କେବଳ ଜଣଙ୍କୁ ଛାଡ଼ି ଆଉ ସମସ୍ତଙ୍କୁକରୋନା ଭୂତାଣୁ ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିଲା; ସେଥିରେ କୌଣସି ଫରକ ପଡ଼ିଲା ନାହିଁ । ସରପଞ୍ଚ, ଗାଁ ଲୋକଙ୍କ ସହିତ ଚୁକ୍ତିନାମା କରି, ନିର୍ଦ୍ଦେଶନାମା ଜାରି କରିଥିଲେ। ପରିବାର ଗୋଟିଏ ମାସ ପାଇଁ ବାହାରକୁ ଯାଇପାରିବେ ନାହିଁ-ଯଦିଓ ବାଧ୍ୟତାମୂଳକ ସଙ୍ଗରୋଧ ଅବଧି ୧୪ ଦିନ ପାଇଁ ଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୂତାଣୁରେ ସଂକ୍ରମିତ ହୋଇଥିଲେ।

ଓସମାନାବାଦ ଜିଲ୍ଲାର ପ୍ରଥମ ମାମଲା ହୋଇଥିବାରୁ ତାଙ୍କ ପାଇଁ ସ୍ଥିତି ଆହୁରି ବିଗିଡ଼ିଗଲା। ଏହାଛଡ଼ା ସେ ହରିୟାଣାର ପାନିପତରୁ ତବଲିଗି ଜମାତ ସମାବେଶରେ ଯୋଗ ଦେଇ ଫେରିଥିଲେ।

ମହାରାଷ୍ଟ୍ରର ଓସମାନାବାଦ ଅନ୍ତର୍ଗତ ଉମର୍ଗା ତାଲୁକାର ସରକାରୀ ଡାକ୍ତରଖାନାରୁ ସେ ଆରୋଗ୍ୟ ଲାଭ କରିସାରିବା ପରେ ମଧ୍ୟ ତାଙ୍କ ପରିବାରକୁ ବାସ୍ତବରେ ଗୃହବନ୍ଦୀ କରି ରଖାଯାଇଥିଲା। “ଏହାର ଅର୍ଥ ଆମକୁ ଚାଷ କରିବାକୁ ମଧ୍ୟ ଦିଆଯାଉନଥିଲା,” ବୋଲି କୁହନ୍ତି ୩୧ ବର୍ଷୀୟ ମହମ୍ମଦ ସଲମାନ (ଛଦ୍ମନାମ)। “ଫସଲ ଅମଳ ପାଇଁ ସମୟ ହୋଇଯାଇଥିଲା ଓ ସେଗୁଡ଼ିକ ନଷ୍ଟ ହେବାକୁ ବସିଥିଲା, କିନ୍ତୁ ମୋ ପରିବାର ଘର ଭିତରେ ବନ୍ଦୀ ହୋଇ ରହିଥିଲେ। କିଛି ଫସଲ ଗୋରୁଗାଈ ନଷ୍ଟ କରିଦେଲେ ଏବଂ ଆଉ କିଛି ଶୁଖିଗଲା। ଆମେ କିଛି ବଞ୍ଚାଇ ପାରିଲୁ ନାହିଁ। ପାଖାପାଖି ୫୦,୦୦୦ ଟଙ୍କାର କ୍ଷତି ହେଲା।”

ସଲମାନ ମାର୍ଚ୍ଚ ୨୪ ତାରିଖରେ ପାନିପତରୁ ଫେରିଥିଲେ- ସେଦିନ ଭାରତରେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ସଟଡାଉନ ଘୋଷଣା କରିଥିଲେ। ଏହି ସପ୍ତାହରେ ଦିଲ୍ଲୀ ପ୍ରଶାସନିକ କର୍ତ୍ତୃପକ୍ଷ ତବଲିଗି ଜମାତର ମୁଖ୍ୟ କାର୍ଯ୍ୟାଳୟ ମର୍କଜ ନିଜାମୁଦ୍ଦିନରେ ୨୦୦୦ ଲୋକ ଏକତ୍ରିତ ହୋଇଥିବା ଜାଣିବାକୁ ପାଇଥିଲେ। ୧୯୨୬ରେ ପ୍ରତିଷ୍ଠା ହୋଇଥିବା ତବଲିଗି ଜମାତ ହେଉଛି ରାଜଧାନୀର ସବୁଠୁ ପୁରୁଣା ଇସଲାମିକ ସଂଗଠନ। ସେମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧାର୍ମିକ ସମାବେଶରେ ଅଂଶଗ୍ରହଣ କରିବା ଲାଗି ଏକତ୍ରିତ ହୋଇଥିଲେ, ଯାହାକି ଭୂତାଣୁ ସଂକ୍ରମଣର ହଟସ୍ପଟ ପାଲଟିଥିଲା। ଏହି କାର୍ଯ୍ୟକ୍ରମ ପରେ, ଘୃଣା ଅଭିଯାନ ଆରମ୍ଭ ହୋଇଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ସମୁଦାୟକୁ ବଦନାମ କରିବା ଲାଗି ଉଦ୍ଦିଷ୍ଟ ଥିଲା।

Mohammad Salman’s mobile phone shop. Several who did business with him pre-corona have stopped taking his calls.
PHOTO • Mohammad Salman
The government hospital at Osmanabad’s Umarga taluka, where he recovered
PHOTO • Narayan Gosawi

ବାମ : ମହମ୍ମଦ ସଲମାନଙ୍କ ମୋବାଇଲ ଦୋକାନ । କରୋନା ପୂର୍ବରୁ ଯେଉଁମାନେ ତାଙ୍କ ସହିତ କାରବାର କରୁଥିଲେ ସେମାନେ ତାଙ୍କର ଫୋନ ଉଠାଇବା ବନ୍ଦ କରି ଦେଇଥିଲେ। ଡାହାଣ : ଓସମାନାବାଦର ଉମର୍ଗା ତାଲୁକାର ସେହି ସରକାରୀ ଡାକ୍ତରଖାନା ଯେଉଁଠି ସେ ସୁସ୍ଥ ହୋଇଥିଲେ।

ସଲମାନ ଓ ତାଙ୍କ ପତ୍ନୀ ସେହି ନିର୍ଦ୍ଦିଷ୍ଟ ସମାବେଶରେ ଯୋଗ ଦେଇନଥିଲେ ସୁଦ୍ଧା କିଛି ଫରକ ପଡ଼ିନଥିଲା। “ଆମ ଗାଁରେ ଲୋକମାନେ ମୋ ପଛରେ ଏଣୁତେଣୁ କହିବାକୁ ଲାଗିଲେ। ମୋ ଠାରେ କୌଣସି ଲକ୍ଷଣ ନଥିଲା। କିନ୍ତୁ ଗ୍ରାମ ପଞ୍ଚାୟତ ଆମକୁ ପରୀକ୍ଷା କରାଇନେବାକୁ କହିଲା। ସେମାନେ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନଥିଲେ। ମୁସଲିମମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରାଗଲା ଏବଂ ଭାରତରେ କରୋନା ସଂକ୍ରମଣ ବଢ଼ାଇବା ନିମନ୍ତେ ସେମାନଙ୍କୁ ଦାୟୀ କରାଗଲା। ଆମ ଗାଁର ଲୋକମାନେ ମୋ ଆଡ଼କୁ ସନ୍ଦେହ ଦୃଷ୍ଟିରେ ଚାହୁଁଥିଲେ”, ବୋଲି ସେ କହିଥିଲେ ।

ଖୁବଶୀଘ୍ର ସ୍ଥିତି ଆହୁରି ବିଗିଡ଼ିଗଲା। ଏପ୍ରିଲ ୨ ତାରିଖରେ ସଲମାନଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଲା। “ସୌଭାଗ୍ୟବଶତଃ, ମୋ ପରିବାରର ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିଲା।,” ସେ କୁହନ୍ତି । “ପରଦିନ ମୋତେ ଡାକ୍ତରଖାନା ନିଆଗଲା।”

ଯଦିଓ ପୂର୍ବରୁ କ୍ଷତି ହୋଇସାରିଥିଲା। “ଗାଁର ଲୋକମାନେ ଚର୍ଚ୍ଚା ଆରମ୍ଭ କରିଦେଲେ ଯେ ମୋର ପରିବାର ଓସମାନାବାଦକୁ କରୋନା ସଂକ୍ରମଣ ନେଇ ଆସିଛନ୍ତି”, ସେ କୁହନ୍ତି। “ସରପଞ୍ଚ କହିଲେ, ମୋ ପରିବାର ଗୋଟିଏ ମାସ ପାଇଁ ଘରୁ ବାହାରି ପାରିବେ ନାହିଁ। ତେବେ ଭଲ କଥା ହେଉଛି, କିଛି ସଭ୍ୟ ଲୋକ ଥିଲେ, ସେମାନଙ୍କ ମଧ୍ୟରେ ମୋର କିଛି ପଡ଼ୋଶୀ ମଧ୍ୟ ଥିଲେ, ସେମାନେ ମୋ ଘରେ ଖାଦ୍ୟଦ୍ରବ୍ୟ ପହଞ୍ଚାଇ ଦେଉଥିଲେ। କିନ୍ତୁ ରକ୍ତ ଓ ଝାଳ ବୁହାଇ ଦୀର୍ଘ ଛଅ ମାସ ପରିଶ୍ରମ କରିବା ପରେ ଆମେ କରିଥିବା ରବି ଫସଲକୁ ଆମକୁ ଭୁଲିବାକୁ ପଡ଼ିଲା।”

ଗାଁ ଠାରୁ ତିନି କିମି ଦୂରରେ ସଲମାନଙ୍କର ୪.୫ ଏକର ଚାଷ ଜମି ରହିଛି। ତାଙ୍କ ପରିବାରରେ ସଲମାନ, ତାଙ୍କ ପତ୍ନୀ, ଦୁଇ ପିଲା, ଭାଇ, ଭାଉଜ ଏବଂ ତାଙ୍କ ବାପା-ମା’ଙ୍କୁ ମିଶାଇ ୮ ଜଣ ସଦସ୍ୟ ରହିଛନ୍ତି। ସେମାନେ ଚାଷ ଜମିରେ ଖରିଫ ଋତୁରେ ସୋୟାବିନ ଓ ମୁଗ ଚାଷ କରୁଥିବା ବେଳେ ରବି ଋତୁରେ ଯଅ ଏବଂ ଚଣା ଚାଷ କରିଥାନ୍ତି। “ଆମେ ମଜୁରିଆଙ୍କୁ ଲଗାଇ ଫସଲ ଅମଳ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ କେହି ଆମ ପାଇଁ କାମ କରିବା ଲାଗି ରାଜି ହେଲେ ନାହିଁ”, ସେ କୁହନ୍ତି। “ଆମର ଚାଷ ଜମିରେ ଦୁଇଟି ବୋରୱେଲ ଅଛି ଏବଂ କୂଅ ମଧ୍ୟ ଖୋଳା ହୋଇଛି। ତଥାପି ଫସଲ ଶୁଖିଗଲା କାରଣ କେହି ଆମକୁ ସାହାଯ୍ୟ କଲେ ନାହିଁ।”

ମହାରାଷ୍ଟ୍ରରେ ବର୍ତ୍ତମାନ ୪.୮ ଲକ୍ଷ କରୋନା ଭୂତାଣୁ ମାମଲା ରହିଛି। କିନ୍ତୁ ଲକଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୟ ଖୁବ ଅଧିକ ଥିଲା। ଭବିଷ୍ୟତକୁ ନେଇ ଭୟ ସୃଷ୍ଟି ହେଉଥିଲା। କମ୍ ସୂଚନା ଥିବାରୁ ଭୟ ଅଧିକ ରହିଥିଲା।

“ସମସ୍ତଙ୍କୁ ଲକଡାଉନ ବାଧିଥିଲା,” ସଲମାନ କୁହନ୍ତି। “ଚାଷୀ ସେମାନଙ୍କ ଉତ୍ପାଦିତ ଫସଲ ମଣ୍ଡିକୁ ନେଇପାରିଲେ ନାହିଁ। ଆମେ କ୍ଷତିଗ୍ରସ୍ତ ହେବା କାରଣରୁ ଚିନ୍ତିତ ଥିଲୁ। ଆହୁରି ଭୂତାଣୁ ଯୋଗୁ ସଂକ୍ରମିତ ହେବାର ଭୟ ଘାରୁଥିଲା। ଲାଗୁଥିଲା ଯେମିତି ଆମ ସମାଜ ଏହି ବିପତ୍ତି ପାଇଁ ଦାୟୀ କରିବା ଲାଗି ଜଣେ ଖଳନାୟକକୁ ଖୋଜୁଛି। ଏବଂ ମୁସଲମାନମାନଙ୍କୁ ଟାର୍ଗେଟ କରାଗଲା।”

By the time Shilpa and Tanuj Baheti of Jalna district tested positive for Covid-19, Maharashtra had crossed 1.5 lakh cases
PHOTO • Courtesy: Tanuj Baheti
By the time Shilpa and Tanuj Baheti of Jalna district tested positive for Covid-19, Maharashtra had crossed 1.5 lakh cases
PHOTO • Courtesy: Tanuj Baheti

ଜଲନା ଜିଲ୍ଲାର ଶିଳ୍ପା ଓ ତନୁଜ ବହେଟି କୋଭିଡ-!(ରେ ସଂକ୍ରମିତ ହେବା ସମୟରେ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷ ଟପିଥିଲା।

ସଲମାନ କୁହନ୍ତି, “ଟିଭି ଚ୍ୟାନେଲଗୁଡ଼ିକ ମୁସଲିମମାନଙ୍କ ନିର୍ଯାତନାକୁ ବଢ଼ାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କଲେ।” “ଲକଡାଉନ ସମୟରେ ଲୋକମାନେ ନିଷ୍କ୍ରିୟ ହୋଇ ବସି ରହିଥିଲେ,” ସେ କୁହନ୍ତି। “ସେମାନେ ଦିନ ସାରା ସେମାନଙ୍କ ମୋବାଇଲରେ ନ୍ୟୁଜ କ୍ଲିପିଂଗୁଡ଼ିକୁ ବାରମ୍ବାର ଦେଖୁଥିଲେ। ଏବଂ ସେହି ନ୍ୟୁଜ କ୍ଲିପଗୁଡ଼ିକ କେବଳ ମୁସଲିମମାନଙ୍କୁ ଖଳନାୟକ ସଜାଇଥିଲା।”

ଏପରିକି ଏକ ମରାଠୀ ଚ୍ୟାନେଲ ପଜିଟିଭ ଆସିବା ପରେ ସଲମାନଙ୍କ ଫଟୋ ପ୍ରସାରଣ କରି ଦେଇଥିଲା। “ସେହି କ୍ଲିପ ହ୍ୱାଟ୍ସଆପରେ ଭାଇରାଲ ହେବାରେ ଲାଗିଲା”,ସେ କୁହନ୍ତି। “ତାଲୁକାରେ ସମସ୍ତେ ଏହାକୁ ଦେଖିଲେ। ଲୋକମାନେ ମୋ ଆଡ଼କୁ ଭିନ୍ନ ଦୃଷ୍ଟିରେ ଚାହିଁଲେ। ମୋ ପରିବାର ଲଜ୍ଜିତ ହେଲା। ଏହା ବେଶ ଅପମାନଜନକ ଥିଲା।”

ଡାକ୍ତରଖାନାରେ ସ୍ଥିତି ଭଲ ଥିଲା। ସଲମାନଙ୍କୁ ପ୍ରଥମ ରୋଗୀ ଭାବେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତରମାନେ ଅଭାବ ଅସୁବିଧା ବୁଝୁଥିଲେ-ଡାକ୍ତରଖାନାରେ ଅଧିକ ରୋଗୀ ନଥିଲେ। “ମୋର ନିୟମିତ ଚେକଅପ କରାଯାଉଥିଲା,” ସେ କୁହନ୍ତି। “ମୋ ୱାର୍ଡ ବେଶ ସଫାସୁତୁରା ଥିଲା। ୨୦ ଦିନ ପରେ ମୁଁ ଯେତେବେଳେ ଡାକ୍ତରଖାନା ମୋତେ ଛାଡ଼ିଲା, ସେମାନେ ଏକ ଛୋଟିଆ ସମାରୋହ ଆୟୋଜନ କରିଥିଲେ କାରଣ ମୁଁ ସୁସ୍ଥ ହୋଇଥିବା ପ୍ରଥମ ରୋଗୀ ଥିଲି।’’

ଏ କ୍ଷେତ୍ରରେ ଶିଳ୍ପା ଓ ତନୁଜ ବହେଟି କମ୍ ଭାଗ୍ୟଶାଳୀ ଥିଲେ। ଜୁନ ଶେଷ ସପ୍ତାହରେ ସେମାନେ କୋଭିଡ-19 ପଜିଟିଭ ଚିହ୍ନଟ ହେବା ବେଳକୁ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ମାମଲା ୧.୫ ଲକ୍ଷ ଟପିଯାଇଥିଲା। ଭୂତାଣୁ କେବଳ ସହରାଞ୍ଚଳରେ ସୀମିତ ରହିନଥିଲା। ଗ୍ରାମୀଣ ଇଲାକାରେ ଦୁର୍ବଳ ସ୍ଥିତିରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ଚାପଗ୍ରସ୍ତ ହୋଇପଡ଼ିଥିଲା।

ଓସମାନାବାଦ ଠାରୁ ୨୨୦ କିମି ଦୂର ଜଲନା ସହରବାସିନ୍ଦା ଶିଳ୍ପା ଓ ତନୁଜ ପ୍ରଥମ ଦୁଇ ଦିନ ଜିଲ୍ଲା ସରକାରୀ ଡାକ୍ତରଖାନାରେ ରହିଥିଲେ ଏବଂ ଏହାପରେ ଗୋଟିଏ ସପ୍ତାହ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ସେମାନଙ୍କୁ ଉଭୟ ସ୍ଥାନକୁ ଯେପରି ଭାବେ ନିଆଗଲା ତାହା ଅସ୍ୱାଭାବିକ ଥିଲା।

Tanuj and Shilpa with their discharge papers, outside the quarantine centre
PHOTO • Courtesy: Tanuj Baheti

ତନୁଜ ଓ ଶିଳ୍ପା ସେମାନଙ୍କ ଡିସଚାର୍ଜ ପେପର ସହିତ କ୍ୱାରେଣ୍ଟାଇନ କେନ୍ଦ୍ର ବାହାରେ

ନିଜର ହାଉସିଂ ସୋସାଇଟିରେ ଅନ୍ୟମାନଙ୍କୁ ଭୟଭୀତ କରିବାକୁ ଚାହୁଁନଥିବାରୁ ତନୁଜ ଜ୍ୱରରେ କମ୍ପୁଥିଲେ ସୁଦ୍ଧା ଆମ୍ବୁଲାନ୍ସ ଡାକିବା ବଦଳରେ ସେ ବାଇକ ଚଳାଇ ଡାକ୍ତରଖାନାକୁ ଯାଇ ନିଜକୁ ଭର୍ତ୍ତି କରାଇ ନେଇଥିଲେ। “ସହରାଞ୍ଚଳ ଡାକ୍ତରଖାନାରେ ଡାକ୍ତରମାନେ ମୋତେ ଭଲ ଭାବେ ଜାଣିଥିଲେ,” ସେ କୁହନ୍ତି। “ସେମାନେ ଜାଣିଥିଲେ ଯେ ମୁଁ ଦାୟିତ୍ୱହୀନଙ୍କ ଭଳି ବ୍ୟବହାର ନକରି ସେମାନଙ୍କ ନିକଟକୁ ଚାଲିଆସିବି । ମୋ ପତ୍ନୀ ଏକ ରିକ୍ସାରେ ଆସିଲେ।”

ଉଭୟ ଦମ୍ପତି ପଜିଟିଭ ଚିହ୍ନଟ ହେବା ପରେ ସେମାନେ ନିଜର ୧୩ ବର୍ଷୀୟ ଝିଅକୁ ସେହି ଜଲନା ସହରରେ ଥିବା ତା’ର ଆଈ-ମା’ଙ୍କ ଘରକୁ ପଠାଇଦେଲେ। ଝିଅର ରିପୋର୍ଟ ନେଗେଟିଭ ଆସିଥିଲା।

“ଆମର ଉଭୟଙ୍କ ଶରୀରରେ ତାପମାତ୍ରା ୧୦୨ ଡିଗ୍ରୀ ଥିଲା,” ସରକାରୀ ଅନୁଦାନପ୍ରାପ୍ତ ଜଲନା ଏଜୁକେସନାଲ ସୋସାଇଟି କଲେଜରେ ପ୍ରଫେସର ଥିବା ୪୦ବର୍ଷୀୟା ଶିଳ୍ପା କୁହନ୍ତି। “ଡାକ୍ତରଖାନାରେ ଦୁଇ ଦିନ ରହିବା ପରେ ଆମେ ଅଧିକ ଗୁରୁତର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନିକଟସ୍ଥ ଏକ କୋଠାକୁ ସ୍ଥାନାନ୍ତରିତ ହେଲୁ।” ଜଲନା ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସେହି କୋଠାଟିକୁ ଏକ କ୍ୱାରେଣ୍ଟାଇନ କେନ୍ଦ୍ରରେ ରୂପାନ୍ତରିତ କରି ଦିଆଯାଇଥିଲା।

୪୨ ବର୍ଷୀୟ ତନୁଜ କୁହନ୍ତି, ଦୁଇ ମହଲା ବିଶିଷ୍ଟ କ୍ୱାରେଣ୍ଟାଇନ କେନ୍ଦ୍ରକୁ ରୋଗୀମାନଙ୍କୁ ନିଆଯାଉଥିବା ସମୟରେ ସେମାନଙ୍କୁ ନିଜ ଲଗେଜ ସହିତ ଚାଲି ଚାଲି ଯିବାକୁ ପଡ଼ିଲା। “ଆମେ ଅସୁସ୍ଥ ଥିଲୁ। ଆମକୁ ଅଧିକ ଜ୍ୱର ଥିଲା। ଆମେ ଦୁର୍ବଳ ଅନୁଭବ କରୁଥିଲୁ। କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ଚିବା ପରେ ଆମ ଦୁହିଁଙ୍କ ରହିବା ଭଳି ଗୋଟିଏ କୋଠରୀ ଦେବାକୁ ମୁଁ ଅନୁରୋଧ କଲି”, ସେ କୁହନ୍ତି। “ତଳ ମହଲାରେ ଏକ ସାଧାରଣ ୱାର୍ଡ ଥିଲା, କିନ୍ତୁ ଆମେ ଦ୍ୱିତୀୟ ମହଲାରେ ଆମ ପାଇଁ ଏକ କୋଠରୀ ପାଇଗଲୁ। ଆମେ ପହଞ୍ଚିବା ସମୟରେ ତାହା ଧୂଳି ଭର୍ତ୍ତି ଓ ଅପରିଷ୍କାର ଥିଲା। ସେହି ମହଲାରେ ସମସ୍ତଙ୍କ ପାଇଁ ରହିଥିବା ପାଇଖାନାଟି ଅତି ଅପରିଷ୍କାର ଥିଲା, ଲାଇଟ ନଥିଲା ଏବଂ ପାଣି ବୋହି ଚାଲିଥିଲା।”

ଜଲନାରେ ଡେଟଲ କମ୍ପାନୀର ବିତରକ ଥିବା ତନୁଜଙ୍କୁ ସେହି ମହଲାରେ ରହୁଥିବା ଆଉ ଜଣେ ରୋଗୀ  କହିଲେ ଯେ ତାଙ୍କୁ ଦିଆଯାଇଥିବା କୋଠରୀର ଅବସ୍ଥା ବହୁଦିନ ଧରି ଏପରି ରହିଛି। “ମୁଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲି, ବାରମ୍ବାର କଲ୍ କଲି-ଏବଂ ଦୁଇ କିମ୍ବା ତିନି ଦିନ ପରେ ତାହା ସଫଳ ହେଲା,” ସେ କୁହନ୍ତି। “ମୁଁ ଏହାର ଏକ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲି ଯାହାକି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା।”

ଶିଳ୍ପା କୁହନ୍ତି, “ଅପରିଷ୍କାର ପାଇଖାନା ମହିଳାଙ୍କ ପାଇଁ ବିଶେଷ କ୍ଷତିକାରକ।” “ପୁରୁଷମାନେ ଯେମିତି ସେମିତି ଚଳାଇନେବେ,” ସେ କୁହନ୍ତି।

ତନୁଜ କୁହନ୍ତି, ସେହି କ୍ୱାରେଣ୍ଟାଇନ କେନ୍ଦ୍ରରେ ଗୋଟିଏ ସପ୍ତାହ ରହିବା ରୋଗୀର ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ। “ଏପରି ସ୍ଥାନରେ ଆପଣଙ୍କୁ ମିଳୁଥିବା ଖାଦ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥାଏ। ମୋର ଜଣେ ବନ୍ଧୁଙ୍କୁ ଦିଆଯାଇଥିବା ଶୁଖିଲା ଫଳରୁ ପୋକ ବାହାରିଥିଲା। ରୋଗୀମାନେ ମାନସିକ ଭାବେ ଚାପଗ୍ରସ୍ତ ରହି ସଂଘର୍ଷ କରୁଥିବା ସମୟରେ ଆପଣ ଅତିକମ୍‌ରେ ସେମାନଙ୍କୁ ସାନ୍ତ୍ୱନା ଦେଇପାରିବେ। କରୋନା ଭୂତାଣୁକୁ ନେଇ ଅନେକ ହିନମନ୍ୟତା ରହିଛି। ଲୋକମାନେ ଆପଣଙ୍କ ସହିତ ଏପରି ବ୍ୟବହାର କରିବେ ଯେମିତି ଆପଣ ଏକ ଅପରାଧ କରିଛନ୍ତି।”

Tanuj Baheti outside his shop that sells Dettol. He  has benefited from the lockdown – the demand for Dettol has never been higher
PHOTO • Courtesy: Tanuj Baheti

ଡେଟଲ ବିକ୍ରି ହେଉଥିବା ନିଜ ଦୋକାନ ବାହାରେ ତନୁଜ ବହେଟି। ଲକଡାଉନ ଯୋଗୁଁ ସେ ବିଶେଷ ଲାଭବାନ ହୋଇଛନ୍ତି-ଡେଟଲର ଚାହିଦା କେବେ ବି ଅଧିକ ନଥିଲା।

କ୍ୱାରେଣ୍ଟାଇନ କେନ୍ଦ୍ରରେ ସେହି ଅସହଜ ସମୟ ଯେନତେନ ପ୍ରକାରେ ବିତାଇ ଦେବା ପରେ ଉଭୟ ଜୁଲାଇ ଦ୍ୱିତୀୟ ସପ୍ତାହରେ ଘରକୁ ଫେରିଲେ। “ଏହାପରେ ଆମେ ଡାକ୍ତରମାନଙ୍କ ପରାମର୍ଶ ମାନି ଆହୁରି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଘର ଭିତରେ ରହିଲୁ,” କୁହନ୍ତି ତନୁଜ।

ବିଡ଼ମ୍ବନା କ୍ରମେ - ଡେଟଲର ବିତରକ ହୋଇଥିବା କାରଣରୁ- ସେ ଲକଡାଉନ ଯୋଗୁଁ ଲାଭବାନ ହେଲେ। ସେ କୁହନ୍ତି, ବାରମ୍ବାର ହାତ ସଫା କରିବା ଲାଗି ଜୋର ଦିଆଯିବା କାରଣରୁ ଡେଟଲର ଚାହିଦା ବଢ଼ିଲା ଯାହାକି ଜଲନା ଜିଲ୍ଲାରେ ପୂର୍ବରୁ କେବେ ଦେଖାଯାଇନଥିଲା। “କରୋନା ଭୂତାଣୁ ଆସିବା ପୂର୍ବରୁ ମୁଁ ମାସିକ ୩୦,୦୦୦ ଟଙ୍କା ଆୟ କରୁଥିବା ସମୟରେ ତାହା ୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇଲା। ମୁଁ କାମ କରିପାରିନଥିବା ମାସଟିକୁ ଛାଡ଼ି ବାକି ମାସଗୁଡ଼ିକରେ ମୁଁ ଭଲ ଲାଭ ଅର୍ଜନ କଲି।” ପରିବାର ପାଖରେ ଶିଳ୍ପାଙ୍କର ସରକାରୀ କଲେଜରେ ଚାକିରି ମଧ୍ୟ ଥିଲା।

“ଇତିମଧ୍ୟରେ ଦୁଇ ସପ୍ତାହ ବିତିଗଲାଣି ଏବଂ ଆମ ଜୀବନ ଧୀରେ ଧୀରେ ସ୍ୱାଭାବିକ ହେଉଛି। ଆମ ଚାରିପାଖରେ ଥିବା ଲୋକମାନେ ଫେରିବା ପରେ ଆମକୁ ସ୍ୱାଗତ କରିଛନ୍ତି,” କୁହନ୍ତି ତନୁଜ।

ତେବେ, ସଲମାନ କିନ୍ତୁ ଏତେ ସୁବିଧା ପାଇନାହାନ୍ତି। କରୋନା ଭୂତାଣୁର ଭଲ ହେବାର ତିନି ମାସ ପରେ ମଧ୍ୟ, ରାସ୍ତାରେ ଚାଲି ଚାଲି ଯିବା ବେଳେ ଲୋକମାନେ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। “ସେମାନେ (ଗାଁରେ ଅନ୍ୟମାନେ) ବିନା ମାସ୍କରେ ଚାରିଆଡ଼େ ବୁଲୁଛନ୍ତି-କିନ୍ତୁ ମୋ ଘର ପାଖକୁ ଆସିଲେ ପିନ୍ଧି ଦେଉଛନ୍ତି”, ବୋଲି ସେ କୁହନ୍ତି। “ସେମାନେ ଏବେ ବି ମୋ ଆଡ଼କୁ ସନ୍ଦେହ ଦୃଷ୍ଟିରେ ଚାହୁଁଛନ୍ତି। ମୋ ପରେ ମୁମ୍ବାଇ ଓ ପୁଣେରୁ ଫେରିଥିବା ବହୁ ଲୋକ ଓସମାନାବାଦକୁ ଭାଇରସ ନେଇ ଆସିଥିଲେ। ମୋତେ ଯେମିତି ଅପମାନିତ କରାଯାଇଥିଲା ଓ କରାଯାଉଛି ସେମାନଙ୍କ ସହିତ ସେପରି ବ୍ୟବହାର ହେଉନାହିଁ।’’

ଗତବର୍ଷ ନଭେମ୍ବର ମାସରେ ସଲମାନ ଏକ ଦୋକାନ ଖୋଲି ମୋବାଇଲ ବିକ୍ରି କରିବା ଆରମ୍ଭ କରିଥିଲେ। “ସେତେବେଳେ ଦୀପାବଳି ଥିଲା,” ସେ କୁହନ୍ତି। “କିଛି ନୂଆ କରିବା ପାଇଁ ତାହା ଭଲ ସମୟ ଥିଲା।” ଲକଡାଉନ ଆସିବା ପୂର୍ବରୁ ଗୋଟିଏ ମାସ ସେ ୨୦,୦୦୦ ଟଙ୍କାର ଭଲ ଲାଭ କରିଥିଲେ। ଜୁନ ମାସରେ ସେ ଯେତେବେଳେ ମୋବାଇଲ ଦୋକାନ ପୁନର୍ବାର ଖୋଲିଲେ, ଲୋକମାନେ ତାଙ୍କ ଠାରୁ କିଣିବା ଲାଗି କୁଣ୍ଠାବୋଧ କଲେ ବୋଲି ସେ କୁହନ୍ତି। କରୋନା ପୂର୍ବରୁ ଯେଉଁମାନେ ତାଙ୍କ ସହିତ ବ୍ୟବସାୟ କରୁଥିଲେ ସେମାନେ ତାଙ୍କ ଫୋନ ଉଠାଇଲେ ନାହିଁ।

ଅନ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସୁସ୍ଥ ହେବା ଲାଗି ସେ ପ୍ଲାଜମା ଦାନ କଲେ ମଧ୍ୟ କୌଣସି ଫରକ ପଡ଼ିଲା ନାହିଁ ବୋଲି ସେ କୁହନ୍ତି।  ସେ ଆହୁରି କୁହନ୍ତି, “ମୁଁ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୋ ଦୋକାନରେ ବସିଲି। କିନ୍ତୁ କେହି ଦୋକାନ ପାଖକୁ ଆସୁନଥିଲେ। ମୁଁ ନିଷ୍କ୍ରିୟ ଭାବେ ବସି ରହୁଥିଲି, ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଦେଖୁଥିଲି ଓ ସନ୍ଧ୍ୟାରେ ଘରକୁ ଫେରି ଯାଉଥିଲି। ଦୁଇ ସପ୍ତାହ ପରେ ନିରାଶ ହୋଇ ମୋତେ ମୋ ଦୋକାନ ବନ୍ଦ କରିବାକୁ ପଡ଼ିଲା।”

ପ୍ରଚ୍ଛଦ ଅଳଙ୍କରଣ: ଅନ୍ତରା ରମଣ ବେଙ୍ଗାଲୁରୁସ୍ଥିତ ସୃଷ୍ଟି ଇନଷ୍ଟିଚ୍ୟୁଟ ଅଫ ଆର୍ଟ, ଡିଜାଇନ ଓ ଟେକ୍ନୋଲୋଜିରୁ ନିକଟରେ ଉତ୍ତୀର୍ଣ୍ଣ ଜଣେ ଭିଜୁଆଲ କମ୍ୟୁନିକେସନ ସ୍ନାତକ। ତାଙ୍କର ଅଳଙ୍କରଣ ଓ ଡିଜାଇନଗୁଡ଼ିକରେ ବିଷୟଗତ କଳା ଓ ଆଖ୍ୟାନବର୍ଣ୍ଣନାର ସମସ୍ତ ଦିଗର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

पार्थ एम एन, साल 2017 के पारी फ़ेलो हैं और एक स्वतंत्र पत्रकार के तौर पर विविध न्यूज़ वेबसाइटों के लिए रिपोर्टिंग करते हैं. उन्हें क्रिकेट खेलना और घूमना पसंद है.

की अन्य स्टोरी Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE