ବର୍ଷ ଥିଲା ୧୯୯୭ ।

ଫୁଟବଲ୍ ସିନିୟର ମହିଳା ଜାତୀୟ ଫୁଟବଲ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ପରସ୍ପର ବିରୋଧରେ ଅବତୀର୍ଣ୍ଣ ହୋଇଥିଲେ ପଶ୍ଚିମବଙ୍ଗ ଏବଂ ମଣିପୁର । ଏହି ବାର୍ଷିକ ଅନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟର ଶେଷ ତିନିଟି ଫାଇନାଲ୍‌ରେ ବେଙ୍ଗଲ ମଣିପୁରଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଏବେ ସେମାନେ ସେମାନଙ୍କର ହଳଦିଆ ଓ ଖଇରିଆ ରଙ୍ଗର ଜର୍ସି ପିନ୍ଧି ଦୃଢ଼ ଭାବେ ପ୍ରସ୍ତୁତ ଥିଲେ । ଫୁଟବଲ୍ ଖେଳାଳି ବନ୍ଦନା ପଲ୍ ପଶ୍ଚିମବଙ୍ଗ ହଳଦିଆ ସହରର ଦୁର୍ଗାଚକ ଷ୍ଟାଡିୟମରେ ନିଜର ଘରୋଇ ଟର୍ଫରେ ଉପସ୍ଥିତ ଥିଲେ ।

ହ୍ଵିସିଲ୍‌ ବାଜିଲା ଏବଂ ମ୍ୟାଚ୍‌ ଆରମ୍ଭ ହେଲା ।

ପୂର୍ବରୁ, ୧୬ ବର୍ଷୀୟ ଷ୍ଟ୍ରାଇକର ଚାମ୍ପିଅନ୍‌ସିପ୍‌ର କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ଏକ ହ୍ୟାଟ୍ରିକ୍‌ ସ୍କୋର କରିଥିଲେ । ସେହି ମ୍ୟାଚ୍‌ରେ ପଶ୍ଚିମବଙ୍ଗ, ଗୋଆ ବିରୋଧରେ ବିଜୟ ଲାଭ କରିଥିଲା, କିନ୍ତୁ ସେଥିରେ ପଲ୍‌ଙ୍କର ବାମ ଗୋଇଠି ଆଘାତପ୍ରାପ୍ତ ହୋଇଥିଲା: ‘‘ତଥାପି ମୁଁ ସେମିଫାଇନାଲ୍‌[ପଞ୍ଜାବ ବିରୋଧରେ] ଖେଳିଲି କିନ୍ତୁ ମୁଁ ଯନ୍ତ୍ରଣାରେ ଥିଲି। ସେହିଦିନ ଯେତେବେଳେ ଆମେ ଫାଇନାଲ୍‌ରେ ପହଞ୍ଚିଲୁ, ମୁଁ ଛିଡ଼ା ବି ହୋଇପାରିଲି ନାହିଁ।’’

ପଲ୍‌, ପଶ୍ଚିମବଙ୍ଗର ସର୍ବକନିଷ୍ଠ ଖେଳାଳି, ବେଞ୍ଚରେ ବସି ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ ଦେଖିଲେ। ମ୍ୟାଚ୍‌ରେ ମାତ୍ର କିଛି ମିନିଟ୍‌ ବାକି ଥିଲା ଏବଂ କୌଣସି ଟିମ୍‌ ସ୍କୋର କରି ନ ଥିଲା। ପଶ୍ଚିମବଙ୍ଗର କୋଚ୍‌ ଶାନ୍ତି ମଲ୍ଲିକ୍‌ ଖୁସି ନ ଥିଲେ। ଏବଂ ତାଙ୍କର ଚାପ ଆହୁରି ବଢ଼ାଇ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କ୍ରୀଡ଼ାମନ୍ତ୍ରୀ ୧୨,୦୦୦ ଆସନ କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍‌ର ଦର୍ଶକଙ୍କ ମଧ୍ୟରେ ସାମିଲ ଥିଲେ। ମଲ୍ଲିକ୍‌ ପଲ୍‌ଙ୍କୁ ପ୍ରସ୍ତୁତ ହେବାକୁ କହିଲେ। ପଲ୍‌ କହିଲେ, ‘‘ମୋର ସ୍ଥିତିକୁ ଦେଖନ୍ତୁ’, ମୁଁ ତାଙ୍କୁ କହିଲି। କିନ୍ତୁ କୋଚ୍‌ କହିଲେ, ‘ଯଦି ତୁମେ ଉଠିବ, ତେବେ ଗୋଟିଏ ଗୋଲ୍‌ ହେ । ମୋ ହୃଦୟ ମୋତେ କହୁଛି।’’

ତେଣୁ ଯନ୍ତ୍ରଣା କମାଇବା ପାଇଁ ଶୀଘ୍ର ଦୁଇଟି ଇଞ୍ଜେକ୍ସନ୍‌ ପରେ, ଏବଂ ଆଘାତସ୍ଥାନ ଚାରିପଟେ ଏକ କ୍ରେପ୍‌ ବ୍ୟାଣ୍ଡେଜ୍‌ ଭଲକରି ଗୁଡ଼ାଇବା ପରେ ପଲ୍‌ ପ୍ରସ୍ତୁତ ହେଲେ ଏବଂ ଅପେକ୍ଷା କଲେ । ମ୍ୟାଚ୍‌ ଡ୍ର ହେଲା ଏବଂ ଗୋଲ୍‌ଡେନ୍‌ ଗୋଲ୍‌ ପାଇଁ ଅତିରିକ୍ତ ସମୟ ଦିଆଗଲା-ଯେଉଁ ଟିମ୍‌ ପ୍ରଥମେ ସ୍କୋର କରିବ ତାହା ଚାମ୍ପିଅନ୍‌ସିପ୍‌ ଜିତିବ ।

‘‘ମୁଁ କ୍ରସ୍‌ ବାର୍‌କୁ ଲକ୍ଷ୍ୟ କଲି, ଏବଂ ବଲ୍‌ ଡାହାଣ ଆଡ଼କୁ ଉଠିଗଲା। କିପର୍ ଡେଇଁଲେ। କିନ୍ତୁ ବଲ୍‌ ତାଙ୍କୁ ଅତିକ୍ରମ କଲା ଏବଂ ନେଟ୍ ରେ ବାଜିଲା।’’

PHOTO • Riya Behl
PHOTO • Riya Behl

ବାମ: ବନ୍ଦନା ପଲ୍‌ ନାମରେ ଫୁଟବଲ୍ ଖେଳୁଥିବାର ବନି ପଲ୍‌ଙ୍କର ଗୋଟିଏ ଫଟୋ, ଡିସେମ୍ବର ୨, ୨୦୧୨ରେ ଆନନ୍ଦବଜାର ପତ୍ରିକାର କ୍ରୀଡ଼ା ସପ୍ଲିମେଣ୍ଟରେ ପ୍ରକାଶିତ ହୋଇଥିଲା । ଡାହାଣ: ୧୯୯୮ ମସିହାର ମହିଳା ଜାତୀୟ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ରେ ବନ୍ଦନାଙ୍କ ଅଂଶଗ୍ରହଣକୁ ପ୍ରଶଂସା କରି ଏଆଇଏଫ୍‌ଏଫ୍‌ ପକ୍ଷରୁ ଦିଆଯାଇଥିବା ପ୍ରମାଣପତ୍ର

ଏହିଠାରେ ପଲ୍‌ କିଛି ସମୟ ଅଟକିଗଲେ, ଜଣେ ଭଲ କାହାଣୀକାରଙ୍କ ଭଳି। ଫୁଟ୍‌ବଲ୍‌ର ହସିକରି କହିଲେ ‘‘ମୋର ଆହତ ହୋଇଥିବା ଗୋଡ଼ରେ ମୁଁ ସଟ୍‌ ମାରିଥିଲି। କିପର୍ ଯେତେ ଡେଙ୍ଗା ହୋଇଥିଲେ ବି, କ୍ରସ୍‌ବାର୍‌ ସଟ୍‌ଗୁଡ଼ିକୁ ରକ୍ଷାକରିବା କଷ୍ଟକର ହୋଇଥାଏ। ମୁଁ ଗୋଲ୍‌ଡେନ୍‌ ଗୋଲ୍‌ ସ୍କୋର କରିଥିଲି।’’

ସେହି ମ୍ୟାଚ୍‌କୁ ପଚିଶ ବର୍ଷ ବିତିଗଲାଣି, କିନ୍ତୁ ୪୧ ବର୍ଷୀୟ ପଲ୍‌ ତଥାପି ଗର୍ବର ସହ ତାହା କହନ୍ତି। ଗୋଟିଏ ବର୍ଷ ପରେ ପଲ୍‌ ଜାତୀୟ ଟିମ୍‌ରେ ସ୍ଥାନ ପାଇଲେ, ଯାହାକି ଖୁବ୍‌ ଶୀଘ୍ର ବ୍ୟାଙ୍କକ୍‌ରେ ଆୟୋଜିତ ୧୯୯୮ ଏସିଆନ୍‌ ଗେମ୍‌ସରେ ଭାଗ ନେବାକୁ ଯାଉଥିଲା।

ଏହି ପର୍ଯ୍ୟନ୍ତ, ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ଇଚ୍ଛାପୁର ଗାଁର ଏହି ଫୁଟ୍‌ବଲ୍‌ରଙ୍କ ପାଇଁ ଏହା ଏକ ସ୍ୱପ୍ନର ଦୌଡ଼ ଥିଲା : ‘‘ମୋ ଜେଜେମା’ ରେଡିଓରେ ଧାରା ବିବରଣୀ [ଫାଇନାଲ୍‌ର] ଶୁଣୁଥିଲେ। ପୂର୍ବରୁ ମୋ ପରିବାରର କେହି ଫୁଟ୍‌ବଲ୍‌ରେ ଏହି ସ୍ତର ଯାଏଁ ପହଞ୍ଚି ନ ଥିଲେ। ସେମାନେ ସମସ୍ତେ ମୋତେ ନେଇ ଗର୍ବିତ ଥିଲେ।’’

ପଲ୍‌ ଯେତେବେଳେ ସାନ ଥିଲେ, ତାଙ୍କର ସାତ ଜଣିଆ ପରିବାର ଗାଇଘାଟା ବ୍ଲକ୍‌, ଇଚ୍ଛାପୁରରେ ଥିବା ଘରେ ରହୁଥିଲେ, ଯେଉଁଠାରେ ସେମାନଙ୍କର ଦୁଇ ଏକର ଜମି ଥିଲା, ଯାହା ଉପରେ ସେମାନେ ନିତିଦିନିଆ ଚଳଣି ପାଇଁ ଧାନ, ସୋରିଷ, ସବୁଜ ମଟର, ମସୁର ଡାଲି ଏବଂ ଗହମ ଉତ୍ପାଦନ କରୁଥିଲେ। ଏହି ଜମିର ଅଂଶ ଏବେ ବିକ୍ରି ହୋଇସାରିଛି ଏବଂ ପରିବାର ମଧ୍ୟରେ ଭାଗ ହୋଇସାରିଛି।

ପାଞ୍ଚ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ସାନ ପଲ୍‌ କହିଲେ, ‘‘ମୋ ବାପା ଜଣେ ଟେଲର ଭାବେ କାମ କରୁଥିଲେ ଏବଂ ମୋ ମା’ ତାଙ୍କୁ ସିଲେଇ ଏବଂ ଏମ୍ବ୍ରୋଡୋରୀରେ ସାହାଯ୍ୟ କରୁଥିଲେ। ସେ ମଧ୍ୟ ପଗଡ଼ି [ଟରବାନ], ରାକ୍ଷୀ ଏବଂ ଅନ୍ୟ ଜିନିଷ ତିଆରି କରୁଥିଲେ। ‘‘ଆମେ ସାନ ବେଳୁ ଜମିରେ କାମ କରୁଥିଲୁ।’’ ପିଲାମାନଙ୍କର କର୍ତ୍ତବ୍ୟ ମଧ୍ୟରେ ଥିଲା ପ୍ରାୟ ୭୦ଟି କୁକୁଡ଼ା ଏବଂ ୧୫ଟି ଛେଳିଙ୍କର ଯତ୍ନ ନେବା – ଯାହାଙ୍କ ପାଇଁ ସ୍କୁଲ ଯିବା ପୂର୍ବରୁ ଏବଂ ଆସିବା ପରେ ଘାସ କାଟିବାକୁ ପଡୁଥିଲା।

ଇଚ୍ଛାପୁର ହାଇସ୍କୁଲରେ ପଲ୍‌ ଦଶମ ଶ୍ରେଣୀ ଶେଷ କଲେ। ଗୋଟିଏ ବାତାପି (ସାଇଟ୍ରସ୍‌ ମାକ୍ସିମା) ଆଣିବା ଲାଗି ଘରୁ ବାହାରକୁ ଆସିବା ସମୟରେ ଏହି ପୂର୍ବତନ ଫୁଟବଲ୍ର କହିଲେ, ‘‘ଝିଅ ପିଲାଙ୍କର ଫୁଟବଲ୍‌ ଟିମ୍‌ ନ ଥିଲା, ତେଣୁ ସ୍କୁଲ ପରେ ମୁଁ ପୁଅମାନଙ୍କ ସହ ଖେଳିଥିଲି ।’’ ପଲ୍‌ କହିଲେ, ‘‘ଆମେ ଏହାକୁ ବାତାପି ବା ଜମ୍ବୁରା ବୋଲି କହୁ। ଆମ ପାଖରେ ଗୋଟିଏ ଫୁଟ୍‌ବଲ୍‌ କିଣିବା ପାଇଁ ଟଙ୍କା ନ ଥିଲା, ତେଣୁ ଆମେ ଗଛରୁ ଏହି ଫଳ ତୋଳୁଥିଲୁ ଏବଂ ଏଥିରେ ଖେଳୁଥିଲୁ। ଏହିପରି ମୁଁ ଆରମ୍ଭ କଲି।’’

PHOTO • Riya Behl
PHOTO • Riya Behl

ବାମ: ବନି ଏକ କୋଠରୀରେ ବସିଛନ୍ତି ଯେଉଁଠାରେ ସେ ଓ ସ୍ୱାତୀ ତାଙ୍କ ଘରର ପ୍ରଥମ ମହଲାରେ ରହନ୍ତି । ଡାହାଣ: ଦୁଇଟି ବାତାବି (ବାମ), ଏହି ଖଟାଳିଆ ଫଳ ଯେଉଁଥିରେ ବନି ଖେଳୁଥିଲେ, କାରଣ ତାଙ୍କ ପରିବାର ପାଖରେ ଏକ ଫୁଟ୍‌ବଲ କିଣିବା ପାଇଁ ଟଙ୍କା ନ ଥିଲା । ଫଟୋର ଡାହାଣରେ ତାଙ୍କର କୋଚିଂ ଜୋତାକୁ ଦେଖିହେବ

ଏହିପରି ଦିନେ, ସିଦନାଥ ଦାସ, ଇଚ୍ଛାପୁରରେ ବୁଚୁ ଦା (ବଡ଼ ଭାଇ) ଭାବେ ଜଣାଯାଆନ୍ତି, ୧୨ ବର୍ଷର ପିଲାକୁ ଫୁଟବଲ୍ ଖେଳୁଥିବା ଦେଖିଲେ । ବୁଚୁ ଦା ପଲ୍ ଙ୍କୁ ନିକଟସ୍ଥ ବାରାସାତ ସହରରେ ଫୁଟବଲ୍ ପରୀକ୍ଷା ହେଉଥିବା ନେଇ ସୂଚନା ଦେଲେ, ଯାହାକୁ ସେ ଅନୁସରଣ କଲେ ଏବଂ ବାରାସାତ ଯୁବକ ସଂଘ କ୍ଲବ୍‌ ଟିମ୍‌ରେ ସ୍ଥାନ ପାଇଲେ । ସେମାନଙ୍କ ସହ ଏକ ପ୍ରଭାବଶାଳୀ ପ୍ରାରମ୍ଭିକ ଋତୁ ପରେ, ପଲ୍ କୋଲକାତାର ଏକ କ୍ଲବ୍‌ ଇତିକା ମେମୋରିଆଲ ଦ୍ୱାରା ଅନୁବନ୍ଧିତ ହେଲେ । ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।

୧୯୯୮ ଏସିଆନ୍‌ ଗେମ୍‌ସରେ ଖେଳିବା ପାଇଁ ପଲ୍‌ ଜାତୀୟ ଦଳରେ ଚୟନ ହେଲେ, ଏବଂ ଏହି ଫୁଟବଲ୍‌ରଙ୍କର ପାସ୍‌ପୋର୍ଟ ଓ ଭିସା ଆବେଦନର ଶୀଘ୍ର ପ୍ରକ୍ରିୟା ହୋଇଗଲା । ଏହି ପୂର୍ବତନ ଖେଳାଳି ମନେ ପକାନ୍ତି, ‘‘ଆମେ ବିମାନ ବନ୍ଦରରେ ଥିଲୁ, ଛାଡ଼ିବାକୁ ଯାଉଥିଲୁ’’। “କିନ୍ତୁ ସେତେବେଳେ ସେମାନେ ମୋତେ ଫେରାଇଦେଲେ ।’’

ଏସିଆନ୍‌ ଗେମ୍‌ସ ପାଇଁ ସାଙ୍ଗରେ ତାଲିମ ନେବାବେଳେ ମଣିପୁର, ପଞ୍ଜାବ, କେରଳ ଏବଂ ଓଡ଼ିଶାର ଖେଳାଳିମାନେ ପଲ୍‌ଙ୍କର ପ୍ରଦର୍ଶନ ଦେଖିଥିଲେ। ସେମାନେ ପଲ୍‌ଙ୍କର ଲିଙ୍ଗ ନେଇ ସନ୍ଦିଗ୍ଧ ଥିଲେ ଏବଂ ସେମାନଙ୍କର କୋଚ୍‌ମାନଙ୍କୁ ଏହି ପ୍ରସଙ୍ଗ କହିଥିଲେ। ଶୀଘ୍ର ଏହି ପ୍ରସଙ୍ଗ କ୍ରୀଡ଼ା ପ୍ରଶାସନିକ ଅନୁଷ୍ଠାନ ସର୍ବଭାରତୀୟ ଫୁଟବଲ୍‌ ଫେଡେରେସନ୍‌(ଏଆଇଏଫ୍‌ଏଫ୍‌) ନିକଟରେ ପହଞ୍ଚିଲା।

ପଲ୍‌ କହନ୍ତି, ‘‘ମୋତେ କ୍ରୋମୋଜମ୍‌ ପରୀକ୍ଷା କରିବାକୁ କୁହାଗଲା। ସେହି ସମୟରେ ମୁଁ ଏହା କେବଳ ବମ୍ବେ ବା ବାଙ୍ଗାଲୋରରେ କରାଇପାରିଥାଆନ୍ତି।’’ କୋଲକାତାରେ ଅବସ୍ଥାପିତ ସ୍ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ)ର ଡାକ୍ତର ଲୈଲା ଦାସ, ପଲ୍‌ଙ୍କର ରକ୍ତ ନମୁନା ମୁମ୍ବାଇ ପଠାଇଲେ। ପଲ୍‌ କହିଲେ, ‘‘ଦେଢ଼ ମାସ ପରେ, କାରୟୋଟାଇପ୍‌ ପରୀକ୍ଷାର ରିପୋର୍ଟରେ ଉଲ୍ଲେଖ ଥିଲା ‘46 XY’ । ମହିଳାଙ୍କ ପାଇଁ ଏହା ‘46XX’ ହେବା ଉଚିତ। ଡାକ୍ତର ମୋତେ କହିଲେ ମୁଁ ଖେଳିପାରିବି ନାହିଁ [ଆନୁଷ୍ଠାନିକ ଭାବେ]।’’

ଏହି ଉଦୀୟମାନ ଫୁଟବଲ୍ ତାରକା ମାତ୍ର ୧୭ ବର୍ଷର ହୋଇଥିଲେ, କିନ୍ତୁ ଏହି ଖେଳରେ ଏକ ଭବିଷ୍ୟତ ଏବେ ସନ୍ଦେହରେ ଥିଲା।

PHOTO • Riya Behl

୨୦୧୨ ଜୁଲାଇ ୧୯ରେ ଆଜକାଲ ସିଲିଗୁଡିରେ ବନିଙ୍କର ଏକ ଫଟୋ, ସିଲିଗୁଡ଼ି ସବ୍‌ଡିଭିଜନ ସ୍ପୋର୍ଟସ କାଉନ୍‌ସିଲ୍‌ର ସେକ୍ରେଟାରୀଙ୍କୁ ତାଙ୍କର ବାୟୋଡାଟା ହସ୍ତାନ୍ତର କରୁଥିବା ଅବସ୍ଥାରେ

ଇଣ୍ଟରସେକ୍ସ ବ୍ୟକ୍ତି, ବା ଇଣ୍ଟରସେକ୍ସ ବିବିଧତା ଥିବା ବ୍ୟକ୍ତିମାନଙ୍କର ଜନ୍ମଜାତ ଯୌନ ବିଶେଷତା ଥାଏ, ଯାହା ମହିଳା ବା ପୁରୁଷ ଶରୀର ପାଇଁ ଚିକିତ୍ସା ବା ସାମାଜିକ ମାନଦଣ୍ଡର ଅନୁରୂପ ହୋଇନଥାଏ। ଏହି ବିବିଧତାଗୁଡ଼ିକ ବାହ୍ୟ ବା ଭିତର ପ୍ରଜନନ ଭାଗ, ଗୁଣସୂତ୍ର ପ୍ରକାର ବା ହର୍ମୋନ ସମ୍ପର୍କିତ ପ୍ରକାରରେ ହୋଇପାରେ। ତାହା ଜନ୍ମ ସମୟରୁ ବା ପରେ ସ୍ପଷ୍ଟ ହୋଇପାରେ

***

ଏହି ପୂର୍ବତନ ଫୁଟବଲର୍ କହନ୍ତି, ‘‘ମୋ ପାଖରେ ଏକ ଗର୍ଭାଶୟ, ଏକ ଅଣ୍ଡାଶୟ ଏବଂ ଭିତରେ ଏକ ଲିଙ୍ଗ ଥିଲା । ମୋ ପାଖରେ ଉଭୟ ‘ପାଖ’ [ପ୍ରଜନନ ଭାଗ] ଥିଲା ।’’ ରାତାରାତି ଫୁଟଲ୍ ସମୁଦାୟ, ଗଣମାଧ୍ୟମ ଏବଂ ପଲ୍‌ଙ୍କ ପରିବାର ଦ୍ୱାରା ଏହି ଆଥଲେଟ୍‌ଙ୍କ ପରିଚୟ ଉପରେ ପ୍ରଶ୍ନ ଉଠାଯାଇଥିଲା ।

ପୂର୍ବତନ ଫୁଟବଲର୍ କହନ୍ତି, ‘‘ସେ ସମୟରେ କେହି ଜାଣି ବା ବୁଝିନଥିଲେ। ଏବେ ହିଁ ଲୋକେ କଥା ହେଉଛନ୍ତି ଏବଂ ଏଲ୍‌ଜିବିଟିକ୍ୟୁ ପ୍ରସଙ୍ଗ ଉଠାଯାଉଛି ।’’

ପଲ୍‌ ଜଣେ ଇଣ୍ଟରସେକ୍ସ ବ୍ୟକ୍ତି – ଏଲ୍‌ଜିବିଟିକ୍ୟୁଆଇଏ + ସମୁଦାୟରେ ‘ଆଇ’- ଏବଂ ଏବେ ବନି ପଲ୍‌ ନାଁରେ ଜଣାଯାଆନ୍ତି । ଜଣେ ପୁରୁଷ ଭାବେ ପରିଚିତ ହେଉଥିବା ବନି କହନ୍ତି, ‘‘ମୋ ପ୍ରକାରର ଶରୀର କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ରହିଛି । ଆଥ୍‌ଲେଟ୍‌ମାନେ, ଟେନିସ୍‌ ଖେଳାଳି, ଫୁଟବଲ୍ ଖେଳାଳି, ମୋ ଭଳି ଅନେକ ଖେଳାଳି ଅଛନ୍ତି ।’’ ସେ ଚିକିତ୍ସା ସମୁଦାୟର ସଦସ୍ୟଙ୍କ ସହ ବିବିଧ ଦର୍ଶକଙ୍କ ପାଇଁ ନିଜର ଲିଙ୍ଗଗତ ପରିଚୟ, ଲିଙ୍ଗଗତ ଅଭିବ୍ୟକ୍ତି, ଯୌନତା ଓ ଯୌନ ଅଭିବିନ୍ୟାସ ବାବଦରେ କହନ୍ତି ।

PHOTO • Riya Behl
PHOTO • Riya Behl

ବାମ: ଟାଇମ୍‌ସ ଅଫ୍‌ ଇଣ୍ଡିଆର ସିଟି ସପ୍ଲିମେଣ୍ଟରେ ପ୍ରକାଶିତ ବନିଙ୍କ ଉପରେ ଏକ ଆଲ୍ଲେଖ୍ୟ । ଡାହାଣ: ବନି ପଲ୍‌ଙ୍କର ଆଧାର କାର୍ଡ, ଯେଉଁଥିରେ ତାଙ୍କର ଲିଙ୍ଗ ପୁରୁଷ ଭାବେ ଉଲ୍ଲେଖ କରାଯାଇଛି

ଇଣ୍ଟରସେକ୍ସ ବ୍ୟକ୍ତି ବା ଇଣ୍ଟରସେକ୍ସ ବିବିଧତା ଥିବା ବ୍ୟକ୍ତିମାନଙ୍କର ଜନ୍ମଜାତ ଯୌନ ବିଶେଷତା ଥାଏ, ଯାହା ମହିଳା ବା ପୁରୁଷ ଶରୀର ପାଇଁ ଚିକିତ୍ସା ବା ସାମାଜିକ ମାନଦଣ୍ଡର ଅନୁରୂପ ହୋଇନଥାଏ । ଏହି ବିବିଧତାଗୁଡ଼ିକ ବାହ୍ୟ ବା ଭିତର ପ୍ରଜନନ ଭାଗ, ଗୁଣସୂତ୍ର ପ୍ରକାର ବା ହର୍ମୋନ ସମ୍ପର୍କିତ ପ୍ରକାରରେ ହୋଇପାରେ । ତାହା ଜନ୍ମ ସମୟରୁ ବା ପରେ ସ୍ପଷ୍ଟ ହୋଇପାରେ । ଇଣ୍ଟରସେକ୍ସ ଭିନ୍ନତା ଥିବା ବ୍ୟକ୍ତିଙ୍କ ପାଇଁ ଚିକିତ୍ସା କ୍ଷେତ୍ରର ଲୋକେ ଡିଏସ୍‌ଡି – ଯୌନ ବିକାଶର ଭିନ୍ନତା/ବ୍ୟାଘାତ ଶବ୍ଦର ଉପଯୋଗ କରନ୍ତି ।

ଦିଲ୍ଲୀର ୟୁନିଭର୍ସିଟି କଲେଜ ଅଫ୍‌ ମେଡିକାଲ୍‌ ସାଇନ୍ସର ସାଇକୋଲୋଜି ବିଭାଗର ପ୍ରଫେସର ଡକ୍ଟର ସତ୍ୟେନ୍ଦ୍ର ସିଂହଙ୍କ କହିବା ଅନୁସାରେ, ‘‘ଚିକିତ୍ସା ସମୁଦାୟରେ ବହୁ ଲୋକେ ‘ଡିଏସ୍‌ଡି’କୁ ସର୍ବଦା ଭୁଲ ଭାବେ ‘ଯୌନ ବିକାଶର ବିକାର’ କହିଥାନ୍ତି ।’’ ସେ କହନ୍ତି, ଇଣ୍ଟରସେକ୍ସ ଲୋକଙ୍କର ସ୍ୱାସ୍ଥ୍ୟ ବାବଦରେ ଅଜ୍ଞାନତା ଓ ଭ୍ରମ ଯୋଗୁଁ, ଇଣ୍ଟରସେକ୍ସ ଲୋକଙ୍କ ସଂଖ୍ୟା ବାବଦରେ କୌଣସି ନିଶ୍ଚିତତା ନାହିଁ ।

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ତୃତୀୟଲିଙ୍ଗ ବ୍ୟକ୍ତିଙ୍କ ସହ ସମ୍ପର୍କିତ ପ୍ରସଙ୍ଗରେ ପ୍ରକାଶିତ ୨୦୧୪ର ଏକ ରିପୋର୍ଟ ରେ କୁହାଯାଇଛି ଯେ ପ୍ରତି ୨,୦୦୦ ପିଲାଙ୍କ ମଧ୍ୟରୁ ଅତି କମ୍‌ରେ ଜଣେ ଯୌନ ସଂରଚନା ସହ ଜନ୍ମ ହୋଇଥାଏ ‘‘ଯାହା ପୁରୁଷ ଓ ମହିଳା ବିଶେଷତାକୁ ଏମିତି ମିଳାଇଥାଏ ଯେ ଜଣେ ବିଶେଷଜ୍ଞଙ୍କ ପକ୍ଷେ ମଧ୍ୟ ସେମାନଙ୍କୁ ପୁରୁଷ ବା ମହିଳା ଭାବେ ଚିହ୍ନଟ କରିବା କଷ୍ଟକର ହୋଇଥାଏ।’’

ମାନବାଧିକାର କର୍ମକର୍ତ୍ତା ଏବଂ ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଡକ୍ଟର ସିଂ ଆହୁରି କହିଲେ, ଏହି ତଥ୍ୟ ସତ୍ୱେ, ‘‘ମାନକ ପାଠ୍ୟପୁସ୍ତକଗୁଡ଼ିକ [ଭାରତୀୟ ଚିକିତ୍ସା ପାଠ୍ୟକ୍ରମରେ] ଏବେ ବି ‘ହର୍ମାଫ୍ରୋଡାଇଟ୍‌’, ‘ଆମ୍ବିଗ୍ୟୁୟସ୍‌ ଜେନିଟାଲିଆ’, ଏବଂ ‘ବିକାର’ ଭଳି ଅପମାନଜନକ ଶବ୍ଦର ଉଲ୍ଲେଖ କରେ।’’

ମହିଳାଙ୍କ ଟିମ୍‌ରୁ ବାଦ୍‌ ପଡ଼ିବା ପରେ, ବନି କୋଲକାତାର ସ୍ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ କରାଯାଉଥିବା ଶାରିରୀକ ପରୀକ୍ଷା ଦେଲେ ଏବଂ ତାଙ୍କୁ କୌଣସି ମହିଳାଙ୍କର ଫୁଟ୍‌ବଲ ଟିମ୍‌ ପାଇଁ ପ୍ରତିଯୋଗିତା କରିବାକୁ ଦିଆଗଲା ନାହିଁ । ବନି କହନ୍ତି, ‘‘ଫୁଟବଲ୍ ଚାଲିଯିବା ପରେ, ମୁଁ ଅନୁଭବ କଲି ଯେମିତି ମୋ ଜୀବନ ସରିଗଲା। ମୋ ପ୍ରତି ଏକ ଅନ୍ୟାୟ କରାଗଲା।’’

PHOTO • Riya Behl
PHOTO • Riya Behl

ବାମ: ବନି ଏକ ବାତାପି ବା ଜମ୍ବୁରା (ପୋମେଲୋ) ଧରିଛନ୍ତି । ସେ ଯେତେବେଳେ ଏହି ଖେଳ ଆରମ୍ଭ କଲେ ସେତେବେଳେ ଏହି ମୋଟା ଚୋପା ଥିବା ଫଳ ଫୁଟବଲ୍ର ଏକ ଭଲ ବିକଳ୍ପ ହୋଇଥିଲା । ଡାହାଣ : ତାଙ୍କର ଟ୍ରଫି ଏବଂ ସାର୍ଟିଫିକେଟ୍‌ ଥିବା ଶୋକେସ୍‌ ଆଗରେ ସେ ବସିଛନ୍ତି

ସେ କହନ୍ତି ୨୦୧୪ରେ ଆସିଥିବା ସୁପ୍ରିମକୋର୍ଟଙ୍କ ଏକ ରାୟ ତାଙ୍କୁ ଆଶା ଦେଲା। ଏଥିରେ କୁହାଯାଇଥିଲା, ‘‘ଜଣେ ବ୍ୟକ୍ତିଙ୍କର ଲିଙ୍ଗ ଚିହ୍ନଟର ସ୍ୱୀକୃତି ତାଙ୍କ ଗରିମା ପାଇଁ ମୌଳିକ ଅଧିକାରର କେନ୍ଦ୍ରରେ ଥାଏ। ଲିଙ୍ଗ କୌଣସି ବ୍ୟକ୍ତିର ଅସ୍ତିତ୍ୱ ଭାବନାର ମୂଳ ହେବା ସହ କୌଣସି ବ୍ୟକ୍ତିର ପରିଚୟର ଏକ ଅଭିନ୍ନ ଅଙ୍ଗ। ଏଥିପାଇଁ ଲିଙ୍ଗଗତ ପରିଚୟର ଆଇନଗତ ମାନ୍ୟତା ଆମ ସମ୍ବିଧାନରେ ସୁନିଶ୍ଚିତ ଗରିମା ଏବଂ ସ୍ୱତନ୍ତ୍ରତା ଅଧିକାରର ଅଂଶ।’’ ‘ତୃତୀୟ ଲିଙ୍ଗ’ ଭାବେ ଚିହ୍ନିତ ହେଉଥିବା ବ୍ୟକ୍ତିଙ୍କର ଆଇନଗତ ମାନ୍ୟତା ଲାଗି ଜାତୀୟ ଆଇନ ସେବା ପ୍ରାଧିକରଣ ଓ ପୂଜୟା ମାତା ନସୀବ କୌର ଜୀ ମହିଳା କଲ୍ୟାଣ ସୋସାଇଟି ପକ୍ଷରୁ ଆଗତ ଆବେଦନର ଜବାବରେ ଏହି ରାୟ ଦିଆଯାଇଥିଲା। ଏହି ଐତିହାସିକ ରାୟରେ ଲିଙ୍ଗ ଚିହ୍ନଟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ନନ୍‌ ବାଇନାରୀ ଲିଙ୍ଗ ପରିଚୟକୁ ଆଇନଗତ ରୂପରେ ଚିହ୍ନଟ କରିବା ଏବଂ ଭାରତରେ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କର ମୌଳିକ ଅଧିକାର ବଜାୟ ରଖିଥିବା ପ୍ରଥମ ରାୟ ଥିଲା ।

ଏହି ରାୟ ବନିଙ୍କର ସ୍ଥିତିକୁ ଯଥାର୍ଥ କରୁଥିଲା । ସେ କହନ୍ତି, ‘‘ମୁଁ ମହିଳାଙ୍କ ଟିମ୍‌ରେ ଥିବା ଭଳି ଅନୁଭବ କରୁଥିଲି, କିନ୍ତୁ ମୁଁ କାହିଁକି ଖେଳିପାରିବି ନାହିଁ ବୋଲି ଯେତେବେଳେ ଏଆଇଏଫ୍‌ଏଫ୍‌କୁ ପଚାରିଲି, ସେମାନେ କହିଲେ ଏହା ତୁମର ଶରୀର ଏବଂ କ୍ରୋମୋଜମ୍‌ ପାଇଁ।’’

ଇଣ୍ଟରସେକ୍ସ ବିବିଧତା ଥିବା ଖେଳାଳିଙ୍କ ପାଇଁ ଯୌନ ଓ ଲିଙ୍ଗ ପରୀକ୍ଷା ନିୟମର ପ୍ରକ୍ରିୟା ସମ୍ପର୍କରେ ସୂଚନା ପାଇଁ ସାଇ ନେତାଜୀ ସୁଭାଷ ଇଷ୍ଟର୍ଣ୍ଣ ସେଣ୍ଟର, କୋଲକାତା ଏବଂ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘକୁ ବହୁ ବାର୍ତ୍ତା ପଠାଯିବା ସତ୍ୱେ ଏହି ରିପୋର୍ଟରଙ୍କୁ କୌଣସି ଉତ୍ତର ମିଳିଲା ନାହିଁ ।

***

ଅଲଗା କିଛି କରିବା ପାଇଁ ୨୦୧୯ ଏପ୍ରିଲରେ ବନି ଇଣ୍ଟରସେକ୍ସ ହ୍ୟୁମାନ୍‌ ରାଇଟ୍‌ସ ଇଣ୍ଡିଆ (ଆଇଏଚ୍‌ଆର୍‌ଆଇ)- ଇଣ୍ଟରସେକ୍ସ ବ୍ୟକ୍ତି ଏବଂ ସେମାନଙ୍କ ସମର୍ଥକଙ୍କୁ ନେଇ ଗଠିତ ଏକ ସର୍ବଭାରତୀୟ ନେଟ୍‌ୱର୍କର ପ୍ରତିଷ୍ଠାତା ସଦସ୍ୟ ହେଲେ। ଏହି ନେଟ୍‌ୱର୍କ ଇଣ୍ଟରସେକ୍ସ ବ୍ୟକ୍ତିଙ୍କର ଅଧିକାରକୁ ପ୍ରୋତ୍ସାହିତ କରିଥାଏ, ସେମାନଙ୍କୁ ପରାମର୍ଶ ଦେଇଥାଏ ଏବଂ ଓକିଲାତି ମାଧ୍ୟମରେ ସେମାନଙ୍କର ଚ୍ୟାଲେଞ୍ଜ ଏବଂ ଆବଶ୍ୟକତାଗୁଡ଼ିକ ପ୍ରସଙ୍ଗ ଉଠାଏ।

ଆଇଏଚ୍‌ଆର୍‌ଆଇ ସଦସ୍ୟମାନଙ୍କ ମଧ୍ୟରୁ, ବନି କେବଳ ଇଣ୍ଟରସେକ୍ସ ଭିନ୍ନତା ଥିବା ଜଣେ ମାତ୍ର ବ୍ୟକ୍ତି ଯିଏ ସକ୍ରିୟଭାବେ ପିଲାଙ୍କ ସହ କାମ କରନ୍ତି । ଆଇଏଚ୍‌ଆର୍‌ଆଇର ଜଣେ ସହାୟକ-ସଦସ୍ୟ ପୁଷ୍ପା ଅଛନ୍ତା କହନ୍ତି, ‘‘ପଶ୍ଚିମବଙ୍ଗର ସରକାରୀ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ଯତ୍ନ ସଂସ୍ଥାନର ମାଧ୍ୟମରେ ବନିଙ୍କର ସମୟ ଉପଯୋଗୀ ହସ୍ତକ୍ଷେପ ଯୌନ ବିକାଶରେ ଭିନ୍ନତା ଥିବା ବହୁ ଯୁବବର୍ଗଙ୍କୁ ସେମାନଙ୍କର ଶରୀର ଏବଂ ଯୌନ ବା ଲିଙ୍ଗ ଚିହ୍ନଟକୁ ବୁଝିବା ଏବଂ ଗ୍ରହଣ କରିବାରେ ସାହାଯ୍ୟ କରିଛି ଏବଂ ସେମାନଙ୍କ ଯତ୍ନ ନେଉଥିବା ଲୋକଙ୍କୁ ଆବଶ୍ୟକ ଏବଂ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରିଛି ।’’

PHOTO • Riya Behl
PHOTO • Riya Behl

ବାମ: ବନି କୋଚ୍‌ ଭାବେ ତାଙ୍କର ଅନୁକରଣୀୟ କାର୍ଯ୍ୟ ପାଇଁ ୨୦୨୧ରେ ପଶ୍ଚିମବଙ୍ଗ ବାଳ ଅଧିକାର ସଂରକ୍ଷଣ ଆୟୋଗଠାରୁ ଏକ ପୁରସ୍କାରର ଉଦ୍‌ଘୋଷଣା ପଢୁଥିବା ବେଳେ ସ୍ୱାତୀ (ବାମ) ଦେଖୁଛନ୍ତି । ଡାହାଣ: ୨୦୧୭ ଅକ୍ଟୋବର ୯ରେ ଏବେଲାରେ ଏକ ଲେଖା, ଯେଉଁଥିରେ କିଶାଲୟ ଟିମ୍‌କୁ କୋଚିଂ ଦେବା ପାଇଁ ବନିଙ୍କର ପ୍ରଶଂସା କରାଯାଇଥିଲା, ଯେତେବେଳେ ସେମାନେ ସଲ୍‌ଟ ଲେକ୍‌ରେ ଏକ ଫୁଟବଲ୍ ମ୍ୟାଚ୍‌ ଜିତିଥିଲେ

ଜଣେ କ୍ରୀଡ଼ାବିତ୍‌ ଅଧିକାର କର୍ମକର୍ତ୍ତା ଡକ୍ଟର ପାୟୋସନି ମିତ୍ରା କହନ୍ତି, ‘‘ଏବେ ଯୁବ ଆଥ୍‌ଲେଟ୍‌ମାନଙ୍କ ମଧ୍ୟରେ ସେମାନଙ୍କର ଶରୀର ସଂରଚନାକୁ ନେଇ ସଚେତନତା ବଢୁଛି । ବନିଙ୍କ ପାଇଁ ସେତେବେଳେ ଏହା ନ ଥିଲା ।’’ ସ୍ୱିଜରଲାଣ୍ଡର ଲୌସାନେରେ ଗ୍ଲୋବାଲ୍‌ ଆଡଭାଇଜରୀ ଫର୍‌ ୱିମେନ୍‌, ସ୍ପୋର୍ଟ, ଫିଜିକାଲ୍‌ ଏଜୁକେସନ୍‌ ଏଣ୍ଡ ଫିଜିକାଲ ଆକ୍ଟିଭିଟିରେ ସିଇଓ ଭାବେ ଡକ୍ଟର ମିତ୍ରା ଏସିଆ ଓ ଆଫ୍ରିକାରେ ମହିଳା ଆଥ୍‌ଲେଟ୍‌ଙ୍କ ସହ ମିଶି କାମ କରିଛନ୍ତି ଯାହା ଫଳରେ ସେମାନେ କ୍ରୀଡ଼ାରେ ମାନବାଧିକାରର ଉଲ୍ଲଂଘନର ସାମ୍ନା କରିବାରେ ସକ୍ଷମ ହେବେ ।

ବନି ମନେପକାନ୍ତି, ‘‘ମୁଁ ଯେତେବେଳେ ଫେରିଲି [ବିମାନ ବନ୍ଦରରୁ], ସ୍ଥାନୀୟ ସମ୍ବାଦପତ୍ର ମୋତେ ନିର୍ଯ୍ୟାତନା ଦେଲେ ।’’ ମହିଳାଙ୍କ ଟିମ୍‌ରେ, ଜଣେ ପୁରୁଷ ଖେଳୁଛି - ଏହି ପ୍ରକାରର ହେଡ୍‌ଲାଇନ୍‌ ଥିଲା ।’’ ଖୁବ୍‌ ଯନ୍ତ୍ରଣାର ସହ ସେ ତାଙ୍କର ଇଚ୍ଛାପୁରକୁ ଫେରିବା କଥା ମନେ ପକାଇଲେ: ‘‘ମୋ ବାପା ମା’, ଭାଇ ଏବଂ ଭଉଣୀମାନେ ଭୟଭୀତ ଥିଲେ। ମୋର ଦୁଇ ଭଉଣୀ ଏବଂ ସେମାନଙ୍କର ଶାଶୂଘର ଲୋକେ ଲଜ୍ଜିତ ଅନୁଭବ କଲେ। ମୁଁ ସକାଳେ ଘରକୁ ଫେରିଲି, କିନ୍ତୁ ସଂଧ୍ୟା ସୁଦ୍ଧା ମୋତେ ପଳାଇ ଯିବାକୁ ଥିଲା।’’

ପକେଟ୍‌ରେ ପ୍ରାୟ ୨,୦୦୦ ଟଙ୍କା ନେଇ ବନି ପଳାଇଗଲେ । ସେ ଘର ଛାଡ଼ିବା ଦିନ ଜିନ୍‌ସ ପିନ୍ଧିଥିବା ଏବଂ ତାଙ୍କର ଛୋଟ ବାଳଥିବା କଥା ସେ ମନେରଖିଛନ୍ତି । ସେ ଏମିତି ଏକ ସ୍ଥାନକୁ ଯିବାକୁ ଚାହୁଁଥିଲେ ଯେଉଁଠାରେ ତାଙ୍କୁ କେହି ଜାଣିନାହାନ୍ତି ।

ପାଲ୍‌ ସମ୍ପ୍ରଦାୟର ବନି କହନ୍ତି, ‘‘ମୁଁ ମୂର୍ତ୍ତି [ପ୍ରତିମା] ତିଆରି କରିବା ଜାଣିଥିଲି, ତେଣୁ ମୁଁ ଏହି କାମ କରିବାକୁ କୃଷ୍ଣନଗର ପଳାଇଗଲି। ହମ୍‌ ମୂର୍ତ୍ତିକାରୀ ହେଁ [ଆମେ ମୂର୍ତ୍ତି ତିଆରି କରୁ]।’’ ଇଚ୍ଛାପୁର ଗାଁରେ ନିଜ ମାମୁଁଙ୍କର ମୂର୍ତ୍ତି ତିଆରି ୟୁନିଟ୍‌ରେ ବଡ଼ ହେବା ଏବଂ ସେଠାରେ ମାମୁଁଙ୍କୁ ସାହାଯ୍ୟ କରିବାର ଅନୁଭୂତି ତାଙ୍କୁ ମାଟିର ମୂର୍ତ୍ତି ଓ ଖେଳଣା ପାଇଁ ପ୍ରସିଦ୍ଧ କୃଷ୍ଣନଗର ସହରରେ କାମ ପାଇବା ପାଇଁ ଆବଶ୍ୟକ ଦକ୍ଷତା ଦେଇଥିଲା। ଦକ୍ଷତାର ପରୀକ୍ଷା ଭାବେ, ତାଙ୍କୁ ଶୁଖିଲା ନଡ଼ା ଏବଂ ଝୋଟ ଦଉଡ଼ିରେ ଏକ ମୂର୍ତ୍ତି ତିଆରି କରିବାକୁ କୁହାଗଲା। ବନିଙ୍କୁ ଚାକିରି ମିଳିଲା, ଯେଉଁଥିରୁ ତାଙ୍କୁ ଦିନକୁ ୨୦୦ ଟଙ୍କା ମିଳିଲା ଏବଂ ସେ ଲୁଚିକରି ଜୀବନ ଆରମ୍ଭ କଲେ।

PHOTO • Riya Behl
PHOTO • Riya Behl

ବାମ: ଇଚ୍ଛାପୁରରେ ମାମୁଁଙ୍କର ମୂର୍ତ୍ତି ତିଆରି କାରଖାନାରେ ବନି, ଯେଉଁଠାରେ ସେ ସାହାଯ୍ୟ କରୁଥିଲେ ଏବଂ କଳା ଶିଖିଥିଲେ। ଡାହାଣ: ନଡ଼ା ଏବଂ ଝୋଟରେ ତିଆରି ଗୋଟିଏ ମୂର୍ତ୍ତିର ଛାଞ୍ଚ (ପ୍ରତିମା)। ଯେତେବେଳେ ତାଙ୍କୁ କୃଷ୍ଣନଗଗରେ ଏକ ଚାକିରି ପାଇଁ ପରୀକ୍ଷା କରାଗଲା ବନିଙ୍କୁ ଏମିତି ଭଳି କରିବାକୁ ପଡିଥିଲା

ଇଚ୍ଛାପୁରରେ, ବନିଙ୍କ ବାପା ମା’ ଅଧୀର ଏବଂ ନିଭା, ସେମାନଙ୍କର ବଡ଼ ଝିଅ ଶଙ୍କରୀ ଏବଂ ପୁଅ ଭୋଳା ସହ ରହୁଥିଲେ । ତିନି ବର୍ଷ ହୋଇସାରିଥିଲା ବନି ନିଜେ ନିଜେ ବଞ୍ଚୁଥିଲେ ଏବଂ ମନେପକାନ୍ତି ଏକ ଶୀତ ସକାଳେ ସେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲେ: ‘‘ସେମାନେ [ସ୍ଥାନୀୟ ଲୋକେ] ସଂଧ୍ୟାରେ ମୋ ଉପରେ ଆକ୍ରମଣ କଲେ। ମୁଁ ଦ୍ରୁତ ଥିଲି ଏବଂ ଦୌଡ଼ି ପଳାଇବାରେ ସକ୍ଷମ ହେଲି। କିନ୍ତୁ ମୋତେ ପଳାଉଥିବା ଦେଖି ମୋ ମା’ କାନ୍ଦିଲେ।’’

ଏହା ପ୍ରଥମ ବା ଶେଷଥର ନ ଥିଲା, ଯେତେବେଳେ ତାଙ୍କୁ ନିଜକୁ ରକ୍ଷା କରିବାକୁ ହୋଇଥିଲା। କିନ୍ତୁ ସେ ସେହିଦିନ ନିଜ ପାଖରେ ଏକ ପ୍ରତିଜ୍ଞା କରିଥିଲେ । ସେ କହନ୍ତି, ‘‘ମୁଁ ସମସ୍ତଙ୍କୁ ଦେଖାଇବାକୁ ଯାଉଥିଲି ଯେ ମୁଁ ମୋ ନିଜ ପାଦରେ ଛିଡ଼ା ହୋଇପାରିବି। ମୁଁ ନିଷ୍ପତ୍ତି ନେଲି ମୋ ଶରୀରରେ ଯାହା ବି ସମସ୍ୟା ଅଛି ତା’ର ସମାଧାନ କରିବି।’’ ବନି ଅସ୍ତ୍ରୋପଚାରର ସହାୟତା ନେବାକୁ ନିଷ୍ପତ୍ତି ନେଲେ।

ସେ ତାଙ୍କ ଯୌନାଙ୍ଗର ଅସ୍ତ୍ରୋପଚାର କରିପାରିବା ଭଳି ଡାକ୍ତରଙ୍କୁ ଖୋଜିଲେ, ଏବଂ ଶେଷରେ କୋଲକାତା ନିକଟସ୍ଥ ସଲ୍‌ଟ ଲେକ୍‌ରେ ଜଣକୁ ପାଇଲେ, ଯାହାକି ଟ୍ରେନ୍‌ରେ ଚାରି ଘଣ୍ଟାର ରାସ୍ତା ଥିଲା। ବନି କହନ୍ତି, ‘‘ପ୍ରତି ଶନିବାର, ଡକ୍ଟର ବି.ଏନ୍‌ ଚକ୍ରବର୍ତ୍ତୀ ୧୦ରୁ୧୫ ଜଣ ଡାକ୍ତରଙ୍କ ସହ ବସୁଥିଲେ। ସେମାନେ ସମସ୍ତେ ମୋର ପରୀକ୍ଷା କରୁଥିଲେ।’’ ବହୁ ମାସ ଧରି ସେ ବିଭିନ୍ନ ପରୀକ୍ଷା କଲେ । ବନି କହନ୍ତି, ‘‘ମୋର ଡାକ୍ତର ବାଂଲାଦେଶର ତିନି ଜଣ ଲୋକଙ୍କଠାରେ ଏହି ସମାନ ପ୍ରକାରର ଅସ୍ତ୍ରୋପଚାର କରାଇଥିଲେ ଏବଂ ସେ ସବୁ ସଫଳ ହୋଇଥିଲା ।’’ କିନ୍ତୁ ସେ ଆହୁରି କହିଲେ, ସବୁ ଶରୀର ଭିନ୍ନ, ଏବଂ ଏହି ପ୍ରକ୍ରିୟାରେ ଆଗେଇବା ପୂର୍ବରୁ ତାଙ୍କୁ ତାଙ୍କର ଡାକ୍ତରଙ୍କ ସହ ବହୁ ପର୍ଯ୍ୟାୟର ଆଲୋଚନା କରିବାକୁ ଥିଲା।

ଅସ୍ତ୍ରୋପଚାର ପାଇଁ ତାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, କିନ୍ତୁ ବନି ଦୃଢ଼ମନସ୍କ ଥିଲେ। ୨୦୦୩ରେ ବନି ହରମୋନ୍‌ ରିପ୍ଲେସମେଣ୍ଟ ଥେରାପି (ଏଚ୍‌ଆର୍‌ଟି) ଆରମ୍ଭ କଲେ, ଏବଂ ୨୫୦ ଏମ୍‌ଜି ଟେଷ୍ଟୋଭାଇରନ୍‌, ଏକ ଟେଷ୍ଟୋଷ୍ଟେରନ୍‌ ଇଞ୍ଜେକ୍ସନ୍‌ କିଣିବାକୁ ମାସକୁ ପ୍ରାୟ ୧୦୦ ଟଙ୍କା ଖର୍ଚ୍ଚ କଲେ । ଔଷଧ, ଡାକ୍ତରଙ୍କ ଫି ଏବଂ ଅସ୍ତ୍ରୋପଚାର ପାଇଁ ସଞ୍ଚୟ କରିବା ଲାଗି ବନି କୋଲକାତା ଆଖପାଖରେ ରଙ୍ଗ କାମ ଭଳି ଦିନ ମଜୁରୀ କଲେ। ଏହା କୃଷ୍ଣନଗରରେ ତାଙ୍କର ମୂର୍ତ୍ତି ତିଆରି କାମ ସହ ଚାଲୁଥିଲା ।

ବନି କହିଲେ, ‘‘ମୁଁ ଜାଣିଥିବା ଜଣେ ଲୋକ ସୁରଟର ଏକ କାରଖାନାରେ ମୂର୍ତ୍ତି ତିଆରି କରୁଥିଲେ, ତେଣୁ ମୁଁ ତାଙ୍କ ସହିତ ସେଠାକୁ ଗଲି ।’’ ସେ ସପ୍ତାହକୁ ଛଅ ଦିନ କାମ କରୁଥିଲେ ଏବଂ ଗଣେଶ ଚତୁର୍ଥୀ ଏବଂ ଜନ୍ମାଷ୍ଟମୀ ଭଳି ପର୍ବରେ ମୂର୍ତ୍ତି ତିଆରି କରି ଦିନକୁ ୧,୦୦୦ ଟଙ୍କା ଆୟ କରୁଥିଲେ ।

ସାଧାରଣତଃ ଅକ୍ଟୋବର- ନଭେମ୍ବରରେ ପାଳନ ହେଉଥିବା ଦୁର୍ଗାପୂଜା ଓ ଜଗଦ୍ଧାତ୍ରୀ ପୂଜା ପାଇଁ ସେ ପ୍ରତିବର୍ଷ କୃଷ୍ଣନଗରକୁ ଫେରୁଥିଲେ। ୨୦୦୬ ଯାଏଁ ଏହିପରି ଜାରି ରହିଲା, ଯେତେବେଳେ ବନି କୃଷ୍ଣନଗରରେ ମୂର୍ତ୍ତି ତିଆରି ପାଇଁ ଠିକା ଭିତ୍ତିରେ ଅର୍ଡର ନେବା ଆରମ୍ଭ କଲେ। ‘‘ସୁରଟରେ ମୁଁ ୧୫୦-୨୦୦ ଫୁଟ୍‌ ମୂର୍ତ୍ତି ତିଆରି କରିବା ଶିଖିଲି ଏବଂ ଏଠାରେ ତା’ର ଚାହିଦା ଥିଲା,’’ ବୋଲି ସେ ଆହୁରି କହିଲେ। “ମୁଁ ଜଣେ ଶ୍ରମିକ ନିଯୁକ୍ତ କରୁଥିଲି ଏବଂ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ବ୍ୟସ୍ତବହୁଳ ପାର୍ବଣ ଋତୁରେ ଆମେ ବହୁତ ଆୟ କରିବାରେ ସଫଳ ହେଉଥିଲୁ।’’

PHOTO • Riya Behl
PHOTO • Riya Behl

ବାମ: ବନି ଏବଂ ସ୍ୱାତୀ । ଡାହାଣ: ବନି ଏବଂ ତାଙ୍କ ମା’ ନିଭା, ଇଚ୍ଛାପୁର ଗାଁରେ ଥିବା ପରିବାରର ଘରେ

ଏହି ସମୟ ମଧ୍ୟରେ ବନି କୃଷ୍ଣନଗରର ଜଣେ ମୂର୍ତ୍ତିକାର ସ୍ୱାତୀ ସରକାରଙ୍କ ସହ ପ୍ରେମରେ ପଡ଼ିଗଲେ। ସ୍ୱାତୀ ଅଧାରୁ ସ୍କୁଲ ପଢ଼ା ଛାଡ଼ିଥିଲେ ଏବଂ ନିଜ ମା’ ଓ ଚାରି ଭଉଣୀଙ୍କ ସହ ମିଶି ମୂର୍ତ୍ତି ସଜାଇବା କାମ କରି ଜୀବିକା ଅର୍ଜନ କରୁଥିଲେ। ଏହା ବନିଙ୍କ ପାଇଁ ଏକ ଚାପପୂର୍ଣ୍ଣ ସମୟ ଥିଲା, ଯିଏକି ମନେ ପକାନ୍ତି, ‘‘ମୋତେ ତାଙ୍କୁ ମୋ ବିଷୟରେ କହିବାକୁ ପଡ଼ିଥାଆନ୍ତା। କିନ୍ତୁ ଡାକ୍ତର ମୋତେ କହିଥିଲେ [ମୋର ଅସ୍ତ୍ରୋପଚାରର ସଫଳତା ବାବଦରେ], ତେଣୁ ମୁଁ ତାଙ୍କୁ କହିବାକୁ ନିଷ୍ପତ୍ତି ନେଲି।’’

ସ୍ୱାତୀ ଏବଂ ତାଙ୍କ ମା’ ଦୁର୍ଗା ଖୁବ୍‌ ସାହାଯ୍ୟକାରୀ ଥିଲେ ଏବଂ ଏମିତିକି ସ୍ୱାତୀ ୨୦୦୬ରେ ବନିଙ୍କ ଅସ୍ତ୍ରୋପଚାର ପାଇଁ ଏକ ସ୍ୱୀକୃତିପତ୍ରରେ ଦସ୍ତଖତ କଲେ । ତିନି ବର୍ଷ ପରେ, ୨୦୦୯ ଜୁଲାଇ ୨୯ରେ, ବନି ଏବଂ ସ୍ୱାତୀ ବିବାହ କଲେ ।

ସ୍ୱାତୀ ମନେ ପକାନ୍ତି ସେଦିନ ରାତିରେ ତାଙ୍କ ମା’ ବନିଙ୍କୁ କହିଲେ, ‘‘ମୋ ଝିଅ ତୁମ ଶରୀରର ସମସ୍ୟା ବାବଦରେ ବୁଝିଛି । ତଥାପି ସେ ତୁମକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛି, ତେଣୁ ମୁଁ କ’ଣ କହିପାରିବି? ତୁମି ସାତ୍‌ ଦିବ, ତୁମି ଥାକ୍‌ବ [ତୁମେ ତା ସାଙ୍ଗରେ ରହିବ, ତୁମେ ରହିବ]।’’

***

ସାଙ୍ଗରେ ବନି ଏବଂ ସ୍ୱାତୀଙ୍କର ଜୀବନ ବିସ୍ଥାପିତ ଭାବେ ଆରମ୍ଭ ହେଲା। କୃଷ୍ଣନଗରରେ ଲୋକେ କଦର୍ଯ୍ୟ କଥା କହିବା ଆରମ୍ଭ କଲେ, ତେଣୁ ଏହି ଯୋଡ଼ି ସେଠାରୁ ୫୦୦ କିଲୋମିଟର ଦୂରକୁ ଦାର୍ଜିଲିଂ ଜିଲ୍ଲାର ମାଟିଗାଡ଼ାକୁ ଯିବାକୁ ନିଷ୍ପତ୍ତି ନେଲେ, ଯେଉଁଠାରେ ତାଙ୍କୁ କେହି ଚିହ୍ନିପାରିବେ ନାହିଁ । ବନି ନିକଟସ୍ଥ ମୂର୍ତ୍ତି ତିଆରି କାରଖାନାରେ କାମ ଖୋଜିଲେ। ସେ କହନ୍ତି, ‘‘ସେମାନେ ମୋ କାମ ଦେଖିଲେ ଏବଂ ମୋତେ ଦିନକୁ ୬୦୦ ଟଙ୍କା ମଜୁରୀ ଦେବାକୁ ପ୍ରସ୍ତାବ ଦେଲେ, ମୁଁ ଗ୍ରହଣ କଲି। ମାଟିଗାଡ଼ାର ଲୋକେ ମୋତେ ଖୁବ୍‌ ଭଲପାଇବା ଦେଲେ।’’ ସେ ମନେପକାଇ ଆହୁରି କହିଲେ କେମିତି ତାଙ୍କ ଆଖପାଖରେ ଥିବା ପୁରୁଷମାନେ ତାଙ୍କୁ ସେମାନଙ୍କୁ ମଧ୍ୟରୁ ଜଣେ ଭାବେ ଗ୍ରହଣ କଲେ, ଏବଂ ସଂଧ୍ୟାରେ ସେମାନେ ଚା’ ଦୋକାନରେ ସାଙ୍ଗରେ ବସୁଥିଲେ।

PHOTO • Riya Behl
PHOTO • Riya Behl

ବାମ: ବନି ଇଚ୍ଛାପୁରରେ ଏକ ଚା’ ଦୋକାନରେ । ଡାହାଣ: ସ୍ଥାନୀୟ କାଠ ବ୍ୟବସାୟୀ ପୁଷ୍ପନାଥ ଦେବନାଥ (ବାମ), ଏବଂ ପଇଡ଼ ପାଣି ବିକ୍ରି କରୁଥିବା ଗୌରାଙ୍ଗ ମିଶ୍ର (ଡାହାଣ)ଙ୍କ ସହ

କିନ୍ତୁ ଏହି ଦମ୍ପତ୍ତି ଇଚ୍ଛାପୁରକୁ ଫେରିପାରିଲେ ନାହିଁ ଯେହେତୁ ବନିଙ୍କ ପରିବାର ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ଯେତେବେଳେ ବନିଙ୍କ ବାପାଙ୍କର ଦେହାନ୍ତ ହେଲା, ତାଙ୍କୁ ଶେଷକୃତ୍ୟରେ ଯୋଗଦେବାକୁ ମଧ୍ୟ ଦିଆଗଲା ନାହିଁ। ସେ କହନ୍ତି, ‘‘କେବଳ କ୍ରୀଡ଼ାବିତ୍‌ ନୁହନ୍ତି, ମୋ ଭଳି ଆହୁରି ବହୁତ ଲୋକ ଅଛନ୍ତି ଯେଉଁମାନେ ସମାଜ ଭୟରେ ନିଜ ଘର ଛାଡ଼ନ୍ତି।’’

ଦମ୍ପତ୍ତି ଅନୁଭବ କଲେ ଯେ ସେମାନଙ୍କର ସଂଘର୍ଷକୁ ସେତେବେଳେ ଚିହ୍ନାଗଲା ଯେତେବେଳେ ବନିଙ୍କ ଜୀବନ ଉପରେ ନିର୍ମିତ ଏକ ବୃତ୍ତଚିତ୍ର, ଆଇ ଆମ୍‌ ବନି, ୨୦୧୬ରେ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଲା। ଏହାର ତୁରନ୍ତ ପରେ, ବନିଙ୍କୁ କିଶାଲୟ ଚିଲ୍‌ଡ୍ରେନ୍‌ ହୋମ୍‌ରେ ଫୁଟ୍‌ବଲ୍‌ କୋଚ୍‌ ଭାବେ ଚାକିରିର ପ୍ରସ୍ତାବ ଦିଆଗଲା, ଏହି ଅନୁଷ୍ଠାନ ବାରାସାତ ସହରରେ ପୁଅ ପିଲାଙ୍କ ପାଇଁ ଏକ ଚାଇଲ୍‌ଡ କେୟାର ଇନ୍‌ଷ୍ଟିଚ୍ୟୁଟ୍‌  ଯାହାକି ପଶ୍ଚିମବଙ୍ଗ ବାଳ ଅଧିକାର ସୁରକ୍ଷା କମିଶନ(ଡବ୍ଲ୍ୟୁବିସିପିସିଆର୍‌) ଦ୍ୱାରା ପରିଚାଳିତ । ଡବ୍ଲ୍ୟୁବିସିପିସିଆର୍‌ର ଅଧ୍ୟକ୍ଷା ଅନନ୍ୟା ଚକ୍ରବର୍ତ୍ତୀ ଚାଟାର୍ଜୀ କହନ୍ତି, ‘‘ଆମେ ଭାବିଲୁ ସେ ପିଲାମାନଙ୍କ ଲାଗି ଏକ ପ୍ରେରଣା ହୋଇପାରିବେ ।’’ ‘‘ଆମେ ଯେତେବେଳେ ବନିଙ୍କୁ କୋଚ୍‌ ଭାବେ ନିଯୁକ୍ତି ଦେଲୁ, ଆମେ ଜାଣିଥିଲୁ ଯେ ସେ ଜଣେ ଖୁବ୍‌ ଭଲ ଫୁଟବଲ ଖେଳାଳି ଯିଏ ରାଜ୍ୟ ପାଇଁ ଅନେକ ପୁରସ୍କାର ଜିତିଛନ୍ତି । କିନ୍ତୁ ତାଙ୍କ ପାଖରେ କାମ ନ ଥିଲା । ତେଣୁ ଆମେ ଅନୁଭବ କଲୁ ସେ ଜଣେ କେତେ ଭଲ କ୍ରୀଡ଼ାବିତ୍‌ ଆମେ ନିଜକୁ ମନେପକାଇବା ଗୁରୁତ୍ୱପୂର୍ଣ୍ଣ ଥିଲା ।’’

ବନି ସେଠାରେ ୨୦୧୭ରୁ କୋଚିଂ ଦେଇଆସୁଛନ୍ତି, ଏବଂ ସେ ମଧ୍ୟ ଚିତ୍ର ଓ ମୂର୍ତ୍ତିକଳାର ଜଣେ ପ୍ରଶିକ୍ଷକ। ସେ ପିଲାମାନଙ୍କୁ ନିଜର ପରିଚୟ ବାବଦରେ ଖୋଲାଖୋଲି କହନ୍ତି ଏବଂ ବହୁ ଲୋକଙ୍କର ବିଶ୍ୱାସର ପାତ୍ର। ତଥାପି ସେ ନିଜର ଭବିଷ୍ୟତ ନେଇ ଚିନ୍ତିତ। ସେ କହନ୍ତି, ‘‘ମୋର ଏକ ସ୍ଥାୟୀ ଚାକିରି ନାହିଁ । ମୋତେ କେବଳ ସେହି ଦିନ ପାଇଁ ପାଉଣା ମିଳୁଛି ଯେଉଁଦିନ ମୋତେ କାମକୁ ଡକାଯାଉଛି’’। ସେ ସାଧାରଣତଃ ମାସକୁ ୧୪,୦୦୦ ଟଙ୍କା ଆୟ କରନ୍ତି, କିନ୍ତୁ ୨୦୨୦ରେ କୋଭିଡ୍‌-୧୯ ଆରମ୍ଭ ହେବା ପରେ ତାଙ୍କର ଚାରି ମାସ ଧରି କୌଣସି ଆୟ ନ ଥିଲା ।

୨୦୨୦ ଫେବ୍ରୁଆରୀରେ ବନି ଇଚ୍ଛାପୁରରେ ନିଜ ମା’ଙ୍କର ଘରଠାରୁ ମାତ୍ର କେଇପାଦ ଦୂରରେ ଏକ ଘର ତିଆରି କରିବାକୁ ଏକ ପାଞ୍ଚ ବର୍ଷିଆ ଋଣ ନେଲେ, ଯେଉଁଠାରେ ସ୍ୱାତୀ ଏବଂ ସେ ବର୍ତ୍ତମାନ ତାଙ୍କ ଭାଇ, ମା’ ଏବଂ ଭଉଣୀଙ୍କ ସହ ରହୁଛନ୍ତି। ଏହା ହେଉଛି ସେହି ଘର ଯେଉଁଠାରୁ ବନିଙ୍କୁ ତାଙ୍କ ଜୀବନର ଅଧିକାଂଶ ସମୟ ପାଇଁ ଯିବାକୁ ହୋଇଥିଲା। ଜଣେ ଫୁଟ୍‌ବଲ ଖେଳାଳି ଭାବେ ବନିଙ୍କର ରୋଜଗାର ଏହି ଘର ତିଆରିରେ ଖର୍ଚ୍ଚ ହୋଇଥିଲା, ଯେଉଁଠାରେ ସ୍ୱାତୀ ଓ ତାଙ୍କ ପାଇଁ ଏକ ଛୋଟ ଶୋଇବା ଘର ଅଛି। ସେମାନେ ଏବେ ମଧ୍ୟ ପରିବାର ଲୋକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ହୋଇନାହାନ୍ତି, ଏବଂ ସେମାନଙ୍କ ରୁମ୍‌ ବାହାରେ ଏକ ଛୋଟ ସ୍ଥାନରେ ଏକ ଗ୍ୟାସ୍‌ ଷ୍ଟୋଭ୍‌ରେ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି।

PHOTO • Riya Behl
PHOTO • Riya Behl

ବାମ: ଇଚ୍ଛାପୁରରେ ସେମାନଙ୍କର ଅସମ୍ପୂର୍ଣ୍ଣ ଘର ବାହାରେ ବନି ଓ ସ୍ୱାତୀ । ଡାହାଣ: ଦମ୍ପତ୍ତି ଆଶା ରଖିଛନ୍ତି ଯେ ସେମାନଙ୍କ ଛୋଟ ବେଡ୍‌ରୁମ୍‌ରେ ଥିବା ଟ୍ରଫିପୂର୍ଣ୍ଣ ଶୋକେସ୍‌ ସେମାନଙ୍କର ନୂଆ ଘରେ ଏକ ସ୍ଥାୟୀ ସ୍ଥାନ ପାଇବ ଯେତେବେଳେ ସେହି ଘର ସମ୍ପୂର୍ଣ୍ଣ ହୋଇଯିବ

୩,୪୫,୦୦୦ଟଙ୍କାର ସୁକ୍ଷ୍ମ ଗୃହ ଋଣ ସେହି ଟଙ୍କାରୁ ପୈଠ କରାଯିବାକୁ ଥିଲା ଯାହାକୁ ବନି ନିଜ ଜୀବନ ଉପରେ ଆଧାରିତ ଏକ ଫିଲ୍ମର ରାଇଟ୍‌ ବିକ୍ରି କରି ଆୟ କରିବାକୁ ଆଶା ରଖିଥିଲେ। କିନ୍ତୁ ମୁମ୍ବାଇର ଫିଲ୍ମ ନିର୍ମାତା ଫିଲ୍ମକୁ ରିଲିଜ୍‌ କରିପାରିଲେ ନାହିଁ, ଏଥିପାଇଁ ବନିଙ୍କର ଋଣ ବକେୟା ରହିଛି।

ସାର୍ଟିଫିକେଟ୍‌ ଏବଂ ଚମକୁଥିବା ଟ୍ରଫିରେ ପୂର୍ଣ୍ଣ ଶୋକେସ୍‌ ଆଗରେ ବସି ବନି ଜଣେ ଇଣ୍ଟରସେକ୍ସ ବ୍ୟକ୍ତି ଭାବେ ତାଙ୍କର ଜୀବନ ବାବଦରେ ମନେ ପକାନ୍ତି । ଅନିଶ୍ଚିତତା ପୂର୍ଣ୍ଣ ଏକ ଜୀବନ ସତ୍ୱେ, ସେ ଏବଂ ସ୍ୱାତୀ ଯତ୍ନର ସହ ସମ୍ବାଦପତ୍ର କ୍ଲିପିଂ, ଫଟୋଗ୍ରାଫ ଏବଂ ସବୁ ସ୍ମୃତିର ଜିନିଷକୁ ଏକ ଲାଲ୍‌ ସୁଟ୍‌କେସ୍‌ରେ ରଖିଛନ୍ତି, ଯାହାକି ସୋ କେସ୍‌ ଉପରେ ରଖାଯାଇଛି । ସେମାନେ ଆଶା କରନ୍ତି, ସେମାନେ ଦୁଇ ବର୍ଷ ପୂର୍ବରୁ ନିର୍ମାଣ ଆରମ୍ଭ କରିଥିବା ଘରେ ଏଥିପାଇଁ ଏକ ସ୍ଥାୟୀ ସ୍ଥାନ ରହିବ।

ବନି କହନ୍ତି, ‘‘ଏବେବି ବେଳେବେଳେ ମୁଁ ଅଗଷ୍ଟ ୧୫ [ସ୍ୱାଧୀନତା ଦିବସ]ରେ ମୋ ଗାଁରେ କ୍ଲବ୍‌ଗୁଡ଼ିକ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳେ। କିନ୍ତୁ ମୁଁ ପୁଣି ଥରେ ଭାରତ ପାଇଁ ଖେଳିବାର ସୁଯୋଗ ପାଇଲି ନାହିଁ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Riya Behl

रिया बहल, पीपल्स आर्काइव ऑफ़ रूरल इंडिया (पारी) के लिए सीनियर असिस्टेंट एडिटर के तौर पर काम करती हैं. मल्टीमीडिया जर्नलिस्ट की भूमिका निभाते हुए वह जेंडर और शिक्षा के मसले पर लिखती हैं. साथ ही, वह पारी की कहानियों को स्कूली पाठ्क्रम का हिस्सा बनाने के लिए, पारी के लिए लिखने वाले छात्रों और शिक्षकों के साथ काम करती हैं.

की अन्य स्टोरी Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE