ଆଉ ଏତଦ୍ୱାରା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ଆଜି, ଡିସେମ୍ବର ୨୦ରେ ସାତ ବର୍ଷର ହେଲା । ଆମେ କେବଳ ମହାମାରୀ ଏବଂ ତଦ୍ଜନିତ ଲକ୍ଡାଉନ୍ରେ ତିଷ୍ଠି ରହିଲୁ ତାହା ନୁହେଁ-ଆମେ ଆମର ସର୍ବକାଳୀନ ଶ୍ରେଷ୍ଠ କାମର ପ୍ରଦର୍ଶନ ବି କଲୁ ।
ଗତବର୍ଷ ଲକ୍ଡାଉନ୍ର ପ୍ରଥମ ଦିନରେ ହିଁ, ଭାରତ ସରକାର ଉଭୟ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମକୁ ଏକ ଜରୁରୀକାଳୀନ ସେବା ଭାବେ ଘୋଷଣା କଲେ । ତାହା ଭଲ ଥିଲା । ଭାରତୀୟ ଜନସାଧାରଣଙ୍କୁ ସାମ୍ବାଦିକତା ଏବଂ ସାମ୍ବାଦିକମାନଙ୍କର ଅଧିକ ଆବଶ୍ୟକତା ନଥିଲା । ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ନିର୍ଭର କରୁଥିବା କାହାଣୀଗୁଡ଼ିକ କହିବାକୁ ଥିଲା । ଏହି ଦେଶର ବଡ଼ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କେମିତି ପ୍ରତିକ୍ରିୟା କଲେ ? ୨,୦୦୦ରୁ ୨,୫୦୦ ସାମ୍ବାଦିକ ଏବଂ ୧୦,୦୦୦ରୁ ଅଧିକ ଅଣ ସାମ୍ବାଦିକ ଗଣମାଧ୍ୟମ କର୍ମୀଙ୍କୁ ବରଖାସ୍ତ କରି ।
ତେବେ ସେମାନେ ବଡ଼ କାହାଣୀ କିପରି କହିବାକୁ ଯାଉଥିଲେ ? ସେମାନଙ୍କର କିଛି ସର୍ବଶ୍ରେଷ୍ଠ ସାମ୍ବାଦିକଙ୍କଠାରୁ ମୁକ୍ତି ପାଇ? ହଜାର ହଜାର ଅନ୍ୟ ଗଣମାଧ୍ୟମ କର୍ମଚାରୀ - ଯେଉଁମାନେ ଛଟେଇ ହୋଇ ନ ଥିଲେ – ସେମାନଙ୍କର ଦରମା ୪୦ରୁ ୬୦ ପ୍ରତିଶତ ମଧ୍ୟରେ କଟାଯାଇଥିଲା । ସାମ୍ବାଦିକମାନଙ୍କର ଯାତ୍ରା ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଥିଲା, ଏମିତି ପଦକ୍ଷେପ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନୁହେଁ ବରଂ ଖର୍ଚ୍ଚ କାଟିବା ପାଇଁ ନିଆଯାଇଥିଲା । ଆଉ ସେହି ସମୟରେ, ଖାସ୍ କରି ୨୦୨୦ ମାର୍ଚ୍ଚ ୨୫ ପରେ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଯେଉଁ ଖବର କରାଯାଉଥିଲା, ସେସବୁ ଅଧିକାଂଶ ନଗର ବା ବଡ଼ ସହର ଭିତ୍ତିକ ଥିଲା ।
୨୦୨୦ ଏପ୍ରିଲ ପରଠାରୁ ପରୀ ଏହାର କର୍ମଚାରୀଙ୍କ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କୁ ଯୋଗ କରିଛି, କାହାରି ଉପରେ ଗୋଟିଏ ପଇସାର ପାଉଣା କାଟ ଲାଗୁ କରାଯାଇନାହିଁ – ଏବଂ ୨୦୨୦ ଅଗଷ୍ଟରେ ଆମର ପ୍ରାୟ ସମସ୍ତ କର୍ମଚାରୀଙ୍କୁ ପଦୋନ୍ନତି ଏବଂ ବେତନ ବୃଦ୍ଧି ପ୍ରଦାନ କରାଯାଇଥିଲା ।
ଆମର ଅନ୍ୟାନ୍ୟ ରିପୋର୍ଟିଂ ବ୍ୟତୀତ, ମହାମାରୀ ଆରମ୍ଭ ହେବା ଦିନଠାରୁ ପରୀ ପକ୍ଷରୁ ୨୭୦ରୁ ଅଧିକ (ମୁଖ୍ୟତଃ ମଲ୍ଟିମିଡିଆ) କାହାଣୀ ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ରିପୋର୍ଟ, ଲକଡାଉନ୍ ଅନ୍ତର୍ଗତ ଜୀବିକାର ଏକକ ଥିମ୍ ଉପରେ ପ୍ରକାଶିତ ହୋଇଛି । ଏହି କାହାଣୀଗୁଡ଼ିକୁ ଆମେ ୨୩ଟି ରାଜ୍ୟରୁ, ଦେଶର ପ୍ରତ୍ୟେକ ପ୍ରମୁଖ ଅଞ୍ଚଳରୁ ଆମେ ସଂଗ୍ରହ କରିଛୁ, ସେହି ଗାଁଗୁଡ଼ିକରୁ ଯେଉଁଠାରୁ ଦାଦନ ଶ୍ରମିକମାନେ ଫେରୁଥିଲେ। ଏଥିପାଇଁ ରିପୋର୍ଟରମାନେ ଲକ୍ଡାଉନ୍ ସମୟରେ ଯାହା ବି ପରିବହନ ବ୍ୟବସ୍ଥା ମିଳୁଥିଲା ସେଥିରେ ଶହ ଶହ କିଲୋମିଟର ଯାତ୍ରା କରୁଥିଲେ । ଏହି କାହାଣୀଗୁଡ଼ିକରେ ଆପଣ ୬୫ ଜଣ ଭିନ୍ନ ଭିନ୍ନ ରିପୋର୍ଟରଙ୍କ ନାମ ଦେଖିବାକୁ ପାଇବେ । ମହମାରୀ ପୂର୍ବରୁ ଦୀର୍ଘ ବର୍ଷ ଧରି ପରୀ ଦାଦନ ଶ୍ରମିକଙ୍କ ଜୀବନ ଉପରେ କାହାଣୀ ପ୍ରକାଶ କରିଆସୁଥିଲା ଏବଂ ସେମାନଙ୍କୁ ୨୦୨୦ ମାର୍ଚ୍ଚରେ ଆବିଷ୍କାର କରିବାର ନ ଥିଲା ।
ଯେମିତିକି ଆମର ପାଠକମାନେ ଜାଣିଛନ୍ତି, ଏବଂ ଅନ୍ୟମାନେ ଯେଉଁମାନେ ଜାଣିନାହାନ୍ତି, ପରୀ ଗୋଟିଏ ଉଭୟ ସାମ୍ବାଦିକତା ପ୍ଲାଟଫର୍ମ ଏବଂ ଏକ ଜୀବନ୍ତ, ଶାସକ୍ରିୟା କରୁଥିବା ଆର୍କାଇଭ୍ । ଆମେ ଗ୍ରାମୀଣ ଭାରତ ଉପରେ ପ୍ରବନ୍ଧ, ରିପୋର୍ଟ, ଲୋକ ସଂଗୀତ, ଗୀତ, ଫଟୋ ଏବଂ ଚଳଚ୍ଚିତ୍ରର ସର୍ବବୃହତ୍ ଅନ୍ଲାଇନ୍ ଭଣ୍ଡାର ଏବଂ ଗ୍ରାମାଞ୍ଚଳର ସବୁଠାରୁ ବଡ଼ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ । ପରୀର ସାମ୍ବାଦିକତା ଦୈନନ୍ଦିନ ଲୋକଙ୍କ ଦୈନନ୍ଦିନ ଜୀବନକୁ ରିପୋର୍ଟ କରିବା ଉପରେ ଏବଂ ୮୩୩ ନିୟୁତ ଗ୍ରାମୀଣ ଭାରତୀୟଙ୍କ କାହାଣୀ ସେମାନଙ୍କ ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ମାଧ୍ୟମରେ କହିବା ଉପରେ ଆଧାରିତ ।
ଆମ ଅସ୍ତିତ୍ୱର ଏହି ପ୍ରଥମ ୮୪ ମାସ ମଧ୍ୟରେ, ପରୀ ୪୨ଟି ପୁରସ୍କାର ଲାଭ କରିଛି, ହାରାହାରି ପ୍ରତ୍ୟେକ ୫୯ ଦିନରେ ଗୋଟିଏ । ଏଗୁଡ଼ିକ ମଧ୍ୟରୁ ୧୨ଟି ଅନ୍ତର୍ଜାତୀୟ ପୁରସ୍କାର । ଏବଂ ଲକ୍ଡାଉନ୍ ଅବଧି ମଧ୍ୟରେ ଲେଖାଯାଇଥିବା କାହାଣୀ ମୋଟ ୧୬ଟି ପୁରସ୍କାର ହାସଲ କରିଛି । ୨୦୨୦ ଏପ୍ରିଲରେ ଯୁକ୍ତରାଷ୍ଟ୍ର ଆମେରିକାର ଲାଇବ୍ରେରୀ ଅଫ୍ କଂଗ୍ରେସ ଆମକୁ ସୂଚିତ କଲା ଯେ ସେମାନେ ପରୀକୁ ସେମାନଙ୍କର ୱେବ୍ ଆର୍କାଇଭ୍ରେ ଯୋଗ କରିବାକୁ ଚୟନ କରିଛନ୍ତି, କହିଲେ: ‘‘ଆମେ ଆପଣଙ୍କ ୱେବ୍ସାଇଟ୍କୁ ଏହି ସଂଗ୍ରହ ଏବଂ ଐତିହାସିକ ରେକର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରୁଛୁ ।’’
ପରୀ ଦେଶର ୧୨ ଟି ରାଜ୍ୟରୁ ମହିଳାମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଏକ ପୁରସ୍କାର ପ୍ରାପ୍ତ ସିରିଜ୍ ମଧ୍ୟ ପ୍ରକାଶ କରିଛି, ବିଶେଷ କରି ସେହି ରାଜ୍ୟଗୁଡ଼ିକରୁ ଯେଉଁଠାରେ ଏହି କ୍ଷେତ୍ରରେ ମହିଳାଙ୍କ ଅଧିକାର ସବୁଠୁ ଦୁର୍ବଳ । ଏହି ଚାଲୁଥିବା ଧାରାବାହିକର ୩୭ଟି କାହାଣୀ ମଧ୍ୟରୁ ୩୩ଟି ମହାମାରୀ ଆରମ୍ଭ ହେବା ପରେ ଏବଂ ଲକ୍ଡାଉନ୍ ସମୟରେ ଲେଖାଯାଇଥିଲା ଏବଂ ପ୍ରକାଶିତ ହୋଇଥିଲା। ଏହି ସିରିଜ୍ ମହିଳାମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ଉପରେ ପ୍ରଥମ ଦେଶବ୍ୟାପୀ ସାମ୍ବାଦିକତା ସର୍ବେକ୍ଷଣର ପ୍ରଦର୍ଶନ ରହିଛି ଯାହା ଗ୍ରାମାଞ୍ଚଳର ମହିଳାମାନଙ୍କ ସ୍ୱର ମାଧ୍ୟମରେ କୁହାଯାଇଛି ।
ସବୁଠାରୁ କଷ୍ଟଦାୟକ ସମୟରେ ଆମର କାର୍ଯ୍ୟ ଯୋଗୁଁ ଆମର ପାଠକମାନଙ୍କ ସଂଖ୍ୟା ପ୍ରାୟ ୧୫୦ ପ୍ରତିଶତ ଏବଂ ଇନ୍ଷ୍ଟାଗ୍ରାମ ପରି ଆମର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇନଷ୍ଟାଗ୍ରାମରେ ପରୀର ପାଠକମାନେ ଆମେ ଲେଖିଥିବା କାହାଣୀର ଲୋକମାନଙ୍କୁ ସିଧାସଳଖ ଲକ୍ଷ ଲକ୍ଷ ଟଙ୍କା ପଠାଇଛନ୍ତି ।
ଏସବୁ ସହିତ, ଆମେ ମଧ୍ୟ ବର୍ତ୍ତମାନ ପ୍ରତ୍ୟାହାର ହୋଇଥିବା କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ଉପରେ ୨୫ ଜଣ ସାମ୍ବାଦିକ ଏବଂ ଫଟୋଗ୍ରାଫରଙ୍କ ୬୫ଟି ବିସ୍ତୃତ କାହାଣୀ ଏବଂ ୧୦ଟି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ପ୍ରକାଶ କରିଛୁ । ଏହିପ୍ରକାର କାହାଣୀ ଆପଣ ‘ମୁଖ୍ୟସ୍ରୋତ’ ଗଣମାଧ୍ୟମରେ ପାଇବେ ନାହିଁ । ଏ ସବୁ କେବଳ ଦିଲ୍ଲୀର ପ୍ରବେଶ ପଥରୁ ନ ଥିଲା, ବରଂ ପ୍ରାୟ ଅଧା ଡଜନ ରାଜ୍ୟର ଅନ୍ୟ ଅଞ୍ଚଳରୁ ମଧ୍ୟ ଥିଲା ।
ଏହି ଐତିହାସିକ ଆନ୍ଦୋଳନରେ ଭାଗ ନେଇଥିବା ପ୍ରତ୍ୟେକ କୃଷକ କିଏ, ସେମାନେ କେଉଁଠାରୁ ଆସିଥିଲେ, ସେମାନଙ୍କର କୃଷିର ଅବସ୍ଥା କ’ଣ, ସେମାନେ କ’ଣ ଦାବି କରୁଥିଲେ, ଦିଲ୍ଲୀରେ ଆସି ଆନ୍ଦୋଳନରେ ଭାଗ ନେବା ଏବଂ ସେଠାରେ ତିଷ୍ଠି ରହିବାକୁ ସେମାନଙ୍କୁ କ’ଣ ପ୍ରେରିତ କରିଥିଲା, ଗୋଟିଏ ବର୍ଷରୁ ଅଧିକ ସମୟ ଧରି ପରିବାରଠାରୁ ଦୂରରେ ରହିବାର ଅନୁଭୂତି ଆଦି ପ୍ରସଙ୍ଗ ଉପରେ ଆମର କାହାଣୀ ପର୍ଯ୍ୟବସିତ ଥିଲା । ଅଗ୍ରଗାମୀ ସ୍ୱରଗୁଡ଼ିକ କୌଣସି ପ୍ରଭାବଶାଳୀ ବା ସମ୍ଭ୍ରାନ୍ତ ବ୍ୟକ୍ତି ବିଶେଷଙ୍କର ନ ଥିଲା-ବରଂ ଥିଲା ନିତିଦିନଆ ଚାଷୀଙ୍କର । ପରୀ ହିଁ ପ୍ରଥମେ ଦୀର୍ଘ ବର୍ଷ ମଧ୍ୟରେ ସାରା ବିଶ୍ୱ ଦେଖିଥିବା ଏହି ବିଶାଳ, ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ବିକ୍ଷୋଭର ରିପୋର୍ଟିଂ କରିଥିଲା । ତାହାପୁଣି ଯାହା ଗୋଟିଏ ମହାମାରୀର ମଧ୍ୟଭାଗରେ ଚାଲିଥିଲା ।
ଡିସେମ୍ବର ୨୦୧୪ରେ କେବଳ ଇଂରାଜୀରେ ଆରମ୍ଭ ହୋଇଥିବା ପରୀ ଏବେ ପ୍ରାୟ ସମାନ୍ତରାଳ ଭାବେ ୧୩ଟି ଭାଷାରେ ପ୍ରକାଶିତ ହେଉଛି ଏବଂ ଆଗକୁ ଆହୁରି ଯୋଗ କରିବ । ଆମେ ସମାନତା ଉପରେ ବିଶ୍ୱାସ କରୁ, ଅର୍ଥାତ୍ ଗୋଟିଏ ଭାଷାରେ ଆମ ପାଖକୁ ଆସୁଥିବା କୌଣସି କାହାଣୀ ସମସ୍ତ ୧୩ରେ ପ୍ରକାଶିତ ହେବା ଆବଶ୍ୟକ । ଆମେ ବିଶ୍ୱାସ କରୁ ଯେ ଭାରତୀୟ ଭାଷା ଗ୍ରାମୀଣ ଭାରତର ପ୍ରାଣରେ ଅଛି ଏବଂ ପ୍ରତ୍ୟେକ ଭାରତୀୟ ଭାଷା ହେଉଛି ଆପଣଙ୍କର ଭାଷା । ଏବଂ ଆମେ ବର୍ତ୍ତମାନ ଯେକୌଣସି ସାମ୍ବାଦିକତା ୱେବସାଇଟ୍ ପାଇଁ ସର୍ବବୃହତ୍ ଅନୁବାଦ କାର୍ଯ୍ୟକ୍ରମ ଚଳାଉଛୁ । ଆମର ଅନୁବାଦକଙ୍କ ମଧ୍ୟରେ ଡାକ୍ତର, ମନସ୍ତତ୍ୱବିତ୍, ଭାଷାବିତ୍, କବି, ଗୃହିଣୀ, ଶିକ୍ଷକ, ଚିତ୍ରକର, ସାମ୍ବାଦିକ, ଲେଖକ, ଇଞ୍ଜିନିୟର, ଛାତ୍ରଛାତ୍ରୀ ଏବଂ ପ୍ରଫେସରମାନେ ଅଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ବୟସ୍କ ୮୪ ବର୍ଷର ଏବଂ ସର୍ବକନିଷ୍ଠ ୨୨ ବର୍ଷର । କେତେକ ଭାରତ ବାହାରେ ଅବସ୍ଥାପିତ । ଅନ୍ୟମାନେ ଦେଶର ବିଭିନ୍ନ ଉପାନ୍ତ ଅଞ୍ଚଳରେ ରହନ୍ତି, ଯେଉଁଠାରେ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ।
ପରୀ ପଢ଼ିବା ଦେୟମୁକ୍ତ ଅଟେ । ଏଥିପାଇଁ କୌଣସି ସଦସ୍ୟତା ଦେୟ ନାହିଁ । ଦେୟ କାନ୍ଥ ପଛରେ କୌଣସି ପ୍ରବନ୍ଧ ରଖାଯାଇନାହିଁ । ଏବଂ ଆମେ ଆଦୌ କୌଣସି ବିଜ୍ଞାପନ ନେଉନା । ପୂର୍ବରୁ ହିଁ ବହୁ ଗଣମାଧ୍ୟମ ସଂସ୍ଥା ଅଛି ଯାହା ବିଜ୍ଞାପନରେ ଯୁବବର୍ଗଙ୍କୁ ବୁଡ଼ାଇ ଦେଉଛି, କୃତ୍ରିମ ଆବଶ୍ୟକତା ଏବଂ ଚାହିଦା ସୃଷ୍ଟି କରୁଛନ୍ତି, ସେଥିରେ ଆଉ ଯୋଗ କରିବା କାହିଁକି ? ଆମର ପାଠକମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ୩୪ ବର୍ଷରୁ କମ୍ ବୟସ୍କ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ୧୮-୨୪ ବର୍ଷ ବୟସ ବର୍ଗର । ଯେମିତିକି ଆମ ସହ କାମ କରୁଥିବା ଅଧିକାଂଶ ରିପୋର୍ଟର, ଲେଖକ ଏବଂ ଫଟୋଗ୍ରାଫର ମଧ୍ୟ ଏହି ବୟସର ।
ଆମର ସଦ୍ୟତମ ଭାଗ ପରୀ ଏଜୁକେସନ , ଯାହାର ଅସ୍ତିତ୍ୱ ମାତ୍ର ଗୋଟିଏ ବର୍ଷ, ଆମର ଆଉ ଏକ ଆଦେଶରେ ଦ୍ରୁତ ଗତିରେ ଆଗକୁ ବଢ଼ିଲା, ତାହା ହେଲା ଭବିଷ୍ୟତ ପାଇଁ ପାଠ୍ୟପୁସ୍ତକ ସୃଷ୍ଟି କରିବା । ଶିକ୍ଷାକ୍ଷେତ୍ରରେ କାମ କରୁଥିବା ପ୍ରାୟ ୯୫ଟି ଶିକ୍ଷଣ ପ୍ରତିଷ୍ଠାନ ଏବଂ ୧୭ଟି ସଂସ୍ଥା ପରୀକୁ ଗୋଟିଏ ପାଠ୍ୟପୁସ୍ତକ ଭାବେ ଏବଂ ଗ୍ରାମୀଣ ଭାରତ ବାବଦରେ ଜାଣିବା ଏବଂ ଶିକ୍ଷାଗ୍ରହଣ କରିବା ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଏଗୁଡ଼ିକ ମଧ୍ୟରୁ ୩୬ରୁ ଅଧିକ ପରୀ- କେନ୍ଦ୍ରିତ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଆମ ସହିତ କାର୍ଯ୍ୟ କରୁଛନ୍ତି ଯାହା ଛାତ୍ରମାନଙ୍କୁ ସିଧାସଳଖ ପଛୁଆ ବର୍ଗର ଲୋକଙ୍କ ସହ ପରିଚିତ କରାଇବ । କୃଷିରେ ସମସ୍ୟା, ବିଲୁପ୍ତ ହେଉଥିବା ଜୀବିକା, ଲିଙ୍ଗଗତ ପ୍ରସଙ୍ଗ ଏବଂ ଆହୁରି ଅନେକ ପ୍ରସଙ୍ଗରେ ପରୀ ଏଜୁକେସନ ୬୩ଟି ସ୍ଥାନର ଛାତ୍ରଙ୍କ ଦ୍ୱାରା ୧୩୫ଟି ରିପୋର୍ଟ ପ୍ରକାଶ କରିଛି । ୨୦୨୧ ଜାନୁଆରୀରୁ, ଏହି ଭାଗ ଭାରତର ଶୀର୍ଷ ବିଶ୍ୱବିଦ୍ୟାଳୟ ଏବଂ ଗ୍ରାମୀଣ ସ୍କୁଲଗୁଡ଼ିକରେ ପ୍ରାୟ ୧୨୦ଟି ଅନ୍ଲାଇନ୍ ଆଲୋଚନା ଏବଂ କର୍ମଶାଳା ପରିଚାଳନା କରିସାରିଲେଣି ।
ପରୀ ପାଇଁ ‘ଗ୍ରାମାଞ୍ଚଳ’ ଏକ ଆଦର୍ଶ ବା ରୋମାଣ୍ଟିକ୍ ଭାରତୀୟ ଗ୍ରାମାଞ୍ଚଳ ନୁହେଁ, କିମ୍ବା ସାଂସ୍କୃତିକ ପ୍ରଥାଗୁଡ଼ିକର ଗୋଟିଏ ଗୌରବମୟ ମିଶ୍ରଣ, କିମ୍ବା ବଞ୍ଚିବାର ଏକ ଉଦାସୀନ ଧାରଣା ନୁହେଁ ଯାହାକି ଉପଶମ ଏବଂ ପ୍ରଦର୍ଶିତ କରାଯିବା ଆବଶ୍ୟକ । ପରୀର ଯାତ୍ରା ସେହି ଜଟିଳତା ଓ ବ୍ୟତିକ୍ରମର ଏକ ଅନୁସନ୍ଧାନ ଯେଉଁଥିରେ ଗ୍ରାମୀଣ ଭାରତ ନିର୍ମିତ । ଏସବୁ - ସୁନ୍ଦର ଏବଂ ଉଜ୍ଜ୍ୱଳ, ନିଷ୍ଠୁର ଏବଂ ବର୍ବର । ପରୀ ନିଜେ ଏଥିରେ କାର୍ଯ୍ୟ କରୁଥିବା ଆମ ସମସ୍ତଙ୍କ ପାଇଁ ଏକ ନିରନ୍ତର ଶିକ୍ଷା - ସାଧାରଣ ଭାରତୀୟମାନେ ଆମକୁ ଦେଉଥିବା ଜ୍ଞାନ ଏବଂ ଦକ୍ଷତାକୁ ଆମେ ସମ୍ମାନ କରୁ । ଏହା ଗୋଟିଏ କାରଣ ଯେଉଁଥି ପାଇଁ ଆମେ ଆମର କାହାଣୀକୁ ସେମାନଙ୍କ ସ୍ୱରରେ ଏବଂ ଆମ ସମୟର କେତେକ ଅତ୍ୟନ୍ତ ଜଟିଳ ପ୍ରସଙ୍ଗରେ ଜୀବନ୍ତ ଅନୁଭୂତି ମାଧ୍ୟମରେ କୁହାଇଥାଉ ।
ଜଳବାୟୁ ପରିବର୍ତ୍ତନ ଉପରେ ଆମର ପୁରସ୍କାରପ୍ରାପ୍ତ ସିରିଜ୍ ୟୁଏନ୍ଡିପି ଦ୍ୱାରା ଏକ ବହି ଆକାରରେ ପ୍ରକାଶ କରାଯିବ-ଯାହାକି ଏହି ପ୍ରସଙ୍ଗକୁ କୃଷକ, ଶ୍ରମିକ, ଧୀବର, ଜଙ୍ଗଲ ବାସିନ୍ଦା, ସାମୁଦ୍ରିକ ଅମଳକାରୀ, ପଶୁଚରାଳି, ମଧୁ ସଂଗ୍ରାହକ, କୀଟ ସଂଗ୍ରାହକମାନଙ୍କର ସ୍ୱର ଏବଂ ଜୀବନ୍ତ ଅନୁଭୂତି ମାଧ୍ୟମରେ ଲେଖାଯାଉଛି । ତାହା ପୁଣି ଦୁର୍ବଳ ପାର୍ବତ୍ୟାଞ୍ଚଳ, ଜଙ୍ଗଲ, ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳ, ନଦୀ ଅବବାହିକା, ପ୍ରବାହ ଦ୍ୱୀପପୁଞ୍ଜ, ମରୁଭୂମି, ଶୁଷ୍କ ଏବଂ ଅର୍ଦ୍ଧ-ଶୁଷ୍କ ଅଞ୍ଚଳ ଆଦିରୁ ସଂଗୃହୀତ ।
ପାରମ୍ପରିକ ଗଣମାଧ୍ୟମରେ ସାର ଏବଂ ଶବ୍ଦଜାଲ କଭରେଜ ପାଠକମାନଙ୍କୁ ଏହି ପ୍ରକ୍ରିୟାରୁ ଦୂରରେ ରଖିଥାଏ - ଏବଂ ଜଳବାୟୁ ପରିବର୍ତ୍ତନର ଧାରଣାକୁ କେବଳ ଆଣ୍ଟାର୍କଟିକାର ବରଫ ଚାଦର ତରଳିବା, କିମ୍ବା ଆମାଜନ ଜଙ୍ଗଲ ବା ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ, ଅନ୍ତଃ ସରକାରୀ ସମ୍ମିଳନୀରେ ବୁଝାମଣା ବା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅପଠନୀୟ ଆଇପିସିସି ରିପୋର୍ଟ ଭିତରେ ସୀମିତ ରଖେ । ପରୀର ରିପୋର୍ଟରମାନେ ପାଠକଙ୍କୁ କାହାଣୀ କହନ୍ତି ଯାହା ମାଧ୍ୟମରେ ସେମାନେ ଜଳବାୟୁ ପରିବର୍ତ୍ତନକୁ ନିଜ ଜୀବନର ଅତି ନିକଟରେ ହେଉଥିବା ଅନୁଭବ କରିପାରିବେ ।
ଦେଶ ୭୫ ବର୍ଷର ସ୍ୱାଧୀନତା ଆଡ଼କୁ ଅଗ୍ରସହ ହେଉଥିବାବେଳେ, ଆମେ ଭାରତର ଶେଷ ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆମର ଅନନ୍ୟ ବିଭାଗ ପ୍ରସ୍ତୁତିରେ ଲାଗିଛୁ, ଲେଖା, ଭିଡିଓ ଏବଂ ଅଡିଓ ଆକାରରେ । ଆଉ ୫-୭ ବର୍ଷ ମଧ୍ୟରେ, ସେହି ସ୍ୱର୍ଣ୍ଣିମ ପିଢ଼ିରୁ ଆଉ କେହି ଆମ ପାଖରେ ନ ଥିବେ ଏବଂ ଭାରତର ପିଲମାନେ ଆଉ ଦେଶ ସ୍ୱାଧୀନତା ସଂଗ୍ରାମର ଏହି ପ୍ରକୃତ ଯୋଦ୍ଧାମାନଙ୍କୁ ଦେଖିବାକୁ ବା ଶୁଣିବାକୁ ବା କଥା ହେବାକୁ ପାଇବେ ନାହିଁ । ପରୀରେ ସେମାନେ ସେମାନଙ୍କୁ ଶୁଣିପାରିବେ, ଦେଖିପାରିବେ, ପ୍ରକୃତରେ ଆମ ସ୍ୱାଧୀନତା ସଂଗ୍ରାମ କ’ ଣ ଥିଲା ସେମାନେ ନିଜ ଶବ୍ଦରେ କହୁଥିବା ଶୁଣିପାରିବେ ।
ଆମେ ଅତି ସୀମିତ ଉତ୍ସଗୁଡ଼ିକର ଏକ ଅତି ଯୁବ ମିଡିଆ ପ୍ଲାଟଫର୍ମ ହୋଇଥାଇପାରୁ-କିନ୍ତୁ ଆମେ ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ସବୁଠାରୁ ବଡ଼ ଫେଲୋସିପ୍ ପ୍ରଦାନ କରୁଛୁ । ଆମର ଲକ୍ଷ୍ୟ ହେଉଛି ୯୫ (ପ୍ରାକୃତିକ-ଭୌତିକ ଏବଂ ଐତିହାସିକ ଭାବରେ ବିକଶିତ) ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ବିଷୟରେ ଏବଂ ସେହି ଗ୍ରାମାଞ୍ଚଳରୁ ଏକ ସାଥୀ ଲେଖା ପାଇବା । ଏଯାଏଁ ଆମର ୩୦ ଜଣ ସାଥୀ ଲେଖକଙ୍କ ମଧ୍ୟରୁ ଅଧା ମହିଳା ଏବଂ ଅଧିକାଂଶ ସଂଖ୍ୟାଲଘୁ ଏବଂ ପାରମ୍ପରିକ ଗଣମାଧ୍ୟମର ପହଞ୍ଚଠାରୁ ଦୂରରେ ରହୁଥିବା ସାମିଜକ ଶ୍ରେଣୀର ।
ଏହି ୭ ବର୍ଷ ମଧ୍ୟରେ ଆମେ ମଧ୍ୟ ୨୪୦ ଜଣ ଇଣ୍ଟର୍ଣ୍ଣ ପାଇଛୁ, ଯେଉଁମାନଙ୍କ ମଧ୍ୟରୁ ୮୦ ଜଣ ପରୀ ଶିକ୍ଷାରେ ଅଛନ୍ତି, ପରୀରେ ୨-୩ ମାସର ଟ୍ରେନିଂ ଶେଷ କରୁଛନ୍ତି ଏବଂ ଏହି ବହୁତ ଭିନ୍ନ ପ୍ରକାରର ସାମ୍ବାଦିକତା ଶିକ୍ଷା କରୁଛନ୍ତି ।
ଆମେ ମଧ୍ୟ ବିଭିନ୍ନ ବିବିଧ ସଂସ୍କୃତି, ଭାଷା, କଳାର ରୂପ ଏବଂ ଆହୁରି ଅନେକ ଜିନିଷର ସଂଗ୍ରହାଳୟ ମଧ୍ୟ ପ୍ରସ୍ତୁତ କରୁ । ଆମ ପାଖରେ ବିଶ୍ୱର କୌଣସି ବି ଭାଷାରେ ଗରିବ ମହିଳାଙ୍କ ଦ୍ୱାରା ରଚିତ ଏବଂ ଗାନ କରାଯାଇଥିବା ଗୀତର ସବୁଠାରୁ ବଡ଼ ସଂଗ୍ରହ ରଖିଛି । ଯାହାକି ଗ୍ରୀଣ୍ଡମିଲ୍ ସଙ୍ଗସ୍ ପ୍ରୋଜେକ୍ଟ , ଯେଉଁଥିରେ ଗ୍ରାମୀଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକ ଗ୍ରାମର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ୧୧୦,୦୦୦ ହଜାର ଗୀତ ରହିଛି । ଏଯାଏଁ ଗୋଟିଏ ଉତ୍ସର୍ଗୀକୃତ ଟିମ୍ ୬୯,୦୦୦ରୁ ଅଧିକ ଏହି ସଂଗୀତକୁ ଇଂରାଜୀକୁ ଅନୁବାଦ କରିସାରିଲେଣି ।
ଲୋକକଳା ଏବଂ ସଙ୍ଗୀତ, କଳାକାର ଓ କାରିଗର, ସୃଜନଶୀଳ ରଚନା ଏବଂ କବିତା ସଂପର୍କରେ ଆମର ରିପୋର୍ଟ ଦର୍ଶାଉଛି ଯେ ଆମେ ଏହା ସବୁ ଉପରେ ଭାରତର ବିଭିନ୍ନ ଅଞ୍ଚଳରୁ ଅନେକଗୁଡ଼ିଏ କାହାଣୀ ଏବଂ ଭିଡିଓ ସଂଗ୍ରହ କରିଛୁ । ଆମର ବୋଧହୁଏ ୨-୩ ଦଶନ୍ଧି ମଧ୍ୟରେ ଭାରତର ଗ୍ରାମାଞ୍ଚଳ ଉପରେ ସୁଟିଂ ହୋଇଥିବା ୧୦ ହଜାର କଳା ଓ ଧଳା ଫଟୋଗ୍ରାଫ୍ର ଏକମାତ୍ର ଅଭିଲେଖାଗାର ଅଛି । ଏଗୁଡ଼ିକ ମୁଖ୍ୟତଃ ଲୋକମାନେ କର୍ମକ୍ଷେତ୍ରରେ କାମ କରିବା ସମୟରେ ଏବଂ ବେଳେବେଳେ ଅବସର ସମୟରେ ଉଠାଯାଇଥିବା ଫଟୋ ।
ଆମେ ଯେଉଁ ବ୍ୟକ୍ତିତ୍ୱ ମାନଙ୍କୁ ଉପସ୍ଥାପନ କରିଛୁ ସେମାନଙ୍କୁ ନେଇ ଅତ୍ୟନ୍ତ ଗର୍ବିତ ଯାହାକି ଏହି ଦେଶର ବିବିଧତାକୁ ଦର୍ଶାଇବାକୁ ପ୍ରୟାସ କରିଥାଏ । ଏହି ବ୍ୟକ୍ତିତ୍ୱମାନେ ସେଲିବ୍ରିଟି କିମ୍ବା ନେତା ନୁହନ୍ତି ବରଂ ସାଧାରଣ ଲୋକମାନେ । ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍ର ଲୋକଙ୍କୁ କାହାଣୀକୁ ସଂଗ୍ରହ କରିବା । ବର୍ତ୍ତମାନ ସୁଦ୍ଧା ଭାରତର ୨୨୦ ଜିଲ୍ଲା ଏବଂ ୬୨୯ ବ୍ଲକ୍ର ୨୭୫୬ ଜଣଙ୍କ କାହାଣୀ ସଂଗ୍ରହ କରାଯାଇଛି । ଏହି ସବୁ ବ୍ୟକ୍ତିତ୍ୱମାନଙ୍କ ସମ୍ପର୍କରେ ୧୬୪ ଜଣ ଫଟୋଗ୍ରାଫର ଫଟୋ ଉତ୍ତୋଳନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଅଣ୍ଡରଗ୍ରାଜୁଏଟ୍ ଛାତ୍ରଛାତ୍ରୀ ସାମିଲ । ସାମଗ୍ରିକ ଭାବେ ପରୀ ବିଗତ ୭ ବର୍ଷ ମଧ୍ୟରେ ୫୭୬ ଜଣ ଫଟୋଗ୍ରାଫରଙ୍କ କାମକୁ ସ୍ଥାନିତ କରିଛି ।
ଆମର ନିଆରା ଲାଇବ୍ରେରୀ ଆପଣମାନଙ୍କୁ ବହି ଉଧାର ସୂତ୍ରରେ ଦିଏନାହିଁ-ଏହା ଆପଣମାନଙ୍କୁ ମାଗଣାରେ ବହି ଦିଏ । ଯେକୌଣସି ଉଲ୍ଲେଖନୀୟ ରିପୋର୍ଟ, ଦସ୍ତାବିଜ, ଆଇନ, ଏପରିକି ଆଉ ପ୍ରିଣ୍ଟ ହେଉନଥିବା ବହିଗୁଡ଼ିକ ପରୀର ଲାଇବ୍ରେରୀରେ ସ୍ଥାନ ପାଇଛି । ତାକୁ ମାଗଣାରେ ଡାଉନଲୋଡ, ପ୍ରିଣ୍ଟ ଏବଂ ବ୍ୟବହାର କରିହେବ-ଉପଯୁକ୍ତ ସ୍ୱୀକୃତି ସହିତ । ଆମେ କ୍ରିଏଟିଭ୍ କମନ୍ସ ୪.୦ ଅଧୀନରେ କାମ କରୁ । ଏହି ଲାଇବ୍ରେରୀର ଏକ ଅଦ୍ୱିତୀୟ ଅଂଶ ହେଉଛି ପରୀ ହେଲ୍ଥ ଆର୍କାଇଭ୍ ଯାହାକୁ ଆମେ ମହାମାରୀର ପ୍ରଥମ ବର୍ଷ ଆରମ୍ଭ କରିଥିଲୁ ଏବଂ ଯେଉଁଥିରେ ବର୍ତ୍ତମାନ ଦଶନ୍ଧି ତଳର ୧୪୦ଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ-ସମ୍ବନ୍ଧୀୟ ରିପୋର୍ଟ ଓ ଦସ୍ତାବିଜ ରହିଛି । ଏଥିସହ ନୂତନ ରିପୋର୍ଟ ଇଲୋକ୍ଟ୍ରୋନିକ୍ ମାଧ୍ୟମରେ ରଖାଯାଇଛି ।
ପରୀ ଉଭୟ-ସରକାରୀ ଏବଂ କର୍ପୋରେଟ୍ ମାଲିକାନା ବା ନିୟନ୍ତ୍ରଣରୁ ମୁକ୍ତ । ଏବଂ ଆମେ କୌଣସି ପ୍ରକାର ବିଜ୍ଞାପନ ଦେଉନା । ତାହା ଆମର ସ୍ୱାଧୀନତାକୁ ସୁନିଶ୍ଚିତ କରୁଥିବାବେଳେ, ଏହା ମଧ୍ୟ ଦର୍ଶାଉଛି ଯେ ଆମେ ଆପଣମାନଙ୍କର, ଆମ ପାଠକଙ୍କର ସହଭାଗିତା ଏବଂ ଦାନ ଉପରେ ନିର୍ଭର କରୁ । ଏଥିରେ କିଛି ଅତିଶୋୟୋକ୍ତି ନାହିଁ । ଯଦି ଆପଣ ପଦକ୍ଷେପ ନେବେ ନାହିଁ, ଆମେ ଅସୁବିଧାରେ ପଡ଼ିବୁ । ଦୟାକରି ପରୀକୁ ଦାନ କରନ୍ତୁ , ଆମର ସ୍ୱାଧୀନତାର ରକ୍ଷା କରନ୍ତୁ-ଭଲ ସାମ୍ବାଦିକତାକୁ ଏକ ସୁଯୋଗ ଦିଅନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍