ଏହା ପ୍ରଥମ ଦେଖାର ପ୍ରେମ ଥିଲା ଯେତେବେଳେ ଚିତ୍ରା ୨୦୧୬ ମସିହାରେ ଜଣେ ବନ୍ଧୁଙ୍କ ବିବାହରେ ମୁଥୁରାଜାଙ୍କୁ ଦେଖିଥିଲେ। ସେ ମଧ୍ୟ ପ୍ରେମରେ ପଡିଥିଲେ, କେବଳ ସେ ତାଙ୍କୁ ଦେଖି ପାରିନଥିଲେ - ସେ ଅନ୍ଧ ଥିଲେ। ତାଙ୍କ ପରିବାର ଏହି ଯୋଡ଼ିକୁ ବିରୋଧ କରିଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ସେ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ବିବାହ କରି ନିଜ ଜୀବନକୁ ନଷ୍ଟ କରୁଛନ୍ତି। ତାଙ୍କୁ ଉଭୟଙ୍କ ପାଇଁ ରୋଜଗାର କରିବାକୁ ପଡ଼ିବ ବୋଲି ସେମାନେ ଚେତାବନୀ ଦେଇ ତାଙ୍କୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରିଥିଲେ।
ବିବାହ ହେବାର ଏକ ମାସ ପରେ ଚିତ୍ରାଙ୍କ ପରିବାରର ଆକଳନ ଭୁଲ୍ ପ୍ରମାଣିତ ହୋଇଥିଲା। ମୁଥୁରାଜା ହିଁ ତାଙ୍କର ସମ୍ପୂର୍ଣ୍ଣ ସମୟ ଯତ୍ନ ନେଉଥିଲେ, କାରଣ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ସେବେଠାରୁ, ସେମାନଙ୍କ ଜୀବନରେ ବିଭିନ୍ନ ବାଧାବିଘ୍ନ ଦେଖାଦେଇଥିଲା, ସେମାନଙ୍କ ମଧ୍ୟରୁ ଅନେକ ନିଷ୍ଠୁର ଥିଲା। କିନ୍ତୁ ତାମିଲନାଡୁର ମଦୁରାଇ ଜିଲ୍ଲାର ସୋଲାନକୁରୁନି ଗ୍ରାମରେ ରହୁଥିବା ୨୫ ବର୍ଷୀୟା ଏମ୍. ଚିତ୍ରା ଏବଂ ୨୮ ବର୍ଷୀୟ ଡି. ମୁଥୁରାଜା ଜୀବନକୁ ସାହାସ ଓ ଆଶାର ସହିତ ସାମ୍ନା କରୁଛନ୍ତି। ଏହା ହେଉଛି ସେମାନଙ୍କର ପ୍ରେମ କାହାଣୀ।
*****
ଚିତ୍ରା ଯେତେଵେଳେ ୧୦ ବର୍ଷର ହୋଇଥିଲେ ତାଙ୍କ ପିତା ନିଜର ତିନି କନ୍ୟା ସନ୍ତାନ, ବିଚଳିତ ପତ୍ନୀ ବହୁତ ଋଣର ବୋଝ ସହିତ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ସାହୁକାରଙ୍କ ଦ୍ୱାରା ହଇରାଣ ହରକତ ହୋଇ ତାଙ୍କ ମା’ ନିଜ ପିଲାମାନଙ୍କୁ ସ୍କୁଲରୁ ବାହାର କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପଳାଇଥିଲେ, ଯେଉଁଠାରେ ସେମାନେ ସମସ୍ତେ ଏକ ସୂତା କଳ କମ୍ପାନୀରେ କାମ କରିବା ଆରମ୍ଭ କଲେ।
ଦୁଇ ବର୍ଷ ପରେ ସେମାନେ ମଦୁରାଇକୁ ଫେରିଗଲେ, ଏବଂ ଏଥର ସେମାନେ ଏକ ଆଖୁ କ୍ଷେତକୁ କାମ କରିବାକୁ ଗଲେ। ଚିତ୍ରା ୧୨ ବର୍ଷର ଥିଲା; ସେ ୧୦ ଧାଡ଼ି ଆଖୁ ସଫା କରି ଶୁଖାଯାଇଥିବା ଡାଳକୁ ଛଡ଼ାଇ ଏବଂ ଉଞ୍ଛି ୫୦ ଟଙ୍କା ରୋଜଗାର କରୁଥିଲା। ଏହା ଯନ୍ତ୍ରଣାଦାୟକ କାମ ଥିଲା, ଏହା ତାଙ୍କ ହାତକୁ ଚିରିଦେଉଥିଲା ଓ ପିଠିରେ ଆଘାତ ଦେଇଥିଲା। କିନ୍ତୁ ସେମାନେ ତାଙ୍କ ପିତାଙ୍କର କୌଣସି ଋଣ ପରିଶୋଧ କରିପାରି ନଥିଲେ। ତେଣୁ ଚିତ୍ରା ଏବଂ ତାଙ୍କ ବଡ଼ ଭଉଣୀକୁ ଏକ ସୂତା କାରଖାନାରେ କାମ କରିବାକୁ ପଠାଗଲା। ସେଠାରେ ସେ ଦୈନିକ ମଜୁରୀ ୩୦ ଟଙ୍କା ରୋଜଗାର କରିଥିଲେ। ଏବଂ ତିନି ବର୍ଷ ପରେ - ଏହି ସମୟ ମଧ୍ୟରେ ମଜୁରୀ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା - ସେ ଋଣ ପରିଶୋଧ କଲେ। ଚିତ୍ରା ଋଣ ରାଶି କିମ୍ବା ସୁଧ ହାରକୁ ମନେ ପକାଇ ନଥିଲେ। ଅଭିଜ୍ଞତା ଠାରୁ, ସେ ଜାଣନ୍ତି ଯେ ଏହାର ପରିମାଣ ବହୁତ ଅଧିକ ଥିଲା।
ଗୋଟିଏ ଋଣ ଶୁଝିବା ପରେ ହିଁ ଆଉ ଏକ ଋଣର ଆବଶ୍ୟକତା ପଡ଼ିଥିଲା-ତାଙ୍କ ବଡ ଭଉଣୀର ବିବାହ କାର୍ଯ୍ୟ କରାଇବାର ଥିଲା। ଚିତ୍ରା ଓ ତାଙ୍କର ସାନ ଭଉଣୀ ପୁଣି ଏଥର ଏକ ଟେକ୍ସଟାଇଲ୍ ମିଲରେ କାମ କରିବାକୁ ଯାଇଥିଲେ। ତାମିଲନାଡୁର ଘରୋଇ ଟେକ୍ସଟାଇଲ୍ ମିଲ୍ ଦ୍ୱାରା ଆରମ୍ଭ ହୋଇଥିବା ଏକ ବିବାଦୀୟ କାର୍ଯ୍ୟକ୍ରମ ସୁମଙ୍ଗଳି ଯୋଜନା ଅଧୀନରେ ସେମାନେ ନିୟୋଜିତ ହୋଇଥିଲେ ଯାହାକି ଝିଅମାନଙ୍କୁ ସେମାନଙ୍କ ବିବାହ ଖର୍ଚ୍ଚ ବହନ କରିବାରେ ସାହାଯ୍ୟ କରିଥାଏ। ଗରିବ ଏବଂ ଅସୁରକ୍ଷିତ ସମ୍ପ୍ରଦାୟର ଅବିବାହିତା ମହିଳାମାନଙ୍କୁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଉଥିଲା ଏବଂ ଚୁକ୍ତିନାମା ଶେଷ ହେବା ପରେ ସେମାନଙ୍କ ପରିବାରକୁ ଏକ ବଡ ରାଶି ପ୍ରଦାନ କରିବାର ପ୍ରତିଶୃତି ଦିଆଯାଇଥିଲା। କିଶୋରୀ ଅବସ୍ଥାରେ ଥିବା ଚିତ୍ର। ବର୍ଷକୁ ୧୮,୦୦୦ଟଙ୍କା ରୋଜଗାର କରୁଥିଲେ ଏବଂ ଋଣ ପରିଶୋଧ କରିବାକୁ କଠିନ ପରିଶ୍ରମ କରୁଥିଲେ। ସେ ୨୦୧୬ ମସିହା ପର୍ଯ୍ୟନ୍ତ ଘର ଚଳାଇଥିଲେ, ସେତେବେଳେ ସେ ୨୦ ବର୍ଷ ବୟସରେ ମୁଥୁରାଜାଙ୍କୁ ଭେଟିଥିଲେ।
*****
ଚିତ୍ରାଙ୍କୁ ଭେଟିବାର ତିନି ବର୍ଷ ପୂର୍ବରୁ ମୁଥୁରାଜା ତାଙ୍କ ଉଭୟ ଆଖିର ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇଥିଲେ। ତାଙ୍କ ମନରେ ସେହି ତାରିଖ ଏବଂ ସମୟ ଛାପି ହୋଇରହିଛି - ତାହା ୨୦୧୩ ମସିହା ଜାନୁଆରୀ ମାସ ୧୩ ତାରିଖ ସଂଧ୍ୟା ୭ ଘଟିକା, ପୋଙ୍ଗଲ୍ ପର୍ବର ପୂର୍ବ ରାତି ଥିଲା। ସେ ଯେତେବେଳେ ଅନୁଭବ କଲେ ଯେ ସେ ଆଉ କିଛି ଦେଖି ପାରିବେ ନାହିଁ ତାଙ୍କ ମନରେ ଆଶଂକା ବୃଦ୍ଧି ପାଇଥିଲା।
ପରବର୍ତ୍ତୀ କିଛି ବର୍ଷ ତାଙ୍କ ପାଇଁ ଭୟଙ୍କର ଥିଲା। ସେ ପ୍ରାୟତଃ ଘର ଭିତରେ ରହୁଥିଲେ - କ୍ରୋଧିତ, ବିଚଳିତ ଏବଂ ଅଶ୍ରୁଭରା ରହୁଥିଲେ - ଏବଂ ତାଙ୍କର ଆତ୍ମହତ୍ୟା କରିବାର ଚିନ୍ତାଧାରା ଆସୁଥିଲା। କିନ୍ତୁ ସେ ବର୍ତ୍ତି ଯାଇଥିଲେ। ଚିତ୍ରାଙ୍କୁ ଭେଟିବା ସମୟରେ ସେ ୨୩ ବର୍ଷର ହୋଇଥିଲେ ଏବଂ ଅନ୍ଧ ଥିଲେ ଏବଂ ସେ “ଏକ ମୃତଶରୀର ପରି ଅନୁଭବ କରିଥିଲେ”। ସେ କୋମଳ ସ୍ୱରରେ କୁହନ୍ତି ସେ ହିଁ କେବଳ ତାଙ୍କୁ ବଞ୍ଚିବାର ନୂତନ ଆଶା ଦେଖାଇଥିଲେ।
ସେ ଅନ୍ଧ ହେବା ପୂର୍ବରୁ ଅନେକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ମୁଥୁରାଜାଙ୍କ ଦୃଷ୍ଟିଶକ୍ତିକୁ ନଷ୍ଟ କରିଦେଇଥିଲା। ଯେତେବେଳେ ତାଙ୍କୁ ସାତ ବର୍ଷ ହୋଇଥିଲା, ସେ ଏବଂ ତାଙ୍କ ଭଉଣୀ ମଦୁରାଇରେ ଥିବା ସେମାନଙ୍କ ଚାଷ ଜମିରେ ଗୋଲାପ ଗଛ ଲଗାଉଥିଲେ, ଯେଉଁଠାରେ ସେମାନେ ବିକ୍ରୟ ପାଇଁ ଫୁଲ ଚାଷ କରୁଥିଲେ। ଏହା ଗୋଟିଏ ଭୁଲ୍ ଥିଲା - ତାଙ୍କ ଭଉଣୀ ତାଙ୍କ ହାତରୁ ସଠିକ୍ ଭାବରେ ଓପଡା ଯାଇଥିବା ଗଛକୁ ଧରିନଥିଲେ - ଏବଂ କାଣ୍ଡ ତାଙ୍କ ମୁହଁକୁ ଆଘାତ କଲା ଏବଂ କଣ୍ଟା ଆଖିରେ ବିନ୍ଧି ହୋଇଯାଇଥିଲା।
ଛଅ ଟି ଅସ୍ତ୍ରୋପଚାର ପରେ ତାଙ୍କ ବାମ ଆଖିରେ କିଛି ଦୃଷ୍ଟିଶକ୍ତି ମିଳିଥିଲା। ତାଙ୍କ ପରିବାର ସେମାନଙ୍କର ତିନି ସେଣ୍ଟ (୦.୦୩ ଏକର) ଜମି ବିକ୍ରି କରିଦେଇଥିଲେ ଓ ଋଣଗ୍ରସ୍ତ ହୋଇଯାଇଥିଲେ। କିଛି ଦିନ ପରେ, ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ତାଙ୍କର ଭଲ ଥିବା ଆଖିରେ ଆଘାତ ଲାଗିଥିଲା। ତା’ପରେ ମୁଥୁରାଜାଙ୍କ ପାଇଁ ବିଦ୍ୟାଳୟ ଏବଂ ଅଧ୍ୟୟନ କଷ୍ଟସାଧ୍ୟ ଥିଲା - ସେ ବ୍ଲାକବୋର୍ଡକୁ କିମ୍ବା ତା ଉପରେ ଲେଖା ଯାଇଥିବା ଧଳା ଅକ୍ଷରଗୁଡିକୁ ଭଲ ଭାବରେ ଦେଖିପାରୁନଥିଲେ। କିନ୍ତୁ ସେ କୌଣସି ପ୍ରକାରେ ତାଙ୍କ ଶିକ୍ଷକଙ୍କ ସାହାଯ୍ୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ।
୨୦୧୩ ମସିହା ଜାନୁଆରୀ ମାସର ସେହି ଦିନ ମୁଥୁରାଜାଙ୍କ ଦୁନିଆ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଇଥିଲା ଯେତେବେଳେ ତାଙ୍କ ଘର ସାମ୍ନା ରାସ୍ତାରେ ଥିବା ଏକ ଲୁହା ରଡରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା। ସେ ଚିତ୍ରାଙ୍କୁ ଭେଟିବା ପରେ ହିଁ ତାଙ୍କ ଜୀବନକୁ ଆଲୋକ - ଏବଂ ପ୍ରେମ ଫେରିଥିଲା।
*****
ସେମାନଙ୍କର ବିବାହର ଏକ ମାସ ପରେ, ୨୦୧୭ ମସିହାରେ, ଚିତ୍ରା ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ। ସେମାନେ ସ୍ଥାନୀୟ ଅଞ୍ଚଳର ମଦୁରାଇର ଆନ୍ନା ନାଗର ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ଅନେକ ପରୀକ୍ଷା ପରେ ସେମାନେ ଜାଣିବାକୁ ପାଇଲେ ଯେ ଚିତ୍ରାଙ୍କ ହୃଦୟ ଦୁର୍ବଳ ଅଟେ। ଡାକ୍ତରମାନେ କହିଲେ ତାଙ୍କୁ ଏପର୍ଯ୍ୟନ୍ତ ବଞ୍ଚିଥିବା ଦେଖି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ। (ଚିତ୍ରା ତାଙ୍କ ସମସ୍ୟା ବିଷୟରେ କହିପାରିବେ ନାହିଁ - ତାଙ୍କର ଫାଇଲଗୁଡ଼ିକ ହସ୍ପିଟାଲରେ ଅଛି।) ତାଙ୍କ ପରିବାର - ଯାହାଙ୍କ ପାଇଁ ସେ ସାରା ଜୀବନ ପରିଶ୍ରମ କରିଥିଲେ - ସାହାଯ୍ୟ କରିବାକୁ ମନା କରିଦେଲେ।
ମୁଥୁରାଜା ତାଙ୍କର ଚିକିତ୍ସା ପାଇଁ ଅତ୍ୟଧିକ ସୁଧରେ ୩୦,୦୦୦ ଟଙ୍କା ଋଣ ଆଣିଥିଲେ। ତାଙ୍କର ଏକ ଓପନ ହାର୍ଟ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତିନି ମାସ ହସ୍ପିଟାଲରେ ରହିଥିଲେ। ଯେତେବେଳେ ସେ ଘରକୁ ଫେରିଲେ ସେ ଭଲ ଥିଲେ, କିନ୍ତୁ ପରେ ମୁଥୁରାଜାଙ୍କୁ କାନ ଅସ୍ତ୍ରୋପଚାର କରିବାର ଆବଶ୍ୟକ ପଡ଼ିଥିଲା। ହତାଶ ହୋଇ ସେମାନେ ନିଜ ଜୀବନକୁ ଶେଷ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଏକ ନୂତନ ଜୀବନ ସେମାନଙ୍କୁ ଅଟକାଇଲା - ଚିତ୍ରା ଗର୍ଭବତୀ ହେଲେ। ଚିତ୍ରାଙ୍କ ହୃଦୟ ଏହି ଭାର ନେଇପାରିବ କି ନାହିଁ ଭାବି ମୁଥୁରାଜା ଚିନ୍ତିତ ଥିଲେ କିନ୍ତୁ ଏହି ପିଲାକୁ ଜନ୍ମ ଦେବାକୁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ। ଅନେକ ଉତ୍କଣ୍ଠିତ ମାସ ଏବଂ ପ୍ରାର୍ଥନା ପରେ ସେମାନଙ୍କର ପୁଅ ଜନ୍ମ ହେଲା। ବର୍ତ୍ତମାନ ଚାରି ବର୍ଷ ବୟସର, ବିଶନ୍ଥ ରାଜା ହେଉଛି ସେମାନଙ୍କର ଆଶାଭରସା, ସେମାନଙ୍କର ଭବିଷ୍ୟତ ଏବଂ ଆନନ୍ଦ।
*****
ଦମ୍ପତିଙ୍କ ପାଇଁ ଦୈନନ୍ଦିନ ଜୀବନ କଷ୍ଟକର ହୋଇପଡୁଛି। ଚିତ୍ରା ନିଜର ଅବସ୍ଥା ହେତୁ କିଛି ଭାରୀ ଜିନିଷ ଉଠାଇ ପାରିବେ ନାହିଁ। ମୁଥୁରାଜା ନିଜର ଏକ ହାତ ଚିତ୍ରାଙ୍କ କାନ୍ଧରେ ରଖି ଦୁଇ ଗଳିରାସ୍ତା ପରେ ଥିବା ଏକ ପମ୍ପରୁ ପାଣି ପାତ୍ରରେ ଭର୍ତ୍ତି କରି ସେମାନେ ଆଣିଥାନ୍ତି। ସେ ତାଙ୍କର ମାର୍ଗଦର୍ଶକ, ତାଙ୍କର ଆଖି। ଚିତ୍ରା ନିକଟସ୍ଥ କ୍ଷେତ ଏବଂ ଜଙ୍ଗଲ କ୍ଷେତ୍ରରୁ ନିମ୍ବ ଫଳ ସଂଗ୍ରହ କରନ୍ତି ତା’ପରେ ସେଗୁଡ଼ିକୁ ଶୁଖାଇ କେଜି ପିଛା ୩୦ ଟଙ୍କାରେ ବିକ୍ରି କରନ୍ତି। ଅନ୍ୟ ସମୟରେ, ସେ ମଞ୍ଜନାଥୀ କାଇ (ଭାରତୀୟ ଜାମୁକୋଳି) କୁ କିଲୋ ପିଛା ୬୦ଟଙ୍କାରେ ବିକ୍ରି କରିଥାନ୍ତି। ସେ ଏକ ଫାର୍ମରେ ଏକ କିଲୋ କିମ୍ବା ଦୁଇ କିଲୋ ମଲ୍ଲି ଫୁଲ ତୋଳି୨୫-୫୦ ଟଙ୍କା ଦୈନିକ ରୋଜଗାର କରିଥାନ୍ତି।
ଚିତ୍ରାଙ୍କ ଆୟ ଦିନକୁ ହାରାହାରି ୧୦୦ ଟଙ୍କା। ଯାହା ସେମାନଙ୍କ ଦୈନଦିନ ଖର୍ଚ୍ଚ ବହନ କରିଥାଏ। ତାମିଲନାଡୁ ସରକାରଙ୍କ ଭିନ୍ନକ୍ଷମ ଭତ୍ତା ଯୋଜନା ମାଧ୍ୟମରେ ମୁଥୁରାଜା ପ୍ରତି ମାସରେ ପାଉଥିବା ୧୦୦୦ ଟଙ୍କାରେ ସେମାନେ ତାଙ୍କର ଔଷଧ କିଣିଥାନ୍ତି। ଚିତ୍ରା କୁହନ୍ତି, "ମୋ ଜୀବନ ଏହି ଔଷଧ ପାଇଁ ଚାଲିଥାଏ। ଯଦି ମୁଁ ସେଗୁଡ଼ିକୁ ନ ଖାଇବି, ମୁଁ ଯନ୍ତ୍ରଣା ଅନୁଭବ କରିଥାଏ"।
କୋଭିଡ୍ -୧୯ ତାଲାବନ୍ଦ ଫଳ ସଂଗ୍ରହ କରି ରୋଜଗାର କରିବାର ସୁଯୋଗ ଛଡ଼ାଇ ନେଇଥିଲା। ଆୟ ହ୍ରାସ ପାଇବାରୁ ଚିତ୍ରା ଔଷଧ ଖାଇବା ବନ୍ଦ କରିଦେଇଥିଲେ। ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି - ସେ ନିଶ୍ୱାସ ନେବା ଏବଂ ଚାଲିବାରେ ଅସୁବିଧା ଅନୁଭବ କରୁଛନ୍ତି। ସେ ଚା ’ପାଇଁ କ୍ଷୀର କିଣି ପାରୁନାହାନ୍ତି - ତେଣୁ ତାଙ୍କ ପୁଅ କେବଳ କଳା ଚା’ ପିଉଛି। ବିଶାନ୍ଥ କୁହନ୍ତି,"କିନ୍ତୁ ମୁଁ ଏହାକୁ ପସନ୍ଦ କରେ" ଯେପରି ସେ ତାଙ୍କ ପିତାମାତା, ସେମାନଙ୍କ ଜୀବନ, ସେମାନଙ୍କର କ୍ଷତି - ଏବଂ ସେମାନଙ୍କ ପ୍ରେମକୁ ବୁଝନ୍ତି।
ଏହି କାହାଣୀର ପାଠ ସାମ୍ବାଦିକଙ୍କ ସହଯୋଗରେ ଅପର୍ଣ୍ଣା କାର୍ତ୍ତିକେୟନ୍ ଲେଖିଛନ୍ତି
ଅନୁବାଦ: ଓଡ଼ିଶାଲାଇଭ୍