“କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ସନ୍ଧ୍ୟା ୭ଟାରୁ ସକାଳ ୭ଟା ମଧ୍ୟରେ ସାଧାରଣ ଲୋକଙ୍କ ଯାତାୟାତ ‘ସଂପୂର୍ଣ୍ଣ ନିଷିଦ୍ଧ’ ରହିବ।”

- କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଆଦେଶପତ୍ର (ମେ ୧୭ ତାରିଖର ଇଣ୍ଡିଆ ଟୁଡେରିପୋର୍ଟରେ ପ୍ରକାଶିତ)

ଏହି ଆଦେଶପତ୍ରରେ “ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆଶ୍ଵସ୍ତିର ବିଷୟ ଏତିକି ଥିଲା ଯେ ଅନ୍ତଃରାଜ୍ୟ ଯାତ୍ରୀବାହୀ ଗାଡ଼ି ଓ ବସ ଚଳାଚଳକୁ ଏଥିରେ ଅନୁମତି ଦିଆଯାଇଥିଲା” (କେବଳ ଯଦି ଦୁଇ ପଡ଼ୋଶୀ ରାଜ୍ୟ ଏଥିରେ ରାଜି ହୁଅନ୍ତି) । କିନ୍ତୁ ବିଭିନ୍ନ ରାଜପଥରେ ପାଦରେ ଚାଲି ଚାଲି ସହରର ସାଂଗଠନିକ ବ୍ୟବସ୍ଥା ପରିତ୍ୟାଗ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସଂପର୍କରେ ଏଥିରେ କିଛି କୁହାଯାଇ ନଥିଲା ।

ଗ୍ରୀଷ୍ମକାଳର ସର୍ବାଧିକ ଉତ୍ତପ୍ତ ପର୍ଯ୍ୟାୟରେ, ତାପମାତ୍ରା ୪୭ ଡିଗ୍ରୀ ସେଲ୍‌ସିୟସ୍‌ ଛୁଉଁଥିବା ସମୟରେ ଜାରି କର୍ଫ୍ୟୁର ସେଇ ସମୟ ନିର୍ଘଣ୍ଟ ଯୋଗୁଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେମାନେ ଚାଲିବାକୁ ବାଧ୍ୟ ହେଉଥିଲେ ।

ମାସକ ପୂର୍ବରୁ, କର୍ଫ୍ୟୁ ଜାରି ହେବା ଯୋଗୁଁ କାମ ଓ ରୋଜଗାର ଅଟକି ଯିବା ପରେ, ତେଲଙ୍ଗାନାର ଲଙ୍କାମରିଚ କ୍ଷେତରେ କାମ କରୁଥିବା ୧୨ ବର୍ଷୀୟା ଆଦିବାସୀ ଝିଅ ଜାମଲୋ ମାଡ଼କାମ, ଛତିଶଗଡ଼ର ନିଜ ଘରକୁ ଫେରିଯିବା ପାଇଁ ପାଦରେ ଚାଲିବା ଆରମ୍ଭ କରିଥିଲା । ଏହି ଝିଅଟି ତିନି ଦିନରେ ୧୪୦ କିଲୋମିଟର ରାସ୍ତା ଚାଲି ସାରିଥିଲା, କିନ୍ତୁ ତା’ପରେ, ଘରଠାରୁ ୬୦ କିଲୋମିଟର ପୂର୍ବରୁ, କ୍ଲାନ୍ତି, ଶରୀରରେ ଜଳୀୟ ଅଂଶର ଅଭାବ ଏବଂ ମାଂସପେଶୀ ଦୁର୍ବଳତା କାରଣରୁ ପ୍ରାଣ ହରାଇଥିଲା । ଏମିତିକା କର୍ଫ୍ୟୁ ନିର୍ଦ୍ଦେଶ ଆଉ କେତେ ଜଣ ଜାମଲୋ ସୃଷ୍ଟି କରିବ ?

ପ୍ରଥମେ, ମାର୍ଚ୍ଚ ୨୪ ତାରିଖ ଦିନ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଆତଙ୍କ ଖେଳାଇ ଦେଇଥିଲା । ୧୩୦ କୋଟି ମାନବଙ୍କର ଏକ ଦେଶକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ମାତ୍ର ଚାରି ଘଣ୍ଟା ସମୟ ଦିଆଯାଇଥିଲା । ସବୁ ଜାଗାରୁ ପ୍ରବାସୀ ଶ୍ରମିକମାନେ ଲମ୍ବା ପଦଯାତ୍ରାରେ ଘରକୁ ବାହାରିଲେ । ତା’ପରେ ଯେଉଁମାନଙ୍କୁ ପୋଲିସ ମାଡ଼ ମାରି ସେମାନଙ୍କ ସହରୀ ବସ୍ତିକୁ ଫେରାଇ ପାରିଲା ନାହିଁ, ସେମାନଙ୍କୁ ରାଜ୍ୟ ସୀମାରେ ଆମେ ଅଟକାଇଲୁ । ଆମେ ଲୋକଙ୍କ ଉପରେ ବିଶୋଧକ ଛିଞ୍ଚିଲୁ । ସେମାନଙ୍କ ମଧ୍ୟରୁ ଅନେକ ‘ସହାୟତା ଶିବିର’କୁ ଗଲେ । କାହା ପାଇଁ ସହାୟତା, ତାହା କହିବା କଷ୍ଟ ।

ସ୍ଵାଭାବିକ ଦିନ ତୁଳନାରେ ଲକ୍‌ଡାଉନ୍‌ ସମୟରେ ମୁମ୍ବାଇ-ନାସିକ ରାଜପଥ ଅଧିକ ବ୍ୟସ୍ତବହୁଳ ଲାଗୁଥିଲା । ଲୋକେ ଯେଉଁ ରାସ୍ତାରେ ପାରିବେ, ସେହି ରାସ୍ତାରେ ଚାଲିଲେ । କିଛି ବର୍ଷ ତଳେ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିବା ବିମଳେଶ ଜୟସ୍ଵାଲ, ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ, ଗୋଟିଏ ଗିଅର ବିହୀନ ସ୍କୁଟରରେ ମହାରାଷ୍ଟ୍ରର ପାନବେଲରୁ ମଧ୍ୟପ୍ରଦେଶର ରେୱା ଯାଏଁ ୧,୨୦୦ କିଲୋମିଟର ଯାତ୍ରା କରିଥିଲେ । ସେ ପଚାରନ୍ତି, “ଚାରି ଘଣ୍ଟା ସମୟ ଦେଇ ଗୋଟିଏ ଦେଶକୁ କିଏ ବନ୍ଦ କରିଦିଏ ?” ଛାଡ଼ନ୍ତୁ ବିମଳେଶ, ସେ ପ୍ରଶ୍ନର ଉତ୍ତର ତ ଆପଣ ଜାଣନ୍ତି ।
Left: How many more Jamlos will such curfew orders create? Right: Bimlesh Jaiswal rode a scooter (he has only one leg) across 1,200 kms
PHOTO • Kamlesh Painkra
Left: How many more Jamlos will such curfew orders create? Right: Bimlesh Jaiswal rode a scooter (he has only one leg) across 1,200 kms
PHOTO • Parth M.N.

ବାମ; ଏଭଳି କର୍ଫ୍ୟୁ ନିର୍ଦ୍ଦେଶ ଆଉ କେତେ ଜଣ ଜାମଲୋ ସୃଷ୍ଟି କରିବ ? ଡାହାଣ: ବିମଳେଶ ଜୟସ୍ଵାଲ (ତାଙ୍କର ଗୋଟିଏ ମାତ୍ର ଗୋଡ଼ ଅଛି) ଗୋଟିଏ ସ୍କୁଟରରେ ୧,୨୦୦ କିଲୋମିଟର ଯାତ୍ରା କଲେ

ଇତ୍ୟବସରରେ, ଆମେ କହିଲୁ: “ହେ ଭାଇମାନେ, ସବୁ ଜାଗାରେ ଆମେ ଟ୍ରେନ୍‌ ବନ୍ଦୋବସ୍ତ କରିଦେବୁ ଏବଂ ତୁମମାନଙ୍କୁ ଘରକୁ ପଠାଇଦେବୁ ।” ଆଉ ଆମେ କଲୁ, ଏବଂ ଭୋକିଲା, ହତାଶ ଲୋକଙ୍କ ପାଖରୁ ପୂରା ରେଳଭଡ଼ା ଦାବି କଲୁ । ତା’ପରେ ଆମେ କେତେକ ଟ୍ରେନ୍‌ ବାତିଲ କରିଦେଲୁ । କାହିଁକି ନା ବିଲ୍‌ଡର ଓ ଅନ୍ୟ କେତେକ ଗୋଷ୍ଠୀ ସେମାନଙ୍କ ବନ୍ଦୀ ଶ୍ରମିକମାନଙ୍କ ପଳାୟନକୁ ରୋକିବାକୁ ଚାହୁଁଥିଲେ । ଏସବୁ ଏବଂ ଅନ୍ୟ କେତେକ ବିବାଦୀୟ ପ୍ରସଙ୍ଗ ଯୋଗୁଁ ବହୁସଂଖ୍ୟକ ରେଳ ଚଳାଚଳ ଆରମ୍ଭ ହେବାରେ ସାଂଘାତିକ ବିଳମ୍ବ ହେଲା । ମେ ୨୮ରେ ସରକାର ସୁପ୍ରିମ କୋର୍ଟଙ୍କୁ କହିଲେ ଯେ  ମେ ୧ ତାରିଖରୁ ଚଳାଚଳ ଆରମ୍ଭ କରିଥିବା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ ଯୋଗେ ୯୧ ଲକ୍ଷ ଲୋକ ସେମାନଙ୍କ ନିଜ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି । ଆଉ ରେଳଭଡ଼ା ସଂପର୍କରେ ସଲିସିଟର ଜେନେରାଲ କହିଲେ ଯେ, କେତେକ କ୍ଷେତ୍ରରେ ଏହାକୁ ରେଳ ଯେଉଁଠୁ ବାହାରୁଛି, ସେ ରାଜ୍ୟ ଦେବ ଏବଂ ଆଉ କେତେକ କ୍ଷେତ୍ରରେ ରେଳ ଯେଉଁଠି ପହଞ୍ଚିବ, ସେ ରାଜ୍ୟ ଦେବ । (ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଅବଦାନ ନାହିଁ ।)

କେଉଁ ମାତ୍ରାରେ, କ’ଣ ସବୁ ଚାଲିଛି, ଏଥିରୁ ଆପଣଙ୍କୁ ତା’ର ଏକ ଝଲକ ମିଳେ, କେବଳ ଏକ ଝଲକ । ଆମେ ଜାଣିନୁ ଏଇ ସବୁ ରେଳରେ ଯାତ୍ରା କରିବା ଲାଗି ଆଉ ଅଧିକ କେତେ ଲକ୍ଷ ଲୋକ ପଞ୍ଜୀକରଣ କରିବାକୁ ଉଦ୍ୟମ କରୁଛନ୍ତି । ଆମେ ଜାଣିନୁ କେତେ ଲକ୍ଷ ଲୋକ ରାଜପଥରେ ଚାଲିଛନ୍ତି । ଆମେ କେବଳ ଏତିକି ଜାଣିଛୁ ଯେ ସେମାନେ ଘରକୁ ଯିବା ଲାଗି ବ୍ୟାକୁଳ ହୋଇପଡ଼ିଛନ୍ତି । ଆଉ ଆମେ ଜାଣିଛୁ ଯେ, କେତେକ ପ୍ରଭାବଶାଳୀ ଗୋଷ୍ଠୀ ତାହା ଚାହାଁନ୍ତି ନାହିଁ ଏବଂ ବାସ୍ତବରେ, ଶ୍ରମିକମାନଙ୍କୁ ଏଥିରୁ ନିବୃତ୍ତ କରାଇ ଶୃଙ୍ଖଳିତ କରାଇବାର ଆବଶ୍ୟକତା ସେମାନେ ଅନୁଭବ କରନ୍ତି । ଅନେକ ରାଜ୍ୟ କାର୍ଯ୍ୟ ସମୟ ୧୨ ଘଣ୍ଟାକୁ ବଢ଼ାଇ ଦେଲେ । ସେମାନଙ୍କ ଭିତରେ ଏମିତି ତିନିଟି ବିଜେପି ଶାସନାଧୀନ ରାଜ୍ୟ ବି ଥିଲେ, ଯେଉଁମାନେ କି ଅତିରିକ୍ତ ସମୟର କାମ ପାଇଁ ଅତିରିକ୍ତ ମଜୁରି ନୀତି ବନ୍ଦ କରି ଦେଇଥିଲେ । କେତେକ ରାଜ୍ୟ ପକ୍ଷରୁ ତିନି ବର୍ଷ ପାଇଁ ଅନେକଗୁଡ଼ିଏ ଶ୍ରମ ଆଇନ ରଦ୍ଦ କରିଦିଆଗଲା ।

ଏପ୍ରିଲ ୧୨ ତାରିଖ ବେଳକୁ ସରକାର ଆମକୁ କହିଲେ ଯେ ସାରା ଭାରତର ବିଭିନ୍ନ ସହାୟତା ଶିବିରରେ ୧୪ ଲକ୍ଷ ଲୋକ ରହୁଥିଲେ । ଏଭଳି ଶିବିରରେ ମାର୍ଚ୍ଚ ୩୧ ତାରିଖ ଦିନ ରହୁଥିବା ଲୋକସଂଖ୍ୟାର ଦୁଇଗୁଣ । ଯେଉଁମାନେ, ‘ଖାଦ୍ୟ ଶିବିର’, ଗୋଷ୍ଠୀ ରନ୍ଧାଘର, ବେସରକାରୀ ସଂସ୍ଥାର ପ୍ରୟାସ ଏବଂ ସେହିଭଳି ଅନ୍ୟ କିଛି ଆଡ଼କୁ ମୁହାଁଇଥିଲେ, ଏପ୍ରିଲ ୧୨ ତାରିଖ ଦିନ ସେମାନଙ୍କ ସଂଖ୍ୟା ଥିଲା ୧ କୋଟି ୩୦ ଲକ୍ଷ । ମାର୍ଚ୍ଚ ୩୧ରେ ପ୍ରଦତ୍ତ ସଂଖ୍ୟାର ପାଞ୍ଚଗୁଣରୁ ଅଧିକ । ଏବଂ ଏହି ସବୁ ସଂଖ୍ୟାରେ ସାମଗ୍ରିକ ବିପର୍ଯ୍ୟୟର ଏକ କ୍ଷୁଦ୍ର ଅଂଶକୁ ହିଁ ହିସାବକୁ ନିଆଯାଇଥିଲା । ଆଜିର ଦିନରେ ବି ମନେହୁଏ ଯେ,ଏହି ସଂକଟ ସହ ଲଢ଼ିବା ପାଇଁ ସାଧାରଣ ଲୋକ, ବ୍ୟକ୍ତିବିଶେଷ, ବିଭିନ୍ନ ଗୋଷ୍ଠୀ, ପାଖପଡ଼ୋଶୀ, ସାମାଜିକ କର୍ମୀଙ୍କ ଗୋଷ୍ଠୀ, ଅଣ-ଲାଭକାରୀ, ଦାତବ୍ୟ ସଂଗଠନ ଏବଂ ନିଜେ ପ୍ରବାସୀମାନେ କେନ୍ଦ୍ର ସରକାରଙ୍କ ଅପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ନିଶ୍ଚିତ ଭାବରେ ସେମାନଙ୍କର ଉଦ୍‌ବେଗ ଅଧିକ ବାସ୍ତବିକ ।

ମାର୍ଚ୍ଚ ୧୯ରୁ ମେ ୧୨ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଭିଜନରେ ରାଷ୍ଟ୍ରକୁ ପାଞ୍ଚ ଥର ସମ୍ବୋଧିତ କରିଥିଲେ । ଥାଳି ଓ ଗିନା ବଜାଇବା ପାଇଁ, ଦୀପ ଜଳାଇବା ପାଇଁ ଏବଂ କୋଭିଡ୍‌-୧୯ ବିରୋଧୀ ‘ସମ୍ମୁଖ ଭାଗ ଯୋଦ୍ଧା’ଙ୍କ ସମ୍ମାନାର୍ଥେ ପୁଷ୍ପବୃଷ୍ଟି କରିବା ପାଇଁ ସେ ଆମମାନଙ୍କୁ ଆହ୍ଵାନ ଦେଇଥିଲେ । କେବଳ ତାଙ୍କ ପଞ୍ଚମ ଭାଷଣରେ ସେ ଶ୍ରମିକମାନଙ୍କ ସଂପର୍କରେ ଉଲ୍ଲେଖ କରିଥିଲେ । ‘ପ୍ରବାସୀ ଶ୍ରମିକମାନେ’ ବୋଲି ମାତ୍ର ଥରଟିଏ କହିଥିଲେ । ଅତି ଚମତ୍କାର ।

Corona refugees returning from Raipur in Chhattisgarh to different villages in Garhwa district of Jharkhand state
PHOTO • Satyaprakash Pandey

ଛତିଶଗଡ଼ର ରାୟପୁରରୁ କରୋନା ଶରଣାର୍ଥୀମାନେ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଗାଁକୁ ଫେରୁଛନ୍ତି

ପ୍ରବାସୀମାନେ ଫେରିଆସିବେ କି ?

ସମୟକ୍ରମେ, ଅନ୍ୟ କୌଣସି ବିକଳ୍ପ ନପାଇ ଅନେକ ଲୋକ ଫେରିଆସିବେ । ପାଖାପାଖି ତିନି ଦଶନ୍ଧିର ମନମୁତାବକ ବିକାଶ ପଥରେ, ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇ ନେଇଛୁ, ଏବଂ ସେଥିରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଥିବା କୃଷି ସଂକଟରେ ୩୧୫,୦୦୦ ଚାଷୀ ନିଜେ ନିଜର ଜୀବନ ନେଇସାରିଛନ୍ତି ।

ଆସନ୍ତୁ, ସବୁ ଦିଗରୁ ‘ବିପରୀତ ପ୍ରବାସନ’ ସଂପର୍କରେ ଆଲୋଚନା କରିବା । କିନ୍ତୁ ପ୍ରଥମେ ସେମାନେ କାହିଁକି ସେମାନଙ୍କ ଗାଁ ଛାଡ଼ି ଯାଇଥିଲେ ବୋଲି ତ ପଚାରନ୍ତୁ ।

୧୯୯୩ ମସିହାରେ, ଅଧୁନା ତେଲଙ୍ଗାନା ରାଜ୍ୟର ମେହବୁବ ନଗରରୁ ମୁମ୍ବାଇକୁ ସପ୍ତାହରେ ଗୋଟିଏ ବସ୍‌ ଚାଲୁଥିଲା । ୨୦୦୩ ମେ ମାସରେ, ମୁଁ ଯେତେବେଳେ ସେହି ଲୋକଭର୍ତ୍ତି ବସ୍‌ରେ ଚଢ଼ିଲି, ସେତେବେଳେ ସେହି ରାସ୍ତାରେ ୩୪ଟି ବସ୍‌ ଚାଲୁଥିଲା ଏବଂ ମାସ ଶେଷ ସୁଦ୍ଧା ଏହା ୪୫କୁ ବୃଦ୍ଧି ପାଇଥିଲା । ମୋର ସହଯାତ୍ରୀମାନଙ୍କୁ କୃଷି ଅର୍ଥନୀତିର ବିପର୍ଯ୍ୟସ୍ତ ଅବସ୍ଥା ହିଁ ଘାରିଥିଲା । ସେମାନଙ୍କ ମଧ୍ୟରେ ଜଣେ ୧୫ ଏକର ଜମିର ମାଲିକ ଥିଲେ । ସେ ମୋତେ କହିଲେ ଯେ ତାଙ୍କ ଚାଷବାସ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ଏବଂ ସେ ମୁମ୍ବାଇରେ କାମ ଦରକାର କରୁଛନ୍ତି । ତାଙ୍କ ପାଖରେ ବସିଥିବା ତାଙ୍କର ଜଣେ ପୂର୍ବତନ ଗୋତି ଶ୍ରମିକ ବି ସେଇ ସମାନ ଉଦ୍ଦେଶ୍ୟରେ ଯାତ୍ରା କରୁଥିଲେ ।

ସେତେବେଳେ ଏହା ମୋ ମନକୁ ଆସିଥିଲା: ଆମେ ସମସ୍ତେ ସେଇ ଗୋଟିଏ ବସ୍‌ର ଯାତ୍ରୀ ।

୧୯୯୪ରେ, କେରଳର ୱାୟାନାଡ଼ ଜିଲ୍ଲାର ମାନନ୍ତାବାଦ୍ୟରୁ କର୍ଣ୍ଣାଟକର କୁଟ୍ଟା ସହରକୁ କେବେ କେମିତି କେରଳ ପରିବହନ ନିଗମର ବସ୍‌ଟିଏ ଚାଲୁଥିଲା । ତଥାପି କୃଷି କ୍ଷେତ୍ରରେ ସଂକଟ ଉପୁଜିଥିଲା ଏବଂ ଅର୍ଥକରୀ ଫସଲରେ ସମୃଦ୍ଧ ୱାୟାନାଡ଼ ଏକ ଅନ୍ତର୍ନିବାସୀ ପ୍ରବାସୀଙ୍କ ଜିଲ୍ଲାରେ ପରିଣତ ହୋଇଥିଲା । ୨୦୦୪ ସୁଦ୍ଧା, କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ଗୁଡ଼ିକ କୁଟ୍ଟାକୁ ଦିନକୁ ୨୪ ଥର ଚଳାଚଳ କରୁଥିଲା । ୱାୟାନାଡ଼ରେ କୃଷି ସହିତ କାମର ଆଶା ବି ମଉଳି ଯାଇଥିଲା ।

ସାରା ଦେଶରେ ଏହା ହିଁ ଘଟୁଥିଲା । କିନ୍ତୁ ଆମେ ଆମ ଅଭିବୃଦ୍ଧି ସଂଖ୍ୟାକୁ ଭଲ ପାଇ ବସିଲୁ ଏବଂ ଏଥିରୁ ମୋର ଏଡୱାର୍ଡ୍‌ ଆବେଙ୍କ ସେହି ପ୍ରସିଦ୍ଧ ବାକ୍ୟ ମନେ ପଡ଼େ: ‘କେବଳ ଅଭିବୃଦ୍ଧି ସକାଶେ ଅଭିବୃଦ୍ଧି ହେଉଛି କ୍ୟାନ୍‌ସର କୋଷର ବିଚାରଧାରା’ । ହେଲେ, ଆମେ ଉତ୍ସବ ପାଳନ ଲାଗି ମନ ସ୍ଥିର କରିସାରିଥିଲୁ ଏବଂ ଯେଉଁମାନେ ଗ୍ରାମୀଣ ଦୁରବସ୍ଥାକୁ ସୂଚାଇ ଦେଉଥିଲେ ସେମାନଙ୍କୁ ଉପହାସ କରାଯାଉଥିଲା ।

ଏବେ ବି ବହୁସଂଖ୍ୟକ ସଂପାଦକ ଏବଂ ଉପସ୍ଥାପକଙ୍କର ଏହା ହୃଦ୍‌ବୋଧ ହୋଇନାହିଁ (ଯଦିଚ ଅନେକ ସମୟରେ ସେମାନଙ୍କର ଯୁବ ସାମ୍ବାଦିକମାନେ ଏହା ବୁଝିଥିବା ପରି ମନେହୁଏ): କୃଷି କ୍ଷେତ୍ରରେ ସଂକଟ, କେବଳ ଚାଷବାସ ସଂପର୍କିତ ନୁହେଁ । ଯେତେବେଳେ, କୃଷି ଅର୍ଥନୀତି ସଂଲଗ୍ନ ବୁଣାକାର, କୁମ୍ଭାର, କାଠ କାରିଗର, ଅନ୍ତର୍ଦେଶୀୟ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅନେକ ଆନୁସଙ୍ଗିକ ବୃତ୍ତିରେ ଥିବା ଅଣ-କୃଷକମାନଙ୍କ ଜୀବିକା ମଧ୍ୟ ବିପନ୍ନ ହୋଇଥିଲା, ସମଗ୍ର କୃଷକ ସମଗ୍ର ସଂକଟ ଭିତରକୁ ଠେଲି ହୋଇଯାଇଥିଲେ ।

ଆଜି, ଲୋକେ ସେହି ସବୁ ଜୀବିକାକୁ ଫେରି ଆସିବାକୁ ଉଦ୍ୟମ କରୁଛନ୍ତି, ଯେଉଁଗୁଡ଼ିକୁ ଆମେ ଗତ ୩୦ ବର୍ଷରେ ନିଃଶେଷ କରିଦେଇଥିଲୁ ।

ଯେତେବେଳେ, ୨୦୧୧ ଜନଗଣନାରୁ ସୂଚନା ମିଳିଲା ଯେ ପୂର୍ବବର୍ତ୍ତୀ ୧୦ ବର୍ଷରେ ପ୍ରବାସନର ହାର ଅସାଧାରଣ ସ୍ତରରେ ପହଞ୍ଚିଛି, ସେତେବେଳେ ଗଣମାଧ୍ୟମ ଏ ଦିଗରେ ସେତେଟା ଆଗ୍ରହ ଦେଖାଇଲା ନାହିଁ । ଗ୍ରାମୀଣ ଭାରତ ତୁଳନାରେ ସହରୀ ଭାରତରେ ଲୋକଙ୍କ ସଂଖ୍ୟା ବଢ଼ିଛି ବୋଲି ୧୯୨୧ ମସିହା ପରେ ପ୍ରଥମ ଥର ପାଇଁ ଆମେ ଜାଣିଲୁ । ଆମେ ଏହା ବି ଜାଣିଲୁ ଯେ, ୧୯୯୧ ତୁଳନାରେ ଦେଶରେ କୃଷକଙ୍କ (‘ମୁଖ୍ୟ’ ଚାଷୀ) ସଂଖ୍ୟା ୧ କୋଟି ୫୦ ଲକ୍ଷ ହ୍ରାସ ପାଇଥିଲା। ହାରାହାରି ହିସାବରେ: ୧୯୯୧ ପରଠାରୁ ଦିନକୁ ୨,୦୦୦ କୃଷକ ସେମାନଙ୍କର ମୁଖ୍ୟ ଚାଷୀ ମାନ୍ୟତା ହରାଇଥିଲେ।

ସରଳ ଭାଷାରେ: ବହୁସଂଖ୍ୟାରେ ଅଭାବଗ୍ରସ୍ତ ପ୍ରବାସନ ହେଉଥିଲା ଏବଂ ଏହି ସଂଖ୍ୟା ବଢ଼ିବାରେ ଲାଗିଥିଲା । କୃଷି କ୍ଷେତ୍ର ଛାଡ଼ିଥିବା ଅନେକ କୃଷକ ବଡ଼ ବଡ଼ ସହରକୁ ଗଲେ ନାହିଁ, ବରଂ କୃଷି କ୍ଷେତ୍ରରେ ସେମାନେ ତଳ ପାହ୍ୟାକୁ ଖସିଗଲେ । କୃଷି ଶ୍ରମିକଙ୍କ ସଂଖ୍ୟା ବହୁତ ବଢ଼ିଛି ବୋଲି ଜନଗଣନାରୁ ଜଣାପଡ଼ିଥିଲା । ଏବେ ସେମାନେ ସମସ୍ତେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ସହ ସାମିଲ ହୋଇଛନ୍ତି । ଏଭଳି ନୂତନ ଧରଣର ଚାପ ଯୋଗୁଁ କୃଷିର ପରିଣତି କ’ଣ ହେବ ? ତାହାର ଉତ୍ତର ଆପଣ ଜାଣନ୍ତି ।

Many labourers from Udaipur district, who migrate to different parts of the country, are stranded because of the lockdown (file photo)
PHOTO • Manish Shukla

ଦେଶର ଭିନ୍ନ ଭିନ୍ନ ଭାଗକୁ ପ୍ରବାସନରେ ଯାଉଥିବା ଉଦୟପୁର ଜିଲ୍ଲାର ଅନେକ ଶ୍ରମିକ ଲକ୍‌ଡାଉନ ଯୋଗୁଁ ଫସି ରହିଛନ୍ତି (ଫାଇଲ୍‌ ଫଟୋ)

ଯାହାହେଉ କିଏ ସେମାନେ?

ସମସ୍ତେ ବଡ଼ ସହରକୁ ଯିବା ପାଇଁ ଛୋଟ ଗାଁ ଛାଡୁନାହାନ୍ତି । ନିଶ୍ଚିତ କଥା ଯେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବାସୀଙ୍କ ସଂଖ୍ୟା ଅଧିକ । କିନ୍ତୁ ଗ୍ରାମାଞ୍ଚଳରୁ ଯାଇ ଗ୍ରାମାଞ୍ଚଳ ପ୍ରବାସୀ ପାଲଟୁଥିବା ଲୋକଙ୍କ ସଂଖ୍ୟା ବି ବହୁତ ଅଧିକ । ରବି ଫସଲ ଅମଳ ସମୟରେ ଅନ୍ୟ ଗାଁ, ଜିଲ୍ଲା ଓ ରାଜ୍ୟକୁ କାମ ପାଇଁ ଯାଉଥିବା ବହୁ ଲୋକ ଏ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଯାଇପାରିଲେ ନାହିଁ । ସେମାନେ ଏବେ ଚରମ ଦୁଃସ୍ଥିତିରେ ରହିଛନ୍ତି ।

ତା ସହିତ ସହରାଞ୍ଚଳରୁ ସହରାଞ୍ଚଳକୁ ପ୍ରବାସନ ସଂଖ୍ୟା ବି ବେଶ୍‌ ଅଧିକ । ଏବଂ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଯାଉଥିବା ପ୍ରବାସୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ।

ଆମେ ସେମାନଙ୍କ କଥା ବିଚାର କରିବା ଆବଶ୍ୟକ, ବିଶେଷତଃ, ‘ବିଚରଣକାରୀ ପ୍ରବାସୀ’ଙ୍କ କଥା । ଜନଗଣନାରେ ଏହି ପ୍ରକ୍ରିୟା ସ୍ଥାନ ପାଇପାରିବ ନାହିଁ ଯେ, ବିକଳରେ କାମ ଖୋଜୁଥିବା ଲୋକେ, କୌଣସି ସ୍ପଷ୍ଟ, ଚୂଡ଼ାନ୍ତ ଲକ୍ଷ୍ୟସ୍ଥଳ ସ୍ଥିର ନ କରି ଅନେକ ସ୍ଥାନକୁ ଯାଇଥାଆନ୍ତି । ସମ୍ଭବତଃ ସେମାନେ ରାୟପୁରରେ କିଛି ଦିନ ରିକ୍ସା ଟାଣିବା ପାଇଁ କଳାହାଣ୍ଡି ଛାଡ଼ିପାରନ୍ତି । ସମ୍ଭବତଃ ସେମାନେ ମୁମ୍ବାଇର କୌଣସି ନିର୍ମାଣସ୍ଥଳରେ ୪୦ ଦିନ ପାଇଁ କାମ ପାଇପାରନ୍ତି । ସମ୍ଭବତଃ ସେମାନେ ପାଖ ଜିଲ୍ଲାରେ କିଛି ଦିନ ପାଇଁ ଫସଲ ଅମଳ କାମ ପାଇପାରନ୍ତି । ସମ୍ଭବତଃ ।

୨୦୧୧ର ଜନଗଣନାରୁ ସୂଚନା ମିଳେ ଯେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ପ୍ରବାସୀଙ୍କ ସଂଖ୍ୟା ୫ କୋଟି ୪୦ ଲକ୍ଷ ଥିଲା । କିନ୍ତୁ ତାହା ଏକ ବିରାଟ ଅବମୂଲ୍ୟାୟନ । ଜନଗଣନାରେ ଗୋଟିଏ ସ୍ଥାନରୁ ଯାଇ ଅନ୍ୟ ଏକ ସ୍ଥାନରେ ରହିଯିବାକୁ ପ୍ରବାସନ ବୋଲି ଧରିନିଆଯାଇଛି । ଜଣେ ପ୍ରବାସୀ ‘କ’ ସ୍ଥାନରୁ ଯାଇ ‘ଖ’ ସ୍ଥାନରେ ପହଞ୍ଚିଥିଲେ ଏବଂ ଗଣନା ସମୟରେ ସେଠାରେ ଅତି କମରେ ଛଅ ମାସ ରହିଥିଲେ । ହୋଇପାରେ, ସେହି ବ୍ୟକ୍ତି ଜଣକ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି ଏବଂ ଧରି ନିଆଯାଉ, ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ସେଠାରେ ରହିଛନ୍ତି । ଏହି ସବୁ ନାଟକୀୟ ଯାତ୍ରାର ବିବରଣୀ କେବେହେଲେ ସ୍ଥାନ ପାଏ ନାହିଁ । ସ୍ଵଳ୍ପକାଳୀନ କିମ୍ବା ପର୍ଯ୍ୟାୟ ଭିତ୍ତିକ ଯାତାୟତ ସଂପର୍କିତ ସୂଚନା ରଖିବା ଲାଗି ଜନଗଣନାରେ କି ଜାତୀୟ ନମୁନା ସର୍ଭେରେ ବ୍ୟବସ୍ଥା ନାହିଁ ।

ଯଦି ପ୍ରବାସୀଙ୍କ ସଂପର୍କରେ ଖବର ସଂଗ୍ରହ ପାଇଁ ଗଣମାଧ୍ୟମରେ କୌଣସି ଉପାୟ ନଥିବା ଭଳି ମନେ ହେଉଛି, ଏବଂ ମାର୍ଚ୍ଚ ୨୬ ତାରିଖରେ ହିଁ ସେମାନେ ତାହାକୁ ଆବିଷ୍କାର କରିଛନ୍ତି, ଏହାର କାରଣ, ପୂର୍ବରୁ ସେମାନଙ୍କ ପାଖରେ ଉପାୟ ହିଁ ନଥିଲା । ଏହି କ୍ଷେତ୍ରରେ ସେମାନଙ୍କର କୌଣସି ପ୍ରବେଶ ନାହିଁ ଏବଂ ଦୀର୍ଘକାଳୀନ, ଋତୁକାଳୀନ, ସ୍ଵଳ୍ପକାଳୀନ କିମ୍ବା ଚକ୍ରାକାର, କିମ୍ବା ବିଚରଣକାରୀ ପ୍ରବାସୀଙ୍କ ମଧ୍ୟରେ ଥିବା ପ୍ରଭେଦକୁ ସେମାନେ କଳନା କରିପାରିବେ ନାହିଁ । ଅର୍ଥଲାଭର ଅବସର ନଥିଲେ, କାହିଁକି କୌଣସି କ୍ଷେତ୍ରରୁ ଖବର ସଂଗ୍ରହ କରିବା ?

*****

ଏକାଧିକ ହିତାଭିଳାଷୀ ବ୍ୟକ୍ତି ମୋତେ କହିଛନ୍ତି: ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଅତି ଭୟଙ୍କର । ଆମେ ସେମାନଙ୍କୁ ନିଶ୍ଚିତ ରୂପେ ସାହାଯ୍ୟ କରିବା କଥା । ଏହି ପରିଶ୍ରମୀ ଲୋକମାନେ ଏବେ ସଂପୂର୍ଣ୍ଣ ଦୁର୍ଦ୍ଦଶାଗ୍ରସ୍ତ । ସେମାନେ ସେହି କାରଖାନା ଶ୍ରମିକଙ୍କ ଭଳି ନୁହଁନ୍ତି ଯେ, ସଂଘ ଥିବ ଏବଂ ସବୁବେଳେ ସମସ୍ୟା ସୃଷ୍ଟି କରୁଥିବେ । ଏହି ଲୋକମାନେ ଆମ ସହାନୁଭୂତି ପାଇବାକୁ ଯୋଗ୍ୟ ।

ନିଶ୍ଚିତ ଭାବରେ ଏହା ଠିକ୍‌ ଯେ, ଆମେ ସେମାନଙ୍କ ପ୍ରତି ସମବେଦନା ପ୍ରଦର୍ଶନ କରିବା କଥା, ଯଦିଓ କେବେ କେମିତି ହିଁ ଏହା ସୁବିଧାଜନକ । କିନ୍ତୁ ପ୍ରବାସୀ ଶ୍ରମିକମାନେ ଆମର ସହାନୁଭୂତି, ଉଦ୍‌ବେଗ କି ସମବେଦନା ଦରକାର କରନ୍ତି ନାହିଁ । ସେମାନଙ୍କର ଦରକାର ନ୍ୟାୟ । ସେମାନଙ୍କ ଅଧିକାର ବାସ୍ତବିକ, ସମ୍ମାନଜନକ ହେବା ଏବଂ ପ୍ରବର୍ତ୍ତନ କରାଯିବା ଦରକାର ।  ଯଦି ସେଇ କେତେକ ବିମୂଢ଼ କାରଖାନା ଶ୍ରମିକଙ୍କର କିଛି ଅଧିକାର ରହିଛି, ତେବେ ତାହା କେବଳ ଏଇ କାରଣରୁ ଯେ, ହୋହଲ୍ଲା କରୁଥିବା କେତେକ ସଂଘ ସୌଜନ୍ୟରୁ ସେମାନେ ସଂଗଠିତ ଏବଂ ସେମାନଙ୍କର ସାମୂହିକ ଶକ୍ତି ଓ ମୂଲଚାଲ କରିବାର କ୍ଷମତା ରହିଛି। ‘ପ୍ରବାସୀ ଶ୍ରମିକ’ଙ୍କ ପ୍ରତି ଆପଣଙ୍କର ସହାନୁଭୂତି ଓ ସମବେଦନା ଯଦି ଗତାନୁଗତିକତା ଏବଂ ସର୍ତ୍ତ ସମ୍ବଳିତ ନୁହେଁ, ତେବେ ନ୍ୟାୟ ଓ ଅଧିକାର ପାଇଁ ଭାରତର ସମସ୍ତ ଶ୍ରମିକଙ୍କୁ ସମର୍ଥନ କରନ୍ତୁ ।

Census 2011 indicates there were 54 million migrants who cross state borders. But that’s got to be a huge underestimate
PHOTO • Rahul M.
Census 2011 indicates there were 54 million migrants who cross state borders. But that’s got to be a huge underestimate
PHOTO • Parth M.N.

୨୦୧୧ର ଜନଗଣନାରୁ ସଂକେତ ମିଳେ ଯେ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ପ୍ରବାସୀଙ୍କ ସଂଖ୍ୟା ୫ କୋଟି ୪୦ ଲକ୍ଷ ଥିଲା । କିନ୍ତୁ ତାହା ଏକ ବିରାଟ ଅବମୂଲ୍ୟାୟନ

ପ୍ରବାସୀ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଥିବା ପ୍ରଭେଦ ନିହାତି ଅଜବ । ‘ପ୍ରବାସୀ ଶ୍ରମିକ’ ପଦରେ ପ୍ରୟୋଗାତ୍ମକ ଶବ୍ଦ ହେଉଛି ‘ଶ୍ରମିକ’ । ଯଦି ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ବେଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ଅଧିକ ଭଲ ସୁଯୋଗ ନିମନ୍ତେ ଦିଲ୍ଲୀକୁ ସ୍ଥାନାନ୍ତରିତ ହୁଅନ୍ତି, ତେବେ ତାଙ୍କୁ ଜଣେ ପ୍ରବାସୀ କୁହାଯିବ, କିନ୍ତୁ ଶ୍ରମିକ ନୁହେଁ । ଜାତି, ବର୍ଗ, ସାମାଜିକ ପୁଞ୍ଜି ଏବଂ ସଂପର୍କ ପରିସରର ଭିନ୍ନତା ଦୃଷ୍ଟିରୁ ସେ ସେଇ ପ୍ରବାସୀ ଶ୍ରମିକମାନଙ୍କ ତୁଳନାରେ ଭିନ୍ନ, ଯେଉଁମାନଙ୍କ ଉପରେ ଆମେ ଏବେ ଆମ କୃପାବୃଷ୍ଟି କରୁଛୁ । ଆଉ ଦେଖନ୍ତୁ, ସେଇ ଯେଉଁ ବିମୂଢ଼ କର୍ମଚାରୀମାନଙ୍କୁ ଆମେ ନାପସନ୍ଦ କରୁଛୁ, ସେମାନେ ହିଁ ମୁହଁ ବୁଲାଇ ଆମକୁ କହନ୍ତି ଏବଂ ନିର୍ଲଜ ଭାବରେ ସେମାନଙ୍କ ଅଧିକାର ଦାବି କରନ୍ତି । ସେମାନେ ପ୍ରାୟତଃ ପୂର୍ବ ପିଢ଼ିର ପ୍ରବାସୀ ।

ପୂର୍ବ କାଳରେ, ମୁମ୍ବାଇର ବିଭିନ୍ନ ମିଲ୍‌ରେ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ମହାରାଷ୍ଟ୍ରର କୋଙ୍କଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ଆସିଥିବା ପ୍ରବାସୀ । ପରେ ଦେଶର ଅନ୍ୟାନ୍ୟ ଭାଗରୁ ବି ଆସିଲେ । ଯେମିତି କି ‘ଇକୋନୋମିକ୍‌ ଆଣ୍ଡ ପଲିଟିକାଲ ଉଇକ୍‌ଲି’ରେ ପ୍ରକାଶିତ ଏକ ଅସାଧାରଣ ସାରଗର୍ଭକ ଲେଖାରେ ଡକ୍ଟର ରବି ଡୁଗଲ ସୂଚାଇ ଦିଅନ୍ତି, ୧୮୯୬-୯୭ରେ ବ୍ୟୁବୋନିକ୍‌ ପ୍ଲେଗ୍‌ ପ୍ରକୋପ ସମୟରେ ସେହି କର୍ମଚାରୀମାନେ ବି ଦିନେ ମୁମ୍ବାଇ ଛାଡ଼ି ପଳାଇଥିଲେ । ପ୍ରଥମ ଛଅ ମାସରେ ମୁମ୍ବାଇରେ ୧୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ୧୯୧୪ ସୁଦ୍ଧା, ପ୍ଲେଗ୍‌ରେ ସାରା ଭାରତର ଅଶୀ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।

ଡୁଗଲ ଲେଖିଛନ୍ତି, “ମୁମ୍ବାଇର ମୋଟ ୮୫୦,୦୦୦ ଜନସଂଖ୍ୟାରୁ ୮୦,୦୦୦ ମିଲ୍‌ ଶ୍ରମିକ’’ । “ବିଶୋଧନ, ପୃଥକ୍‌ବାସ ଏବଂ ଅସୁସ୍ଥ ପରିବାର ଲୋକଙ୍କ ପାଖରୁ ଦୂରେଇ ଅସ୍ଵାସ୍ଥ୍ୟକର ଅବସ୍ଥାରେ ରହିବା, ଏମିତି କି ସେମାନଙ୍କ ବାସସ୍ଥାନ ନଷ୍ଟ କରିଦିଆଯିବା ଭଳି ପ୍ଲେଗ୍‌ ନିୟନ୍ତ୍ରଣ ପଦକ୍ଷେପ ଯୋଗୁଁ ବାଧ୍ୟ ହୋଇ ସେମାନେ ୧୮୯୭ ମସିହାର ପ୍ରଥମ ଭାଗରେ ଅନେକ ଥର ଆନ୍ଦୋଳନ କରିଥିଲେ । ପ୍ଲେଗ୍‌ ପ୍ରାଦୁର୍ଭାବ ଆରମ୍ଭ ହେବାର ତିନିରୁ ଚାରି ମାସ ଭିତରେ, ମିଲ୍‌ କର୍ମଚାରୀଙ୍କ ସମେତ ୪୦୦,୦୦୦ ଲୋକ ବମ୍ବେ ଛାଡ଼ି ସେମାନଙ୍କ ଗାଁକୁ ପଳାଇବା ଫଳରେ ସାରା ନଗରୀ ଗୁରୁତର ଅର୍ଥନୈତିକ ସଂକଟ ଭିତରକୁ ଠେଲି ହୋଇଗଲା ।”

ପରବର୍ତ୍ତୀ ସମୟରେ, ଅନେକଙ୍କୁ ଫେରିଆସିବା ଲାଗି କେଉଁ କାରଣ ପ୍ରବର୍ତ୍ତାଇଲା ? “ସେମାନଙ୍କ ରହିବା ପାଇଁ ଘର ଯୋଗାଣ ଏବଂ କାର୍ଯ୍ୟ ଓ ଜୀବନଧାରଣ କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା କରିବା ଦ୍ଵାରା ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମଧ୍ୟରେ ସଂପର୍କ ସ୍ଥାପନ ଲାଗି ନାଓରୋସଜୀ ୱାଡ଼ିଆଙ୍କ ଦ୍ଵାରା ପ୍ରସ୍ତାବିତ ରଣନୀତିକୁ ଅନେକ ମିଲ ମାଲିକ ଗ୍ରହଣ କରିନେଲେ (ସରକାର ୨୦୧୪) । ଏହା ବମ୍ବେକୁ କର୍ମଚାରୀମାନଙ୍କୁ ଫେରାଇ ଆଣିଲା । ଯଦିଓ ସେତେବଳକୁ ପ୍ଲେଗ୍‌ ସ୍ଥାନୀୟ ମହାମାରୀର ରୂପ ନେଇସାରିଥିଲା ଏବଂ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ହିଁ ନିଶ୍ଚିହ୍ନ ହୋଇଥିଲା ।”

‘ବମ୍ବେ ଇମ୍ପ୍ରୁଭ୍‌ମେଣ୍ଟ ଟ୍ରଷ୍ଟ’ ଗଠନ ପାଇଁ ସଂସଦରେ ଆଇନ ପ୍ରଣୟନ କରି ବ୍ରିଟିଶ ସରକାର ବି ଏଥିରେ ହସ୍ତକ୍ଷେପ କରିଥିଲେ । ସହରର ସବୁ ଖାଲି ଜାଗାକୁ ସରକାର ଓ ପୌର ନିଗମ ଏହି ଟ୍ରଷ୍ଟକୁ ହସ୍ତାନ୍ତର କରିଦେଲେ, ଏବଂ ଟ୍ରଷ୍ଟ, ନିଜ ବିଶ୍ଵାସ ଓ ଇଚ୍ଛାଶକ୍ତି ବଳରେ ସହରର ପରିମଳ ବ୍ୟବସ୍ଥା ଏବଂ ଜୀବନଧାରଣର ମାନରେ ଉନ୍ନତି କରିବାକୁ ଉଦ୍ୟମ କରିଥିଲା। ହାୟ, ଏହାର ନିଜସ୍ଵ ଇଚ୍ଛାଶକ୍ତି ସେତେଟା ସୁଦୃଢ଼ ନଥିଲା: ଏହା କେତେକ ବାସଗୃହ ଗଢ଼ିଥିଲା ଏବଂ ଯେତିକି ଗଢ଼ିଥିଲା ତା’ଠାରୁ ଅଧିକ ଭାଙ୍ଗିଥିଲା । କିନ୍ତୁ, ଅତି କମ୍‌ରେ, ଉନ୍ନତି ଦିଗରେ ଏକ ଚିନ୍ତାଧାରା ସୃଷ୍ଟି କରାଯାଇଥିଲା। ହେଲେ, ସେତେବେଳେ, ଏବକାର ଭଳି, ସେହି ଚିନ୍ତାଧାରା କେବଳ ‘ନଗରୀ’ ଏବଂ ଏହାର ଭାବମୂର୍ତ୍ତି ସଂପର୍କିତ ଥିଲା। ଯେଉଁ ଗରିବ ଓ ନିଷ୍ପେଷିତ ଲୋକଙ୍କ ଶ୍ରମ ବଳରେ ଏ ନଗରୀ ଜୀବନ୍ତ ହୋଇଛି, ସେମାନଙ୍କର ବାସ୍ତବ ଜୀବନ ଏବଂ ସ୍ଥିତିର ଉନ୍ନତି ପାଇଁ ନୁହେଁ ।

Left: Migrant workers from Odisha stranded at Telangana's brick kilns during the lockdown. Right: The long road home from Nagpur
PHOTO • Varsha Bhargavi
Left: Migrant workers from Odisha stranded at Telangana's brick kilns during the lockdown. Right: The long road home from Nagpur
PHOTO • Sudarshan Sakharkar

ବାମ:ଲକ୍‌ଡାଉନ୍‌ ସମୟରେ ତେଲଙ୍ଗାନାର ଇଟାଭାଟିରେ ଅଟକି ରହିଥିବା ଓଡ଼ିଶାରୁ ଆସିଥିବା ପ୍ରବାସୀ ଶ୍ରମିକମାନେ । ଡାହାଣ: ନାଗପୁରରୁ ଘର ଅଭିମୁଖେ ଲମ୍ବା ରାସ୍ତା

ପ୍ଲେଗ୍‌ ଓ ଏହାର ସ୍ମୃତି ଭୁଲି ହୋଇଯିବା ସହିତ ଗରିବଙ୍କ ପାଇଁ ସମବେଦନା ବି ଉଭେଇ ଗଲା । ଠିକ୍‌ ଆଜିର ସ୍ଥିତି ଭଳି ଶୁଭୁଛି, ଏବଂ ଆସନ୍ତାକାଲିର ବି । ଏଥର, ମାର୍ଚ୍ଚ ମାସରେ ହିଁ ପ୍ରବାସୀମାନଙ୍କର ଦୟନୀୟ ଅବସ୍ଥା ଆମେ ସେତେବେଳେ ଆବିଷ୍କାର କଲୁ, ଯେତେବେଳେ ଆମେ ଆମ ଅଧିକାରଭୁକ୍ତ ବୋଲି ଧରିନେଇଥିବା ଅନେକ ସେବାରୁ ହଠାତ୍‌ ବଞ୍ଚିତ ହେଲୁ । ସମବେଦନାର ଏକ ବିରକ୍ତିକର ଅଭ୍ୟାସ ହେଲା ଯେ ସ୍ଵାଚ୍ଛନ୍ଦ୍ୟ ଫେରିଆସିଲେ ଏହା ମିଳାଇ ଯାଏ ।

୧୯୯୪ରେ, ସୁରତରେ ୫୪ ଜଣ ବ୍ୟକ୍ତି ପ୍ଲେଗ୍‌ରେ ପ୍ରାଣ ହରାଇଥିଲେ । ସେ ସମୟରେ, ପ୍ରତି ବର୍ଷ ଝାଡ଼ାବାନ୍ତିରେ ୧୫ ଲକ୍ଷ ଭାରତୀୟ ଶିଶୁ ଏବଂ ଯକ୍ଷ୍ମାରେ ବର୍ଷକୁ ୪୫୦,୦୦୦ରୁ ଅଧିକ ଲୋକଙ୍କ ଜୀବନହାନି ହେଉଥିଲା । କିନ୍ତୁ ପ୍ଲେଗ୍‌ଠାରୁ ୩୦,୦୦୦ ଗୁଣ ଅଧିକ ଲୋକଙ୍କ ଜୀବନ ନେଇଥିବା ଦୁଇଟି ଚିକିତ୍ସାସାଧ୍ୟ ଓ ଆରୋଗ୍ୟସାଧ୍ୟ ରୋଗ ତୁଳନାରେ ସୁରତର ପ୍ଲେଗ୍‌ ହିଁ ଗଣମାଧ୍ୟମର ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା  ।

ପ୍ଲେଗ୍‌ ଖୁବ୍‌ ଶୀଘ୍ର ଗାଏବ୍‌ ହୋଇଯିବା ପରେ ମୁଖ୍ୟତଃ ଦରିଦ୍ରଙ୍କ ଜୀବନ ନେଉଥିବା ଅନ୍ୟ ରୋଗଗୁଡ଼ିକୁ ଆମେ ପୁଣି ଅଣଦେଖା କରିବାରେ ଲାଗିପଡ଼ିଲୁ । ଏବଂ ଅନ୍ୟମାନଙ୍କ ତୁଳନାରେ ରୋଗ ପ୍ରତି ସେମାନଙ୍କୁ ଅଧିକ ସମ୍ବେଦନଶୀଳ କରୁଥିବା ସେମାନଙ୍କ ଜୀବନଯାପନର ଅବସ୍ଥାକୁ ବି ।

ଆମ ସମୟରେ, କୋଭିଡ୍‌-୧୯ ପୂର୍ବରୁ ମଧ୍ୟ, ଆମ ‘ସ୍ମାର୍ଟ ସିଟି’ ପରିକଳ୍ପନାରେ ସନ୍ନିବେଶିତ ‘ସମ୍ମିଳିତ’ ବିକାଶ, ବର୍ତ୍ତମାନ ଥିବା ଲୋକସଂଖ୍ୟାର ୩ରୁ ୫ ପ୍ରତିଶତ ଲୋକଙ୍କ କାମରେ ଲାଗିବ ଏବଂ ବାକି ସମସ୍ତେ ପୁଣି ଆବର୍ଜନା ଓ ଅସ୍ଵାସ୍ଥ୍ୟକର ପରିବେଶରେ ପରିତ୍ୟକ୍ତ ଅବସ୍ଥାରେ ରହିଯିବେ ।

ପ୍ରବାସୀମାନେ ଗାଁରୁ ଯାଇ ସହରରେ ଅଧିକ ମଜୁରି ପାଇପାରନ୍ତି, କିନ୍ତୁ ସେମାନଙ୍କ ଜୀବନଯାପନ ଏବଂ ସ୍ଵାସ୍ଥ୍ୟର ସ୍ଥିତି, ବିଶେଷତଃ ମହିଳା ଓ ଶିଶୁମାନଙ୍କର ସ୍ଥିତି, ଅତି ଦୟନୀୟ ହୋଇଯାଇପାରେ ।

ଏ ସଂପର୍କରେ ଆମେ କିଛି କରିପାରିବା କି ? ବହୁତ କିଛି । କିନ୍ତୁ ପ୍ରଥମେ ଆମକୁ ଯଥାରୀତି ସଂପନ୍ନ ବୃତ୍ତି କ୍ଷେତ୍ରକୁ  ପ୍ରତ୍ୟାବର୍ତ୍ତନ ଧାରଣାକୁ ପରିତ୍ୟାଗ କରିବାକୁ ହେବ । ଆମକୁ ସେଇ ସବୁ ଅନ୍ଧବିଶ୍ଵାସ ଏବଂ ପୁରୁଣାକାଳିଆ ବିଚାରଧାରା ଦ୍ଵାରା ଆଚ୍ଛାଦିତ ୩୦ ବର୍ଷର ବଜାର ନୀତି ଶାସ୍ତ୍ରକୁ ଦୂରେଇ ଦେବାକୁ ହେବ। ଏବଂ ଭାରତୀୟ ସମ୍ବିଧାନ ଦ୍ଵାରା ସ୍ଥିରୀକୃତ ଗୋଟିଏ ଦେଶ ଗଢ଼ିବାକୁ ହେବ, ଯେଉଁଠି କି ସବୁ ନାଗରିକଙ୍କୁ “ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ” ମିଳିପାରୁଥିବ ।

ପ୍ରଚ୍ଛଦ ଫଟୋ: ସୁଦର୍ଶନ ସାଖରକର

ଏହି ଲେଖା ପ୍ରଥମେ ୩୦ମେ ୨୦୨୦ରେ ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

पी. साईनाथ, पीपल्स ऑर्काइव ऑफ़ रूरल इंडिया के संस्थापक संपादक हैं. वह दशकों से ग्रामीण भारत की समस्याओं की रिपोर्टिंग करते रहे हैं और उन्होंने ‘एवरीबडी लव्स अ गुड ड्रॉट’ तथा 'द लास्ट हीरोज़: फ़ुट सोल्ज़र्स ऑफ़ इंडियन फ़्रीडम' नामक किताबें भी लिखी हैं.

की अन्य स्टोरी पी. साईनाथ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE