ଦିନେ ସୋମବାରରେ ଉଷ୍ମତା ଭରା ସକାଳ ପ୍ରାୟ ୭ଟା ବେଳେ ବନ୍ଦନା କୋଲି ଏବଂ ଗାୟତ୍ରୀ ପାଟିଲ ବ୍ୟତିବ୍ୟସ୍ତ ହୋଇ ମାଛ ନେଇ ଆସିବାକୁ ଥିବା ଡଙ୍ଗାକୁ ମୁମ୍ବାଇର ସସୁନ ଡକ୍‌ଠାରେ ଅପେକ୍ଷା କରିଥାନ୍ତି।

ସେମାନେ ସେଦିନ ସକାଳେ କୋଲାବାର କୋଲିୱାଡ଼ା ଇଲାକାସ୍ଥିତ ସେମାନଙ୍କ ଘରଠାରୁ ପାଖାପାଖି ୨ କିଲୋମିଟର ଦୂର ପାଦରେ ଚାଲି ଚାଲି ଡକ୍‌କୁ ମାଛ ନେବା ଲାଗି ଆସିଥିଲେ। ସପ୍ତାହରେ ପାଞ୍ଚଦିନ ସେମାନଙ୍କୁ ଏହି କାମ ନିୟମିତ କରିବାକୁ ହୋଇଥାଏ-ସତେଜ ମାଛ କିଣିବା ଏବଂ ସେଗୁଡ଼ିକୁ ନିକଟସ୍ଥ ମାର୍କେଟରେ ବିକ୍ରି କରିବା (ସେମାନେ କୁହନ୍ତି ଯେ ମଙ୍ଗଳବାର ଏବଂ ଗୁରୁବାର ଅଧିକାଂଶ ଲୋକ ମାଛ ଖାଆନ୍ତି ନାହିଁ, ସେଥିପାଇଁ ଏ ଦୁଇଟି ବାରରେ ମାଛ ବିକ୍ରି କମ୍‌ ହୋଇଥାଏ)

୫୩ ବର୍ଷୀୟା ବନ୍ଦନା କୁହନ୍ତି, “ରବିବାର ଦିନ ବେପାର ସବୁଠୁ ଅଧିକ ଲାଭଜନକ ହୋଇଥାଏ, କିନ୍ତୁ ଗତକାଲି ସେତେ ଲାଭ ହୋଇନଥିଲା। ଯେକୌଣସି ପ୍ରକାରରେ ମୋତେ କ୍ଷତି ଭରଣା କରିବାକୁ ପଡ଼ିବ ନହେଲେ ଏ ସପ୍ତାହର ସଉଦାପତ୍ର ଯୋଗାଡ଼ କରିବାରେ ମୁଁ ସମସ୍ୟାର ସମ୍ମୁଖିନ ହୋଇପାରେ। ସେ ଏବଂ ୫୧ ବର୍ଷୀୟା ଗାୟତ୍ରୀ, ଦୁହେଁ କୋଲି ସମୁଦାୟ (ମହାରାଷ୍ଟ୍ରରେ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ)ରୁ ଆସିଥାନ୍ତି ଏବଂ ଗତ ୨୮ ବର୍ଷ ଧରି ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ରହିଛି।

ଜେଟୀରେ ଡଙ୍ଗାଗୁଡ଼ିକ ଆସିବା ଆରମ୍ଭ ହୋଇଯାଇଛି ଏବଂ ସେଠାରେ ଡଙ୍ଗା ମାଲିକ କିମ୍ବା ମତ୍ସ୍ୟଜୀବୀଙ୍କ ପାଇଁ ମାଛ ବିକ୍ରି କରିବା ଲାଗି ନିଲାମ ଡାକୁଥିବା ନିଲାମକାରୀମାନଙ୍କୁ ପାଖାପାଖି ୪୦-୫୦ ଜଣ ମହିଳା ଘେରି ରହିଛନ୍ତି। ବନ୍ଦନା ତାଙ୍କୁ କହୁଛନ୍ତି, “ଚଲ, ଆତା ଦେ ୨୦୦ ମଧେ (ଚାଲ, ୨୦୦ ଟଙ୍କାରେ ଦିଅ)”। କିଛି ଚିଙ୍ଗୁଡ଼ି ବଦଳରେ ସେ ୨୪୦ ଟଙ୍କା ଦେଉଛନ୍ତି। ପ୍ରାୟ ୯ଟା ବେଳକୁ, ଖୁବ ଜୋର୍‌ରେ ମୂଲଚାଲ କରିବା ପରେ ସେ ଓ ଗାୟତ୍ରୀ, ଲୁଣି ଓ ମଧୁର ଜଳ ଚିଙ୍ଗୁଡ଼ି ଏବଂ ବୋମ୍ବିଲ ମାଛ ଏକତ୍ରିତ କରି ନେଇଛନ୍ତି। ନିର୍ଦ୍ଦିଷ୍ଟ ଦିନର ଦରକୁ ଆଧାର କରି ସେମାନେ ୭ରୁ ୧୦ କିଲୋ ମାଛ ପ୍ରତିଥର କିଣିଥାନ୍ତି।

ଗାୟତ୍ରୀଙ୍କୁ ଇସାରା କରି ବନ୍ଦନା କୁହନ୍ତି : “ଘେଟଲା, ନିଘୁୟା (ନେଇଗଲି, ଚାଲ ଯିବା)”

'ମହିଳାମାନେ ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଆନ୍ତି ନାହିଁ, ସମସ୍ୟା ହେଲେ ପେନକିଲର ଖାଇଦିଅନ୍ତି। ଡାକ୍ତରଖାନାର ବିଲ୍‌ ଦେବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ ଏବଂ କୋଭିଡ କାରଣରୁ ସେମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବା ପାଇଁ ମଧ୍ୟ ଡର ଲାଗୁଛି।'

ଭିଡିଓ ଦେଖନ୍ତୁ : ‘ଇଚ୍ଛା ହେଉଛି ଭଗବାନଙ୍କୁ ଗୁହାରି କରନ୍ତି-ଆମ ଭାଗ୍ୟରେ ମଧ୍ୟ ଗୋଟିଏ ଭଲ ଦିନ ଲେଖି ଦିଅନ୍ତୁ

“ଆମେ ଅଧିକ କିଛି ହୁଏତ’ କିଣିଥାନ୍ତୁ, କିନ୍ତୁ କୋଭିଡ କାରଣରୁ ଆମ ବ୍ୟବସାୟ ମାନ୍ଦା ପଡ଼ିଯାଇଛି”, ବନ୍ଦନା କୁହନ୍ତି (ଦେଖନ୍ତୁ ମୁମ୍ବାଇର ମତ୍ସ୍ୟଜୀବୀମାନେ : ଏ ଝଡ଼ରୁ ମୁକ୍ତି ନାହିଁ )। ମାଛ ଭର୍ତ୍ତି ନୀଳ ରଙ୍ଗର ଟବ୍‌କୁ ସୀତା ଶେଲକେଙ୍କ ମୁଣ୍ଡ ଉପରେ ଥୋଇ ବନ୍ଦନା ପୁଣି କୁହନ୍ତି, “ଲୋକମାନେ ଆଉ ଆମ ଠାରୁ ପୂର୍ବ ଭଳି କିଣୁନାହାନ୍ତି।” ସସୁନ ଡକ୍‌ରେ ସୀତା ଓ ତାଙ୍କ ଭଳି ଅନ୍ୟ କୁଲିମାନେ କୋଲାବାସ୍ଥିତ ମାଛ ବଜାର ପର୍ଯ୍ୟନ୍ତ ମାଛ ଭର୍ତ୍ତି ଟବ୍‌ ଓ ଟୋକେଇ ପହଞ୍ଚାଇବା ପାଇଁ ପ୍ରାୟ ୪୦-୫୦ ଟଙ୍କା ନେଇଥାନ୍ତି। ଗାୟତ୍ରୀ ସେଦିନ ନିଜ ଟୋକେଇକୁ ବଜାର ଦେଇ ଯାଉଥିବା ଜଣେ ପଡ଼ୋଶୀଙ୍କ ଦୁଇ ଚକିଆରେ ପଠାଇଥିଲେ।

ବନ୍ଦନା କୁହନ୍ତି, “ଆଗ କଥା ହୋଇଥିଲେ ମୁଁ ମୋ ମୁଣ୍ଡରେ ମୁଣ୍ଡାଇ ନେଇପାରିଥାନ୍ତି, କିନ୍ତୁ ଯେବେଠାରୁ ମୋ ହୃତପିଣ୍ଡ ଅସ୍ତ୍ରୋପଚାର ହୋଇଛି, ମୁଁ ଅଧିକ ଓଜନ ଉଠାଇପାରୁନାହିଁ।” ସୀତା ମୁଣ୍ଡ ଉପରେ ଟବ୍‌କୁ ଉଠାଇ ନେବା ପରେ, ଏହି ତିନିଜଣ ମହିଳା ଦୁଇ କିଲୋମିଟର ଦୂରରେ ଥିବା ବଜାର ଦିଗରେ ଚାଲିବା ଆରମ୍ଭ କରିଥାନ୍ତି। ବାଟରେ ସେମାନେ କେବଳ ଥରୁଟିଏ ଏକ ବରଫ ଦୋକାନ ପାଖରେ ରହିଥାନ୍ତି ସେଠାରେ ବନ୍ଦନା ଭଙ୍ଗା ବରଫର ଗୋଟିଏ ବଡ଼ ଝୁଡ଼ି ପାଇଁ ଦୁଇଟି ୧୦ ଟଙ୍କିଆ ନୋଟ ବଢ଼ାଇ ଦିଅନ୍ତି।

ଡିସେମ୍ବର ୨୦୧୮ରେ ବନ୍ଦନାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର କରାଯାଇଥିଲା। ଦିନେ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ଦକ୍ଷିଣ ମୁମ୍ବାଇର ନାଗପାଡ଼ା ଅଞ୍ଚଳରେ ଥିବା ଜେଜେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଗଲା ଯେ ବନ୍ଦନାଙ୍କୁ ହୃଦଘାତ ହୋଇଛି। “ଅସ୍ତ୍ରୋପଚାର ପରଠାରୁ ମୁଁ ଗୋଟିଏ ବୋତଲ ପାଣି ସୁଦ୍ଧା ଉଠାଇପାରୁନାହିଁ। ନଇଁବା ଏବଂ ଏଣେତେଣେ ଦୌଡ଼ିବାରେ ସମସ୍ୟା ହେଉଛି। ମୋ ଶରୀର ଅସୁସ୍ଥ ଥିବା ସତ୍ତ୍ୱେ, ମୋତେ ମୋ ପରିବାର ପାଇଁ କାମ କରିବାକୁ ହୋଇଥାଏ”, ସେ କୁହନ୍ତି।

ଗାୟତ୍ରୀଙ୍କ ଆଡ଼କୁ ଚାହିଁ ସେ କୁହନ୍ତି, “ସେ ସବୁଦିନ ଡାକ୍ତରଖାନାକୁ ଡବା (ଟିଫିନ) ନେଇ ଆସୁଥିଲେ। ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମୟରେ, ସେ ମୋ ସ୍ୱାମୀ ଓ ପୁଅଙ୍କ ପାଇଁ ଖାଦ୍ୟ ପଠାଉଥିଲେ। ତାଙ୍କର କଷ୍ଟ ସମୟରେ ମୁଁ ଯେମିତି କରିଥିଲି ଠିକ୍‌ ସେମିତି ସେ ମୋ ପରିବାରର ଯତ୍ନ ନେବା ଆଶ୍ଵସ୍ତିର ବିଷୟ ଥିଲା। ଆମେ ଉଭୟ ଗରିବ ହୋଇଥିବାରୁ, ପରସ୍ପରକୁ ଆର୍ଥିକ ସହାୟତା କରିପାରିବୁ ନାହିଁ, କିନ୍ତୁ ଆମେ ସବୁବେଳେ ଅନ୍ତରଙ୍ଗ ବନ୍ଧୁ ହୋଇ ରହିଛୁ।”

Vandana Koli and Gayatri Patil waiting for the boats to come in at Sassoon Dock. Once they arrive, they will begin determined rounds of bargaining
PHOTO • Shraddha Agarwal
Vandana Koli and Gayatri Patil waiting for the boats to come in at Sassoon Dock. Once they arrive, they will begin determined rounds of bargaining
PHOTO • Shraddha Agarwal

ସାସୁନ ଡ କ୍‌ ଠାରେ ଡଙ୍ଗାକୁ ଅପେକ୍ଷା କରି ରହିଛନ୍ତି ବନ୍ଦନା କୋଲି ଏବଂ ଗାୟତ୍ରୀ ପାଟିଲ। ଥରେ ସେଗୁଡ଼ିକ ପହଞ୍ଚିବା ପରେ, ଜୋରସୋରରେ ମୂଲଚାଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଏ

ଗାୟତ୍ରୀ ନିଜ ଶାଢ଼ିର କାନିକୁ ସାମାନ୍ୟ ତଳକୁ ଖସାଇ କିଡନୀ ପ୍ରତ୍ୟାରୋପଣ ସମୟରେ ହୋଇଥିବା ଚିହ୍ନକୁ ଦେଖାଇଥାନ୍ତି। ସେ ଆହୁରି କୁହନ୍ତି, “ମୋ ଝିଅର କିଡନୀ ଦରକାର ଥିଲା ଏବଂ ଭଗବାନଙ୍କ କୃପାରୁ ମୋ କିଡନୀ ତା’ ପାଇଁ ଠିକ୍ ଥିଲା।” “କିନ୍ତୁ ତା’କୁ ଅତି କଷ୍ଟର ସମ୍ମୁଖିନ ହେବାକୁ ପଡ଼ିଥିଲା। ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲା”।

ମଇ ୨୦୧୫ରେ, ଗାୟତ୍ରୀଙ୍କ ୨୫ ବର୍ଷୀୟା ଝିଅ ଶ୍ରୁତିକା ସେତେବେଳେ ଖୁବ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କର ପରିବାର ତାଙ୍କୁ ବିଭିନ୍ନ ସ୍ଥାନୀୟ କ୍ଲିନିକକୁ ନେଇଯାଇଥିଲା, କିନ୍ତୁ ବାରମ୍ବାର ତାଙ୍କୁ ଜ୍ୱର ହେଉଥିଲା। ତାଙ୍କ ମୁହଁ କଳା ପଡ଼ିଯାଇଥିଲା ଏବଂ ପାଦ ଫୁଲି ଯାଇଥିଲା। ଏହାପରେ ପରିବାର ଲୋକମାନେ ତାଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ଶ୍ରୁତିକା କୁହନ୍ତି, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ଠିକ୍‌ ଚିକିତ୍ସା ମିଳିପାରିଲା ନାହିଁ। ସେ ଆହୁରି କୁହନ୍ତି, “ମୁଁ ଆରମ୍ଭରୁ ଖୁବ ଅସୁସ୍ଥ ଥିଲି, ତେଣୁ ଅଧିକ ଦିନ ପର୍ଯ୍ୟନ୍ତ ବିପଦ ମୁଣ୍ଡାଇବାକୁ ବାପା ଚାହିଁଲେ ନାହିଁ। ଏହାପରେ ଆମେ ବମ୍ବେ ହସ୍ପିଟାଲ (ଏକ ଘରୋଇ ଡାକ୍ତରଖାନା) ଗଲୁ।” ସେଠାରେ ଶ୍ରୁତିକା ଓ ତାଙ୍କ ବାପା-ମା’ଙ୍କୁ କୁହାଗଲା ଯେ ତାଙ୍କର ଦୁଇଟି କିଡନୀ ଫେଲ ହୋଇଯାଇଛି ଏବଂ ତାଙ୍କର କିଡନୀ ପ୍ରତ୍ୟାରୋପଣ କରିବା ଅତ୍ୟନ୍ତ ଜରୁରି।

୧୦ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ଏବଂ ୩ ମାସ ପର୍ଯ୍ୟନ୍ତ ସଂକ୍ରମଣର ବିପଦକୁ କମ୍‌ କରିବା ଲାଗି କୋଲିୱାଡ଼ାରେ ଏକ ଭଡ଼ା ଘରେ ଆଇସୋଲେସନରେ ରହିବା ପରେ, ପରିବାର ଆଗରେ ପାଖାପାଖି ୧୦ ଲକ୍ଷ ଟଙ୍କାର ବିଲ୍‌ ବାକି ଥିଲା। ଶ୍ରୁତିକା କୁହନ୍ତି, “ମା’ ଓ ବାପାଙ୍କୁ ନିଜ ପରିଚିତ ପ୍ରାୟ ସବୁ ଲୋକଙ୍କଠାରୁ ଟଙ୍କା ଉଧାର ନେବାକୁ ପଡ଼ିଲା। ମୋର ଡାଏଲିସିସ ହେଉଥିଲା। ଆମର ସମ୍ପର୍କୀୟମାନେ ଆମର ସହାୟତା କଲେ ଏବଂ ବାପା ନିଜର ଜଣେ ନିଯୁକ୍ତିଦାତାଙ୍କଠାରୁ ୩ ଲକ୍ଷ ଟଙ୍କା କରଜ ଆଣିଲେ। ପରିବାରକୁ ଗୋଟିଏ ଏନଜିଓଠାରୁ ମଧ୍ୟ କିଛି ଆର୍ଥିକ ସହାୟତା ମିଳିଲା। ସେ ଆହୁରି କୁହନ୍ତି, “ବାବା ଏବେ ବି ଋଣ ରାଶି ପରିଶୋଧ କରୁଛନ୍ତି।”

ଅସ୍ତ୍ରୋପଚାର ପରେ ଶ୍ରୁତିକା ଓ ଗାୟତ୍ରୀ ଉଭୟଙ୍କୁ ଡାକ୍ତର ଓଜନିଆ ଜିନିଷ ନଉଠାଇବାକୁ ପରାମର୍ଶ ଦେଇଛନ୍ତି। ଗାୟତ୍ରୀ କୁହନ୍ତି, “ଜିନିଷ ନଉଠାଇ ମୁଁ କାମ କିଭଳି କରିପାରିବି? ଏବେବି ମୋତେ ଝିଅର ଔଷଧ ପାଇଁ ଟଙ୍କା ଦେବାକୁ ପଡ଼ୁଛି। ଔଷଧ ବାବଦରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ସେ ଗୋଟିଏ ବଟିକା ସୁଦ୍ଧା ଖାଇବା ବନ୍ଦ ମଧ୍ୟ କରିପାରିବ ନାହିଁ। ଏସବୁ ତା’ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଗୋଟିଏ ଗୋଟିଏ ଟଙ୍କା ସଞ୍ଚିବାକୁ ପଡ଼ିଥାଏ। ଦିନେ ଦିନେ ମୋ ପିଠି ଏବଂ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହୋଇଥାଏ, କିନ୍ତୁ ଏମିତି କେବଳ ମୋ ସହ ହୁଏନାହିଁ। ଅଧିକାଂଶ ମହିଳା ଯନ୍ତ୍ରଣା ସହି କାମ କରିଥାନ୍ତି। ଏପରିକି ବନ୍ଦୁଙ୍କର ମଧ୍ୟ ଏକ ଅସ୍ତ୍ରୋପଚାର ହୋଇଥିଲା।”

Left: Colaba Koliwada (left) is home to 800 families. Middle: Vandana at home in a lighter moment. Right: Gayatri gets emotional while talking about her daughter
PHOTO • Shraddha Agarwal
Left: Colaba Koliwada (left) is home to 800 families. Middle: Vandana at home in a lighter moment. Right: Gayatri gets emotional while talking about her daughter
PHOTO • Shraddha Agarwal
Left: Colaba Koliwada (left) is home to 800 families. Middle: Vandana at home in a lighter moment. Right: Gayatri gets emotional while talking about her daughter
PHOTO • Shraddha Agarwal

ବାମ : କୋଲାବାର କୋଲି ୱାଡ଼ାରେ ପାଖାପାଖି ୮୦୦ ପରିବାର ରହିଥାନ୍ତି। ମଝି : ବନ୍ଦନା ନିଜ ଘରେ ସାମାନ୍ୟ ଆଶ୍ୱସ୍ତିଭରା ମୁହୂର୍ତ୍ତରେ। ଡାହାଣ : ଗାୟତ୍ରୀ ନିଜ ଝିଅ ବିଷୟରେ କହୁଥିବା ବେଳେ ଟିକିଏ ଭାବପ୍ରବଣ ହୋଇପଡ଼ିଛନ୍ତି

ଗାୟତ୍ରୀ ଆହୁରି କୁହନ୍ତି, “ଏଠାରେ (କୋଲିୱାଡ଼ାରେ) ମହିଳାମାନେ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ଆସନ୍ତି ନାହିଁ, ସମସ୍ୟା ହେଲେ ପେନକିଲର ଔଷଧ ସେବନ କରି ନିଅନ୍ତି। ଡାକ୍ତରଖାନାର ବିଲ୍‌ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥାଏ ଏବଂ କୋଭିଡ କାରଣରୁ ସେମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବା ପାଇଁ ଭୟ ଲାଗିଥାଏ। କୋଲିୱାଡ଼ାରେ ଏକ ଛୋଟିଆ (ଘରୋଇ) କ୍ଲିନିକ ଅଛି, ଯାହାକି ସବୁବେଳେ ଭିଡ଼ ରହିଥାଏ। ଆହୁରି (ଗତବର୍ଷ) ଲକଡାଉନ ସମୟରେ ଏହା ମଧ୍ୟ ବନ୍ଦ ରହିଥିଲା। ଆମ ଲୋକମାନେ ଅନେକ କଷ୍ଟକର ପରିସ୍ଥିତିର ସମ୍ମୁଖିନ ହୋଇଥିଲେ। ଅନେକଙ୍କ ଧାରଣା ଯେ କୋଲି ଲୋକମାନେ ଧନୀ କିନ୍ତୁ ଆମ ସମୁଦାୟରେ ମଧ୍ୟ ଅନେକ ଗରିବ ଲୋକ ଅଛନ୍ତି। ଲକଡାଉନରେ ଆମେ ଭଗବାନଙ୍କୁ ଏହି ପ୍ରାର୍ଥନା କରୁଥିଲୁ ଯେ ଆମକୁ ଆଶ୍ଵସ୍ତିଭରା ଗୋଟିଏ ଦିନ ମିଳୁ। ଡକ୍ ବନ୍ଦ ପଡ଼ିଥିଲା। ଆମ ଘରେ ଆଳୁ-ପିଆଜ ସୁଦ୍ଧା ନଥିଲା, ଆମ ଅବସ୍ଥା ଏପରି ଥିଲା। ଆମେ ଡାଲି ଖାଇ ଜୀବନ ବଞ୍ଚାଉଥିଲୁ।

ଅତି ସଂକୀର୍ଣ୍ଣ ଗଳି ଏବଂ ଗଳିର ଦୁଇ ପାର୍ଶ୍ୱରେ ଗୋଟିଏ କିମ୍ବା ଦୁଇ ମହଲା କୋଠା ଥିବା ତାଙ୍କ ଇଲାକାରେ ୮୦୦ ପରିବାର ଏବଂ ପାଖାପାଖି ୪୧୨୨ ଜଣ ଲୋକ ରହିଥାନ୍ତି (ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା, ୨୦୧୦ର ତଥ୍ୟ ଅନୁଯାୟୀ)। ବିଗତ ବର୍ଷ କିଛି ଦିନ ପାଇଁ କୋଲାବାର କେତେକ ଅଞ୍ଚଳକୁ ‘କୋଭିଡ କଣ୍ଟେନମେଣ୍ଟ ଜୋନ’ ଘୋଷଣା କରି ଦିଆଯାଇଥିଲା। ମାର୍ଚ୍ଚ ୨୦୨୦ରେ ଲକଡାଉନ ଲାଗୁ ହେବା ପରେ ପ୍ରାରମ୍ଭିକ କିଛି ଦିନ କଷ୍ଟ କଥା ମନେ ପକାଇ ବନ୍ଦନା କୁହନ୍ତି, “ଲୋକମାନଙ୍କର କୋଲିୱାଡ଼ା ଯିବା ଆସିବା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଇ ଦିଆଯାଇଥିଲା। ଏପରିକି ଯେଉଁ ଲୋକମାନେ ଆମ ପାଖରେ ସଉଦାପତ୍ର ପହଞ୍ଚାଇବାକୁ ଚାହୁଁଥିଲେ, ସେମାନଙ୍କୁ ମଧ୍ୟ ଭିତରକୁ ଆସିବାକୁ ଦିଆଯାଉନଥିଲା। ତାହା ଅତି ଖରାପ ସମୟ ଥିଲା। ଆମକୁ ଖାଇବା ମଧ୍ୟ କମ୍‌ କରିବାକୁ ପଡ଼ିଲା।”

ସେ ଆହୁରି କୁହନ୍ତି, ବଜାର ଖୋଲିବା ପରେ ସେଠାକାର ବହୁ ପରିବାର ପନିପରିବା କିଣିପାରିଲେ ନାହିଁ, କାରଣ ସେମାନଙ୍କ ପାଖରେ କାମ ନଥିଲା କିମ୍ବା ଟଙ୍କା ମଧ୍ୟ ନଥିଲା। ଲକଡାଉନ ପୂର୍ବରୁ ବନ୍ଦନା ଓ ଗାୟତ୍ରୀ ଦିନକୁ ପ୍ରାୟ ୫୦୦ ଟଙ୍କା ଲାଭ କରୁଥିଲେ। କିଛି ଦିନ ପାଇଁ ଏହା ଶୂନ ହୋଇଗଲା। ପ୍ରତିବର୍ଷ ମେ ୨୧ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମାଛ ମାରିବା ଉପରେ କଟକଣା ଲାଗୁ ହୋଇଥାଏ। ଏଥିପାଇଁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଏ। ଏହାପରେ, ଗତବର୍ଷ ସେପ୍ଟେମ୍ବର ମାସ ପରଠାରୁ ସେମାନେ ସପ୍ତାହକୁ ପାଞ୍ଚ ଦିନ ଦୈନିକ ପ୍ରାୟ ୩୦୦ ଟଙ୍କା ଲେଖାଏଁ ଆୟ କରୁଥିଲେ।

At Sassoon Dock, Sita Shelke (left) and other porters charge Rs. 40-50 to carry baskets to the fish market in Colaba. That day, Gayatri (right) had sent her basket on the two-wheeler of a neighbour
PHOTO • Shraddha Agarwal
At Sassoon Dock, Sita Shelke (left) and other porters charge Rs. 40-50 to carry baskets to the fish market in Colaba. That day, Gayatri (right) had sent her basket on the two-wheeler of a neighbour
PHOTO • Shraddha Agarwal

ସସୁନ ଡ କ୍‌ ରେ, ସୀତା ଶେଲକେ (ବାମ) ଏବଂ ଅନ୍ୟ କୁଲିମାନେ କୋଲାବାସ୍ଥିତ ମାଛ ବଜାର ପର୍ଯ୍ୟନ୍ତ ଟୋକେଇ ପହଞ୍ଚାଇବା ଲାଗି ୪୦-୫୦ ଟଙ୍କା ନେଇଥାନ୍ତି। ସେଦିନ, ଗାୟତ୍ରୀ ( ଡାହାଣ) ନିଜ ଟୋକେଇ ଜଣେ ପଡ଼ୋଶୀଙ୍କ ଦୁଇଚକିଆରେ ରଖି ପଠାଇ ଦେଇଥିଲେ

ଆମେ ପାଖାପାଖି ସକାଳ ୧୦:୩୦ ସମୟରେ ନିକଟସ୍ଥ ବଜାର ଆଡ଼କୁ ଗଲୁ। ଆମେ ସେହି ଜାଗାରେ ପହଞ୍ଚିଲୁ ଯେଉଁଠି ଦୁଇ ବନ୍ଧୁ ସେମାନଙ୍କର ଷ୍ଟଲ ଖୋଲିଥିଲେ। ସେଠାରେ ସେମାନେ ଗାୟତ୍ରୀଙ୍କ ପୂର୍ବତନ ନିଯୁକ୍ତିଦାତାମାନଙ୍କୁ ଭେଟିଲେ। ସେ ତାଙ୍କୁ କୌଣସି ଘରୋଇ କାମ ଅଛି କି ନାହିଁ ବୋଲି ପଚାରିଲେ। ଏହାପରେ ଦୈନନ୍ଦିନ ଖର୍ଚ୍ଚ ବିଷୟରେ କହିଥିଲେ। “ପ୍ରତି ମାସରେ  ୬୦୦୦ଟଙ୍କା ଘର ଭଡ଼ା ଦେବା ବ୍ୟତୀତ, ଆମକୁ ପ୍ରତ୍ୟେକ ଦିନ ୨୦୦ ଟଙ୍କା ସେହି ସ୍ଥାନ ପାଇଁ ଦେବାକୁ ପଡ଼ିଥାଏ ଯେଉଁଠି ଆମେ ଷ୍ଟଲ ଖୋଲି ମାଛ ବିକ୍ରି କରିଥାଉ। ଆମ ସ୍ୱାମୀ ଓ ପୁଅମାନଙ୍କ ପାଖରେ ଏବେ କାମ ନାହିଁ,” ବନ୍ଦନା କୁହନ୍ତି।

ତାଙ୍କର ସ୍ୱାମୀ ୫୯ ବର୍ଷୀୟ ଯଶବନ୍ତ କୋଲି ଏବଂ ଗାୟତ୍ରୀଙ୍କ ସ୍ୱାମୀ ୪୯ ବର୍ଷୀୟ ମନୋଜ ପାଟିଲ, ଉଭୟ ସସୁନ ଡକରେ ମାଛ ଧରା ଜାଲ ମରାମତି କାମ କରିଥାନ୍ତି ଏବଂ ମାର୍ଚ୍ଚ ୨୦୨୦ରେ ଲକଡାଉନ ଆରମ୍ଭ ହେବା ପୂର୍ବରୁ ସେମାନେ ଦିନକୁ ୨୦୦-୩୦୦ ଟଙ୍କା ଆୟ କରି ନେଉଥିଲେ। ବନ୍ଦନା କୁହନ୍ତି ଯେ ଏବେ ତାଙ୍କର ସ୍ୱାମୀ ମଦ ପିଇ ପଡ଼ି ରହୁଛନ୍ତି ଏବଂ କାମକୁ ଯାଉନାହାନ୍ତି। ଗତ ବର୍ଷ ଜାନୁଆରୀରେ ଗାୟତ୍ରୀଙ୍କ ସ୍ୱାମୀଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା ଏବଂ ତା’ପରଠାରୁ ସେ ଠିକ୍ ଭାବେ ଜାଲ ମରାମତି କରିପାରୁନାହାନ୍ତି।

ବନ୍ଦନାଙ୍କ ପୁଅ ୩୪ ବର୍ଷୀୟ କୁନାଲ ଏବଂ ଗାୟତ୍ରୀଙ୍କ ପୁଅ ୨୬ ବର୍ଷୀୟ ହିତେଶ ଏକ ଫୁଡ ଡେଲିଭରୀ କମ୍ପାନୀରେ ସାମଗ୍ରୀ ପହଞ୍ଚାଇବା କାମ କରିଥାନ୍ତି ଏବଂ ସେଥିରୁ ଗୋଟିଏ ମାସରେ ୩୦୦୦-୪୦୦୦ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଲକଡାଉନ ସମୟରେ ସେମାନଙ୍କ କାମ ବନ୍ଦ ହୋଇଯାଇଥିଲା ଏବଂ ତା’ପରଠାରୁ ସେମାନେ ବେକାର ହୋଇ ବସି ରହିଛନ୍ତି। ଚଳିତ ବର୍ଷ ଜୁନ ମାସରେ ଶ୍ରୁତିକାଙ୍କୁ କୋଲାବାର ଏକ ଜୋତା ଦୋକାନରେ କାମ ମିଳିଲା ଏବଂ ଏବେ ସେଠାରୁ ତାଙ୍କୁ ୫୦୦୦ ଟଙ୍କା ମିଳୁଛି।

It’s nearly 11 a.m. by the time they start calling out to customers: 'Ghe ga tai', 'Tai, ithe ye', "Ghe re, maaushi'
PHOTO • Shraddha Agarwal

ସକାଳ ପାଖାପାଖି ୧୧ଟା ବେଳକୁ ସେମାନେ ଗ୍ରାହକଙ୍କୁ ଡାକିବା ଆରମ୍ଭ କରି ଦେଇଥାନ୍ତି : ‘ଘେ ଗା ତାଇ’, ‘ତାଇ, ଇଥେ ୟେ’, “ଘେ ରେ, ମାଉସୀ’

ଆମେ ଯେତେବେଳେ ବଜାରରେ ପହଞ୍ଚିଲୁ ସୀତାଙ୍କୁ ତାଙ୍କ ମାଛ ବୋହିବାର ପାଉଣା ବନ୍ଦନା ଦେଲେ ଏବଂ ନିକଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ମୁଣ୍ଡ ଉପରୁ ଟୋକେଇଟିକୁ ତଳକୁ ଓହ୍ଲାଇଲେ। ସେ ଥର୍ମୋକୋଲର ଏକ ପୁରୁଣା ଏବଂ ବଡ଼ ବାକ୍ସ ଭୂମି ଉପରେ ରଖିଥାନ୍ତି ଏବଂ ତା’ ଉପରେ କାଠର ଏକ ପଟା ରଖିଥାନ୍ତି, ଯାହା ଉପରେ ସେ ମାଛ ଖେଳାଇ ରଖି ଦେବା ପରେ ଗ୍ରାହକମାନଙ୍କୁ ଡାକିବା ଆରମ୍ଭ କରିଥାନ୍ତି-‘ଘେ ଗା ତାଇ’, ‘ତାଇ, ଇଥେ ୟେ’, “ଘେ ରେ, ମାଉସୀ”।

ଗାୟତ୍ରୀ ମଧ୍ୟ ନିଜର ଷ୍ଟଲ ଖୋଲିଥାନ୍ତି ଓ କ୍ରେତାମାନଙ୍କ ଅପେକ୍ଷାରେ ରୁହନ୍ତି। ଅପରାହ୍ଣ ପ୍ରାୟ ଗୋଟାଏ ବେଳକୁ ତାଙ୍କୁ କୋଲାବାର ଏକ ଆପାର୍ଟମେଣ୍ଟକୁ ଘରୋଇ କାମ ପାଇଁ ଯିବାକୁ ପଡ଼ିଥାଏ। ମାଛ ବିକ୍ରିରୁ ରୋଜଗାର କମ୍‌ ହେବା କାରଣରୁ ସେପ୍ଟେମ୍ବର ୨୦୨୦ରେ ସେ କେତେକଙ୍କ ଘରେ ରୋଷେଇ ଏବଂ ସଫେଇ କରିବା କାମ ଆରମ୍ଭ କରିଥିଲେ। ଦିନକୁ ପ୍ରାୟ ୫ ଘଣ୍ଟା କାମ କରିବା ପରେ ମାସିକ ସେ ୪୦୦୦ ଟଙ୍କା ରୋଜଗାର କରିଥାନ୍ତି। ‘‘ଲକଡାଉନ ସମୟରେ ଜଣେ ମାଡାମ ମୋତେ ଟଙ୍କାଟିଏ ସୁଦ୍ଧା ଦେଲେ ନାହିଁ। ମୁଁ ଅସ୍ଥାୟୀ ଭାବେ କାମ କରିଥାଏ। ସମସ୍ୟା କାରଣରୁ ମୋତେ କାମ କରିବାକୁ ପଡ଼ୁଛି’’। ବନ୍ଦନାଙ୍କୁ ତାଙ୍କ ଷ୍ଟଲ ଉପରେ ନଜର ରଖିବାକୁ କହି ସେ କୁହନ୍ତି, “ସେ ଏଗୁଡ଼ିକୁ ବିକ୍ରି ମଧ୍ୟ କରିଦେବ। ଆମେ ଏହିପରି ଭାବେ ପରସ୍ପରକୁ ସାହାଯ୍ୟ କରିଥାଉ। ତାଙ୍କ ଘରେ ଚାଉଳ ନଥିଲେ ମୁଁ ଦିଏ, ମୋ ଘରେ ଡାଲି ନଥିଲେ ସେ ଦିଅନ୍ତି।”

ବନ୍ଦନା ଓ ଗାୟତ୍ରୀ, ଉଭୟ ପାଖାପାଖି ଚାରି ଦଶନ୍ଧି ଧରି ମାଛ ବିକ୍ରି କାମ କରି ଆସୁଛନ୍ତି। ଗାୟତ୍ରୀ ସେଣ୍ଟ୍ରାଲ ମୁମ୍ବାଇର କୋଲିୱାଡାସ୍ଥିତ ମଜଗାଓଁରେ ବଢ଼ିଛନ୍ତି ଏବଂ ୨୮ ବର୍ଷ ତଳେ ବାହା ହୋଇ ସେ କୋଲାବାକୁ ଚାଲିଆସିଥିଲେ, ଅନ୍ୟପକ୍ଷରେ ବନ୍ଦନା ଆରମ୍ଭରୁ କୋଲିୱାଡାରେ ରହି ଆସୁଛନ୍ତି।

ବନ୍ଦନା କୁହନ୍ତି, ବଡ଼ ବଡ଼ ଅଟ୍ଟାଳିକା ନିର୍ମିତ ହେବା ବ୍ୟତୀତ ତାଙ୍କ ଆଖପାଖ ଅଞ୍ଚଳରେ ସେତେ କିଛି ପରିବର୍ତ୍ତନ ହୋଇନାହିଁ। ସେ କୁହନ୍ତି, “ମୁଁ ଏହି ସଙ୍କୀର୍ଣ୍ଣ ଗଳିରେ ବଡ଼ ହୋଇଛି। ମୋର ମା’-ବାପା ମଧ୍ୟ ବ୍ୟବସାୟ କରୁଥିଲେ। ମୁଁ ସାରା ଜୀବନ ହାଡ଼ଭଙ୍ଗା ପରିଶ୍ରମ କରିଛି, କିନ୍ତୁ ମୁଁ ଚାହୁଁନାହିଁ ଯେ ମୋର ପୁଅ କିମ୍ବା ଆମ କୋଲି ସମ୍ପ୍ରଦାୟର କୌଣସି ପିଲାଙ୍କ ଭାଗ୍ୟ ଏପରି ହେଉ।”

ଅନୁବାଦ: ଓଡ଼ିଶାଲାଇଭ୍‍

Shraddha Agarwal

श्रद्धा अग्रवाल 'पीपल्स आर्काइव ऑफ़ रूरल इंडिया (पारी)' के लिए बतौर रिपोर्टर और कॉन्टेंट एडिटर काम करती हैं.

की अन्य स्टोरी Shraddha Agarwal
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE