ଏହା ଟିକେ ଅଜବ ଥିଲା-କିନ୍ତୁ ଆମ ସାମ୍ନାରେ ଦିଲ୍ଲୀର ଜିଟି କରନାଲ ବାଇପାସ୍ ସମ୍ମୁଖରେ ଏହା ହିଁ ଘଟୁଥିଲା ।

ଗୋଟିଏ ଟ୍ରାକ୍ଟର ଦଳ ଦିଲ୍ଲୀ ଆଡ଼କୁ ଯାଉଥିଲେ - ଯେତେବେଳେକି ଆଉ କିଛି ବିପରୀତ ଦିଗରେ ଦିଲ୍ଲୀରୁ ସିଂଘୁ ଆଡ଼କୁ ଯାତ୍ରା କରୁଥିଲେ । ସେମାନେ ପ୍ରକୃତରେ ପରସ୍ପରକୁ ରାଜପଥରେ ଅତିକ୍ରମ କଲେ ଏବଂ ଏହି ଅତିକ୍ରମ କିଛି ମାତ୍ରାରେ ଭ୍ରମ ସୃଷ୍ଟି କଲା । ଦିଲ୍ଲୀରୁ ଫେରୁଥିବା ଟ୍ରାକ୍ଟର ଦଳ ସେମାନଙ୍କ ନେତାଙ୍କ କଥା ଅନୁସାରେ ଏହା କରୁଥିଲେ । ସେମାନଙ୍କ ମଧ୍ୟରୁ କିଛି ଭୁଲ୍‌ରେ ସକାଳୁ ରାଜଧାନୀ ମଧ୍ୟକୁ ପ୍ରବେଶ କରିଥିଲେ ଏଇଆ ଭାବି ଯେ ସେମାନଙ୍କ ନେତାମାନେ ପୁଲିସ ସହିତ ବୁଝାମଣା କରିଥିବା ରୁଟ୍ ବ୍ୟତୀତ ଆଉ ଏକ ରୁଟ୍‌ରେ ସହର ମଧ୍ୟକୁ ପ୍ରବେଶ କରିବା ଲାଗି ସିଦ୍ଧାନ୍ତ ନେଇଛନ୍ତି ।

ସେପ୍ଟେମ୍ବର ମାସରେ ସଂସଦ ଦ୍ୱାରା ପାରିତ ହୋଇଥିବା ତିନିଟି ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ କରୁଥିବା ଚାଷୀମାନେ ସେମାନଙ୍କର ନିଜସ୍ୱ ଗଣତନ୍ତ୍ର ଦିବସ ପରେଡ୍‌ର ଆୟୋଜନ କରିଥିଲେ । ଯାହାକି ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନ ଯେପରିକି ସିଂଘୁ, ଟିକିରି, ଗାଜିପୁର, ଚିଲା ଓ ମେୱାଟ ଭଳି ସ୍ଥାନରୁ ଆଗକୁ ବଢ଼ୁଥିଲା । ରାଜସ୍ଥାନ-ହରିଆନା ସୀମାରେ ଶାହଜାହାନ୍‌ପୁର ଅଂଚଳରେ ମଧ୍ୟ ଗୋଟିଏ ମାର୍ଚ୍ଚ ଆଗକୁ ବଢ଼ୁଥିଲା ଯେଉଁଠାରେ ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧିତ୍ୱ କରୁଥିବା ପ୍ରଜ୍ଞାପନ ମେଢ଼ ପ୍ରାୟ ୬୦ କିମି ଦୂରତା ଅତିକ୍ରମ କରୁଥିଲା । ଏହାକୁ ଅଲ୍ ଇଣ୍ଡିଆ କିଶାନ୍ ସଭା ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହା ଗଣତନ୍ତ୍ର  ଦିବସର ସବୁଠୁ ଲୋକପ୍ରିୟ ନାଗରିକ ଉତ୍ସବ ଥିଲା ।

ଏହା ଏକ ବିଶାଳ, ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସଂପୂର୍ଣ୍ଣ ଭାବେ ଅଦ୍ଭୁତପୂର୍ବ ପ୍ରୟାସ ଥିଲା । ଏହା ସାଧାରଣ ନାଗରିକ, ଚାଷୀ, ଶ୍ରମିକ ଓ ଅନ୍ୟମାନଙ୍କ ଦ୍ୱାରା ଗଣତନ୍ତ୍ରର ପୁନଃପ୍ରାପ୍ତି ଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକ, ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ସାମିଲ ହୋଇଥିଲେ-ଏବଂ ଭାରତୀୟ ସଂଘର ପ୍ରାୟ ସବୁ ରାଜ୍ୟରେ ଏହି ଭଳି ଆୟୋଜନ ଓ ପରେଡ୍ ସହ ସମନ୍ୱିତ କରାଯାଇଥିଲା ।

କିନ୍ତୁ ଏକ ଅପେକ୍ଷାକୃତ ଛୋଟ ସମୂହ ମିଡିଆକୁ ଏହି ଅବିଶ୍ୱସନୀୟ ଅଭ୍ୟାସ ଏବଂ ଏହାର ଆଶ୍ଚର୍ଯ୍ୟଜନକ ପରିଣାମଠାରୁ ଦୂରେଇ ରଖିବାରେ ସକ୍ଷମ ଥିଲା- ଦିଲ୍ଲୀ ମଧ୍ୟରେ ଅତି ଚମତ୍କାର କାର୍ଯ୍ୟକ୍ରମ ହେଉଥିଲେ ବି ସେହି ଛୋଟ ସମୂହ ଏହାକୁ ସମସ୍ୟାରେ ପକାଇବା ଓ ପୃଥକ କରିଦେବା ଉପରେ ଧ୍ୟାନ କେନ୍ଦ୍ରିତ କଲା । ୩୨ଟି କୃଷକ ସଂଗଠନକୁ ନେଇ ଗଠିତ ଦ ସଂଯୁକ୍ତ କିଷାନ୍ ମୋର୍ଚ୍ଚା(ଏସକେଏମ୍‌) ଯାହାକି ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନର ନେତୃତ୍ୱ ନେଉଛି ତାହା ନିର୍ଦ୍ଧାରିତ ରୁଟ୍‌ର ଉଲ୍ଲଂଘନ କରି ଦିଲ୍ଲୀରେ ପ୍ରବେଶ କରିଥିବା ସମୂହର ହିଂସା ଓ ବରବରତାକୁ ଦୃଢ଼ ଭାବେ ବିରୋଧ କରିଛି । ଏହା “ଶାନ୍ତିପୂର୍ଣ୍ଣ ଓ ଦୃଢ଼ ଚାଷୀ ଆନ୍ଦୋଳନକୁ ବିଫଳ କରିବା ଲାଗି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର’’ ବୋଲି ଏସକେଏମ୍ ପ୍ରକାଶ କରିଛି ।

Around 7:45 a.m. at the Singhu border. A group of farmers break down barricades and wagons before starting their tractors along the parade route. The breakaway groups launched their ‘rally’ earlier and breaking the barricades caused confusion amongst several who thought this was the new plan of the leadership.
PHOTO • Anustup Roy
Around 7:45 a.m. at the Singhu border. A group of farmers break down barricades and wagons before starting their tractors along the parade route. The breakaway groups launched their ‘rally’ earlier and breaking the barricades caused confusion amongst several who thought this was the new plan of the leadership.
PHOTO • Anustup Roy

ସିଂଘୁ ସୀମାରେ ସକାଳ ପ୍ରାୟ ୭.୪୫ ମିନିଟ୍ । ପରେଡ୍ ରୁଟ୍‌ରେ ଟ୍ରାକ୍ଟର ଚଳାଇବା ପୂର୍ବରୁ ଚାଷୀମାନଙ୍କର ଏକ ଦଳ ବ୍ୟାରିକେଡ୍ ଓ ୱାଗନ୍ ଭାଙ୍ଗିଦେଲେ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ସମୂହ ପକ୍ଷରୁ ପୂର୍ବରୁ ସେମାନଙ୍କର ‘ର‌୍ୟାଲି’ ଆରମ୍ଭ କରାଯାଇଥିଲା ଏବଂ ବ୍ୟାରିକେଡ୍‌କୁ ଭଙ୍ଗାଯିବା ଫଳରେ ବହୁ ଲୋକ ଏଇୟା ଭାବିଲେ ଯେ ଏହା ନେତୃବୃନ୍ଦଙ୍କର ନୂଆ ଯୋଜନା ।

ଏସକେଏମ୍‌ର ୩୨ଟି ସଂଗଠନ ମଧ୍ୟରୁ ଅନ୍ୟତମ କୀର୍‌ତି କୃଷକ ସଂଘର କରମଜିତ୍ ସିଂହ କହିଲେ, “ମୁଖ୍ୟ ର‌୍ୟାଲି ସକାଳ ୧୦ଟା ସମୟରେ ଆରମ୍ଭ ହେବାକୁ ଥିଲା ।’’ “ କିନ୍ତୁ ଦୀପ ସିଧୁ ଓ ଲଖା ସିଧାନା(ଏବଂ ଅନ୍ୟମାନଙ୍କ)ନେତୃତ୍ୱରେ ଗଣ୍ଡଗୋଳକାରୀମାନେ ଏଥିରେ ବାଧା ସୃଷ୍ଟି କଲେ । ସେମାନେ ଏସକେଏମ୍‌ର ୩୨ଟି ଚାଷୀ ସଂଗଠନ ମଧ୍ୟରୁ କାହାର ସଦସ୍ୟ ନଥିଲେ । ସେମାନେ ସକାଳ ୮ଟା ସମୟରେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀର ରିଙ୍ଗ୍ ରୋଡ୍ ଅଭିମୁଖେ ଯାତ୍ରା କଲେ ଓ କିଛି ଲୋକଙ୍କୁ ସେମାନ ସହ ଯୋଗ ଦେବାକୁ  ପ୍ରୋତ୍ସାହିତ କଲେ । ଏହି ଲୋକମାନେ ଲାଲକିଲ୍ଲା ମଧ୍ୟରେ ପ୍ରବେଶ କରି ସେଠାରେ ସେମାନଙ୍କର ନିଜସ୍ୱ ପତାକା ଉତୋଳନ କଲେ ।’’

ତା’ ପରଠାରୁ ଦୀପ ସିଦ୍ଧୁ ଦିଲ୍ଲୀରେ ହୋଇଥିବା ଘଟଣାରେ ନିଜର ସଂପୃକ୍ତି ଓ ଭୂମିକାକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛନ୍ତି । ସିଦ୍ଧୁ ପଞ୍ଜାବର ଗୁରୁଦାସପୁରରୁ ବିଜେପିର ଲୋକସଭା ସାଂସଦ ଥିବା ସନ୍ନି ଦେଓଲଙ୍କର ଜଣେ ଘନିଷ୍ଠ ସହଯୋଗୀ ରହିଆସିଛନ୍ତି ।

କରମଜିତ୍ ସିଂହ କହିଲେ, “ ଆମେ ତାଙ୍କୁ ବିଲକୁଲ୍ ସମର୍ଥନ କରୁନା । ଆମେ ଜାଣୁ ଯେ ସେ ଯାହା କଲେ ତାହା ଭୁଲ୍ । ୨୬ ତାରିଖରେ ଯାହା ଘଟିଲା ତାହାର ପୁନରାବୃତ୍ତି ହେବନାହିଁ ଏବଂ ଆମେ ଏହି ବିକ୍ଷୋଭକୁ ପୂର୍ବଭଳି ଶାନ୍ତିପୂର୍ଣ୍ଣ ରଖିବୁ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କିମ୍ବା ବ୍ୟାରିକେଡ୍ ଭାଙ୍ଗିବାକୁ ଆମେ ସମର୍ଥନ କରୁନା । ଭବିଷ୍ୟତରେ ଯେଭଳି ଏମିତି ଗଣ୍ଡଗୋଳ ନ ଘଟିବ ଆମେ ତାହା ସୁନିଶ୍ଚିତ କରିବୁ ।’’

ବିକ୍ଷୋଭକାରୀ ଦଳମାନେ ସେମାନଙ୍କର ‘ରାଲି’କୁ ପୂର୍ବରୁ ବାହାର କରିଥିଲେ ଏବଂ ସେମାନେ ବ୍ୟାରିକେଡ୍ ଭାଙ୍ଗିବା ଯୋଗୁ ବହୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ଯେଉଁମାନେ ଏହା ନେତୃବୃନ୍ଦଙ୍କ ନୂଆ ଯୋଜନା ବୋଲି ଭାବିନେଲେ । ସିଂଘୁରୁ ଦିଲ୍ଲୀଯାଏ ପରେଡ୍ ରାସ୍ତା ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା ଏବଂ ତାକୁ ପୁଲିସ ଅନୁମୋଦନ କରିଥିଲା । କିନ୍ତୁ ଏହି ଦଳମାନେ ଦିଲ୍ଲୀକୁ ପ୍ରବେଶ କରିବା ପୂର୍ବରୁ ଏକ ଭିନ୍ନ ରାସ୍ତା ବାଛିଲେ-ଏମାନେ ଲାଲକିଲ୍ଲା ଆଡ଼କୁ ବଢ଼ିଲେ । ଲାଲକିଲ୍ଲା ମଧ୍ୟକୁ ପ୍ରବେଶ କଲାବେଳେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ  ସଂଘର୍ଷ ଘଟିଲା । କିଛି ଜଣ ଲାଲକିଲ୍ଲ। ମଧ୍ୟରେ ପ୍ରବେଶ କରିବାରେ ସଫଳ ହେଲେ ଏବଂ ସେମାନେ ଭାରତୀୟ ଜାତୀୟ ପତାକା ସ୍ଥାନରେ ଏକ ଧାର୍ମିକ ପତାକା ଉଡ଼ାଇବାରେ ସଫଳ ହେଲେ ।

PHOTO • Anustup Roy

ସିଂଘୁ ସୀମାରେ ପ୍ରାୟ ୭.୫୦ମିନିଟ୍‌: ଚାଷୀମାନଙ୍କର ଏକ ସମୂହ ବ୍ୟାରିକେଡ୍ ଭାଙ୍ଗିବା ଜାରି ରଖିଲେ ଯେତେବେଳେ କି ପୁଲିସ ସେମାନଙ୍କ ନିକଟରେ ଛିଡ଼ାହୋଇ ଦେଖୁଥିଲା । ସିଂଘୁରୁ ଦିଲ୍ଲୀ ଯାଏ ଟ୍ରାକ୍ଟର ପରେଡ୍ ପୂର୍ବ ନିର୍ଦ୍ଧାରିତ ଥିଲା ଏବଂ ପୁଲିସ ତାକୁ ଅନୁମୋଦନ କରିଥିଲା। କିନ୍ତୁ ଏହି ଦଳମାନେ ଅନ୍ୟ ଏକ ରୁଟ୍ ଗ୍ରହଣ କଲେ ।

ଅନ୍ୟପଟେ ବିଶାଳ ମୁଖ୍ୟ ରାଲି ଯାହା ଦିଲ୍ଲୀରେ ଉପଦ୍ରବକାରୀଙ୍କ ସଂଖ୍ୟା କମ୍ ପ୍ରଦର୍ଶିତ କରୁଥିଲା,  ଟ୍ରାକ୍ଟର ପରେ ଟ୍ରାକ୍ଟର, ଗୋଷ୍ଠୀ ପରେ ଗୋଷ୍ଠୀ ଗର୍ବର ସହ ତ୍ରିରଙ୍ଗା ଧରି ଚାଲିଥିଲେ ।

ପଞ୍ଜାବ ମୋଗାର ଶେରଶେରା ଗାଁର ୪୫ ବର୍ଷୀୟ ଚାଷୀ ବଲଜିନ୍ଦର ସିଂହ କହିଲେ, “ଆମେମାନେ ଚାଷୀ । ଆମେ ଫସଲ ଅମଳ କରୁଛୁ ଯେଉଁଥିରୁ ତୁମକୁ ଖାଇବାକୁ ଖାଦ୍ୟ ମିଳୁଛି । ୩ଟି ନୂଆ କୃଷି ଆଇନର ଉଚ୍ଛେଦ ଆମର ଲକ୍ଷ୍ୟ । ଲାଲକିଲ୍ଲା ମଧ୍ୟରେ ପ୍ରବେଶ କରି ସେଠାରେ ପତାକା ଉଡ଼ାଇବା ଆମର ଉଦ୍ଦେଶ୍ୟ କେବେହଲେ ନଥିଲା । ଗତକାଲି ଯାହା ଘଟିଗଲା ତାହା ଭୁଲ୍ ।’

’କିନ୍ତୁ ସେହିଠାରୁ ମିଡିଆର ଧ୍ୟାନ ଛୋଟ ଉପଦ୍ରବକାରୀ ଦଳ ଏବଂ ସେମାନେ ଦିଲ୍ଲୀରେ ସୃଷ୍ଟି କରିଥିବା ଡ୍ରାମା ଆଡ଼କୁ ସଂପୂର୍ଣ୍ଣ ଭାବେ ଚାଲିଗଲା । ଏହାର ଅର୍ଥ ମିଡିଆ ବିଶାଳ, ଶାନ୍ତିପୂର୍ଣ୍ଣ ରାଲିକୁ ଅଣଦେଖା କଲା । ୩୨ଟି କୃଷକ ସଂଗଠନର ଅଂଶବିଶେଷ ହୋଇଥିବା ଚାଷୀମାନେ ନିର୍ଦ୍ଧାରିତ ରୁଟ୍‌କୁ ଅନୁସରଣ କଲେ ଏବଂ ସେମାନଙ୍କର ଟ୍ରାକ୍ଟରକୁ ସେହି ରୁଟ୍‌ରେ ଚଳାଇ ନେଲେ । କିଛି ଲୋକ ଟ୍ରାକ୍ଟର କଡ଼ ଦେଇ ଚାଲି ଚାଲି ଗଲେ, ଯେତେବେଳେ କି ଆଉ କିଛି ବାଇକ୍ ଓ ବାଇସାଇକେଲ୍‌ରେ ଗଲେ ।

ଯେତେବେଳେ ଏହି ରାଲିର ଚାଷୀମାନେ ଦିଲ୍ଲୀ ମଧ୍ୟରେ ପ୍ରବେଶ କଲେ, ସେତେବେଳେ କୌଣସି ପ୍ରକାର ସଂଘର୍ଷ କିମ୍ବା ହିଂସା ଘଟଣା ହେଲାନାହିଁ । ସେମାନେ ଆସୁଥିବା ଦିଲ୍ଲୀ ରୁଟ୍‌ରେ ଅନେକ ବାସିନ୍ଦା ବାହାରକୁ ଆସି ସେମାନଙ୍କୁ ଫୁଲ, ଫଳ ଓ ପାଣି ଦେଇ ଆପ୍ୟାୟିତ କଲେ । ସେମାନଙ୍କ ମଧ୍ୟରେ ରୋହିଣୀର ୫୦ବର୍ଷୀୟା ବବଲି କୌର ଗିଲ୍ ଥିଲେ ଯିଏକି ଟ୍ରାକ୍ଟର ଚଳାଇ ଯାଉଥିବା ଚାଷୀଙ୍କୁ ପାଣିର ପ୍ୟାକେଟ୍ ଦେଲେ । ସେ କହିଲେ, “ମୁଁ ଏଠାକୁ ସେଇମାନଙ୍କ ପାଇଁ ଆସିଛି । ସେମାନେ ଆମକୁ ଆମର ଯାହା ଆବଶ୍ୟକତା ତାହା ପ୍ରଦାନ କରିଥାନ୍ତି । ମୁଁ ସକାଳୁ ଉଠି ଚା’ ମାଗିଥାଏ । ତା’ ପରେ ଜଳଖିଆରେ ରୁଟି ଖାଏ । ଏସବୁ ଚାଷୀମାନେ ପ୍ରଦାନ କରିଥାନ୍ତି । ଏହି ବିକ୍ଷୋଭ ଓ ଚାଷୀଙ୍କ ଦୁଃଖକୁ ଦେଖ । ଜଣେ ମହିଳା ତାଙ୍କର ବର୍ଷକର ପିଲାକୁ ନେଇ ସିଂଘୁରେ ରହୁଛନ୍ତି । କ’ଣ ପାଇଁ ସେ ଏହା କରୁଛନ୍ତି? ଯେତେବେଳେ ଜମି ରହିବ ନାହିଁ ସେ କିପରି ପିଲାକୁ ପାଳିବେ? ସରକାର ଶୀଘ୍ର ଏହି ଆଇନକୁ ପ୍ରତ୍ୟାହାର କରିନେବା ଉଚିତ୍ ।’’

ଦିଲ୍ଲୀ ସଦର ବଜାର ଅଞ୍ଚଳର ୩୮ ବର୍ଷୀୟ ଆଶଫାକ୍ କ୍ୟୁରେଶୀ କହିଲେ, “ଆଜି ଏକ ଛୁଟିଦିନ ଥିବାରୁ ମୁଁ ମୋର ପରିବାର ସହ ଘରେ ହସଖୁସିରେ ସମୟ ବିତାଇ ପାରିଥାନ୍ତି । କିନ୍ତୁ ମୁଁ ଏଠାକୁ ଆସି ଚାଷୀଙ୍କୁ ସମର୍ଥନ କରିବା ଲାଗି ବାଛିଲି ।’ ‘ଦିଲ୍ଲୀକୁ ସ୍ୱାଗତ’ ବୋଲି ଏକ ବୋର୍ଡ ଦ୍ୱାରା ଚାଷୀଙ୍କ  ରାଲିକୁ କ୍ୟୁରେଶି ସ୍ୱାଗତ କଲେ ।

ଟ୍ରାକ୍ଟରଗୁଡ଼ିକ ଦେଖିବା ଭଳି ଥିଲା । ବହୁ ଟ୍ରାକ୍ଟରକୁ ରଙ୍ଗୀନ କାଗଜ, ରିବନ୍ ଓ ଫୁଲରେ ସୁନ୍ଦର ଭାବେ ସଜାଯାଇଥିଲା । ସେଗୁଡ଼ିକ ଉପରେ ଭାରତୀୟ ଜାତୀୟ ପତାକା ଉଡ଼ୁଥିଲା । ଚାଷୀମାନେ ୩ଟି ନୂଆ କୃଷି ଆଇନ ସମ୍ମୁଖରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଦର୍ଶାଇ ଗର୍ବର ସହ ଗୀତ ଗାଉଥିଲେ । ଟ୍ରାକ୍ଟର ପରେଡ୍ ସହ ଚାଲୁଥିବା ପଟିଆଲାର ୪୮ ବର୍ଷୀୟ ମନିନ୍ଦର ସିଂହ କହିଲେ, “ସରକାରଙ୍କୁ ଆମର ଆବେଦନ ଶୁଣିବାକୁ ହେବ । ସରକାର ଆମକୁ ଏପରି ଆଇନ ଦେଉଛନ୍ତି ଯାହାକୁ ଆମେ ଚାହୁଁନାହୁଁ । ସରକାର ନିଜକୁ ଅମ୍ବାନି ଓ ଅଦାନିକୁ ବିକ୍ରି କରିସାରିଛନ୍ତି ।’’ “କିନ୍ତୁ ଆମେ ଏହି ସଂଘର୍ଷରେ ହାରିବୁ ନାହିଁ । ଜୀବନର ଶେଷ ଯାଏ ଲଢ଼ିବୁ ।’’

PHOTO • Anustup Roy

ସକାଳପ୍ରାୟ ୮.୪୦ ମିନିଟ୍‌, ସିଂଘୁ ସୀମାରୁ ୩ କିମି ଦୂରରେ କିଛି ଟ୍ରାକ୍ଟର ଆଗେଇ ଚାଲିଲା, ତା’ ସହ ଲୋକମାନେ ଜାତୀୟ ପତାକା ଧରି ଏବଂ ସ୍ଲୋଗାନ୍ ଦେଇ ଚାଲିଲେ । ୩୨ଟି କୃଷକ ସଂଗଠନର ସଦସ୍ୟ ହୋଇଥିବା ଚାଷୀମାନେ ନିର୍ଦ୍ଧାରିତ ରୁଟ୍‌କୁ ପାଳନ କଲେ ଏବଂ ନିର୍ଦ୍ଧାରିତ୍ ରୁଟ୍‌ରେ ଟ୍ରାକ୍ଟର ଚଳାଇଲେ।

PHOTO • Anustup Roy

ସକାଳ ପ୍ରାୟ ୯ଟା ସମୟ, ସିଂଘୁ ସୀମାରୁ  ୫ କିମି ଦୂରରେ ଜଣେ ଚାଷୀ ଆମକୁ ହସି ଓ ହାତ ହଲାଇ ଅଭିଭାଦନ କଲେ । ସେ ଯେଉଁ ଟ୍ରାକ୍ଟରରେ ବସିଥିଲେ ତାକୁ ରଙ୍ଗୀନ କାଗଜ ଓ ରିବନ୍ ଦ୍ୱାରା ସଜାଯାଇଥିଲା ।

PHOTO • Anustup Roy

ପ୍ରାୟ ୯.୧୦ ମିନିଟ୍ ସମୟ, ସିଂଘୁ ସୀମାଠାରୁ ୫ କିମି ଦୂରରେ ପରେଡ୍ ରୁଟ୍‌ରେ କିଛି ଚାଷୀ ସେମାନଙ୍କର ଟ୍ରାକ୍ଟର ନିକଟରେ ଉତ୍ସାହର ସହ ଅଥଚ ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିଲେ ।

PHOTO • Anustup Roy

ପ୍ରାୟ ୯.୩୦ ମିନିଟ୍‌, ସିଂଘୁ ସୀମାଠାରୁ ୮ କିମି ଦୂରରେ ସବୁ ବୟସର ଚାଷୀ ନିର୍ଦ୍ଧାରିତ ରୁଟ୍‌ରେ ସ୍ଲୋଗାନ୍ ଦେଇ ଟ୍ରାକ୍ଟର ସହ ଚାଲୁଥିଲେ ।

PHOTO • Anustup Roy

ପ୍ରାୟ ୧୦ଟା,  ସିଂଘୁ ସୀମାଠାରୁ ୮ କିମି ଦୂରରେ ନିର୍ଦ୍ଧାରିତ ପରେଡ୍ ରୁଟ୍‌ରେ ଟ୍ରାକ୍ଟର ଆଗକୁ ବଢ଼ୁଥିବାବେଳେ ଚାଷୀମାନଙ୍କର ଏକ ଦଳ ଗୀତ ଗାଉଥିଲେ ଏବଂ ଡଫଲି ଖେଳୁଥିଲେ ।

PHOTO • Anustup Roy

ପ୍ରାୟ ୧୦.୧୦ ମିନିଟ୍‌, ସିଂଘୁ ସୀମାରୁ ୮ କିମି ଦୂରରେ ନିର୍ଦ୍ଧାରିତ ପରେଡ୍ ରୁଟ୍‌ରେ ଟ୍ରାକ୍ଟରରେ ବସିଥିବା ଏକ ଚାଷୀ ପରିବାର ‘ଚାଷୀଙ୍କୁ ରକ୍ଷା କର, ଦେଶକୁ ରକ୍ଷାକର’ ସ୍ଲୋଗାନ୍ ଲେଖାଥିବା ପ୍ଲାକାର୍ଡ ଧରିଥିଲେ ।

PHOTO • Anustup Roy

ପ୍ରାୟ ୧୧ଟା ସମୟ । ଦିଲ୍ଲୀର ଜିଟି କର୍ଣ୍ଣାଲ ବାଇପାସ୍ ନିକଟରେ ସିଂଘୁ ସୀମାରୁ ପ୍ରାୟ ୧୨-୧୩ କିମି ଦୂରରେ ।

PHOTO • Anustup Roy

ପ୍ରାୟ ୧୧.୧୦ ମିନିଟ୍ । ଦିଲ୍ଲୀର ଜିଟି କରନାଲ ବାଇପାସ୍‌ରେ ।

PHOTO • Anustup Roy

ଜିଟି କରନାଲ ବାଇପାସ ନିକଟରେ ଦିଲ୍ଲୀ ସଦର ବଜାରର ୩୮ ବର୍ଷୀୟ ଆଶଫାକ୍ କ୍ୟୁରେଶୀ ଚାଷୀଙ୍କୁ ସମର୍ଥନ କରିବା ଲାଗି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ନିଜ ବନ୍ଧୁଙ୍କ ସହ ହାତରେ ସେ ଏକ ବ୍ୟାନର୍ ଧରିଥିଲେ ଯେଉଁଥିରେ ଲେଖାଯାଇଥିଲା, ‘ଦିଲ୍ଲୀ ଆପଣଙ୍କୁ ସ୍ୱାଗତ କରୁଛି ।’

PHOTO • Anustup Roy

ପ୍ରାୟ ୧୨.୧୫ ମିନିଟ୍ । ଦିଲ୍ଲୀର ଜିଟି କରନାଲ ବାଇପାସ୍ । ଟ୍ରାକ୍ଟରଗୁଡ଼ିକ ରାସ୍ତା ଦେଇ ଅତିକ୍ରମ କରୁଥିବାବେଳେ ଦିଲ୍ଲୀର କିଛି ମହିଳା ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିଲେ । ସେମାନେ ଚାଷୀଙ୍କୁ ସମର୍ଥନ ଦେଇ ସ୍ଲୋଗାନ୍ ଦେଉଥିଲେ ।

PHOTO • Anustup Roy

ମଧ୍ୟାହ୍ନ ସମୟରେ ଦିଲ୍ଲୀର ଜିଟି କରନାଲ୍ ବାଇପାସ୍ ନିକଟରେ କିଛି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଚାଷୀ ଆନ୍ଦୋଳନକୁ ସମର୍ଥନ ସ୍ୱରୂପ ରାସ୍ତାରେ ଗୀତ ଗାଇ ଓ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ।

PHOTO • Anustup Roy

ପ୍ରାୟ ୨.୧୫ ମିନିଟ୍ । ଦିଲ୍ଲୀର ଜିଟି କରନାଲ ବାଇପାସ୍ । ସେହି ରାସ୍ତା ଦେଇ ଯାଉଥିବା ଚାଷୀମାନଙ୍କୁ ଏକ ଛୋଟ ପିଲା ଖାଦ୍ୟ ଦେଉଥିଲା । ତା’ ପାଖରେ ତା’ ବାପା ମା’ ଛିଡ଼ା ହୋଇ ତାକୁ ଉତ୍ସାହିତ କରୁଥିଲେ ।

PHOTO • Anustup Roy

ପ୍ରାୟ ୨.୩୦ ମିନିଟ୍ । ଦିଲ୍ଲୀର ଜିଟି କରନାଲ ବାଇପାସ୍ । ୫୦ ବର୍ଷୀୟା ବବଲି କୌର ଗିଲ୍ ଦିଲ୍ଲୀର ରୋହିଣୀ ଅଞ୍ଚଳରୁ ପରେଡ୍ ରୁଟ୍‌ରେ ଚାଲୁଥିବା ଚାଷୀଙ୍କୁ ତାଙ୍କ ସମର୍ଥନ ଏବଂ ପାଣି ଦେବାକୁ ଆସିଥିଲେ ।

PHOTO • Anustup Roy

ସିଂଘୁ ସୀମାରେ ପରଦିନ ଜାନୁଆରୀ ୨୭ ତାରିଖ ସକାଳ ୧୧ଟା । କୀର୍ତ୍ତି କିଷାନ୍ ୟୁନିଅନ୍‌ର ୨୮ ବର୍ଷୀୟା କରମଜିତ୍ ସିଂହ ଗଣତନ୍ତ୍ର ଦିବସ ଚାଷୀଙ୍କ ପରେଡ୍ ସମାରୋହ ସମୟରେ ଚାଷୀ ଆନ୍ଦୋଳନ କିଭଳି ଉପଦ୍ରବକାରୀଙ୍କ ଏକ ଛୋଟ ଦଳ ଦ୍ୱାରା ପ୍ରଭାବିତ ହେଲା ତାହା ବର୍ଣ୍ଣନା କଲେ । ୩୨ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ୍ ମୋର୍ଚ୍ଚା(ଏସକେଏମ୍‌) ଯାହାକି ଦିଲ୍ଲୀ ସୀମାରେ ଦୁଇ ମାସରୁ ଅଧିକ ସମୟ ହେଲା ବିକ୍ଷୋଭ କରୁଛି ତାହା ନିର୍ଦ୍ଧାରିତ ରୁଟ୍‌ର ଉଲ୍ଲଂଘନ କରି ଦିଲ୍ଲୀରେ ପ୍ରବେଶ କରିଥିବା ଉପଦ୍ରବକାରୀ ଗୋଷ୍ଠୀର ହିଂସା ଓ ଗଣ୍ଡଗୋଳକୁ ଦୃଢ଼ ଭାବେ ନିନ୍ଦା କରିସାରିଛି । ଏସକେଏମ୍ ପକ୍ଷରୁ ସେମାନଙ୍କର କାର୍ଯ୍ୟକଳାପକୁ ‘ଶାନ୍ତିପୂର୍ଣ୍ଣ ଓ ଦୃଢ଼ ଚାଷୀ ଆନ୍ଦୋଳନକୁ ବଦନାମ କରିବା ଲାଗି ଏକ ସାଂଘାତିକ ଷଡ଼ଯନ୍ତ୍ର’ ବୋଲି ଅବିହିତ କରାଯାଇଛି । ମୋଟାମୋଟି ଭାବେ ଦେଖିଲେ ଏହା ଏକ ବିଶାଳ, ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ -ଏବଂ ସଂପୂର୍ଣ୍ଣ ଭାବେ ଅଦ୍ଭୁତପୂର୍ବ ଅଭ୍ୟାସ ଥିଲା, ସାଧାରଣ ନାଗରିକ, ଚାଷୀ, ଶ୍ରମିକ ଓ ଅନ୍ୟମାନଙ୍କ ଦ୍ୱାରା ଏହା ଗଣତନ୍ତ୍ରର ପୁନଃପ୍ରାପ୍ତି ଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକ, ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ଭାଗ ନେଇଥିଲେ । ଏବଂ ଭାରତୀୟ ସଂଘର ପ୍ରାୟ ସବୁ ରାଜ୍ୟରେ ଏହି ଭଳି ଆୟୋଜନ ଓ ପରେଡ୍ ସହ ସମନ୍ୱିତ କରାଯାଇଥିଲା ।

ଅନୁବାଦ - ଓଡ଼ିଶାଲାଇଭ୍‍

Anustup Roy

अनुस्तुप रॉय, कोलकाता के सॉफ्टवेयर इंजीनियर हैं. जब वह कोडिंग नहीं कर रहे होते, तो अपने कैमरे के साथ भारत का भ्रमण करते हैं.

की अन्य स्टोरी Anustup Roy
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE