ଆମେ ଏହା ଦେଖିଲୁ, କିନ୍ତୁ ବି ଶ୍ୱା ସ କରିପାରିଲୁ ନାହିଁ । ଆମେ ପାଖକୁ ଗଲୁ । କାର୍ରୁ ତଳକୁ ଓହ୍ଲେଇଲୁ ଏବଂ ଭଲଭାବରେ ଦେଖିଲୁ । ଏହା ସତ ଥିଲା କିନ୍ତୁ ତଥାପି ଆମେ ବିଶ୍ୱାସ କରି ପାରୁ ନଥିଲୁ । ରତନ ବିଶ୍ୱାସ ପାଖରେ ପାଞ୍ଚ ଖଣ୍ଡ ବାଉଁଶ ଥିଲା , ପ୍ରତ୍ୟେକ ପ୍ରାୟ ୪୦-୪୫ଫୁଟ ଲମ୍ବ, ଯାହା ସମ୍ପୂର୍ଣ୍ଣ ସନ୍ତୁଳନ ସହ ତାଙ୍କ ସାଇକେଲରେ ବନ୍ଧା ଯାଇଥିଲା । ଏବଂ ସେ ଏହି ଓଜନକୁ ନିଜ ଗାଁରୁ ୧୭ କିଲୋମିଟର ଦୂର ରାଜଧାନୀ ଅଗରତାଲାର ଏକ ବଜାରକୁ ଟାଣି ଟାଣି ନେଉଥିଲେ । ଯଦି ଏହି ବାଉଁଶର କୌଣସି ଅଗ ପଥର, ଗେଟି କିମ୍ବା ଅନ୍ୟ କିଛି ଜିନିଷରେ ବାଜିଯିବ ତା’ ହେଲେ ସାଇକେଲ, ସାଇକେଲ ଚାଳକ ଓ ବାଉଁଶ – ସବୁକିଛି ତଳେ ପଡ଼ିବ । ତେବେ ସବୁଠାରୁ ଦୁଃଖର କଥା ହେଉଛି , ବାଉଁଶର ବିଶେଷତ୍ୱ ହେଉଛି ଏହା ଦେଖିବାକୁ ବହୁତ ହାଲକା କିନ୍ତୁ ପ୍ରକୃତରେ ଖୁବ୍ ଭାରୀ । ବାଉଁଶ ପାଞ୍ଚ ଖଣ୍ଡ ଥିଲା କିନ୍ତୁ ଚାରୋଟି ପରି ଦେଖା ଯାଉଥିଲା କାରଣ ଦୁଇଟି ଏତେ ଟାଇଟ୍ ଭାବରେ ବନ୍ଧା ଯାଇଥିଲା ଯେ ଏହା ଗୋଟିଏ ଭଳି ଦେଖା ଯାଉଥିଲା । ସେଗୁଡ଼ିକର ସମୁଦାୟ ଓଜନ ପାଖାପାଖି ୨୦୦ କେ.ଜି ଥିଲା । ବିଶ୍ୱାସ ବି ଏହା ଜାଣିଥିଲେ । ସେ ଆମମାନଙ୍କ ସହ କଥାବାର୍ତ୍ତା କରି ଖୁସି ହେଉଥିଲେ ଏବଂ ତାଙ୍କର ଏହି ବିଚିତ୍ର ମାଲ୍ ର ଫଟୋ ଉଠାଇବାକୁ ଦେଲେ । ମାତ୍ର ସେ ଆମକୁ ତାଙ୍କ ସାଇକେଲ୍ ଟାଣିବାକୁ ଅନୁମତି ଦେଲେ ନାହିଁ । କାରଣ ସେ ଏହାର ବିପଦ ଜାଣିଥିଲେ ।
“ମାତ୍ର ପାଞ୍ଚ ଫୁଟ ଲମ୍ବ ସାଇକେଲ ଉପରେ ଆପଣ ଏତେ ଲମ୍ବା ଏବଂ ଏତେ ଓଜନିଆ ବାଉଁଶର ସନ୍ତୁଳନ କିପରି ରଖୁଛନ୍ତି?” ଏହି ପ୍ରଶ୍ନ ଶୁଣି ସେ ସାମାନ୍ୟ ହସି ଆମକୁ ଏକ ପଟା ଦେଖାଇଲେ ଯାହାକି ବାଉଁଶରେ ତିଆରି ହେଇଥିଲା । ସାଇକେଲର ସାମ୍ନାରେ ଦୁଇଟି ବାଉଁଶ ସିଧା ହୋଇ ରହିଥିଲା। ଏହି ଦୁଇଟିର ତଳ ଅଂଶ ସାଇକେଲର ତଳ ପାଇପ୍ ସହ ଦୃଢ଼ ଭାବରେ ବନ୍ଧା ହୋଇଥିଲା ଏହା ଉପର ସମାନ୍ତରାଳ ପାଇପର ଦୁଇ ପାର୍ଶ୍ଵରେ ପୁଣି ବନ୍ଧା ହୋଇଥିଲା । ଏହା ପରେ ସେ ଆଉ ଏକ ବାଉଁଶ ପଟା ଦେଖାଇଲେ ଯାହା ସାଇକେଲର କ୍ୟାରିଅରରେ ବନ୍ଧା ହୋଇଥିଲା ।
ସେ ଦୁଇଟି ବାଉଁଶକୁ ସାଇକେଲର ସମାନ୍ତରାଳ ପାଇପ୍ ସହ ବାନ୍ଧି ଦେଇଥିଲେ ଯାହା ସାମ୍ନା ଓ ପଛ ବାଉଁଶ ପଟା ଉପରେ ଭାର ରଖିଥିଲା । ଅନ୍ୟ ବଡ଼ ବାଉଁଶଗୁଡ଼ିକ ସାମ୍ନାରେ ହାଣ୍ଡେଲ୍ ବାର ଉପରେ ଓ ପଛରେ ସିଟ୍ ଉପରେ ଭରା ଦେଇ ରଖାଯାଇଥିଲା । ଏଗୁଡ଼ିକ ଏପଟ ସେପଟ ନ ହେବା ପାଇଁ ଏସବୁ ସ୍ଥାନରେ ବାଉଁଶକୁ ବନ୍ଧା ଯାଇଥିଲା । ଏହା ଦ୍ୱାରା ରାସ୍ତାରେ ଚାଲିବା ସମୟରେ ବାଉଶଁ ସହଜରେ ହଲି ଦୋହଲି ପାରୁ ନଥିଲା । କିନ୍ତୁ ଏହା ଅଣ୍ଟା ଭଙ୍ଗା ପରିଶ୍ରମର କାମ । କିନ୍ତୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏବଂ ଚାରି ଜଣିଆ ପରିବାରର ଭରଣ ପୋଷଣ ପାଇଁ ବିଶ୍ୱାସ କରୁଥିବା ନାନା ପ୍ରକାର କାମ ମଧ୍ୟରୁ ଏହା ଅନ୍ୟତମ । ସେ କୁହନ୍ତି,” ମୁଁ, ମୋ ପତ୍ନୀ ଏବଂ ଦୁଇ ପୁଅ । ଆମ ଗାଁ ପଶ୍ଚିମ ତ୍ରିପୁରା ଜିଲ୍ଲାର ଜିରାନିଆ ବ୍ଲକରେ । ମୁଁ ଜଣେ ଦିନ ମଜୁରିଆ, ଯେତେବେଳେ କାମ ମିଳେ ନିର୍ମାଣ ଶ୍ରମିକ ଭାବରେ ମଧ୍ୟ କାମ କରେ ।” ନଚେତ୍ ସେ ଋତୁ ଅନୁସାରେ କୃଷି ଶ୍ରମିକ କିମ୍ବା କୁଲି ମଧ୍ୟ ହୋଇଯାଆନ୍ତି ।
ସେ କହିଲେ, “ନାଁ । ମୁଁ ଏହି ବାଉଁଶ ନିଜେ କାଟିନି । ଏହା ଆହୁରି କଷ୍ଟ ହୋଇଥାନ୍ତା। ଆମ ଗାଁକୁ ଯେଉଁମାନେ ବାଉଁଶ ନେଇ ଆସିଥିଲେ ମୁଁ ସେମାନଙ୍କ ଠାରୁ ଏହା କିଣିଛି । “ଯଦି ଏହି ବାଉଁଶ ଅଗରତାଲା ବଜାରରେ ବିକ୍ରି ହୋଇଯାଏ ତେବେ ତାଙ୍କର ସିଧାସଳଖ ୨୦୦ ଟଙ୍କା ଲାଭ ହେବ । ମୋର ସହଯାତ୍ରୀ ତଥା ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଜିମ୍ ଆଣ୍ଡ୍ ମାସ୍ କମ୍ୟୁନିକେସନର ଅଧ୍ୟାପକ ସୁନିଲ୍ କଲାଇ ମୋତେ କହିଥିଲେ , ଅଗରତାଲା ବଜାରକୁ ଯିବା ପାଇଁ ବିଶ୍ୱାସ ଅନ୍ୟ ଛୋଟ ରାସ୍ତା ବାଛି ପାରିଥାନ୍ତା କିନ୍ତୁ ତା’ର ଏହି ଲମ୍ବା ବାଉଁଶ ପାଇଁ ସେହି ରାସ୍ତା ଯଥେଷ୍ଟ ହୋଇ ନଥା’ନ୍ତା । ଆମେ କାର୍ରେ ବସି ପରବର୍ତ୍ତୀ ଜିଲ୍ଲା ଅମ୍ବାସା ଆଡ଼କୁ ଗଲୁ । ବିଶ୍ୱାସ ବିପରିତ ଦିଗରେ ଯାଉଥିଲା , ତା’ ସାଇକେଲର ଲମ୍ବା ଲାଞ୍ଜ ତା’ ପଛରେ ହଲି ହଲି ଯାଉଥିଲା ।
ଅନୁବାଦ: ଓଡ଼ିଶାଲାଇଭ୍