ଦନ୍ତାହାତୀର ପଦଚିହ୍ନକୁ ଅନୁସରଣ କରି ଆମେ ପାହାଡ଼ିଆ ସ୍ଥାନ ଓ ଚାଷ ଜମିରେ ବୁଲୁଛୁ।

ଆମେ ସେଥିମଧ୍ୟରୁ କେତେଗୁଡ଼ିଏ ଦେଖିଲୁ, ସେଗୁଡ଼ିକ ଖାଇବା ଥାଳିଠାରୁ ବଡ଼ ଥିଲା, କାଦୁଆ ମାଟିରେ ଗଭୀର ଗର୍ତ୍ତ ସୃଷ୍ଟି କରିଥିଲା । ପୁରୁଣାଗୁଡ଼ିକ ଧୀରେ ଧୀରେ ଫାଟିବାରେ ଲାଗିଥିଲା। ଆହୁରି କିଛି ସେହି ପ୍ରାଣୀ ବିଷୟରେ ସଙ୍କେତ ଦେଉଥିଲା: ସାମାନ୍ୟ ଶାନ୍ତ, ଏକ ଭଲ ଭୋଜନ, ବହୁ ପରିମାଣରେ ଗୋବର। ଆହୁରି କିଛି ଜିନିଷ ଦଳି ମକଚି ହୋଇପଡ଼ିଥିଲା : ଗ୍ରାନାଇଟ୍‌ ଖୁଣ୍ଟ, ତାର ବାଡ଼, ଗଛ ଓ ଗେଟ୍‌....

ହାତୀ ଛାଡ଼ି ଯାଇଥିବା ସବୁ ଚିହ୍ନର ଫଟୋ ନେବାକୁ ଆମେ ଅଟକିଗଲୁ । ମୁଁ ମୋ ସମ୍ପାଦକଙ୍କ ପାଖକୁ ପଦଚିହ୍ନର କେତୋଟି ଫଟୋ ପଠାଇଲି । ‘‘ସେଠାରେ ଏକ ହାତୀ ଅଛି କି?’’ ସେ ଆଶାବ୍ୟକ୍ତ କଲେ । ତାଙ୍କର ଆଶା ଧୂଳିସାତ୍‌ ହୋଇଯାଉ ବୋଲି ମୁଁ ପ୍ରାର୍ଥନା କଲି ।

କାରଣ, କ୍ରିଷ୍ଣାଗିରି ଜିଲ୍ଲାର ଗଙ୍ଗାନାହଲ୍ଲୀ ପଡ଼ାରେ, ହାତୀମାନେ କଦଳୀ ଖାଇ ଆପଣଙ୍କ ମୁଣ୍ଡରେ ଆଶୀର୍ବାଦ ଅଜାଡ଼ି ଦେବାର ସମ୍ଭାବନା କମ୍‌ ଥାଏ । କେବଳ ମନ୍ଦିରର ହାତୀମାନେ ଏପରି କରିଥାନ୍ତି । ମାତ୍ର ଏଠାରେ ଆମେ ସେମାନଙ୍କ ଜଙ୍ଗଲୀ ପ୍ରଜାତି ବିଷୟରେ କହୁଛୁ । ସେମାନେ ସାଧାରଣତଃ ଭୋକିଲା ଥାଆନ୍ତି ।

ଡିସେମ୍ବର ୨୦୨୧ରେ ମୁଁ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲାକୁ ରାଗୀ ଚାଷୀମାନଙ୍କୁ ଭେଟିବା ଲାଗି ଯାଇଥିବା ସମୟରେ ଅପ୍ରତ୍ୟାଶିତ ଭାବେ ହାତୀ ଚଳାଚଳ ପଥ ଦେଇ ମୋତେ ଯିବାକୁ ହୋଇଥିଲା । କୃଷି ଅର୍ଥବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ମୁଁ ଭାବିଥିଲି । ନିଶ୍ଚିତ ଭାବେ, ସେମିତି କିଛି ହେଲା । କିନ୍ତୁ ଅଧିକାଂଶ କ୍ଷେତ୍ରରେ, ଗୋଟିଏରୁ ଆଉ ଗୋଟିଏ କ୍ଷେତରେ, ମୁଁ ଶୁଣିବାକୁ ପାଇଲି ଯେ, ସେମାନେ କେବଳ ନିଜ ଘରେ ଉପଯୋଗ କରିବା ବ୍ୟତୀତ, ଯଥେଷ୍ଟ ପରିମାଣର ରାଗୀ (ମାଣ୍ଡିଆ) ଅମଳ କରିନପାରିବାର ମୂଳ କାରଣ ହେଉଛି – ହାତୀ । କମ୍ ବିକ୍ରି ମୂଲ୍ୟ (କିଲୋପ୍ରତି ୩୫ରୁ ୩୭ ଟଙ୍କା ପରିବର୍ତ୍ତେ ୨୫ରୁ ୨୭ ଟଙ୍କା ମଧ୍ୟରେ), ଜଳବାୟୁ ପରିବର୍ତ୍ତନ, ଅଦିନିଆ ପ୍ରବଳ ବର୍ଷା ଆଦି ସମସ୍ୟା ଭିତରେ ଚାଷୀମାନେ ସଂଘର୍ଷ କରୁଛନ୍ତି । ତା’ ଉପରେ ହାତୀପଲଙ୍କ ଶୁଣ୍ଢ ଓ ଦାନ୍ତରେ ନଷ୍ଟ ହୋଇଯାଉଥିବା ମାଣ୍ଡିଆ ଫସଲ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି ।

‘‘ହାତୀମାନେ ବେଶ୍‌ ପ୍ରତିଭାସମ୍ପନ୍ନ । ତାର ରଶି ଏବଂ କ୍ରସ ତାର ବାଡ଼କୁ କେମିତି ଧରି ଭାଙ୍ଗିବାକୁ ହୁଏ ସେମାନେ ଜାଣି ନେଇଛନ୍ତି । ବିଦ୍ୟୁତ ତାରବାଡ଼କୁ ସର୍ଟ ସର୍କିଟ୍‌ କରିବାକୁ ହେଲେ ଗଛକୁ କିଭଳି ବ୍ୟବହାର କରିବାକୁ ହେବ ତାହା ମଧ୍ୟ ସେମାନେ ଜାଣନ୍ତି,’’ ଏହା କୁହନ୍ତି ଆନନ୍ଦରାମୁ ରେଡ୍ଡୀ । ‘‘ସେମାନେ ସବୁବେଳେ ଦଳବଦ୍ଧ ହୋଇ ଆସିବାକୁ ଚାହିଁଥାନ୍ତି,’’ ସେ କୁହନ୍ତି । ଡେଙ୍କାନିକୋଟ୍ଟେଇ ତାଲୁକ ଅନ୍ତର୍ଗତ ଭଦ୍ରା ପଲୟମର ଚାଷୀ ଆନନ୍ଦରାମୁଙ୍କୁ ସମସ୍ତେ ‘ଆନନ୍ଦ’ ବୋଲି ଡାକନ୍ତି । ସେ ଆମକୁ ମେଲାଗିରି ସଂରକ୍ଷିତ ଜଙ୍ଗଲରେ ସୀମାରେ ନେଇ ଯାଇଥିଲେ । ଏହା ଉତ୍ତର କାବେରୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଏକ ଅଂଶବିଶେଷ ।

The large footprint of an elephant.
PHOTO • M. Palani Kumar
Damage left behind by elephants raiding the fields for food in Krishnagiri district
PHOTO • M. Palani Kumar

ବାମ: ଏକ ହାତୀର ବିଶାଳ ପଦଚିହ୍ନ । ଡାହାଣ: କ୍ରିଷ୍ଣାଗିରି ଜିଲ୍ଲାରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀମାନେ ନଷ୍ଟ କରି ଛାଡ଼ି ଯାଇଥିବା ଫସଲ ଅବଶେଷ

ବହୁ ବର୍ଷ ଧରି ହାତୀମାନେ ଜଙ୍ଗଲରୁ ବାହାରି ଚାଷ ଜମିରେ ବୁଲି ଆସୁଛନ୍ତି । ଏହି ବିଶାଳକାୟ ପ୍ରାଣୀଙ୍କ ପଲ ପ୍ରଚୁର ପରିମାଣର ରାଗୀ ଖାଇବା ପରେ ଅବଶିଷ୍ଟକୁ ଦଳି ଦେଇଥାନ୍ତି, ଏହାପରେ ସେମାନେ ଗାଁ ଭିତରକୁ ଚାଲି ଆସନ୍ତି । ଏମାନଙ୍କ ପାଇଁ ଚାଷୀ ବିକଳ୍ପ ଫସଲ – ବିଲାତି ବାଇଗଣ, ଗେଣ୍ଡୁ, ଗୋଲାପ ଆଦି – ଅମଳ ପାଇଁ ଚିନ୍ତା କଲେଣି । ଏମିତି କିଛି ଫସଲ ଯାହାର ବଜାରରେ ଚାହିଦା ରହିଥିବ ଏବଂ ହାତୀ ସେହି ଫସଲ ଖାଇବାକୁ ପସନ୍ଦ କରୁନଥିବେ। ‘‘୨୦୧୮-୧୯ରେ ବିଦ୍ୟୁତ ତାରବାଡ଼ ଦିଆଯିବା ପରେ, ହାତୀପଲ ଆସିଲେ ନାହିଁ ’’। ସେ ମୋତେ ଦୃଢ଼ତାର ସହ କହିଥିଲେ, ‘‘କିନ୍ତୁ କିଛି ନୁହେଁ, ଅଣ୍ଡିରା ହାତୀ : ମୋଟ୍ଟେ ଭାଲ, ମକନା, ଗିରି...ଙ୍କୁ ଅଟକାଇବା ପ୍ରାୟତଃ ଅସମ୍ଭବ... କ୍ଷୁଧା ସେମାନଙ୍କୁ ଜଙ୍ଗଲ ବାହାରକୁ ଓ କ୍ଷେତ ଆଡ଼କୁ ଟାଣି ଆଣିଥାଏ ।’’

ତାମିଲନାଡ଼ୁର କ୍ରିଷ୍ଣାଗିରି ଏବଂ ଧର୍ମପୁରୀ ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଏସ୍. ଆର. ସଞ୍ଜୀବ କୁମାର କୁହନ୍ତି, ‘‘ଜଙ୍ଗଲର ଗୁଣବତ୍ତା ମଣିଷ-ହାତୀ ସଂଘର୍ଷର ଅନ୍ୟତମ ପ୍ରମୁଖ କାରଣ।’’ ତାଙ୍କର ଆକଳନ ଅନୁଯାୟୀ, କେବଳ କ୍ରିଷ୍ଣାଗିରିରେ ୩୩୦ଟି ଗାଁ ଏହି ସମସ୍ୟାରେ ପ୍ରଭାବିତ।

ସେହି ଅଞ୍ଚଳକୁ ମୋ ଗସ୍ତର ଠିକ୍‌ ପରେ ଏକ ଜୁମ୍ କଲରେ ସଞ୍ଜୀବ କୁମାର ଏକ ପ୍ରେଜେଣ୍ଟେସନ ଶେୟାର କରିଥିଲେ । ସଞ୍ଜୀବ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଏକ ଏନଜିଓ କେନ୍ନେଥ ଆଣ୍ଡରସନ ନେଚର ସୋସାଇଟି (କେଏଏନଏସ)ର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ଅଟନ୍ତି । ସେ ଶେୟାର କରିଥିବା ଫଟୋରେ କଳା କଳା ଚମକୁଥିବା, ହାତୀ ଆକୃତିର ବିନ୍ଦୁ ଦେଖାଯାଉଥିଲା । ‘‘ପ୍ରତ୍ୟେକ ବିନ୍ଦୁ ହାତୀ-ମଣିଷ ସଂଘର୍ଷର ଶିକାର ହୋଇଥିବା ଗାଁକୁ ଦର୍ଶାଉଛି । ଫସଲ କ୍ଷତି ଦାବିକୁ ଆଧାର କରି ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି,’’ ସେ କହିଥିଲେ ।

ଉତ୍ତରପୂର୍ବ ମୌସୁମୀ ଋତୁ ପରେ, ଯେତେବେଳେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ, ହାତୀମାନେ ଠିକ୍‌ ତା’ପୂର୍ବରୁ ଉପଦ୍ରବ ଆରମ୍ଭ କରି ଦେଇଥାନ୍ତି । ‘‘ଏଥିରେ ମଣିଷଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ, ଗୋଟିଏ ବର୍ଷରେ ୧୨ କିମ୍ବା ୧୩ ଜଣ (କ୍ରିଷ୍ଣାଗିରି ଜିଲ୍ଲାରେ), ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସରେ ଅଧିକ ହୋଇଥାଏ ।’’ ଏହା ସାଧାରଣତଃ ରାଗୀ ଅମଳ ସମୟରେ ହୋଇଥାଏ । ହାତୀମାନେ ମଧ୍ୟ ମୃତ୍ୟୁବରଣ କରିଥାନ୍ତି । ‘‘ମୁହାଁମୁହିଁ ପରିସ୍ଥିତି ଦେଖା ଦିଏ । ରେଳ ଲାଇନ, ରାଜପଥରେ ଦୁର୍ଘଟଣା ଘଟିଥାଏ, ହାତୀମାନେ ଖୋଲା କୂଅରେ ମଧ୍ୟ ପଡ଼ିଯାଇଥାନ୍ତି । ତା’ଛଡ଼ା ଜଙ୍ଗଲୀ ବାର୍‌ହାଙ୍କ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ସେମାନେ ମୃତ୍ୟୁବରଣ କରିଥାନ୍ତି ।’’

ସଞ୍ଜୀବ କୁହନ୍ତି, ହାତୀମାନେ ୧୦୦ରୁ ଅଧିକ ପ୍ରଜାତି ଗଛ ଖାଇଯାଆନ୍ତି। ‘‘ସେମାନେ ଗଛର ଅଧିକାଂଶ ଭାଗ ଖାଇଦିଅନ୍ତି। ବନ୍ଦୀ ହାତୀଙ୍କ ଖାଦ୍ୟଶୈଳୀ ଅନୁଧ୍ୟାନ କରି ଆମେ ଜାଣିଛୁ ଯେ ସେମାନେ ୨୦୦ କିଲୋ ଘାସ ଖାଇଯାଆନ୍ତି ଏବଂ ୨୦୦ ଲିଟର ପାଣି ପିଅନ୍ତି।’’ ସେ ପୁଣି ନିର୍ଦ୍ଦିଷ୍ଟ ଭାବେ କହିଥିଲେ, ‘‘କିନ୍ତୁ, ଜଙ୍ଗଲରେ, ଏହି ପରିମାଣ ବିଭିନ୍ନ ଋତୁରେ ଭିନ୍ନ ହୋଇଥାଏ – ସେମାନଙ୍କର ଶରୀରର ପରିସ୍ଥିତି ମଧ୍ୟ ପ୍ରଭାବ ପକାଇଥାଏ।’’

In this photo from 2019, Mottai Vaal is seen crossing the elephant fence while the younger Makhna watches from behind
PHOTO • S.R. Sanjeev Kumar

୨୦୧୯ରେ ଉଠାଯାଇଥିବା ଏହି ଫଟୋରେ, ମୋଟ୍ଟେ ଭାଲ ତାରବାଡ଼କୁ ଅତିକ୍ରମ କରି ଯାଉଥିବା ବେଳେ ଯୁବ ମକନା ପଛରୁ ଥାଇ ଦେଖୁଛି

ଅଧିକନ୍ତୁ, ପୁଷ୍ପ ଉଦ୍ଭିଦର ଏକ ପ୍ରଜାତି, ଲାଣ୍ଟାନା କାମାରା ଦ୍ରୁତ ବେଗରେ ଜଙ୍ଗଲରେ ବଢ଼ିଥାଏ – ‘‘ହୋସୁର ଅଞ୍ଚଳର ଜଙ୍ଗଲ ୮୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଏହି ଗଛରେ ଭର୍ତ୍ତି ହୋଇ ରହିଛି।’’ ଏହା ଏକ କଠିନ ଉଦ୍ଭିଦ, ଛେଳି ଓ ଗାଈଙ୍କ ଖାଦ୍ୟ ହେବା ଠାରୁ ସୁରକ୍ଷିତ ହୋଇ ରହିଛି ଏବଂ ଜଙ୍ଗଲରେ ଦ୍ରୁତ ବେଗରେ ବ୍ୟାପୁଛି। ‘‘ବାନ୍ଦିପୁର ଓ ନାଗାରହୋଲରେ ମଧ୍ୟ ଏହାକୁ ଦେଖିବାକୁ ମିଳିଛି। ଲାଣ୍ଟାନା ଥିବା ସଫାରୀ ରାସ୍ତାକୁ ସଫା କରି ଦିଆଯାଇଛି ଯାହାଫଳରେ ହାତୀମାନେ ସେଠାକୁ ଘାସ ଖାଇବା ଲାଗି ଆସିବେ ଏବେ ସେମାନଙ୍କୁ ଦେଖିବା ସମ୍ଭବ ହୋଇପାରିବ।’’

ସଞ୍ଜୀବ ଯୁକ୍ତି ବାଢ଼ିଥାନ୍ତି ଯେ, ଲାଣ୍ଟାନା ହାତୀମାନଙ୍କୁ ନିଜ କ୍ଷେତ୍ରକୁ ବାହାରକୁ ଆଣିବାର ଏକ ପ୍ରମୁଖ କାରଣ। ଏହା ବ୍ୟତୀତ ହାତୀଙ୍କ ପାଇଁ ରାଗୀ (ମାଣ୍ଡିଆ) ଅତ୍ୟନ୍ତ ରସାଳ ଓ ଲୋଭନୀୟ  ହୋଇଥାଏ। ‘‘ସେମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ ମୁଁ ମଧ୍ୟ ଏହାକୁ ଖାଇବା ଲାଗି ଆସିଥାନ୍ତି ।’’ ଅଣ୍ଡିରା ହାତୀମାନେ ନିଶ୍ଚିତ ଭାବେ ଫସଲ ଉପରେ ଆକ୍ରମଣ କରିଥାନ୍ତି। ୨୫ରୁ ୩୫ ବର୍ଷ ବୟସରେ ସେମାନେ ଏକ ଶାରୀରିକ ଅଭିବୃଦ୍ଧିର ସମୟ ଦେଇ ଗତି କରିଥାନ୍ତି । ଏହି ବୟସର ହାତୀମାନେ ଅଧିକ ଉପଦ୍ରବୀ ହୋଇଥାନ୍ତି।

କିନ୍ତୁ ମୋଟ୍ଟେ ଭାଲ ନୁହେଁ । ସେ ଏକ ବୟସ୍କ ପ୍ରାଣୀ ଏବଂ ନିଜର ସୀମା ସେ ଜାଣିଛି। ସଞ୍ଜୀବ କୁହନ୍ତି, ତା’ର ବୟସ ୪୫ରୁ ଅଧିକ ୫୦ ପାଖାପାଖି ହେବ ।  ସେ ତା’କୁ ସବୁଠୁ ‘ପ୍ରିୟ’ ହାତୀ ବୋଲି କହିଥାନ୍ତି। ‘‘ସେ ମୁସ୍ତ ଥିବା ସମୟରେ ମୁଁ ଏକ ଭିଡ଼ିଓ ଦେଖିଥିଲି ।’’ ( ମୁସ୍ତ ହେଉଛି ଅଣ୍ଡିରା ହାତୀଙ୍କଠାରେ ଦେଖା ଦେଉଥିବା ଏକ ଜୈବିକ ଓ ହରମୋନ ଅଭିବୃଦ୍ଧି ସହ ଜଡ଼ିତ ଅବସ୍ଥା ଯାହାକୁ ସ୍ୱାଭାବିକ ଓ ସୁସ୍ଥ ବୋଲି ଗ୍ରହଣ କରାଯାଏ। କିନ୍ତୁ ଏହି ଅବସ୍ଥାରେ ଥିବା ହାତୀମାନେ ସାଧାରଣତଃ ୨-୩ ମାସ ପର୍ଯ୍ୟନ୍ତ ହିଂସ୍ର ହୋଇଥାନ୍ତି।) ‘‘ସାଧାରଣତଃ ସେମାନେ ହିଂସ୍ର ହୋଇଥାନ୍ତି, କିନ୍ତୁ ମୋଟ୍ଟେ ଭାଲ୍‌ ବେଶ ଶାନ୍ତ ଥିଲା। ସେ ବିଭିନ୍ନ ବୟସର ହାତୀଙ୍କ ପଲରେ ସାମିଲ ଥିଲା ଏବଂ ଶାନ୍ତ ଭାବେ ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ସେ ଦୁନିଆ ଦେଖିଛି।’’

ସଞ୍ଜୀବ ଅନୁମାନ କରି କୁହନ୍ତି, ସେ ପାଖାପାଖି ୯.୫ ଫୁଟ ଉଚ୍ଚ, ବୋଧହୁଏ ୫ ଟନ୍‌ ଓଜନର ହୋଇଥିବ। ‘‘ତା’ର ଜଣେ ସହଯୋଗୀ ଅଛି, ମକନା, ଏବଂ ସେମାନେ ଅନ୍ୟ ଯୁବ ଅଣ୍ଡିରା ହାତୀଙ୍କ ସହିତ ଦଳବଦ୍ଧ ହୋଇ ରୁହନ୍ତି।’’ ତା’ର ପିଲାମାନେ ଅଛନ୍ତି କି, ମୁଁ ପଚାରିଲି। ସଞ୍ଜୀବ ହସିଲେ। ‘‘ତା’ର ନିଶ୍ଚିତ ଭାବେ ଅନେକ ଥିବେ’’।

ବୟସର ଦ୍ରୁତ ବିକାଶ ପର୍ଯ୍ୟାୟ ଅତିକ୍ରମ କରିଥିଲେ ସୁଦ୍ଧା ଚାଷ ଜମିରେ ସେ କାହିଁକି ଉପଦ୍ରବ କରିଥାଏ? ସଞ୍ଜୀବ କୁମାର ଏଥିପାଇଁ ମୋଟ୍ଟେ ଭାଲର ଶାରୀରିକ ଆବଶ୍ୟକତାକୁ ଦାୟୀ କରିଥାନ୍ତି । ‘‘ବାହାରେ ତା’କୁ ବେଶ ସୁଆଦିଆ ଖାଦ୍ୟ – ରାଗୀ , ପଣସ, ଆମ୍ବ – ମିଳିଯାଏ ଏବଂ ସେଗୁଡ଼ିକୁ ଖାଇବା ପରେ ସେ ଜଙ୍ଗଲକୁ ଫେରିଯାଏ ।’’ ଅନ୍ୟ ଅଣ୍ଡିରା ହାତୀମାନେ ବନ୍ଧା କୋବି, ବିନ୍ସ, ଫୁଲ କୋବି ଖାଇଥାନ୍ତି । ଏସବୁ ସେମାନଙ୍କ ପାଇଁ ଅଜଣା ଖାଦ୍ୟ ହୋଇଥାଏ, ଯାହାକି କୀଟନାଶକ ଦିଆଯାଇ ଚାଷ କରାଯାଇଥାଏ, ସଞ୍ଜୀବ କୁହନ୍ତି ।

‘‘ତିନି ବର୍ଷ ପୂର୍ବରୁ ପରିସ୍ଥିତି ଅତି ଖରାପ ଥିଲା । ବିଲାତି ବାଇଗଣ ଓ ବିନ୍ସ ଚାଷରେ ଟଙ୍କା ଖର୍ଚ୍ଚ କରିଥିବା ଚାଷୀମାନେ ବିପୁଳ କ୍ଷତି ସହିଥିଲେ । ହାତୀ ଗୋଟିଏ ଭାଗ ଫସଲ ଖାଉଥିବା ବେଳେ ଏହାର ପାଞ୍ଚ ଗୁଣା ଅଧିକ ନଷ୍ଟ କରି ଦେଇଥାନ୍ତି ।’’ ଏବେ ଅଧିକାଂଶ ଚାଷୀ ହାତୀମାନଙ୍କୁ ଆକୃଷ୍ଟ କରୁନଥିବା ଫସଲ ଅମଳ କରିବା ଲାଗି ଚାହୁଁଛନ୍ତି । ମୋଟ୍ଟେ ଭାଲ ଏବଂ ତା’ର ସାଥୀମାନେ ପ୍ରଭାବୀ ଢଙ୍ଗରେ ସ୍ଥାନୀୟ ଅଞ୍ଚଳରେ କୃଷିକୁ ବଦଳାଇ ଦେଉଛନ୍ତି ।

A rare photo of Mottai Vaal, in the Melagiri hills
PHOTO • Nishant Srinivasaiah

ମେଲାଗିରି ପର୍ବତରେ ମୋଟ୍ଟେ ଭାଲର ଏକ ବିରଳ ଫଟୋ

ବହୁ ବର୍ଷ ଧରି, ହାତୀମାନେ ଜଙ୍ଗଲରୁ ବାହାରି କ୍ଷେତ ଆଡ଼କୁ ଚାଲି ଆସୁଛନ୍ତି । ହାତୀମାନଙ୍କ ପଲ ଗାଁକୁ ଚାଲି ଆସିଥାନ୍ତି ଏବଂ ବହୁ ପରିମାଣରେ ରାଗୀ ଫସଲ ଖାଇ ଯାଆନ୍ତି

*****

ପୂର୍ବରୁ ଆମେ କିଛି କ୍ଷତିପୂରଣ ପାଉଥିଲୁ । ଏବେ , ସେମାନେ ( କର୍ତ୍ତୃପକ୍ଷ ) ଫଟୋ ଉଠାଇ ନେଉଛନ୍ତି , କିନ୍ତୁ ଆମକୁ କିଛି ଟଙ୍କା ମିଳୁନାହିଁ ।
ଗୁମଲାପୁରମ ଗାଁ ଗଙ୍ଗନାହାଲି ପଡ଼ାର ମହିଳା ଚାଷୀ ବିନୋଦାମ୍ମା

ଗୋପୀ ଶଙ୍କରସୁବ୍ରମଣୀ ସେହି ହାତଗଣତି ଲୋକଙ୍କ ମଧ୍ୟରୁ ଜଣେ ଯିଏ ପ୍ରକୃତରେ ମୋଟ୍ଟେ ଭାଲ ସହ ମୁହାଁମୁହିଁ ହୋଇଛନ୍ତି, ଅତି ପାଖରୁ । ଦିନେ ସକାଳେ ଦିନେ ସେ ନବଦର୍ଶନମରେ ଥିବା ତାଙ୍କ ଘର କବାଟ ଖୋଲି ଏପରି ଏକ ପରିସ୍ଥିତିର ସମ୍ମୁଖିନ ହୋଇଥିଲେ । ନବଦର୍ଶନମ ହେଉଛି ଏକ ଅଣ-ଲାଭକାରୀ ସଂଗଠନ ଯାହାକି ଗୋଲ୍ଲାପଲ୍ଲୀଠାରୁ ଅଧଘଣ୍ଟାର ରାସ୍ତା ଅତିକ୍ରମ କରି ଯିବା ପରେ ପଡ଼ିଥାଏ, ଏଠାରେ ସେ ଆମକୁ ଆତିଥେୟ ଦେଇଥିବା ଗୋପକୁମାର ମେନନଙ୍କ ସହ ରହିଥାନ୍ତି ।

ଗୋପୀ ଯେଉଁ ବନ୍ଧୁଙ୍କୁ ଦେଖିବାକୁ ଚାହୁଁଥିଲେ, ତାଙ୍କ ପରିବର୍ତ୍ତେ, ସେଠାରେ ଏକ ଡେଙ୍ଗା ଓ ଚଉଡ଼ା ଏବଂ ନିରବ ହାତୀ ଥିଲା। କିନ୍ତୁ ମୋଟ୍ଟେ ଭାଲ ହଠାତ୍‌ ଅନ୍ୟତ୍ର ବୁଲିଗଲା। ପାହାଡ଼ କୋଳରେ ଥିବା ଏକ ସୁନ୍ଦର ଘର ବାରଣ୍ଡାରେ ବସି ଗୋପୀ ଆମକୁ ଅନେକ କାହାଣୀ କହିଥିଲେ। କିଛି ରାଗୀ ବିଷୟରେ ଥିଲା । ଅନ୍ୟଗୁଡ଼ିକ ହାତୀଙ୍କ ବିଷୟରେ ଥିଲା।

ଗୋପୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏରୋସ୍ପେସ୍‌ ଇଞ୍ଜିନିୟରିଂ। କିନ୍ତୁ ସେ ପ୍ରଯୁକ୍ତିକୁ ଛାଡ଼ି ଖାଦ୍ୟ ଉତ୍ପାଦନକୁ ପେସା ଭାବେ ଗ୍ରହଣ କରିଛନ୍ତି । ବହୁବର୍ଷ ଧରି ସେ ଗୁମଲପୁରମ ଗାଁରେ ଥିବା ଗଙ୍ଗନାହାଲ୍ଲୀ ପଡ଼ାରେ ରହୁଛନ୍ତି ଏବଂ ନବଦର୍ଶନମ ଟ୍ରଷ୍ଟ ପରିଚାଳନା କରୁଥିବା ୧୦୦ଏକର ଜମିରେ ଚାଷ କାମ କରୁଛନ୍ତି। ସ୍ଥାନୀୟ ବାସିନ୍ଦା, ପରିଦର୍ଶକ ଓ କର୍ମଶାଳା ଜରିଆରେ ମିଳୁଥିବା ଅନୁଦାନ ଉପରେ ନିର୍ଭର କରି ଏହି ଟ୍ରଷ୍ଟ ଚାଲିଥାଏ। ‘‘ଆମ ପାଖରେ ବଡ଼ ଯୋଜନା ନାହିଁ, ବଡ଼ ବଜେଟ ମଧ୍ୟ ନାହିଁ । ଆମେ ସବୁକିଛି ସରଳ ଓ ଛୋଟ କରି ରଖିବାକୁ ଚେଷ୍ଟା କରିଥାଉ।’’ ସେମାନଙ୍କର ସବୁଠୁ ପ୍ରମୁଖ ଗତିବିଧି ହେଉଛି ନିକଟସ୍ଥ ଗ୍ରାମବାସୀଙ୍କୁ ନେଇ ଗଠିତ ଖାଦ୍ୟ ସମବାୟ ସମିତି ସହ କାର୍ଯ୍ୟ କରିବା। ଗାଁ ଲୋକମାନଙ୍କ ପାଖରେ ଖୁବ୍‌ କମ୍‌ ଜମିବାଡ଼ି ରହିଛି, ବର୍ଷର ଅଳ୍ପ କିଛିଦିନ ଚାଷ କାମରେ ବିତିଯିବା ପରେ, ସେମାନେ ବାଧ୍ୟ ହୋଇ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।

ଗୋପୀ କୁହନ୍ତି, ‘‘ଆମେ ପ୍ରାୟ ୩୦ ପରିବାରକୁ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଗଙ୍ଗାନାହଲ୍ଲୀ ଗ୍ରାମର, ଜମି ଓ ମୂଲ୍ୟ ବର୍ଦ୍ଧିତ ଖାଦ୍ୟ ଉତ୍ପାଦନ କରିବା ସମ୍ପର୍କରେ ଜ୍ଞାନ ଯୋଗାଇ ଦେଇଥିଲୁ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ହେବାର ସଂସ୍କୃତିଠାରୁ ସେମାନଙ୍କୁ ଦୂରେଇ ନେଇଥିଲୁ’’। ସେମାନେ ମୁଖ୍ୟତଃ ଘରେ ଖାଇବା ପାଇଁ ରାଗୀ ଅମଳ କରିଥାନ୍ତି। କେବଳ ବଳକା ଫସଲ ବିକ୍ରି କରିଦିଅନ୍ତି।

ଗୋପୀ ବିଗତ ୧୨ ବର୍ଷ ହେବ ନବଦର୍ଶନମରେ ରହି ଆସୁଛନ୍ତି, ଇତିମଧ୍ୟରେ ସେ ଭିନ୍ନ ଭିନ୍ନ ପ୍ରଜାତିର ରାଗୀ ଚାଷ ଓ ଏଥିରେ ଦେଖା ଦେଇଥିବା ପରିବର୍ତ୍ତନର ସାକ୍ଷୀ ରହିଛନ୍ତି – ଦେଶୀଠାରୁ ଆରମ୍ଭ କରି କମ୍ ଅବଧି ବିଶିଷ୍ଟ ହାଇବ୍ରିଡ୍‌, ଯାହାକି ସାଧାରଣତଃ ୪-୫ ମାସ ପରିବର୍ତ୍ତେ ଅମଳ ପାଇଁ ମାତ୍ର ୩ ମାସ ଲାଗିଥାଏ । ଏହା ଅଧିକ ଉନ୍ନତ, ଯେତେବେଳେ ଏକ ଶୁଖିଲା ଜମିର ଫସଲ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଟିରେ ରହିଥାଏ, ‘‘ତାହା ଅଧିକ ପୋଷକ ତତ୍ତ୍ୱ ଅବଶୋଷଣ କରି ନେଇଥାଏ।’’ ନିଶ୍ଚିତ ଭାବେ କମ୍‌ ଅବଧିରେ ହେଉଥିବା ଫସଲ ଏହା କରିପାରେ ନାହିଁ । ଯାହାଫଳରେ ଲୋକମାନଙ୍କୁ ଗୋଟିଏ ପରିବର୍ତ୍ତେ ଦୁଇଟି ମାଣ୍ଡିଆ ମୁ ଡ୍ଡେ (ମାଣ୍ଡିଆରେ ପ୍ରସ୍ତୁତ ଗୋଲାକାର ମଣ୍ଡା) ଖାଇବାକୁ ପଡ଼େ। ‘‘ଏହା ହିଁ ହେଉଛି ବଡ଼ ପାର୍ଥକ୍ୟ।’’

Gopi Sankarasubramani at Navadarshanam's community farm in Ganganahalli hamlet of Gumlapuram village.
PHOTO • M. Palani Kumar
A damaged part of the farm
PHOTO • M. Palani Kumar

ବାମ: ଗୁମଲାପୁରମ ଗ୍ରାମର ଗଙ୍ଗନାହାଲ୍ଲୀ ପଡ଼ାରେ ନବଦର୍ଶନମର ଗୋଷ୍ଠୀ ଚାଷ ଜମିରେ ଗୋପୀ ଶଙ୍କରସୁବ୍ରମଣି ଉପସ୍ଥିତ ଡାହାଣ: କ୍ଷେତର ନଷ୍ଟ ହୋଇଯାଇଥିବା କିଛି ଅଂଶ

କିନ୍ତୁ ଚାଷୀମାନେ ପରିବର୍ତ୍ତନ ଚାହୁଁଛନ୍ତି କାରଣ ଶୀଘ୍ର ଅମଳ ହେଉଥିବା ଫସଲକୁ କମ୍ ସମୟ ଜଗିବାକୁ ପଡ଼ୁଛି । ତା’ଛଡ଼ା ବଜାରରେ ଭଲ କିସମ ପାଇଁ ଅଧିକ ଅର୍ଥ ମିଳୁନାହିଁ । ‘‘ଅଧିକନ୍ତୁ, ଚାଷୀମାନେ ଅଧିକ ଏକତ୍ରିତ ହୋଇ ଫସଲ ଅମଳ କରିବା ଆବଶ୍ୟକ,’’ ଗୋପୀ କୁହନ୍ତି । ‘‘ଯଦି ଅଧିକ ଲୋକ ଫସଲ ଜଗନ୍ତି – ଜଣେ ଗୋଟିଏ କୋଣରେ ଛିଡ଼ା ହେବା ସହ ଅନ୍ୟ ଜଣେ ଆଉ ଏକ କୋଣରେ ଛିଡ଼ା ହୋଇ ପାଟି କରିବ – ତା’ହେଲେ ହାତୀମାନେ ଫସଲଠାରୁ ଦୂରରେ ରହିବାର ସମ୍ଭାବନା ଅଧିକ ବୃଦ୍ଧି ପାଇବ । କିନ୍ତୁ ଯଦି ସମସ୍ତେ କମ୍ ଅବଧି ବିଶିଷ୍ଟ ମାଣ୍ଡିଆ ପୃଥକ ଭାବେ ଚାଷ କରିବେ, ତା’ହେଲେ ହାତୀ ଆପଣଙ୍କ ଫସଲ ଖାଇବା ଲାଗି ନିଶ୍ଚିତ ଭାବେ ଆସିବ...’’

ସୁନ୍ଦର ପକ୍ଷୀଙ୍କ କଳରବରେ ଆମ ଆଲୋଚନା ବାଧିତ ହେଲା । ସେମାନେ ଯେମିତି ହୁଇସିଲ ମାରୁଥିଲେ, ହସୁଥିଲେ ଓ ଗୀତ ଗାଉଥିଲେ, ଜଙ୍ଗଲରୁ ଆଣିଥିବା କିଛି ଖବର ଆମକୁ ବୋଧେ କହିବାକୁ ଚାହୁଁଥିଲେ ।

ମଧ୍ୟାହ୍ନ ଭୋଜନରେ ଆମେ ରାଗିମୁଡ୍ଡେ ସହିତ ପାଳଙ୍ଗ ତରକାରୀ ଖାଇଲୁ – ଏହା ପରେ ଆମକୁ ଚିନାବାଦାମ ଲଡ଼ୁ ଓ ତା’ସହିତ ରାଗୀ ଲଡ୍ଡୁ ଖାଇବାକୁ ଦିଆଗଲା । ବିନୋଦାମ୍ମା ଓ ବି ମଞ୍ଜୁଳା ନାମ୍ନୀ ଦୁଇ ମହିଳା ଏହାକୁ ପ୍ରସ୍ତୁତ କରିଥିଲେ। ସେମାନେ କନ୍ନଡ଼ ଭାଷାରେ କଥା ହେଉଥିଲେ (ଯାହାକୁ ଗୋପୀ ଓ ତାଙ୍କର ବନ୍ଧୁ ଆମ ପାଇଁ ଅନୁବାଦ କରି ଦେଉଥିଲେ)। ସେମାନେ କୁହନ୍ତି ଯେ, ବର୍ଷା ଓ ହାତୀଙ୍କ ଉପଦ୍ରବ କାରଣରୁ ସେମାନଙ୍କର ଅଧିକାଂଶ ରାଗୀ ନଷ୍ଟ ହୋଇଯାଇଛି।

ସେମାନେ ଆମକୁ କହିଥିଲେ ଯେ, ସେମାନେ ସବୁ ଦିନ ରାଗୀ ଖାଆନ୍ତି ଓ ଏଥିରେ ଅଳ୍ପ ବହଳିଆ ଦଲିୟା ପ୍ରସ୍ତୁତ କରି ପିଲାମାନଙ୍କୁ ଖୁଆଇଥାନ୍ତି । ପିଲାମାନେ ବଡ଼ ହୋଇ ଭାତ ଖାଇବା ନଶିଖିବା ପର୍ଯ୍ୟନ୍ତ ସେମାନଙ୍କୁ ଏହି ଖାଦ୍ୟ ଦିଆଯାଏ । ସେମାନେ ବାର୍ଷିକ ବାଜରା ଫସଲକୁ ଘରେ ବସ୍ତା ବାନ୍ଧି ରଖି ଦେଇଥାନ୍ତି, ଏବଂ ଆବଶ୍ୟକ ହେଲେ, ସେଥିରେ ଚୂନା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଫସଲ ଭଲ ହୋଇନଥିବାରୁ ଅଧିକ ଅମଳ କରିବା କଷ୍ଟକର ହୋଇଯିବ ।

ଉଭୟ ମହିଳା ନବଦର୍ଶନମ୍‌ ନିକଟରେ ଥିବା ଗଙ୍ଗନାହାଲି ପଡ଼ାରୁ ଆସିଛନ୍ତି, ଏବଂ ସଦ୍ୟ ସେମାନେ ମଧ୍ୟାହ୍ନ ଭୋଜନ କରି ଫେରିଥାନ୍ତି। ସେମାନଙ୍କର ଜମିରେ – ବିନୋଦାମ୍ମାଙ୍କ ପାଖରେ ୪ ଏକର ଏବଂ ମଞ୍ଜୁଳାଙ୍କ ପାଖରେ ୧.୫ ଏକର – ସେମାନେ ରାଗୀ , ଧାନ, ଛୁଇଁ ଓ ସୋରିଷ ଚାଷ କରିଥାନ୍ତି । ଅଦିନିଆ ବର୍ଷା ହେଲେ, ରାଗୀ ର ବୀଜ ଗଛରୁ ହିଁ ଅଙ୍କୁରିତ ହୋଇପଡ଼େ।’’ ଏହାପରେ ଫସଲ ନଷ୍ଟ ହୋଇଯାଏ।

ଏହାକୁ ଏଡ଼ାଇବା ଲାଗି, ବିନୋଦାମ୍ମାଙ୍କ ପରିବାର ଶୀଘ୍ର ଅମଳ ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ରାଗୀ ଓ ନଡ଼ାକୁ  ଶୀଘ୍ର ଅଲଗା କରିବା ପାଇଁ ଏକ ମେସିନ ବ୍ୟବହାର କରିଥିଲା। ସେ ଶୂନ୍ୟରେ ହାତ ହଲାଇ ନିଜର ଭାବନାକୁ ପରିପ୍ରକାଶ କରୁଥିଲେ ଏବଂ ତାଙ୍କର ଏହି ଅଙ୍ଗଭଙ୍ଗୀ ଭାଷାରେ ରହିଥିବା ପାର୍ଥକ୍ୟକୁ ଦୂର କରି ଦେଉଥିଲା।

ମଣିଷ-ପଶୁ ସଂଘର୍ଷକୁ ନେଇ ସେମାନଙ୍କ ହତାଶାକୁ ବ୍ୟକ୍ତ କରିବାରେ ଭାଷା କୌଣସି ବାଧକ ସାଜିନଥିଲା। ‘‘ପୂର୍ବରୁ ଆମେ କିଛି କ୍ଷତିପୂରଣ ପାଇଥିଲୁ। ଏବେ, ସେମାନେ (ସରକାରୀ କର୍ତ୍ତୃପକ୍ଷ) ଫଟୋ ଉଠାଇ ନେଉଛନ୍ତି, କିନ୍ତୁ ଆମେ କିଛି ଟଙ୍କା ପାଉନୁ।’’

Manjula (left) and Vinodhamma from Ganganahalli say they lose much of their ragi to unseasonal rain and elephants
PHOTO • M. Palani Kumar
A rain-damaged ragi earhead
PHOTO • Aparna Karthikeyan

ବାମ: ଗଙ୍ଗନାହାଲ୍ଲୀର ମଞ୍ଜୁଳା (ବାମ) ଏବଂ ବିନୋଦାମ୍ମା କୁହନ୍ତି ଯେ ଅଦିନିଆ ବର୍ଷା ଏବଂ ହାତୀଙ୍କ ଆକ୍ରମଣ କାରଣରୁ ସେମାନେ ନିଜର ଅଧିକାଂଶ ରାଗୀ ହରାଇଥାନ୍ତି । ଡାହାଣ: ବର୍ଷାରେ ନଷ୍ଟ ହୋଇଯାଇଥିବା ରାଗୀ କେଣ୍ଡା

ଗୋଟିଏ ହାତୀ କେତେ ପରିମାଣରେ ଖାଇଥାଏ ? ଖୁବ୍‌ ଅଧିକ, ଗୋପୀ କୁହନ୍ତି। ସେ କୁହନ୍ତି, ଏକଦା, ଦୁଇଟି ହାତୀ ଦୁଇ ରାତିରେ ପ୍ରାୟ ୨୦,୦୦୦ ଟଙ୍କା ମୂଲ୍ୟର ୧୦ ବସ୍ତାରୁ ଅଧିକ ରାଗୀ ଖାଇ ଯାଇଥିଲେ। ଗୋଟିଏ ଛୁଆ ଥରକେ ୨୧ଟି ପଣସ ଖାଇ ଦେଇଥିଲା। ଆଉ କୋବି....’’

ନିଜ ଫସଲକୁ ବଞ୍ଚାଇବା ପାଇଁ ଚାଷୀଙ୍କ ଆଖିରୁ ନିଦ ହଜିଯାଏ । ଗୋପୀ କୁହନ୍ତି, ମାଣ୍ଡିଆ ଋତୁରେ ଦୁଇ ବର୍ଷ ଧରି ହାତୀଙ୍କୁ ଜଗି ଜଗି ମଞ୍ଚାନ (ମଞ୍ଚା) ଉପରେ ରାତି ପରେ ରାତି କଟି ଥିଲା । ସେ କୁହନ୍ତି, ଭାରି କଷ୍ଟକର ଜୀବନ, ହେଲେ ସକାଳ ହେବା ବେଳକୁ ଆମକୁ ହାରିଯିବାକୁ ପଡ଼ିଥିଲା । ନବଦର୍ଶନମର ଚାରି ପାଖରେ ଥିବା ସଙ୍କୀର୍ଣ୍ଣ ଓ ଅଙ୍କାବଙ୍କା ରାସ୍ତାରେ ଆମେ କେତେକ ମଞ୍ଚାନ ଦେଖିଲୁ । କେତେକ ପକ୍କାରେ ଥିଲା, ଅନ୍ୟଗୁଡ଼ିକ ମଧ୍ୟରୁ କେତେକ ଅଧାଗଢ଼ା ଓ ଆଉ କେତେକ ପ୍ରସ୍ତୁତ ହୋଇ ରହିଥିଲା । ଅଧିକାଂଶ ମଞ୍ଚାନ ରେ ଏକ ଘଣ୍ଟି, ଟିଣ ଡବା ଓ ଏକ ରଶିରେ ଲାଗିଥିବା ଏକ ବାଡ଼ି ଥିଲା – ଏକ ହାତୀ ଦେଖିବାକୁ ମିଳୁଛି ବୋଲି ଅନ୍ୟମାନଙ୍କୁ ଜଣାଇବା ଲାଗି ଏହା ଉଦ୍ଦିଷ୍ଟ ଥିଲା ।

ବାସ୍ତବରେ ଦୁଃଖର ବିଷୟ ହେଉଛି, ହାତୀ ଯେମିତି ହେଲେ ଫସଲ ନଷ୍ଟ କରିଥାଏ। ‘‘କେହି ଜଣେ ଆମକୁ ଦେଖାଇ ଦେଲେ ସୁଦ୍ଧା ଆମେ ହାତୀକୁ ଅଟକାଇ ପାରିନଥାଉ’’, ଗୋପି କୁହନ୍ତି। ‘‘ଆମେ ବାଣ ଫୁଟାଉ, ସବୁକିଛି ଚେଷ୍ଟା କରୁ, କିନ୍ତୁ ତା’ର ଇଚ୍ଛା ଯାହା ସେ ତାହା କରିଥାଏ।’’

ଗଙ୍ଗନାହାଲ୍ଲୀ କ୍ଷେତ୍ରରେ ଏବେ ଏକ ବିଚିତ୍ର ସମସ୍ୟା ଦେଖା ଦେଇଛି : ଜଙ୍ଗଲ ବିଭାଗର ହାତୀଙ୍କ ପାଇଁ ନିର୍ମିତ ବାଡ଼ ନବଦର୍ଶନମର ଖୁବ ପାଖକୁ ଚାଲି ଆସିଛି, ଦୂରତା ଏତେ କମ୍‌ ଯେ ଲୋକଙ୍କ ଜମି ଦେଇ ହାତୀଙ୍କ ଚଲାପଥ ଯାଇଛି । ତେଣୁ ଯେଉଁଠି ବର୍ଷକୁ ୨୦ ଥର ହାତୀ ଆକ୍ରମଣ ହେଉଥିଲା, ଏବେ ଫସଲ ପାଚି ଅମଳ ପାଇଁ ପ୍ରସ୍ତୁତ ହେଲା ବେଳେ ପ୍ରାୟତଃ ସବୁ ରାତିରେ ହାତୀମାନେ ଚାଷ ଜମିକୁ ଚାଲି ଆସୁଛନ୍ତି ।

‘‘ବାଡ଼ର ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ପ୍ରଭାବିତ ହେଉଛନ୍ତି। ଥରେ ଆରମ୍ଭ କଲେ (ହାତୀଙ୍କୁ ବାଡ଼ ଘେରାଇ ରଖିବା), ଆପଣ ଅଟକି ପାରିବେ ନାହିଁ ।’’ ଗୋପୀ ଗୋଟିଏ ଆଙ୍ଗୁଠି ଦେଖାଇ ମୁଣ୍ଡ ହଲାଇ ବାରଣ କରିଥିଲେ ।

A makeshift machan built atop a tree at Navadarshanam, to keep a lookout for elephants at night.
PHOTO • M. Palani Kumar
A bell-like contraption in the farm that can be rung from the machan; it serves as an early warning system when elephants raid at night
PHOTO • M. Palani Kumar

ବାମ: ରାତିରେ ହାତୀଙ୍କ ଉପରେ ନଜର ରଖିବା ଲାଗି ନବଦର୍ଶନମର ଏକ ଗଛ ଉପରେ ତିଆରି ହୋଇଥିବା ଅସ୍ଥାୟୀ ମଞ୍ଚନ। ଡାହାଣ: କ୍ଷେତରେ ଏକ ଘଣ୍ଟି ଭଳି ଉପକରଣ ଯାହାକୁ ମଞ୍ଚନ ଉପରୁ ବଜାଇ ହେବ; ରାତିରେ ହାତୀ ଆକ୍ରମଣ ହେଲେ ଏହାକୁ ଆଗୁଆ ସତର୍କତା ପ୍ରଣାଳୀ ଭାବେ ଉପଯୋଗ କରାଯାଇଥାଏ

*****

ମୋ ସ୍ତ୍ରୀ ମୋତେ ଏବେ ଅଧିକ ଦେଖିବାକୁ ଚାହୁଁଛନ୍ତି ।
ଜଣେ ୬୦ ବର୍ଷ ବୟସ୍କ ଚାଷୀ ଫସଲକୁ ହାତୀଙ୍କଠାରୁ ସୁରକ୍ଷା ଦେବାରେ ନିୟୋଜିତ ରହିଛନ୍ତି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବିଚାରପତି ଦେଇଥିବା ଆଦେଶ ସେ ଶୁଣିଛନ୍ତି

ଅନେକ କାରଣ ପାଇଁ ମଣିଷ-ହାତୀ ସଂଘର୍ଷର ଏକ ସମ୍ବେଦନଶୀଳ ଓ ଦୀର୍ଘସ୍ଥାୟୀ ସମାଧାନ କରାଯିବା ଜରୁରି ।  ପ୍ରଥମ କଥା ହେଉଛି, ହାତୀଙ୍କ ଆକାର ଭଳି ଏ ସମସ୍ୟା ଖୁବ ବଡ଼ । ଫ୍ରଣ୍ଟିୟର୍ସ ଇନ୍‌ ଇକୋଲୋଜି ଏଣ୍ଡ ଇଭୋଲ୍ୟୁସନ ରେ ସାମ୍ପ୍ରତିକ ପରିଚାଳନା ରଣନୀତିକୁ ସମୀକ୍ଷା କରୁଥିବା ଏକ ଦସ୍ତାବିଜ ରେ ଦର୍ଶାଯାଇଛି ଯେ, ‘‘ସମଗ୍ର ବିଶ୍ୱରେ ଦୈନିକ ୧.୨୫ ଆମେରିକୀୟ ଡଲାର (ଏହା ଠାରୁ କମ୍‌) ମୁଣ୍ଡପିଛା ଆୟ ଥିବା ୧.୨ ବିଲିୟନ ଜନସଂଖ୍ୟା ଏସିଆ ଓ ଆଫ୍ରିକାର ହାତୀ ବାସସ୍ଥଳୀ ଥିବା ଦେଶରେ ଅବସ୍ଥାନ କରିଥାନ୍ତି ।’’ ଆହୁରି ଏହି ବଞ୍ଚିତ ସମୁଦାୟ ବାଧ୍ୟ ହୋଇ ‘‘ବାସସ୍ଥାନ ଓ ସମ୍ବଳ ପାଇଁ, ହାତୀ ଭଳି ଅନ୍ୟ ପ୍ରାଣୀଙ୍କ ସହିତ ବର୍ଦ୍ଧିତ ଭାବେ ପ୍ରତିଯୋଗିତା’’ କରୁଛନ୍ତି ।

ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସଞ୍ଜୀବ କୁମାର କୁହନ୍ତି, ଭାରତରେ ୨୨ଟି ରାଜ୍ୟ ହାତୀ ସହ ସଂଘର୍ଷ ଦ୍ୱାରା ପ୍ରଭାବିତ। ସବୁଠୁ ଅଧିକ ଘଟଣା ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ଘଟିଥାଏ।

ରାଜ୍ୟ ସଭାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ତିନି ବର୍ଷରୁ କମ୍ ସମୟ – ଏପ୍ରିଲ୍ ୨୦୧୮ରୁ ୨୦୨୦ ମଧ୍ୟରେ – ୧୪୦୧ ଜଣ ଲୋକ ଓ ୩୦୧ ହାତୀ ଏହି କାରଣରୁ ପ୍ରାଣ ହରାଇଛନ୍ତି ।

ଚାଷୀଙ୍କୁ ସେମାନଙ୍କର କ୍ଷତି ପାଇଁ କ୍ଷତିପୂରଣ ଦେବା ଲାଗି କାଗଜପତ୍ରରେ ବ୍ୟବସ୍ଥା ହୋଇଛି । ୨୦୧୭ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ‘ପ୍ରୋଜେକ୍ଟ ଏଲିଫେଣ୍ଟ ଡିଭିଜନ’ ଦ୍ୱାରା ଭାରତ ସରକାରଙ୍କ ଦସ୍ତାବିଜ ଜାରି କରାଯାଇଥିଲା । ଏଥିରେ ଦର୍ଶାଯାଇଛି ଯେ, ଚାଷୀଙ୍କ ଆକଳନ କରାଯାଇଥିବା କ୍ଷତିର ୬୦ ପ୍ରତିଶତ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ। ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ଯଦି କ୍ଷତିପୂରଣ ଫସଲର ମୂଲ୍ୟର ୧୦୦% ପାଖାପାଖି ହୁଏ, ତେବେ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ କୌଣସି ପ୍ରୋତ୍ସାହନ ମିଳିବ ନାହିଁ।”

ହୋସୁରସ୍ଥିତ ବନ୍ୟପ୍ରାଣୀ ତତ୍ୱାବଧାରକଙ୍କ କାର୍ଯ୍ୟାଳୟରେ ସହାୟକ ବନ ସଂରକ୍ଷକ ତଥା ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରିଣୀ କେ. କାର୍ତ୍ତିକେୟନୀ ମୋତେ କହିଥିଲେ ଯେ, କେବଳ ହୋସୁର ବନଖଣ୍ଡରେ ବାର୍ଷିକ ୨୦୦ ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଥାଏ । ‘‘ଚାଷୀମାନଙ୍କ ପକ୍ଷରୁ ଫସଲ କ୍ଷତିପୂରଣ ଦାବି କରି ପ୍ରାୟ ୮୦୦ରୁ ୧୦୦୦ ଆବେଦନ ଜଙ୍ଗଲ ବିଭାଗକୁ ମିଳିଥାଏ । ଏ ବାବଦରେ ବାର୍ଷିକ ୮୦ ଲକ୍ଷରୁ ୧ କୋଟି ଟଙ୍କା ପରିଶୋଧ କରାଯାଇଥାଏ’’, ସେ କୁହନ୍ତି । ପ୍ରତ୍ୟେକ ଲୋକଙ୍କ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏଥିରେ ସାମିଲ ରହିଛି – ପ୍ରତିବର୍ଷ ଏହି ଅଞ୍ଚଳରେ ୧୩ ଜଣ ଲୋକ ପ୍ରାଣ ହରାଇଥାନ୍ତି ।

Tusker footprints on wet earth.
PHOTO • Aparna Karthikeyan
Elephant damaged bamboo plants in Navadarshanam
PHOTO • M. Palani Kumar

ବାମ: କାଦୁଅରେ ଦନ୍ତାହାତୀର ପଦଚିହ୍ନ । ଡାହାଣ : ନବଦର୍ଶନମରେ ହାତୀ ନଷ୍ଟ କରି ଦେଇଥିବା ବାଉଁଶ ଗଛ

କାର୍ତ୍ତିକେୟନୀ କୁହନ୍ତି, ‘‘ଗୋଟିଏ ଏକର ପାଇଁ ସର୍ବାଧିକ ୨୫, ୦୦୦ ଟଙ୍କା କ୍ଷତିପୂରଣ ଦିଆଯାଇଥାଏ । ଦୁର୍ଭାଗ୍ୟବଶତଃ ଉଦ୍ୟାନ କୃଷି ଫସଲ ପାଇଁ ଏହା ଯଥେଷ୍ଟ ହୋଇନଥାଏ, କାରଣ ଚାଷୀମାନେ ଗୋଟିଏ ଏକର ପିଛା ୭୦,୦୦୦ ଟଙ୍କା କ୍ଷତି ସହିଥାନ୍ତି ।’’

ଅଧିକନ୍ତୁ, କ୍ଷତିପୂରଣ ଦାବି କରିବା ଲାଗି, ଚାଷୀମାନଙ୍କୁ ଜରୁରି କାଗଜପତ୍ର ଦାଖଲ କରିବାକୁ ହୋଇଥାଏ, କୃଷି କିମ୍ବା ଉଦ୍ୟାନ କୃଷି ଅଧିକାରୀ ଚାଷ ଜମିର ନିରୀକ୍ଷଣ କରିଥାନ୍ତି, ଏହାପରେ ଗ୍ରାମ ପ୍ରଶାସନିକ ଅଧିକାରୀ (ଭିଏଓ) ତଦାରଖ କରି ସେମାନଙ୍କର ଜମି କାଗଜପତ୍ର ଯାଞ୍ଚ କରିଥାନ୍ତି ଏବଂ ଶେଷରେ ବନ ଖଣ୍ଡ ଅଧିକାରୀ (ଡିଏଫଓ) କିଛି କ୍ଷତିପୂରଣ ଦେବାର ଥିଲେ, ମଞ୍ଜୁର କରିଥାନ୍ତି ।

ଏହାର ସବୁଠୁ ଖରାପ ଦିଗ ହେଉଛି ବେଳେ ବେଳେ ୩,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବା ଲାଗି ଚାଷୀଙ୍କୁ ପ୍ରାୟ ତିନୋଟି କୃଷି ଋତୁ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କାର୍ତ୍ତିକେୟନୀ କୁହନ୍ତି,‘‘ଚଳନକ୍ଷମ ପାଣ୍ଠିକୁ ଉପଯୋଗ କରି ତୁରନ୍ତ କ୍ଷତିପୂରଣ ଦିଆଯିବା ଭଲ ହେବ।’’

ଏହି ବିବାଦ ସମାଧାନ କରିବା ଦ୍ୱାରା କେବଳ ମଣିଷଙ୍କ ଜୀବନ ଓ ଚାଷୀଙ୍କ ଜୀବିକାର ସୁରକ୍ଷା ହେବ ନାହିଁ ବରଂ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ, ଏହା ରାଜ୍ୟ ବନ ବିଭାଗ ପାଇଁ ସାଧାରଣରେ ସଦ୍ଭାବନା ସୃଷ୍ଟି କରିବ, ସଞ୍ଜୀବ କୁମାର କୁହନ୍ତି । ‘‘ଏବେ, ହାତୀ ସଂରକ୍ଷଣର ବୋଝ ଚାଷୀମାନଙ୍କୁ ସହିବାକୁ ପଡ଼ୁଛି,’’ ସେ କହିଥିଲେ ।

ସଞ୍ଜୀବ କୁହନ୍ତି ଯେ, ଉପଦ୍ରବୀ ହାତୀଙ୍କଠାରୁ ଫସଲକୁ ସୁରକ୍ଷା ଦେବା ଲାଗି ରାତି ପରେ ରାତି, ମାସ ମାସ ଧରି ଜଗି ରହିବା ଖେଳ ଘର ନୁହେଁ। ଚାଷୀମାନେ ଏଥିରେ ଅନେକ ଘଣ୍ଟା, ଅନେକ ଦିନ ବିତାଇ ଦେଇଥାନ୍ତି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ବୈଠକରେ, ବିଚାରପତିଙ୍କୁ ଜଣେ ଚାଷୀ କହୁଥିବା ସେ ଶୁଣିଛନ୍ତି, ‘‘ମୋ ସ୍ତ୍ରୀ ମୋତେ ଅଧିକାଂଶ ସମୟରେ ସାମ୍ନାରେ ଦେଖିବାକୁ ଚାହୁଁଛନ୍ତି’’। ସଞ୍ଜୀବ କୁହନ୍ତି, ‘‘ସେ ଚାଷୀଙ୍କ ବୟସ ୬୦ ବର୍ଷ ଏବଂ ତାଙ୍କର ଅନ୍ୟ କେଉଁଠି ପ୍ରେମ ସମ୍ପର୍କ ଥିବା ତାଙ୍କ ସ୍ତ୍ରୀ ସନ୍ଦେହ କରୁଛନ୍ତି ।’’

ଚାଷୀଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ବନ ବିଭାଗ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ‘‘ସେମାନେ ବିଭାଗ ଉପରେ ଏହି ରାଗ ସୁଝାଇଥାନ୍ତି ।  ସେମାନେ କେତେ ଥର କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛନ୍ତି । ରାସ୍ତାରୋକ କରିଛନ୍ତି, କର୍ମଚାରୀମାନଙ୍କୁ ମାଡ଼ ମାରିଛନ୍ତି ଓ ଆକ୍ରମଣ କରିଛନ୍ତି । ଏହା ଜଙ୍ଗଲ ବିଭାଗକୁ ବ୍ୟାକଫୁଟକୁ ଠେଲି ଦେଇଥାଏ ଏବଂ ସୁରକ୍ଷା କର୍ତ୍ତବ୍ୟରେ ହସ୍ତକ୍ଷେପ କରିଥାଏ’’, ସଞ୍ଜୀବ କୁମାର କୁହନ୍ତି ।

Anandaramu Reddy explaining the elephants’ path from the forest to his farm in Vadra Palayam hamlet
PHOTO • M. Palani Kumar

ଭଦ୍ର ପଲୟମରେ ଜଙ୍ଗଲରୁ ତାଙ୍କ ଚାଷ ଜମିକୁ ଯାଇଥିବା ହାତୀଙ୍କ ପାଦଚଲା ରାସ୍ତାକୁ ଦେଖାଉଛନ୍ତି ଆନନ୍ଦରାମୁ ରେଡ୍ଡୀ

ହାତୀ ସହ ସଂଘର୍ଷର ଏକ ଆର୍ଥିକ, ପରିବେଶଗତ ଓ ପରିତନ୍ତ୍ର ଆଧାରିତ ମୂଲ୍ୟ ରହିଛି । ଏହାର ମାନସିକ ପ୍ରଭାବ ମଧ୍ୟ ପଡ଼ିଥାଏ । ଧରାଯାଉ, ଆପଣ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ଜାଣନ୍ତି ଯେ, ଆପଣଙ୍କର କୌଣସି ଦୋଷ ନଥାଇ ମଧ୍ୟ ଦିନେ ସେହି ବ୍ୟବସାୟକୁ ଭାଙ୍ଗି ଦିଆଯିବ କିମ୍ବା ନଷ୍ଟ କରି ଦିଆଯିବ

ଏସବୁ ଛଡ଼ା ହାତୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ । ଏହା ଏକ ଚିନ୍ତାଜନକ ଓ ଜରୁରି ସମସ୍ୟା । ୨୦୧୭ରେ କରାଯାଇଥିବା ଗଣନାରେ ତାମିଲନାଡ଼ୁରେ ହାତୀଙ୍କ ସଂଖ୍ୟା ୨,୭୬୧ ଥିଲା । ଏହା ଭାରତୀୟ ହାତୀଙ୍କ ସଂଖ୍ୟା, ୨୯,୯୬୪ ର ୧୦ ପ୍ରତିଶତରୁ କମ୍ ।

ହାତୀ-ମଣିଷ ସଂଘର୍ଷ, ବିଦ୍ୟୁତ ଆଘାତ, ସଡ଼କ ଓ ରେଳ ଦୁର୍ଘଟଣା ଏସବୁ ଏହି ବିରଳ ପ୍ରାଣୀଙ୍କ ସଂଖ୍ୟା ହ୍ରାସର କାରଣ ସାଜିଛି । ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏହା କୌଣସି ସମାଧାନ ନଥିବା ଏକ ସମସ୍ୟା ଭାବେ ପ୍ରତୀୟମାନ ହୋଇଥାଏ । ତେବେ, ସଞ୍ଜୀବ ଓ ଅନ୍ୟମାନେ – ମୂର୍ତ୍ତୀଙ୍କ ସହାୟତାରେ ଏହାର ଏକ ସମାଧାନ ପାଇଛନ୍ତି...

*****

ବାସ୍ତବରେ ଆମର ଆଦୌ ବିଦ୍ୟୁତ ରକାର ନାହିଁ । ସୌର ଶକ୍ତି ଭରସାଯୋଗ୍ୟ ନୁହେଁ । ତା ଛଡ଼ା ହାତୀମାନେ ବିଦ୍ୟୁତକୁ ଠାବ କରି ନେଇଛନ୍ତି
ଏସ. ଆର. ସଞ୍ଜୀବ କୁମାର, କ୍ରିଷ୍ଣାଗିରି ଓ ଧର୍ମପୁରୀ ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ

ସଞ୍ଜୀବ କୁମାର କୁହନ୍ତି, ମେଲାଗିରିରେ ହାତୀ ବାଡ଼ ଘେରାଇ ରଖିବା ଲାଗି ଯୋଜନା ଦକ୍ଷିଣ ଆଫ୍ରିକାର ଆଡ୍ଡୋ ଏଲିଫ୍ୟାଣ୍ଟ ନ୍ୟାସନାଲ ପାର୍କରୁ ଆସିଥିଲା । ‘‘ଭାରତର ହାତୀ ମଣିଷ ଭାବେ ପରିଚିତ ରମନ କୁମାର ମୋତେ ଏ ସମ୍ପର୍କରେ କହିଥିଲେ । ସେଠାରେ ସେମାନେ ବନ୍ଦ ହୋଇଥିବା ରେଳ ଲାଇନ ଏବଂ ଏଲେଭେଟର କେବୁଲକୁ ବ୍ୟବହାର କରିଥିଲେ । ସେମାନେ ବାଡ଼ ଘେରାଇବା ପରେ ସମସ୍ୟାର ସମାଧାନ ହୋଇଯାଇଥିଲା।’’ ଆଡ୍ଡୋ ପାର୍କର ଉପାୟକୁ ସଞ୍ଜୀବ ଅନୁସରଣ କରିଥିଲେ ।

ସେ ପର୍ଯ୍ୟନ୍ତ, ହୋସୁର ବନଖଣ୍ଡରେ ହାତୀଙ୍କୁ ଜଙ୍ଗଲ ଭିତରେ ଏବଂ ଚାଷ ଜମିଠାରୁ ଦୂରରେ ରଖିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା – କିନ୍ତୁ କିଛି କାମ ଦେଇନଥିଲା । ସେମାନେ ଜଙ୍ଗଲ ସୀମା ଚାରି ପାଖରେ ଗଭୀର ଗାତ ଖୋଳି ହାତୀଙ୍କୁ ଅଟକାଇବା ଲାଗି ଟ୍ରେଞ୍ଚ ବା ଖାଲ ତିଆରି କରିଥିଲେ। ସେମାନେ ପାରମ୍ପରିକର ସୌର ବାଡ଼, କଣ୍ଟାଯୁକ୍ତ ବାଡ଼ ଏବଂ ଆଫ୍ରିକାରୁ ଆଣିଥିବା କିଛି କଣ୍ଟା ଗଛ ଲଗାଇଥିଲେ । କିଛି ବି କାମ ଦେଇନଥିଲା ।

ହୋସୁର ବନ ଖଣ୍ଡରେ ଉପ ବନ ସଂରକ୍ଷକ ଭାବେ ଆଇଏଫଏସ ଦୀପକ ବିଲଗି ନିୟୋଜିତ ଥିବା ସମୟରେ ଏହି ପରିବର୍ତ୍ତନକାରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିଲଗୀ ଏହି ଉପାୟକୁ କାର୍ଯ୍ୟକାରୀ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ, ଏଥିପାଇଁ ଅର୍ଥ ଯୋଗାଡ଼ କରିଥିଲେ, ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲେ ଏବଂ ‘‘ଆମେ ପରୀକ୍ଷାମୂଳକ ଭାବେ ଏକ ବାଡ଼ ବା ଫେନ୍ସ ତିଆରି କରିବା ଲାଗି ନିଷ୍ପତ୍ତି ନେଲୁ’’, ସଞ୍ଜୀବ କୁହନ୍ତି ।

A section of the Melagiri Elephant Fence, which is made of pre-cast, steel-reinforced concrete posts, and steel wire rope strands
PHOTO • M. Palani Kumar

ମେଲାଗିରରେ ହାତୀଙ୍କ ପାଇଁ ତାର ବାଡ଼ର ଅଂଶବିଶେଷ, ଏହା ପ୍ରି-କାଷ୍ଟ, ଷ୍ଟିଲ-ସଂଯୁକ୍ତ କଂକ୍ରିଟ ଖୁଣ୍ଟ ଏବଂ ଷ୍ଟିଲ ତାର ରଶିରେ ତିଆରି ହୋଇଛି

ରୋଚକ କଥା ହେଉଛି, ହାତୀର ଶକ୍ତି କେତେ ତାହାକୁ ନେଇ ଯଥେଷ୍ଟ ତଥ୍ୟ ଉପଲବ୍ଧ ନାହିଁ । କିମ୍ବା ହାତୀଟିଏ କେତେ ପରିମାଣର ଓଜନ ଟାଣି ପାରିବ ତାହା ମଧ୍ୟ କେହି ଜାଣନ୍ତି ନାହିଁ । ତେଣୁ ସେମାନେ ମଧୁମଲାଇରେ ଏକ ପ୍ରୋଟୋଟାଇପ୍‌ ସଂଯୋଗ କଲେ ଏବଂ ଏହାକୁ କୁମକୀ (ପ୍ରଶିକ୍ଷିତ ପୋଷା ହାତୀ)ଙ୍କ ମାଧ୍ୟମରେ ପରୀକ୍ଷା କରାଇଲେ। ଏହି ହାତୀଙ୍କ ମଧ୍ୟରୁ ଗୋଟିଏ ଥିଲା – ମୂର୍ତ୍ତୀ ନାମକ ପାଞ୍ଚ ଟନ୍‌ ଓଜନର ଏକ ଦାନ୍ତବିହୀନ ହାତୀ – ଏକଦା ଏହି ଦୁଷ୍ଟ ହାତୀ ବହୁ ଲୋକଙ୍କୁ ମାରି ଦେଇଥିଲା, ପରେ ବନ ବିଭାଗ ଏହାକୁ ନିୟନ୍ତ୍ରଣକୁ ଆଣିଥିଲା । ବିଡ଼ମ୍ବନାର ବିଷୟ ହେଉଛି, ବୀଟା ଟେଷ୍ଟର ଭାବେ ସେହି ଜଙ୍ଗଲୀ ହାତୀଙ୍କ ଠାରେ ଏହି ତାରବାଡ଼ର ପରୀକ୍ଷା କରାଯିବାର ଥିଲା, ଯାହାକି ହାତୀ-ମଣିଷ ସଂଘର୍ଷ କମାଇବ ।

ସଞ୍ଜୀବ କୁହନ୍ତି, ‘‘ଆପଣ ତା’ର ଅତୀତକୁ ଆକଳନ କରିପାରିବେ ନାହିଁ, କାରଣ ସେ ଭଲ ଭାବେ ପ୍ରଶିକ୍ଷିତ ହୋଇସାରିଛି । ସେ ବିନମ୍ର ଓ ଶାନ୍ତ ହୋଇସାରିଛି ।’’ ଏବେ ମୂର୍ତ୍ତି ଅବସର ନେଇସାରିଛି । ହାତୀଙ୍କ ଅବସର ବୟସ ସମ୍ପର୍କରେ ପଚାରିବାରୁ ମୋତେ କୁହାଗଲା ଯେ, ୫୫ ବର୍ଷ । ଏହି ବୟସରେ ହାତୀମାନେ ଆରାମଦାୟକ ଜୀବନ ନିର୍ବାହ କରିଥାନ୍ତି, ବିଶ୍ରାମ ନେଇଥାନ୍ତି, ହାତୀ ପଲରେ ରହି ସାମୟିକ ଭାବେ, ମାଈ ହାତୀଙ୍କ ସହ ମିଳନ କରି ସମୟ ବିତାଇଥାନ୍ତି । ଜଙ୍ଗଲରେ, ସେମାନଙ୍କର ସେବା ଆବଶ୍ୟକ ହୋଇନଥାଏ- କିମ୍ବା ଅନୁମତି ମିଳିନଥାଏ- କାରଣ କମ୍ ବୟସ୍କ ଅଣ୍ଡିରା ହାତୀମାନେ ସେମାନଙ୍କ ସହିତ ଏହି ସୁବିଧା ପାଇଁ ପ୍ରତିଯୋଗିତା କରିଥାନ୍ତି ।

ମୂର୍ତ୍ତୀ ଠାରୁ, ସେମାନେ ଜାଣିଲେ ଯେ କେତେକ ବିଶେଷ ପରିସ୍ଥିତିରେ ଗୋଟିଏ ହାତୀ ସର୍ବାଧିକ ୧,୮୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଶକ୍ତି ସୃଷ୍ଟି କରିଥାଏ । ମୂର୍ତ୍ତୀର ଅଭିଜ୍ଞତାକୁ ଆଧାର କରି, ପୋଷ୍ଟଗୁଡ଼ିକୁ ଡିଜାଇନ କରିବା ସହିତ ସେମାନେ ପ୍ରଥମ ଦୁଇ କିଲୋମିଟର ବାଡ଼ ତିଆରି କରିଥିଲେ । ଏହା ଆନନ୍ଦଙ୍କ ଘରଠାରୁ ବେଶୀ ଦୂରରେ ନଥିଲା ।

‘‘ଆମେ ସେହି ପ୍ରୟାସରୁ ଅନେକ କିଛି ଶିଖିଲୁ । ମାତ୍ର ଗୋଟିଏ ସପ୍ତାହରେ, ମକନା – ଯିଏକି ମୋଟ୍ଟେ ଭାଲ ଚାରି ପାଖରେ ବୁଲିଥାଏ- ଖୁବ୍‌ ସହଜରେ ଏହାକୁ ଭାଙ୍ଗି ଦେଲା । ଆମକୁ ପୁଣିଥରେ ତାହାକୁ ଡିଜାଇନ୍‌ କରିବାକୁ ପଡ଼ିଲା, ଏବଂ ଏଥର ମୂଳ ଡିଜାଇନଠାରୁ ୩.୫ ଗୁଣ ଅଧିକ ଦୃଢ଼ ଭାବେ ବାଡ଼ ତିଆରି କରାଗଲା । ତାର ରଶି ଖୁବ୍‌ ଦୃଢ଼ ଥିଲା ଏବଂ ଏହା ୧୨ ଟନ୍‌ ଓଜନ ସହିବାକୁ ସକ୍ଷମ ଥିଲା । ସେହି ରଶି ସହାୟତାରେ ଆପଣ ଦୁଇଟି ହାତୀଙ୍କୁ ଟେକି ନେଇପାରିବେ।’’

ସଞ୍ଜୀବ କୁହନ୍ତି, ଅନ୍ୟ ମଡେଲଗୁଡ଼ିକ ତୁଳନାରେ, ସେମାନଙ୍କ ବାଡ଼, ପ୍ରାୟତଃ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଥାଏ । ଏହା ପ୍ରିକାଷ୍ଟ, ଇସ୍ପାତ ସଂଯୁକ୍ତ କଂକ୍ରିଟ ଖୁଣ୍ଟ, ଏବଂ ଇସ୍ପାତ ତାରରେ ପ୍ରସ୍ତୁତ ରଶିରେ ତିଆରି ହୋଇଥାଏ । ହାତୀମାନେ ଖୁଣ୍ଟ ଭାଙ୍ଗି ପାରିବେ ନାହିଁ କିମ୍ବା ତାରକୁ ଛିଣ୍ଡାଇ ପାରିବେ ନାହିଁ । ସେମାନେ ଏହା ଉପର ଦେଇ କିମ୍ବା ଏଥିରେ ଗଳି ଯାଇପାରିବେ । ‘‘ଯେକୌଣସି ସମସ୍ୟା ପ୍ରବଣ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସମାଧାନ ପାଇଁ ଏହା ଆମକୁ ଏକ ସୁଯୋଗ ଦେଇଥିଲା । ଆମ ବନ୍ଧୁମାନେ ଜଙ୍ଗଲ ବାହାରକୁ ଆସିବା ଏବଂ ଫସଲ ନଷ୍ଟ କରିବା ପରେ ଚାଲିଯିବାର ଫଟୋ ମଧ୍ୟ ଟିମ୍‌ ଉତ୍ତୋଳନ କରିଥିଲା ।’’ ସେମାନେ ଯାହା ଦେଖିଲେ, ନିଜ ଅଭିଜ୍ଞତା ବଳରେ ସୁଧାର ଆଣିଲେ । ସଞ୍ଜୀବ ହସି ହସି କୁହନ୍ତି, ‘‘ବେଳେ ବେଳେ ହାତୀମାନେ ଆସନ୍ତି ଏବଂ ଆମେ ଆହୁରି ଅଧିକ କାମ କରିବା ଉଚିତ୍‌ ବୋଲି ଆମକୁ ଚେତାଇ ଦିଅନ୍ତି ।’’

ଏହି ଅଣ-ବିଦ୍ୟୁତ ଇସ୍ପାତ ବାଡ଼ ବସାଇବା ପାଇଁ ପ୍ରତି କିଲୋମିଟର ପିଛା ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଜିଲ୍ଲାପାଳ – କିଛି ଘରୋଇ କ୍ଷେତ୍ରର ସହାୟତା ସମେତ ରାଜ୍ୟ ସରକାରଙ୍କ ତାମିଲନାଡ଼ୁ ଅଭିନବ ପ୍ରୟାସ ଯୋଜନାରୁ ପାଣ୍ଠି ଯୋଗାଡ଼ କରି ପ୍ରଥମେ ଦୁଇ କିଲୋମିଟର ଏବଂ ପରେ ୧୦ କିଲୋମିଟର ବାଡ଼ ନିର୍ମାଣ କରାଇଥିଲେ ।

Anandaramu walking along the elephant fence and describing how it works
PHOTO • M. Palani Kumar

ଆନନ୍ଦରାମୁ ହାତୀ ବାଡ଼ କଡ଼େ କଡ଼େ ଚାଲି ଚାଲି ଏହା କିପରି କାର୍ଯ୍ୟ କରେ ବୁଝାଉଛନ୍ତି

ସେମାନେ ଯେଉଁ ୨୫ କିଲୋମିଟର ଅଞ୍ଚଳକୁ ତାରବାଡ଼ରେ ଘେରି ଦେଇଛନ୍ତି, ସେଥିମଧ୍ୟରୁ ୧୫ କିଲୋମିଟର ଅଣ-ବିଦ୍ୟୁତ ହୋଇଥିବା ବେଳେ ୧୦ କିଲୋମିଟର ଅଞ୍ଚଳକୁ ହାତୀ ନିରୋଧୀ ବିଦ୍ୟୁତକରଣ (ସୌର ଶକ୍ତି) କରାଯାଇଛି । ଭୋଲଟେଜ ୧୦,୦୦୦ ଭୋଲ୍ଟ ଠାରୁ ଅଧିକ ଥାଏ ଏବଂ ଏହା ହେଉଛି ଏକ ଅଳ୍ପ ପରିମାଣର ଡାଇରେକ୍ଟ କରେଣ୍ଟ ଯାହାକି ପ୍ରତି ସେକେଣ୍ଡରେ ସ୍ଫୁରଣ ହୋଇଥାଏ । ସଞ୍ଜୀବ କୁହନ୍ତି, ‘‘ସାଧାରଣତଃ ଏଥିରେ ଲାଗିଲେ ହାତୀମାନେ ମୃତ୍ୟୁବରଣ କରନ୍ତି ନାହିଁ । ଆମେ ଘରେ କିମ୍ବା ଚାଷ ଜମିରେ ବ୍ୟବହାର କରୁଥିବା ୨୩୦ ଭୋଲ୍ଟ ଏସି କରେଣ୍ଟ ସଂସ୍ପର୍ଶରେ ଆସିଲେ ବିଦ୍ୟୁତ ଆଘାତରେ ସେମାନଙ୍କର ମୃତ୍ୟୁ ଘଟିଥାଏ । ଏଠାରେ ସେମାନେ ସୁରକ୍ଷିତ ଥାଆନ୍ତି, କାରଣ ଘରେ ବ୍ୟବହାର ହେଉଥିବା ବିଦ୍ୟୁତ ଶକ୍ତିର ହଜାର ଗୁଣା କମ୍‌ ବିଦ୍ୟୁତ ଶକ୍ତି ଏଠାରେ ବ୍ୟବହାର କରାଯାଏ, ନଚେତ୍‌ ଏଥିରେ ସେମାନଙ୍କର ମୃତ୍ୟୁ ଘଟିବ।’’

ଡିସି ଭୋଲଟେଜ୍‌ ୬,୦୦୦ ଭୋଲ୍ଟଠାରୁ କମ୍‌ ରହିବା ସମୟରେ, ଯଦି କୌଣସି ଗଛ କିମ୍ବା ଡାଳ ତାରବାଡ଼ ଉପରେ ପଡ଼ିଲା ତା’ହେଲେ, ହାତୀଟିଏ ସହଜରେ ଏହାକୁ ପାର୍‌ କରି ଚାଲିଯାଏ । ଅଧିକ ଭୋକିଲା ଥିବା କିଛି ଅଣ୍ଡିରା ହାତୀ ଅତି ସହଜରେ ବାଡ଼କୁ ଟାଣି ନେଇ ଭାଙ୍ଗି ଦେଇଥାନ୍ତି । ‘‘ସେମାନଙ୍କ ମୁଣ୍ଡରେ କେଉଁ ଉପାୟ ଅଛି ତାହା ଜାଣିବା କଷ୍ଟକର’’, ସଞ୍ଜୀବ ସ୍ୱୀକାର କରିଥାନ୍ତି ।

ସେ କୁହନ୍ତି, ‘‘ବାସ୍ତବରେ, ଆମେ ଆଦୌ ବିଦ୍ୟୁତ ଉପରେ ନିର୍ଭର କରିନଥାଉ । ସୌର ଶକ୍ତି ଭରସାଯୋଗ୍ୟ ନୁହେଁ ।’’ ତା’ଛଡ଼ା ହାତୀମାନେ ବିଦ୍ୟୁତକୁ ଠାବ କରି ନେଇଥାନ୍ତି । ସେମାନେ ଇନସ୍ୟୁଲେସନ ଏବଂ କଣ୍ଡକ୍ଟିଭିଟି ବିଷୟରେ ଜାଣନ୍ତି । ସେମାନେ ଗୋଟିଏ ଶାଖା କିମ୍ବା ଗଛ ଉଠାଇ ଫିଙ୍ଗିବେ ଏବଂ ବାଡ଼କୁ ଶର୍ଟ ସର୍କିଟ୍‌ କରିଦେବେ । କିମ୍ବା ଏକ ପୁରୁଷ ହାତୀ  ଦାନ୍ତ ଉପଯୋଗ କରି ଏହାକୁ ଭାଙ୍ଗି ଦେବ – କାରଣ ସେମାନେ ଜାଣିଛନ୍ତି ଯେ ଦାନ୍ତ ହେଉଛି ବିଦ୍ୟୁତ କୁପରିବାହୀ । ସଞ୍ଜୀବ ହସି ହସି କୁହନ୍ତି, ‘‘ମୋ ପାଖରେ ଗୋଟିଏ ଫଟୋ ଅଛି ଯେଉଁଥିରେ ଏକ ହାତୀ ଗଛର ଛୋଟ ଶାଖାଟିଏ ଧରି ତାରବାଡ଼ରେ ବିଦ୍ୟୁତ ଅଛି କି ନାହିଁ ଯାଞ୍ଚ କରୁଛି।’’

*****

ମେଲାଗିରି ବାଡ଼ ଘେରା ହେବା ପରେ ହାତୀମାନେ ଦକ୍ଷିଣ ଦିଗକୁ ପଳାୟନ କରିଛନ୍ତି । ଏହା ଏକ ଭଲ କଥା , କାରଣ ସେଠାରେ ବିସ୍ତୃତ ଜଙ୍ଗଲ ରହିଛି , ଯାହାକି ସତ୍ୟମଙ୍ଗଲମ ଦେଇ ଆଗକୁ ... ନୀଳଗିରି ପର୍ଯ୍ୟନ୍ତ ବ୍ୟାପିଛି ।
କେ. କାର୍ତ୍ତିକେୟନୀ, ଭାରତୀୟ ବନ ସେବା ଅଧିକାରୀ

ହାତୀ ସହ ସଂଘର୍ଷର ଏକ ଆର୍ଥିକ, ପରିବେଶଗତ ଓ ପରିତନ୍ତ୍ର ଆଧାରିତ ମୂଲ୍ୟ ରହିଛି । ଏହାର ମାନସିକ ପ୍ରଭାବ ମଧ୍ୟ ପଡ଼ିଥାଏ । ଧରାଯାଉ, ଆପଣ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ଜାଣନ୍ତି ଯେ, ଆପଣଙ୍କର କୌଣସି ଦୋଷ ନଥାଇ ମଧ୍ୟ ଦିନେ ସେହି ବ୍ୟବସାୟକୁ ଭାଙ୍ଗି ଦିଆଯିବ କିମ୍ବା ନଷ୍ଟ କରି ଦିଆଯିବ । କ୍ରିଷ୍ଣାଗିରି ଜିଲ୍ଲାରେ ଅନେକ ପିଢ଼ି ଧରି ରହୁଥିବା ଓ ଚାଷ କରି ଆସୁଥିବା ଚାଷୀମାନେ ଠିକ୍‌ ଏହିପରି ଜୀବନ ବିତାଉଛନ୍ତି ।

ସଞ୍ଜୀବ କୁମାର କୁହନ୍ତି, ସ୍ଥାନୀୟ ଫସଲ ଖାଇବା ବ୍ୟତୀତ ଅମଳ ଉପରେ ଆକ୍ରମଣ କରୁଥିବା ଏହି ହାତୀମାନେ ଦୂରବର୍ତ୍ତୀ ଇଲାକାକୁ ଯିବା ଶିଖି ଯାଇଛନ୍ତି । ବିଗତ ଗୋଟିଏ କିମ୍ବା ଅର୍ଦ୍ଧ ଦଶନ୍ଧି ଧରି ଏପରି ଦେଖିବାକୁ ମିଳୁଛି । ‘‘ସଂରକ୍ଷିତ ଜଙ୍ଗଲ ଠାରୁ ଗୋଟିଏ କିମ୍ବା ଦୁଇ କିଲୋମିଟର ଦୂର ପର୍ଯ୍ୟନ୍ତ ଯିବାଠାରୁ ଆରମ୍ଭ କରି, ସେମାନେ ଏବେ ଆନ୍ଧ୍ର ଓ କର୍ଣ୍ଣାଟକକୁ ମଧ୍ୟ ଯାଉଛନ୍ତି, ଯାହାକି ପ୍ରାୟ ୭୦ରୁ ୮୦ କିଲୋମିଟର ଦୂର ହେବ । ସେଠାରେ କିଛି ମାସ ବିତାଇବା ପରେ ସେମାନେ ଫେରି ଆସୁଛନ୍ତି । ହୋସୁର ଅଞ୍ଚଳରେ, ଫସଲ ଉପରେ ହାତୀ ଆକ୍ରମଣ ବାରମ୍ବାର ଘଟିଥାଏ । ଏଠାକାର ହାତୀମାନେ ପୃଥୁଳକାୟ; ସେମାନେ ସୁସ୍ଥ ଦେଖାଯାଆନ୍ତି ଏବଂ ଅଧିକ ସଂଖ୍ୟାରେ ଛୁଆ ଜନ୍ମ କରିଥାନ୍ତି ।

ଯୁବ ହାତୀମାନେ ବେଶ୍ ଦୁଃସାହସିକ କାମ କରିଥାନ୍ତି । ‘‘ସଂରକ୍ଷିତ ଜଙ୍ଗଲ ବାହାରେ ମୁଁ ହାତୀଙ୍କ ମୃତ୍ୟୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ସେଗୁଡ଼ିକୁ ତନଖି କରିଥିଲି । ମୁଁ ଜାଣିବାକୁ ପାଇଲି ଯେ ମୃତ ହାତୀଙ୍କ ମଧ୍ୟରେ ୬୦ରୁ ୭୦ ପ୍ରତିଶତ ଯୁବ ପୁରୁଷ ହାତୀ ଥିଲେ।’’

Mango plantation damaged by elephants in Anandaramu’s field
PHOTO • Anandaramu Reddy
Ananda with more photographs showing crops ruined by elephant raids
PHOTO • Aparna Karthikeyan

ବାମ: ଆନନ୍ଦରାମୁଙ୍କ ଚାଷ ଜମିରେ ହାତୀ ନଷ୍ଟ କରି ଦେଇଥିବା ଆମ୍ବ ଗଛ । ଡାହାଣ: ହାତୀ ଆକ୍ରମଣରେ ନଷ୍ଟ ହୋଇଯାଇଥିବା ଫସଲର ଅଧିକ ଫଟୋ ଆନନ୍ଦ ଦେଖାଉଛନ୍ତି

ଆନନ୍ଦ ମୋତେ କହିଲେ ଯେ, ଏବେ ସେମାନେ କ୍ଵଚିତ  ହାତୀପଲଙ୍କୁ ଦେଖୁଛନ୍ତି । କେବଳ ଅଣ୍ଡିରା: ମୋଟ୍ଟୋଭାଲ, ମକନା ଓ ଗିରିଙ୍କୁ । ସେତେବେଳେ ଓ ଏବେ ହାତୀଙ୍କ ଉପଦ୍ରବର ଫଟୋ ସେ ମୋତେ ହ୍ଵାଟସଆପ୍‌ରେ ପଠାନ୍ତି । ସେଠାରେ ଭଙ୍ଗା ଆମ୍ବ ଗଛ ଡାଳ, ଦଳି ମକଚି ହୋଇଯାଇଥିବା କଦଳୀ ଗଛ, ପଦଦଳିତ ଫଳ ଏବଂ ହାତୀଙ୍କ ଗୋବର ଥାଏ । କଥା କହିବା ସମୟରେ ସେ ଶାନ୍ତ ଥାଆନ୍ତି, କେବେ ରାଗନ୍ତି ନାହିଁ ।

‘‘ଏପରି ହେବାର କାରଣ ହେଉଛି, ଯଦି ଅସନ୍ତୋଷ ସୃଷ୍ଟି ହେବ, ତାହା ସରକାର କିମ୍ବା ଜଙ୍ଗଲ ବିଭାଗ ବିରୋଧରେ ଯିବ’’, ସଞ୍ଜୀବ କୁହନ୍ତି । ‘‘ସେମାନେ ଜାଣନ୍ତି ଯେ କ୍ଷତିପୂରଣ ମିଳିବାରେ ଅତି ବିଳମ୍ବ ହୋଇଥାଏ କିମ୍ବା ଆଦୌ ମିଳିନଥାଏ, ତେଣୁ ସେମାନେ ଦାବି କରିବା ଛାଡ଼ି ଦେଇଛନ୍ତି । ଆଉ ତାହା ହିଁ ଏକ ସମସ୍ୟା, ଏଥିଯୋଗୁ ସମସ୍ୟାର ତୀବ୍ରତା ସମ୍ପର୍କରେ ତଥ୍ୟରୁ ଜଣାପଡ଼ିବ ନାହିଁ ।’’

ସଂଘର୍ଷ କମାଇବାର ଏକମାତ୍ର ମାର୍ଗ ହେଉଛି ହାତୀମାନଙ୍କୁ ଜଙ୍ଗଲ ଭିତରେ ରଖିବା । ପ୍ରାକୃତିକ ବାସସ୍ଥଳୀର ପୁନରୁଦ୍ଧାର ହୋଇପାରିଲେ ସମସ୍ୟାର ସମାଧାନ ହୋଇପାରିବ । ‘‘ଏଥିରେ ୮୦ ପ୍ରତିଶତ ସମସ୍ୟା ଦୂର ହେବ । ଲାଣ୍ଟାନାର ମୁକାବିଲା କରିବା ମଧ୍ୟ ଜରୁରି ।’’

ଏବେ ସୁଦ୍ଧା, ୨୫ କିଲୋମିଟର ଅଞ୍ଚଳ ବାଡ଼ ଘେରା ହେବା ପରେ – ଯାହାକି ହାତୀ-ମଣିଷ ସଂଘର୍ଷ ସୀମାର ୨୫ ପ୍ରତିଶତ – ସଂଘର୍ଷ ପ୍ରାୟ ୯୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । କାର୍ତ୍ତିକେୟନୀ କୁହନ୍ତି, ‘‘ମେଲାଗିରି ବାଡ଼ ଘେରା ହେବା ପରେ ହାତୀମାନେ ଦକ୍ଷିଣ ଦିଗକୁ ପଳାୟନ କରିଛନ୍ତି । ଏହା ଏକ ଭଲ କଥା, କାରଣ ସେଠାରେ ବିସ୍ତୃତ ଜଙ୍ଗଲ ରହିଛି, ଯାହାକି ସତ୍ୟମଙ୍ଗଲମ ଦେଇ ନୀଳଗିରି ପର୍ଯ୍ୟନ୍ତ ବ୍ୟାପିଛି । ଏହା ସେମାନଙ୍କ ପାଇଁ ଭଲ ।’’

ମେଲାଗିରିରେ ମୁଖ୍ୟତଃ ଭୌତିକ ବାଡ଼ ଦିଆଯାଇଛି । ‘‘ଏଥିରେ ସୌର ଶକ୍ତି ଚାଳିତ ବିଦ୍ୟୁତ ରହିଛି, ଏହା ଏକ ମାନସିକ ଅବରୋଧ ସୃଷ୍ଟି କରିଥାଏ, ଯାହାକି ହାତୀଙ୍କୁ କେବଳ ଅଳ୍ପ ବିଦ୍ୟୁତ ଆଘାତ ଦେବା ଏବଂ ସେମାନଙ୍କୁ ଭୟଭୀତ କରିବା ଲାଗି ଉଦ୍ଦିଷ୍ଟ। କିନ୍ତୁ ହାତୀମାନେ ବେଶ୍‌ ଚତୁର । ମହୁମାଛି ଛାତର ବାଡ଼, କିମ୍ବା ବାଘଙ୍କ ଗର୍ଜନ, କିମ୍ବା ଆଲାର୍ମ କଲ୍‌ କିଛି କାମ କରିନଥାଏ ।’’ ସଞ୍ଜୀବ କୁମାର କୁହନ୍ତି, ମୂଳତଃ, ଆପଣ ସବୁବେଳେ ସବୁ ହାତୀଙ୍କୁ ବୋକା ବନେଇ ପାରିବେ ନାହିଁ ।

କିନ୍ତୁ ହାତୀମାନେ ସବୁବେଳେ ଗୋଟିଏ ପାଦ ଆଗରେ ରହିଥିବା ଭଳି ପ୍ରତୀୟମାନ ହୋଇଥାଏ । ଯେମିତି ସେମାନେ ସବୁକିଛି ଆଗୁଆ ଠଉରାଇ ନେଇଥାନ୍ତି, ସେମାନଙ୍କୁ କିପରି ଭିତରେ ରଖିବାକୁ ହେବ ତାହା ସେମାନେ ହୁଏତ’ ଲୋକମାନଙ୍କୁ ଶିଖାଉଛନ୍ତି, ସେମାନେ କ୍ୟାମେରା ଟ୍ରାପ୍‌କୁ ମଧ୍ୟ ଭାଙ୍ଗିବା ଆରମ୍ଭ କରି ଦେଇଛନ୍ତି । ଏସବୁ କଥା ସଞ୍ଜୀବ କହୁଥିବା ସମୟରେ, ମୁଁ ମୋ ସ୍କ୍ରିନରେ ଥିବା ଫଟୋ ଦେଖୁଥିଲି : ଦୁଇଟି ହାତୀ ବାଡ଼ ପାଖରେ ଛିଡ଼ା ହୋଇଥିଲେ, କେମିତି ରଶି ଅତିକ୍ରମ କରି ରାଗି ନିକଟରେ ପହଞ୍ଚି ହେବ ସେଥିପାଇଁ ବୋଧହୁଏ ଯୋଜନା କରୁଥିଲେ....

ଏ କାହାଣୀ ପ୍ରସ୍ତୁତ କରିବା ଲାଗି ଖବର ସଂଗ୍ରହ କରୁଥିବା ସମୟରେ ସହାୟତା , ଆତିଥେୟ ଓ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ ଗୋପ କୁମାର ମେନନଙ୍କୁ ଲେଖିକା ଧନ୍ୟବାଦ ଜଣାଇଛନ୍ତି ।

ଗବେଷଣା ପାଣ୍ଠି କାର୍ଯ୍ୟକ୍ରମ ୨୦୨୦ର ଅଂଶବିଶେଷ ଭାବେ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଗବେଷଣା ଅଧ୍ୟୟନ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି ।

ପ୍ରଚ୍ଛଦ ଫଟୋ (ମୋଟ୍ଟେ ଭାଲ): ନିଶାନ୍ତ ଶ୍ରୀବାସୈୟା

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

अपर्णा कार्तिकेयन एक स्वतंत्र पत्रकार, लेखक, और पारी की सीनियर फ़ेलो हैं. उनकी नॉन-फिक्शन श्रेणी की किताब 'नाइन रुपीज़ एन आवर', तमिलनाडु में लुप्त होती आजीविकाओं का दस्तावेज़ है. उन्होंने बच्चों के लिए पांच किताबें लिखी हैं. अपर्णा, चेन्नई में परिवार और अपने कुत्तों के साथ रहती हैं.

की अन्य स्टोरी अपर्णा कार्तिकेयन
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE