସେ ଜାଣି ନାହାନ୍ତି, ତଥାପି କିଣିବାକୁ ଆଗ୍ରହ ନାହିଁ। ତାଙ୍କ କହିବା କଥା, ଅନ୍ୟ କେହି ଏ କାମ କରିବାକୁ ଆଗ୍ରହୀ ନଥିବାରୁଏଥିରେ ଟଙ୍କା ଖର୍ଚ୍ଚ କଲେ ପାଣିରେ ପଡ଼ିବ।
Sudama and Sunita with cement sculpture
PHOTO • Shubha Srishti
Sudama’s workshop
PHOTO • Shubha Srishti

ସୁଦାମା ଏବଂ ତାଙ୍କ ସ୍ତ୍ରୀ ସୁନିତା (ବାମ) ଅଧିକାଂଶ ସମୟ ମାଟି ଜିନିଷ ତିଆରି କରନ୍ତି, ଏବେ କିନ୍ତୁ ସିମେଣ୍ଟ କାମ ଆରମ୍ଭ କଲେଣି। ସୁଦାମା ସିମେଣ୍ଟରେ ମୂର୍ତ୍ତି ତିଆରି କରନ୍ତି ଆଉ ସୁନିତା ପାଣି ଦଅନ୍ତି।

ଏହା ଛଡା ଧୀରେଧୀରେ ଏହି ବୃତ୍ତି ବୁଡିବା ଆରମ୍ଭ କଲାଣି। ସେ କହନ୍ତି, “ଆଲୁମିନିୟମ, ଷ୍ଟିଲ ଏବଂ ପ୍ଲାଷ୍ଟିକ ଜିନିଷର ବ୍ୟବହାର ବଢିବା ଯୋଗୁଁ ମାଟି ତିଆରି ଜିନିଷ ଲୋପ ପାଇବାକୁ ବସିଛି। କେବଳ ରୀତିନୀତି ଭିତରେ ମାଟି ଜିନିଷର ବ୍ୟବହାର ସୀମିତ ହୋଇଯାଇଛି। କେତେକ ବ୍ୟଞ୍ଜନ ପାଇଁ ମଧ୍ୟ ମାଟି ପାତ୍ର ବ୍ୟବହାର ହେଉଛି [ଦୈନନ୍ଦିନ ରୋଷେଇ ପାଇଁ ନୁହେଁ] ।”

ଏହା ହିଁ ସୁଦାମାଙ୍କ ଗାଁର କୁମ୍ଭାରମାନଙ୍କୁ ତାଙ୍କ କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ କରିଛି। ସୁଦାମା କହନ୍ତି, “ ପ୍ରାୟ ୧୫ ବର୍ଷ ପୂର୍ବରୁ ଅଧିକାଂଶ ଲୋକ ଘର ଉପରେ ଆଜବେଷ୍ଟସ୍ ଛାଉଣୀ କରୁଥିଲେ। କିନ୍ତୁ ତା ପୂର୍ବରୁ ସମସ୍ତେ ଖବର ଛାଉଣୀ କରୁଥିଲେ। ଏଥିରୁ ଆମର ଭଲ ଦି ପଇସା ରୋଜଗାର ହେଉଥିଲା। କୁମ୍ଭାର ତୋଳାରେ ପ୍ରାୟ ୧୨୦ଟି ପରିବାର ମାଟି କାରିଗରୀ କରୁଥିଲେ। ଏହି ସଂଖ୍ୟା ଏହବେ ୮କୁ ଖସି ଆସିଛି। ”

ସୁଦାମାଙ୍କ ଏହା ଦୁଃଖ ପାଲଟିଛି, କିନ୍ତୁ ତାଙ୍କ ମନୋବଳ ଭାଙ୍ଗିନି। ସେ ଖୁବ ବାସ୍ତବବାଦୀ ଏବଂ ନୂଆ ନୂଆ ଦକ୍ଷତା ଶିଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ୨୦୧୪ରେ ସେ ଉତ୍ତର ପ୍ରଦେଶ ମିରଜାପୁର ନିକଟରେ ଥିବା ଚୁନାର ସହରକୁ ଯାଇଥିଲେ। ପ୍ଲାଷ୍ଟର ଅଫ ପ୍ୟାରିସ୍ ଏବଂ ସିମେଣ୍ଟ କାମ ପାଇଁ ଏଠାରେ ଥିବା କାରିଗରଙ୍କର ବେଶ ପ୍ରସିଦ୍ଧି ରହିଛି। ଏହି ଦୁଇଟି ଜିନିଷରେ କିଭଳି ମୂର୍ତ୍ତି ତିଆରି ହୁଏ, ଏଠାକୁ ଆସି ସେ ଶିଖି ଯାଇଥିଲେ। ଏହାର ବଜାର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଏଥିରେ ମେସିନ ବ୍ୟବହାର ଦ୍ୱାରା ଉତ୍ପାଦନ ବଢିବା ସହ ଭଲ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ହୋଇ ପାରୁଛି। ଘରକୁ ଫେରି ସୁଦାମା ସିମେଣ୍ଟ କାମ ଆରମ୍ଭ କରିଦେଇଥିଲେ। ମୂର୍ତ୍ତି ତିଆରି କରି ଏଥିରୁ ଅଧିକ ଅର୍ଥ ରୋଜଗାର ଉଦ୍ୟମ କରିଥିଲେ।

ତାଙ୍କର ଏବଂ ଶାନ୍ତିଙ୍କର ଘର କାମର ସମୟ ସାରଣୀ ବଦଳି ଯାଇଥିଲା। ସେ କହନ୍ତି, "ଆମେ ନିଜେ ବି ମାଟି ନୁହେଁ, ଆଲୁମିନିୟମ ବାସନରେ ରୋଷେଇ କରୁଛୁ। ଖୁବ୍ କମ୍ ଖର୍ଚ୍ଚରେ ତିଆରି କରି ତାଙ୍କ ସହ ପ୍ରତିଯୋଗିତା କରିବା ସମ୍ଭବ ନୁହେଁ, ମୁଁ ଚାହୁଁନି ମୋ ପିଲାମାନେ ଏଇ କାମ କରନ୍ତୁ। ସହରରେ ଆହୁରି ଅନେକ ବ୍ୟବସ୍ଥା ଅଛି।"

ଅନୁବାଦ: ଓଡ଼ିଶାଲାଇଭ୍‍

Shubha Srishti

शुभा सृष्टि मुंबई के टाटा इंस्टीट्यूट ऑफ सोशल साइंसेज़ के स्कूल ऑफ सोशल वर्क में एमफिल-पीएचडी की छात्रा हैं।

की अन्य स्टोरी Shubha Srishti
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE