ପ୍ରତ୍ୟେକ ଦିନ ସକାଳୁ, ସାରା ଶେଖ୍ ପରିବାର କାମକୁ ବାହାରି ଯାଇଥାଏ। ଫାତିମା କେନ୍ଦ୍ରୀୟ ଶ୍ରୀନଗରର ସ୍ଲମ କଲୋନୀସ୍ଥିତ ନିଜ ଘରୁ ସବୁଦିନ ସକାଳ ୯ଟାରେ ବାହାରି ଯାଇଥାନ୍ତି ଏବଂ ସନ୍ଧ୍ୟା ପାଖାପାଖି ୫ଟା ସୁଦ୍ଧା ସହରରେ ପାଖାପାଖି ୨୦ କିଲୋମିଟର ପରିଧି ବୁଲି ବୁଲି ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ ବୋତଲ ଓ ପେଟି ଏକାଠି କରିଥାନ୍ତି। ତାଙ୍କ ସ୍ୱାମୀ ମହମ୍ମଦ କୁର୍ବାନ ଶେଖ୍ ବେଳେ ବେଳେ ବୁଲି ବୁଲି ବହୁତ ଆଗକୁ ଚାଲିଯାଇଥାନ୍ତି। ଅଳିଆ ସଂଗ୍ରହ କରୁ କରୁ ସେ କେବେ କେବେ ସହର ସୀମାଠାରୁ ଦୂର ୩୦କିମି ପରିଧିରେ ଥିବା ପଡ଼ା ଓ ଗାଁ ପର୍ଯ୍ୟନ୍ତ ଚାଲିଯାଇଥାନ୍ତି। ଫାତିମାଙ୍କ ଭଳି ସେ ମଧ୍ୟ ତିନି ଚକିଆ ସାଇକେଲ ରିକ୍ସା ବ୍ୟବହାର କରିଥାନ୍ତି, ଯାହାର ପଛରେ ଟେମ୍ପୋ ଭଳି ଦେଖାଯାଉଥିବା କାମ ଚଳା କଣ୍ଟେନର ଲାଗିଥାଏ। ୧୭ରୁ ୨୧ ବର୍ଷ ମଧ୍ୟରେ ସେମାନଙ୍କର ଝିଅମାନେ ଓ ଦୁଇ ପୁଅ ମଧ୍ୟ ଶ୍ରୀନଗରରେ ଅଳିଆ ସଂଗ୍ରହ କାମ କରିଥାନ୍ତି।

ପାଞ୍ଚ ଜଣ ଯାକ ମିଶି ଶ୍ରୀନଗରର ବିଭିନ୍ନ ଘର, ହୋଟେଲ, ନିର୍ମାଣସ୍ଥଳୀ, ପରିବା ବଜାର ଏବଂ ଅନ୍ୟସ୍ଥାନରୁ ପ୍ରତ୍ୟେକ ଦିନ ବାହାରୁଥିବା ମୋଟ ୪୫୦-୫୦୦ ଟନ୍ ଆବର୍ଜନାର କିଛି ଅଂଶ ସଫା କରିଥାନ୍ତି। ଏହି ତଥ୍ୟ ଶ୍ରୀନଗର ମହାନଗର ନିଗମ ପକ୍ଷରୁ ପ୍ରଦାନ କରାଯାଇଛି।ର, ହୋଟେଲ, ନିର୍ମାଣସ୍ଥଳୀ, ପରିବା ପ

ଶେଖ ପରିବାରର ଲୋକମାନଙ୍କ ସହିତ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଅନ୍ୟ ଲୋକମାନଙ୍କୁ ମହାନଗର ନିଗମର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟା ସହ ଯୋଡ଼ିବା ଲାଗି ଔପଚାରିକତା ପୂରଣ କରାଯାଇନାହିଁ। ମହାନଗର ନିଗମ ଆୟୁକ୍ତ ଅତହର ଆମିର୍ ଖାନ୍ କୁହନ୍ତି, ପାଖାପାଖି ୪,୦୦୦ ଲୋକଙ୍କୁ ସହରରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଏବଂ ସେଗୁଡ଼ିକୁ ଗୋଟିଏ ସ୍ଥାନରେ ଜମା କରିବା ଲାଗି ନିୟୋଜିତ କରାଯାଇଛି। ଏମାନଙ୍କୁ ସ୍ଥାୟୀ କିମ୍ବା ଚୁକ୍ତି ଭିତ୍ତିରେ ଚାକିରିରେ ରଖାଯାଇଛି। ଶ୍ରୀନଗର ମହାନଗର ନିଗମର ମୁଖ୍ୟ ପରିମଳ ଅଧିକାରୀ ନଜୀର ଅହମ୍ମଦ କୁହନ୍ତି, “ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନେ ଆମର ଶ୍ରେଷ୍ଠ ବନ୍ଧୁ’’। ‘‘ସେମାନେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିଥାନ୍ତି, ଯାହାକୁ ୧୦୦ ବର୍ଷରେ ମଧ୍ୟ ବିଘଟନ କରିବା ଅସମ୍ଭବ।’’

ଆବର୍ଜନା ସଂଗ୍ରହକାରୀମାନେ କେବଳ ‘ସ୍ୱାବଲମ୍ବୀ’ ହୋଇନଥାନ୍ତି, ବରଂ ସେମାନେ କୌଣସି ପ୍ରକାରର ବ୍ୟକ୍ତିଗତ ସୁରକ୍ଷା ଉପକରଣ ବିନା ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ କାମ କରିଥାନ୍ତି ଏବଂ କୋଭିଡ-୧୯ ମହାମାରୀ ପରେ ସେମାନଙ୍କ ମୁଣ୍ଡରେ ସବୁବେଳେ ଖଣ୍ଡା ଝୁଲୁଛି। ୪୦ ବର୍ଷୀୟା ଫାତିମା କୁହନ୍ତି, “ମୁଁ ଭଗବାନଙ୍କ ନାମ ନେଇ ପୁଣିଥରେ କାମ କରିବା (ଜାନୁଆରୀ ୨୦୨୧ରେ ଲକଡାଉନ ସାମାନ୍ୟ କୋହଳ ହେବା ପରେ) ଆରମ୍ଭ କରିଥିଲି। ମୁଁ ସଚ୍ଚୋଟ ଉଦ୍ଦେଶ୍ୟ ନେଇ ନିଜ ପରିବାରର ପେଟ ପୋଷିବା ଲାଗି କାମ କରୁଛି ଏବଂ ମୁଁ ସଂକ୍ରମିତ ହେବି ନାହିଁ ବୋଲି ମୋର ବିଶ୍ୱାସ ରହିଛି।”

PHOTO • Muzamil Bhat

ଫାତିମା ପ୍ରତିଦିନ ସକାଳ ଟା ଠାରୁ ସନ୍ଧ୍ୟା ଟା ପର୍ଯ୍ୟନ୍ତ ପାଖାପାଖି ୨୦ କିଲୋମିଟର ବୁଲିଥାନ୍ତି, ଫିଙ୍ଗା ଯାଇଥିବା ବୋତଲ ଏବଂ ଆବର୍ଜନା ସଂଗ୍ରହ କରିଥାନ୍ତି

ଠିକ୍ ସେହିପରି ବିପଦ ମଧ୍ୟରେ ୩୫ ବର୍ଷୀୟ ମହମ୍ମଦ କବୀର ମଧ୍ୟ କାମ କରିଥାନ୍ତି, କାରଣ ତାଙ୍କର ମଧ୍ୟ ଭଗବାନଙ୍କ ଉପରେ ଭରସା ରହିଛି। ସେ କେନ୍ଦ୍ରୀୟ ଶ୍ରୀନଗରର ସୋରା ଇଲାକାରେ ଥିବା ଏକ ସ୍ଲମ କଲୋନୀରେ ରହିଥାନ୍ତି ଏବଂ ୨୦୦୨ ପରଠାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କାମ କରି ଆସୁଛନ୍ତି। ସେ କୁହନ୍ତି, ‘‘ଯଦି ମୁଁ ସଂକ୍ରମିତ ହେଲି (କୋଭିଡରେ), ତା’ହେଲେ ମୋ ଠାରୁ ପରିବାର ଲୋକଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। କିନ୍ତୁ ମୁଁ ସେମାନଙ୍କୁ ଭୋକରେ ପଡ଼ି ମରିବାକୁ ଛାଡ଼ିପାରିବି ନାହିଁ। ସେଥିପାଇଁ ମୁଁ ମୋ କାମ କରିବା ଲାଗି ଘରୁ ବାହାରି ଯାଇଥାଏ। କରୋନା ମହାମାରୀ ବ୍ୟାପିବା ସମୟରେ ମୁଁ ମୋ ଠିକାଦାରଙ୍କ ଠାରୁ ୫୦,୦୦୦ ଟଙ୍କା ଉଧାର ଆଣିଥିଲି। ଏବେ ମୋତେ ଉଧାର ସୁଝିବାକୁ ଅଛି, ସେଥିପାଇଁ ବିପଦ ବିଷୟରେ ଜାଣି ସୁଦ୍ଧା ମୁଁ କାମ ପାଇଁ ବାହାରି ଯାଇଥାଏ।” କବୀରଙ୍କର ୬ ସଦସ୍ୟ ବିଶିଷ୍ଟ ପରିବାରର ପେଟ ପୋଷିବା ଲାଗି ତାଙ୍କର ଆୟ ହିଁ ଏକମାତ୍ର ମାଧ୍ୟମ। ପରିବାରରେ ତାଙ୍କର ପତ୍ନୀଙ୍କ ସହିତ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି, ସେମାନଙ୍କ ବୟସ ୨ରୁ ଆରମ୍ଭ କରି ୧୮ ବର୍ଷ ମଧ୍ୟରେ।

ସେ ଓ ଅନ୍ୟ ସଫେଇ କର୍ମଚାରୀ ଅନ୍ୟ ବିପଦର ମଧ୍ୟ ସମ୍ମୁଖିନ ହେଉଛନ୍ତି। ଉତ୍ତର ଶ୍ରୀନଗରର ଏଚଏମଟି ଇଲାକାରେ ରହୁଥିବା ୪୫ ବର୍ଷୀୟ ଇମାନ ଅଲୀ କୁହନ୍ତି, “ଅଳିଆ ଭିତରେ କ’ଣ ଅଛି ତାହା ଆମେ ଜାଣିନଥାଉ। ଏହି କାରଣରୁ ବେଳେ ବେଳେ ବ୍ଲେଡ୍‌ରେ ଆମର ହାତ କଟି ଯାଇଥାଏ, ଆଉ କେତେବେଳେ ବ୍ୟବହାର କରାଯାଇଥିବା ଇଞ୍ଜେକ୍ସନ ଛୁଞ୍ଚି ଆମ ହାତରେ ଫୁଟି ଯାଇଥାଏ।” ଏପରି ଘା’ ଭଲ କରିବା ସେ କାମଚଳା ଉପାୟ କରିଥାନ୍ତି, ସେ କିଛି ମାସ ବ୍ୟବଧାନରେ ସରକାରୀ ଡାକ୍ତରଖାନା କିମ୍ବା କ୍ଲିନିକରେ ଆଣ୍ଟି-ଟିଟାନସ ଇଞ୍ଜେକ୍ସନ ନେଇଥାନ୍ତି।

ପ୍ରତ୍ୟେକ ଦିନ ପାଖାପାଖି ୫୦-୮୦ କିଲୋ ପର୍ଯ୍ୟନ୍ତ ଆବର୍ଜନା ଗୋଟାଇବା ପରେ ସଫେଇ କର୍ମୀମାନେ ନିଜ କୁଡ଼ିଆ ପାଖ ଖାଲି ସ୍ଥାନରେ ଏକାଠି କରିଥାନ୍ତି। ଅଳିଆ ଗଦା ଭିତରୁ ଭିନ୍ନ ଭିନ୍ନ ଜିନିଷ ବାହାର କରି ପାଖରେ ରଖିଥାନ୍ତି। ଏହାପରେ ସେମାନେ ପ୍ଲାଷ୍ଟିକ, ପେଟି, ଆଲୁମିନିୟମ ଟିଣ ଏବଂ ଅନ୍ୟ ସାମଗ୍ରୀକୁ ବଡ଼ ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି କରିଥାନ୍ତି। ମହମ୍ମଦ କୁର୍ବାନ ଶେଖ କୁହନ୍ତି, “ଏହି ସାମଗ୍ରୀ ଏକାଧିକ ଟନ୍ ଓଜନର ହୋଇଥିଲେ କବାଡ଼ିବାଲାମାନେ ନିଜର ଟ୍ରକ ପଠାଇଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଆମେ ଏସବୁ ଏପରି ଏକାଠି କରି ରଖିନଥାଉ। ଆମେ ଜମା କରିଥିବା ସାମଗ୍ରୀ ବିକ୍ରି କରି ଦେଇଥାଉ ଏବଂ ଏଥିପାଇଁ ୪-୫ କିଲୋମିଟର ଦୂର ଡିଲରଙ୍କ ପାଖକୁ ଯିବାକୁ ପଡ଼ିଥାଏ”। ଡିଲର ପ୍ଲାଷ୍ଟିକ ପାଇଁ କିଲୋ ପ୍ରତି ୮ଟଙ୍କା ଦେଇଥାନ୍ତି ଏବଂ ପେଟି ପାଇଁ କିଲୋ ପ୍ରତି ୫ଟଙ୍କା ଦେଇଥାନ୍ତି।

ଅଳିଆ ସଂଗ୍ରହ କରି ଜୀବିକାର୍ଜନ କରୁଥିବା ଶେଖ୍ ସାଧାରଣତଃ ପ୍ରତି ମାସରେ ୧୫-୨୦ ଦିନ କାମ କରିଥାନ୍ତି ଏବଂ ବାକି ଦିନ ଜମା ହୋଇଥିବା ଅଳିଆକୁ ଭିନ୍ନ ଭିନ୍ନ ପ୍ରକାର ଅନୁଯାୟୀ ଅଲଗା କରିଥାନ୍ତି। କବାଡ଼ି ସାମଗ୍ରୀ ବିକ୍ରି କରିବା ଫଳରେ ସେମାନଙ୍କର ୫ ସଦସ୍ୟ ବିଶିଷ୍ଟ ପରିବାର ମାସିକ ମୋଟ ୨୦,୦୦୦ ଟଙ୍କା ରୋଜଗାର କରିଥାଏ। ଫାତିମା କୁହନ୍ତି, “ଏହି ଟଙ୍କାରୁ ପ୍ରତି ମାସ ୫୦୦୦ ଟଙ୍କା ଘରଭଡ଼ା ଦେବାକୁ ପଡ଼ିଥାଏ। ଖାଇବା ଯୋଗାଡ଼ କରିବାକୁ ପଡ଼ିଥାଏ, ତିନି ଚକିଆ ସାଇକେଲର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରିବାକୁ ପଡ଼ିଥାଏ। ସିଧାସଳଖ କହିଲେ, ଆମେ ଯେତିକି ରୋଜଗାର କରିଥାଉ, ସେଥିରେ ଆମର ପେଟ ପୂରିଥାଏ। ଆମ କାମରେ କିଛି ଟଙ୍କା ସଞ୍ଚୟ କରିବାର ସୁଯୋଗ ନଥାଏ।”

PHOTO • Muzamil Bhat

ମହମ୍ମଦ କୁର୍ବାନ ପ୍ଲାଷ୍ଟିକ ବୋତଲ ଅଲଗା କରୁଛନ୍ତି। ପରେ ସେ ଏହାକୁ ସ୍କାର୍ପ ଡିଲରମାନଙ୍କୁ ପ୍ରଦାନ କରିଥାନ୍ତି

ତାଙ୍କ ପରିବାର ସହିତ, ଅଳିଆ ସଂଗ୍ରହ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ସାଧାରଣତଃ ଏସବୁ ସାମଗ୍ରୀ ବିକ୍ରି କରିବା ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ କବାଡ଼ି ଡିଲରଙ୍କ ସହିତ କଥାବାର୍ତ୍ତା ଚୂଡ଼ାନ୍ତ କରି ରଖିଥାନ୍ତି। ସହରର ଉତ୍ତର ଭାଗରେ ଥିବା ବେମିନା ର କବାଡ଼ି ଡିଲର ରିୟାଜ ଅହମଦଙ୍କ ଅନୁମାନ ମୁତାବକ, ଶ୍ରୀନଗରର ଭିନ୍ନ ଭିନ୍ନ ଅଞ୍ଚଳରେ ପାଖାପାଖି ୫୦-୬୦ ଜଣ କବାଡ଼ି ଡିଲର ଅଛନ୍ତି। ସେ କୁହନ୍ତି, “ସେମାନେ (ଅଳିଆ ସଂଗ୍ରହ କରୁଥିବା ଲୋକମାନେ) ଆମ ପାଖକୁ ଦୈନିକ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ ଏବଂ ୧.୫ ଟନ୍ ପେଟି ନେଇ ଆସିଥାନ୍ତି।”

ବେଳେବେଳେ ଇମାନ ହୁସେନଙ୍କ ଭଳି ମଧ୍ୟସ୍ଥ ମଧ୍ୟ ଏହି କାମରେ ନିୟୋଜିତ ଥିବା ଦେଖିବାକୁ ମିଳନ୍ତି। ୩୮ ବର୍ଷୀୟ ଇମାନ ହୁସେନ ଉତ୍ତର ଶ୍ରୀନଗରର ଏଚଏମଟି ଇଲାକାରେ ଥିବା ନିଜର ସ୍ଲମ କଲୋନୀ ଆଡ଼କୁ ଇସାରା କରି କୁହନ୍ତି, “ମୁଁ ଅଳିଆ ସଂଗ୍ରହକାରୀ ଏବଂ କବାଡ଼ି ଡିଲରଙ୍କ ମଧ୍ୟରେ ମଧ୍ୟସ୍ଥତା କାମ କରିଥାଏ।  ଅଳିଆ ସଂଗ୍ରହକାରୀମାନେ ଏକତ୍ରିତ କରିଥିବା ପ୍ଲାଷ୍ଟିକର ଗୁଣବତ୍ତା ହିସାବରେ ମୋତେ କିଲୋ ପ୍ରତି ୫୦ ପଇସାରୁ ୨ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ସାଧାରଣତଃ ମୁଁ ମାସିକ ୮,୦୦୦ ରୁ ୧୦,୦୦୦ ଟଙ୍କା ରୋଜଗାର କରିଥାଏ।”

ଯେଉଁସବୁ ବର୍ଜ୍ୟବସ୍ତୁର ପୁନଃପ୍ରକ୍ରିୟାକରଣ ହୋଇପାରେ ନାହିଁ (ଅଧିକାଂଶ) ସେଗୁଡ଼ିକୁ କେନ୍ଦ୍ରୀୟ ଶ୍ରୀନଗରର ସୌରା ଡମ୍ପିଙ୍ଗ ଗ୍ରାଉଣ୍ଡରେ ଫିଙ୍ଗି ଦିଆଯାଇଥାଏ। ଏଠାକାର ୬୫ ଏକର ଜମିକୁ ୧୯୮୬ରେ ମହାନଗର ନିଗମ ଦ୍ୱାରା ଡମ୍ପିଙ୍ଗ ଗ୍ରାଉଣ୍ଡ ଭାବେ ବ୍ୟବହାର କରାଯିବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀନଗର ସହରରୁ ଅଧିକ ପରିମାଣରେ କଠିନ ବର୍ଜ୍ୟବସ୍ତୁ ବାହାରିଲା, ଫଳରେ ଏହି ଡମ୍ପିଙ୍ଗ ୟାର୍ଡ ଆକାରକୁ ୧୭୫ ଏକର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା।

ମହାନଗର ନିଗମ ପକ୍ଷରୁ ‘‘ଅନୌପଚାରିକ ଭାବେ ପଞ୍ଜିକୃତ’’ ପ୍ରାୟ ୧୨୦ ଜଣ ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନଙ୍କୁ ଡମ୍ପିଙ୍ଗ ଗ୍ରାଉଣ୍ଡ ନିକଟରେ ପ୍ଲାଷ୍ଟିକ ଏକତ୍ରିତ କରିବା ଲାଗି ଅନୁମତି ଦିଆଯାଇଛି; ମୁଖ୍ୟ ପରିମଳ ଅଧିକାରୀ ନଜୀର ଅହମ୍ମଦ କୁହନ୍ତି ଯେ ‘‘ସେମାନେ ପ୍ରତିଦିନ ପାଖାପାଖି ୧୦ ଟନ୍ ପ୍ଲାଷ୍ଟିକ ଏକତ୍ରିତ କରିଥାନ୍ତି।”

ଗୋଟିଏପଟେ ସହରୀକରଣ ବଢ଼ୁଥିବାରୁ, ପ୍ଲାଷ୍ଟିକ ବର୍ଜ୍ୟ ଏବଂ ଅନ୍ୟ ଆବର୍ଜନା ପରିମାଣ ଲଗାତର ବୃଦ୍ଧି ପାଉଛି। କଶ୍ମୀରରେ ବାରମ୍ବାର ବିଭିନ୍ନ ଗତିବିଧି ପାଇଁ କଟକଣା ଏବଂ ଲକଡାଉନ ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଲୋକମାନଙ୍କୁ କବାଡ଼ି ଡିଲରମାନଙ୍କଠାରୁ ୠଣ ନେବା ଲାଗି ବାଧ୍ୟ ହେବାକୁ ପଡ଼ୁଛି କିମ୍ବା କାମ ନଥିବା ସମୟରେ ସେମାନଙ୍କୁ ଖାଇବା-ପିଇବା ଲାଗି ସ୍ଥାନୀୟ ମସଜିଦ୍ ଉପରେ ନିର୍ଭର କରିବାକୁ ପଡ଼ୁଛି।

ଏହି କଷ୍ଟ ବ୍ୟତୀତ ସେମାନଙ୍କର ଆଉ ଏକ ସମସ୍ୟା ମଧ୍ୟ ରହିଛି, ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି : ଇମାମ ହୁସେନ କୁହନ୍ତି, “ଆମ କାମ କାରଣରୁ ଲୋକମାନଙ୍କ ପାଖରେ ଆମର କୌଣସି ଇଜ୍ଜତ ନାହିଁ। କେହି କେହି ଆମ ଉପରେ ଚୋରି ଅଭିଯୋଗ ଆଣିଥାନ୍ତି, କିନ୍ତୁ ଆମେ କେବେ ଚୋରି କରିନଥାଉ। ଆମେ କେବଳ ଲୋକମାନେ ଫିଙ୍ଗି ଦେଇଥିବା ପ୍ଲାଷ୍ଟିକ ଏବଂ ପେଟି ସଂଗ୍ରହ କରିଥାଉ। ହେଲେ ସେଥିରେ କ’ଣ ଅସୁବିଧା ଅଛି? ଆମେ ଆମ କାମ କେତେ ସଚ୍ଚୋଟତାର ସହ କରିଥାଉ ତାହା କେବଳ ଭଗବାନ ଜାଣନ୍ତି ।”

PHOTO • Muzamil Bhat

ଉତ୍ତର ଶ୍ରୀନଗରର ଏଚଏମଟି ଇଲାକାରେ ଥିବା ଏକ ବସ୍ତିରେ ଏପରି ପରିବାର ରହିଥାନ୍ତି ଯେଉଁମାନେ ଜୀବିକା ନିର୍ବାହ ଲାଗି ବର୍ଜ୍ୟବସ୍ତୁ ଉଠାଇବା ଉପରେ ନିର୍ଭର କରିଥାନ୍ତି


PHOTO • Muzamil Bhat

ବର୍ବରାଶାହ ଅଞ୍ଚଳରେ ରହୁଥିବା ୧୬ ବର୍ଷୀୟ ଆରିଫ, ମଖଦୁମ ସାହେବ ଅଞ୍ଚଳରେ ଏକ ଟ୍ରକରୁ ଆବର୍ଜନା ସଂଗ୍ରହ କରୁଛନ୍ତି, ଏଠାରେ ବହୁ ଲୋକ ଅଳିଆ ଫିଙ୍ଗିଥାନ୍ତି। ସେ କୁହନ୍ତି, “ମୁଁ ଆଜି କାମକୁ ଡେରିରେ ଆସିଛି। ସାଧାରଣତଃ ମୁଁ ମହାନଗର ନିଗମ କର୍ମଚାରୀଙ୍କ ପୂର୍ବରୁ ଏଠାକୁ ଆସିଥାଏ, କିନ୍ତୁ ଆଜି ସେମାନେ ଆଗରୁ ଅଳିଆ ସଫା କରିସାରିଛନ୍ତି। ଅନ୍ୟ କେଉଁଠି ଅଳିଆ ଆବର୍ଜନା ଗଦା ହୋଇଛି କି ନାହିଁ ମୁଁ ଦେଖିବି, ନହେଲେ ଖାଲି ସାଇକେଲ ନେଇ ଘରକୁ ଫେରିଯିବି”


PHOTO • Muzamil Bhat

୩୫ ବର୍ଷୀୟ ମହମ୍ମଦ ରୋନି, ଉତ୍ତର ଶ୍ରୀନଗରର ବେମିନା ଇଲାକାରେ ଏକ ସଡ଼କ ନିକଟରେ ବର୍ଜ୍ୟ ସାମଗ୍ରୀ ସଂଗ୍ରହ କରୁଛନ୍ତି


PHOTO • Muzamil Bhat

୩୨ ବର୍ଷୀୟା ଆଶା, କେନ୍ଦ୍ରୀୟ ଶ୍ରୀନଗରର ମୈସୁମା ଅଞ୍ଚଳରେ ପେଟି ଭର୍ତ୍ତି ହୋଇଥିବା ସେହି ବସ୍ତାଗୁଡ଼ିକୁ ଠିକ୍ ଭାବେ ସଜାଡ଼ି ରଖୁଛନ୍ତି, ଯାହାକୁ ସେ ଓ ତାଙ୍କର ସାଥୀମାନେ ସେଦିନ ସଂଗ୍ରହ କରିଛନ୍ତି। ଆଶା ସାଧାରଣତଃ ଲାଲଚୌକ ନିକଟବର୍ତ୍ତୀ ଇଲାକାରେ କାମ କରିଥାନ୍ତି-ଏହା ଏକ ବ୍ୟସ୍ତବହୁଳ ବଜାର, ଏହାର ଅର୍ଥ ଫିଙ୍ଗା ଯାଇଥିବା ପେଟିଗୁଡ଼ିକ ଖୁବ ସହଜରେ ମିଳିଯାଇଥାଏ


PHOTO • Muzamil Bhat

୪୦ ବର୍ଷର ମୁଜୀବ ଉର ରହମାନ, ପ୍ଲାଷ୍ଟିକ ଏବଂ ପେଟି ନିଜ ଗାଡ଼ିରୁ ବାହାର କରୁଛନ୍ତି ଏହାକୁ ସେ ପୂର୍ବଦିନ ସଂଗ୍ରହ କରିଥିଲେ


PHOTO • Muzamil Bhat

ମହମ୍ମଦ କବୀର, ପେଟିଗୁଡ଼ିକୁ ଲୋଡ୍ କରୁଛନ୍ତି, ଯାହାକୁ କେନ୍ଦ୍ରୀୟ ଶ୍ରୀନଗରର ସୌରା ଅଞ୍ଚଳରେ ଥିବା କବାଡ଼ି ବଜାରରେ ଓଜନ କରାଯିବ


PHOTO • Muzamil Bhat

ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଶ୍ରମିକ, ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଏକ ଟ୍ରକରେ ପ୍ଲାଷ୍ଟିକ ବୋତଲ ଭର୍ତ୍ତି ବସ୍ତାକୁ ଲୋଡ୍ କରୁଛନ୍ତି; ପ୍ରତ୍ୟେକ ବସ୍ତାର ଓଜନ ୪୦ ରୁ ୭୦ କିଲୋ ମଧ୍ୟରେ। ସେମାନେ ଏହାକୁ କବାଡ଼ି ଡିଲରଙ୍କ ପାଖକୁ ନେଇଯିବେ। ଟ୍ରକ ଚଳାଉଥିବା ୧୯ ବର୍ଷୀୟ ମହମ୍ମଦ ଇମରାନ କୁହନ୍ତି, “ମୁଁ ପ୍ଲାଷ୍ଟିକ ବୋତଲର ୧୦-୧୨ ବସ୍ତା, ଏହି ଗାଡ଼ିରେ ନେଇପାରିବି”


PHOTO • Muzamil Bhat

ଶ୍ରୀନଗର ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ପରେ, ସାରାଦିନ ଏକାଠି କରିଥିବା ସାମଗ୍ରୀକୁ ସଜାଡ଼ୁଥିବା ୩୨ ବର୍ଷୀୟ ରିୟାଜ ଶେଖ କୁହନ୍ତି, “ଯଦି ମୁଁ କାମ କରିବି, ହୁଏତ’ ମୁଁ କରୋନାରେ ପଡ଼ି ଅସୁସ୍ଥ ହୋଇଯିବି, କିନ୍ତୁ ଯଦି ମୁଁ କାମ କରିବି ନାହିଁ, ତା’ହେଲେ ମୋ ପରିବାରର ପେଟ ପୋଷିବା ଚିନ୍ତା ନିଶ୍ଚିତ ଭାବେ ମୋତେ ଅସୁସ୍ଥ କରିଦେବ”


PHOTO • Muzamil Bhat

ବେମିନାରେ କବାଡ଼ି ଡିଲର ଥିବା ରିୟାଜ ଅହମ୍ମଦ କବାଡ଼ିଖାନାରେ ବହୁ ଟନ୍ ପ୍ଲାଷ୍ଟିକ ଓ ପେଟିର ଷ୍ଟକ


PHOTO • Muzamil Bhat

କଶ୍ମୀରର ହାଡ଼ଭଙ୍ଗା ଶୀତରେ ଗୋଟିଏ ଦିନ କାମରୁ ଫେରୁଥିବା ମହମ୍ମଦ ଶକୁର ଅତ୍ୟନ୍ତ ନିରାଶ ଅଛନ୍ତି କାରଣ ସେ ଅଧିକ କବାଡ଼ି ସାମଗ୍ରୀ ଏକତ୍ରିତ କରିପାରିନାହାନ୍ତି


PHOTO • Muzamil Bhat

କଶ୍ମୀରର ହାଡ଼ଭଙ୍ଗା ଶୀତରେ ଏକ ଦିନ, ମହମ୍ମଦ ଶକୁର ଏବଂ ତାଙ୍କର ଜଣେ ବନ୍ଧୁ (ନିଜର ନାଁ କହିବାକୁ ଚାହାନ୍ତି ନାହିଁ) କାମ କରିସାରିବା ପରେ ନିଆଁରେ ସେକି ହେଉଛନ୍ତି


PHOTO • Muzamil Bhat

ସାତ ବର୍ଷର ରବୁଲ (ଆଗରେ) ଏବଂ ଆଠ ବର୍ଷର ରେହାନ, ଦୁଇ ଭାଇ ଏବଂ ନିଜ ପିତାଙ୍କ ସାଇକେଲ ରିକ୍ସାରେ ଖେଳୁଛନ୍ତି। ରେହାନ କୁହନ୍ତି, “ଆମ ପାଇଁ ରିମୋଟ କଣ୍ଟ୍ରୋଲ ସାଇକେଲ କିଣିଦେବା ପାଇଁ ବାପାଙ୍କ ପାଖରେ ଟଙ୍କା ନାହିଁ, ସେଥିପାଇଁ ଆମେ ବାପାଙ୍କ ସାଇକେଲରେ ଖେଳିଥାଉ”


PHOTO • Muzamil Bhat

ମହମ୍ମଦ ଇମାନ କୁହନ୍ତି, “ମୋତେ ନିଜ ଝିଅ ପାଇଁ ଏକ ମୋବାଇଲ ଫୋନ କିଣିବାକୁ ପଡ଼ିଛି, ଯାହାଫଳରେ ସେ ନିଜର ପାଠପଢ଼ା ଜାରି ରଖିପାରିବ। ସେ ମଧ୍ୟ ଅଳିଆ ଗୋଟାଉ ବୋଲି ମୁଁ ଚାହୁଁନାହିଁ।” ତାଙ୍କର ୧୭ ବର୍ଷୀୟ ଝିଅ ନିକଟରେ ଥିବା ଏକ ଘରୋଇ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି


PHOTO • Muzamil Bhat

ଫାତିମା ଏବଂ ତାଙ୍କର ଜଣେ ପଡ଼ୋଶୀ, ନିକଟସ୍ଥ ଏକ କେନାଲରୁ ପାଣି ନେବା ପାଇଁ ଆସିଛନ୍ତି; ତାଙ୍କର ବସ୍ତି ନିକଟରେ ଭରସାଯୋଗ୍ୟ ଟ୍ୟାପ ପାଣି ସୁବିଧା ନାହିଁ


PHOTO • Muzamil Bhat

ବଟମାଲୁର ଏକ ବସ୍ତିରେ ରହୁଥିବା ଫାତିମା, ନଅ ବର୍ଷ ହେବ ଅଳିଆ ସଂଗ୍ରହ କରୁଛନ୍ତି। ସେ କୁହନ୍ତି, “ଆଖପାଖ ଅଞ୍ଚଳରେ ଆମ ଭଳି ପାଖାପାଖି ୨୦ ଟି ପରିବାର ରହୁଛନ୍ତି ଏବଂ ଯେତିକି ମୁଁ ଜାଣିଛି, ଆମ ଭିତରୁ କେହି ହେଲେ କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି, ମୋର ଲ୍ଲାହଙ୍କ ଉପରେ ଭରସା ରହିଛି ଏବଂ ମୁଁ ତାଙ୍କ ନାମ ନେଇ କାମ କରିବା ଲାଗି ବାହାରକୁ ଯାଇଥାଏ


PHOTO • Muzamil Bhat

ବଟମାଲୁର ଏକ ବସ୍ତିରେ ରହୁଥିବା ଏବଂ ମୂଳତଃ କୋଲକାତାବାସୀ ୨୪ ବର୍ଷୀୟା ମହମ୍ମଦ ସାଗର କୁହନ୍ତି, “ପ୍ରଥମେ କୋଭିଡ ଆସିଲା, ଏହାପରେ ହାଡ଼ଭଙ୍ଗା ଶୀତ। ମୁଁ ଏଠାରେ ବିତାଇଥିବା ଚାରି ବର୍ଷ ମଧ୍ୟରେ ଏତେ ଅଧିକ ଶୀତ କେବେ ଦେଖିନଥିଲି। ସାଗର ଚାରି ବର୍ଷ ଧରି ଆବର୍ଜନା ସଂଗ୍ରହ କାମ କରୁଛନ୍ତି। ସେ କୁହନ୍ତି, “ମୁଁ ମୋ ଠିକାଦାରଙ୍କ ଠାରୁ (ଲକଡାଉନ ସମୟରେ) ୪୦,୦୦୦ ଟଙ୍କା ଉଧାର ନେଇଥିଲି; ଏବେ ମୁଁ କେବଳ ପରିସ୍ଥିତି ସୁଧୁରିବା ନେଇ ଆଶା କରିପାରେ, ଯାହାଫଳରେ ମୁଁ କାମ କରିପାରିବି ଏବଂ ମୋ କରଜ ସୁଝିପାରିବି”


PHOTO • Muzamil Bhat

ଶ୍ରୀନଗର ମହାନଗର ନିଗମର କର୍ମଚାରୀ, ଜେସିବି ମେସିନ ସହାୟତାରେ ବର୍ଜ୍ୟବସ୍ତୁ ଏକତ୍ରିତ କରୁଛନ୍ତି। ମହାନଗର ନିଗମ ପକ୍ଷରୁ ପାଖାପାଖି ୪,୦୦୦ ସଫେଇ କର୍ମଚାରୀଙ୍କୁ ସହରର କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଲାଗି ସ୍ଥାୟୀ କିମ୍ବା ଚୁକ୍ତିଭିତ୍ତିରେ ନିଯୁକ୍ତି ମିଳିଛି । କିନ୍ତୁ ଶେଖ ପରିବାର ଭଳି ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଲୋକମାନଙ୍କୁ  ଏହି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାରେ ଔପଚାରିକ ଭାବେ ସାମିଲ କରାଯାଇନାହିଁ

PHOTO • Muzamil Bhat

ଅଚନ ଡମ୍ପିଂ ଗ୍ରାଉଣ୍ଡରେ ଆବର୍ଜନାର ପାହାଡ଼


ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

मुज़मिल भट, श्रीनगर के स्वतंत्र फ़ोटो-पत्रकार व फ़िल्मकार हैं, और साल 2022 के पारी फ़ेलो रह चुके हैं.

की अन्य स्टोरी Muzamil Bhat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE