ମାଗଣାରେ ମଧ୍ୟାହ୍ନଭୋଜନ ଭଳି କିଛି ନାହିଁ।
ସମ୍ଭବତଃ, ଆପଣ ଏକ ଭାଗ୍ୟବାନ୍ ଗାଈ, ଯାହାକି ଆସାମରେ ଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଥିବା ଏକ ଦ୍ୱୀପ, ମାଜୁଲିର ଏକ ବ୍ୟସ୍ତବହୁଳ ନୌକାଘାଟ କମଳାବାଡ଼ି ଘାଟରେ ଥିବା ଖାଦ୍ୟ ଷ୍ଟଲଗୁଡ଼ିକୁ ଚାହିଁରହିଛି ।
ମୁକ୍ତା ହଜାରିକା ଏହିସବୁ କଥାକୁ ଭଲ ଭାବେ ଜାଣିଛନ୍ତି। ଆମ ସହ କଥୋପକଥନ ମଝିରେ ସେ ହଠାତ୍ ଅଟକିଗଲେ, ଯେତେବେଳେ ସେ ନିଜର ଭୋଜନାଳୟ ସାମ୍ନାରେ କିଛି ଖଡ଼ଖଡ଼ ଶବ୍ଦ ଶୁଣିଲେ ଯେଉଁଠାରେ ଗୋଟିଏ ଗାଈ ଜବରଦସ୍ତ ପଶିଆସି କାଉଣ୍ଟରରେ ରଖାଯାଇଥିବା କିଛି ଖାଦ୍ୟ ଖାଇବାକୁ ଚେଷ୍ଟା କରୁଥିଲା ।
ସେ ଗାଈଟିକୁ ପରିସରରୁ ଘଉଡ଼ାଇଦେଲେ, ବୁଲିପଡ଼ିଲେ ଏବଂ ହସିଲେ, ‘‘ମୁଁ ମୋର ହୋଟେଲ୍କୁ [ଖାଦ୍ୟ ଷ୍ଟଲ]କୁ ଗୋଟିଏ ମିନିଟ୍ରୁ ଅଧିକ ସମୟ ପାଇଁ ବି ଛାଡ଼ିଯାଇପାରିବି ନାହିଁ। ନିକଟରେ ଚରୁଥିବା ଗାଈଗୁଡ଼ିକ ଖାଇବାପାଇଁ ଆସନ୍ତି ଏବଂ ଏହି ସ୍ଥାନରେ ଘଣ୍ଟାଚକଟା କରିଦିଅନ୍ତି।’’
୧୦ଟି ଆସନ ବିଶିଷ୍ଟ ଏହି ଭୋଜନାଳୟରେ ମୁକ୍ତା ତିନି ଜଣଙ୍କର କାମ କରନ୍ତି: ରୋଷେୟା, ଖାଦ୍ୟ ପରଷୁଥିବା ବ୍ୟକ୍ତି ଓ ମାଲିକ। ତେଣୁ ହୋଟେଲଟି ତାଙ୍କ ନାମ ଅନୁସାରେ – ‘ହୋଟେଲ୍ ହଜାରିକା’ ହେବା ଯଥାର୍ଥ।
କିନ୍ତୁ ଷଷ୍ଠ ବର୍ଷ ପାଇଁ ସଫଳତାର ସହ ଚାଲୁଥିବା ହୋଟେଲ୍ ହଜାରିକା ୨୭ ବର୍ଷୀୟା ମୁକ୍ତାଙ୍କର ଏକମାତ୍ର ଉପଲବ୍ଧି ନୁହେଁ। ସେ ମନୋରଞ୍ଜନ ଦୁନିଆର ତିନିଟି କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠିତ - ଜଣେ ଅଭିନେତା, ନୃତ୍ୟଶିଳ୍ପୀ ଓ ଗାୟକ – ସେ ମଧ୍ୟ ଜଣେ ଦକ୍ଷ ମେକ୍ଅପ୍ ଆର୍ଟିଷ୍ଟ ଯିଏକି ଅବସରର ଚାହିଦା ଅନୁସାରେ ମାଜୁଲିର ଲୋକମାନେ ଯେପରି ଅତି ସୁନ୍ଦର ଦେଖାଯିବେ ଏବଂ ଅନୁଭବ କରିବେ ତାହା ସୁନିଶ୍ଚିତ କରନ୍ତି।
ଆମକୁ ଏହା ଦେଖିବାକୁ ଥିଲା। କିନ୍ତୁ ଏହି ସମୟରେ ତାଙ୍କୁ ଲୋକଙ୍କୁ ଖାଦ୍ୟ ଦେବାକୁ ଥିଲା।
ପ୍ରେସର କୁକରର ଶବ୍ଦ ଶୁଭିଲା। ମୁକ୍ତା ଢାଙ୍କୁଣି ଖୋଲିଲେ ଏବଂ ତା’ ଭିତରେ ଘାଣ୍ଟିଲେ, ଏବଂ ଧଳା ଚଣା ଡାଲି ତରକାରୀର ସୁଗନ୍ଧ ବାୟୁମଣ୍ଡଳରେ ବ୍ୟାପିଗଲା। ସେ ଅଦଳବଦଳ କରି ଡାଲି ଘାଣ୍ଟୁଥିଲେ ଏବଂ ସହଜରେ ରୁଟି ତିଆରି କରୁଥିଲେ – ଆମେ ଜାଣିବାକୁ ପାଇଲୁ ଯେ ଘାଟ ରେ ଭୋକିଲା ଯାତ୍ରୀ ଓ ଅନ୍ୟମାନଙ୍କ ପାଇଁ ସେ ପ୍ରତିଦିନ ପ୍ରାୟ ୧୫୦ଟିରୁ ଅଧିକ ରୁଟି ତିଆରି କରିଥାଆନ୍ତି।
ମାତ୍ର କିଛି ମିନିଟ୍ ମଧ୍ୟରେ, ଆମ ସାମ୍ନାରେ ଦୁଇଟି ପ୍ଲେଟ୍ ଥୁଆ ହୋଇଥିଲା। ସେଥିରେ ରୁଟି , ଏକ ଫୁଲିଥିବା ଓମ୍ଲେଟ୍, ଡାଲି , କିଛି କଟା ପିଆଜ ଏବଂ ଦୁଇଟି ଚଟଣି: ପୁଦିନା ଓ ନଡ଼ିଆ ଥିଲା। ଦୁଇଜଣକ ପାଇଁ ଏହି ସୁଆଦିଆ ଖାଦ୍ୟର ମୂଲ୍ୟ ୯୦ ଟଙ୍କା।
କିଛି ସମୟ ବୁଝାଇବା ପରେ, ଲାଜ କରି ମୁକ୍ତା ଆମ କଥା ମାନିଲେ। ‘‘ଆସନ୍ତାକାଲି ସଂଧ୍ୟା ଛଅଟାରେ ଘରକୁ ଆସନ୍ତୁ, ଏବଂ ମୁଁ ଆପଣଙ୍କୁ ଏହା କିପରି ହୁଏ ତାହା ଦେଖାଇବି।’’
*****
ଆମେ ଯେତେବେଳେ ମାଜୁଲିର ଖୋରାହୋଲା ଗାଁରେ ଥିବା ମୁକ୍ତାଙ୍କର ଘରେ ପହଞ୍ଚିଲୁ, ଆମେ ଅନୁଭବ କଲୁ, ଆମେ ଏଠାରେ ଏକୁଟିଆ ନାହୁଁ। ସମ୍ପର୍କୀୟ, ବନ୍ଧୁ ଏବଂ ପଡ଼ୋଶୀମାନେ ମୁକ୍ତାଙ୍କ ଦ୍ୱାରା ଜଣେ ପଡ଼ୋଶୀ ଏବଂ ଭଲ ବନ୍ଧୁ ୧୯ ବର୍ଷୀୟା ରୁମି ଦାସଙ୍କ ମେକ୍ଅପ୍ ହେଉଥିବା ଦେଖିବାକୁ ଆସିଥିଲେ। ମାଜୁଲିରେ ଥିବା ମାତ୍ର ଦୁଇ ବା ତିନିଜଣ ପୁରୁଷ ମେକ୍ଅପ୍ ଆର୍ଟିଷ୍ଟଙ୍କ ମଧ୍ୟରେ ମୁକ୍ତା ଅନ୍ୟତମ।
ମୁକ୍ତା ଏକ ଡଫେଲ୍ ବ୍ୟାଗ୍ରୁ ବିଭିନ୍ନ ପ୍ରକାରର ମେକ୍ଅପ୍ ସାମଗ୍ରୀ ବାହାର କରି ଆରମ୍ଭ କଲେ। କନସିଲର ଟ୍ୟୁବ୍, ଫାଉଣ୍ଡେସନ୍ ବଟଲ୍, ବ୍ରସ୍, କ୍ରିମ୍, ଆଇସ୍ୟାଡୋର ପାଲେଟ୍ ଏବଂ ଅନ୍ୟ ସାମଗ୍ରୀଗୁଡ଼ିକୁ ଏକ ବିଛଣା ଉପରେ ସଜାଉ ସଜାଉ ସେ କହିଲେ, ‘‘ଏହିସବୁ ମେକ୍ଅପ୍ ଜୋରହାଟ୍ରୁ[ନୌକାରେ ପ୍ରାୟ ଦେଢ଼ ଘଣ୍ଟାର ରାସ୍ତା] ଅଣାଯାଇଛି।’’
ଆମେ ଆଜି କେବଳ ମେକ୍ଅପ୍ ନୁହେଁ; ପୁରା ପ୍ୟାକେଜ୍ ପାଉଛୁ। ମୁକ୍ତା ରୁମିଙ୍କୁ ପୋଷାକ ବଦଳାଇବା ପାଇଁ କହିଲେ ଏବଂ କିଛି ମିନିଟ୍ ମଧ୍ୟରେ ରୁମି ଏକ ପାରମ୍ପରିକ ଆସାମୀ ଶାଢ଼ି ମେଖଲା ଚାଦର ପିନ୍ଧି ଆସିଲେ। ସେ ବସିପଡିଲେ, ମୁକ୍ତା ଗୋଟିଏ ରିଙ୍ଗ ଲାଇଟ୍ ଜଳାଇଲେ ଏବଂ ତାଙ୍କର ଯାଦୁକରି ଆରମ୍ଭ କଲେ।
ରୁମିଙ୍କ ମୁହଁରେ ଚତୁରତାର ସହିତ ଏକ ପ୍ରାଇମର (ଭଲ ମେକ୍ଅପ୍ ଲାଗିବା ପାଇଁ ମୁହଁକୁ ମସୃଣ କରିବାକୁ ଲଗାଯାଉଥିବା ଏକ କ୍ରିମ୍ ବା ଜେଲ୍) ଲଗାଉ ଲଗାଉ ସେ କହିଲେ, ‘‘ମୁଁ ପ୍ରାୟ ୯ ବର୍ଷର ହୋଇଥିବା ବେଳେ ଭାଓନା (ଆସାମରେ ପ୍ରଚଳିତ ଧାର୍ମିକ ବାର୍ତ୍ତା ଦେଉଥିବା ଏକ ପାରମ୍ପରିକ ମନୋରଞ୍ଜନର ରୂପ) ଦେଖିବା ଆରମ୍ଭ କରିଥିଲି। ଏବଂ କଳାକାରମାନେ ଲଗାଉଥିବା ମେକ୍ଅପ୍କୁ ମୁଁ ପସନ୍ଦ ଓ ପ୍ରଶଂସା କରୁଥିଲି।’’
ସେଇଠାରୁ ତାଙ୍କର ମେକଅପ୍ ଦୁନିଆ ପ୍ରତି ଆକର୍ଷଣ ସୃଷ୍ଟି ହେଲା, ଯାହାକୁ ସେ ମାଜୁଲିରେ ହେଉଥିବା ପ୍ରତି ଉତ୍ସବ ଓ ନାଟକରେ ପ୍ରୟୋଗ କରୁଥିଲେ।
ଏପରିକି ମହାମାରୀ ପୂର୍ବରୁ ମୁକ୍ତା ତାଙ୍କର ଦକ୍ଷତାକୁ ବୃଦ୍ଧି କରିବା ଲାଗି କିଛି ପ୍ରଫେସନାଲ ସହାୟତା ବି ପାଇଥିଲେ। ସେ କହିଲେ, ‘‘ମୁଁ ମେକଅପ୍ ଆର୍ଟିଷ୍ଟ ପୂଜା ଦତ୍ତା ଯିଏକି ଗୌହାଟୀରେ ଆସାମୀ ଧାରାବାହିକ ଓ ଫିଲ୍ମରେ କାମ କରନ୍ତି ତାଙ୍କୁ କମଳାବାଡ଼ି ଘାଟ ରେ ଭେଟିଥିଲି। ଏବଂ ସେ ଆପଣଙ୍କ ଭଳି ମୋ’ ସହିତ କଥା ହେବା ଆରମ୍ଭ କରିଥିଲେ।’’ ପୂଜା ମୋର ଆଗ୍ରହ ଦେଖି ସହାୟତା କରିବାକୁ ପ୍ରସ୍ତାବ ଦେଇଥିଲେ।
ସେ ରୁମିଙ୍କ ମୁହଁରେ ଫାଉଣ୍ଡେସନ୍ର ଏକ ପତଳା ପ୍ରଲେପ ଲଗାଇଲେ ଏବଂ କଥାବାର୍ତ୍ତା ଜାରି ରଖିଲେ। ମୁକ୍ତା କହିଲେ, “ମୋର ମେକ୍ଅପ୍ରେ ଆଗ୍ରହ ଥିବା କଥା ପୂଜା ଜାଣିଲେ ଏବଂ ଗୋରାମୁର କଲେଜ୍ରେ ସେ ପଢ଼ାଉଥିବା କୋର୍ସରେ ମୁଁ ଆସି ପଢ଼ିପାରିବି ବୋଲି କହିଲେ। ସମ୍ପୂର୍ଣ୍ଣ କୋର୍ସ ୧୦ ଦିନର ଥିଲା କିନ୍ତୁ ମୁଁ କେବଳ ତିନି ଦିନ ଯାଇପାରିଲି। ହୋଟେଲ୍ ଯୋଗୁଁ ଅଧିକ କ୍ଲାସ୍ କରିବାକୁ ମୋ ପାଖରେ ସମୟ ନ ଥିଲା। କିନ୍ତୁ ତାଙ୍କ ନିକଟରୁ ମୁଁ କେଶ ବିନ୍ୟାସ ଏବଂ ମେକ୍ଅପ୍ ସମ୍ପର୍କରେ ଅଧିକ ଜାଣିଲି।’’
ମୁକ୍ତା ଏବେ ସହଜରେ ରୁମିଙ୍କ ଆଖିର ମେକ୍ଅପ୍ କରିବା ଆରମ୍ଭ କରୁଛନ୍ତି – ଯାହାକି ମେକ୍ଅପ୍ର ସବୁଠାରୁ ଜଟିଳ କାମ।
ରୁମିଙ୍କ ଆଖିରେ ଫ୍ଲୁରୋସେଣ୍ଟ ଆଇ ସ୍ୟାଡୋ ଲଗାଇବା ବେଳେ ସେ ଆମକୁ କହିଲେ ଯେ ସେ ମଧ୍ୟ ଅଭିନୟ, ନୃତ୍ୟ ଏବଂ ଗୀତ ଗାଆନ୍ତି, ପ୍ରାୟତଃ ଭାଓନା ଉତ୍ସବରେ। ରୁମିଙ୍କ ଉପରେ ମେକ୍ଅପ୍ ଲଗାଇବାବେଳେ, ସେ ଏହା ମଧ୍ୟରୁ ଗୋଟିଏ କରିପାରିବେ; ସେ ଗୀତ ଗାଇବା ଆରମ୍ଭ କଲେ। ଅହମିଆ ଗୀତ ରାତି ରାତି ସମ୍ପର୍କରେ ତାଙ୍କର ଭାବପୂର୍ଣ୍ଣ ଉପସ୍ଥାପନା ଜଣେ ଏମିତି ବ୍ୟକ୍ତିଙ୍କ ବାବଦରେ ଯିଏ ନିଜର ପ୍ରେମୀଙ୍କ ପାଇଁ ବ୍ୟାକୁଳ ହେଉଛନ୍ତି। ଆମେ ମନେ ମନେ ଭାବୁଥିଲୁ, ଏଠାରେ ହଜାର ହଜାର ଅନୁଗାମୀ ଥିବା ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ୍ର ଅଭାବ ଅଛି।
ଗତ ଦଶକରେ, ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ ଏବଂ ଟିକ୍ଟକ୍ରେ ଆତ୍ମପ୍ରତିଷ୍ଠିତ ମେକ୍ଅପ୍ କଳାକାରମାନଙ୍କର ପ୍ରସାର ଦେଖାଯାଇଛି। ଏହି ପ୍ଲାଟ୍ଫର୍ମଗୁଡ଼ିକ ଏହିଭଳି ହଜାର ହଜାର ଲୋକମାନଙ୍କୁ ଲୋକପ୍ରିୟ କରିଦେଇଛି, ଯେତେବେଳେକି ଏହା ଦର୍ଶକମାନଙ୍କୁ ଢାଞ୍ଚା ପ୍ରସ୍ତୁତି, କନସିଲ୍, ରଙ୍ଗ ସଂଶୋଧନ ଏବଂ ଆହୁରି ଅନେକ କିଛି ଶିଖିବାରେ ସାହାଯ୍ୟ କରିଛି। ଏଥିରୁ ଅନେକ ଭିଡିଓ ବିଭିନ୍ନ ପ୍ରକାରର ପ୍ରଡକ୍ସନ୍, ଯେଉଁଥିରେ କଳାକାରମାନେ ମେକ୍ଅପ୍ କରିବା ସମୟରେ ଗୀତ ଗାଆନ୍ତି, ରାପ୍ କରନ୍ତି ବା ଫିଲ୍ମର ପ୍ରସିଦ୍ଧ ଦୃଶ୍ୟଗୁଡ଼ିକର ଅଭିନୟ କରନ୍ତି।
‘‘ସେ ଜଣେ ବହୁତ ଭଲ ଅଭିନେତା। ଆମେ ତାଙ୍କୁ ଅଭିନୟ କରୁଥିବା ଦେଖିବାକୁ ପସନ୍ଦ କରୁ,’’ ମୁକ୍ତାଙ୍କର ସବୁଠାରୁ ନିକଟତମ ବନ୍ଧୁଙ୍କ ମଧ୍ୟରୁ ଜଣେ ଏବଂ ରୁମିଙ୍କ ପରିବର୍ତ୍ତନକୁ ଦେଖିବା ପାଇଁ କୋଠରୀରେ ଥିବା ଲୋକଙ୍କ ମଧ୍ୟରୁ ଅନ୍ୟତମ ୧୯ ବର୍ଷୀୟ ବନମାଳି ଦାସ କହିଲେ। ‘‘ସେ ଜଣେ ଈ ଶ୍ୱ ରଦତ୍ତ ପ୍ରତିଭାଶାଳୀ ବ୍ୟକ୍ତି। ବହୁତ ଅଧିକ ପୂର୍ବାଭ୍ୟାସ କରିବାର ଆବଶ୍ୟକତା ନାହିଁ। ସେ ଏହାକୁ ଧରିପାରନ୍ତି।’’
ପରଦା ଆଢୁଆଳରେ ରହି ପ୍ରାୟ ୫୫ ବର୍ଷୀୟା ଜଣେ ମହିଳା ଆମକୁ ଦେଖି ସ୍ମିତହାସ୍ୟ ଦେଲେ। ମୁକ୍ତା ତାଙ୍କୁ ନିଜର ମା’ ବୋଲି ଆମ ସହ ପରିଚିତ କରାଇଲେ। ‘‘ମୋର ମା, ପ୍ରେମା ହଜାରିକା ଏବଂ ମୋର ବାପା, ଭାଇ ହଜାରିକା ମୋର ସବୁଠାରୁ ବଡ଼ ସମର୍ଥକ ରହିଆସିଛନ୍ତି। ମୁଁ କିଛି କରିପାରିବି ନାହିଁ ବୋଲି ମୋତେ କେବେ ବି କହିନାହାନ୍ତି। ମୋତେ ସବୁବେଳେ ଉତ୍ସାହିତ କରାଯାଇଥିଲା।’’
ସେ କେତେ ସଂଖ୍ୟାରେ ଏହି କାମ କରିବାକୁ ପାଆନ୍ତି ଏବଂ ଏହା ତାଙ୍କ ଆୟରେ ସହଯୋଗ କରେ କି ବୋଲି ଆମେ ତାଙ୍କୁ ପଚାରିଲୁ। ସେ କହିଲେ, ‘‘ବ୍ରାଇଡାଲ୍ ମେକ୍ଅପ୍ ସାଧାରଣତଃ ୧୦,୦୦୦ ଟଙ୍କା ପଡ଼େ। ସ୍ଥିର ଚାକିରି ଥିବା ଲୋକଙ୍କଠାରୁ ମୁଁ ୧୦,୦୦୦ ଟଙ୍କା ନିଏ। ଏମିତି ଗ୍ରାହକ ମୁଁ ବର୍ଷକୁ ଗୋଟିଏ ପାଏ।’’ ‘‘ଏତେ ବେଶୀ ଟଙ୍କା ଦେଇପାରୁନଥିବା ଲୋକଙ୍କ ପାଇଁ ସେମାନେ ଯେତିକି ସକ୍ଷମ ସେତିକି ଦେବାକୁ ମୁଁ କହେ।’’ ପତଳା ବା ହାଲୁକା ମେକ୍ଅପ୍ ପାଇଁ, ମୁକ୍ତା ଦୁଇ ହଜାର ଟଙ୍କା ନିଅନ୍ତି। ‘‘ଏହା ସାଧାରଣତଃ ପୂଜା , ବିବାହ ଏବଂ ପାର୍ଟିଗୁଡ଼ିକ ପାଇଁ କରାଯାଏ।
ମୁକ୍ତା କିଛି ନକଲି ଆଇଲାସ୍ ଲଗାଇ ରୁମିଙ୍କର ‘ଲୁକ୍’କୁ ସମ୍ପୂର୍ଣ୍ଣ କଲେ, ତାଙ୍କ ଚୁଟିରେ ଏକ ଢିଲା ଖୋସା କଲେ ଏବଂ ମୁହଁରେ କିଛି କେଶକୁ କୁଞ୍ଚକୁଞ୍ଚିଆ କରି ପକାଇଲେ। ଯେତେବେଳେ ଏହା ସରିଗଲା, ରୁମି ଅତି ସୁନ୍ଦର ଦିଶିଲେ। ସେ ଲାଜେଇ ଯାଇ କହିଲେ, ‘‘ବହୁତ ଅଚ୍ଛା ଲଗତା ହୈ । ବହୁତ ବାର୍ ମେକ୍ଅପ୍ କିୟା [ବହୁତ ଭଲ ଲାଗୁଛି, ଅନେକ ଥର ମେକ୍ଅପ୍ କରିଛି]।’’
ଆମେ ସେହି ସ୍ଥାନ ଛାଡୁଥିବାବେଳେ ମୁକ୍ତାଙ୍କର ବାପା, ୫୬ ବର୍ଷୀୟ ଭାଇ ହଜାରିକାଙ୍କୁ ଦେଖିଲୁ, ଯିଏକି ନିଜର ପୋଷା ବିଲେଇ ସହ ହଲ୍ରେ ବସିଥିଲେ। ରୁମିଙ୍କର ଲୁକ୍ ଏବଂ ମୁକ୍ତାଙ୍କର ଦକ୍ଷତା ବାବଦରେ ସେ କ’ଣ ଭାବୁଛନ୍ତି ଆମେ ତାଙ୍କୁ ପଚାରିଲୁ। ‘‘ମୁଁ ମୋ ପୁଅକୁ ନେଇ ଓ ତା’ର କାମକୁ ନେଇ ଖୁବ୍ ଗର୍ବିତ।’’
*****
କିଛି ଦିନ ପରେ କମଲାବାଡ଼ି ଘାଟ ରେ ତାଙ୍କ ରେସ୍ତୋରାଁରେ ଆଉ ଏକ ମିଲ୍ ଖାଇବାବେଳେ ମୁକ୍ତା ତାଙ୍କର ସାଧାରଣ ଦିନଚର୍ଯ୍ୟା ବାବଦରେ ବ୍ୟାଖ୍ୟା କଲେ, ସେ ଏବେ ନରମଭାବେ କଥା କହୁଥିଲେ, ଯାହା ସହ ଆମେ ପରିଚିତ ହୋଇଯାଇଥିଲୁ।
ହୋଟେଲ୍ ହଜାରିକା ଚଳାଇବା ଲାଗି ପ୍ରସ୍ତୁତି ସେ ଘାଟରେ ପାଦ ଦେବା ପୂର୍ବରୁ ଆରମ୍ଭ ହୋଇଯାଏ। ଯେଉଁଠାରେ କି ହଜାର ହଜାର ସଂଖ୍ୟାରେ ଯାତ୍ରୀ ମାଜୁଲିରୁ ବ୍ରହ୍ମପୁତ୍ର ଦେଇ ଯିଆଆସିବା କରନ୍ତି। ପ୍ରତିଦିନ ସକାଳ ୫.୩୦ରେ ମୁକ୍ତା ଦୁଇ ଲିଟର ପିଇବା ପାଣି, ଡାଲି, ଅଟା, ଚିନି, କ୍ଷୀର ଏବଂ ଅଣ୍ଡା ନିଜ ବାଇକ୍ରେ ନେଇ ନିଜ ଗାଁ ଖୋରାହୋଲାରୁ ବାହାରି ୧୦ ମିନିଟ୍ ରାସ୍ତା ଦୂରରେ ଥିବା ଘାଟ କୁ ଆସନ୍ତି। ସାତ ବର୍ଷ ହେଲା, ଏହା ହିଁ ତାଙ୍କର ରୁଟିନ୍ ରହିଆସିଛି। ଭୋର ସମୟରୁ ଉଠିବାଠାରୁ ନେଇ ଅପରାହ୍ନ ୪.୩୦ ଯାଏଁ ପୁରା ବ୍ୟସ୍ତ ରହିନ୍ତି।
ହୋଟେଲ୍ ହଜାରିକାରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଅଧିକାଂଶ ସାମଗ୍ରୀ, ତାଙ୍କ ପରିବାରର ତିନି ବିଘା [ପ୍ରାୟ ଏକ ଏକର] ଜମିରେ ଉତ୍ପାଦନ ହୋଇଥାଏ। ମୁକ୍ତା କହନ୍ତି, ‘‘ଆମେ ଧାନ, ବିଲାତି, ଆଳୁ, ପିଆଜ, ରସୁଣ, ସୋରିଷ, ବୋଇତାଳୁ, ବନ୍ଧାକୋବି, ଏବଂ ଲଙ୍କା ଉତ୍ପାଦନ କରୁ।’’ ସେ ଗର୍ବର ସହ କହନ୍ତି, ‘‘ଲୋକେ ଦୁଧ ୱାଲି ଚାଏ [କ୍ଷୀର ଚା] ପିଇବା ପାଇଁ ଏଠାକୁ ଆସନ୍ତି ;ତାଙ୍କ ଫାର୍ମରେ ଥିବା ୧୦ଟି ଗାଈଙ୍କଠାରୁ କ୍ଷୀର ଉତ୍ପାଦିତ ହୁଏ।
ଡଙ୍ଗାଘାଟରେ ଟିକଟ ବିକ୍ରେତା ଥିବା ୩୮ ବର୍ଷୀୟ ରୋହିତ ଫୁକନ, ଜଣେ ଚାଷୀ ଏବଂ ମୁକ୍ତାଙ୍କ ଭୋଜନାଳୟରେ ଜଣେ ନିୟମିତ ଗ୍ରାହକ, ହୋଟେଲ୍ ହଜାରିକା ବାବଦରେ ପ୍ରଶଂସା କରି କହନ୍ତି: ‘‘ଏହା ଏକ ଭଲ ଦୋକାନ, ଭାରି ପରିଷ୍କାର।’’
ହୋଟେଲ୍ ହଜାରିକାର ଗର୍ବିତ ମାଲିକ କହିଲେ, ‘‘ଲୋକେ କହନ୍ତି, ‘ମୁକ୍ତା ତୁମେ ଭଲ ରୋଷେଇ କରୁଛ’। ଏହା ମୋତେ ଭଲଲାଗେ ଏବଂ ମୁଁ ଦୋକାନ ଚଲାଇବା ଲାଗି ପ୍ରେରିତ ହୁଏ।’’
କିନ୍ତୁ ମୁକ୍ତା ଏକଦା ନିଜ ପାଇଁ ଏହି ପ୍ରକାରର ଗୋଟିଏ ଜୀବନର ସ୍ୱପ୍ନ ଦେଖିନଥିଲେ। ଆମ ପାଇଁ ଚା’ ପ୍ରସ୍ତୁତ କରିବା ବେଳେ ସେ କହିଲେ, ‘‘ମୁଁ ମାଜୁଲି କଲେଜରୁ ସୋସିଓଲୋଜିରେ ସ୍ନାତକ ହାସଲ କରିବା ପରେ, ଗୋଟିଏ ସରକାରୀ ଚାକିରି ଚାହୁଁଥିଲି। କିନ୍ତୁ ତାହା ମୋତେ ମିଳିଲା ନାହିଁ। ତେଣୁ ତା’ବଦଳରେ ମୁଁ ହୋଟେଲ୍ ହଜାରିକା ଆରମ୍ଭ କଲି। ପ୍ରଥମେ ମୋ ସାଙ୍ଗମାନେ ମୋ ହୋଟେଲ୍କୁ ଆସିବାବେଳେ ମୁଁ ଲଜ୍ଜିତ ଅନୁଭବ କରୁଥିଲି। ସେମାନେ ସରକାରୀ ଚାକିରିଆ ଆଉ ମୁଁ ଏଠାରେ କେବଳ ଜଣେ ରୋଷେୟା। ‘‘ମୁଁ ମେକ୍ଅପ୍ କରିବା ବେଳେ ଲାଜ ଅନୁଭବ କରେନାହିଁ। ମୁଁ ରୋଷେଇ କରିବା ବେଳେ ଲାଜ ଅନୁଭବ କରୁଥିଲି, କିନ୍ତୁ ମେକ୍ଅପ୍ କରିବାବେଳେ ନୁହେଁ।’’
ତେବେ ଗୌହାଟି ଭଳି ବଡ଼ ସହରରେ ଏହି ଦକ୍ଷତା ନେଇ ଥିବା ସୁଯୋଗ ଉପରେ କେବଳ କାହିଁକି ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବନାହିଁ ? ‘‘ମୁଁ କରିପାରିବି ନାହିଁ, ମୋର ଏଠାରେ ମାଜୁଲିରେ ଦାୟିତ୍ୱ ଅଛି।’’ ଟିକିଏ ଅଟକିଯାଇ ସେ ଆହୁରି କହିଲେ, ‘‘ମୁଁ କାହିଁକି କରିବି ? ମୁଁ ଏହିଠାରେ ରହିବାକୁ ଚାହୁଁଛି ଏବଂ ମାଜୁଲିର ଝିଅମାନଙ୍କୁ ମଧ୍ୟ ସୁନ୍ଦର ଦିଶିବାକୁ ସଜେଇବାକୁ ଚାହୁଁଛି।’’
ତାଙ୍କର ସରକାରୀ ଚାକିରି ହେଲା ନାହିଁ କିନ୍ତୁ ସେ ଆଜି ଖୁସି ଥିବା କହନ୍ତି। ‘‘ମୁଁ ଦୁନିଆ ବୁଲିବାକୁ ଚାହିଁବି ଏବଂ ଦେଖିବି ସେଠାରେ କ’ଣ ଅଛି। କିନ୍ତୁ ମୁଁ ମାଜୁଲି ଛାଡ଼ିବାକୁ ଚାହିଁବି ନାହିଁ, ଏହା ଏକ ସୁନ୍ଦର ସ୍ଥାନ।’’
ଅନୁବାଦ: ଓଡ଼ିଶାଲାଇଭ୍