ଡିସେମ୍ବର ୧୧ ପ୍ରାତଃକାଳରେ ସେମାନେ ଯେତେ6ବଳେ ସେମାନଙ୍କ ବିଦ୍ୟୁତ୍ କେବୁଲ୍ଗୁଡ଼ିକ ଅପସାରଣ କରୁଥିଲେ, ସେତେବେଳେ ସେଇ ପାଖରେ ଥିବା ଜଣେ ଦୋକାନୀ କାନ୍ଦିବାକୁ ଲାଗିଲେ । “ସେ କହିଲେ ଯେ ସେ ଆମକୁ ସବୁବେଳେ ଝୁରିହେବେ ଓ ଆମମାନଙ୍କ ବିନା ଏହି ସ୍ଥାନ ତାଙ୍କୁ ଖାଁ ଖାଁ ଲାଗିବ । ଆମକୁ ମଧ୍ୟ ବହୁତ କଷ୍ଟହେବ । ହେଲେ, ଚାଷୀମାନଙ୍କର ବିଜୟ ହେଉଛି ଏକ ବୃହତ୍ ଉତ୍ସବ ପରି,” ବୋଲି ଗୁର୍ୱିନ୍ଦର ସିଂ କହିଲେ ।
ସେତେବେଳକୁ ସମୟ ପ୍ରାୟ ପୂର୍ବାହ୍ନ ୮.୧୫ ହୋଇଥିଲା, ଯେତେବେଳେ ଗୁର୍ୱିନ୍ଦର ଓ ତାଙ୍କ ଗ୍ରାମର ଅନ୍ୟ ଚାଷୀମାନେ ନୂଆଦିଲ୍ଲୀର ଟିକ୍ରୀ ଆନ୍ଦୋଳନ ସ୍ଥଳିରେ ଥିବା ତାଙ୍କର ଅସ୍ଥାୟୀ ତମ୍ବୁଗୁଡିକୁ ଉଠାଇବାକୁ ଆରମ୍ଭ କଲେ । ବେଳେବେଳେ, ସେମାନେ ତମ୍ବୁର ଯୋଡଗୁଡ଼ିକୁ ଭାଙ୍ଗିବା ପାଇଁ କାଠ ଗଡ଼ ବ୍ୟବହାର କରୁଥିଲେ, ଆଉ କେତେବେଳେ ପୁଣି ଢାଞ୍ଚାର ଆଧାରକୁ ଭାଙ୍ଗିବା ପାଇଁ ଇଟା ବ୍ୟବହାର କରୁଥିଲେ । ୨୦ମିନିଟରେ ଏହା ଏହି ସବୁ କିଛି ଏକ ଗଦାରେ ପରିଣତ ହୋଇଗଲା ଓ ସେମାନେ ପକୋ ଡ଼ା ସହିତ ଚା’ ପିଇବା ପାଇଁ କିଛି ସମୟ ଅଟକି ଗଲେ ।
“ଆମେମାନେ ଆମ ନିଜ ହାତରେ ଏହି ଆଶ୍ରୟସ୍ଥଳଗୁଡ଼ିକ ନିର୍ମାଣ କରିଥିଲୁ ଓ ବର୍ତ୍ତମାନ ଏଗୁଡ଼ିକୁ ଆମ ନିଜ ହାତରେ ଅପସାରଣ କରୁଛୁ ମଧ୍ୟ,’’ ବୋଲି ୩୪-ବର୍ଷ ବୟସ୍କ ଗୁର୍ୱିନ୍ଦର କହିଲେ । ତାଙ୍କ ପରିବାର ପଞ୍ଜାବର ଲୁଧିଆନା ଜିଲ୍ଲାର ଦଙ୍ଗିଆନ୍ ଗ୍ରାମରେ ଛଅ ଏକର ଜମିରେ ଗହମ, ଧାନ ଓ ଆଳୁ ଚାଷ କରନ୍ତି । “ବିଜୟୀ ହୋଇ ଘରକୁ ଫେରୁଥିବାରୁ ଆମେ ଆନନ୍ଦିତ, ହେଲେ, ଏଠାରେ ରହଣି ସମୟରେ ଗଢ଼ି ଉଠିଥିବା ବିଭିନ୍ନ ସମ୍ପର୍କକୁ ଛାଡ଼ି ଯିବାର ଦୁଃଖ ମଧ୍ୟ ରହିଛି।’’
“ଆନ୍ଦୋଳନ ଆରମ୍ଭ ହେବାବେଳକୁ ଏଠାରେ କିଛି ମଧ୍ୟ ନଥିଲା । ଆମେମାନେ ରାସ୍ତା ଉପରେ ଶୋଉଥିଲୁ ଓ ତା’ପରେ ଆମେ ଏହି ଘର ନିର୍ମାଣ କଲୁ,” ବୋଲି ଦିଦାର ସିଂ କହିଲେ । ୩୫ ବର୍ଷ ବୟସ୍କ ଦିଦାର ଲୁଧିଆନା ଜିଲ୍ଲାର ସେହି ଗ୍ରାମରେ ବାସ କରନ୍ତି, ଯେଉଁଠାରେ ସେ ଗହମ, ଧାନ ଓ ସବୁଜ ପନିପରିବା ଆଦି ସାତ ଏକର ଚାଷଜମିରେ ଚାଷ କରନ୍ତି । “ଆମେ ଏଠାରେ ଅନେକ କଥା ଶିଖିଲୁ, ବିଶେଷକରି ଏଠାରେ ରହଣି ସମୟରେ ଆମମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ଭାତୃତ୍ୱ ଭାବ । ସବୁ ସରକାର ଆମେମାନେ ପରସ୍ପର ସହିତ ଲଢ଼େଇ କରିବାର ରାସ୍ତା ତିଆରି କରନ୍ତି । ହେଲେ, ଯେତେବେଳେ ଆମେ ସମସ୍ତେ – ପଞ୍ଜାବଠାରୁ ଆରମ୍ଭ କରି ହରିୟାଣା, ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ – ଏଠାରେ ଏକତ୍ରିତ ହେଲୁ, ସେତେବେଳେ ଯାଇ ଆମର ହୃଦ୍ବୋଧ ହେଲା ଯେ ଆମ ସସମ୍ତେ ଏକ ଅଟୁ ।
“ଆମ ପଞ୍ଜାବରେ ନିର୍ବାଚନ ହେବାକୁ ଯାଉଛି ଓ ଆମେ ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ମତଦାନ କରିବୁ,” ବୋଲି ଗୁର୍ୱିନ୍ଦର ଏସବୁ ସହିତ କହିଲେ । “ଆମେ ସମସ୍ତେ ସେହି ବ୍ୟକ୍ତିଙ୍କ ସପକ୍ଷରେ ମତଦାନ କରିବୁ ଯିଏ ଆମର ସହାୟତା କରିବ । ଆଉ, ଯେଉଁମାନେ ଆମ ସହିତ ବିଶ୍ୱାସଘାତକତା କରିବେ, ସେମାନଙ୍କୁ କ୍ଷମତାକୁ ଆସିବାକୁ ଦେବୁ ନାହିଁ,” ବୋଲି ଦିଦାର କହିଲେ ।
ଡିସେମ୍ବର ୯ରେ, ସରକାର ତିନୋଟି ବିବାଦୀୟ କୃଷି ଆଇନ ରଦ୍ଦ କରିବା ଓ ସେମାନଙ୍କ ଦାବି ମାନିବା ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା(SKM), ଯାହା ଆନ୍ଦୋଳନରେ ସାମିଲ ହୋଇଥିବା ୪୦ଟି ଚାଷୀ ୟୁନିୟନକୁ ନେଇ ଗଠିତ ହୋଇଛି, ଦିଲ୍ଲୀ ସୀମାରେ ଏକ ବର୍ଷ ଧରି ,ସେମାନେ ଚଲାଇଥିବା ଚାଷୀ ଆନ୍ଦୋଳନକୁ ଏଠାରେ ସ୍ଥଗିତ କରିବେ ବୋଲି ଘୋଷଣା କରିଥିଲେ।
ଅନ୍ୟାନ୍ୟ ଯେଉଁସବୁ ପ୍ରମୁଖ ପ୍ରସଙ୍ଗଗୁଡିକ ବାକି ରହିଯାଇଛି – ଯେପରିକି ଫସଲ ପାଇଁ ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି), ଚାଷୀ ଋଣ ଓ ଅନ୍ୟାନ୍ୟ ବିଷୟ ସମ୍ବନ୍ଧୀୟ ବିଷୟ – ଏଗୁ଼ଡ଼ିକ ଉପରେ ଏସ୍କେଏମ୍ କେନ୍ଦ୍ର ସହିତ କଥାବାର୍ତ୍ତା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ ।
“ଆମେମାନେ କେବଳ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛୁ, ଏହାକୁ ସମାପ୍ତ କରିନାହୁଁ । ଯେପରି ସୈନିକମାନେ ଛୁଟିରେ ଯାଆନ୍ତି, ,ସେହିପରି ଆମେ ଚାଷୀମାନେ ମଧ୍ୟ ଛୁଟିରେ ଯାଉଛୁ । ଯଦି ସରକାର ଆମକୁ ବାଧ୍ୟ କରନ୍ତି, ତାହାହେଲେ ଆମେମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ,” ବୋଲି ଦିଦାର କୁହନ୍ତି ।
“ଯଦି ଏହି ସରକାର ଆମକୁ ଅଡୁଆରେ ପକାଇବେ (ଏମ୍ଏସ୍ପି ଓ ଅନ୍ୟାନ୍ୟ ଅମୀମାଂସୀତ ଚାଷ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ନେଇ), ତାହାହେଲେ ଆମେମାନେ ଯେପରି ପ୍ରଥମ ଥର ଆସିଥିଲୁ, ଠିକ୍ ସେହି ଭାବେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବୁ,” ବୋଲି ଗୁର୍ୱିନ୍ଦର କୁହନ୍ତି ।
ଦଙ୍ଗିଆନ୍ ଗ୍ରାମର ଆନ୍ଦୋଳନକାରୀଙ୍କ ଦଳଠାରୁ କିଛି ମିଟର ଦୂରରେ ଥିବା ହରିୟାଣାର ଫତେବାଦ ଜିଲ୍ଲାର ଧାନିଭୋଜରାଜ ଗ୍ରାମର ସତ୍ବୀର ଗୋଦର ଓ ଅନ୍ୟମାନେ ଏବେଏବେ ଏକ ଛୋଟ ଟ୍ରକ୍ରେ ସେମାନଙ୍କ ବସତିର ଦୁଇଟି ପୋର୍ଟେବଲ୍ ଫ୍ୟାନ୍, ପାଣି ଡ୍ରମ୍. ଦୁଇଟି ଏୟାର୍ କୁଲର୍, ଟ୍ରାପ୍ଲିନ୍ ଓ ଲୁହାଛଡ଼ର ଲୋଡିଂ କାମ ସମ୍ପୂର୍ଣ୍ଣ କରିଛନ୍ତି ।
“ଆମେ ଆମ ଗ୍ରାମର ଅନ୍ୟଜଣେ ଚାଷୀଙ୍କଠାରୁ ଏହି ଟ୍ରକ୍କୁ ଆଣିଛୁ ଓ କେବଳ ଡିଜେଲ ବାବଦକୁ ପଇସା ଦେଇଛୁ,” ବୋଲି ୪୪ ବର୍ଷ ବୟସ୍କ ସତ୍ବୀର କୁହନ୍ତି । “ଏସବୁ ଜିନିଷଗୁଡ଼ିକର ଖଲାସି ଆମ ଜିଲ୍ଲାର ଧାନୀ ଗୋପାଳ ଛକରେ କରାଯିବ । ଯଦି ପୁଣିଥରେ ଏପରି ଏକ ସଂଘର୍ଷରେ ଆମକୁ ବସିବାକୁ ପଡ଼େ, ତାହାହେଲେ କ’ଣ ହେବ? ସେ ପରିସ୍ଥିତିରେ ଆମେ ଏଥିପାଇଁ ପ୍ରସ୍ତୁତ ରହିବୁ? ଆମର ସମସ୍ତ ଦାବି ପୂରଣ ହୋଇନାହିଁ । ଏଣୁ ଆମେ ଏହିସବୁ ଜିନିଷକୁ ଗୋଟିଏ ସ୍ଥାନରେ ଏକାଠି କରି ରଖିଛୁ । ସରକାରଙ୍କୁ କିଭଳି ଭାବେ ଉଚିତ ଶିକ୍ଷା ଦିଆଯାଇ ପାରିବ, ତାହା ଆମେ ବର୍ତ୍ତମାନ ଜାଣିପାରିଛୁ,’’ ସେ ସହିତ ସେଠାରେ ଉପସ୍ଥିତ ସମସ୍ତେ ଜୋର୍ରେ ହସିବାକୁ ଲାଗିଲେ ।
“ଆମେ ସରକାରଙ୍କୁ କିଛି ମହଲତ ଦେଇଛୁ । “ଯଦି ଆମକୁ ପୁଣି ଏମ୍ଏସ୍ପି ପାଇଁ ଲଢ଼େଇ କରିବାକୁ ପଡ଼ିବ, ତାହାହେଲେ ଆମମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ । ଆମେ କେବଳ ଆନ୍ଦୋଳନକୁ ସ୍ଥଗିତ ରଖିଛୁ ,” ବୋଲି ସତ୍ବୀର ଏହାସହିତ କହିଲେ। “ଆମ ପାଇଁ ଏହା ଏକ ଐତିହାସିକ ବର୍ଷ ଥିଲା । ଆମେ ପାଣି ମାଡ଼ ଓ ଲୁହ ଗ୍ୟାସ୍ର ସାମନା କଲୁ, ଆମକୁ ଅଟକାଇବା ପାଇଁ ଆମ ପଥରେ ବଡ଼ ବଡ଼ ପଥର ରଖାଗଲା ଓ ରାସ୍ତା ଭାଙ୍ଗିଦିଆଗଲା । ଆମେ ସେସବୁର ସାମନା କଲୁ ଓ ଟିକ୍ରିରେ ପହଞ୍ଚିଲୁ।’’
ଡିସେମ୍ବର ୧୧, ଶନିବାର ପୂର୍ବାହ୍ନ ୯ଟା ବେଳକୁ, ଅନେକ ଚାଷୀ ଟିକ୍ରି ସ୍ଥିତ ଆନ୍ଦୋଳନ ସ୍ଥଳ ଛାଡି ସାରିଥିଲେ । ଯେଉଁମାନେ ପ୍ୟାକିଂ ସାରି ପ୍ରସ୍ତୁତ ହୋଇଯାଇଥିଲେ ସେମାନେ ଯିବାକୁ ଆରମ୍ଭ କରିସାରିଥିଲେ । ପୁରୁଷମାନେ ଶେଯ, ଚାରପାଇ, ତାରପଲିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଗଦା ହୋଇଥିବା ଟ୍ରାକ୍ଟର ଟ୍ରଲି ଉପରେ ବସିଥିଲେ । ଅନ୍ୟ କେତେଜଣ ଟ୍ରକ୍ରେ ଯାଉଥିବାବେଳେ ଅନ୍ୟମାନେ କାର୍ ଓ ବୋଲେରୋ ଆଦିରେ ଯାଉଥିଲେ ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ସିଧାସଳଖ ୱେଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ୍ୱେରେ ଯିବାକୁ ଯାତ୍ରା ଆରମ୍ଭ କରିଥିଲେ, ଯେତେବେଳେକି ଅନ୍ୟମାନେ ଦିଲ୍ଲୀ – ରୋହତକ୍ ସଡ଼କ, ଯେଉଁଠାରେ ଭାରତୀୟ କିଷାନ ୟୁନିୟନ୍ (ବିକେୟୁ, ଏକତା ଉଗ୍ରହଣ) ରହିଆସୁଥିଲା, ସେଠାକୁ ଯିବାପାଇଁ ବାମ ପାଖକୁ ବୁଲୁଥିଲେ ।
ସେହି ସଡ଼କରେ, କଳ୍ପନା ଦସି, ଝାଡ଼ଖଣ୍ଡରୁ ପ୍ରବାସରେ ଆସିଥିବା ୩୦ ବର୍ଷ ବୟସ୍କ ମହିଳା, ଯିଏ ବାହାଦୂରଗଡରେ ବର୍ଜ୍ୟ ଉଠାଇବା କାମ କରୁଥିଲେ, ଆନ୍ଦୋଳନ ସ୍ଥଳରୁ ବର୍ଜ୍ୟ ସଂଗ୍ରହ କରିବାକୁ ତାଙ୍କର ୧୦ବର୍ଷ ବୟସ୍କ ପୁଅ ଆକାଶ ସହିତ ଆସିଥିଲେ । ସେ କହିଲେ ଯେ, ଯଦିଓ ସେ ଜାଣିଥିଲେ ଯେ ଆନ୍ଦୋଳନକାରୀ ଏହି ଚାଷୀମାନଙ୍କୁ ଦିନେ ନା ଦିନେ ସେମାଙ୍କ ଘରକୁ ଫେରିଯିବାକୁ ପଡ଼ିବ, ତଥାପି ସେ ଦୁଃଖି ଅଛନ୍ତି । “ଆମେ ଯେତେବେଳେ ଏଠାକୁ ବର୍ଜ୍ୟ ସଂଗ୍ରହ କରିବାକୁ ଆସୁଥିଲୁ, ସେମାନେ ଆମ ଭଳି ଲୋକମାନଙ୍କୁ ଦୁଇବେଳା ଖାଇବାକୁ ଦେଉଥିଲେ,’’ ବୋଲି ସେ କହିଲେ।
ଏହି ସଡ଼କରେ ଯାଉଥିବା (ରୋହତକ୍ ଆଡ଼କୁ ଅଗ୍ରସର ହେଉଥିବା) ଟ୍ରାକ୍ଟରଗୁଡ଼ିକ ପ୍ଲାଷ୍ଟିକ ଓ କାଗଜର ଫୁଲ.ଚକ୍ଚକ୍ ହେଉଥିବା ସ୍କାର୍ଫ, ରିବନ୍ ଓ ୟୁନିୟନ୍ ପତାକାରେ ସଜା ଯାଇଥିଲା । ଆମେ ଟ୍ରାକ୍ଟରଗୁଡ଼ିକୁ ସୁନ୍ଦର ଭାବେ ସଜାଇବା ପରେ ସେଗୁଡ଼ିକୁ ବାହାର କରିଛୁ ଓ ଆମେ ଏକ ଉତ୍ସବମୁଖର ବିବାହ ଶୋଭାଯାତ୍ରା ଭଳି ଯିବୁ,” ବୋଲି ପଞ୍ଜାବର ମୋଗା ଜିଲ୍ଲାର ଦଲ୍ ଗ୍ରାମର ୫୦ବର୍ଷ ବୟସ୍କ ସିରିନ୍ଦର କୌର କୁହନ୍ତି । ଗୋଟିଏ ଟ୍ରାକ୍ଟର-ଟ୍ରଲିରେ ତାଙ୍କ ପରିବାରର ଶେଯ, ଗଦି, ରୋଷେଇ ବାସନ ଓ ଅନ୍ୟାନ୍ୟ ଜିନିଷ ଲଦା ଯାଇଛି, ଅନ୍ୟ ଏକ ଟ୍ରଲିକୁ ପୁରୁଷମାନେ ଯାତ୍ରା କରିବାକୁ ବ୍ୟବହାର କରାଯାଉଥିବାବେଳେ ମହିଳାମାନେ ଏକ କ୍ୟାଣ୍ଟର ଟ୍ରକ୍ରେ ବସି ଯାଉଛନ୍ତି ।
“ଶତାଧିକ ଟ୍ରାକ୍ଟର ଆମ ଗ୍ରାମ ଠାରୁ ଦୁଇ-ତିନିଟି ଗ୍ରାମ ପୂର୍ବରୁ ପଡୁଥିବା ମୋଗାର ବୁତ୍ତରରେ ପହଞ୍ଚିବେ । ଆମ ସମସ୍ତଙ୍କୁ ଆମକୁ ସେଠାରେ ଫୁଲ ସହିତ ସ୍ୱାଗତ କରାଯିବ ଓ ତା’ପରେ ଶେଷରେ ଆମେ ଆମ ଗ୍ରାମରେ ପହଞ୍ଚିବୁ,” ବୋଲି ସିରିନ୍ଦର କହିଲେ । ଦଲା ଗ୍ରାମରେ ଥିବା ଚାରି ଏକର ଜମିରେ ତାଙ୍କ ପରିବାର ଧାନ, ଗହମ ଓ ଛୋଲାବୁଟ ଚାଷ କରନ୍ତି । ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରର ଜଣେ ସଦସ୍ୟ ଅଟନ୍ତି, ବୋଲି ସେ କହିଲେ । ଆଉ ବର୍ତ୍ତମାନ (ଡିସେମ୍ବର ୧୧ ପର୍ଯ୍ୟନ୍ତ), “ମୋର ଜଣେ ଦେଢଶୁର ଟିକ୍ରିରେ, ଜଣେ ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ମୋର ପରିବାର ଏଠାରେ (ବାହଦୂରଗଡର ରୋହତକ୍ ସଡକଠାରେ) ଅଛନ୍ତି । ଆମର ପରିବାର ହେଉଛି ଯୋଦ୍ଧାମାନଙ୍କ ପରିବାର, ଆଉ ଆମେମାନେ ଏହି ସଂଘର୍ଷରେ ମଧ୍ୟ ଜୟଲାଭ କଲୁ । ଆମର ଦାବି ପୂରଣ ହୋଇଛି, ବର୍ତ୍ତମାନ ଆମେ ଆମର ୟୁନିୟନ୍ର (ବିକେୟୁ ଏକତା ଉଗ୍ରହଣ) କହିବା ମୁତାବକ କାମ କରିବୁ ।
ପାଖରେ ଅନ୍ୟ ଏକ ଟ୍ରଲିରେ ଥିବା ପଞ୍ଜାବର ମୋଗା ଜିଲ୍ଲାର ବଦ୍ଧନି କଲାନ୍ ଗ୍ରାମର ୪୮ବର୍ଷ ବୟସ୍କ କିରଣପ୍ରୀତ୍ କୌର କ୍ଳାନ୍ତ ଦେଖାଯାଉଥିଲେ । “ଆମେ କେବଳ ଗୋଟିଏ ଘଣ୍ଟା ଶୋଇଛୁ । ଗତକାଲିଠାରୁ ଆମେ ପ୍ୟାକିଂ କାମରେ ଲାଗିଛୁ,” ବୋଲି ସେ କହିଲେ । “ସେଠାରେ ଏକ ବିଜୟ ଉତ୍ସବ ଚାଲିଥିଲା ଯାହା ପୂର୍ବାହ୍ନ ୩ଟା ଯାଏ ଚାଲିଥିଲା”।
ନିଜ ଗ୍ରାମରେ, ତାଙ୍କ ପରିବାରର ୧୫ ଏକର ଜମି ଅଛି, ଯେଉଁଠାରେ ସେମାନେ ଗହମ, ଧାନ, ମକା, ସୋରିଷ ଓ ଆଳୁ ଚାଷ କରିଥାନ୍ତି । ଏହା ସହିତ “ଶାନ୍ତିପୂର୍ଣ୍ଣ ଭାବେ କିଭଳି ଆନ୍ଦୋଳନ କରାଯାଇ ପାରିବ ଓ ଯେତେବେଳେ ସେମାନେ ସେମାନଙ୍କର ଅଧିକାର ପାଇଁ ଲଢନ୍ତି, ସେତେବେଳେ ସେମାନେ ଜୟ ଲାଭ କରିପାରିବେ, ବୋଲି ଅନେକ ଶିକ୍ଷାଲାଭ କଲେ”, ବୋଲି ମଧ୍ୟ ସେ କହିଲେ ।
ଛାଡିବା ପୂର୍ବରୁ, କିରଣପ୍ରୀତ କହିଲେ ଯେ, ସେ ଓ ଅନ୍ୟମାନେ ସଡ଼କର ସେହି ସମସ୍ତ ଅଞ୍ଚଳକୁ ପରିଷ୍କାର କଲେ, ଯାହା ସେମାନେ ରହିବା ପାଇଁ ଦଖଲ କରିଥିଲେ । “ମୁଁ ଏଠାର ଭୂମିକୁ ପ୍ରଣାମ କଲି। ଏହା ଆମକୁ ଆନ୍ଦୋଳନ କରିବାକୁ ସ୍ଥାନ ଦେଇଥିଲା । କେବଳ ସେହି ଭୂମି ଆପଣଙ୍କୁ ସୁଫଳ ଦେଇଥାଏ ଯାହାକୁ ଆପଣ ପୂଜା କରନ୍ତି”।
ବାହାଦୂରଗଡ଼ଠାରେ ବିକେୟୁର ମୁଖ୍ୟ ମଞ୍ଚ ପାଖରେ, ପରମଜିତ, ୟୁନିୟନ୍ ପାଇଁ ବଥିଣ୍ଡାର ଜିଲ୍ଲାସ୍ତରୀୟ ମହିଳା ନେତା, ସବୁକିଛି ଟ୍ରଲି ଭିତରେ ସଠିକ୍ ଭାବେ ଭର୍ତ୍ତି କରି ରଖିବାରେ ବ୍ୟସ୍ତ ଥିଲେ । ପରମଜିତ, ଯାହାର ବୟସ ପାଖାପାଖି ୬୦ ହେବ, ମଧ୍ୟ ରୋଡ୍ ଡିଭାଇଡର୍ ଯେଉଁଠାରେ ସେ ଆଳୁ, ଟମାଟ, ସୋରିଷ ଓ ସବୁଜ ପରିବା ଚାଷ କରିଥିଲେ, ସେହି ଭୂମି ଖଣ୍ଡକୁ ପରିଷ୍କାର କରିଦେଇଛନ୍ତି । ( ଦେଖନ୍ତୁ ଟିକ୍ରି ଚାଷୀ : ‘ଏହା ଆମର ଆଜୀବନ ମନେ ରହିବ’ ) “ମୁଁ ସେଗୁଡିକୁ କାଟି ଦେଲି (ଫସଲ) ଓ ସେଗୁଡ଼ିକୁ ଏଠାରେ ଥିବା ଶ୍ରମିକମାନଙ୍କୁ ଦେଇଦେଲି,” ବୋଲି ସେ କହିଲେ । “ଆମେ କେବଳ ଅଳ୍ପ କିଛି ଜିନିଷ ଆମ ସହିତ ଫେରାଇ ନେଇଯାଉଛୁ । ଆମେ କାଠ ଖଣ୍ଡଗୁଡ଼ିକ, ତାରପ୍ଲିନ୍ ଆଦି ଏଠାର ଗରିବମାନଙ୍କୁ ସେମାନଙ୍କର ଘର ନିର୍ମାଣ କରିବାକୁ ଦେଇଦେଲୁ ।
ଆଜି ରାତିରେ, ସେ କହିଲେ ଯେ, ଆମର ଟ୍ରଲି ରାସ୍ତାରେ କୌଣସି ଏକ ଗୁରୁଦ୍ୱାର ରେ ବିଶ୍ରାମ ପାଇଁ ରହିବ ଓ ଆସନ୍ତା କାଲି ସକାଳେ ପୁଣି ଯାତ୍ରା ଆରମ୍ଭ କରିବ । “ଆମର ଗ୍ରାମବାସୀମାନେ ଆମକୁ ସ୍ୱାଗତ କରିବେ। ଆମେ ଆମର ଜମିକୁ ବଞ୍ଚାଇବାରେ ସଫଳ ହୋଇଥିବାରୁ ଆମେ ବିଭିନ୍ନ ପ୍ରକାରେ ଉତ୍ସବ ପାଳନ କରିବୁ । ହେଲେ, ଆମର ସଂଘର୍ଷ ତଥାପି ସରିନାହିଁ । ଆମେ ଦୁଇଦିନ ବିଶ୍ରାମ ନେବୁ ଓ ତା’ପରେ ପୁଣି ଅନ୍ୟ ଦାବି ପୂରଣ ହେବା ପାଇଁ ପଞ୍ଜାବରୁ ଲଢ଼େଇ ଜାରି ରଖିବୁ’’।
ସେ ଏପରି କହୁଥିବାବେଳେ, ସେମାନଙ୍କର ଟ୍ରାକ୍ଟର-ଟ୍ରଲି, ଟ୍ରକ୍ ଓ ଅନ୍ୟ ଯାନରେ ସହଗମନ କରୁଥିବା ଆନ୍ଦୋଳନକାରୀ ଚାଷୀଙ୍କର ଏକ ଦଳ ସେମାନଙ୍କ ଘର ଆଡ଼କୁ ଅଗ୍ରସର ହେଉଥିଲେ । ଟ୍ରାଫିକ୍ର ସୁପରିଚାଳନା ପାଇଁ ହରିୟାଣା ପୋଲିସ୍ ମୁତୟନ କରାଯାଇଥିଲା । ଆନ୍ଦୋଳନ ସ୍ଥଳର ଆରମ୍ଭରେ, ଯାହା ପଞ୍ଜାବ କିଷାନ ମଞ୍ଚଠାରୁ ଅଳ୍ପ ଦୂରରେ ଥିଲା, ଏକ ଜେସିବି ମେସିନ୍ ଗତ ବର୍ଷ ଚାଷୀ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବାଠାରୁ ରୋକିବା ପାଇଁ ପକାଯାଇଥିବା ବଡ଼ ବଡ଼ ପଥର ଖଣ୍ଡଗୁଡ଼ିକୁ ଭାଙ୍ଗୁଥିଲା ।
ପୂର୍ବାହ୍ନ ୧୧ଟା ବେଳକୁ, ଟିକ୍ରି ପଡିଆ ପ୍ରାୟତଃ ପରିଷ୍କାର ହୋଇଯାଇଥିଲା, କେବଳ ଅଳ୍ପ କିଛି ଆନ୍ଦୋଳନକାରୀ ବାକି ଥିଲେ, ଯେଉଁମାନେ ଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ । ଆନ୍ଦୋଳନ ସ୍ଥଳ ଯାହା ଏକ ବର୍ଷ ପୂର୍ବେ ‘କିଷାନ ମଜ୍ଦୂର ଏକତା ଜିନ୍ଦାବାଦ’ ଉଚ୍ଚାରଣରେ ପ୍ରତିଧ୍ୱନିତ ହେଉଥିଲା, ତାହା ଆଜି ଶାନ୍ତ ହୋଇଯାଇଥିଲା । ଉତ୍ସବ ଓ ଉଚ୍ଚାରଣଗୁଡ଼ିକ ସେହି ସମସ୍ତ ଚାଷୀ ଗ୍ରାମଗୁଡ଼ିକରେ ପ୍ରତିଧ୍ୱନିତ ହୋଇ ଚାଲିଥିବ, ଯେଉଁଠାରେ ସେମାନେ ଲଢ଼େଇ ଜାରି ରଖିବାକୁ ଦୃଢ ନିଶ୍ଚୟ ହୋଇଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍