ଏହା ସେହି ସୂର୍ଯ୍ୟାସ୍ତ ନୁହେଁ ଯାହାକୁ ଦେଖିବା ଲାଗି ସେ ଅପେକ୍ଷା କରି ରହିଛନ୍ତି। ନିଜର ଏକ ବଖୁରିକିଆ କୋଠରୀର ରୋଷେଇ ଘର ବାହାରେ ବସିଥିବା ରନ୍ଦାୱନୀ ସୁରୱସେ, ଷ୍ଟ୍ରିଟ୍ ଲାଇଟ ଜଳିବା ପୂର୍ବରୁ ଅନେକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ଚାହିଁ ବସିଥିଲେ। ନିଜ ମୁଖମଣ୍ଡଳରେ ଏକ ଉଦାସପୂର୍ଣ୍ଣ ସ୍ମିତହାସ୍ୟ ସହିତ, ସେ କୁହନ୍ତି, “ଏହା ହେଉଛି ସେହି ସ୍ଥାନ ଯେଉଁଠି ମୋ ସ୍ୱାମୀ ବସି ନିଜ ମନପସନ୍ଦର ଅଭଙ୍ଗ ଗାଉଥିଲେ।”
ହିନ୍ଦୁ ଦେବତା ବିଠଲଙ୍କ ସ୍ତୁତି କରି ଭକ୍ତି ଗୀତ ଗାଇବା ତାଙ୍କ ସ୍ୱାମୀ ପ୍ରଭାକର ସୁରୱସେଙ୍କ ମନପସନ୍ଦର ଅଭ୍ୟାସ ଥିଲା। ଦୁଇ ବର୍ଷ ପୂର୍ବରୁ ୬୦ ବର୍ଷ ବୟସରେ ଉପନୀତ ହେବା ପରେ, ସେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରୁ ଜଣେ କିରାଣି ଭାବେ ଅବସର ଗ୍ରହଣ କରିଥିଲେ। ସେବେଠାରୁ, ପ୍ରଭାକର ମହାରାଷ୍ଟ୍ରର ବିଡ଼ ଜିଲ୍ଲାର ପରଲୀ ସହରରେ ଥିବା ନିଜ ଘରେ ପ୍ରତିଦିନ ସନ୍ଧ୍ୟାରେ ଭଜନ ଗାଉଥିଲେ ଏବଂ ନିଜ ପଡ଼ୋଶୀମାନଙ୍କୁ ଖୁସି କରିଦେଉଥିଲେ।
୯ ଏପ୍ରିଲ, ୨୦୨୧ ରେ ତାଙ୍କଠାରେ କୋଭିଡ-19ର ଲକ୍ଷଣ ଦେଖାଦେବା ପର୍ଯ୍ୟନ୍ତ ଏପରି ଚାଲିଥିଲା।
ଦୁଇ ଦିନ ପରେ, ପ୍ରଭାକରଙ୍କୁ ପରଲୀଠାରୁ ୨୫ କିଲୋମିଟର ଦୂରରେ ଥିବା ସ୍ୱାମୀ ରାମାନନ୍ଦ ତୀର୍ଥ ଗ୍ରାମୀଣ ସରକାରୀ ମେଡ଼ିକାଲ କଲେଜ, ଅମ୍ବେଜୋଗାଇ (ଏସଆରଟିଆରଏମସିଏ)ରେ ଭର୍ତ୍ତି କରାଗଲା। ଏହାର ଦଶ ଦିନ ପରେ, ନିଃଶ୍ୱାସ ନେବାରେ କଷ୍ଟ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଲା।
ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା। “ସକାଳ ୧୧:୩୦ରେ, ମୁଁ ତାଙ୍କୁ ବିସ୍କିଟ୍ ଖାଇବାକୁ ଦେଇଥିଲି”, ତାଙ୍କର ୩୬ ବର୍ଷୀୟ ପୁତୁରା ବୈଦ୍ୟନାଥ ସୁରୱସେ କୁହନ୍ତି, ଯିଏକି ପରଲୀରେ ଚୀନା ଫାଷ୍ଟଫୁଡ୍ ଦୋକାନ ଚଳାଇଥାନ୍ତି। “ଏପରିକି ସେ ଜୁସ୍ ମଧ୍ୟ ମାଗିଥିଲେ। ଆମେ ପରସ୍ପର ସହ କଥା ହେଲୁ। ସେ ଠିକ୍ ଲାଗୁଥିଲେ। ଅପରାହ୍ଣ ୧:୩୦ରେ ତାଙ୍କୁ ମୃତ ଘୋଷଣା କରି ଦିଆଯାଇଥିଲା।”
ମଝିରେ କିଛି ଘଣ୍ଟା, ବୈଦ୍ୟନାଥ ଡାକ୍ତରଖାନା ୱାର୍ଡରେ ଉପସ୍ଥିତ ଥିଲେ। ସେ କୁହନ୍ତି ଯେ ଅପରାହ୍ଣରେ ଅକ୍ସିଜେନ ଯୋଗାଣର ଚାପ ଅଚାନକ କମିଗଲା। ସେପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିବା ଓ ଉତ୍ସାହିତ ଥିବା ପ୍ରଭାକର ଅଚାନକ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। “ମୁଁ ଚିନ୍ତିତ ହୋଇ ଲଗାତାର ଡାକ୍ତରମାନଙ୍କୁ ଡାକିଲି, କିନ୍ତୁ କେହି ସେଥିପ୍ରତି ଧ୍ୟାନ ଦେଲେ ନାହିଁ”, ବୈଦ୍ୟନାଥ କୁହନ୍ତି। “କିଛି ସମୟ ପର୍ଯ୍ୟନ୍ତ ସେ ନିଃଶ୍ୱାସ ନେବା ଲାଗି ସଂଘର୍ଷ କରିଚାଲିଥିଲେ ଏବଂ ଏହାର ତୁରନ୍ତ ପରେ ତାଙ୍କର ମୃତ୍ୟୁ ଘଟିଲା। ମୁଁ ତାଙ୍କ ଛାତିକୁ ପମ୍ପ୍ କଲି, ତାଙ୍କ ପାଦକୁ ଘସିଲି, କିନ୍ତୁ କିଛି ଲାଭ ହେଲା ନାହିଁ।”
ପ୍ରଭାକରଙ୍କ ପରିବାର ଲୋକମାନେ କୁହନ୍ତି ଯେ ଅକ୍ସିଜେନ ଶେଷ ହୋଇଯାଇଥିଲା, ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। “ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇନଥିଲା। ସେ ସୁସ୍ଥ ହେଉଥିଲେ। ମୁଁ ଗୋଟିଏ ଦିନ ସୁଦ୍ଧା ତାଙ୍କୁ ଡାକ୍ତରଖାନାରେ ଛାଡ଼ିନଥିଲି”, ୫୫ ବର୍ଷୀୟା ରନ୍ଦାୱନୀ କୁହନ୍ତି। “ମୃତ୍ୟୁର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ, ସେ ଥଟ୍ଟା କରି ଡାକ୍ତରଖାନା ୱାର୍ଡରେ ମଧ୍ୟ ଗାଇବା ଲାଗି କହିଥିଲେ।”
ଡାକ୍ତରଖାନାରେ ଏପ୍ରିଲ ୨୧ ତାରିଖରେ ଆହୁରି କିଛି ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ଅପରାହ୍ଣ ୧୨:୪୫ ଠାରୁ ଆରମ୍ଭ କରି ୨:୧୫ ମଧ୍ୟରେ, ଏତେ କମ୍ ସମୟରେ ଏସଆରଟିଆରଏମସିଏରେ ଅନ୍ୟ ଛଅ ଜଣ ରୋଗୀ ପ୍ରାଣ ହରାଇଥିଲେ।
ଅକ୍ସିଜେନ କାରଣରୁ ମୃତ୍ୟୁ ଘଟିଥିବା କଥାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଦେଇଥିଲେ। “ସେହି ରୋଗୀମାନଙ୍କ ଅବସ୍ଥା ପୂର୍ବରୁ ଗମ୍ଭୀର ଥିଲା, ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ୬୦ ବର୍ଷରୁ ଅଧିକ ବୟସ୍କ ଥିଲେ”, ମେଡ଼ିକାଲ କଲେଜର ଡିନ୍, ଡାକ୍ତର ଶିବାଜୀ ଶୁକ୍ରେ ଗଣମାଧ୍ୟମକୁ ଦେଇଥିବା ଏକ ବୟାନରେ କହିଥିଲେ।
“ଡାକ୍ତରଖାନା କର୍ତ୍ତୃପକ୍ଷ ତ’ ନିଶ୍ଚିତ ଭାବେ ଖଣ୍ଡନ କରିବେ, କିନ୍ତୁ ଅକ୍ସିଜେନ ଅଭାବ କାରଣରୁ ହିଁ ମୃତ୍ୟୁ ଘଟିଥିଲା”, ଅମ୍ବେଜୋଗାଇରୁ ପ୍ରକାଶିତ ଏକ ମରାଠୀ ଦୈନିକ ବିବେକ ସିନ୍ଧୁ ରେ ଏପ୍ରିଲ ୨୩ ତାରିଖରେ ସର୍ବପ୍ରଥମେ ଏହି ଖବର ପ୍ରକାଶ କରିଥିବା ଜଣେ ବରିଷ୍ଠ ସାମ୍ବାଦିକ, ଅଭିଜିତ ଗଠାଲ କହିଥାନ୍ତି। “ସମ୍ପର୍କୀୟମାନେ ସେଦିନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅସନ୍ତୁଷ୍ଟ ଥିଲେ। ସମ୍ପର୍କୀୟମାନେ କ’ଣ କହିଥିଲେ ତାହା ଆମ ସୂତ୍ର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।”
ବିଗତ କିଛି ସପ୍ତାହ ଧରି ସାମାଜିକ ଗଣମାଧ୍ୟମରେ ଅକ୍ସିଜେନ ସିଲିଣ୍ଡର ଏବଂ ଡାକ୍ତରଖାନା ଶଯ୍ୟା ଖୋଜିବାରେ ସହାୟତା ପାଇଁ ଗୁହାରି କରାଯାଉଛି। ସାରା ଭାରତର ସହରଗୁଡ଼ିକରେ ଲୋକମାନେ ହତାଶ ହୋଇ ଟ୍ୱିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମର ସାହାରା ହେଉଛନ୍ତି। କିନ୍ତୁ ଯେଉଁ ଅଞ୍ଚଳରେ ସାମାଜିକ ଗଣମାଧ୍ୟମର କ୍ଵଚିତ୍ କୌଣସି ଗତିବିଧି ଦେଖିବାକୁ ମିଳୁନଥିବ, ସେଠାରେ ମଧ୍ୟ ଅକ୍ସିଜେନ ଅଭାବ ଅତ୍ୟନ୍ତ ଗମ୍ଭୀର ରହିଛି।
ଅମ୍ବେଜୋଗାଇ ଡାକ୍ତରଖାନାର ଜଣେ ଅଧିକାରୀ ନାମ ପ୍ରକାଶିତ କରିବାର ସର୍ତ୍ତରେ କହିଥିଲେ ଯେ ଅକ୍ସିଜେନ ଚାହିଦା ପୂରଣ କରିବା ଲାଗି ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡ଼ିଥାଏ। “ଆମକୁ ପ୍ରତିଦିନ ପାଖାପାଖି ୧୨ ମେଟ୍ରିକ ଟନ୍ ଅକ୍ସିଜେନର ଆବଶ୍ୟକତା ରହିଛି। କିନ୍ତୁ ଆମକୁ (ପ୍ରଶାସନ ଠାରୁ) ମାତ୍ର ୭ ମେଟ୍ରିକ ଟନ୍ ମିଳିପାରୁଛି”, ସେ କହିଥାନ୍ତି। “ଅବଶିଷ୍ଟ ଯୋଗାଣ ଲାଗି ଦୈନିକ ସଂଘର୍ଷ କରିବାକୁ ପଡ଼ୁଛି। ସେଥିପାଇଁ ଆମେ ଏଠୁ ସେଠୁ ବଡ଼ ସିଲିଣ୍ଡର ମଗାଉଛୁ।” ସେ ଅଧିକାରୀ ଜଣଙ୍କ କହିଥିଲେ ଯେ ବିଡ଼ର ଯୋଗାଣକାରୀଙ୍କ ବ୍ୟତୀତ, ଅକ୍ସିଜେନ ସିଲିଣ୍ଡର ଔରଙ୍ଗାବାଦ ଓ ଲାତୁର ଭଳି ନିକଟବର୍ତ୍ତୀ ସହରରୁ ମଧ୍ୟ କିଣାଯାଇଥାଏ।
ରାଜ୍ୟ ସରକାର ଏସଆରଟିଆରଏମସିଏକୁ ଏକ ସମର୍ପିତ କୋଭିଡ ଡାକ୍ତରଖାନା ଭାବେ ଘୋଷଣା କରିଛନ୍ତି। ଏଥିରେ ମୋଟ ୪୦୨ଟି ଶଯ୍ୟା ରହିଛି, ଯେଉଁଥିରୁ ୨୬୫ଟି ଶଯ୍ୟାରେ ଅକ୍ସିଜେନ ଲାଗିଛି। ଏପ୍ରିଲ ଶେଷ ଭାଗରେ, ପରଲୀର ତାପଜ ବିଦ୍ୟୁତ କେନ୍ଦ୍ରରୁ ଏକ ଅକ୍ସିଜେନ ପ୍ଲାଣ୍ଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ଯାହାଫଳରେ ଅକ୍ସିଜେନ ଯୋଗାଣରେ କୌଣସି ଅଭାବ ରହିବ ନାହିଁ। ଡାକ୍ତରଖାନାରେ ବର୍ତ୍ତମାନ ୯୬ଟି ଭେଣ୍ଟିଲେଟର ରହିଛି, ସେଥିମଧ୍ୟରୁ ୨୫ଟି ପିଏମ କେୟାର୍ସ ଫଣ୍ଡରୁ ମିଳିଛି, ଯାହାକି ଏପ୍ରିଲର ଅନ୍ତିମ ସପ୍ତାହରେ ମିଳିଥିଲା।
ଏଥିମଧ୍ୟରୁ ୨୫ଟି ଭେଣ୍ଟିଲେଟର ଖରାପ ଥିଲା। ମଇ ପ୍ରଥମ ସପ୍ତାହରେ, ମୁମ୍ବାଇର ଦୁଇ ଜଣ ଟେକ୍ନିସିଆନ ନିଜ ଇଚ୍ଛାରେ ସେଗୁଡ଼ିକୁ ଠିକ୍ କରିବା ଲାଗି ୪୬୦ କିଲୋମିଟର ଦୂରରେ ଥିବା ଅମ୍ବେଜୋଗାଇ ଯାତ୍ରା କରିଥିଲେ। ସେମାନେ ସେଥିମଧ୍ୟରୁ ୧୧ଟିକୁ ଠିକ କରିବାରେ ସଫଳ ହେଲେ, ଯେଉଁଥିରେ ସାଧାରଣ ତ୍ରୁଟି ରହିଥିଲା।
ଅମ୍ବେଜୋଗାଇରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟମାନେ ଜାଣନ୍ତି ଯେ ଡାକ୍ତରଖାନାରେ କ’ଣ ଚାଲିଛି। “ଯେତେବେଳେ ଡାକ୍ତରଖାନାରେ ଆପଣଙ୍କ ସାମ୍ନାରେ ଅକ୍ସିଜେନ ଅଭାବ ଲାଗି ରହିଥିବ, ଭୟଭୀତ ହେବା ସାଧାରଣ କଥା”, ବୈଦ୍ୟନାଥ କୁହନ୍ତି। “ଅକ୍ସିଜେନ ଅଭାବ ସାରା ଭାରତରେ ଦେଖାଦେଇଛି। ମୁଁ ସାମାଜିକ ଗଣମାଧ୍ୟମରେ ଦେଖୁଛି ଯେ ଲୋକମାନେ କିପରି ପରସ୍ପରକୁ ସହାୟତା କରୁଛନ୍ତି। କିନ୍ତୁ ଗ୍ରାମୀଣ କ୍ଷେତ୍ରରେ ଆମ ପାଖରେ ଏହି ବିକଳ୍ପ ନାହିଁ। ଯଦି ମୁଁ ପୋଷ୍ଟ ମଧ୍ୟ କରି ଦିଏ ତା’ହେଲେ ତା’କୁ ଦେଖିବ କିଏ? ଆମେ ଡାକ୍ତରଖାନାର ଦୟା ଉପରେ ନିର୍ଭରଶୀଳ, ଏବଂ ଆମ କ୍ଷେତ୍ରରେ, ଆମର ସବୁଠୁ ବଡ଼ ଭୟ ସତ୍ୟ ବୋଲି ସାବ୍ୟସ୍ତ ହେଲା।”
ରନ୍ଦାୱନୀ, ନିଜର ପୁଅ, ବୋହୂ ଏବଂ ୧୦, ୬ ଓ ୪ ବର୍ଷର ତିନି ନାତୁଣିଙ୍କୁ ପ୍ରଭାକରଙ୍କ ଅନୁପସ୍ଥିତିରେ ସମ୍ଭାଳିପାରୁନାହାନ୍ତି। “ପିଲାମାନେ ତାଙ୍କୁ ବେଶି ମନେ ପକାଉଛନ୍ତି, ମୁଁ ଜାଣିନି ସେମାନଙ୍କୁ କ’ଣ କହିବି”, ରନ୍ଦାୱନୀ କୁହନ୍ତି। “ଡାକ୍ତରଖାନାରେ ସେ ମୋତେ ଏମାନଙ୍କ ବିଷୟରେ ଲଗାତାର ପଚାରୁଥିଲେ। ସେ ଘରକୁ ଯିବା ଲାଗି ଅପେକ୍ଷା କରି ରହିଥିଲେ। ମୁଁ ଭାବିନଥିଲି ଯେ ସେ ଆରପାରିକୁ ଚାଲିଯିବେ ବୋଲି।”
ଘରୋଇ ସହାୟିକା ଭାବେ କାମ କରି ମାସକୁ ୨୫୦୦ ଟଙ୍କା ରୋଜଗାର କରୁଥିବା ରନ୍ଦାୱନୀ, ଯଥାଶୀଘ୍ର କାମକୁ ଫେରିବା ଲାଗି ଚାହୁଁଛନ୍ତି। “ମୋର ନିଯୁକ୍ତିଦାତା ଦୟାଳୁ ଯିଏକି ମୋତେ କାମକୁ ଫେରିବା ଲାଗି ବାଧ୍ୟ କରୁନାହାନ୍ତି”, ସେ କହିଥାନ୍ତି। “କିନ୍ତୁ ମୁଁ ଶୀଘ୍ର କାମକୁ ଯିବି। ଏହା ମୋତେ ବ୍ୟସ୍ତ ରଖିବ।”
ବିଡ଼ ଜିଲ୍ଲାରେ ମଇ ୧୬ ତାରିଖ ସୁଦ୍ଧା, ୭୫,୫୦୦ରୁ ଅଧିକ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସଂକ୍ରମଣ କାରଣରୁ ପାଖାପାଖି ୧୪୦୦ ଜଣ ପ୍ରାଣ ହରାଇଥିବା ରେକର୍ଡ କରାଯାଇଥିଲା । ପଡ଼ୋଶୀ ଓସମାନାବାଦ ଜିଲ୍ଲାରେ ୪୯,୭୦୦ରୁ ଅଧିକ ମାମଲା ଚିହ୍ନଟ କରାଯାଇଥିଲା ଏବଂ ପାଖାପାଖି ୧,୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।
ବିଡ଼ ଏବଂ ଓସମାନାବାଦ ଉଭୟ ମରାଠାୱାଡ଼ାର କୃଷି ପ୍ରଧାନ କ୍ଷେତ୍ରଗୁଡ଼ିକ ମଧ୍ୟରେ ସାମିଲ, ଯେଉଁଠି ମହାରାଷ୍ଟ୍ରର ଚାଷୀ ଆତ୍ମହତ୍ୟାର ଅଧିକାଂଶ ମୃତ୍ୟୁ ହୋଇଥାଏ। ଏହି ଜିଲ୍ଲାର ସବୁଠୁ ଅଧିକ ଲୋକ କାମ ସନ୍ଧାନରେ ବାହାରକୁ ପଳାୟନ କରିସାରିଛନ୍ତି। ଜଳ ସଙ୍କଟ ଏବଂ ଋଣବୋଝକୁ ନେଇ ସଂଘର୍ଷ କରୁଥିବା ଏହି ଅଞ୍ଚଳର ଲୋକମାନେ ସୀମିତ ସମ୍ବଳ ଓ ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଏହି ମହାମାରୀର ମୁକାବିଲା କରୁଛନ୍ତି।
ଅମ୍ବେଜୋଗାଇ ଠାରୁ ପାଖାପାଖି ୯୦ କିଲୋମିଟର ଦୂର, ଓସମାମାନାବାଦ ଜିଲ୍ଲା ସିଭିଲ ହସ୍ପିଟାଲରେ ମଧ୍ୟ ସ୍ଥିତି କିଛି ଭିନ୍ନ ନୁହେଁ। କୋଭିଡ ରୋଗୀଙ୍କ ସମ୍ପର୍କୀୟ ପରସ୍ପର ସହିତ ନିଜ ଚିନ୍ତା ଉପରେ ଆଲୋଚନା କରି ଟାଣ ଖରାରେ ଅପେକ୍ଷା କରିଥାନ୍ତି। ଅପରିଚିତ ଲୋକମାନେ ପରସ୍ପରକୁ ସମର୍ଥନ କରୁଥିବା ବେଳେ ପ୍ରଶାସନ ଦୈନିକ ୧୪ମେଟ୍ରିକ ଟନ ଅକ୍ସିଜେନ ଆବଶ୍ୟକତାକୁ ନେଇ ସଂଘର୍ଷ କରିଥାଏ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କୌସ୍ତୁଭ ଦେବେଗାଓଁକର କୁହନ୍ତି ଯେ ୨୦୨୦ରେ ଓସମାନାବାଦ ଜିଲ୍ଲାରେ କୋଭିଡ-19ର ପ୍ରଥମ ଲହରୀ ସମୟରେ ପାଖାପାଖି ୫୫୦ ଅକ୍ସିଜେନ ଶଯ୍ୟାର ଆବଶ୍ୟକତା ରହିଥିଲା। ଦ୍ୱିତୀୟ ଲହରୀର ସଙ୍କେତ ମିଳିବା କ୍ଷଣି, ଜିଲ୍ଲା ପ୍ରଶାସନ ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବା ଲାଗି ନିଷ୍ପତ୍ତି ନେଲା।
ଫେବୃଆରୀ ୨୦୨୧ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଲହରୀ ଜୋରଦାର ପ୍ରହାର କରିଥିଲା। ଜିଲ୍ଲାକୁ ପ୍ରଥମ ଲହରୀ ତୁଳନାରେ ତିନି ଗୁଣା ଅଧିକ ଅକ୍ସିଜେନ-ସୁବିଧାଯୁକ୍ତ ଶଯ୍ୟାର ଆବଶ୍ୟକତା ପଡ଼ିଲା। ସମ୍ପ୍ରତି, ସେଠାରେ ଓସମାନାବାଦରେ ୯୪୪ଟି ଅକ୍ସିଜେନ ସୁବିଧା ଯୁକ୍ତ ଶଯ୍ୟା, ୨୫୪ ଆଇସିୟୁ ଶଯ୍ୟା ଓ ୧୪୨ଟି ଭେଣ୍ଟିଲେଟର ରହିଛି।
ଏହି ଜିଲ୍ଲା ଲାତୁର, ବିଡ଼ ଓ ଜାଲନାରୁ ମେଡ଼ିକାଲ ଅକ୍ସିଜେନ କିଣୁଛି। କର୍ଣ୍ଣାଟକର ବେଲ୍ଲାରୀ ଓ ତେଲଙ୍ଗାନାର ହାଇଦ୍ରାବାଦରୁ ମଧ୍ୟ ଅକ୍ସିଜେନ ଯୋଗାଣ ହେଉଛି। ମଇ ମାସର ଦ୍ୱିତୀୟ ସପ୍ତାହରେ ଗୁଜରାଟର ଜାମନଗରରୁ ଓସମାନାବାଦ ଅଭିମୁଖେ ଅକ୍ସିଜେନ ଆକାଶ ମାର୍ଗରେ ଅଣାଯାଇଥିଲା। ମଇ ୧୪ ତାରିଖରେ, ଓସମାନାବାଦର କଲମ୍ବ ତାଲୁକାର ଚୋରାଖଲିର ଧାରାଶିବ ଚିନି କଳରେ ଇଥାନଲରୁ ମେଡ଼ିକାଲ ଗ୍ରେଡ ଅକ୍ସିଜେନ ଉତ୍ପାଦନ କରିବା ଲାଗି ଦେଶର ପ୍ରଥମ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏଥିରୁ ଦୈନିକ ୨୦ ମେଟ୍ରିକ ଟନ ଉତ୍ପାଦନ ପାଇଁ ଆଶା କରାଯାଇଥିଲା।
ସିଭିଲ ହସ୍ପିଟାଲରେ ୪୦୩ଟି ଶଯ୍ୟା ରହିଛି, ଯେଉଁଠି ୪୮ ଡାକ୍ତର ଓ ନର୍ସ ଏବଂ ୱାର୍ଡ ସହାୟକଙ୍କ ସମେତ ୧୨୦ଜଣ କର୍ମଚାରୀ ତିନୋଟି ସିଫ୍ଟରେ କାମ କରୁଛନ୍ତି। ଡାକ୍ତରଖାନାର ଅଧିକାରୀ ଓ ପୁଲିସ କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି। ଏମାନେ ରୋଗୀଙ୍କ ଶଯ୍ୟା ପାଖରେ ବସି ଜିଦ୍ କରୁଛନ୍ତି, ଯାହାଫଳରେ ସେମାନେ ସଂକ୍ରମିତ ହେବାର ବିପଦ ରହିଛି। ରୋଗୀଙ୍କ ପରିଜନ ସାଧାରଣତଃ ଡାକ୍ତରଖାନାରେ ଖାଲି ଶଯ୍ୟା ଖୋଜୁଥିବା ଦେଖିବାକୁ ମିଳିଥାଏ।
ହୃଷିକେଶ କାଟେଙ୍କର ୬୮ ବର୍ଷୀୟା ମା’, ଜନାବାଇ, ଯେତେବେଳେ ନିଜର ଶେଷ ନିଃଶ୍ୱାସ ନେଉଥିଲେ, କରିଡରରେ ବସିଥିବା କେହି ଜଣେ ତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହିଥିଲା। ତାଙ୍କ ରୋଗୀଣା ସମ୍ପର୍କୀୟଙ୍କୁ ଏକ ଶଯ୍ୟାର ଆବଶ୍ୟକତା ରହିଥିଲା। “ତାଙ୍କୁ ଯେତେବେଳେ ନିଃଶ୍ୱାସ ନେବାରେ କଷ୍ଟ ହେବାକୁ ଲାଗିଲା ଏବଂ ସେ ଶେଷ ଥର ପାଇଁ ସଂଘର୍ଷ କରୁଥିଲେ, ସେହି ବ୍ୟକ୍ତି ଜଣଙ୍କ କାହାକୁ ଫୋନ କରି କହିଲେ ଯେ ଖୁବଶୀଘ୍ର ଏଠାରେ ଏକ ଶଯ୍ୟା ଖାଲି ହୋଇଯିବ”, ୪୦ବର୍ଷୀୟ ହୃଷିକେଶ କୁହନ୍ତି। “ଏହା ଅସମ୍ବେଦନଶୀଳ ମନେ ହୋଇଥାଏ, କିନ୍ତୁ ମୁଁ ଏଥିପାଇଁ ତାଙ୍କୁ ଦୋଷ ଦେବି ନାହିଁ। ଏହା ହତାଶାର ସମୟ। ଯଦି ମୁଁ ତାଙ୍କ ସ୍ଥାନରେ ଥାଆନ୍ତି ତା’ହେଲେ ମୁଁ ମଧ୍ୟ ତାହା ହିଁ କରିଥାନ୍ତି।”
ହୃଷିକେଶଙ୍କ ବାପା ପୂର୍ବରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସେଠାରେ ଅକ୍ସିଜେନ ଅଭାବ କାରଣରୁ ତାଙ୍କୁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା। ଏହାର ଗୋଟିଏ ଦିନ ପରେ ଜାନାବାଇଙ୍କୁ ମଧ୍ୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଗଲା। “ଆମ ପାଖରେ ଏହି ଗୋଟିଏ ମାତ୍ର ବିକଳ୍ପ ରହିଥିଲା।
ହୃଷିକେଶଙ୍କ ପିତା, ୭୦ ବର୍ଷୀୟ ଶିବାଜୀ ଏପ୍ରିଲ ୬ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିଲେ, ଏବଂ ଏହା ପରଦିନ ଜନାବାଇଙ୍କ ଠାରେ ଏହାର ଲକ୍ଷଣ ଦେଖିବାକୁ ମିଳିଲା। “ମୋ ବାପାଙ୍କ ଅବସ୍ଥା ବେଶି ଖରାପ ଥିଲା। ସେଥିପାଇଁ ଆମେ ତାଙ୍କୁ ସହରର ସହ୍ୟାଦ୍ରୀ ହସ୍ପିଟାଲରେ ଭର୍ତ୍ତି କରାଇଲୁ”, ହୃଷିକେଶ କହିଥିଲେ। “କିନ୍ତୁ ଆମ ପରିବାରର ଡାକ୍ତର କହିଲେ ମା’ଙ୍କୁ ଘରେ ହିଁ ଆଇସୋଲେସନରେ ରଖାଯାଇପାରିବ। ତାଙ୍କର ଅକ୍ସିଜେନ ସ୍ତର ସ୍ୱାଭାବିକ ଥିଲା।”
ଏପ୍ରିଲ ୧୧ ତାରିଖ ସକାଳୁ, ସହ୍ୟାଦ୍ରୀ ଘରୋଇ ହସ୍ପିଟାଲର ଜଣେ ଡାକ୍ତର ହୃଷିକେଶଙ୍କୁ ଫୋନ କରି କହିଲେ ଯେ ଶିବାଜୀଙ୍କୁ ସିଭିଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି। “ସେ ଭେଣ୍ଟିଲେଟରରେ ଥିଲେ”, ହୃଷିକେଶ କୁହନ୍ତି। “ସିଭିଲ ହସ୍ପିଟାଲ ନିଆଯିବା ପରେ ତାଙ୍କୁ ନିଃଶ୍ୱାସ ନେବାରେ ଆହୁରି କଷ୍ଟ ହେବାକୁ ଲାଗିଲା। ସ୍ଥାନାନ୍ତର କାରଣରୁ ସେ ଅଧିକ ଥକି ଯାଇଥିଲେ”, ହୃଷିକେଶ ଆହୁରି କୁହନ୍ତି, “ସେ ମୋତେ ବାରମ୍ବାର ଏହା କହୁଥିଲେ ଯେ ସେ ଫେରି ଯିବାକୁ ଚାହୁଁଛନ୍ତି। ଘରୋଇ ଡାକ୍ତରଖାନାର ପରିବେଶ ଭଲ ଥିଲା।”
ସିଭିଲ ହସ୍ପିଟାଲର ଭେଣ୍ଟିଲେଟର ଆବଶ୍ୟକ ଚାପ ବଜାୟ ରଖିପାରିଲା ନାହିଁ। “ମୁଁ ଏପ୍ରିଲ ୧୨ ତାରିଖରେ ସାରା ରାତି ତାଙ୍କର ମାସ୍କ ଧରି ବସିଥିଲି କାରଣ ତାହା ବାହାରି ଯାଉଥିଲା। କିନ୍ତୁ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଚାଲିଥିଲା। ପରଦିନ ସେ ପ୍ରାଣ ହରାଇଥିଲେ”, ହୃଷିକେଶ କୁହନ୍ତି। ଶିବାଜୀଙ୍କ ସହିତ ଘରୋଇ ଡାକ୍ତରଖାନାରୁ ଅଣାଯାଇଥିବା ଆହୁରି ଚାରି ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା।
ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଏପ୍ରିଲ ୧୨ ତାରିଖରେ ଜନାବାଈଙ୍କୁ ସିଭିଡ ହସ୍ପିଟାଲକୁ ଅଣାଯାଇଥିଲା। ଏପ୍ରିଲ ୧୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହୃଷିକେଶ ୪୮ ଘଣ୍ଟା ମଧ୍ୟରେ ନିଜ ମାତା-ପିତା ଉଭୟଙ୍କୁ ହରାଇଥିଲେ। “ତାଙ୍କର ସ୍ୱାସ୍ଥ୍ୟ ଭଲ ଥିଲା”, ସେ ଥରୁଥିବା କଣ୍ଠରେ କହିଥାନ୍ତି। “ସେମାନେ କଠିନ ପରିଶ୍ରମ କରିଥିଲେ ଏବଂ ଅତି କଠିନ ପରିସ୍ଥିତିରେ ଆମର ଲାଳନ-ପାଳନ କରିଥିଲେ।”
ଓସମାନାବାଦ ସହରରେ ତାଙ୍କ ଘରର ଲିଭିଂ ରୁମ କାନ୍ଥରେ ସାରା ପରିବାରର ଏକ ବଡ଼ ଫଟୋ ଲାଗିଛି। ହୃଷିକେଶ, ତାଙ୍କର ବଡ଼ ଭାଇ, ୪୨ ବର୍ଷୀୟ ମହେଶ, ସେମାନଙ୍କ ପତ୍ନୀ ଓ ପିଲାମାନେ ଶିବାଜୀ ଓ ଜନାବାଇଙ୍କ ସହିତ ରୁହନ୍ତି। ଯୌଥ ପରିବାର ନିକଟରେ ସହର ବାହାର ଇଲାକାରେ ପାଞ୍ଚ ଏକର ଜମି ରହିଛି। “ସେମାନଙ୍କର ମୃତ୍ୟୁ ଅପ୍ରତ୍ୟାଶିତ ଥିଲା”, ହୃଷିକେଶ କୁହନ୍ତି। “ଯେତେବେଳେ କେହି ସୁସ୍ଥ ଥିବେ ଏବଂ ଆପଣଙ୍କ ସାମ୍ନାରେ ଦୈନିକ ବ୍ୟାୟାମ କରୁଥିବେ, ସେ ଅଚାନକ ଏପରି ଭାବେ ପ୍ରାଣ ହରାଇଲେ, ତାଙ୍କର ଅନୁପସ୍ଥିତିକୁ ଗ୍ରହଣ କରିବା ସହଜ ହୁଏ ନାହିଁ।’’
ପରଲୀରେ ନିଜ ଘର ବାହାରେ, ରନ୍ଦାୱନୀ ମଧ୍ୟ ନିଜ ସ୍ୱାମୀଙ୍କୁ ହରାଇବାର ଦୁଃଖରୁ ମୁକୁଳିବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ସେ ସେହି ସ୍ଥାନରେ ବସୁଛନ୍ତି, ଯେଉଁଠି ବସି ପ୍ରଭାକର ଭଜନ ଗାଉଥିଲେ, ସେ ତାଙ୍କର ଅନୁପସ୍ଥିତିକୁ ସ୍ୱୀକାର କରିବା ଲାଗି ସଂଘର୍ଷ କରୁଛନ୍ତି। “ମୁଁ ତାଙ୍କ ଭଳି ଗାଇ ପାରିବି ନାହିଁ”, ସେ ଏକ ଅଦ୍ଭୂତ ସ୍ମିତହାସ୍ୟ ସହ କହିଥାନ୍ତି। “ହାୟ! ମୁଁ ଯଦି ଗାଇପାରିଥାନ୍ତି।”
ଅନୁବାଦ: ଓଡ଼ିଶାଲାଇଭ୍