କଡ଼ଲୁର ମାଛ ଧରା ବନ୍ଦରରେ କାରବାର ଆରମ୍ଭ କରିବା ସମୟରେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । କାରବାର ଆରମ୍ଭ କରିବା ଲାଗି ମା’ ଦେଇଥିବା ୧୮୦୦ ଟଙ୍କାର ପୁଞ୍ଜି ହିଁ ତାଙ୍କ ପାଇଁ ସବୁକିଛି ଥିଲା। ଆଜି ୬୨ ବର୍ଷୀୟା ବେଣୀ ବନ୍ଦରରେ ଜଣେ ସଫଳ ନିଲାମକାରୀ ଏବଂ ବିକ୍ରେତା ପାଲଟିଛନ୍ତି । ‘‘ଧୀରେ ଧୀରେ କରି’’ ନିଜର ଘର ନିର୍ମାଣ କରିବା ଭଳି, ସେ ନିଜର ବ୍ୟବସାୟକୁ ମଧ୍ୟ ପ୍ରତିଷ୍ଠା କରିଛନ୍ତି, ଯାହାକୁ ନେଇ ସେ ଗର୍ବ କରିଥାନ୍ତି ।

ମଦ୍ୟପ ସ୍ୱାମୀ ଆରପାରିକୁ ଚାଲିଯିବା ପରେ, ବେଣୀ ଏକାକୀ ତାଙ୍କର ୪ ଜଣ ପିଲାଙ୍କୁ ବଢ଼ାଇଥିଲେ। ତାଙ୍କର ଦୈନିକ ଆୟ ଖୁବ୍‌ କମ୍‌ ଥିଲା, ଯାହାକି ଚଳିବା ପାଇଁ ଯଥେଷ୍ଟ ହେଉନଥିଲା। ରିଙ୍ଗ ସିନ୍‌ ମାଛ ଧରା ଆରମ୍ଭ ହେବା ପରେ ସେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଡଙ୍ଗାରେ ନିବେଶ କରିଥିଲେ। ଏହି ନିବେଶରୁ ମିଳିଥିବା ଲାଭରେ ସେ ନିଜ ପିଲାମାନଙ୍କୁ ପାଠ ପଢ଼ାଇଥିଲେ ଏବଂ ଘରଟିଏ ତିଆରି କରିଥିଲେ ।

୧୯୯୦ ଦଶକର ଶେଷ ଭାଗରେ କଡ଼ଲୁର ବନ୍ଦରରେ ରିଙ୍ଗ ସିନ୍‌ ମାଛ ଧରା ଲୋକପ୍ରିୟତା ହାସଲ କରିଥିଲା, କିନ୍ତୁ ୨୦୦୪ ସୁନାମି ପରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସମୁଦ୍ରରେ ସାର୍ଡିନ, ମ୍ୟାକେରଲ ଏବଂ ଏଙ୍କୋଭିଜ୍‌ ଭଳି ପେଲାଜିକ୍‌ ମାଛ ଧରିବା ଲାଗି ରିଙ୍ଗ ସିନ୍‌ ଗିୟର ପଦ୍ଧତିରେ ଚତୁର୍ଦ୍ଦିଗରୁ ଘେରୁଥିବା ଜ୍ଞାନକୌଶଳ ଉପଯୋଗ କରାଯାଏ।

ଭିଡିଓ ଦେଖନ୍ତୁ : ‘ମୋର କଠିନ ପରିଶ୍ରମ ଯୋଗୁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି’

ଅଧିକ ପୁଞ୍ଜି ନିବେଶ ଆବଶ୍ୟକତା ଏବଂ ଶ୍ରମ ଚାହିଦା କାରଣରୁ କ୍ଷୁଦ୍ର ମତ୍ସ୍ୟଜୀବୀମାନେ ମିଶି ସମୂହ ଗଠନ କରିବା ସହିତ ଖର୍ଚ୍ଚ ଓ ଲାଭକୁ ପରସ୍ପର ମଧ୍ୟରେ ବାଣ୍ଟିଥାନ୍ତି। ଏହିପରି ଭାବେ ବେଣୀ ଜଣେ ନିବେଶକ ପାଲଟିଥିଲେ ଏବଂ ନିଜ ବ୍ୟବସାୟକୁ ବଢ଼ାଇଥିଲେ। ରିଙ୍ଗ୍‌ ସିନ ପଦ୍ଧତି ନୌକା ନିଲାମକାରୀ, ବିକ୍ରେତା ଏବଂ ମାଛ ଶୁଖାଳି ଭାବେ ମହିଳାମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଥିଲା। ବେଣୀ କୁହନ୍ତି, ‘‘ରିଙ୍ଗ ସିନ୍‌ କାରଣରୁ ସମାଜରେ ମୋ ସମ୍ମାନ ବଢ଼ିଛି । ମୁଁ ଜଣେ ସାହସୀ ମହିଳା ହୋଇପାରିଛି ଏବଂ ଉପରକୁ ଉଠିପାରିଛି।’’

ନୌକାରେ ମୁଖ୍ୟତଃ ପୁରୁଷମାନେ କାମ କରିଥାନ୍ତି, ତେବେ ଏହା ବନ୍ଦରରେ ଲାଗିବା ପରେ ମହିଳାମାନେ ହିଁ ସବୁ ଦାୟିତ୍ୱ ନେଇଥାନ୍ତି – ଧରା ହୋଇଥିବା ମାଛ ବିକ୍ରି କରିବା ଲାଗି ନିଲାମଠାରୁ ଆରମ୍ଭ କରି, କାଟିବା ଏବଂ ମାଛ ଶୁଖାଇବାଠାରୁ ଆରମ୍ଭ କରି ଅବଶେଷ ଅଲଗା କରିବା, ବରଫଠାରୁ ଆରମ୍ଭ କରି ଚା’ ଓ ରନ୍ଧା ଖାଦ୍ୟ ବିକ୍ରି କରିବା ପର୍ଯ୍ୟନ୍ତ ମହିଳାମାନେ ସବୁ କାମ କରିଥାନ୍ତି । ଯଦିଓ ମତ୍ସ୍ୟଜୀବୀ ମହିଳାମାନଙ୍କୁ କେବଳ ମାଛ ବିକାଳି ଭାବେ ବିବେଚନା କରାଯାଏ, ତଥାପି ଏପରି ବହୁସଂଖ୍ୟକ ମହିଳା ଅଛନ୍ତି ଯେଉଁମାନେ ମାଛ ରକ୍ଷଣାବେକ୍ଷଣ କରିବା କାର୍ଯ୍ୟ ତୁଲାଇଥାନ୍ତି ଏବଂ ବିକ୍ରେତାମାନଙ୍କ ସହିତ ସେମାନଙ୍କର  ଭାଗିଦାରୀ ରହିଥାଏ। ତେବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମୂଲ୍ୟ ଓ ବିବିଧତା ଦୃଷ୍ଟିରୁ ମହିଳାମାନଙ୍କ ଯୋଗଦାନକୁ ଯଥେଷ୍ଟ ମାନ୍ୟତା ମିଳିପାରିନାହିଁ ।

ଭିଡିଓ ଦେଖନ୍ତୁ : କଡ଼ଲୁରରେ ମାଛ ବିକ୍ରି ସହ ଜଡ଼ିତ କାମ

ବେଣୀ, ଏପରିକି ଭାନୁଙ୍କ ଭଳି ସ୍ୱଳ୍ପବୟସ୍କ ମହିଳାମାନଙ୍କ ପାଇଁ ସେମାନଙ୍କର ରୋଜଗାର ପରିବାର ମୁଖ୍ୟ ଆୟ ହୋଇଥାଏ। କିନ୍ତୁ ସେମାନଙ୍କ କାମକୁ ଯଥେଷ୍ଟ ସମ୍ମାନ ଓ ସାମାଜିକ ଗୁରୁତ୍ୱ ମିଳେ ନାହିଁ ବୋଲି ସେମାନେ ଅନୁଭବ କରିଥାନ୍ତି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସେମାନଙ୍କ ଯୋଗଦାନକୁ ଅଧିକାଂଶ ସମୟରେ ଅଣଦେଖା କରାଯାଇଥାଏ ।

ମାଛ ଯାଆଁଳ ସମେତ ଅତ୍ୟଧିକ ମାଛ ମରା ଏବଂ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଥିବାରୁ ୨୦୧୮ରେ ତାମିଲନାଡ଼ୁ ସରକାର ରିଙ୍ଗ ସିନ୍‌ ଗିୟର ପଦ୍ଧତିକୁ ନିଷିଦ୍ଧ କରିଥିଲେ। ଏହି ନିଷିଦ୍ଧାଦେଶ ବେଣୀଙ୍କ ଭଳି ଅନ୍ୟ ମହିଳାମାନଙ୍କ ଜୀବନକୁ ବରବାଦ୍‌ କରି ଦେଇଥିଲା। ପୂର୍ବରୁ ଯେଉଁଠି ସେ ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ତାହା ଦୈନିକ ୮୦୦-୧୨୦୦ ଟଙ୍କାକୁ ଖସି ଆସିଥିଲା। ‘‘ରିଙ୍ଗ ସିନ ପଦ୍ଧତି ବନ୍ଦ ହୋଇଯିବା କାରଣରୁ ମୋର ପ୍ରାୟ ୧ କୋଟି ଟଙ୍କା କ୍ଷତି ହୋଇଥିଲା’’, ବେଣୀ କୁହନ୍ତି । ‘‘କେବଳ ମୁଁ ନୁହେଁ, ମୋ ଭଳି ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।’’

ତଥାପି ମହିଳାମାନେ କାମ ଜାରି ରଖିଛନ୍ତି, କଷ୍ଟକର ସମୟରେ ପରସ୍ପରକୁ ସହାୟତା କରୁଛନ୍ତି, ସମୟ ବାହାର କରି ଏକଜୁଟ ହେଉଛନ୍ତି, ଏଯାଏ ସେମାନେ ନିରାଶ ହୋଇନାହାନ୍ତି।

ବେଣୀଙ୍କୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ତାରା ଲରେନ୍ସ ଓ ନିକୋଲାସ ବଟେସଙ୍କ ସହଯୋଗରେ ଲିଖିତ ହୋଇଛି।

ଆହୁରି ପଢନ୍ତୁ : ମାଛ ଅବଶେଷ ବିକ୍ରି କରୁଥିବା ପୁଲିଙ୍କ ଦୁଃଖ

ଅନୁବାଦ: ଓଡ଼ିଶାଲାଇଭ୍‍

Nitya Rao

नित्या राव, यूके के नॉर्विच में स्थित यूनिवर्सिटी ऑफ़ ईस्ट एंग्लिया में जेंडर ऐंड डेवेलपमेंट की प्रोफ़ेसर हैं. वह महिलाओं के अधिकारों, रोज़गार, और शिक्षा के क्षेत्र में शोधकर्ता, शिक्षक, और एक्टिविस्ट के तौर पर तीन दशकों से अधिक समय से बड़े पैमाने पर काम करती रही हैं.

की अन्य स्टोरी Nitya Rao
Alessandra Silver

एलेसेंड्रा सिल्वर, इटली में जन्मीं फ़िल्मकार हैं और फ़िलहाल पुडुचेरी के ऑरोविल में रहती हैं. अपने फ़िल्म-निर्माण और अफ़्रीका पर आधारित फ़ोटो रिपोतार्ज़ के लिए उन्हें अनेक सम्मान व पुरस्कार मिल चुके हैं.

की अन्य स्टोरी Alessandra Silver
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE