ମୁଁ ଜାମନଗର ଜିଲ୍ଲାର ଲାଲପୁର ତାଲୁକାର ସିଙ୍ଗଚା ଗ୍ରାମରୁ ଏକ ରାବାରୀ ପରିବାରରୁ ଆସିଛି। ଲେଖିବା ମୋ ପାଇଁ ନୂଆ, ଯାହା ମୁଁ କରୋନା ସମୟରେ ଆରମ୍ଭ କରିଥିଲି। ପଶୁପାଳକ ସମୂହ ସହ କାମ କରୁଥିବା ଏକ ଅଣସରକାରୀ ସଂଗଠନ ସହ ମୁଁ ଜଣେ ସମୂହ ସଂଗଠକ ଭାବରେ କାର୍ଯ୍ୟ କରେ। ଗୁଜରାଟିକୁ ମୁଖ୍ୟ ବିଷୟ ଭାବରେ ରଖି ମୁଁ କଳାରେ ସ୍ନାତକ ପାଠ୍ୟକ୍ରମର ଜଣେ ବାହ୍ୟ ଛାତ୍ର। ଗତ ୯ ମାସ ହେବ ମୋ ସମୂହର ଲୋକମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ମୋ ସମୂହରେ ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ସ୍ତର ଉଦ୍‌ବେଗଜନକ ଭାବରେ ନିମ୍ନ। ଆପଣ ଏଠାରେ ଖୁବ୍‌ କମ୍‌ ଶିକ୍ଷିତ ମହିଳା ପାଇପାରିବେ।

ମୂଳତଃ, ଆମେ ହେଉଛୁ ପଶୁପାଳକ ସମୂହ ଯେଉଁମାନେ ଚରଣ, ଭାରୱାର୍ଡ ଏବଂ ଅହିର୍‌ ସମୂହ ପରି ମେଷ ପାଳନରେ ନିୟୋଜିତ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଆମର ପାରମ୍ପରିକ ବୃତ୍ତିକୁ ତ୍ୟାଗ କରିଛନ୍ତି ଏବଂ ବଡ଼ ବଡ଼ କମ୍ପାନୀରେ କିମ୍ବା ଚାଷ ଜମିରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରୁଛନ୍ତି। କଳକାରଖାନାରେ ଏବଂ ଚାଷ ଜମିରେ ଶ୍ରମିକ ଭାବରେ କାମ କରୁଥିବା ମହିଳା ଅଛନ୍ତି। ଏହି ସମାଜ ଏସବୁ ମହିଳା ଏବଂ ସେମାନଙ୍କର କାମକୁ ସ୍ୱୀକାର କରୁଛି କିନ୍ତୁ ମୋ ପରି ଏକୁଟିଆ କାମ କରୁଥିବା ମହିଳାମାନଙ୍କ ପାଇଁ ସାମାଜିକ ସ୍ୱୀକୃତି ମିଳିବା କଷ୍ଟକର।

କବି ତାଙ୍କର ପଦ ଲେଖିବା ସମୟରେ ପ୍ରଛଦପଟରେ ଗୋଟିଏ ଦମ୍ପତ୍ତିଙ୍କ ମଧ୍ୟରେ ଏକ କାଳ୍ପନିକ ଆଳାପ:

ଭରତ : ଶୁଣ, ତୁମର କାମ, କିମ୍ବା କ୍ୟାରିଅର୍‌ ଗୋଟିଏ ଜିନିଷ, କିନ୍ତ ମୋ ବାପାମାଆ… ସେମାନେ ଯେମିତି ଭଲ ସେବା ପାଆନ୍ତି। ମୁଁ ଆଜି ଯେଉଁଠି ପହଞ୍ଚିଛି ସେଥିରେ ସାହାଯ୍ୟ କରିବା ପାଇଁ ସେମାନେ କେତେ କଷ୍ଟ କରିଛନ୍ତି ସେ ବିଷୟରେ ତୁମର କୌଣସି ଧାରଣା ନାହିଁ।

ଜସ୍ମିତା : ହଁ ଠିକ୍‌ କଥା, ମୁଁ କେମିତି ଜାଣିବି। ମୁଁ ଯେତେବେଳେ ତିଆରି ହୋଇଗଲି ଏବଂ ପ୍ରସ୍ତୁତ ହୋଇଗଲି ସେତେବେଳେ ମୋ ବାପାମାଆ ତ ମୋତେ କେଉଁଠୁ ଉଠାଇ ଆଣିଥିଲେ।

ଭରତ : ତୁମେ ମୋତେ କାହିଁକି ଉପହାସ କରୁଛ? ମୁଁ କେବଳ କହୁଛି ଉପାର୍ଜନ କରିବାକୁ ମୁଁ ଅଛି। ମୁଁ ଚାହୁଁଛି ତୁମେ ଘରର ଯତ୍ନ ନିଅ ଏବଂ ଏକ ଆରାମଦାୟକ ଜୀବନ କଟାଅ। ତୁମେ ଆଉ କ’ଣ ଚାହୁଁଛ?

ଜସ୍ମିତା : ନିଶ୍ଚୟ, ମୁଁ ଆଉ କ’ଣ ଚାହିଁପାରିବି। ମୁଁ ଗୋଟିଏ ନିର୍ଜୀବ ବସ୍ତୁ। ଗୋଟିଏ ବସ୍ତୁର ଆକାଂକ୍ଷା କେମିତି ଆସିବ? ମୁଁ ଘରେ କାମ କରିବି ଏବଂ ମଜା କରିବି, ମାସ ଶେଷରେ ତୁମ ଆଗରେ ହାତ ପତେଇବି ଓ ଟଙ୍କା ମାଗିବି ଏବଂ ଯଦି ତୁମେ ରାଗିଯାଅ ମୁଁ ତାହା ମଧ୍ୟ ସହିବି। କାରଣ ତୁମେ କାମ କରୁଥିବ ଏବଂ ମୁଁ କେବଳ ଘରେ ବସିଥିବି।

ଭରତ : ତୁମେ ପାଗଳ ନା କ’ଣ। ତୁମେ ଏହି ପରିବାରର ସମ୍ମାନ। ତୁମକୁ ବାହାରେ ପରିଶ୍ରମ କରିବାକୁ ଛାଡ଼ି ପାରିବିନି।

ଜସ୍ମିତା : ହଁ, ହଁ, ତୁମେ ଠିକ୍‌ କହୁଛ। ମୁଁ ଭୁଲି ଯାଇଥିଲି ଯେ ଯେଉଁ ମହିଳାମାନେ ବାହାରେ କାମ କରନ୍ତି ସେମାନେ ତୁମ ପାଇଁ ନିର୍ଲଜ, ଚରିତ୍ରହୀନା।

ଏହା ହେଉଛି ବାସ୍ତବତା। ସମସ୍ତେ ଆମକୁ ଆମର ଦାୟିତ୍ୱ ମନେପକାଇବାକୁ ପ୍ରସ୍ତୁତ। ସେ କ’ଣ କରିବା ଉଚିତ୍‌ ସେମାନେ ତାଙ୍କୁ କହିବାକୁ ଆଗ୍ରହୀ କିନ୍ତୁ କେହି ପଚାରନ୍ତି ନାହିଁ…

ଶୁଣନ୍ତୁ ଗୁଜୁରାଟି ଭାଷାରେ ଜିଗ୍ନା ରାବାରୀଙ୍କ ଆବୃତ୍ତି

ଶୁଣନ୍ତୁ ଇଂରାଜୀ ଭାଷାରେ ଅନୁଦିତ ଗୀତର ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ଆବୃତ୍ତି

ଅଧିକାରଗୁଡ଼ିକ

ମୋର ସେହି ଖାତା ହଜିଗଲା
ଯେଉଁଠି ମୁଁ ତାଲିକା କରିଥିଲି ମୋ ଅଧିକାରଗୁଡ଼ିକର।

ମୋ କର୍ତ୍ତବ୍ୟ ମୋ ଆଖି ଆଗରେ
ଖୋଲାଖୋଲି ବୁଲୁଛନ୍ତି।
ମୋ ଅଧିକାର ସବୁ ହଜିଯାଇଛନ୍ତି, ସେମାନଙ୍କୁ ଖୋଜି ଆଣ।

ମୁଁ ମୋ କର୍ତ୍ତବ୍ୟରେ ନିଷ୍ଠାପର
ମୋତେ ମୋର ଅଧିକାର ବି ଦାବି କରିବାକୁ ଦିଅ।
ତୁମେ ଏମିତି କରିବା ଉଚିତ୍‌। ତୁମେ ଏମିତି କର
ବେଳେ ବେଳେ ଏହାବି ପଚାର
ମୁଁ ଚାହେଁ କ’ଣ।

ତୁମେ ଏହା ପାରିବନି।
ଏହା ତୁମ ପାଇଁ ଉଚିତ୍‌ ନୁହେଁ।
ବେଳେ ବେଳେ ଏ କଥା ବି କୁହ
ତୁମେ ଯାହା ଚାହଁ କରିପାର।

ବୁଝିପାରିବାର ଶକ୍ତି ମୋର ଅସୀମ।
ସହନଶୀଳତା ମୋର ଅନନ୍ତ।
କିନ୍ତୁ ବେଳେ ବେଳେ ତୁମ ହାତ ପାପୁଲିରେ
ମୋର ସ୍ୱପ୍ନକୁ ଯତ୍ନରେ ତୋଳିନିଅ।

ଘରର ଏ ଚାରିକାନ୍ଥ
ତୁମଠାରୁ ଅଧିକ ପରିଚିତ ମୋ ପାଇଁ।
ବେଳେ ବେଳେ ମୋତେ
ଗାଢ଼ ନୀଳ ଆକାଶରେ, ଉଡ଼ିବାକୁ ଦିଅ।

କେଉଁ ଅନାଦି କାଳରୁ ନାରୀମାନେ ଶ୍ୱାସରୁଦ୍ଧ ହୋଇ ଆସୁଛନ୍ତି।
ମୋତେ ଟିକେ ଶାନ୍ତିରେ ନିଃଶ୍ୱାସ ନେବାକୁ ଦିଅ।

ନା, ପିନ୍ଧିବାରେ ସ୍ୱାଧୀନତା
ବା ମନ ଖୋଲି ବୁଲିବାକୁ ନୁହେଁ।
ତୁମେ ମଧ୍ୟ ପଚାରିବା ଉଚିତ୍
ମୁଁ ମୋ ଜୀବନରୁ କ’ଣ ଚାହେଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Jigna Rabari

जिगना रबारी, सहजीवन से जुड़ी एक सामुदायिक कार्यकर्ता हैं और गुजरात के द्वारका और जामनगर ज़िलों में और उसके आसपास के इलाक़ों में काम करती हैं. वह अपने समुदाय की उन चंद शिक्षित महिलाओं में से हैं जो ज़मीनी काम कर रही हैं और अनुभवों को क़लमबद्ध कर रही हैं.

की अन्य स्टोरी Jigna Rabari
Painting : Labani Jangi

लाबनी जंगी साल 2020 की पारी फ़ेलो हैं. वह पश्चिम बंगाल के नदिया ज़िले की एक कुशल पेंटर हैं, और उन्होंने इसकी कोई औपचारिक शिक्षा नहीं हासिल की है. लाबनी, कोलकाता के 'सेंटर फ़ॉर स्टडीज़ इन सोशल साइंसेज़' से मज़दूरों के पलायन के मुद्दे पर पीएचडी लिख रही हैं.

की अन्य स्टोरी Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE