୨୦୨୦ରେ କରୋନାଜନିତ ଲକଡାଉନ୍‌  ଲାଗୁ ହୋଇ ସାରିଥିଲା। ଗାଁରୁ ଖବର ମିଳିଲା ଯେ ମୋ ଜେଜେବାପା ପଡ଼ିଯାଇଛନ୍ତି ଓ ତାଙ୍କ ଗୋଡ଼ ଭାଙ୍ଗିଯାଇଛି । ସରକାରୀ ଡାକ୍ତରଖାନାରେ ଡାକ୍ତରମାନଙ୍କ ଦେଖା ମିଳୁନଥିଲା, ଆଖପାଖରେ ଯେତିକି ଘରୋଇ କ୍ଲିନିକ୍‌ ଥିଲା ସେସବୁ କରୋନା ପାଇଁ ବନ୍ଦ ଥିଲା। ଜେଜେବାପାଙ୍କ ଗୋଡ଼କୁ ଘର ଲୋକମାନେ ଯେନତେନ ପ୍ରକାରରେ ପ୍ଲାଷ୍ଟର କରି ଦେଲେ ଏବଂ ଘରେ ହିଁ ତାଙ୍କର ଯତ୍ନ ନିଆଗଲା। କିନ୍ତୁ ବେଳେ ବେଳେ ତାଙ୍କୁ ଜ୍ୱର ହେଉଥିଲା, ତ’ ପୁଣି କେବେ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେଉଥିଲା। କଷ୍ଟରେ ସେ ଚିତ୍କାର କରି ଉଠୁଥିଲେ। ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା, ମଇ ମାସ ଅନ୍ତିମ ସପ୍ତାହରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଏହି ଘଟଣା ଘଟିବା ସମୟରେ ମୁଁ ମୁମ୍ବାଇରେ ଥିଲି। ଅଚାନକ ସବୁକିଛି ବନ୍ଦ ହୋଇଯିବା କାରଣରୁ ଲୋକମାନଙ୍କ ଜୀବନରେ ଯେମିତି ଝଡ଼ ମାଡ଼ି ଆସିଥିଲା। ଗୋଟିଏ ପଟେ ମହାମାରୀର ଭୟ ଘେରି ରହିଥିଲା, ଅନ୍ୟପଟେ ରାସ୍ତାରେ ପୁଲିସ ଲାଠି ମାଡ଼ କରୁଥିଲା। କାମଦାମ ସବୁ ବନ୍ଦ ହୋଇଯାଇଥିଲା, ପ୍ରବାସୀ ଶ୍ରମିକମାନେ ଗାଁ ମୁହାଁ ହୋଇଥିଲେ। ମୁଁ ମୁମ୍ବାଇରେ ଥିଲି, କାରଣ ମୁଁ ପରିବା ବିକ୍ରି କରୁଥିଲି ଏବଂ ଏ ବେଉସା କରିବା ଲାଗି ଅନୁମତି ମିଳିଥିଲା, କିନ୍ତୁ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଥିବା ମୋ ଗାଁରେ ଯେତେବେଳେ ଜେଜେବାପା ଆରପାରିକୁ ଚାଲିଯାଇଥିବା ଖବର ମିଳିଲା, ତୁରନ୍ତ ଘରକୁ ଯିବା ଲାଗି ମୋର ଇଚ୍ଛା ହେଲା। ତାଙ୍କ ସହିତ ମୋର ଭାବଗତ ସମ୍ପର୍କ ଥିଲା। ଏହା ବ୍ୟତୀତ ଗାଁରେ ମା’ଙ୍କ ଛଡ଼ା ଅନ୍ୟ କେହି ଦାୟିତ୍ୱବାନ ଲୋକ ନଥିଲେ ।

ତାହା ଏମିତି ଏକ ସମୟ ଥିଲା, ଯେତେବେଳେ ଏକ ଦୁଃଖଦ ଖବର ମନକୁ ଆନ୍ଦୋଳିତ କରିଥିଲା। କିଛି ଶ୍ରମିକ ପାଦରେ ଚାଲି ଚାଲି ଘରକୁ ଫେରୁଥିଲେ ଏବଂ ରାତିରେ ଥକି ଯାଇ ରେଳ ଧାରଣାରେ ଶୋଇଯାଇଥିଲେ । ଏହି ସମୟରେ ଟ୍ରେନ ଆସି ସେମାନଙ୍କୁ ଖଣ୍ଡବିଖଣ୍ଡିତ କରି ଚାଲି ଯାଇଥିଲା। ସେମାନଙ୍କ ମଧ୍ୟରେ ଏମିତି ମା’ ଥିଲେ ଯିଏ ନିଜେ ଭୋକଶୋଷରେ ଥାଇ ମଧ୍ୟ ଛୁଆକୁ କ୍ଷୀର ଖୁଆଇବାକୁ ଛାତିରେ ଜାବୁଡ଼ି ଧରିଥିଲେ। ଜେଜେବାପାଙ୍କ ଦେହାନ୍ତ ଖବର ପାଇ ମୁଁ ଜିନିଷପତ୍ର ସଜାଡ଼ିଲି ଏବଂ ଟ୍ରେନ୍‌ ଧରିବା ପାଇଁ ମୁମ୍ବାଇର ଅନ୍ଧେରୀ (ୱେଷ୍ଟ) ନିକଟସ୍ଥ ଥାନାକୁ ଗଲି। କିନ୍ତୁ ସେଠାରେ ଜାଣିବାକୁ ପାଇଲି ଯେ ଆହ୍ଲାବାଦ ଯାଉଥିବା ଟ୍ରେନ୍‌ ଚାଲୁନାହିଁ। ଇତିମଧ୍ୟରେ ବାରାଣାସୀରେ ଟ୍ରେନ ଭିତରୁ ଦୁଇଟି ଶବ ମିଳିଥିବା ଖବର ଆସିଲା। ଗୋଟିଏ ଟ୍ରେନ୍‌ ଉତ୍ତର ପ୍ରଦେଶ ଯିବାର ଥିଲା, ତାହା ଓଡ଼ିଶା ଚାଲିଗଲା। ମୋତେ ମୋ ଗାଁରେ ପହଞ୍ଚିବାକୁ ହେଲେ ଆହ୍ଲାବାଦ (ପ୍ରୟାଗରାଜ) ଠାରୁ ଆହୁରି ୭୦ କିଲୋମିଟର ଆଗକୁ ଯିବାର ଥିଲା। ଏସବୁ ଖବର ଶୁଣି ମୋର ମନୋବଳ ଭାଙ୍ଗିଗଲା। ଟ୍ୟାକ୍ସି ବୁକିଂ କରି ଯିବାକୁ ଚାହିଁଲେ, ସୁବିଧା ମିଳୁଥିଲା। ମାତ୍ର ଏଥିପାଇଁ ୪୦,୦୦୦-୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ମୋ ପାଇଁ ଏପରି କରିବା ସମ୍ଭବ ନଥିଲା। ସେଥିପାଇଁ ମୁଁ ଗାଁକୁ ଯିବାର ଇଚ୍ଛା ତ୍ୟାଗ କଲି । ଏହାଛଡ଼ା ମୋ ପାଖରେ କୌଣସି ବିକଳ୍ପ ନଥିଲା।

Mithun Kumar (facing the camera) in a BEST bus, on his way to the vegetable market
PHOTO • Sumer Singh Rathore
Inspecting lemons at the mandi in Dadar, Mumbai
PHOTO • Sumer Singh Rathore

ବାମ : (କ୍ୟାମେରା ଆଡ଼କୁ ମୁହଁ କରି ବସି) ମିଥୁନ କୁମାର ବିଇଏସଟି ବସରେ ପରିବା ମଣ୍ଡିକୁ ଯାଉଛନ୍ତି । ଡାହାଣ : ମୁମ୍ବାଇର ଦାଦର ପରିବା ପଣ୍ଡିରେ ଲେମ୍ବୁର ମୂଲଚାଲ କରୁଛନ୍ତି

ଅନ୍ତିମ ସଂସ୍କାର ପାଇଁ ଜେଜେବାପାଙ୍କୁ ଆହ୍ଲାବାଦର ଝୁନ୍‌ସୀ ସହରକୁ ନିଆଯାଇଥିଲା। ମା’ କୁହନ୍ତି ଗାଡ଼ିକୁ ଯିବାକୁ ଦିଆଗଲା ନାହିଁ। ପୁଲିସ ଭିନ୍ନ ଭିନ୍ନ ପ୍ରଶ୍ନ କରୁଥିଲା । ଅନେକ ସ୍ଥାନରେ ଘାଟରେ ଅନ୍ତିମ ସଂସ୍କାର କରିବା ଉପରେ ମଧ୍ୟ କଟକଣା ଲାଗୁ ହୋଇଥିଲା। ଭୟ ଆଶଙ୍କା ମଧ୍ୟରେ ଯେନତେନ ପ୍ରକାରରେ ଜେଜେବାପାଙ୍କ ଅନ୍ତିମ ସଂସ୍କାର କରି ଦିଆଗଲା।

ଦେଖିବାକୁ ଗଲେ, ମୋର ଜନ୍ମ ମୁମ୍ବାଇରେ ହୋଇଥିଲା, କିନ୍ତୁ ପିଲା ଦିନ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ କଟିଥିଲା। ପାଠପଢ଼ା ମଧ୍ୟ ସେଇଠି ହୋଇଥିଲା। ୧୯୭୫ ମସିହା ବେଳକୁ ମାତ୍ର ୧୫ ବର୍ଷ ବୟସରେ ମୋ ବାପା ମୁମ୍ବାଇ ଚାଲି ଆସିଥିଲେ। ତେବେ, ତାଙ୍କର ମୁମ୍ବାଇ ଆସିବା ସେତେଟା ସହଜ ନଥିଲା। ତାଙ୍କ ଜନ୍ମର କିଛି ଦିନ ମଧ୍ୟରେ ତାଙ୍କ ମା’ ଆର ପାରିକୁ ଚାଲି ଯାଇଥିଲେ। ଜେଜେବାପାଙ୍କ ପାଖରେ କାମ କହିଲେ, ଅନ୍ୟମାନଙ୍କ ଚାଷଜମିରେ ମୂଲ ଲାଗିବା, ମାଟି ପାତ୍ର ଏବଂ ଛାତ ଟାଇଲ ତିଆରି କରିବା ବ୍ୟତୀତ ଅନ୍ୟ କିଛି  ବିକଳ୍ପ ନଥିଲା। ଅନ୍ୟମାନଙ୍କ ଜମିରେ ହଳ କରିବା, ଫାଉଡ଼ାରେ ହାଣିବାରୁ ଯେତିକି ଟଙ୍କା ମିଳିପାରୁଥିଲା, ସେଥିରେ ସମସ୍ତଙ୍କ ପେଟ ଭରିବା ସମ୍ଭବ ନଥିଲା । ପିନ୍ଧିବା ପାଇଁ ପରିବାରର ପୁରୁଷଙ୍କ ପାଖରେ ଧୋତି ଭଳି ଛୋଟ କପଡ଼ା ଖଣ୍ଡେ ଖଣ୍ଡେ ଥିଲା, ଯାହାକୁ ଭଗଇ କୁହାଯାଉଥିଲା। ଏଥିରେ କେବଳ ଜଂଘ ଭାଗ ଘୋଡ଼େଇ ହେଉଥିଲା। ଖାଇବା ପାଇଁ ଗହମ, ଚାଉଳ ସୁଦ୍ଧା ନଥିଲା। ଆଖପାଖ ଚାଷ ଜମିରେ ଫଳୁଥିବା ବାଜରା, ମକା, ଆଳୁ, ମହୁଲ ଆଦି ଖାଦ୍ୟର ମୁଖ୍ୟ ଉତ୍ସ ଥିଲା।

*****

ଜେଜେବାପା କେଉଁ ଲୋକମାନଙ୍କ ଘରେ ମୂଲ ଲାଗୁଥିଲେ, କାହା ପାଖରେ ଜମିର ଭାଗ ଥିଲା ଏବଂ କେଉଁମାନେ ମୂଲ ଲାଗୁଥିଲେ ତାହା କହିବା ହୁଏତ’ ଜରୁରି ନୁହେଁ

ଅନେକ ସମୟରେ ହାଡ଼ଭଙ୍ଗା ପରିଶ୍ରମ କଲେ ସୁଦ୍ଧା ଜେଜେବାପାଙ୍କୁ ମଜୁରି ମିଳୁନଥିଲା। ମାଗିଲେ ଉତ୍ତର ମିଳୁଥିଲା, ତୁମର ପୂର୍ବଜମାନଙ୍କ ଅନେକ କରଜ ଏବେସୁଦ୍ଧା ବାକି ରହିଛି, ‘‘ତୁମ ଜେଜେବାପା ଏତିକି ଋଣ ନେଇଥିଲେ, ଅଣଜେଜେବାପାଙ୍କ ଏତିକି ବାକି ରହିଛି...’’ ଜେଜେବାପା କେଉଁ ଲୋକମାନଙ୍କ ଘରେ ମୂଲ ଲାଗୁଥିଲେ, କାହା ପାଖରେ ଜମିର ଭାଗ ଥିଲା ଏବଂ କେଉଁମାନେ ମୂଲ ଲାଗୁଥିଲେ ତାହା କହିବା ହୁଏତ’ ଜରୁରି ନୁହେଁ । ବାପା ଟିକିଏ ବଡ଼ ହେବା ପରେ ସେହି ଲୋକମାନଙ୍କ ଘରେ ରହିଲେ ଯେଉଁଠି ଜେଜେବାପା ମୂଲ ଲାଗୁଥିଲେ । ମା’ ନଥିଲା ଏବଂ ଜେଜେବାପା ତାଙ୍କର ସଂଘର୍ଷ ଜାରି ରଖିଥିଲେ। ବାପା ଓ ତାଙ୍କ ବଡ଼ ଭାଇଙ୍କ ଯତ୍ନ କିଏ ନେଇଥାନ୍ତା? ବାପା ଦିନ ସାରା ସେହି ଲୋକମାନଙ୍କ ଘରେ ରହୁଥିଲେ। ଜମିଠାରୁ ନେଇ ଘର ପର୍ଯ୍ୟନ୍ତ ଯେଉଁ କାମ କୁହାଯାଉଥିଲା, କରୁଥିଲେ। କାମ ନଥିଲେ, ସେମାନଙ୍କ ଗାଈ, ମଇଁଷି ନେଇ ଚରାଇବାକୁ ବାହାରି ଯାଉଥିଲେ। ଏସବୁ ବଦଳରେ ତାଙ୍କୁ କିଛି ଖାଦ୍ୟ ମିଳି ଯାଉଥିଲା। ସେତିକି ତାଙ୍କର ମଜୁରି ଥିଲା। ବାପା କୁହନ୍ତି ଯେ କାମ ଛାଡ଼ି ଯିବାର କୌଣସି ବିକଳ୍ପ ନଥିଲା।

PHOTO • Courtesy: Mithun Kumar
PHOTO • Courtesy: Mithun Kumar

ଉତ୍ତର ପ୍ରଦେଶର ଜୌନପୁର ଗାଁରେ ଥିବା କ୍ଷେତରେ ମିଥୁନଙ୍କ ମା’ କାମ କରୁଛନ୍ତି । ପ୍ରାୟ ୩୦ ବର୍ଷ ପୂର୍ବେ, ତାଙ୍କର ସ୍ୱାମୀ ମୁମ୍ବାଇରେ ପରିବା ବିକ୍ରି କରୁଥିବା ସମୟରେ ସେ ଗାଁରୁ ସହର ମଧ୍ୟରେ ପ୍ରାୟତଃ ଯିବାଆସିବା କରୁଥିଲେ

୧୯୭୦ ମସିହାରେ ଗାଁର ଜଣେ ପଡ଼ୋଶୀ ମୁମ୍ବାଇ ଆସିଥିଲେ ଏବଂ ସେ କଦଳୀ ବିକ୍ରି କାମ ଆରମ୍ଭ କରିଥିଲେ । କିଛି ବର୍ଷ  ପରେ ବଡ଼ ବାପା (ବାପାଙ୍କ ବଡ଼ ଭାଇ) ତାଙ୍କ ଆଶ୍ରାରେ ମୁମ୍ବାଇ ଆସିଲେ ଏବଂ ତାଙ୍କ ସହଯୋଗୀ ଭାବେ କଦଳୀ ବିକ୍ରି କରିବାକୁ ଲାଗିଲେ । କିଛି ଦିନ ପରେ ସେ ନିଜର ବ୍ୟବସାୟ ଆରମ୍ଭ କଲେ । କିଛି ଦିନ ପରେ ଯେତେବେଳେ ବଡ଼ ବାପା ଗାଁକୁ ଆସିଲେ, ପ୍ରଥମ ଥର ପାଇଁ କିଛି ଟଙ୍କା କାରଣରୁ ଆମ ଘରକୁ ଖୁସି ଆସିଥିଲା। ପୁଣିଥରେ ଯେତେବେଳେ ସେ ମୁମ୍ବାଇ ଗଲେ, ଏଥର ବାପାଙ୍କୁ ମଧ୍ୟ ସାଙ୍ଗରେ ନେଲେ। ଏକଥା ଯେତେବେଳେ ସେହି ଲୋକମାନେ ଜାଣିଲେ, ଯାହା ଘରେ ସାରା ଦିନ ବାପା କାମ କରୁଥିଲେ, ସେମାନେ ଆସି ଆମ ପଡ଼ୋଶୀଙ୍କ ସହ ଝଗଡ଼ା କଲେ। ସେମାନଙ୍କର କହିବା କଥା ଥିଲା ଯେ ସେ ଆମ ଲୋକମାନଙ୍କୁ ପ୍ରଲୋଭିତ କରୁଛନ୍ତି, ତାଙ୍କୁ ନଷ୍ଟ କରି ଦେଉଛନ୍ତି । କଥା ବହୁତ ଆଗକୁ ବଢ଼ିଯାଇଥିଲା। ହାତାହାତି ପର୍ଯ୍ୟନ୍ତ ଗଲା । ଦୁଇ ପରିବାରକୁ ନାନା ଧମକଚମକ ମିଳିଲା। କିନ୍ତୁ କେହି ସାହସ ହରାଇଲେ ନାହିଁ। ସମସ୍ତେ ମୁମ୍ବାଇର ରାସ୍ତା ବାଛିଲେ। ଗୋଲାମିର ଶିକୁଳିରୁ ମୁକୁଳିବା ଦିଗରେ ଏହା ଥିଲା ପ୍ରଥମ ପଦକ୍ଷେପ । ବେଳେବେଳେ ଏକଥା ବିଶ୍ୱାସ ହୁଏ ନାହିଁ, ଏସବୁ ଆଜକୁ ୪୦-୫୦ ବର୍ଷ ପୂର୍ବରୁ ହେଉଥିଲା, ଏକ ସ୍ୱାଧୀନ ଦେଶରେ ।

ମୁମ୍ବାଇରେ କିଛିଦିନ ବଡ଼ବାପାଙ୍କ ସହିତ କାମ କରିବା ପରେ, ବାପା ନିଜର ଏକ ଫଳ ଦୋକାନ ଆରମ୍ଭ କଲେ। ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିଲା, ତେଣୁ ଗାଁରେ ତାଙ୍କର ବାହାଘର ହୋଇଗଲା। ବାହାଘରର କିଛିଦିନ ପର୍ଯ୍ୟନ୍ତ ଗାଁରେ ରହିବା ପରେ ବାପାଙ୍କ ସହିତ ମା’ ମଧ୍ୟ ମୁମ୍ବାଇ ଯିବାଆସିବା କରିବାକୁ ଲାଗିଲେ। ଏବେ ବର୍ଷକୁ କିଛି ମାସ ସେ ବାପାଙ୍କ ସହିତ ମୁମ୍ବାଇରେ ରହୁଥିଲେ, ବାକି ଦିନ ଗାଁକୁ ଚାଲି ଯାଉଥିଲେ। ଏହି କ୍ରମରେ ୧୯୯୦ ମସିହାରେ ମୁମ୍ବାଇର ଜୁହୁ ଇଲାକାରେ ଥିବା କୁପର ହସ୍ପିଟାଲରେ ମୁଁ ଜନ୍ମ ନେଇଥିଲି।

ମା’ଙ୍କ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଉନ୍ନତ ଥିଲା। ଅଜାଙ୍କର ଭଲ ଚାଷବାସ କାମ ଥିଲା। ଦୁଇ ମାମୁ ପାଠ ପଢ଼ିଥିଲେ। ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବେ ସେମାନେ ଦ୍ଵାଦଶ ପର୍ଯ୍ୟନ୍ତ ପଢ଼ିବା ବହୁତ ବଡ଼ କଥା ଥିଲା। ଏହାବ୍ୟତୀତ, ସେମାନଙ୍କର ରାଜନୀତି ପ୍ରତି ଆଗ୍ରହ, ଚିନ୍ତାଧାରା, ସମାଜକୁ ନେଇ ଦୃଷ୍ଟିକୋଣ ଆଧୁନିକ ଥିଲା । କିନ୍ତୁ, ଏ ପୁରୁଷ ପ୍ରଧାନ ସମାଜରେ ପୁରୁଷମାନଙ୍କର ସ୍ଥିତିରେ ଯେତେ ସୁଧାର ଆସିଲେ ସୁଦ୍ଧା ମହିଳାଙ୍କ ଭାଗରେ ଥିବା ସଂଘର୍ଷ ସରେ ନାହିଁ । ମୋ ମା’, ମାଉସୀ ଏବଂ ମାଈଁଙ୍କ ଜୀବନ ଚାଷ ଜମିରେ ବିତି ଯାଉଥିଲା।

ପ୍ରଥମେ ସମାନ ଆର୍ଥିକ ସ୍ଥିତି ଥିବା ଏକ ପରିବାରରେ ମୋ ମା’ଙ୍କୁ ବାହା କରି ଦିଆଯାଇଥିଲା। କିନ୍ତୁ କିଛି ଦିନ ପରେ ମା’ ବାପଘରକୁ ଫେରି ଆସିଲେ। ଏହାର ସଠିକ କାରଣ ମୁଁ ଜାଣିନଥିଲି। କିନ୍ତୁ ଯେତିକି ମୁଁ ଶୁଣିଲି, ଜାଣିବାକୁ ପାଇଲି ଯେ ମା’ଙ୍କର ଚର୍ମ ରୋଗ କାରଣରୁ ଏପରି ହୋଇଥିଲା। ମୁଁ କେବେ ଅଧିକ ଜାଣିବା ଲାଗି ଚେଷ୍ଟା କଲି ନାହିଁ । କିଛି ବର୍ଷ ପର୍ଯ୍ୟନ୍ତ ଅଜା ଓ ମାମୁଙ୍କ ସହିତ ମା’ ରହିଲେ। ଏହାପରେ ତାଙ୍କର ପୁଣିଥରେ ବାହାଘର କରି ଦିଆଗଲା। ବାପାଙ୍କ ସହିତ ଦ୍ଵିତୀୟ ବିବାହ ହୋଇଥିଲା। କାରଣ, ବେଶ୍‌ ସ୍ପଷ୍ଟ ଥିଲା। ବାପାଙ୍କ ଘରର ଆର୍ଥିକ ସ୍ଥିତି ଠିକ୍‌ ନଥିଲା, ସେଥିପାଇଁ ସାମାନ୍ୟ ଉନ୍ନତ ସ୍ଥିତିରେ ଥିବା ଘରୁ ଆସୁଥିବା ପ୍ରସ୍ତାବକୁ ମନା କରିବାର କୌଣସି କାରଣ ନଥିଲା।

PHOTO • Devesh
PHOTO • Sumer Singh Rathore

ମିଥୁନ ପ୍ରତିଦିନ ଭୋର ୪:୩୦ ସମୟରେ ପରିବା ମଣ୍ଡିକୁ ଯାଇଥାନ୍ତି ଏବଂ ନିଜେ କିଣିଥିବା ସାମଗ୍ରୀକୁ ଏକ ଟେମ୍ପୋ (ଡାହାଣ)ରେ ଲୋଡ୍ କରି ଦେଇଥାନ୍ତି, ଯାହାକି ପରିବାକୁ ତାଙ୍କ ଦୋକାନ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାଏ

ମୋ ଜନ୍ମ ହେବା ପର୍ଯ୍ୟନ୍ତ ବାପାଙ୍କ ଦୋକାନ ଭଲ ଚାଲୁଥିଲା। ପରେ ଏମିତି କିଛି ପରିସ୍ଥିତି ଦେଖାଦେଲା ଯେ ଦୋକାନ ହାତଛଡ଼ା ହୋଇଗଲା। ବାପାଙ୍କୁ ଦୋକାନ ଭଡ଼ା ନେଇ କାମ କରିବାକୁ ପଡ଼ିଲା। ଅନ୍ୟପଟେ ଆମେ ପାଞ୍ଚ ଜଣ ପିଲାଙ୍କ ଜନ୍ମ ପରେ ମା’ଙ୍କ ମୁମ୍ବାଇ ଯିବା ପ୍ରାୟତଃ ବନ୍ଦ ହୋଇଯାଇଥିଲା। ଗାଁରେ ଜେଜେ ବାପା ଆଣିଥିବା ଭାଗ ଚାଷ କାମ କରିବାରେ ମା’ଙ୍କର ସମୟ ବିତୁଥିଲା ଏବଂ ବାକି ସମୟ ମାଟି ପାତ୍ର ତିଆରି କାମରେ ଲାଗୁଥିବା ମାଟି ପ୍ରସ୍ତୁତ କରିବାରେ ସେ ସହାୟତା କରୁଥିଲେ। କିନ୍ତୁ ଆର୍ଥିକ କାରଣରୁ ପରିବାର ଭିତରେ ଆନ୍ତରିକ କଳହ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ମା’ ଆମ ପାଞ୍ଚ ଭାଇ-ଭଉଣୀଙ୍କୁ ନେଇ ପରିବାର ଠାରୁ ଅଲଗା ହୋଇଗଲେ । ଅଲଗା ହେବା ପରେ, ଗୋଟିଏ କଚ୍ଚା ଘର, କିଛି ବାସନକୁସନ, ଆଉ କିଛି ଶସ୍ୟ ବ୍ୟତୀତ ପାଖରେ କିଛି ନଥିଲା। ତେବେ, ମାମୁମାନେ ସେତେବେଳେ କିଛି ଆର୍ଥିକ ସହାୟତା କଲେ ଏବଂ ପ୍ରଥମେ ପ୍ରଥମେ କିଛି ରାସନ ଯୋଗାଡ଼ କରି ଦେଇଥିଲେ। ଏହାପରେ ମା’ ଗାଁର ସବର୍ଣ୍ଣ ଲୋକମାନଙ୍କ ଜମି ଭାଗରେ ଆଣି ଚାଷ କରିବା ଆରମ୍ଭ କଲେ। ମା’ଙ୍କ କଠିନ ପରିଶ୍ରମ କାରଣରୁ ମାତ୍ର ବର୍ଷେ ଦୁଇ ବର୍ଷ ମଧ୍ୟରେ ଘରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ହୋଇ ରହିଲା। ମା’ ଅନ୍ୟମାନଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର କଠିନ ପରିଶ୍ରମ ଯୋଗୁ ଆମ ଘରେ କେବେ ଖାଦ୍ୟପେୟର ଅଭାବ ରହିଲା ନାହିଁ।

ଆସନ୍ତା ଥର ବାପା ଯେତେବେଳେ ଗାଁକୁ ଆସିଲେ, ମା’ ମୋତେ ତାଙ୍କ ସହ ମୁମ୍ବାଇ ପଠାଇ ଦେଲେ। ତାହା ୧୯୯୮-୯୯ ମସିହା କଥା, ସେତେବେଳକୁ ମୋତେ ୮ କିମ୍ବା ୯ ବର୍ଷ ହୋଇଥିଲା। ମୁମ୍ବାଇ ପଠାଇବାର ଉଦ୍ଦେଶ୍ୟ ଥିଲା ମୋ ଦୁଷ୍ଟାମି କମିବ ଏବଂ ବାପାଙ୍କୁ କିଛି ସାହାଯ୍ୟ ମିଳିବ। ଇତିମଧ୍ୟରେ ବାପା ଅନେକ ସ୍ଥାନରେ ଦୋକାନ ବଦଳାଇଲେ, କେଉଁଠି ଭଲ ବେପାର ହେଉନଥିଲା, ଅନ୍ୟ କେଉଁଠି (ବୃହନମୁମ୍ବାଇ ମହାନଗରପାଳିକା)ର କାର୍ଯ୍ୟାନୁଷ୍ଠାନ ଅଧିକ ଥିଲା। ତାଙ୍କ କାମରେ କିଛି ଠିକଠିକଣା ନଥିଲା, କିଛି ଲୋକ ଚାପ ପକାଇବାରୁ ବାପା ବିଏମସିର ଏକ ସ୍କୁଲରେ ମୋର ନାଁ ଲେଖାଇ ଦେଲେ । ବୟସ ହିସାବରେ ତୃତୀୟ ଶ୍ରେଣୀରେ ମୋତେ ପାଠ ପଢ଼ିବାର ସୁଯୋଗ ମିଳିଲା । ସ୍କୁଲରେ ମୁଁ କିଛି ନୂଆ ପିଲାଙ୍କୁ ଭେଟିଲି ଏବଂ ମୋ ଭିତରେ ସ୍କୁଲ ପ୍ରତି ଆକର୍ଷଣ ପୁଣିଥରେ ବଢ଼ିଗଲା।

*****

ପରିସ୍ଥିତି ଏପରି ନଥିଲା ଯେ, ୩-୪ ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ିବା ଲାଗି ମହଲତ ମିଳିଯିବ। ସେଥିପାଇଁ ମୁଁ ସେ ସ୍ୱପ୍ନ ଦେଖିବା ଛାଡ଼ି ଦେଲି

ବାପା ସକାଳୁ ପରିବା ମଣ୍ଡିକୁ ଚାଲି ଯାଉଥିଲେ। ମୁଁ କ୍ଷୀର ଓ ବିସ୍କୁଟ୍‌ ଖାଇ କିଛି ଟଙ୍କା ନେଇ ସକାଳ ୭ଟା ବେଳେ ସ୍କୁଲ ଚାଲି ଯାଉଥିଲି । ପ୍ରାୟ ୧୦ଟା ବେଳେ ଲଞ୍ଚ ହେଉଥିଲା, ସ୍କୁଲ କ୍ୟାଣ୍ଟିନରେ ସିଙ୍ଗଡ଼ା କିମ୍ବା ବରା ଯାହା ମିଳୁଥିଲା ମୁଁ ଖାଇ ଦେଉଥିଲି । ୧୨ଟା ବେଳେ ଘରକୁ ଫେରି ମୁଁ ବାପାଙ୍କ କହିବା ଅନୁଯାୟୀ କିରୋସିନି ଷ୍ଟୋଭ୍‌ରେ ରୋଷେଇ କରୁଥିଲି । ସେ ମୋତେ ଖିଚୁଡ଼ି କିମ୍ବା ଡାଲି-ଭାତ ତିଆରି କରିବାର ପଦ୍ଧତି କହିଯାଇଥିଲେ। ନଅ ବର୍ଷ ବୟସରେ ମୁଣ୍ଡ ଯେତିକି କାମ କରୁଥିଲା, ମୁଁ ସେହି ହିସାବରେ ରୋଷେଇ କରିବା ଲାଗି ଚେଷ୍ଟା କରୁଥିଲି । ବେଳେବେଳେ ଭାତ ପେଜୁଆ ହୋଇଯାଉଥିଲା, ପୁଣି କେବେ ତଳୁ ପୋଡ଼ି ଯାଉଥିଲା କିମ୍ବା କଞ୍ଚା ରହି ଯାଉଥିଲା। ରୋଷେଇ କରିସାରିବା ପରେ ଟିଫିନ୍‌ ପ୍ୟାକ୍‌ କରୁଥିଲି, ଏବଂ ବିଇଏସଟି (ସଡ଼କ ପରିବହନ) ବସ ଧରି ଘର ଠାରୁ ପ୍ରାୟ ୫ କିଲୋମିଟର ଦୂର ବାପାଙ୍କ ଦୋକାନକୁ ଯାଉଥିଲି। ବାପା ଅଧିକାଂଶ ସମୟରେ ପାଟି କରୁଥିଲେ, ଏ କ’ଣ କରିଛୁ, ଏମିତି କହିଥିଲି? ସତ୍ୟାନାଶ କରିଦେଲୁ... ଇତ୍ୟାଦି ଇତ୍ୟାଦି ।

PHOTO • Sumer Singh Rathore
PHOTO • Devesh

ବାମ : ମିଥୁନ ସକାଳ ପ୍ରାୟ ୬:୩୦ ସମୟରେ ରାସ୍ତା କଡ଼ରେ ଥିବା ନିଜର ଦୋକାନ ଖୋଲୁଛନ୍ତି। ଡାହାଣ: ଏହାପରେ ସେ ଏହା ଆଗରେ ଥିବା ସ୍ଥାନକୁ ସଫା କରିଥାନ୍ତି

ଖରାବେଳେ ବାପା ଦୋକାନ ତଳେ ଚଟାଣରେ ଶୋଇ ପଡ଼ୁଥିଲେ ଏବଂ ମୁଁ ଦୋକାନ ଚଲାଉଥିଲି। ମୋ କାମ ଏଇଠି ସରୁନଥିଲା। ଦ୍ଵିପ୍ରହରରେ ସେ ଉଠିଲେ, ମୁଁ ଆଖପାଖ ଗଳିରେ ଧନିଆ ପତ୍ର ଓ ଲେମ୍ବୁ ବିକ୍ରି କରିବାକୁ ଯାଉଥିଲି। ବାଁ ହାତରେ ଧନିଆ ବିଡ଼ା ଧରି ଏବଂ ଦୁଇ ହାତରେ ଲେମ୍ବୁ ଧରି ପଥଚାରୀମାନଙ୍କୁ ବିକ୍ରି କରିବାର କଳା ମୁଁ ଶିଖି ଯାଇଥିଲି। ଲେମ୍ବୁ, ଧନିଆ ବିକ୍ରି କରି ପ୍ରତିଦିନ ମୁଁ ୫୦ରୁ ୮୦ ଟଙ୍କା ରୋଜଗାର କରି ନେଉଥିଲି। ଏହି ଧାରା ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଚାଲିଲା। ଦିନେ ହଠାତ୍‌ କୌଣସି କାରଣରୁ ବାପା ଗାଁକୁ ଗଲେ, ମୋତେ ତାଙ୍କ ସହ ଯିବାକୁ ପଡ଼ିଲା। ମୋ ପଞ୍ଚମ ଶ୍ରେଣୀ ପାଠପଢ଼ା ଅଧାରେ ରହିଗଲା।

ଏଥର ମା’ ମୋତେ ଗାଁରେ ଅଟକାଇ ଦେଲେ । ତାଙ୍କ ମନେ ହେଉଥିଲା ଯେ ଶିକ୍ଷା ଜରୁରି, ସେଥିପାଇଁ ଘରେ ଜଣେ ପିଲା ପାଠ ପଢ଼ିବା ଉଚିତ୍‌ କିମ୍ବା ମୋତେ ଅଟକାଇବାର କାରଣ ବୋଧହୁଏ ମୁମ୍ବାଇରେ ମୋର ସଂଘର୍ଷ ଥିଲା। ମୁଁ କେବେ ଜାଣିବା ଲାଗି ଚେଷ୍ଟା କଲି ନାହିଁ । ମୁଁ କେଉଁଠି ରହିବାକୁ ପସନ୍ଦ କରେ ସେ ମୋ ଠାରୁ ଜାଣିବା ଲାଗି ଚେଷ୍ଟା ସୁଦ୍ଧା କଲେ ନାହଁ । ତାଙ୍କୁ ଯାହା ଭଲ ଲାଗିଲା ସେ ମୋ ପାଇଁ କଲେ ।

ମାମୁଙ୍କ ଘରେ ପାଠ ପଢ଼ିବା ଲାଗି ଭଲ ପରିବେଶ ଥିଲା, ସେଥିପାଇଁ ମା’ ତାଙ୍କ ସହିତ କଥା ହେଲେ । ପ୍ରାୟ ୧୧ ବର୍ଷ ବୟସରେ ମୁଁ ମାମୁ ଘରକୁ ଗଲି । ସେଠାରେ ଘରର ସବୁ ପିଲା ସ୍କୁଲ ଯାଉଥିଲେ । ପ୍ରଥମ ଥର ପାଇଁ ମୋତେ ପଢ଼ିବା ଲାଗି ଏକ ପରିବେଶ ମିଳିଥିଲା। ମାମୁ ଘର ଲୋକମାନେ କମ୍ୟୁନିଷ୍ଟ ପାର୍ଟି ସହ ସମ୍ପୃକ୍ତ ଥିଲେ, ତେଣୁ ଘରେ ସବୁବେଳେ ରାଜନୈତିକ ପରିବେଶ ଥିଲା। ପ୍ରଥମ ଥର ପାଇଁ ମୁଁ ଏଠାରେ ଦେଶର ରାଜନୈତିକ ଦଳଗୁଡ଼ିକର ନାଁ ଶୁଣିଥିଲି, ଆଞ୍ଚଳିକ ନେତାମାନଙ୍କର ନାଁ ଜାଣିଲି । ଦିନେ ଦ୍ଵିପ୍ରହରରେ ମୁଁ ଦେଖିଲି ଯେ ପଡ଼ୋଶୀ ଘରର ଜଣେ ବ୍ୟକ୍ତି, ଯାହାଙ୍କୁ ଆମେ ମାମୁ ଡାକୁଥିଲୁ ଏବଂ ଅନ୍ୟମାନେ କମ୍ରେଡ୍‌ ବୋଲି ସମ୍ବୋଧନ କରୁଥିଲେ, ସେ କେତେଗୁଡ଼ିଏ ନାଲି ପତାକା ଧରି ଘର ଦ୍ଵାରରେ ଛିଡ଼ା ହୋଇଥିଲେ । ତାଙ୍କୁ ପଚାରିବା ପରେ ଜଣାପଡ଼ିଲା ଯେ ତାହା କମ୍ୟୁନିଷ୍ଟ ପାର୍ଟିର ପତାକା, କୃଷକ, ଶ୍ରମିକମାନଙ୍କର ପତାକା। ସେମାନେ ସରକାରୀ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିଲେ । ସରକାରଙ୍କୁ ମଧ୍ୟ ବିରୋଧ କରାଯାଏ ବୋଲି ପ୍ରଥମ ଥର ପାଇଁ ସେଇଠି ମୁଁ ଜାଣିବାକୁ ପାଇଥିଲି ।

୨୦୦୮ ମସିହାରେ ଦ୍ଵାଦଶ ପରୀକ୍ଷାରେ ପାସ କରିବା ପରେ, ମାମୁ ମୋତେ ପଲିଟେକ୍‌ନିକ୍‌ରେ ଡିପ୍ଲୋମା କରିବା ଲାଗି ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିବା ନିମନ୍ତେ ପରାମର୍ଶ ଦେଲେ । ମୁଁ ଏ ସମ୍ପର୍କରେ ମା’ଙ୍କ ସହ କଥା ହେଲି, ମା’ କହିଲେ ଯେ ଏବେ ଆଉ ପୂର୍ବ ଭଳି ପରିସ୍ଥିତି ନାହିଁ । ସେ ଏମିତି ମନା କରିବା ସତ୍ତ୍ୱେ ମାମୁ ପଲିଟେକନିକ ଫର୍ମ ଆବେଦନ କରି ଦେଇଥିଲେ। ପ୍ରଥମ ଥର ଠିକ୍‌ ରେଙ୍କ ମିଳିଲା ନାହିଁ । ମୁଁ ପର ବର୍ଷ ପୁଣିଥରେ ଚେଷ୍ଟା କଲି ଏବଂ ଗୋଟିଏ ବର୍ଷର ପରିଶ୍ରମ କାରଣରୁ ଭଲ ରେଙ୍କ ଆସିଥିଲା । ଏଥର ମୋତେ ଏକ ସରକାରୀ କଲେଜରେ ପାଠପଢ଼ିବାର ସୁଯୋଗ ମିଳିଲା। କାଉନସିଲିଂ ପାଇଁ ଲେଟର୍‌ ମଧ୍ୟ ଆସିଲା। ବର୍ଷ ସାରା ମାତ୍ର ୬,୦୦୦ ଟଙ୍କା ଫିସ୍‌ ଥିଲା। ମୁଁ ପୁଣିଥରେ ମା’ଙ୍କୁ ପଚାରିଲି, କିନ୍ତୁ ସେ ସଫା ମନା କରି ଦେଲେ । ମାମୁ କହିଲେ, ମୁଁ ବୁଝି ଦେବି । କିନ୍ତୁ ମା’ ପୁଣି କହିଲେ, ଭଉଣୀମାନେ ବଡ଼ ହେଉଛନ୍ତି, ବାପା ଏତେ ଟଙ୍କା ରୋଜଗାର କରି ପାରୁନାହାନ୍ତି । ଆଗକୁ ଚଳିବା କେମିତି? ମା’ ଠିକ୍‌ କଥା କହୁଥିଲେ। ପାଠପଢ଼ା ପାଇଁ ତିନି ଚାରି ବର୍ଷର ମହଲତ ମିଳିଯିବା ଭଳି ପରିସ୍ଥିତି ନଥିଲା, ମୁଁ ସେହି ସ୍ୱପ୍ନ ସେଠାରେ ହିଁ ଛାଡ଼ି ଦେଲି ।

PHOTO • Sumer Singh Rathore
PHOTO • Sumer Singh Rathore

ବାମ : ଗ୍ରାହକମାନେ ଆସିବା ପୂର୍ବରୁ ସେ ପରିବାଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ରଖୁଛନ୍ତି । ଡାହାଣ : ପାଳଙ୍ଗ ବିଡ଼ାକୁ ବିକ୍ରି କରିବା ଲାଗି ରଖିବା ପୂର୍ବରୁ ତା’ର ମୁଣ୍ଡଗୁଡ଼ିକୁ ଛିଣ୍ଡାଉଛନ୍ତି

ଏହା ପରେ, ମୁଁ ଅନେକ ଥର ସାଇକେଲ ଧରି ଗାଁ ଠାରୁ ଦୂରରେ ଥିବା ଏମିତି ସବୁ ବଜାରରେ କାମ ଖୋଜିଲି, ଯେଉଁଠି ମୋତେ କେହି ଜାଣିନଥିବେ। ଚିହ୍ନା ଲୋକଙ୍କଠାରୁ କାମ ମାଗିବାରେ ସମସ୍ୟା ଥିଲା। ଏମିତି କାମ ଖୋଜୁ ଖୋଜୁ ଗୋଟିଏ ଜାଗାରେ ଟ୍ୟୁସନ ପଢ଼ାଇବାର କାମ ମିଳିଗଲା। କିନ୍ତୁ, ଦୁଇ ମାସ ପଢ଼ାଇବା ପରେ ମୁଁ ଦେଖିଲି ଯେ ସମ୍ପୂର୍ଣ୍ଣ ପାଉଣା ମିଳୁନାହିଁ । ସେଥିପାଇଁ ମନ ଭାଙ୍ଗିଗଲା । ମୁଁ ଭାବିଲି ମୁମ୍ବାଇ ଚାଲିଯିବି । ବାପା ମଧ୍ୟ ସେଠାରେ ଥିଲେ, ଭାବିଲି କିଛି ନା କିଛି କାମ ମିଳିଯିବ। ମା’ ମଧ୍ୟ ଏ କଥାରେ ରାଜି ଥିଲେ । ଏହାପରେ ସେହି ପଡ଼ୋଶୀଙ୍କ ପୁଅ ସହିତ ମୁମ୍ବାଇ ଆସିଲି, ଯାହାଙ୍କ ସହିତ ବାପା ପ୍ରଥମ ଥର ଆସିଥିଲେ।

*****

ପୁଣିଥରେ କାମ ସନ୍ଧାନରେ ଲାଗି ପଡ଼ିଲି । ରହିବାର ଠିକଣା ଅନିଶ୍ଚିତ ଥିଲା। ମୁଁ ସାରା ଦିନ କାମ ଖୋଜିବାରେ ଏଣେତେଣେ ବୁଲୁଥିଲି

ମୁମ୍ବାଇର ଅନ୍ଧେରୀ (ୱେଷ୍ଟ) ଇଲାକାରେ, ବାପା ପରିବା ଦୋକାନ କରିଥିଲେ, ସେଇଠି ଫୁଟପାଥରେ ରୋଷେଇ କରୁଥିଲେ, ଖାଉଥିଲେ ଏବଂ ଶୋଇ ଯାଉଥିଲେ । ଏଭଳି ସ୍ଥିତିରେ ତାଙ୍କ ସହ ରହିବା କଷ୍ଟକର ଥିଲା। ଗୋଟିଏ କ୍ଷୀର ଦୋକାନରେ ମୋତେ କାମ ମିଳିଲା । ମାଲିକ କହିଲେ, କେବଳ ଦୋକାନରେ ବସିବାକୁ ପଡ଼ିବ, ବେଳେ ବେଳେ କେଉଁଠି ଜିନିଷ ପହଞ୍ଚାଇବାକୁ ପଡ଼ିବ, ରହିବା-ଖାଇବା ସୁବିଧା ମିଳିବ ନାହିଁ, ମାସର ୩୦ଦିନ ଯାକ କାମ କରିବାକୁ ପଡ଼ିବ, ଛୁଟି ମିଳିବ ନାହିଁ ଏବଂ ଦରମା ୧୮୦୦ ଟଙ୍କା। ମୁଁ କାମ କରିବା ଲାଗି ହଁ କହିଦେଲି। କିନ୍ତୁ ଗୋଟିଏ ସପ୍ତାହରେ ଅଚାନକ ଦୁଇ ପାଦ ଫୁଲିଗଲା। ଭୟଙ୍କର ଯନ୍ତ୍ରଣା ହେଉଥିଲା ଏବଂ ବସିଲେ ସାମାନ୍ୟ ଆରାମ ମିଳୁଥିଲା। କୋଡ଼ିଏ-ବାଇଶି ଦିନ କାମ କରିବା ପରେ, ମୁଁ ସେଠ୍‌ଙ୍କୁ କହିଲି ଯେ ଏ ମାସ ସମ୍ପୂର୍ଣ୍ଣ ହେବା ପରେ କାମ କରିପାରିବି ନାହିଁ ।

ପୁଣିଥରେ କାମ ଖୋଜିବାକୁ ଲାଗିଲି । ରହିବାର କିଛି ଠିକଣା ନଥିଲା। ସାରା ଦିନ କାମ ଖୋଜୁଥିଲି, ଏହାପରେ ବେଳେ ବେଳେ ବସ ଷ୍ଟପରେ କିମ୍ବା କୌଣସି ଦୋକାନ ଆଗରେ ଶୋଇ ପଡ଼ୁଥିଲି। ଶେଷରେ ଏକ ଅନଲାଇନ ଲଟେରୀ ଦୋକାନରେ କାମ ମିଳିଗଲା, ଯେଉଁଠାରେ ଲୋକମାନେ ଜୁଆ ଖେଳିବାକୁ ଆସୁଥିଲେ। ସେଠି ମୋ କାମ ଥିଲା ବୋର୍ଡରେ ଲଟେରୀ ନମ୍ବର ଲେଖିବା, ଏଥିପାଇଁ ଦିନକୁ ୮୦ ଟଙ୍କା ମିଳୁଥିଲା। ଦିନେ ମୋ ମାଲିକ ନିଜେ ଜୁଆ ଖେଳିଲା, ସେଥିରେ ପ୍ରାୟ ୭-୮ ଲକ୍ଷ ଟଙ୍କା କ୍ଷତି ସହିଲା। ଏହି କାଣ୍ଡ ପରେ ଦୁଇ ଦିନ ପର୍ଯ୍ୟନ୍ତ ଦୋକାନ ଖୋଲିଲା ନାହିଁ । ତୃତୀୟ ଦିନ ମୁଁ ଖବର ପାଇଲି ମୋ ମାଲିକଙ୍କର ସେଠ୍‌ ତାଙ୍କୁ ମାଡ଼ ମାରିଛନ୍ତି। ଏବେ ଆଉ ଜଣେ ମାଲିକ ନଆସିବା ପର୍ଯ୍ୟନ୍ତ ଦୋକାନ ଖୋଲିବ ନାହିଁ । କିନ୍ତୁ ଅନ୍ୟ କେହି ମାଲିକ ଆସିଲେ ନାହିଁ । ମୋର ପାଖାପାଖି ୧ହଜାର ଟଙ୍କା ବାକିଥିଲା, ସେତକ ବୁଡ଼ିଗଲା। ମୁଁ ପୁଣିଥରେ କାମ ଖୋଜିବା ଲାଗି ବୁଲିବା ଆରମ୍ଭ କଲି ।

PHOTO • Devesh
PHOTO • Devesh

ମିଥୁନଙ୍କର ଅଧିକାଂଶ ଗ୍ରାହକ ନିୟମିତ ଭାବେ ତାଙ୍କ ଠାରୁ ପରିବା କିଣିଥାନ୍ତି; ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ତାଙ୍କର ବନ୍ଧୁ ହୋଇଗଲେଣି । ସେ ପ୍ରାୟ ୨୦୦୮ ଠାରୁ ମୁମ୍ବାଇରେ ପରିବା ବିକ୍ରି କରି ଆସୁଛନ୍ତି

ଇତିମଧ୍ୟରେ ବାପାଙ୍କ ଗୋଡ଼ରେ ସମସ୍ୟା ଦେଖାଦେଲା, ମୁଁ ବାପାଙ୍କୁ କହିଲି ଯେ ଏବେ ମୋତେ କାମ ଦାୟିତ୍ୱ ଦିଅନ୍ତୁ ଏବଂ ଆପଣ ଗାଁ ଆଡ଼େ ବୁଲି ଆସନ୍ତୁ। ମୁଁ ଏଠି ଦୋକାନ ସମ୍ଭାଳୁଛି । ପ୍ରଥମେ ବାପା କହିଲେ, ତୁ ପାରିବୁ ନାହିଁ, ରାସ୍ତା କଡ଼ରେ ଦୋକାନ କଲେ ନାନା ସମସ୍ୟା ରହିଛି, କିନ୍ତୁ ସେ ନିଜେ ମଧ୍ୟ ଗାଁକୁ ଯିବାକୁ ଚାହୁଁଥିଲେ। ମୁଁ ତାଙ୍କୁ ଦୋକାନ ଚଳାଇବା ଲାଗି ରାଜି କରାଇ ନେଇଥିଲି ।

ନିଜ ସାହସ ବଳରେ ଗୋଟିଏ ସପ୍ତାହ ଦୋକାନ ଚଲାଇ ମୁଁ ପ୍ରାୟ ଦେଢ଼ ହଜାର ଟଙ୍କା ସଞ୍ଚୟ କରିପାରିଥିଲି, ମୋ ପାଇଁ ଏତିକି ଖୁବ ଅଧିକ ଟଙ୍କା ଥିଲା। ଏହି ଅର୍ଥ କାମ ପ୍ରତି ସମର୍ପଣ ଭାବ ସୃଷ୍ଟି କଲା ଏବଂ ଗୋଟିଏ ମାସର ପରିଶ୍ରମ ପରେ ମୁଁ ପାଞ୍ଚ ହଜାର ଟଙ୍କ ସଞ୍ଚୟ କରିପାରିଥିଲି। ମୁଁ ଯେତେବେଳେ ଘରକୁ ଡାକ ଯୋଗେ ଟଙ୍କା ପଠାଇଲି, ମା’ ବହୁତ ଖୁସି ହେଲେ, ବାପା ଚକିତ ହେଲେ। ଯେଉଁ ଦୋକାନରୁ ସେ କିଛି ଟଙ୍କା ସଞ୍ଚୟ କରିପାରୁନଥିଲେ, ମୁଁ ଏତେ ଟଙ୍କା ଲାଭ କିପରି କରିପାରିଲି !

ମୁଁ ଯେଉଁଠି ଉଠାଦୋକାନ କରିଥିଲି, ରାସ୍ତା ଆର ପଟେ ଆଉ ଏକ ପରିବା ଦୋକାନ ଥିଲା ଯେଉଁଥିରେ ଆଉ ଜଣେ ମୋ ବୟସର ଯୁବକ ଥିଲା। ଧୀରେ ଧୀରେ ଆମେ ପରସ୍ପରର ଭଲ ବନ୍ଧୁ ହୋଇପାରିଥିଲୁ । ଯେଉଁଦିନ ସେ ମୋ ଆଡ଼କୁ ଖାଇବା ଥାଳି ବଢ଼ାଇ ଦେଇଥିଲା, ସେଦିନ କଥା ମୋର ଭଲ ଭାବେ ମନେ ଅଛି । ତା’ ନାଁ ଆମିର୍‌ ଥିଲା, ଆମିର୍‌ ସହ ସାଥୀ ହେବା ପରେ ମୋର ଖାଇବା ପିଇବା ଟେନସନ ଦୂର ହୋଇଯାଇଥିଲା। ଏଣିକି କ’ଣ ଖାଇବା ତିଆରି ହେବ ଆମିର୍‌ ମୋତେ ପଚାରୁଥିଲା, ଆଜି କ’ଣ ରୋଷେଇ କରିବା। ମୁଁ ରୋଷେଇ କରିବା ଜାଣିନଥିଲି, ସେଥିପାଇଁ ଅଧିକାଂଶ ସମୟରେ ଖାଇବା ପରେ ମୁଁ ବାସନକୁସନ ମାଜୁଥିଲି । ଆମେ ଦୁହେଁ ଯେଉଁ ଖୋଲା ସ୍ଥାନରେ ଶୋଇ ପଡ଼ୁଥିଲୁ ସେଠାରୁ ଆମର ଟଙ୍କା ଚୋରି ହେବାକୁ ଲାଗିଲା। ଥରେ କେହି ଜଣେ ପକେଟରୁ ମୋବାଇଲ ଚୋରି କରି ନେଇଯାଇଥିଲା। ସେଥିପାଇଁ, କିଛିଦିନ ପରେ ମୁଁ ଓ ଆମିର ମିଶି ଘର ଭଡ଼ା ନେବାକୁ ନିଷ୍ପତ୍ତି ନେଲୁ । ଜଣେ ପରିଚିତ ଲୋକ, ଚାଲ୍‌ରେ ଘର ଭଡ଼ା ଯୋଗାଡ଼ କରିଦେଲେ । କିଛି ଟଙ୍କା ଅଗ୍ରିମ ଦେବାକୁ ପଡ଼ିଲା ଏବଂ ମାସିକ ଭଡ଼ା ତିନି ହଜାର ଟଙ୍କା ଥିଲା, ଯାହାକୁ ମୁଁ ଏବଂ ଆମିର ପରସ୍ପର ମଧ୍ୟରେ ଭାଗ କରି ଦେଉଥିଲୁ ।

ଗାଁରେ ମୋର କଚ୍ଚା ଘର ଥିଲା। କିଛି ଦିନ ପୂର୍ବରୁ ସେଥିରେ ନିଆଁ ଲାଗିଯାଇଥିଲା। ମରାମତି କରିବା ସତ୍ତ୍ୱେ ଘର ଅବସ୍ଥା ଜରାଜୀର୍ଣ୍ଣ ସ୍ଥିତିରେ ଥିଲା । ସେଥିପାଇଁ କଚ୍ଚା ଘର ଭାଙ୍ଗି ସେହି ସ୍ଥାନରେ ପକ୍କା ଘର ତିଆରି ହେଉଥିଲା । ଏହି ସମୟରେ ୨୦୧୩ ମସିହା ମଇ ମାସରେ ମୋ ଦୁଇ ଗୋଡ଼ରେ ଅଦ୍ଭୂତ ଧରଣର ଯନ୍ତ୍ରଣା ଆରମ୍ଭ ହୋଇଗଲା। ଗାଁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇଲି, ସେ କହିଲେ କ୍ୟାଲସିୟମ ଅଭାବ ରହିଛି। ତଥାପି ସ୍ଥିତିରେ ସୁଧାର ଆସିଲା ନାହିଁ, ଡାକ୍ତର ଗୁଡ଼ାଏ ଯାଞ୍ଚ କରିବାକୁ ଲେଖିଦେଲେ। ରିପୋର୍ଟ ଆସିବା ପରେ ପିଲିୟା ଥିବା ଜଣାପଡ଼ିଲା। ଚିକିତ୍ସା ସତ୍ତ୍ୱେ ମୋ ଅବସ୍ଥା ଖରାପ ହୋଇ ଚାଲିଥିଲା, କାରଣ ଯନ୍ତ୍ରଣାରୁ ଆଦୌ ଆରାମ ମିଳୁନଥିଲା। ଘର ଲୋକ କେହି ଜଣେ ଓଝା-ସୋଖା (ଗୁଣିଆ)ଙ୍କ ପାଖକୁ ଯାଉଥିଲେ। ଟଙ୍କା ଉଭୟ ପଟେ ଖର୍ଚ୍ଚ ହେଉଥିଲା, ଔଷଧ ଏବଂ ପ୍ରାର୍ଥନା, ଉଭୟ କ୍ଷେତ୍ରରେ, କିନ୍ତୁ ଆରାମ ମିଳୁନଥିଲା । ମୋର ସବୁ ଟଙ୍କା ସରି ଯାଇଥିଲା । ମୋ ଅବସ୍ଥା ଦେଖି ସମ୍ପର୍କୀୟମାନେ ସାହାଯ୍ୟ କଲେ । ମୁଁ ମୁମ୍ବାଇ ଚାଲି ଆସିଲି ।

PHOTO • Sumer Singh Rathore
PHOTO • Sumer Singh Rathore

ବାମ : ମିଥୁନ ନିୟମିତ ଭାବେ ଜିମ୍ ଯାଇଥାନ୍ତି, ଯାହାକୁ ଦେଖି ଅନେକ ଲୋକ ଚକିତ ହୋଇଥାନ୍ତି । ମିଥୁନ କୁହନ୍ତି, 'ପରିବା ବିକାଳୀଙ୍କର ସୁସ୍ଥ ରହିବାର ଅଧିକାର ନାହିଁ କି?' ଡାହାଣ: ଘରେ ରୋଷେଇ କରୁଛନ୍ତି

ମୋ ମନକୁ ଭିନ୍ନ ଭିନ୍ନ ଭାବନା ଆସୁଥିଲା। ବେଳେ ବେଳେ ଲାଗୁଥିଲା ମୁଁ ଗାଁରେ ଅଛି, କେବେ ଲାଗୁଥିଲା ମୁମ୍ବାଇରେ। ଗ୍ରାହକଙ୍କ ସହିତ ନିବିଡ଼ ବନ୍ଧୁତା ସୃଷ୍ଟି ହୋଇସାରିଥିଲା । କବିତା ମଲହୋତ୍ରା ମୋ ରୋଗ ବିଷୟରେ ଜାଣିଲେ, ସେ ଚିନ୍ତିତ ହୋଇପଡ଼ିଲେ। ପେସାରେ ଶିକ୍ଷକ କବିତା ମଲହୋତ୍ରା ନିଜ ପରିଚିତ ଡାକ୍ତରଙ୍କ ପାଖକୁ ମୋତେ ନେଇଗଲେ । ସବୁ ଖର୍ଚ୍ଚ ସେ ନିଜେ ଉଠାଇଲେ । ଅନ୍ୟ ଲୋକଙ୍କ କଥା ଶୁଣି ଆମିର ମୋତେ ଦରଗାହ ମଧ୍ୟ ନେଇଗଲା। ଲୋକମାନେ କୁହନ୍ତି ଯେ ମୁଁ ବେଳେ ବେଳେ ଦେହରୁ ସବୁ ପୋଷାକ ଓହ୍ଲାଇ ଫିଙ୍ଗି ଦେଉଥିଲି। ବେଳେ ବେଳେ ଏଣେ ତେଣେ ଦୌଡ଼ୁଥିଲି। ଦିନେ ବାପା ମୋତେ ଜଣେ ପରିଚିତ ବ୍ୟକ୍ତିଙ୍କ ସହଯୋଗରେ ଟ୍ରେନରେ ଗାଁକୁ ନେଇ ଆସିଲେ । ଗାଁରେ ଡାକ୍ତର ଏବଂ ଗୁଣିଆମାନଙ୍କୁ ଦେଖାଇବାର ଧାରା ପୁଣିଥରେ ଆରମ୍ଭ ହୋଇସାରିଥିଲା । ଅଧିକାଂଶ ଲୋକ ଆହ୍ଲାବାଦର ଭିନ୍ନ ଭିନ୍ନ ଡାକ୍ତରମାନଙ୍କୁ ଦେଖାଇବା ଲାଗି ପରାମର୍ଶ ଦେଉଥିଲେ । ବୋଲେରୋ ବୁକ୍‌ ହେଉଥିଲା। ମା’ ମୋତେ ନେଇ ବାହାରୁଥିଲେ । ମା’ଙ୍କ ପାଖରେ ଆଦୌ ଟଙ୍କା ନଥିଲା । କିନ୍ତୁ ସମ୍ପର୍କୀୟମାନେ ଆର୍ଥିକ ସହାୟତା କରୁଥିଲେ । ମୋ ଓଜନ ୪୦ କିଲୋକୁ ହ୍ରାସ ପାଇଥିଲା । ଖଟ ଉପରେ ଶୋଇ ରହିଲେ ମୋ ଶରୀର କେବଳ ଏକ ହାଡ଼ର ଢାଞ୍ଚା ଭଳି ଲାଗୁଥିଲା । ମୁଁ ବଞ୍ଚିବି ବୋଲି ଆଉ କେହି ଆଶା କରୁନଥିଲେ। କେବଳ ମୋ ମା’ ହିଁ ସାହସ ହରାଇନଥିଲେ।  ମୋ ଚିକିତ୍ସା ପାଇଁ ମା’ ଗୋଟିଏ ପରେ ଗୋଟିଏ ନିଜର ଗହଣା ବିକ୍ରି କରିବା ଆରମ୍ଭ କରି ଦେଇଥିଲେ ।

ଇତିମଧ୍ୟରେ, ଜଣେ କାହାର ପରାମର୍ଶରେ ମୋର ଚିକିତ୍ସା ଆହ୍ଲାବାଦର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଟଣ୍ଡନଙ୍କ ପାଖରେ ଆରମ୍ଭ ହେଲା । ସେ ୧୫ ଅଗଷ୍ଟ ୨୦୧୩ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । ଯେଉଁ ବସରେ ଆମେ ଘରୁ ବାହାରିଲୁ ତାହା ଟିକିଏ ଆଗକୁ ଯାଇ ବନ୍ଦ ହୋଇଗଲା । ସେଠାରୁ ଦୁଇ କିଲୋମିଟର ଦୂରରେ ଚୌରହା ଥିଲା, ସେଠାରୁ ଆହ୍ଲାବାଦ ପର୍ଯ୍ୟନ୍ତ ବସ ମିଳୁଥିଲା। ମୁଁ ସାହସ କଲି ଏବଂ ପାଦରେ ଚାଲି ଚାଲି ଯିବା ଆରମ୍ଭ କଲି, କିନ୍ତୁ କିଛି ବାଟ ଯିବା ପରେ ହାରିଗଲି ଏବଂ ରାସ୍ତା କଡ଼ରେ ବସି ପଡ଼ିଲି । ମା’ କହିଲେ, ଚାଲ୍! ତୋତେ ପିଠିରେ ବୋହି ନେଇଯିବି । ତାଙ୍କ କଥା ଶୁଣି ମୁଁ କାନ୍ଦି ପକାଇଲି । ଏହି ସମୟରେ ଏକ ଟେମ୍ପୋ ସେହି ରାସ୍ତା ଦେଇ ଗଲା ଏବଂ ମା’ ହାତ ଯୋଡ଼ିବାରୁ ଡ୍ରାଇଭର ଗାଡ଼ି ଅଟକାଇଲେ । ଟେମ୍ପୋ ଡ୍ରାଇଭର ଆମକୁ ବସ୍‌ ଧରାଇ ଦେଲେ ଏବଂ ଟଙ୍କା ମଧ୍ୟ ନେଲେ ନାହିଁ ।  ମୋର ରୋଗରେ ପଡ଼ିବା ସମୟର କିଛି କଥା ମନେ ନାହିଁ, କିନ୍ତୁ ଏହି ଘଟଣାକୁ ମୁଁ ଭୁଲି ନାହିଁ । ଠିକ୍‌ ଏହା ପରେ ମୋ ଶରୀର ସୁସ୍ଥ ହେବାକୁ ଲାଗିଲା। ଧୀରେ ଧୀରେ ଓଜନ ମଧ୍ୟ ବଢ଼ିବାକୁ ଲାଗିଲା। ତଥାପି ମୁଁ ଦୁର୍ବଳ ଥିଲି । ଅଧିକ ଓଜନ ଉଠାଇ ପାରୁନଥିଲି । କିନ୍ତୁ ସାହସ କରି କାମ କରିବା ଆରମ୍ଭ କଲି ଏବଂ ପୁଣିଥରେ ମୁଁ ମୁମ୍ବାଇ ଚାଲି ଆସିଲି । ପୁଣିଥରେ ବ୍ୟବସାୟ ବ୍ୟସ୍ତତା ଆରମ୍ଭ ହୋଇଗଲା। ପରବର୍ତ୍ତୀ ଦୁଇ ବର୍ଷ ସ୍ଥିତି ଭଲ ଥିଲା। ଏହାପରେ ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରାଗଲା, ଏଥିରେ ମୋ କାରବାର ସମ୍ପୂର୍ଣ୍ଣ ଠପ୍‌ ହୋଇଗଲା।

*****

ଭଗତ ସିଂହଙ୍କ ବିଷୟରେ ପଢ଼ି ମୋ ମନରେ ପ୍ରଶ୍ନ ଉଠୁଥିଲା ଯେ, ସେ କ’ଣ ଆଜି ଭଳି ଏକ ଭାରତର ସ୍ୱପ୍ନ ଦେଖିଥିଲେ?

ବିଗତ କିଛି ଦିନ ଧରି ମୁଁ ସୋସିଆଲ ମିଡିଆ ଖୁବ୍‌ ଅଧିକ ବ୍ୟବହାର କରିବାକୁ ଲାଗିଥିଲି । ହ୍ଵାଟ୍ସଆପ ଫରୱାର୍ଡ ପଢ଼ି ମସ୍ତିଷ୍କ ଦକ୍ଷିଣପନ୍ଥୀ ଚିନ୍ତାଧାରା ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଢଳି ଯାଇଥିଲା। ଗୋଟିଏ ଦେଢ଼ ବର୍ଷରେ ହିଁ ସୋସିଆଲ ମିଡିଆ ଏପରି ଭାବେ ମୋତେ ବାନ୍ଧି ଦେଲା ଯେ ମୁସଲିମ ପରିବାର ସହ ରହି ସୁଦ୍ଧା ମୁସଲିମମାନଙ୍କୁ ମୁଁ ଘୃଣା କରିବାକୁ ଲାଗିଥିଲି । ଆମିର ମୋ କଥାକୁ ସେତେ ଗମ୍ଭୀରତାର ସହ ଗ୍ରହଣ କରୁନଥିଲା। କିନ୍ତୁ ମୁଁ ଦେଶର ବାକି ମୁସଲମାନ ମାନଙ୍କୁ ଘୃଣା କରିବା ଆରମ୍ଭ କରିଥିଲି । ପାକିସ୍ତାନ, କଶ୍ମୀର ଓ ଉତ୍ତରପୂର୍ବାଞ୍ଚଳ ଲୋକଙ୍କୁ ନେଇ ମୋ ମନରେ ଘୃଣା ଭାବନା ରହିଥିଲା। ମୁଁ ଯେଉଁ ଧର୍ମରେ ଜନ୍ମ ନେଇଛି ସେହି ଧର୍ମକୁ ଗ୍ରହଣ କରୁନଥିବା ଲୋକଙ୍କ ପ୍ରତି ମୋର ସମସ୍ୟା ରହିଥିଲା। କୌଣସି ମହିଳା ଜିନ୍ସ ପିନ୍ଧୁଥିବାର ଦେଖିଲେ ଭାବୁଥିଲି ସେମାନେ ସମାଜକୁ ନଷ୍ଟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା ଶୁଣି ଲାଗୁଥିଲା ଯେମିତି କେହି ମୋ ମହାପୁରୁଷଙ୍କୁ ଗାଳି ଦେଉଛି ।

ମୁଁ ମୋ ମତ ଉପସ୍ଥାପନ କରିବା ଉଚିତ୍ ବୋଲି ମୋର ମନେ ହେଲା ଏବଂ ମୁଁ ସୋଶାଲ ମିଡିଆରେ ମୋ ଅନୁଭୂତି ସବୁକୁ କାହାଣୀ ଆକାରରେ ଲେଖିବାକୁ ଲାଗିଲି । ପାଠକମାନେ ମୋ ସହିତ ଯୋଡ଼ି ହେବା ଆରମ୍ଭ କଲେ

ଭିଡିଓ ଦେଖନ୍ତୁ : ପରିବା ବିକ୍ରି କରୁଛନ୍ତି, ସମାନତା ପାଇଁ ଚିନ୍ତା କରୁଛନ୍ତି

ଦିନେ ଆମିର ଜଣେ ସାମ୍ବାଦିକଙ୍କ ବିଷୟରେ ଉଲ୍ଲେଖ କଲା, ଯାହାଙ୍କର ନାଁ ମୟଙ୍କ ସକ୍ସେନା ଥିଲା। ଆମିର ଫେସବୁକରେ ତାଙ୍କର ଅନେକଗୁଡ଼ିଏ ପୋଷ୍ଟ ଦେଖାଇଲା। ମୋତେ ଲାଗିଲା ସେ ଅତ୍ୟନ୍ତ ଘୃଣ୍ୟ ବ୍ୟକ୍ତି, ଦେଶ ବିରୋଧୀ । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖୁଥିବା ଲୋକଙ୍କୁ ଆମିର ପ୍ରଶଂସା କରୁଥିଲା, ଯାହା ମୁଁ ସହି ପାରୁନଥିଲି। କିନ୍ତୁ ମୁଁ ଆମିରକୁ କିଛି କହିପାରୁନଥିଲି । ପରେ ଦିନେ ଅଚାନକ ସେହି ବ୍ୟକ୍ତିଙ୍କୁ ଭେଟିଲି । ଗେଡ଼ା ଓ ଲମ୍ବା କେଶ ରଖିଥିବା ସେହି ବ୍ୟକ୍ତି ହସି ହସି ମୋତେ ଭେଟିଲେ। ସେହି ବ୍ୟକ୍ତିଙ୍କ ପାଇଁ ମୋ ମନରେ ଏବେସୁଦ୍ଧା ଘୃଣା ପୂରି ରହିଥିଲା ।

ମୟଙ୍କଙ୍କର ଅନ୍ୟ ବନ୍ଧୁମାନେ ମଧ୍ୟ ଏପରି ଚିନ୍ତାଧାରା ସମ୍ପନ୍ନ ଥିଲେ। ମୁଁ ସେମାନଙ୍କୁ ମଧ୍ୟ ଭେଟୁଥିଲି। ମୁଁ ସେମାନଙ୍କୁ ବିତର୍କ କରୁଥିବାର ଦେଖୁଥିଲି । ଏତେ ତଥ୍ୟ, ପୁସ୍ତକ, ସ୍ଥାନ, ବ୍ୟକ୍ତିମାନଙ୍କ ନାମ ସେମାନେ ନେଉଥିଲେ ଯେଉଁମାନଙ୍କ ସମ୍ପର୍କରେ ମୁଁ କେବେ ଶୁଣିନଥିଲି । ମୟଙ୍କ ମୋତେ ଗୋଟିଏ ବହି ଦେଲେ। ତାହା ଥିଲା, ‘ସତ୍ୟ ସହିତ ମୋ ପ୍ରୟୋଗ’ । ଗାନ୍ଧୀଜୀ ଏ ପୁସ୍ତକ ଲେଖିଥିଲେ। ଗାନ୍ଧୀ-ନେହରୁଙ୍କୁ ନେଇ ମୋ ମନରେ ଏବେ ସୁଦ୍ଧା ବିଷ ଭରି ରହିଥିଲା। ପୁସ୍ତକ ପଢ଼ିବାକୁ ମୋତେ ବୋରିଂ ଲାଗିଲା, କିନ୍ତୁ ମୁଁ ପଢ଼ି ଚାଲିଲି। ପ୍ରଥମ ଥର ପାଇଁ ଗାନ୍ଧୀଜୀଙ୍କ ବିଷୟରେ ଏତେ କଥା ଜାଣିପାରିଥିଲି। ତଥାପି ଅନେକ କିଛି ପଢ଼ିବା, ଜାଣିବା ବାକି ରହିଥିଲା। ମନରେ ଥିବା କଳୁଷତା ଧୀରେ ଧୀରେ ଦୂର ହେବା ଆରମ୍ଭ କରିଥିଲା।

ଦାଦରରେ ଦିନେ ଧାରଣା ବିକ୍ଷୋଭ ହେଉଥିଲା। ମୟଙ୍କ ସେଠାକୁ ଯାଉଥିଲେ । ସେ ମୋତେ ଯିବା ପାଇଁ ଡାକିଲେ, ତେଣୁ ମୁଁ ତାଙ୍କ ସହ ଗଲି । ଦାଦର ଷ୍ଟେସନ ବାହାରେ ବହୁସଂଖ୍ୟାରେ ଲୋକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ନାରାବାଜି କରୁଥିଲେ ଏବଂ ସରକାରଙ୍କ ଦମନକାରୀ ନୀତିକୁ ବିରୋଧ କରୁଥିଲେ । ଅନେକ ବର୍ଷ ପରେ ମୁଁ ସେହି ଲାଲ ପତାକା ଦେଖିଲି । ମୟଙ୍କ ସେଠାରେ ଡଫଲି ଧରି ଲୋକମାନଙ୍କ ସହିତ ଜନବାଦୀ ଗୀତ ଗାଇବାକୁ ଲାଗିଲେ । ପ୍ରଥମ ଥର ପାଇଁ ମୁଁ ଏକ ଆନ୍ଦୋଳନରେ ସାମିଲ ହୋଇଥିଲି ଏବଂ ଏସବୁ ଦେଖିବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍‌ ନଥିଲା । ମୟଙ୍କ ସାମାନ୍ୟ ବିଶ୍ରାମ ନେଉଥିବା ସମୟରେ, ମୁଁ ତାଙ୍କୁ ପଚାରିଲି ଏମାନଙ୍କୁ ଏଠାକୁ ଆସିବା ଲାଗି ଟଙ୍କା କିଏ ଦେଇଥାଏ? ମୟଙ୍କ ଓଲଟି ପଚାରିଲେ, “ତୁମକୁ କିଏ ଟଙ୍କା ଦେଇଛି ଏଠାକୁ ଆସିବା ଲାଗି?” ଏହି ପ୍ରଶ୍ନରେ ହିଁ ମୋତେ ଉତ୍ତର ମିଳିଯାଇଥିଲା ।

PHOTO • Devesh
PHOTO • Devesh

ଗ୍ରାହକଙ୍କ କଥା ବୁଝିବା ମଧ୍ୟରେ ସମୟ ବାହାର କରି ମିଥୁନ ପଢ଼ାପଢ଼ି କରିଥାନ୍ତି । 'ଲଗାତାର ପଢ଼ିବାର ଲାଭ ହେଲା ଯେ ମୋତେ ଲେଖିବା ପାଇଁ ଇଚ୍ଛା ହେଉଛି.'
ସେ ସାତ ବର୍ଷରୁ ଅଧିକ ସମୟ ହେବ ସୋସାଲ ମିଡିଆରେ ଲେଖି ଆସୁଛନ୍ତି ଏବଂ ତାଙ୍କର ଲେଖା ପଢ଼ି ବହୁତ ଲୋକ ନିୟମିତ ଭାବେ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି

ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁଁ ଅନୱର ହୁସୈନଙ୍କୁ ଭେଟିଲି । ସେ ଅଧିକାଂଶ ସମୟରେ ଆସି ଦୋକାନରୁ ପରିବା କିଣୁଥିଲେ । ସେ ଯେତେବେଳେ ଜାଣିଲେ ଯେ ବହି ପଢ଼ିବା ଲାଗି ମୋ ମନରେ ବେଶ ଆଗ୍ରହ ରହିଛି, ସେ ମୋତେ କିଛି ପୁସ୍ତକ ଭେଟି ଦେଲେ । ସେଥିରେ ମଣ୍ଟୋ, ଭଗତ ସିଂହ, ମୁନ୍‌ସୀ ପ୍ରେମଚନ୍ଦଙ୍କର ଅନେକଗୁଡ଼ିଏ ବହି ରହିଥିଲା। ମଣ୍ଟୋଙ୍କ ଲେଖା ମୋତେ ଏତେ ପ୍ରଭାବିତ କରିଥିଲା ଯେ ମହିଳାମାନଙ୍କ ପ୍ରତି ମୋର ଏକ ଭିନ୍ନ ଦୃଷ୍ଟିକୋଣ ଜନ୍ମ ନେଲା । ଭଗତ ସିଂହଙ୍କ ବିଷୟରେ ପଢ଼ି ମୋ ମନରେ ପ୍ରଶ୍ନ ଉଠୁଥିଲା ଯେ, ସେ କ’ଣ ଆଜି ଭଳି ଏକ ଭାରତର ସ୍ୱପ୍ନ ଦେଖିଥିଲେ? ମୁନସୀ ପ୍ରେମଚନ୍ଦଙ୍କ ଲେଖା ପଢ଼ି ମୋର ଅନୁଭବ ହେଲା ଯେପରିକି ମୁଁ ନିଜ ଜୀବନୀ, ଆମ ଲୋକ, ନିଜ ସମାଜକୁ ଦେଖିପାରୁଛି । ଏହାପରେ ମୁଁ ହରିଶଙ୍କର ପରସାଇଙ୍କୁ ପଢ଼ିବା ଆରମ୍ଭ କଲି । ପରସାଇଙ୍କୁ ପଢ଼ି ସମାଜରେ ପରିବର୍ତ୍ତନ ଆଣିବା, ଦେଖିବା ଏବଂ ନିଜକୁ ବଦଳାଇବା ଲାଗି ଏପରି ବ୍ୟଗ୍ରତା ମନରେ ଜନ୍ମ ନେଲା ଯେ ମୁଁ ଭାବିଲି ଏ ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ସମୟରେ ଜନ୍ମ ନେବା ଉଚିତ୍‌ ଥିଲା। ଏପରି ହୋଇଥିଲେ ସେ ସମସ୍ତଙ୍କ ମୁଖା ଖୋଲି ଦେଇଥାନ୍ତେ ।

ଭିନ୍ନ ଭିନ୍ନ ସମ୍ପ୍ରଦାୟ, ଲିଙ୍ଗ, କ୍ଷେତ୍ର, ଜାତିକୁ ନେଇ ମୋ ଭିତରେ ଥିବା ଘୃଣା ଏପରି ଭାବେ ଦୂର ହେବାକୁ ଲାଗିଥିଲା। ଲଗାତାର  ପଢ଼ିବା ଲାଭ ଏମିତି ହେଲା ଯେ ମୋ ମନରେ ଲେଖିବା ପାଇଁ ଆଗ୍ରହ ସୃଷ୍ଟି ହେଲା। ଏମିତିରେ ସୋସିଆଲ ମିଡିଆରେ ଅନେକ ବଡ଼ ଲେଖକଙ୍କ ଲେଖା ପଢ଼ି ମୋତେ ସେମାନଙ୍କର ଲେଖା ବେଶୀ କପୋଳକଳ୍ପିତ ଲାଗୁଥିଲା । ମୁଁ ମୋ କଥା କହିବା ଉଚିତ୍‌ ବୋଲି ମୋତେ ଲାଗୁଥିଲା । ଏବେ ମୁଁ ଅଧିକାଂଶ ସମୟରେ ନିଜର ଅଭିଜ୍ଞତା ସୋସିଆଲ ମିଡିଆରେ କାହାଣୀ ଭଳି ଲେଖି ଦେଉଥିଲି। ଏହାକୁ ପଢ଼ି ଲୋକମାନେ ମୋ ସହ ଯୋଡ଼ି ହେଉଥିଲେ । ମୁଁ ମଧ୍ୟ ଭଲ ଲେଖକମାନଙ୍କୁ ଫଲୋ କରିବା ଆରମ୍ଭ କରିଥିଲି । ଶିଖିବାର ପ୍ରକ୍ରିୟା ଲଗାତାର ଜାରି ରହିଥିଲା।

*****

ବାହାଘରରେ ମଙ୍ଗଳ ସୂତ୍ର, କନ୍ୟାଦାନ କିମ୍ବା ଯୌତୁକ ନଥିଲା। ମୁଁ ଡଲିର ମଥାରେ ସିନ୍ଦୂର ଦେଲି, ସେ ମଧ୍ୟ ମୋତେ ସିନ୍ଦୂର ଲଗାଇ ଦେଲା।

ରାସ୍ତା କଡ଼ରେ ମୋ ବେପାର ଚାଲୁଥିଲା। ସେଥିପାଇଁ ପୁଲିସ ଶୋଷଣର ଶିକାର ହେବାର ଅନେକ ଅନୁଭବ ରହିଥିଲା। ଚାନ୍ଦା ଅସୁଲି, ଗାଳିମନ୍ଦ, ଥାନାକୁ ନେଇ ଯାଇ ଘଣ୍ଟା ଘଣ୍ଟା ବସାଇବା। ଯେକୌଣସି ସମୟରେ ୧୨୫୦ ଟଙ୍କା ଜୋରିମାନା ଆଦାୟ କରିବା ଏସବୁ ମୋ ଉପରେ ଏତେ ମାତ୍ରାରେ ବିତିଥିଲା ଯେ ଯଦି ଲେଖି ବସିବି ଗୋଟିଏ ମୋଟା ବହି ହୋଇଯିବ । ଅନେକ ଥର ପୁଲିସବାଲା ମାଡ଼ ମାରିଛନ୍ତି ଏବଂ ପିଟିବାକୁ ଧମକ ଦେଇଛନ୍ତି । ଚାନ୍ଦା ଦେବାକୁ ମନା କଲେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଗାଡ଼ିରେ ବସି ସହରସାରା ବୁଲାଇଛନ୍ତି । ଏସବୁ ମୋ ପାଇଁ ସ୍ୱାଭାବିକ ହୋଇଯାଇଥିଲା। ଏସବୁ ଅନୁଭୂତି ସମ୍ପର୍କରେ ସୋସିଆଲ ମିଡିଆରେ ଲେଖିବା ପାଇଁ ଡର ଲାଗୁଥିଲା । କିନ୍ତୁ ମୁଁ ଏମିତି ଢଙ୍ଗରେ ଲେଖୁଥିଲି ଯେମିତି ପୁଲିସବାଲାଙ୍କ ନାଁ ନେବାକୁ ପଡ଼ିବ ନାହିଁ ଏବଂ ରାଜ୍ୟ କିମ୍ବା ସହର ନାଁ ମଧ୍ୟ ଲେଖିବାକୁ ପଡ଼ିବ ନାହିଁ । ବିମୁଦ୍ରୀକରଣ ପରେ ଦିନେ ବରିଷ୍ଠ ସାମ୍ବାଦିକା ଏବଂ ଚଳଚ୍ଚିତ୍ର ନିର୍ମାତ୍ରୀ ରୁକ୍ମିଣୀ ସେନ୍‌ ମୋ ବିଷୟରେ ଜାଣିଲେ ଏବଂ ସବରଙ୍ଗ ଇଣ୍ଡିଆ ପାଇଁ ଲେଖିବାକୁ ମୋତେ କହିଲେ, ଏହି ଧାରା ଆଜି ମଧ୍ୟ ଜାରି ରହିଛି।

PHOTO • Courtesy: Mithun Kumar
PHOTO • Sumer Singh Rathore

୨୦୧୯ ମସିହାରେ ହୋଇଥିବା ବାହାଘର ସମୟରେ ଡଲି, ମିଥୁନଙ୍କ ମଥାରେ (ବାମ) ସିନ୍ଦୂର ଲଗାଉଛନ୍ତି । ଏହି ଯୋଡ଼ି ବାହାଘର ସମୟରେ ମନ୍ତ୍ର ଉଚ୍ଚାରଣ କରିବା ପରିବର୍ତ୍ତେ ପରସ୍ପରକୁ ସମାନ ବଚନ  ଦେଇଥିଲେ

ଇତିମଧ୍ୟରେ ୨୦୧୭ରେ ମୋ ଦ୍ଵିତୀୟ ଭଉଣୀର ବାହାଘର ହୋଇସାରିଥିଲା। ଏବେ ମୋ ଉପରେ ବାହାଘର ପାଇଁ ଚାପ ପଡ଼ିବାକୁ ଲାଗିଲା। କିନ୍ତୁ ସେତେବେଳକୁ ମୁଁ ଜାଣିସାରିଥିଲି ଯେ ବାହାଘର ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମାଜିକ ଚାପରେ ନିଆଯିବା ଉଚିତ୍‌ ନୁହେଁ । ଏହି ସମୟରେ ଡଲିଙ୍କ ସହ ମୋର ପରିଚୟ ହେଲା। ଆମେ ସାଥୀ ହୋଇ ବୁଲିଲୁ, ରହିଲୁ, ଲୋକମାନେ ନାନା କଥା କହୁଥିଲେ । ଲୋକମାନେ ନାନା ପ୍ରଶ୍ନ ପଚାରୁଥିଲେ, ଏ କିଏ, କେଉଁ ଜାତିର? ମୋ ଜାତିରେ ଜନ୍ମ ନେଇଥିବା ଲୋକମାନେ ଏକଥା ଜାଣିବାକୁ ଅଧିକ ଉତ୍ସୁକ ଥିଲେ ଯେ ଝିଅ କେଉଁ ଜାତିର। ଅନ୍ୟ ଜାତିର ହୋଇଥିଲେ ସମସ୍ତଙ୍କ ନାକ ତଳେ ବିପଦ ଆସିଯାଇଥାନ୍ତା। କିନ୍ତୁ ଏସବୁ ମୋ ପାଇଁ କୌଣସି ଗୁରୁତ୍ୱ ବହନ କରୁନଥିଲା।

ଡଲି ତାଙ୍କ ଘରେ ମୋ ବିଷୟରେ କହିଲା। କିଛି ଦିନ ପରେ ମୁଁ ଡଲିର ବାପା-ମା’ଙ୍କୁ ଥରେ ଭେଟିଲି। ମୋ ଘର ଲୋକ ଚାହୁଁଥିଲେ ଶୀଘ୍ର ମୋର ବାହାଘର ହୋଇଯାଉ । ଡଲି ଏବଂ ମୁଁ ମଧ୍ୟ ବାହା ହେବାକୁ ଚାହୁଁଥିଲୁ । କିନ୍ତୁ ପ୍ରଥମେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହୁଁଥିଲୁ। ଏମିତି ଦୁଇ ଅଢ଼େଇ ବର୍ଷ ବିତିଗଲା ଏବଂ ଏବେ ଡଲିର ବାପା-ମା’ ତା’ ଉପରେ ଚାପ ପକାଉଥିଲେ। ସେମାନେ ଝିଅର ବାପା-ମା’ ଥିଲେ, ସେମାନଙ୍କ ଉପରେ ଭିନ୍ନ ଧରଣର ସାମାଜିକ ଚାପ ରହିଥିଲା। ସେମାନେ ପାରମ୍ପରିକ ଭାବେ ବାହାଘର ହେଉ ବୋଲି ଚାହୁଁଥିଲେ । ମୋ ଘର ଲୋକମାନଙ୍କର ମଧ୍ୟ ଏପରି ଉଦ୍ଦେଶ୍ୟ ଥିଲା। କିନ୍ତୁ ମୁଁ କୋର୍ଟ ମ୍ୟାରେଜ୍‌ କରିବାକୁ ଚାହୁଁଥିଲି । ଡଲି ମଧ୍ୟ ଏହା ଚାହୁଁଥିଲେ । ଡଲିର ପରିବାର ଲୋକ ଭାବୁଥିଲେ, ମୁଁ ତାଙ୍କ ଝିଅକୁ ଛାଡ଼ି ଚାଲିଯିବି । ମୋ ବାପା-ମା’ଙ୍କ କହିବା କଥା ଥିଲା, ପୁଅର ବାହାଘର ହେଉ ବୋଲି ଅତିକମ୍‌ରେ ସମସ୍ତେ ଜାଣିବା ଉଚିତ୍‌ । ଏମିତି ସବୁ ଚାପ ମଧ୍ୟରେ ନିଷ୍ପତ୍ତି ନେବାର ଥିଲା। ଡଲିଙ୍କ ପରିବାର ଲୋକମାନେ ଏକ ଛୋଟ ହଲ୍‌ରେ ବାହାଘର ଆୟୋଜନ କଲେ ।

ତେବେ ଆମ ଜିଦ୍‌ ଆଗରେ ପରିବାର ଲୋକମାନଙ୍କୁ ନଇଁବାକୁ ପଡ଼ିଲା । ବାହାଘରରେ ମଙ୍ଗଳ ସୂତ୍ର, କନ୍ୟାଦାନ କିମ୍ବା ଯୌତୁକ ନଥିଲା । ମୁଁ ଡଲିର ମଥାରେ ସିନ୍ଦୂର ଦେଲି, ସେ ମଧ୍ୟ ମୋତେ ସିନ୍ଦୂର ଲଗାଇ ଦେଲା । ଆମେ ସାତ ଘେରା ବୁଲିଲୁ । ପଣ୍ଡିତ ମନ୍ତ୍ର ପଢ଼ିବା ଜାରି ରଖିଥିଲେ । କିନ୍ତୁ ପ୍ରତ୍ୟେକ ଘେରା ବୁଲିବା ପରେ ମୟଙ୍କ ଆମ ବଚନ ପଢ଼ୁଥିଲେ, ଏସବୁ ପରସ୍ପରର ସମାନତା କଥା କହୁଥିଲା। ହଲ୍‌ରେ ଏକାଠି ହୋଇଥିବା ଲୋକମାନେ ହସୁଥିଲେ। ହେଲେ ସେମାନେ ବୁଝିପାରୁଥିଲେ ଯେ କିଛି ଭିନ୍ନ ହେଉଛି ଏବଂ ଚିରାଚରିତ ଧାରା ଭାଙ୍ଗୁଛି।  କିଛି ଲୋକ ଅସନ୍ତୁଷ୍ଟ ଥିଲେ। କିନ୍ତୁ ସେମାନଙ୍କ ଅସନ୍ତୋଷଠାରୁ ଆମ ଦୁହିଁଙ୍କ ପାଇଁ ଅଧିକ ଜରୁରି ଥିଲା ଶହ ଶହ ବର୍ଷ ଧରି ଚାଲି ଆସିଥିବା ଅସମାନ, ବ୍ରାହ୍ମଣବାଦୀ ତଥା ନାରୀ-ବିରୋଧୀ ପ୍ରଥା ଭାଙ୍ଗିବା । ବାହାଘର ପରେ ମୁଁ ଓ ଡଲି ନୂଆ ଘରକୁ ଚାଲିଗଲୁ। ମାର୍ଚ୍ଚ ୨୦୧୯ରେ ଆମ ବାହାଘର ହେବା ସମୟରେ, ଘରେ କିଛି ନଥିଲା। ଧୀରେ ଧୀରେ ମୌଳିକ ଆବଶ୍ୟକତାର ସବୁଜିନିଷ ଘରକୁ ଆସିଲା । ଛୁଞ୍ଚିଠାରୁ ଆରମ୍ଭ କରି ଆଲମାରୀ ପର୍ଯ୍ୟନ୍ତ ଛୋଟମୋଟ ଜିନିଷ ନିଜ ପରିଶ୍ରମର ରୋଜଗାରରେ ଯୋଡ଼ିଲୁ  ।

PHOTO • Sumer Singh Rathore
PHOTO • Sumer Singh Rathore
PHOTO • Devesh

ବାମ : ମିଥୁନ ଏବଂ ଡଲି କୋଭିଡ-୧୯ ଲକଡାଉନ ସମୟରେ ମୁମ୍ବାଇରେ ହିଁ ରହିଥିଲେ । ମଝି : ମିଥୁନ କୁହନ୍ତି, “ଜୀବନକୁ ନେଇ ସଂଘର୍ଷ ଜାରି ରହିବ ।’’ ଡାହାଣ ତାଙ୍କର ସାନ ଭାଇ ରବି

୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ଆସିଲା ଏବଂ ଏହାପରେ ଲକଡାଉନ ଲାଗୁ ହେଲା। ଜିନିଷପତ୍ର କିଣିବା ଲାଗି ଲୋକମାନଙ୍କ ମଧ୍ୟରେ ବ୍ୟସ୍ତତା ବଢ଼ିଗଲା । କିଛି ମିନିଟ୍‌ ମଧ୍ୟରେ ଦୋକାନରେ ଯେଉଁ ସବୁ ସାମଗ୍ରୀ ଥିଲା, ଖାଲି ହୋଇଗଲା । କିଛି ଲୋକ ସେମିତି ଲୁଟି ନେଲେ । ଅଳ୍ପ କିଛି ଲୋକ ଟଙ୍କା ଦେଲେ । ସବୁ ଦୋକାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଲା। କିଛି ସମୟ ପରେ ପୁଲିସ ସବୁ ଦୋକାନ ବନ୍ଦ କରାଇ ଦେଲା । ଦୋକାନ କେବେ ଖୋଲିବ କେହି ସୁଦ୍ଧା କହିଲେ ନାହିଁ । ଲୋକମାନେ ଗାଁ ଆଡ଼କୁ ଧାଇଁଲେ । ଆମେ ଯେଉଁ କୋଠାରେ ରହୁଥିଲୁ ତାହା ଦୁଇ ଦିନ ମଧ୍ୟରେ ଖାଲି ହୋଇଗଲା । କରୋନା ଭୟ ଅପେକ୍ଷା କାମ ଧନ୍ଦା ବନ୍ଦ ହେଲେ ଖାଇବେ କ’ଣ, ସେହି ଭୟରେ ସମସ୍ତେ ଗାଁକୁ ପଳାଉଥିଲେ। ଟ୍ରାକିଂ ଜ୍ୟାକେଟ୍‌ ତିଆରି କରୁଥିବା ଷ୍ଟୋରରେ ଡଲି କାମ କରୁଥିଲା । ତାହା ମଧ୍ୟ ମାର୍ଚ୍ଚ ୧୫, ୨୦୨୦ରେ ବନ୍ଦ ହୋଇଯାଇଥିଲା।

ଘର ଲୋକମାନେ କହିଲେ ଯେ ଏବେ ଗାଁକୁ ଚାଲିଆସ, ପରେ ସବୁକିଛି ଠିକ୍‌ ହେଲେ ଦେଖିବା। କିନ୍ତୁ ସେତେବେଳେ ପରିସ୍ଥିତି ଏପରି ଥିଲା ଯେ ପାଖରେ ଆଦୌ ଜମାପୁଞ୍ଜି ନଥିଲା। ସେଥିପାଇଁ ଏଠାରେ ରହିବା ଉଚିତ୍‌ ହେବ ବୋଲି ଅନୁଭବ କଲି । ପନିପରିବା ବିକ୍ରି କାମ ଥିଲା, ବେପାର କରିବା ଲାଗି ଅନୁମତି ଥିଲା। କିନ୍ତୁ ସବୁଠୁ ବଡ଼ କଷ୍ଟ ଥିଲା ପରିବା ମିଳିବା। ଦାଦର ମୁଖ୍ୟ ବଜାରରେ ତାଲା ଝୁଲୁଥିଲା। ପରିବା ମୁଖ୍ୟତଃ ଚୂନା ଭଟ୍ଟୀ, ସୁମୈୟା ଗ୍ରାଉଣ୍ଡ ଭଳି ହାଇୱେ ଥିବା ସ୍ଥାନରେ ମିଳୁଥିଲା। ଏସବୁ ସ୍ଥାନରେ ବେଶ ଭିଡ଼ ଥିଲା। ମୋତେ କରୋନା ସଂକ୍ରମଣ ହେବାର ଆଶଙ୍କା ଥିଲା। ମୋଠାରୁ ବେଶୀ ଘରେ ଥିବା ଡଲିଙ୍କୁ କରୋନା ହେବାର ଭୟ ମୋତେ ଘାରୁଥିଲା। କିନ୍ତୁ ଭିଡ଼କୁ ଯିବା ଛଡ଼ା ଅନ୍ୟ କୌଣସି ପନ୍ଥା ନଥିଲା। ଯେମିତି ହେଉ କାମରେ ଘର ଖର୍ଚ୍ଚ ମେଣ୍ଟି ଯାଉଥିଲା। ମଇ ମାସରେ ବିଏମସି ଦୋକାନ ଖୋଲିବାର ସମୟ ମାତ୍ର ତିନି ଘଣ୍ଟା, ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କରି ଦେଲା। ମିଳିଥିବା ସମୟଠାରୁ ସାମାନ୍ୟ ଡେରି ହେଲେ ପୁଲିସ ଲାଠି ମାଡ଼ କରୁଥିଲା। ପରିବା ମଗାଇବା ପାଇଁ ଯେତେସବୁ ଅନଲାଇନ ପୋର୍ଟାଲ ଥିଲା, ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲୁଥିଲା। ଅନଲାଇନରେ ପରିବା ମଗାଇବା ଠିକ୍‌ ହେବ ବୋଲି ଲୋକମାନେ ଭାବିଲେ। ଫଳରେ ବେପାର ବେଶ୍‌ କମିଗଲା। ଠିକ୍‌ ଏହି ସମୟରେ ଜେଜେବାପାଙ୍କ ଗୋଡ଼ ଭାଙ୍ଗିଗଲା ଏବଂ କରୋନା ସମୟରେ ସେ କେମିତି ଏ ଦୁନିଆ ଛାଡ଼ି ଚାଲିଗଲେ ସେ କଥା ମୁଁ ଆଗରୁ କହିସାରିଛି ।

କିଛି ମାସ ପରେ, କାମ ସମୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା।  ଦିନେ ସନ୍ଧ୍ୟାରେ ମୋ ସାନ ଭାଇ ରବି ସାତଟା ପରେ, ଠେଲା ଗାଡ଼ିରେ ଥିବା ପଚା ଆମ୍ବ କେବଳ ଅଲଗା କରୁଥିଲା।  ଜଣେ ପୁଲିସବାଲା ଆସି ଭିଡିଓ ରେକର୍ଡିଂ କଲା। ଭୟଭୀତ ହୋଇ ରବି କିଛି ଟଙ୍କା ଦେବାକୁ ପ୍ରସ୍ତାବ ଦେଲା, କିନ୍ତୁ ସେ ଅଧିକ ଟଙ୍କା ମାଗିଲା, ନଚେତ୍‌ କେସ୍‌ କରିବାକୁ ଧମକ ଦେଲା। ସେ ରବିକୁ ଥାନାକୁ ନେଇଗଲା। ରାତି ଗୋଟାଏ ଦେଢ଼ଟା ସମୟରେ ଜଣେ ପୁଲିସବାଲା ରବିର ପକେଟ୍‌ରେ ପଡ଼ିଥିବା ପ୍ରାୟ ଛଅ ହଜାର ଟଙ୍କା ଛଡ଼ାଇ ନେଲା ଏବଂ ତା’କୁ ଛାଡ଼ିଦେଲା। ଏତିକି ଟଙ୍କା ରବିର ମୋଟ୍‌ ଜମାପୁଞ୍ଜି ଥିଲା। ତେବେ ଦୁଇ-ତିନି ଦିନ ପରେ ଜଣେ ପରିଚିତ ବ୍ୟକ୍ତିଙ୍କ ଜରିଆରେ ବଡ଼ ପଦବୀରେ ବସିଥିବା ଜଣେ ପୁଲିସ ଅଧିକାରୀଙ୍କ ସହ କଥା ହେଲା। ଦୁଇ ଦିନ ପରେ ଯେଉଁ ପୁଲିସବାଲା ଟଙ୍କା ନେଇ ଯାଇଥିଲା, ରବିକୁ ଖୋଜି ଖୋଜି ଆସିଲା ଓ ସବୁଟଙ୍କା ଫେରାଇ ଦେଇଗଲା।

କରୋନାର ପ୍ରାରମ୍ଭିକ ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବସାୟ ସ୍ଥିତିରେ ସୁଧାର ଆସିପାରି ନାହିଁ । ଦୁନିଆ ସହ ଲଢ଼ି ଆମେ ଆଜି ମଧ୍ୟ ଜୀବନକୁ ସ୍ୱାଭାବିକ କରିବାରେ ଲାଗି ପଡ଼ିଛୁ । ଏବେ ଯେତେବେଳେ ମୁଁ ଏ କାହାଣୀ ଲେଖୁଛି, ମୁଁ କରୋନା ପଜିଟିଭ୍‌ ଅଛି, ଡଲି ମଧ୍ୟ ପଜିଟିଭ୍‌ ରହିଛି । ଆମେ ଦୁହେଁ ଘର ଭିତରେ ବନ୍ଦ ହୋଇ ରହିଛୁ । ଦୋକାନରେ ଯାହାସବୁ ପନିପରିବା ବଞ୍ଚିଥିଲା, ଆଖପାଖ ଲୋକଙ୍କ ସହାୟତାରେ ବିକ୍ରି ହୋଇସାରିଛି । ଯାହାକିଛି ସଞ୍ଚିତ ଅର୍ଥ ଥିଲା ସେସବୁ କିଛିଦିନ ପାଇଁ ଔଷଧ କିଣିବା ଓ କରୋନା ଟେଷ୍ଟ କରିବାରେ ଖର୍ଚ୍ଚ ହୋଇସାରିଛି । ତଥାପି ସବୁ ଠିକ୍‌ ଅଛି । ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିବ, ଆମେ ପୁଣି ବାହାରକୁ ବାହାରିବୁ । ପୁଣି ଜୀବନ ସହ ସଂଘର୍ଷ କରିବୁ, ଆଉ କିଛି ବିକଳ୍ପ ହିଁ ନାହିଁ ?

ଗୋପନୀୟତା ରକ୍ଷା ପାଇଁ କିଛି ଲୋକଙ୍କର ଏବଂ ସ୍ଥାନ ନାମ ଉଲ୍ଲେଖ କରାଯାଇନାହିଁ

ଲେଖକ ଏ କାହାଣୀକୁ ମୂଳତଃ ହିନ୍ଦୀରେ ଲେଖିଥିଲେ ଏବଂ ଏହା ଦେବେଶଙ୍କ  ଦ୍ଵାରା ସମ୍ପାଦିତ ହୋଇଛି ।

ସୁମୀର ସିଂ ରାଠୋରଙ୍କ  ଦ୍ଵାରା ପ୍ରସ୍ତୁତ ପ୍ରଚ୍ଛଦ ଫଟୋ

ଅନୁବାଦ: ଓଡ଼ିଶାଲାଇଭ୍‍

Mithun Kumar

मिथुन कुमार, मुंबई में सब्ज़ी की दुकान चलाते हैं और सोशल मीडिया माध्यमों पर तथा विभिन्न वेबसाइटों के लिए सामाजार्थिक विषयों पर लेखन करते हैं.

की अन्य स्टोरी Mithun Kumar
Photographs : Devesh

देवेश एक कवि, पत्रकार, फ़िल्ममेकर, और अनुवादक हैं. वह पीपल्स आर्काइव ऑफ़ रूरल इंडिया के हिन्दी एडिटर हैं और बतौर ‘ट्रांसलेशंस एडिटर: हिन्दी’ भी काम करते हैं.

की अन्य स्टोरी Devesh
Photographs : Sumer Singh Rathore

सुमेर एक विजुअल स्टोरीटेलर, लेखक व पत्रकार हैं तथा राजस्थान के जैसलमेर से ताल्लुक़ रखते हैं.

की अन्य स्टोरी Sumer Singh Rathore
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE