“ଯେତେବେଳେ ଆମ ଭଳି ମହିଳାମାନେ ସେମାନଙ୍କ ଘରଦ୍ୱାର ଓ ଚାଷବାସ ଛାଡ଼ି ପ୍ରତିବାଦ କରିବାକୁ ସହରକୁ ଆସନ୍ତି, ଏହାର ଅର୍ଥ ହେଉଛି ଯେ, ସେମାନଙ୍କ ପାଦ ତଳୁ ମାଟି ଖସି ଯିବାରେ ଲାଗିଛି,” ଅରୁଣା ମାନ୍ନା କହିଲେ । “ଗତ କିଛି ମାସ ଭିତରେ ଏମିତି ଅନେକ ଦିନ ଆସିଛି, ଯେତେବେଳେ ଆମକୁ ଦି’ମୁଠା ଖାଇବାକୁ ମିଳିନାହିଁ । ଅନ୍ୟାନ୍ୟ ଦିନରେ ବି ଆମେ ଦିନକୁ ଓଳିଏ ଖାଇ ବଞ୍ଚିଛୁ । ଏଇଟା କ’ଣ ଏହି ଆଇନଗୁଡ଼ିକୁ ଗୃହୀତ କରାଇ ନେବାର ସମୟ? ସତେ ଯେମିତି, ଆମକୁ ମାରିଦେବା ପାଇଁ ମହାମାରୀ (ବିଶ୍ୱ ମହାମାରୀ କୋଭିଡ୍-୧୯) ଯଥେଷ୍ଟ ନଥିଲା ?”
କେନ୍ଦ୍ରୀୟ କୋଲକାତାର ଏକ ଆନ୍ଦୋଳନ ସ୍ଥଳ, ଏସ୍ପ୍ଲାନେଡ୍ ୱାଇ- ଚ୍ୟାନେଲରେ ସମବେତ କୃଷକ ଓ କୃଷି ଶ୍ରମିକମାନଙ୍କୁ ଏହା କହୁଥିଲେ ୪୨ ବର୍ଷୀୟା ଅରୁଣା । ସେମାନେ ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେସନ କମିଟି (AIKSCC) ବ୍ୟାନର ତଳେ ଏକତ୍ର ହୋଇ ଜାନୁଆରୀ ୯ରୁ ୨୨ ତାରିଖ ଯାଏ ଆନ୍ଦୋଳନ କରୁଥିଲେ । ୨୦୨୦ ମସିହା ସେପ୍ଟେମ୍ବର ମାସରେ ସଂସଦରେ ଗୃହୀତ ତିନିଟି କୃଷି ଆଇନ ବିରୋଧରେ. ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇବା ପାଇଁ ଛାତ୍ରଛାତ୍ରୀ, ସାଧାରଣ ନାଗରିକ, ଶ୍ରମିକ, ବିଭିନ୍ନ ସାଂସ୍କୃତିକ ସଂଗଠନ, ସମସ୍ତେ ସେଠାରେ ରୁଣ୍ଡ ହୋଇଥିଲେ ।
ପ୍ରାୟ ୧,୫୦୦ ଅନ୍ୟ ମହିଳାଙ୍କ ସହିତ ରାଜୁଆଖାକି ଗାଁରୁ ଏଠାକୁ ଆସିଥିଲେ ଅରୁଣା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବିଭିନ୍ନ ଗାଁରୁ ଆସିଥିଲେ । ସାରା ଦେଶରେ, ମହିଳା କୃଷକଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ସେମାନଙ୍କ ଅଧିକାର ହାସଲ କରାଇବା ଲାଗି ଉଦ୍ଦିଷ୍ଟ ମହିଳା କିଷାନ ଦିବସ ପାଳନ ନିମନ୍ତେ ସେମାନେ ଟ୍ରେନ୍, ବସ୍ ଓ ଟେମ୍ପୋରେ ଆସି ଜାନୁଆରୀ ୧୮ରେ ଏଠାରେ ପହଞ୍ଚିଥିଲେ । ମହିଳା କୃଷକ, କୃଷି ଶ୍ରମିକଙ୍କର ୪୦ରୁ ଅଧିକ ସଂଘ, ବିଭିନ୍ନ ମହିଳା ସଂଗଠନ ଓ AIKSCC (ଏଆଇକେଏସ୍ସିସି) ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ପଶ୍ଚିମ ବଙ୍ଗ ସଂସ୍କରଣ ସଂଗଠିତ ହୋଇଥିଲା ।
କୋଲକାତା ପର୍ଯ୍ୟନ୍ତ ଲମ୍ବା ଯାତ୍ରା ପରେ କ୍ଳାନ୍ତ ହୋଇପଡ଼ିଥିଲେ ହେଁ ନିଜ ନିଜର ସ୍ୱର ଶୁଣାଇବା ପାଇଁ ସେମାନଙ୍କ ଅଦମ୍ୟ ଉତ୍ସାହ ସ୍ପଷ୍ଟ ବାରି ହୋଇପଡୁଥିଲା । କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଛାଡ଼ି ଚାଲିଯିବା ପାଇଁ ମହିଳା ଓ ବୟସ୍କମାନଙ୍କୁ ‘ପ୍ରବର୍ତ୍ତାଇବା’ ସଂପର୍କରେ ନିକଟରେ ଭାରତର ମୁଖ୍ୟ ବିଚାରପତି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରମଜୀବୀ ମହିଳା ସମିତିର ଜଣେ ସଦସ୍ୟା, ୩୮ ବର୍ଷୀୟ ସୁପର୍ଣ୍ଣା ହାଲଦାର କହିଲେ, “ତା’ହଲେ ଆମ ପାଇଁ ଆଉ କିଏ ପ୍ରତିବାଦ କରିବ? କୋର୍ଟବାବୁମାନେ (ବିଚାରପତିମାନେ) ? ଆମେ ଆମ ପ୍ରାପ୍ୟ ନ ପାଇଲା ପର୍ଯ୍ୟନ୍ତ ପ୍ରତିବାଦ କରିବୁ!”
ମହିଳା କିଷାନ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ଜାନୁଆରୀ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରେ ଅନୁଷ୍ଠିତ ‘ମହିଳା କିଷାନ ମଜୁର ବିଧାନସଭା’ ଅଧିବେଶନରେ ସୁପର୍ଣ୍ଣା କହୁଥିଲେ । ଏହି ଅଧିବେଶନରେ ମୁଖ୍ୟତଃ କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ବିଭିନ୍ନ ଜଟିଳ ସମସ୍ୟା, ସେମାନଙ୍କ ପରିଶ୍ରମ, ଜମି ଉପରେ ମାଲିକାନା ସ୍ୱତ୍ୱ ଏବଂ ଅନ୍ୟାନ୍ୟ ଅଧିକାର ପାଇଁ ସେମାନଙ୍କର ସୁଦୀର୍ଘ ସଂଘର୍ଷ ଏବଂ ସେମାନଙ୍କ ଜୀବନ ଉପରେ ନୂତନ କୃଷି ଆଇନଗୁଡ଼ିକର ସମ୍ଭାବିତ କୁପ୍ରଭାବ ସଂପର୍କରେ ଆଲୋଚନା କରାଯାଇଥିଲା ।
ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ରାଇଦିଘି ଗ୍ରାମ ପଞ୍ଚାୟତର ପାକୁରତଲା ଗାଁରୁ ଆସିଥିବା ସୁପର୍ଣ୍ଣା, ତାଙ୍କ ଅଞ୍ଚଳରେ କେମିତି କୃଷିକାର୍ଯ୍ୟରେ ଖର୍ଚ୍ଚଲଗାଣ ବୃଦ୍ଧି ପାଉଛି ଏବଂ ବାରମ୍ବାର ଝଡ଼ତୋଫାନ ଯୋଗୁଁ ଜୀବନଧାରଣ ନିମନ୍ତେ କରାଯାଉଥିବା ଚାଷବାସରୁ ଜୀବନଧାରଣର ସମ୍ଭାବନା ହ୍ରାସ ପାଇବାରେ ଲାଗିଛି, ସେ ସଂପର୍କରେ କହିଥିଲେ । ଏହା ଫଳରେ, କୃଷି ଶ୍ରମିକ ଏବଂ ଖୁବ୍ ଅଳ୍ପ ଜମିର ମାଲିକାନା ଥିବା କୃଷକ ପରିବାରମାନଙ୍କ ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (MGNREGA) ଅନ୍ତର୍ଗତ କାର୍ଯ୍ୟ (ସ୍ଥାନୀୟ ଅଞ୍ଚଳରେ ଏକ୍ଶୋ ଦିନେର କାଜ୍ ବା ୧୦୦ ଦିନିଆ କାମ ନାଁରେ ପରିଚିତ) ଏବଂ ସରକାରୀ ପାଣ୍ଠିରେ କିମ୍ବା ପଞ୍ଚାୟତ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ କାର୍ଯ୍ୟ ହିଁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜୀବନରେଖା ପ୍ରତିପାଦିତ ହୋଇଛି ।
କୋଲକାତାର ଏହି ପ୍ରତିବାଦ ସଭାରେ ନିକଟରେ ପ୍ରଣୀତ ତିନିଟି କୃଷି ଆଇନ ପ୍ରତ୍ୟାହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବେଳେ MGNREGA କାମରେ କାର୍ଯ୍ୟ ଦିବସର ଅଭାବ ଏବଂ ସ୍ଥାନୀୟ ପଞ୍ଚାୟତ ପରିଚାଳିତ କାର୍ଯ୍ୟରେ ନିହିତ ସମସ୍ୟା ସଂପର୍କରେ ମଧ୍ୟ ଉପସ୍ଥିତ ମହିଳାମାନେ ଚିନ୍ତା ପ୍ରକଟ କରିଥିଲେ ।
ମଥୁରାପୁର-II ବ୍ଲକ୍ରେ ଅବସ୍ଥିତ ରାଇଦିଘି ପଞ୍ଚାୟତର ବଳରାମପୁର ଗାଁରେ ୧୦୦ ଦିନିଆ କାମ ବଣ୍ଟନର ଦେଖାରଖା କରୁଥିବା ୫୫ ବର୍ଷୀୟା ସୁଚିତ୍ରା ହାଲଦାର କହିଲେ, “କାମ ମିଳୁନାହିଁ । ଆମ ସମସ୍ତଙ୍କ ପାଖରେ ବୈଧ ଜବ୍ କାର୍ଡ ଅଛି (ଯଦିଓ ସାଧାରଣତଃ ଜବ୍ କାର୍ଡ ମହିଳାମାନଙ୍କ ସ୍ୱାମୀ କିମ୍ବା ବାପାଙ୍କ ନାଁରେ ଜାରି ହୋଇଥାଏ ଏବଂ ଅନେକ ମହିଳାଙ୍କ ପାଇଁ ଏହା ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିଛି) । ତଥାପି ଆମେ କାମ ପାଉନାହୁଁ । ଆମେ ଏହା ବିରୋଧରେ ବହୁ ଦିନ ହେଲା ପ୍ରତିବାଦ କରିଆସୁଛୁ । ଯଦିବା ଆମକୁ କୌଣସି ପ୍ରକାରେ କାମ ମିଳିଯାଏ, ଠିକ୍ ସମୟରେ ପାଉଣା ମିଳେ ନାହିଁ । ବେଳେବେଳେ ଏହା ଆମକୁ ଆଦୌ ମିଳେ ନାହିଁ ।”
ରାଜୁଆଖାକି ଗାଁର ୪୦ ବର୍ଷୀୟା ରଞ୍ଜିତା ସାମନ୍ତ କହିଲେ, “ଆମ ଗାଁର ଯୁବ ପିଢ଼ି ବେକାର ବସି ରହିଛି, ସେମାନଙ୍କ ପାଇଁ କାମ ନାହିଁ । ଲକ୍ଡାଉନ୍ ସମୟରେ ଅନେକ ଲୋକ, ସେମାନେ କାମ କରିବାକୁ ଯାଇଥିବା ସ୍ଥାନରୁ ଗାଁକୁ ଫେରିଆସୁଛନ୍ତି । ବାପାମାଆଙ୍କ ପାଖରେ ମାସ ମାସ ଧରି କାମ ନାହିଁ ଏବଂ ତେଣୁ, ନୂତନ ପିଢ଼ି ମଧ୍ୟ କଷ୍ଟ ଭୋଗୁଛି । ବର୍ଷକୁ ୧୦୦ ଦିନ ପାଇଁ ବି କାମ ନ ମିଳିଲେ ଆମେ କେମିତି ବଞ୍ଚି ରହିବୁ ?”
କିଛି ଦୂରରେ ବସି ୮୦ ବର୍ଷୀୟା ଦୁର୍ଗା ନୈୟା ତାଙ୍କ ଧଳା ଶାଢ଼ି କାନିରେ ଚଷମାର ମୋଟା କାଚ ସଫା କରୁଥିଲେ । ମଥୁରାପୁର-II ବ୍ଲକ୍ର ଗିଲାରଛାତ ଗାଁର ବୟସ୍କା ମହିଳାମାନଙ୍କ ଏକ ଦଳ ସହିତ ସେ ଆସିଥିଲେ । ସେ କହିଲେ, “ମୋ ଦେହରେ ବଳ ଥିଲା ଯାଏ ମୁଁ ଜଣେ ଖେତ-ମଜୁର (କୃଷି ଶ୍ରମିକ) ଭାବରେ କାମ କରୁଥିଲି । ଦେଖ, ଏବେ ମୁଁ ବୁଢ଼ୀ ହୋଇଯାଇଛି... ବହୁ ଦିନ ତଳେ ମୋ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏବେ ମୁଁ କାମ କରିପାରୁନି । ବୟସ୍କ କୃଷକ ଓ ଖେତ ମଜୁର ମାନଙ୍କୁ ସେମାନଙ୍କ ପେନ୍ସନ ଦିଆଯାଉ ବୋଲି ସରକାରଙ୍କୁ କହିବା ପାଇଁ ମୁଁ ଆସିଛି ।”
ଦୁର୍ଗା ନୈୟା କୃଷକ ଆନ୍ଦୋଳନର ଜଣେ ପୁରୁଖା ଆନ୍ଦୋଳନକାରୀ । ବୟସର ୫୦ ଦଶକରେ ପହଞ୍ଚି ସାରିଥିବା ମଥୁରାପୁର-II ବ୍ଲକ୍ର ରାଧାକାନ୍ତପୁର ଗାଁର ଜଣେ ଭୂମିହୀନ ମହିଳା ଶ୍ରମିକ ପାରୁଲ ହାଲଦାର କହିଲେ, “ଦେଶର ଅନ୍ୟାନ୍ୟ କୃଷକମାନଙ୍କ ସହ ଆନ୍ଦୋଳନରେ ସାମିଲ ହେବାକୁ ୨୦୧୮ରେ ମୁଁ ତାଙ୍କ ସହିତ ଦିଲ୍ଲୀ ଯାଇଥିଲି ।” ୨୦୧୮ ନଭେମ୍ବର ମାସରେ କିଷାନ ମୁକ୍ତି ମୋର୍ଚ୍ଚା ରେ ଯୋଗ ଦେବା ପାଇଁ ସେମାନେ ସାଙ୍ଗ ହୋଇ ନୂଆ ଦିଲ୍ଲୀ ରେଳଷ୍ଟେସନରୁ ରାମଲୀଳା ମଇଦାନ ଯାଏ ଯାଇଥିଲେ ।
ଆନ୍ଦୋଳନ ସ୍ଥଳରେ ବୟସ୍କା ମହିଳାମାନଙ୍କ ସହିତ ସେ କାହିଁକି ଯୋଗ ଦେଇଛନ୍ତି ବୋଲି ପଚରା ଯିବାରୁ ପାରୁଲ କହିଲେ, “ଆମେ କଷ୍ଟେମଷ୍ଟେ ବଞ୍ଚି ରହୁଛୁ । ଜାଷଜମିରେ ସେତେ ବେଶୀ କାମ ମିଳୁନାହିଁ । ଫସଲ ଅମଳ ଏବଂ ବିହନ ବୁଣା ଋତୁରେ ଆମକୁ କିଛି କାମ ମିଳିଯାଏ ଏବଂ ଆମେ ଦିନକୁ ୨୭୦ ଟଙ୍କା ଯାଏ ରୋଜଗାର କରିପାରୁ । କିନ୍ତୁ ସେଥିରେ ଆମର ବଞ୍ଚି ରହିବା ସମ୍ଭବ ହୁଏନି । ମୁଁ ବିଡ଼ି ବଳିଥାଏ ଏବଂ ଅନ୍ୟାନ୍ୟ ଛୋଟମୋଟ କାମ ବି କରିଥାଏ । ମହାମାରୀ ସମୟରେ ଏବଂ ବିଶେଷତଃ ଆମ୍ଫାନ୍ (୨୦୨୦ ମେ ୨୦ରେ ପଶ୍ଚିମ ବଙ୍ଗରେ ହୋଇଥିବା ଝଡ଼ବାତ୍ୟା) ପରେ ଆମେ ଖୁବ୍ଖରାପ ବେଳା ଦେଖିଛୁ ।”
ବିଶ୍ୱ ମହାମାରୀ ସମୟରେ ରୋଗ ପ୍ରତି ସେମାନଙ୍କ ସମ୍ବେଦନଶୀଳତା ସଂପର୍କରେ ସଚେତନ ବୟସ୍କା ମହିଳାମାନେ ମାସ୍କ ପିନ୍ଧିବା ସଂପର୍କରେ ବେଶ୍ ଯତ୍ନବାନ ଥିଲେ । ତଥାପି ସେମାନେ ଆନ୍ଦୋଳନରେ ଭାଗ ନେବାକୁ ସ୍ଥିର କରିଥିଲେ । ଗିଲାରଚାଟ୍ ଗାଁର ୭୫ ବର୍ଷ ବୟସ୍କା ପିଙ୍ଗଳା ପୁତକାଇ କହିଲେ, “ଆମେ ବଡ଼ି ଭୋରରୁ ଉଠି ପଡ଼ିଲୁ । ସୁନ୍ଦରବନ ଅଞ୍ଚଳର ଆମ ଗାଁରୁ ଆସି କୋଲକାତାରେ ପହଞ୍ଚିବା ସହଜ ନୁହେଁ । ଆମ ସମିତି (ଶ୍ରମଜୀବୀ ମହିଳା ସମିତି) ଆମମାନଙ୍କ ପାଇଁ ବସ୍ ଯୋଗାଡ଼ କରିଦେଲା। ଆମକୁ ଏଠାରେ ପ୍ୟାକେଟ୍ରେ ମଧ୍ୟାହ୍ନ ଭୋଜନ (ଭାତ, ଆଳୁ, ଲଡୁ ଏବଂ ଏକ ଆମ୍ବରସ ପାନୀୟ) ଦିଆଗଲା । ଆମ ପାଇଁ ଏହା ଏକ ସ୍ୱତନ୍ତ୍ର ଦିନ ।”
ସେହି ସମାନ ଗୋଷ୍ଠୀରେ ଥିଲେ ୬୫ ବର୍ଷୀୟା ମାଳତୀ ଦାସ, ଯିଏ କହିଲେ କି ସେ ତାଙ୍କ ବିଧବା ଭତ୍ତା ବାବଦ ୧,୦୦୦ ଟଙ୍କା ପାଇବାକୁ ଚାହିଁ ରହିଛନ୍ତି, ଏବଂ ଥରେ ହେଲେ ବି ସେ ଏହି ଭତ୍ତା ପାଇନାହାନ୍ତି। ସେ ଆହୁରି କହିଲେ, “ବିଚାରପତି କହୁଛନ୍ତି ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ ଆନ୍ଦୋଳନରେ ଭାଗ ନେବା ଉଚିତ ନୁହେଁ । ଯେନୋ ବୁଡ଼ୋ ଆର୍ ମେୟେମାନୁଷଦେର ପେଟ୍ ଭୋରେ ରୋଜ ପୋଲାଉ ଆର ମାଂସୋ ଦିଚ୍ଛେ ଖେତେ (ସତେ ଯେମିତି ବୁଢ଼ାବୁଢୀ ଆଉ ମହିଳାମାନଙ୍କୁ ସବୁଦିନ ସେମାନେ ପଲାଉ ଓ ମାଂସ ତରକାରୀ ଖାଇବାକୁ ଦେଉଛନ୍ତି ।”
ବୟସ୍କ କୃଷକ ଓ କୃଷି ଶ୍ରମିକମାନଙ୍କୁ ଏକ ସମ୍ମାନଜନକ ଭତ୍ତା ପ୍ରଦାନ ପାଇଁ, ଏହି ଦଳରେ ରହିଥିବା ଅନେକ ମହିଳା, ଯେଉଁମାନେ କି ଚାଷବାସ କାମରୁ ଅବସର ନେଇସାରିଲେଣି, ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି ।
ସୁନ୍ଦରବନ ଅଞ୍ଚଳରୁ ଆସିଥିବା ଯେଉଁ ମହିଳାମାନଙ୍କ ସହ ମୁଁ କଥାବାର୍ତ୍ତା କରିଥିଲି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଅଧିସୂଚିତ ଜାତିର । ଅନେକ ଆଦିବାସୀ ସଂପ୍ରଦାୟର ମହିଳା ମଧ୍ୟ ସେଠାରେ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜମାଲପୁର ବ୍ଲକ୍ର ମୋହନପୁର ଗାଁରୁ ଆସିଥିବା ଭୂମିଜ ସଂପ୍ରଦାୟର ଜଣେ ଭୂମିହୀନ କୃଷି ଶ୍ରମିକ ୪୬ ବର୍ଷୀୟା ମଞ୍ଜୁ ସିଂହ ।
ସେ କହିଲେ, “ବିଚାରପତି ଆମ ଘରକୁ- ଖାଦ୍ୟ, ଔଷଧ ଆଉ ଆମ ପିଲାଙ୍କ ପାଇଁ ଫୋନ୍, - ସବୁକିଛି ପଠାଇ ଦିଅନ୍ତୁ । ଆମେ ଘରେ ରହିବୁ । ଆମ ଭଳି ହାଡ଼ଭାଙ୍ଗା ଖଟୁନି (ହାଡ଼ଭଙ୍ଗା ପରିଶ୍ରମ) କରିବାକୁ କେହି ଚାହାଁନ୍ତିନି । ଆମେ ଯଦି ପ୍ରତିବାଦ ନ କରିବୁ, ତେବେ ଆଉ କ’ଣ କରିବୁ ?”
ସେ ଆହୁରି କହିଲେ, ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁରେ, “୧୦୦ ଦିନିଆ କାମ ଯୋଜନାରେ ଆମକୁ ଅତି ବେଶୀରେ ୨୫ ଦିନର (ବର୍ଷକରେ) କାମ ମିଳେ । ଦିନକୁ ମଜୁରି ୨୦୪ ଟଙ୍କା । ଆମକୁ ଯଦି କାମ ଯୋଗାଇ ନପାରିଲା, ତେବେ ଏ ଜବ୍ କାର୍ଡ ଆଉ କୋଉ କାମରେ ଲାଗିବ ? ଏକ୍ ଶୋ ଦିନେରେ କାଜ୍ ଶୁଧୁ ନାମ-କା-ୱାସ୍ତେ (୧୦୦ ଦିନିଆ କାମ ବୋଲି ଖାଲି ନାଁକୁ ମାତ୍ର କହୁଛନ୍ତି ) ! ପ୍ରାୟତଃ ମୁଁ ଘରୋଇ ଚାଷଜମିରେ କାମ କରେ । ବହୁ ଦିନର ସଂଘର୍ଷ ପରେ ଆମ ଅଞ୍ଚଳରେ ଆମେ (ଜମି ମାଲିକଙ୍କଠାରୁ) ଦିନକୁ ୧୮୦ ଟଙ୍କା ମଜୁରି ଏବଂ ଦୁଇ କିଲୋ ଚାଉଳ ପାଇବାରେ ସକ୍ଷମ ହେଲୁ ।”
ସେଇ ଏକା ଗାଁ, ମୋହନପୁରରୁ ଆସିଥିଲେ ବୟସର ୩୦ ଦଶକର ମଧ୍ୟଭାଗରେ ଉପନୀତ ଜଣେ ଭୂମିହୀନ କୃଷି ଶ୍ରମିକ ଆରତି ସୋରେନ। ସେ କହିଲେ, “କେବଳ ମଜୁରି ପାଇଁ ନୁହେଁ, ଆହୁରି ବହୁତ ବିଷୟକୁ ନେଇ ଆମେ ସଂଘର୍ଷ କରୁଛୁ’’। ‘‘ଏହା ଅନ୍ୟମାନଙ୍କ ଭଳି ନୁହେଁ, ଗୋଟି ଗୋଟି କରି ଏବଂ ସବୁ ଜିନିଷ ପାଇଁ ଆମକୁ ଲଢ଼େଇ କରିବାକୁ ପଡ଼େ । କେବଳ ଯେତେବେଳେ ଆମ ସଂପ୍ରଦାୟର ମହିଳାମାନେ ଏକାଠି ହୋଇ ବିଡିଓଙ୍କ ଅଫିସ୍ ଏବଂ ପଞ୍ଚାୟତ ଆଗରେ ଚିତ୍କାର କରନ୍ତି, ସେତେବେଳେ ସେମାନେ ଆମ କଥା ଶୁଣନ୍ତି । ଏହି ଆଇନଗୁଡ଼ିକ ଆମକୁ ଭୋକଉପାସରେ ରଖିବ । ଆମମାନଙ୍କୁ ଘରକୁ ଫେରିଯିବା ଲାଗି କହିବା ବଦଳରେ ଏହି ଆଇନଗୁଡ଼ିକୁ ଫେରାଇ ନେବାକୁ ବିଚାରପତିମାନେ] କାହିଁକି କହୁନାହାନ୍ତି ?
କୋଲକାତା ଆଖପାଖ ଅଞ୍ଚଳର ଘରୋଇ ସଂସ୍ଥାରେ ଚାକିରି ହରାଇବା ପରେ ଗତ ୧୦ ମାସ ହେଲା ଆରତି ଓ ମଞ୍ଜୁ ଭଳି ମହିଳାଙ୍କ ସ୍ୱାମୀମାନେ ଘରେ ବସିଛନ୍ତି । ଅନ୍ଲାଇନ୍ରେ ପାଠ ପଢ଼ିବା ପାଇଁ ସେମାନଙ୍କ ପିଲାମାନେ ସ୍ମାର୍ଟଫୋନ୍ କିଣିବାରେ ଅସମର୍ଥ। MGNREGA ଯୋଜନାରେ କାମର ଘୋର ଅଭାବ ଯୋଗୁଁ ସେମାନଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ବିଶ୍ୱ ମହାମାରୀ ସାଙ୍ଗରେ ଆସିଥିବା ଲକ୍ଡାଉନ୍ କାରଣରୁ ଅଧିକାଂଶ ମହିଳା କୃଷି ଶ୍ରମିକ ମହାଜନମାନଙ୍କ (କରଜଦାତା) ପାଖରୁ ଋଣ କରି ବଞ୍ଚି ରହିବାକୁ ବାଧ୍ୟ ହୋଇଛନ୍ତି । ମଞ୍ଜୁ କହିଲେ, “ଆମେ ସରକାର ଦେଉଥିବା ଚାଉଳ ଖାଇ ବଞ୍ଚି ରହିଛୁ । କିନ୍ତୁ ଗରିବମାନଙ୍କ ପାଇଁ କେବଳ ଚାଉଳ କ’ଣ ଯଥେଷ୍ଟ ?”
ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ରାଇଦିଘି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଇଦିଘି ଗାଁ ନିବାସୀ ଏବଂ ପଶ୍ଚିମ ବଙ୍ଗ ଖେତମଜୁର ସମିତିର ଜଣେ ସଦସ୍ୟା, ୪୦ ବର୍ଷୀୟା ନମିତା ହାଲଦାର କହିଲେ, “ଗାଁର ମହିଳାମାନେ ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇଛନ୍ତି’’। ଆମର ଭଲ ସରକାରୀ ହାସପାତାଳରେ ମାଗଣା ଚିକିତ୍ସା ସୁବିଧା ଦରକାର । କାହିଁକି ନା ଆମେ ଘରୋଇ ନର୍ସିଂ ହୋମ୍ରେ ଚିକିତ୍ସା ବାବଦ ଖର୍ଚ୍ଚ ତୁଲାଇ ପାରିବୁନି । ଏହି କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରା ନଗଲେ କୃଷି କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିବ ! ସରକାର ଯଦି ବଡ଼ ବଡ଼ ଘରୋଇ କମ୍ପାନି ପାଇଁ ସବୁ ରାସ୍ତା ଖୋଲିଦେବେ, ତେବେ ଦରିଦ୍ରମାନେ ଏବେ ଯେଉଁ ଟିକକ ଖାଦ୍ୟ ପାଇ କୌଣସି ପ୍ରକାରେ ଚଳିଯାଉଛନ୍ତି, ତାହା ବି ସେମାନଙ୍କୁ ମିଳିବ ନାହିଁ । କମ୍ପାନିମାନେ କେବଳ ଫାଇଦା କଥା ବୁଝନ୍ତି । ଆମେ ମରିଗଲେ ବି ସେମାନେ ଖାତିର କରନ୍ତିନି । ଆଗକୁ ଆମେ ନିଜେ ଯେଉଁ ଖାଦ୍ୟଶସ୍ୟ ଚାଷ କରିବୁ ତାକୁ ବି କିଣିବାରେ ସମର୍ଥ ହେବୁନି ।”
ତାଙ୍କ ମତରେ ବି, ବିଭିନ୍ନ ଆନ୍ଦୋଳନ ସ୍ଥଳରେ ମହିଳାମାନେ ନ ରହିବାର ପ୍ରଶ୍ନ ହିଁ ଉଠୁନାହିଁ । ସେ କହିଲେ, “ସଭ୍ୟତାର ପ୍ରାରମ୍ଭ କାଳରୁ ହିଁ ମହିଳାମାନେ ଚାଷବାସ କରିଆସୁଛନ୍ତି ।”
ନମିତା ବିଶ୍ୱାସ କରନ୍ତି ଯେ, ଲିଜ୍ରେ ଚାଷଜମି ନେଇ ସେଥିରେ ଧାନ, ପନିପରିବା ଏବଂ ଅନ୍ୟାନ୍ୟ ଫସଲ କରୁଥିବା ତାଙ୍କ ଭଳି ମହିଳା, ମହିଳା ଭାଗଚାଷୀ ଏବଂ କୃଷି ଶ୍ରମିକଙ୍କ ଉପରେ ଏହି ତିନିଟି ଆଇନର ଗୁରୁତର କୁପ୍ରଭାବ ପଡ଼ିବ । ସେ ପଚାରିଲେ, “ଆମେ ଯଦି ଆମ ଫସଲରୁ ଉପଯୁକ୍ତ ମୂଲ୍ୟ ନ ପାଇବୁ, ତେବେ ଆମର ଛୋଟ ଛୋଟ ପିଲା ଏବଂ ବୟସ୍କ ଶାଶୁ ଓ ଶ୍ୱଶୁର ଏବଂ ବାପାମାଆଙ୍କୁ କେମିତି ଖାଇବାକୁ ଦେବୁ ? ବଡ଼ ବଡ଼ କମ୍ପାନିର ମାଲିକମାନେ ଆମଠାରୁ ଅତି କମ୍ ଦରରେ ଫସଲ କିଣି ମହଜୁଦ କରି ରଖିବେ ଏବଂ ସେସବୁର ଦରଦାମ ନିୟନ୍ତ୍ରଣ କରିବେ ।”
କୃଷକମାନେ ଯେଉଁ ତିନିଟି ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ସେଗୁଡ଼ିକ ହେଲା: ଦରଦାମ ପ୍ରତିଶ୍ରୁତି ଓକୃଷି କ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।
ଏହି ‘ବିଧାନ ସଭା’ରେ ଗୃହୀତ ବିଭିନ୍ନ ପ୍ରସ୍ତାବରେ ମହିଳା କୃଷକ ଓ କୃଷି ଶ୍ରମିକମାନଙ୍କର ବିଭିନ୍ନ ଦାବି ପ୍ରତିଫଳିତ ହୋଇଥିଲା । ତିନିଟି କୃଷି ନୀତିର ତୁରନ୍ତ ପ୍ରତ୍ୟାହାର; ମହିଳାମାନଙ୍କୁ କୃଷକର ମାନ୍ୟତା ପ୍ରଦାନ କରି କୃଷି କ୍ଷେତ୍ରରେ ସେମାନଙ୍କ ଶ୍ରମକୁ ସ୍ୱୀକୃତି; ଜାତୀୟ କୃଷି କମିଶନ (ସ୍ୱାମୀନାଥନ କମିଶନ)ଙ୍କ ସୁପାରିସ ଅନୁସାରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ପ୍ରଦାନକୁ ସୁନିଶ୍ଚିତ କରିବା ଦିଗରେ ଆଇନ ପ୍ରଣୟନ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଣ ସକାଶେ ରହିଥିବା PDS (ସାଧାରଣ ବଣ୍ଟନ ବ୍ୟବସ୍ଥା)କୁ ସଶକ୍ତ କରିବା ପ୍ରଭୃତି ଦାବିଗୁଡ଼ିକ ଏଥିରେ ସମ୍ମିଳିତ ହୋଇଥିଲା ।
ଦିନଯାକର କାର୍ଯ୍ୟକ୍ରମ ଶେଷରେ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଭାଙ୍ଗର ବ୍ଲକ୍ର ମୁସଲମାନ ପରିବାରରୁ ଆସିଥିବା ମହିଳା କୃଷକମାନଙ୍କୁ ନେଇ ଆୟୋଜିତ ପ୍ରାୟ ୫୦୦ ମହିଳାଙ୍କର ଏକ ମଶାଲ ମିଛିଲ (ମଶାଲ ଶୋଭାଯାତ୍ରା) ଅନ୍ଧାରାଚ୍ଛନ୍ନ ଆକାଶର ପୃଷ୍ଠଭୂମି ଜଡ଼ିତ ସନ୍ଧ୍ୟାକୁ ଆଲୋକିତ କରିଥିଲା ।
ଚିତ୍ରାଙ୍କନ : ଲବଣୀ ଜାଙ୍ଗି, ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ସହରର ମୂଳ ବାସିନ୍ଦା, ଏବଂ ବଙ୍ଗାଳୀ ପ୍ରବାସୀ ଶ୍ରମିକ ସନ୍ଦର୍ଭରେ ପିଏଚ୍ଡି ଡିଗ୍ରୀ ପାଇଁ କୋଲକାତାର ସେଣ୍ଟର ଫର ଷ୍ଟଡିଜ୍ ଇନ୍ ସୋସିଆଲ ସାଇନ୍ସେସ୍ରେ କାର୍ଯ୍ୟରତ । ସେ ଜଣେ ଆତ୍ମଶିକ୍ଷିତ ଚିତ୍ରଶିଳ୍ପୀ ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି ।
ଅନୁବାଦ - ଓଡ଼ିଶାଲାଇଭ୍