ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ୍ ଏବଂ ତୱାଙ୍ଗ ଜିଲ୍ଲାର ମୋନ୍ପା ଜନଜାତି ଅନ୍ତର୍ଭୁକ୍ତ ଏକ ନିର୍ଜନତାପ୍ରିୟ ପଶୁପାଳକ ସଂପ୍ରଦାୟ ହେଉଛି ବ୍ରୋକ୍ପା। ସେମାନେ ଯାଯାବର ସଂପ୍ରଦାୟର ଏବଂ ଏକ ନିର୍ଦ୍ଦିଷ୍ଟ ଧାରାରେ ଏଠାରୁ ସେଠାକୁ ଘୂରି ବୁଲନ୍ତି ଏବଂ ୯,୦୦୦ରୁ ୧୫,୦୦୦ ଫୁଟ ଉଚ୍ଚ ପାର୍ବତ୍ୟାଞ୍ଚଳରେ ବସବାସ କରନ୍ତି। ଅକ୍ଟୋବରରୁ ଏପ୍ରିଲ୍ ପର୍ଯ୍ୟନ୍ତ ସୁଦୀର୍ଘ ଶୀତ ଋତୁରେ ସେମାନେ ତଳିଆ ଅଞ୍ଚଳକୁ ଏବଂ ମେ’ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗ୍ରୀଷ୍ମ ଓ ବର୍ଷା ଋତୁରେ ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତି ।
ନଭେମ୍ବର ୨୦୧୬ରେ, ଦିନେ ସକାଳେ ମୁଁ ପଶ୍ଚିମ କାମେଙ୍ଗର ଥେମ୍ବାଙ୍ଗ୍ ଗାଁରୁ ଯାତ୍ରା ଆରମ୍ଭ କଲି। ଥେମ୍ବାଙ୍ଗ ପ୍ରାୟ ୭,୫୦୦ ଫୁଟ୍ ଉଚ୍ଚତାରେ ଅବସ୍ଥିତ। ଏହା ସଂପୂର୍ଣ୍ଣ ଭାବେ ଏକ ମୋନ୍ପା ଗାଁ, ଯେଉଁଠି ପ୍ରାୟ ୬୦ଟି ଘରେ ଲୋକେ ରହନ୍ତି । ନିକଟତମ ସହର ଦିରାଙ୍ଗ୍, ସେଠାରୁ ୨୬ କିଲୋମିଟର ଦୂର ।
ପରଦିନ ମୁଁ ଦଳେ ବ୍ରୋକ୍ପାଙ୍କର ଏକ ଶୀତଦିନିଆ ବସତି ଲାଗାମ୍କୁ ଗଲି । ୮,୧୦୦ ଫୁଟ୍ ଉଚ୍ଚତାରେ ଅବସ୍ଥିତ ଲାଗାମ୍ରେ ପହଞ୍ଚିବାକୁ ମୁଁ ୮ଘଣ୍ଟାରୁ ଅଧିକ କାଳ ଘଞ୍ଚ ଜଙ୍ଗଲ ଭିତର ଦେଇ ପ୍ରାୟ ୧୧ କିଲୋମିଟର ଚାଲିଲି। ସନ୍ଧ୍ୟା ୬ଟାରେ ଯେତେବେଳେ ମୁଁ ସେଠାରେ ପହଞ୍ଚିଲି, ହସହସ ମୁହଁରେ ମୋତେ ଉତ୍ସାହପୂର୍ଣ୍ଣ ଭାବେ ସ୍ୱାଗତ କଲେ ଜଣେ ବ୍ରୋକ୍ପା ପଶୁପାଳକ,୨୭ ବର୍ଷ ବୟସ୍କ ପେମ୍ ସେରିଂ। ପରଦିନ ସକାଳେ ମୁଁ ଦେଖିଲି ଯେ, ପ୍ରକୃତରେ ଲାଗାମ୍ ହେଉଛି ବ୍ରୋକ୍ପା ପଶୁଚରାଳିମାନଙ୍କର ଶୀତକାଳୀନ ଛୋଟିଆ ଗାଁଟିଏ। ଏଠାରେ ଏକ କ୍ଷୁଦ୍ର ବୌଦ୍ଧମଠ ରହିଛି । ଏଠାରେ ପଥର ଓ ବାଉଁଶରେ ଗଢ଼ା ଏବଂ ଟିଣର ଛାତ ଥିବା ୮ରୁ ୧୦ଟି ଘରେ ପ୍ରାୟ ୪୦-୪୫ ଜଣ ଲୋକ ରହନ୍ତି। ନଭେମ୍ବରରେ ପଶୁଚରାଳିମାନେ ଏହି ତଳିଆ ଚାରଣଭୂମି ଅଞ୍ଚଳକୁ ଓହ୍ଲାଇ ଆସୁଥିବାରୁ ଛୋଟ ଗାଁଟି ଲୋକରେ ଭରି ଯାଏ। ମେ’ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗାମ୍ ଗାଁଟି ପ୍ରାୟ ଖାଲି ପଡ଼ିଥାଏ।
କାରଣ ଯୁବ ପଶୁପାଳକମାନେ ସେମାନଙ୍କର ଚମରୀ ଗାଈ ଓ ଘୋଡ଼ା ପଲଙ୍କୁ ନେଇ, ମାଗୋ ଗାଁ ଭଳି ଉଚ୍ଚ ଅଞ୍ଚଳକୁ ଚାଲି ଯାଆନ୍ତି । ସାଧାରଣତଃ ବୟସ୍କମାନେ ଘରେ ରହିଯାଆନ୍ତି ।
ସେରିଂ ଓ ଅନ୍ୟ ବ୍ରୋକ୍ପାମାନଙ୍କ ସହ ମୁଁ କିଛି ଦିନ କାଟିଲି। ପେମ୍ କହନ୍ତି, “ସବୁବେଳେ ଆମକୁ ବହୁ ଦୂର ଚାଲିବାକୁ ହୁଏ । ଖରାଦିନିଆ ଚାରଣଭୂମି ପାଇଁ ପ୍ରତି ବର୍ଷ ଆମେ ଜଙ୍ଗଲ ଭିତର ଦେଇ ମାଗୋ ଗାଁକୁ ଯାଉ । ଏଥିପାଇଁ ୪-୫ ଦିନ କାଳ ଲଗାତର ଚାଲିବାକୁ ପଡ଼େ। କେବଳ ରାତିରେ ଯାହା ଆମେ ଏକ ବିରତି ନେଉ ।”
ତିବ୍ବତ ଓ ଉତ୍ତର-ପୂର୍ବ ଭାରତର ସୀମା ସୂଚାଉଥିବା ବିବାଦୀୟ ମ୍ୟାକ୍ମୋହନ ଲାଇନ୍ ନିକଟ ମାଗୋଗାଁ,୧୧,୮୦୦ଫୁଟ୍ ଉଚ୍ଚରେ ଅବସ୍ଥିତ। ଖରାଦିନେ ମାଗୋରେ ପହଞ୍ଚିବାକୁ ବ୍ରୋକ୍ପାମାନେ ଆହୁରି ଉଚ୍ଚ ସ୍ଥାନରେ ଥିବା ପାହାଡ଼ିଆ ଓ ଘାଟି ରାସ୍ତା ଦେଇ ଯାଆନ୍ତି। ସେମାନଙ୍କ ଯାତ୍ରାପଥରେ ରହିଛି ଲାଗାମ୍, ଥୁଙ୍ଗରି, ଚାଙ୍ଗ୍ ଲା, ନ୍ୟାଙ୍ଗ, ପୋଟୋକ୍, ଲୁର୍ଥିମ୍ ଏବଂ ତା’ପରେ ମାଗୋ।
ଅନ୍ୟମାନେ କେବଳ ତୱାଙ୍ଗରୁ ସଡ଼କ ପଥରେ ଏହି ଅଞ୍ଚଳରେ ପହଞ୍ଚିପାରିବେ। ଭାରତୀୟ ସେନା ନିକଟରୁ ସ୍ୱତନ୍ତ୍ର ଅନୁମତି ନେଇ ଏହି ଅଞ୍ଚଳ ବାହାରୁ ଆସିଥିବା ଭାରତୀୟ ନାଗରିକମାନେ ଏଠାରେ କେବଳ ଗୋଟିଏ ରାତି ପାଇଁ ରହିପାରିବେ। ସୀମା ବିବାଦ କାରଣରୁ, ମାଗୋରେ ରହିବାକୁ ଆସୁଥିବା ବ୍ରୋକ୍ପାମାନଙ୍କୁ ବି ସରକାର ଦେଇଥିବା ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ପଡ଼େ।
ବ୍ରୋକ୍ପାମାନଙ୍କର ନିତିଦିନିଆ ଜୀବନ ସରଳ ଲୟରେ ପରିବେଷ୍ଟିତ। ଚମରୀ ଗାଈ ସେମାନଙ୍କ ରୋଜଗାରର ମୁଖ୍ୟ ସ୍ରୋତ। ସେମାନେ ଏହାର କ୍ଷୀର ସଂଗ୍ରହ କରି ଛେନା ଓ ଲହୁଣୀ ପ୍ରସ୍ତୁତ କରନ୍ତି, ଏବଂ ଏହି ଜିନିଷଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି। ସଂପ୍ରଦାୟ ଭିତରେ ସାମଗ୍ରୀ ବିନିମୟ ପଦ୍ଧତି ବି ଚାଲୁ ରହିଛି। “କୃଷି ଯେଉଁଠିକାର ମୁଖ୍ୟ ଜୀବିକା, ସେଭଳି ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହ ସେମାନେ ଚମରୀ ଗାଈ ଏବଂ କ୍ଷୀରରୁ ତିଆରି ସାମଗ୍ରୀ ଅଦଳବଦଳ କରନ୍ତି।” ଥେମ୍ବାଙ୍ଗ ଗାଁର ଜଣେ ମୋନ୍ପା ଏବଂ ‘ଡବ୍ଲୁଡବ୍ଲୁଏଫ୍-ଇଣ୍ଡିଆ’ସ୍ ୱେଷ୍ଟର୍ଣ୍ଣ ଅରୁଣାଚଳ ଲ୍ୟାଣ୍ଡସ୍କେପ୍ ପ୍ରୋଗ୍ରାମ୍’ର ପ୍ରକଳ୍ପ ଅଧିକାରୀ ବାପୁ ପେମା ୱାଙ୍ଗେ କହନ୍ତି, “ଆମେ (ତାଙ୍କ ବଂଶ, ବାପୁ) ସେମାନଙ୍କ ସହ ସାମଗ୍ରୀ ବିନିମୟର ବ୍ୟବସାୟ କରୁ । ଆମେ ଆମର ମକା, ବାର୍ଲି, ବାଜରା ଏବଂ ଶୁଖିଲା ଲାଲ ଲଙ୍କା ବଦଳରେ ସେମାନଙ୍କର ଲହୁଣୀ, ଛୁର୍ପି ଏବଂ ଚମରୀ ଗାଈ ମାଂସ ନେଇଥାଉ । ମୂଳକଥା ହେଲା ସେମାନେ ଖାଦ୍ୟ ପାଇଁ ଆମ ଉପରେ ନିର୍ଭର କରନ୍ତି ଏବଂ ଆମେ ଖାଦ୍ୟ ପାଇଁ ସେମାନଙ୍କ ଉପରେ ନିର୍ଭର କରୁ ।”
ରାଜକୀୟ ବାପୁ ବଂଶ ପାଖରେ ଉତ୍ତରାଧିକାରୀ ଭାବେ ବଡ଼ ବଡ଼ ଜମି ରହିଛି ଏବଂ ଏଥିରେ ପଶୁ ଚରାଇବା ଅଧିକାର ପାଇଁ ସେମାନେ ଅନ୍ୟ ବଂଶର ଲୋକଙ୍କଠାରୁ ଏକ ଟିକସ (ସାଧାରଣତଃ ସାମଗ୍ରୀ ଆକାରରେ, ଯେମିତି କି ମେଣ୍ଢା କିମ୍ବା ଲହୁଣୀ) ଅସୁଲ କରନ୍ତି। ୱାଙ୍ଗେ କହନ୍ତି, କିନ୍ତୁ ଲାଗାମ୍ର ବ୍ରୋକ୍ପାମାନଙ୍କୁ ଏହି ଟିକସ ଛାଡ଼ କରାଯାଇଛି, କାରଣ “ସେମାନେ ଆମ ଦେବତା, ଲାଗାମ୍ ଲାମା (ପ୍ରାକୃତିକ ପଥରର ଏକ ମୂର୍ତ୍ତି)ଙ୍କର ଯତ୍ନ ନିଅନ୍ତି ।”
ଏ ବର୍ଷ ଶେଷ ଭାଗରେ, ଅକ୍ଟୋବରର ମଧ୍ୟଭାଗ ସୁଦ୍ଧା, ବ୍ରୋକ୍ପାମାନେ ସେମାନଙ୍କ ଖରାଦିନିଆ ତୃଣଭୂମିରୁ ତଳକୁ ଓହ୍ଲାଇ ଆସିବେ। “ଆମେ ଜଙ୍ଗଲ ଭିତର ଦେଇ ଚାଲିଚାଲି ଯାଉ, ପଶୁ ଚରାଇବା ପାଇଁ ସାଧନ ଏବଂ ଜାଳେଣି କାଠ ପାଉ।” ପେମ୍ କହନ୍ତି, ଏହି ଜଙ୍ଗଲ ହିଁ ଆମର ମାଆ ।”