PHOTO • P. Sainath & Ananya Mukherjee

ଗ୍ରାମୀଣ ଭାରତର ମହିଳାମାନେ ସେମାନେ ଜାଗ୍ରତ ଥିବା ଜୀବନର ଏକ ତୃତୀୟାଂଶ ପାଣି , ଜାଳେଣି କାଠ ଏବଂ ପଶୁ ଖାଦ୍ୟ ସଂଗ୍ରହ କରିବାରେ କଟାଇଥାଆନ୍ତି

ସେ ସୁନ୍ଦର ଭାବରେ ଏବଂ ସିଧା ହୋଇ ତିନୋଟି ପଥର ଖଣ୍ଡର ଅସମାନ ପୃଷ୍ଠ ଏବଂ କାଠ ଖଣ୍ଡ ଉପରେ ଛିଡ଼ା ହୋଇଥିଲେ । ଏହି ପଥରଗୁଡ଼ିକର ଆକାର ଭିନ୍ନ ଥିଲା, ଆକୃତି ଅସମାନ ଥିଲା । କାଠ ଖଣ୍ଡକ ତାଙ୍କୁ ଏକ ସମତଳ ପୃଷ୍ଠ ଦେଇଥିଲା । ସେ ମହାରାଷ୍ଟ୍ରର ଜବତମାଲ ଜିଲ୍ଲାର ଏକ ଗ୍ରାମୀଣ ପରିବାରରୁ ଆସିଥିଲେ ଏବଂ ଟ୍ୟାଙ୍କିରୁ ଆସିଥିବା ଏକ ପାଇପ୍‌ରେ ଲିକ୍‌ ହୋଇଯାଉଥିବା ପାଇପ୍‌ରୁ ଯେତେ ଅଧିକ ସମ୍ଭବ ନେବାକୁ ଚେଷ୍ଟା କରୁଥିଲେ । ଆଶ୍ଚର୍ଯ୍ୟଜନକ ଧୈର୍ଯ୍ୟ ଏବଂ ସନ୍ତୁଳନ ସହିତ ସେ ଗୋଟିଏ ହାଣ୍ଡିକୁ ତାଙ୍କ ମୁଣ୍ଡରେ ଥୋଇଲେ । ଏହାକୁ ଭରିବାକୁ ଦେଲେ ଏବଂ ଏହା ପରେ ଚଟାଣରେ ଥିବା ଏକ ବଡ଼ ହାଣ୍ଡିରେ ପାଣି ଢ଼ାଳିଲେ । ଯେତେବେଳେ ଉଭୟ ଭର୍ତ୍ତି ହୋଇଯିବ ସେ ଘରକୁ ଫେରିବା ଆରମ୍ଭ କରିବେ ଏବଂ ପାଣିକୁ ସାଇତି ରଖିବେ ଓ ଅଧିକ ପାଇଁ ପୁଣି ଫେରିବେ । ପ୍ରତ୍ୟେକ ଥର ସେ ୧୫-୨୦ ଲିଟର ଏବଂ ଦୁଇଟି ଧାତବ ପାତ୍ର ଧରି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଚାଲିବେ ।

ସେହି ରାଜ୍ୟର ଅମରାବତୀ ଜିଲ୍ଲାରେ ଶାରଦା ବଦ୍ରେ ଏବଂ ତାଙ୍କ ଝିଅମାନେ ସେମାନଙ୍କ ଘର ନିକଟରେ ଥିବା କମଳା ଗଛଗୁଡ଼ିକରେ ପାଣି ଦେବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଛନ୍ତି । ସେମାନଙ୍କ ଜଳ ଉତ୍ସ ମାତ୍ର ୩୦୦ ମିଟର ଦୂରରେ । ଗ୍ରାମୀଣ ଭାବରେ ଦେଖିବାକୁ ଗଲେ ଖୁବ୍‌ ପାଖରେ । ସେମାନେ ଦର୍ଶାନ୍ତି, ‘‘କିନ୍ତୁ ଏହି ଗଛଗୁଡ଼ିକ ୨୧୪ ବଡ଼ ହାଣ୍ଡି ପାଣି ଦରକାର କରନ୍ତି ।’’ ଅର୍ଥାତ୍‌ ଯିବା ଆସିବା ୪୨୮ ଥର, ଅଧା ଥର ସେମାନଙ୍କ ମୁଣ୍ଡରେ ଗୋଟିଏ ପୂର୍ଣ୍ଣ ପାଣି ହାଣ୍ଡି ସହିତ କିମ୍ବା ତିନି ଜଣ ଯାକ ମହିଳାଙ୍କ ପାଇଁ ଛୋଟ ଛୋଟ ଥରରେ ୪୦ କିମିରୁ ଅଧିକ । ସେମାନେ ‘‘ଅଧା ଗଛ ସୋମବାର ଏବଂ ଅଧା ଗଛ ଗୁରୁବାରରେ ପୂରଣ କରନ୍ତି ।’’ ଏହା ଏପ୍ରିଲ୍‌ – ମେ’ ମାସରେ ୪୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ (୧୧୩ ଡିଗ୍ରୀ ଫାରେନ୍‌ହିଟ୍)ରେ ପହଞ୍ଚୁଥିବା ତାପମାତ୍ରାରେ ଅନ୍ୟ ଦିନମାନଙ୍କରେ ଜମିରେ କାମ କରିବା ସହିତ ।

ଏବଂ ଏହା ଅଳ୍ପ କିଛି ଦିନ ପୂର୍ବରୁ ଥିଲା । ଯେତେବେଳେ ପୁରୁଣା ଉତ୍ସଗୁଡ଼ିକ ଶୁଖିଯାଏ ଏବଂ ଯେତେବେଳେ ଜଳର ଅଧିକ ଭାଗ ଶିଳ୍ପ ଏବଂ ସହରକୁ ଚାଲିଯାଏ – ଯେତେବେଳେ ଗ୍ରାମୀଣ ଜଳ ବିପର୍ଯ୍ୟୟ ଉତ୍କଟ ହୁଏ – ଭାରତର ଗ୍ରାମାଞ୍ଚଳରେ ନିୟୁତ ନିୟୁତ ଅନ୍ୟ ମହିଳାଙ୍କ ପରି ବଦ୍ରେ ଏବଂ ତାଙ୍କ ଝିଅମାନଙ୍କୁ ଅଧିକ ଦୂରତା ଚାଲିବାକୁ ଆବଶ୍ୟକ ହୋଇଥାଏ । ଗରିବ ଗ୍ରାମୀଣ ମହିଳାମାନେ ଏହା ସବୁ ସମୟରେ କରନ୍ତି – ଏବଂ ଏହା ପୃଥିବୀର ପ୍ରତ୍ୟେକ ଭାଗରେ ।

PHOTO • P. Sainath & Ananya Mukherjee

ଗ୍ରାମୀଣ ଭାରତର ଅନେକ ମହିଳା ସେମାନଙ୍କ ଜାଗ୍ରତ ଜୀବନର ଏକ ତୃତୀୟାଂଶ ସମୟ ତିନୋଟି କାମରେ ବ୍ୟୟ କରନ୍ତି: ପାଣି ସଂଗ୍ରହ କରିବା, ଜାଳେଣି ସଂଗ୍ରହ କରିବା ଏବଂ ପଶୁଖାଦ୍ୟ ଏକାଠି କରିବା । କିନ୍ତୁ ସେମାନେ ଏହାଠାରୁ ଆହୁରି ଅଧିକ କରନ୍ତି । ଏବଂ ନିୟୁତ ନିୟୁତ ଗ୍ରାମୀଣ ପରିବାରର ଅର୍ଥନୀତି ମୁଖ୍ୟତଃ ସେମାନଙ୍କ ପରିଶ୍ରମ ଉପରେ ନିର୍ଭର କରେ ।

କେରଳର ଦୂରନ୍ତ ଅଞ୍ଚଳ ଏଦାମାଲାକୁଡ଼ିରେ ଅଳ୍ପ କେଇ ମାସ ପୂର୍ବରୁ ୬୦ ଜଣ ମହିଳା ସେମାନଙ୍କ ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ଆଣିବା ପାଇଁ ଶହେରୁ ଅଧିକ ସୋଲାର ପ୍ୟାନେଲ୍‌ ପରିବହନ କରିବା ନିମନ୍ତେ ଦଳବଦ୍ଧ ହୋଇଥିଲେ । ଏହାର ଅର୍ଥ ହେଉଛି ମୁନାର ସହର ନିକଟସ୍ଥ ପେଟିମୁଦିଠାରୁ ସେମାନଙ୍କ ମୁଣ୍ଡରେ ସେହି ପ୍ୟାନେଲ୍‌ଗୁଡ଼ିକ ଲଦି ବୋହିଆଣିବା, ଅଠର କିଲୋମିଟର ପାହାଡ଼, ଜଙ୍ଗଲ ଏବଂ ବଣୁଆ ହାତୀ ଅଞ୍ଚଳ ଦେଇ । ଏହି ମହିଳାମାନେ ହିଁ ସେମାନଙ୍କ ନିର୍ବାଚିତ ଗ୍ରାମ ପରିଷଦକୁ ବୁଝାଇଥିଲେ ଯେ ସୌର ଶକ୍ତି ହେଉଛି ଆଗକୁ ବଢ଼ିବାର ରାସ୍ତା , ଏମାନଙ୍କ ମଧ୍ୟରୁ ଅନେକ ନିରକ୍ଷର, ସମସ୍ତେ ଆଦିବାସୀ (ଅନ୍ୟ ଯେ କୌଣସି ସ୍ଥାନରେ ଆଦିମ ଅଧିବାସୀ କୁହାଯାଉଥିବା) ।

ସେହି ପ୍ୟାନେଲ୍‌ଗୁଡ଼ିକ ମଧ୍ୟରୁ ପ୍ରତ୍ୟେକର ଓଜନ ୯ କେଜି ପର୍ଯ୍ୟନ୍ତ ଥିଲା ଏବଂ ଅନେକ ମହିଳା ଦୁଇଟି ଲେଖାଏଁ ବୋହିଥିଲେ । ୪୦ କେଜିରୁ ସାମାନ୍ୟ ଅଧିକ ଓଜନ ଥିବା ଏହି ସାଧାରଣ ଗଠନର ଆଦିବାସୀ ମହିଳାମାନଙ୍କ ମଧ୍ୟରୁ କେଇ ଜଣଙ୍କ ପାଇଁ, ଦୁଇଟି ପ୍ୟାନେଲ୍‌ ସେମାନଙ୍କ ଶରୀର ଓଜନର ପାଖାପାଖି ଅଧା ଥିଲା ।

ମହିଳାମାନେ ମଧ୍ୟ ଏହି ଗତ ଦୁଇ ଦଶକର ଗ୍ରାମୀଣ ଭାରତର ଉଗ୍ର, ପ୍ରାୟତଃ ନିଷ୍ଠୁର ପରିବର୍ତ୍ତନର ଚାପ ବହନ କରିଆସିଛନ୍ତି । ଯେହେତୁ ନିୟୁତ ନିୟୁତ ଗ୍ରାମାଞ୍ଚଳରୁ କିମ୍ବା କୃଷିରୁ ସ୍ଥାନାନ୍ତରିତ ହୋଇଛନ୍ତି, ସେମାନଙ୍କର କାର୍ଯ୍ୟ ଭାର ବୃଦ୍ଧି ପାଇଛି (ଉଭୟ ଲିଙ୍ଗ ସ୍ଥାନାନ୍ତର ଗମନ କରିଛନ୍ତି କିନ୍ତୁ ପୁରୁଷ ଅଧିକ ସଂଖ୍ୟାରେ)। ମହିଳାମାନେ କେବଳ ଗୋ ପାଳନ ଏବଂ କୁକୁଡ଼ା ପାଳନର ପାରମ୍ପରିକ ଭୂମିକା ସହ ତାଳ ମିଳାଇବାକୁ ବାଧ୍ୟ ହେଉନାହାନ୍ତି, ବରଂ ଏଥିସହିତ ଫସଲ ଚାଷରେ ମଧ୍ୟ ଅନେକ କିଛି କରୁଛନ୍ତି । ଏହି ବିଶାଳ ନୂତନ ଚାପଗୁଡ଼ିକ ସେମାନଙ୍କୁ ପଶୁ ପାଳନ ପାଇଁ କମ୍‌ ସମୟ ଦେଉଛି ।

୧୯୯୦ ଦଶକ ସୁଦ୍ଧା ମଧ୍ୟ କୃଷିରେ ବିହନ ବୁଣିବାରେ ମହିଳାମାନଙ୍କର ଅଂଶଦାନ ୭୬ ପ୍ରତିଶତ ଥିଲା ଏବଂ ଧାନ ରୋଇବାରେ ୯୦ ପ୍ରତିଶତ ଥିଲା । ଜମିରୁ ଘରକୁ ଫସଲ ବୋହି ଆଣିବାରେ ସେମାନଙ୍କର ଯୋଗଦାନ ୮୨ ପ୍ରତିଶତ ଥିଲା, ୩୨ ପ୍ରତିଶତ ଶ୍ରମିକ ଚାଷ ପାଇଁ ଜମି ପ୍ରସ୍ତୁତ କରୁଥିଲେ ଏବଂ ୬୯ ପ୍ରତିଶତ ଗୋପାଳନ କରୁଥିଲେ । ସେମାନଙ୍କର କାର୍ଯ୍ୟ ଭାର ବର୍ତ୍ତମାନ ସେହି ସ୍ତରଠାରୁ ମଧ୍ୟ ଉପରକୁ ଚାଲିଯାଇଛି ।

PHOTO • P. Sainath & Ananya Mukherjee

ଜର୍ଜ ମନବିଅଟଙ୍କ କହିବା ଅନୁଯାୟୀ : ‘‘ଯଦି ଧନ କଠିନ ପରିଶ୍ରମ ଏବଂ ଉଦ୍ୟମର ଅନିବାର୍ଯ୍ୟ ପରିଣାମ ହୋଇଥାଆନ୍ତା, ଆଫ୍ରିକାର ପ୍ରତ୍ୟେକ ମହିଳା ଜଣେ ଜଣେ କୋଟିପତି ହୋଇଥାଆନ୍ତେ ।’’ ଏହି ଉକ୍ତି ପ୍ରତ୍ୟେକ ସ୍ଥାନର ଗରିବ ଗ୍ରାମୀଣ ମହିଳାଙ୍କ ପାଇଁ ଅନେକ ଭାବରେ ପ୍ରଯୁଜ୍ୟ ।

ମାଇଲ୍‌ ଖୁଣ୍ଟି ନା ଚକି ପଥର ?

ଜାତିସଂଘ ଅକ୍ଟୋବର ୧୫କୁ ଅନ୍ତରାଷ୍ଟ୍ରୀୟ ଗ୍ରାମୀଣ ମହିଳା ଦିବସ ଏବଂ ଅକ୍ଟୋବର ୧୭କୁ ଅନ୍ତରାଷ୍ଟ୍ରୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଭାବରେ ପାଳନ କରିଥାଏ । ଏହା ମଧ୍ୟ ୨୦୧୪କୁ ଅନ୍ତରାଷ୍ଟ୍ରୀୟ ପାରିବାରିକ କୃଷି ବର୍ଷ ଭାବରେ ମାନ୍ୟତା ଦେଇଥାଏ । ଭାରତରେ ନିୟୁତ ନିୟୁତ ଗ୍ରାମୀଣ ମହିଳା ସେମାନଙ୍କ ପରିଶ୍ରମ ଦ୍ୱାରା ସେହି ‘ପାରିବାରିକ କୃଷି କ୍ଷେତ’କୁ ଧରି ରଖିଥାଆନ୍ତି । କିନ୍ତୁ ଯେତେବେଳେ ମାଲିକାନାର ପ୍ରଶ୍ନ ଆସେ, ସେମାନେ ‘ପରିବାର’ର ଅଂଶ ପରି ମନେହୁଅନ୍ତି ନାହିଁ । କଦବା କ୍ୱଚିତ ସେମାନଙ୍କର ଜମିର ପଟ୍ଟାରେ ସେମାନଙ୍କର ନାମ ଦେଖିବାକୁ ମିଳିଥାଏ । ଏବଂ ଗ୍ରାମୀଣ ମହିଳାମାନଙ୍କର ବୃହତ୍‌ ଭାଗ ଦରିଦ୍ରମାନଙ୍କ ମଧ୍ୟରେ ଦରିଦ୍ରତମ ।

ଏହି ସବୁ “ମାଇଲ୍‌ ଖୁଣ୍ଟିଗୁଡ଼ିକ’’ର ଅର୍ଥ ଗଣମାଧ୍ୟମ ପାଇଁ ମୂଲ୍ୟହୀନ । ସେମାନଙ୍କ ପାଇଁ ଗୋଟିଏ ବିଚାରର ବିଷୟ ଫୋର୍ବସ ଏସିଆର ଅକ୍ଟୋବର ୨୦ ସଂସ୍କରଣରେ ଆସିଥିଲା । ତାହା ହେଉଛି ଯେତେବେଳେ ଫୋର୍ବସ ଏସିଆ ଔପଚାରିକ ଭାବରେ ଏହା ଭାରତର ୧୦୦ ଧନୀତମ ବ୍ୟକ୍ତିଙ୍କର ତାଲିକା ପ୍ରକାଶ କରିଥିଲା – ଏହା ପ୍ରକାଶ କରିଥିବା ସମସ୍ତେ ବର୍ତ୍ତମାନ ଡଲାର ଅରବପତି। ଗ୍ରାମୀଣ ମହିଳାଙ୍କ ଉପରେ କୌଣସି ପ୍ରଚ୍ଛଦ କାହାଣୀ ହେବ ନାହିଁ ।

ବଳପୂର୍ବକ ବିସ୍ଥାପନ ଦ୍ୱାରା ମହିଳାମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି । ଏହା ୧୯୯୦ ଦଶକଠାରୁ ଗ୍ରାମୀଣ ଭାରତରେ ସାଧାରଣ ହୋଇଯାଇଛି ଏବଂ ନିୟୁତ ନିୟୁତଙ୍କ ଜୀବିକାକୁ ଧ୍ୱଂସ କରିଛି । ରାଜ୍ୟ ବଳପୂର୍ବକ ଘରୋଇ ଏବଂ ସରକାରୀ ଉଦ୍ୟୋଗ ପ୍ରକଳ୍ପ ଏବଂ ‘ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର’ ନିମନ୍ତେ ଚାଷ ଜମି ଅଧିଗ୍ରହଣ କରିଛି । ଯେତେବେଳେ ଏହା ହୋଇଥାଏ, ସେତେବେଳେ ମହିଳାମାନେ ଜଳ, ଜାଳେଣି ଏବଂ ଚାରାର ସନ୍ଧାନରେ ଅତିକ୍ରମ କରୁଥିବା ଦୂରତା ବୃଦ୍ଧି ପାଏ । ଏଥିସହିତ ସେମାନେ ଏସବୁ ପାଉଥିବା ନୂତନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ହିଂସାକୁ ମଧ୍ୟ ସାମ୍ନା କରନ୍ତି । ଯେଉଁମାନେ ଏକଦା ଜଙ୍ଗଲଜାତ ଉତ୍ପାଦ ସଂଗ୍ରହ କରୁଥିଲେ ସେମାନଙ୍କ ପାଇଁ କମ୍‌ ଗମନୀୟ ହୋଇଛି । ଏବଂ ବିସ୍ଥାପିତମାନଙ୍କ ପାଇଁ ଖୁବ୍‌ କମ୍‌, ପ୍ରାୟତଃ ଉପଯୁକ୍ତ ବିକଳ୍ପ କାର୍ଯ୍ୟ ପାଇଁ କୌଣସି ସୁଯୋଗ ନାହିଁ ।

ଏପରିକି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ସବୁଠାରୁ ସଫଳ ଚାଷୀମାନେ ମଧ୍ୟ ବିସ୍ଥାପନର ଭୟ ଭିତରେ ବଞ୍ଚନ୍ତି ବୋଲି ଗୁଜ୍ଜାରୀ ମହାନ୍ତି କୁହନ୍ତି । ଗୁଜ୍ଜାରୀଙ୍କ ବୟସ ୭୦ରୁ ଅଧିକ, ଜଣେ କୁଶଳୀ ପାନପତ୍ର ଚାଷୀ । କିନ୍ତୁ ତାଙ୍କ ଗାଁ ଷ୍ଟିଲ୍‌ ଉଦ୍ୟୋଗ ପୋସ୍କୋ ବିପକ୍ଷରେ ଛିଡ଼ା ହୋଇଥିଲା, ଯାହାକୁ ରାଜ୍ୟ ସରକାର ତାଙ୍କ ପରି ଅନେକଙ୍କର ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ସେ ପଚାରନ୍ତି, ‘‘ସେମାନେ କେଉଁ କାମ ସୃଷ୍ଟି କରିବେ? ଏସବୁ ଫ୍ୟାକ୍ଟ୍ରିଗୁଡ଼ିକ ମେସିନ୍‌ରେ କାମ କରେ, ମଣିଷ ଦ୍ୱାରା ନୁହେଁ । କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନ୍‌ ଅଧିକ କାମ ସୃଷ୍ଟି କରିଛି ନା କମ୍‌? ଆଜିକାଲି ଆମର କୌଣସି ଡାକ କର୍ମଚାରୀ କାହିଁକି ନାହାନ୍ତି ? ମୋର ସୁନ୍ଦର ପାନ ବରଜକୁ ଦେଖନ୍ତୁ ଏବଂ ଦେଖନ୍ତୁ ଏଗୁଡ଼ିକ କେତେ ଜୀବନକୁ ସହଯୋଗ ଦେଉଛନ୍ତି ।’’

PHOTO • P. Sainath & Ananya Mukherjee

ଗ୍ରାମୀଣ ମହିଳାମାନେ ଭିନ୍ନ କରୁଣ ଉପାୟରେ ମଧ୍ୟ ଏକ ଆଘାତ ଗ୍ରହଣ କରୁଛନ୍ତି । ୧୯୯୫ ମସିହାଠାରୁ ଭାରତରେ ପ୍ରାୟ ୩୦୦,୦୦୦ ଚାଷୀ ଆତ୍ମହତ୍ୟା କରିଛନ୍ତି [DS2], ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏହି ତଥ୍ୟ ପ୍ରଦର୍ଶନ କରୁଛି । ( http://psainath.org/maharashtra-crosses-60000-farm-suicides/ ) ଔପଚାରିକ ହିସାବରେ ପୀଡ଼ିତମାନେ ମୁଖ୍ୟତଃ ପୁରୁଷ । ଏହା ମହିଳାମାନଙ୍କ ଉପରେ ଅସହନୀୟ ଚାପ ଆଣିଦେଇଥାଏ । ସେମାନଙ୍କୁ ହଠାତ୍‌ ନିଜେ ବଡ଼ ପରିବାର ଚଳାଇବାକୁ ହୁଏ, ବ୍ୟାଙ୍କ, ସାହୁକାର ଏବଂ ଅମଲାତନ୍ତ୍ର ସହ ଯୁଝିବାକୁ ହୋଇଥାଏ ।

ଏହା ମଧ୍ୟ ବାସ୍ତବ ଯେ ମହିଳା କୃଷକମାନଙ୍କ ମଧ୍ୟରେ ଆତ୍ମହତ୍ୟାକୁ ପ୍ରାୟତଃ ହିସାବ କରାଯାଇନାହିଁ କାରଣ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ କୃଷକ ଭାବରେ ମାନ୍ୟତା ଦିଆଯାଏ ନାହିଁ । କେବଳ କୃଷକଙ୍କ ପତ୍ନୀ ଭାବରେ । ଏହା ଆଂଶିକ ଭାବରେ ସମ୍ପତ୍ତି ଉପରେ ସେମାନଙ୍କର ଅଧିକାର ନଥିବା କାରଣରୁ । ସେମାନଙ୍କ ନାମ ଖୁବ୍‌ ବିରଳ ଭାବରେ ଜମି ମାଲିକ ଭାବରେ ପଟ୍ଟାରେ ଦେଖିବାକୁ ମିଳିଥାଏ । (ଏପରିକି ଅଣକୃଷକମାନଙ୍କ ମଧ୍ୟରେ ଗ୍ରାମୀଣ ଭାରତରେ ଯୁବତୀ ମହିଳାମାନଙ୍କ ମଧ୍ୟରେ ଆତ୍ମହତ୍ୟା ମୃତ୍ୟୁର ଏକ ଉଲ୍ଲେଖଯୋଗ୍ୟ କାରଣ ହୋଇଆସିଛି)।

ଯନ୍ତ୍ରଣା ଏବଂ ବିଡ଼ମ୍ବନା

ଏଠାରେ ବିଡ଼ମ୍ବନା କେବଳ ଏହା ନୁହେଁ ଯେ ସାରା ବିଶ୍ୱରେ ଏତେ ସଂଖ୍ୟକ ମହିଳା ବର୍ଷ ପରେ ବର୍ଷ ଏପରି କଷ୍ଟକୁ ବହନ କରନ୍ତି। ବିଡ଼ମ୍ବନା ହେଉଛି ଯେ ଆମ ସମୟରେ କେତେକ ବୃହତ୍ତମ ସମସ୍ୟାଗୁଡ଼ିକ ସମାଧାନ କରିବାରେ ସାହାଯ୍ୟ କରିବା ପାଇଁ ସେମାନଙ୍କର ଦୃଷ୍ଟିକୋଣ ଏବଂ ସାମର୍ଥ୍ୟ ରହିଛି । ଏଗୁଡ଼ିକ ମଧ୍ୟରୁ ରହିଛି: ଖାଦ୍ୟ ସୁରକ୍ଷା, ପରିବେଶଗତ ନ୍ୟାୟ, ଏକ ସାମାଜିକ ଏବଂ ଦୃଢ଼ ଅର୍ଥନୀତି ବିକାଶ କରିବା ଏବଂ ଆହୁରି ଅନେକ ।

ସେଗୁଡ଼ିକ ମଧ୍ୟରୁ କୌଣସିଟି ହେବା ପାଇଁ, ଯଦିଓ, ଆମେ ଏକ ଗଭୀର ଏବଂ ମୌଳିକ ରୂପାନ୍ତର ଆବଶ୍ୟକ କରିବୁ, ଖଣ୍ଡ ଖଣ୍ଡ କାର୍ଯ୍ୟକ୍ରମ ନୁହେଁ ।

ଯେହେତୁ ଅଧିକରୁ ଅଧିକ ମହିଳା ଆମକୁ କୁହନ୍ତି ସେମାନେ ଅନିଶ୍ଚିତ ଭାବରେ ନିୟୋଜିତ ହେଉଥିବା କୃଷି ଶ୍ରମିକରୁ ସ୍ୱାଧୀନ ଉତ୍ପାଦକ ହେବାକୁ ଅଧିକ ପସନ୍ଦ କରିବେ । ଶେଷୋକ୍ତଟି ଭାବରେ ସେମାନଙ୍କର ନିଜସ୍ୱ ଶ୍ରମ ଏବଂ ସମୟ ଉପରେ ନିୟନ୍ତ୍ରଣ ରହିବ ଏବଂ ଏପରିକି ସେମାନେ କେମିତି ଏବଂ କ’ଣ ଉତ୍ପାଦନ କରୁଛନ୍ତି ଏହା ଉପରେ । ଗ୍ରାମୀଣ ମହିଳାମାନଙ୍କର ଏହି ଆକାଂକ୍ଷା ସତ ହେବା ପାଇଁ ଦୁଇଟି ଜିନିଷ ଆବଶ୍ୟକ ।

ପ୍ରଥମଟି ହେଉଛି ସାଧନ ପ୍ରତି ଅଧିକାରର ଏକ ଦୃଢ଼ ବ୍ୟବସ୍ଥା – ବିଶେଷକରି ଜମି ଅଧିକାର । ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) ଲକ୍ଷ୍ୟ କରିଥିବା ଅନୁଯାୟୀ ବିକାଶଶୀଳ ଅଞ୍ଚଳଗୁଡ଼ିକରେ ମହିଳାମାନେ ଜମି ମାଲିକ ହେବା କିମ୍ବା ସଞ୍ଚାଳନ କରିବା କିମ୍ବା ଜମି ଭାଗ ନେବା ସମ୍ଭାବନା କମ୍‌ । ଯଦି ସେମାନଙ୍କର କିଛି ରହିଛି ତେବେ ତାହା ନିମ୍ନ ମାନ କିମ୍ବା ଛୋଟ ଆକାରର ହୋଇଥାଏ । ଏହି ଶୈଳୀ ସାରା ବିଶ୍ୱରେ ପଶୁ ସମ୍ପଦ ଏବଂ ଅନ୍ୟାନ୍ୟ ସମ୍ପଦ ପ୍ରତି ମହିଳାମାନଙ୍କର ଅଭିଗମ୍ୟତା କ୍ଷେତ୍ରରେ ମଧ୍ୟ ଦେଖାଯାଇପାରିବ ।

ଦ୍ୱିତୀୟଟି ହେଉଛି ସାଂଗଠନିକ ସରଞ୍ଚନା ଗଠନ କରିବା ଯାହା ମହିଳାମାନଙ୍କୁ ସେମାନଙ୍କର ବୃହତ୍ତମ ସାଧନଗୁଡ଼ିକ ଦୋହନ କରିବାକୁ ସକ୍ଷମ କରିବ । ତାହା ହେଉଛି: ସେମାନଙ୍କର ସହଯୋଗୀ ପ୍ରବୃତ୍ତି ଏବଂ ସେମାନଙ୍କର ଏକଜୁଟତା ।

ଏହା କେତେକ ଗୁରୁତର ପୁନଃଚିନ୍ତନ ନିମନ୍ତେ ଆହ୍ୱାନ ଦେଉଛି । ବ୍ୟକ୍ତିବିଶେଷ ଆଧାରିତ ଅଣୁ ଋଣ ମଡେଲ୍‌ଗୁଡ଼ିକ ଅନେକ ସମୟ ଧରି ପୃଥିବୀକୁ ଶାସନ କରିଆସିଛି । ଏବଂ ପୃଥିବୀର ବିଭିନ୍ନ ଭାଗରୁ ଏହି ବିପର୍ଯ୍ୟୟର ବର୍ଦ୍ଧିଷ୍ଣୁ ପ୍ରମାଣ ମିଳୁଛି ଯେ ଏହା ମହିଳାମାନଙ୍କ ଜୀବନକୁ ଭାଙ୍ଗି ଦେଉଛି । ଭାରତରେ ସବୁଠାରୁ ମର୍ମସ୍ପର୍ଶୀ ଉଦାହରଣ ଆନ୍ଧ୍ରପ୍ରଦେଶରୁ ଆସିଥିଲା । କ୍ଷୁଦ୍ର ଋଣ ଚାଳିତ ଅନେକ ଆତ୍ମହତ୍ୟା କେତେକ କ୍ଷୁଦ୍ର ଋଣପ୍ରଦାନକାରୀ ସଂଚାଳନକୁ ଅଧ୍ୟାଦେଶ ଦ୍ୱାରା ବନ୍ଦ କରିବାକୁ ବାଧ୍ୟ କରିଥିଲା । (ବହୁ ସଂଖ୍ୟକ ଅଧ୍ୟୟନ ଉପ-ସାହାରା ଆଫ୍ରିକା ଏବଂ ଲାଟିନ୍‌ ଆମେରିକା ରେ କ୍ଷୁଦ୍ର ଋଣ କାରଣରୁ ହୋଇଥିବା ସମସ୍ୟାଗୁଡ଼ିକ ପ୍ରତି ନିର୍ଦ୍ଦେଶ କରିଛି ଏବଂ ଅଧିକ ସାଧାରଣ ଭାବରେ ୱାଲ୍‌ ଷ୍ଟ୍ରିଟ୍‌ ଏଥିରେ ଯୋଗଦାନ ଦେଇଥିବା ଦାବି ସହିତ ) ।

ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ (ଏସ୍‌ଏଚ୍‌ଜିଗୁଡ଼ିକ) ଏକ ଲୋକପ୍ରିୟ ବିକଳ୍ପ ଭାବରେ ଅଭ୍ୟୁଦୟ ହୋଇଛି ଏବଂ ସେଗୁଡ଼ିକ କ୍ଷୁଦ୍ର ଋଣର ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରନ୍ତି । ଅବଶ୍ୟ, ଏସ୍‌ଏଚ୍‌ଜିଗୁଡ଼ିକ ମଧ୍ୟ ସାଧାରଣତଃ ‘ଅନନ୍ୟ ସଂଗଠନ’ ହୋଇଆସିଛି ଯାହାକି ଲିଙ୍ଗ ଅନ୍ୟାୟ ହେଉଥିବା ସମସ୍ତ କ୍ଷେତ୍ରଗୁଡ଼ିକୁ ସମନ୍ୱିତ ଭାବରେ ସଂଯୁକ୍ତ କରେ ନାହିଁ । ଉଦାହରଣ ସ୍ୱରୂପ ପରିବାରରେ, ସମୂହରେ, କାର୍ଯ୍ୟ ସ୍ଥଳରେ ଏବଂ ରାଜନୈତିକ କ୍ଷେତ୍ରରେ ।

କିନ୍ତୁ ଯେତେବେଳେ ଏଭଳି ସଂଯୋଗଗୁଡ଼ିକ ତିଆରି ହୁଏ, ବଡ଼ ଜିନିଷ ହୋଇପାରେ ।

ଏକତା ନୂତନ ସ୍ଥାନ ଖୋଲିଦିଏ

କେରଳର କୁଡୁମ୍ବଶ୍ରୀକୁ ବିଚାରକୁ ନିଅନ୍ତୁ – ମୁଖ୍ୟତଃ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୪ ନିୟୁତ ମହିଳାଙ୍କର ଏକ ଯୋଗାଯୋଗ ଜାଲ।

PHOTO • P. Sainath & Ananya Mukherjee

୧୯୯୮ରେ କେରଳ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହାର ଲକ୍ଷ୍ୟ ଥିଲା ସେମାନଙ୍କର ଦାରିଦ୍ର୍ୟର ସଂରଚନାଗତ କାରଣଗୁଡ଼ିକୁ ସମାଧାନ କରିବା ପାଇଁ ଗୁରୁତ୍ୱହୀନ ମହିଳାମାନଙ୍କର ସାମୂହିକ କ୍ଷମତାକୁ ଚାଳିତ ଏବଂ ସୁବିଧାଜନକ କରିବା । କେରଳର ବିଖ୍ୟାତ ‘ଜନତାଙ୍କ ଯୋଜନା’ ପ୍ରକ୍ରିୟା ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ରାଜ୍ୟ ଏବଂ ଏହାର ନାଗରିକମାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହା ତଳୁଆ ସମୂହଗୁଡ଼ିକ ଦ୍ୱାରା ସକ୍ରିୟ ଭାବରେ ଆକାର କରାଯାଇଥିବା ଯୋଜନାଗୁଡ଼ିକ ଚାହିଁଥିଲା । ସ୍ଥାନୀୟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଏହାର ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ। ସେହି ଅନୁଯାୟୀ ଆରମ୍ଭରୁ କୁଡୁମ୍ବଶ୍ରୀରେ ସମୂହ ଏବଂ ଏକ ଅମଲାତାନ୍ତ୍ରିକ ଉପାଦାନ ଏକତ୍ର କାର୍ଯ୍ୟ କରୁଥିଲା । ଏହି ଅଧିକାରିକ ସଂରଚନାର ମୁଖ୍ୟ ଦାୟିତ୍ୱ ହେଉଛି ସାରା ରାଜ୍ୟରେ ଏହି ସାମୂହିକ ଯୋଗାଯୋଗ ଜାଲର ଗତିବିଧିଗୁଡ଼ିକୁ ସମର୍ଥନ ଦେବା ଯାହାକି ଆଜି ବୃଦ୍ଧି ପାଇ ୪ ନିୟୁତ ମହିଳାଙ୍କୁ ସାମିଲ୍ କରିଛି । ସେମାନେ ସେମାନଙ୍କୁ ଆୟ ପ୍ରଦାନ କରୁଥିବା ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ନିୟୋଜିତ ହୋଇଛନ୍ତି । କିନ୍ତୁ ସେମାନେ ମଧ୍ୟ ସକ୍ରିୟ ନାଗରିକ ହୋଇଛନ୍ତି ଯେଉଁମାନେ କି ସାମାଜିକ ଅନ୍ୟାୟର ଅନେକ ସ୍ୱରୂପକୁ ଆହ୍ୱାନ ଦେଉଛନ୍ତି ।

କୁଡୁମ୍ବଶ୍ରୀର ସାଂଗଠନିକ ସଂରଚନା ଏହାକୁ ଭିନ୍ନ କରିଥାଏ । ଏହା ତିନି ସ୍ତରରେ ଏକତାର ସାମୂହିକ ସଂରଚନା ଉପରେ ଆଧାରିତ । ଏଗୁଡ଼ିକ ମଧ୍ୟରୁ ପ୍ରଥମ ହେଉଛି ‘ନେବର୍‌ହୁଡ୍‌ ଗ୍ରୁପ୍‌’ ବା ‘ପଡ଼ୋଶୀ ଗୋଷ୍ଠୀ’ (ଏନ୍‌ଏଚ୍‌ଜି), ପ୍ରତ୍ୟେକରେ ୧୦- ୨୦ ମହିଳା ଥାଆନ୍ତି । ଏନ୍‌ଏଚ୍‌ଜିଗୁଡ଼ିକ ଏରିଆ ଡେଭଲପ୍‌ମେଣ୍ଟ ସୋସାଇଟି (ଏଡିଏସ୍‌) ସହ ସଂଘବଦ୍ଧ। ଏବଂ ସେଗୁଡ଼ିକ ପଞ୍ଚାୟତ ସ୍ତରରେ କମ୍ୟୁନିଟି ଡେଭଲପ୍‌ମେଣ୍ଟ ସୋସାଇଟି ବା ସାମୂହିକ ବିକାଶ ସମିତି (ସିଡିଏସ୍‌ଏସ୍‌) ଗଠନ କରନ୍ତି ।

ଏହି କୁଡୁମ୍ବଶ୍ରୀ ପ୍ରୟୋଗର କେତେକ ଗୁରୁତ୍ୱପୂର୍ଣ୍ଣ ପରିଣାମ ରହିଛି । ପ୍ରଥମତଃ ଏହା ମହିଳାମାନଙ୍କୁ ସେମାନଙ୍କ ନିଃସଂଗତା ଅତିକ୍ରମ କରିବାରେ ସାହାଯ୍ୟ କରିବା ପାଇଁ ଏକ ବୃହତ୍‌ ବାହକ ଭାବରେ ପ୍ରମାଣିତ ହୋଇଛି ।

ଆମେ ଯେତିକି ବୁଝିଥାଉ ନିଃସଂଗତା ତାହାଠାରୁ ଢେର୍‌ ଅଧିକ ଭାବରେ ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ଆମେ କୋଷ୍ଟାରିକାରେ ମହିଳାମାନଙ୍କ ବିକାଶ ନେଟ୍‌ୱାର୍କ ସହିତ କରିଥିବା ଏକ ଅଧ୍ୟୟନ [DS3] ରେ କେନ୍ଦ୍ର ଏବଂ ଦକ୍ଷିଣ ଆମେରିକାର ମହିଳାମାନେ ଏହାକୁ ଏକ ପ୍ରାଥମିକ ପ୍ରତିବନ୍ଧକ ଭାବରେ ଚିହ୍ନଟ କରିଥିଲେ । ଏହି ନେଟ୍‌ୱାର୍କର ସିଦ୍ଧାନ୍ତ ହେଉଛି ‘‘ଆମେ ଏକୁଟିଆ ତୁଳନାରେ ଏକତ୍ର ଅଧିକ କରିପାରିବୁ’’ । ଏବଂ ଏହା ସଂଯୋଗ, ସମନ୍ୱୟ ଏବଂ ଏକତା ନିମନ୍ତେ ଏହି ଆବଶ୍ୟକତା ପ୍ରତି ସ୍ୱର ଉତ୍ତୋଳନ କରିଥାଏ ।

ମହିଳାମାନେ ସାମ୍ନା କରୁଥିବା ନିଃସଂଗତା ବହୁ ସ୍ତରର ହୋଇପାରେ ଏବଂ ଏହାର ଏକ ବିଶାଳ ଅର୍ଥନୈତିକ ପ୍ରଭାବ ମଧ୍ୟ ରହିପାରେ । ସଫଳ ଅଣୁ ଉଦ୍ୟୋଗଗୁଡ଼ିକ ବିକାଶ କରିବା ଅତ୍ୟନ୍ତ କଷ୍ଟକର । ମହିଳାମାନଙ୍କୁ ସେମାନଙ୍କର ସମସ୍ତ ପାରିବାରିକ କର୍ତ୍ତବ୍ୟଗୁଡ଼ିକ ବହନ କରିବା ସହିତ ଉତ୍ପାଦନର ବିଭିନ୍ନ ଦିଗଗୁଡ଼ିକୁ ଦେଖିବାକୁ ହୋଇଥାଏ ଏବଂ ନିଜେ ନିଜେ ବିପଣନ କରିବାକୁ ହୋଇଥାଏ । କିନ୍ତୁ ଆହୁରି ଅଧିକ ମୌଳିକ ଭାବରେ ନିଃସଂଗତା ଦୃଢ଼ ଭାବରେ ଆତ୍ମବିଶ୍ୱାସକୁ ଅଟକାଇ ଥାଏ, ଯେତେବେଳେ କି ସମାନ ପ୍ରକାରର ମହିଳାମାନଙ୍କ ସହିତ ଯୋଗାଯୋଗ କରିବାର ସାମର୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବାହ ସୃଷ୍ଟି କରିଥାଏ । ଯୋଗାଯୋଗଗୁଡ଼ିକ ମଧ୍ୟ ତୃଣମୂଳସ୍ତରୀୟ ଉଦ୍ୟୋଗଗୁଡ଼ିକୁ ବୃଦ୍ଧି ପାଇବାକୁ ସକ୍ଷମ କରିଥାଏ ଯାହାକି ଏକୁଟିଆ କାମ କରୁଥିବା ମହିଳାମାନେ କରିପାରିବେ ନାହିଁ ।

ଗୋଟିଏ ପାଖ ପଡ଼ୋଶୀ ଅଞ୍ଚଳରେ ଥିବା ମହିଳାମାନଙ୍କୁ ଏକତ୍ର କରିବା ଦ୍ୱାରା କୁଡୁମ୍ବଶ୍ରୀ ଏହା କରିଥାଏ । ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଏହା ସେମାନଙ୍କର ଘର ବାହାରେ ପ୍ରଥମ ଏବଂ ଏକମାତ୍ର ସ୍ଥାନ । ସେମାନେ ନିଜ ପରି ଅନ୍ୟ ମହିଳାମାନଙ୍କ ସହ ଭାବ ବିନିମୟ କରନ୍ତି ଏବଂ ୱାର୍ଡ ଏବଂ ଗ୍ରାମ ସ୍ତରରେ ଭାବ ବିନିମୟ ଜରିଆରେ ଏହାକୁ ଆଗକୁ ବଢ଼ାନ୍ତି । କୁଡୁମ୍ବଶ୍ରୀର ଉଦ୍ୟୋଗଗୁଡ଼ିକ ମାସିକ ବଜାର ଖାଦ୍ୟ ଉତ୍ସବ ଏବଂ ଅନ୍ୟ ଉପକ୍ରମଗୁଡ଼ିକ ମହିଳାମାନଙ୍କୁ ଅନେକ ସୁଯୋଗ ଦେଇଥାଏ ଯାହା ସେମାନେ ଅନ୍ୟ କୌଣସି ମତେ ପାଇନଥାନ୍ତେ । ସେମାନଙ୍କର ୱେବ୍‌ସାଇଟ୍‌ ଅନୁଯାୟୀ କାଫେ କୁଡୁମ୍ବଶ୍ରୀ ଫୁଡ୍‌ ଫେଷ୍ଟିଭାଲ୍ ନିକଟରେ ଟ. ୩.୨୨ କୋଟିର ବ୍ୟବସାୟ କରିଛି; ସେମାନଙ୍କର ୧,୪୩୪ ମାସିକ ବଜାର ଟ. ୪.୫୧ କୋଟିକୁ ଆସିଛି ।

ଦ୍ୱିତୀୟରେ କୁଡୁମ୍ବଶ୍ରୀ ଅସଂଖ୍ୟ ସାମାଜିକ ପରିଣାମ ସହିତ ଆୟ ସୃଷ୍ଟିର ସମ୍ଭାବନାଗୁଡ଼ିକ ଉନ୍ମୁକ୍ତ କରୁଛି ।

ସଂଘ କୃଷି , ବା ଗୋଷ୍ଠୀ କୃଷି ଏସବୁ ସମ୍ଭାବନାଗୁଡ଼ିକ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ୨୦୦,୦୦୦ ମହିଳା ଏଭଳି ଗୋଷ୍ଠୀଗୁଡ଼ିକରେ ସଂଘବଦ୍ଧ ହୋଇ ପ୍ରାୟ ଏକ ଶହ ହଜାର ଏକର ଜମି ଚାଷ କରୁଛନ୍ତି । ୨୦୦୭ ମସିହାରେ ସ୍ଥାନୀୟ ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବାର ଉପାୟ ଭାବରେ ଏହା ଆରମ୍ଭ ହୋଇଥିଲା । କେରଳ ମହିଳାମାନେ ଏହି ଆଭିମୁଖ୍ୟକୁ ଆଗ୍ରହର ସହ ଗ୍ରହଣ କରିଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ମହିଳା କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରି ୪୭୦୦୦ରୁ ଅଧିକ ସମୂହ ରହିଛି । ଏହି ସମୂହଗୁଡ଼ିକ ଟାଙ୍ଗେରା ଭୂମି ଲିଜ୍‌ରେ ନିଅନ୍ତି, ଏହାକୁ ପୁନଃ ଉର୍ବର କରନ୍ତି ଏବଂ ଏହାକୁ ଚାଷ କରନ୍ତି । ଏହା ପରେ ସେମାନେ ସଦସ୍ୟମାନଙ୍କର ଆବଶ୍ୟକତା ଉପରେ ନିର୍ଭର କରି ଉତ୍ପାଦକୁ ବିକ୍ରି କରନ୍ତି କିମ୍ବା ଖାଇବା ପାଇଁ ବ୍ୟବହାର କରନ୍ତି । ଅନେକ ପ୍ରେରଣାଦାୟୀ ଉଦାହରଣ ରହିଛି । ପେରାମ୍ବ୍ରାରେ କୁଡୁମ୍ବଶ୍ରୀ ମହିଳାମାନେ ପଞ୍ଚାୟତ ସହିତ କାର୍ଯ୍ୟ କରି ୨୬ ବର୍ଷ ଧରି ପରିତ୍ୟକ୍ତ ହୋଇ ରହିଥିବା ୧୪୦ ଏକର ଜମିର ପୁନରୁଦ୍ଧାର କରିଛନ୍ତି । ବର୍ତ୍ତମାନ ସେମାନେ ଏଥିରେ ଧାନ, ପନିପରିବା ଏବଂ କନ୍ଦମୂଳ ଚାଷ କରୁଛନ୍ତି ।

PHOTO • P. Sainath & Ananya Mukherjee

ଏହା କେରଳ କୃଷିରେ ମହିଳାମାନଙ୍କ ଭୂମିକାରେ ଏକ ସ୍ପଷ୍ଟ ପରିବର୍ତ୍ତନ ଆଣୁଛି । ହଜାର ହଜାର କୁଡୁମ୍ବଶ୍ରୀ ମହିଳା ନିମ୍ନ ମଜୁରୀପ୍ରାପ୍ତ ଶ୍ରମିକରୁ ଉତ୍ପାଦକକୁ ବଦଳୁଛନ୍ତି । ସ୍ୱାଧୀନ ଉତ୍ପାଦନ ସହିତ ସେମାନେ ସେମାନଙ୍କର ସମୟ ଏବଂ ଶ୍ରମ ଉପରେ ବୃହତ୍‌ ନିୟନ୍ତ୍ରଣ ଲାଭ କରନ୍ତି । ଏଥିସହିତ ଫସଲ ଉତ୍ପାଦନ ପଦ୍ଧତି ଏବଂ ଗୁରୁତ୍ୱପୂର୍ଣ୍ଣ ଭାବରେ ଅମଳ ଉପରେ ।

ପ୍ରାୟ ୧୦୦, ୦୦୦ ମହିଳା ବର୍ତ୍ତମାନ ଜୈବିକ କୃଷି କରୁଛନ୍ତି । ଅନେକ ଏହା କରିବାକୁ ଇଛା କରୁଛନ୍ତି । କୁଡୁମ୍ବଶ୍ରୀ କୃଷକମାନେ ବିକଳ୍ପ କୃଷି ପଦ୍ଧତି ଜରିଆରେ ପରିସଂସ୍ଥାନୀୟ ବିପର୍ଯ୍ୟୟ ସହ ସଂଘର୍ଷ କରିବାକୁ ଆଗ୍ରହୀ ।

ଏକ ଅନୁଷ୍ଠାନ ସହ ସଂଯୁକ୍ତ ହେବାର ଅଭିଜ୍ଞତାର ମଧ୍ୟ ଅନ୍ୟ ପ୍ରଭାବ ରହିଛି । କୁଡୁମ୍ବଶ୍ରୀର ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରନ୍ତି । ୨୦୧୦ରେ ସେମାନଙ୍କ ମଧ୍ୟରୁ ୧୧,୭୭୩ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୫,୪୮୫ ଜିତିଥିଲେ

ନିକଟରେ ତେଲେଙ୍ଗାନାର ୱାରଙ୍ଗଲ୍‌ ଜିଲ୍ଲାରେ କୃଷି ଶ୍ରମିକମାନଙ୍କର ଏକ ଜାତୀୟ ସମ୍ମିଳନୀରେ ଅନେକ ବକ୍ତା ଏହାକୁ ଆଲୋଚନାରେ ଏକ ପ୍ରସଙ୍ଗ କରିଥିଲେ; ଏହା ଯେ କୃଷି ଶ୍ରମିକମାନେ ବର୍ତ୍ତମାନ ଯାହା ଅଛନ୍ତି ତାହା ହେବା ଉଚିତ୍‌ ନୁହେଁ । ସେମାନେ ଭୂମିହୀନ ରହିବା ଉଚିତ୍‌ ନୁହେଁ । ସେମାନେ ଉତ୍ପାଦକ, ମାଲିକ ହେବା ଉଚିତ୍‌ । କୁଡୁମ୍ବଶ୍ରୀର ମହିଳାମାନେ ଏହାଠାରୁ ଆଗକୁ ଚାଲି ଯାଇଛନ୍ତି । ଉତ୍ପାଦକ ହେବା ପାଇଁ ରୂପାନ୍ତର ବର୍ତ୍ତମାନ ସୁଦ୍ଧା ‘ଭୂମିହୀନ ଶ୍ରମିକ ଶ୍ରେଣୀ’କୁ କାଟି ଅଲଗା କରିଦେଇଛି।

କାହିଁକି? ସେମାନେ ଏଥିରୁ କ’ଣ ପାଆନ୍ତି?

ଏଦାମାଲକୁଡ଼ିରେ, ଯେଉଁଠାରେ ସେହି ଆଦିବାସୀ ମହିଳାମାନେ ସୌର ଶକ୍ତି ଜରିଆରେ ସେମାନଙ୍କ ଗ୍ରାମଗୁଡ଼ିକୁ ବିଦ୍ୟୁତ୍‌ ଆଣିଛନ୍ତି, ସେଠାରେ କୁଡୁମ୍ବଶ୍ରୀ ପରିସର ମଧ୍ୟରେ ୪୦ଟି କମ୍ୟୁନିଟି ଡେଭଲପ୍‌ମେଣ୍ଟ ସୋସାଇଟି (ସିଡିଏସ୍‌) ରହିଛି । ଏଗୁଡ଼ିକ ମଧ୍ୟରୁ ୩୪ଟି କୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଟି ମହିଳା ହେଉଛନ୍ତି ମୁଥାବାନ୍ ଆଦିବାସୀ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ମହିଳା ନିଜକୁ ଜଣେ ଉତ୍ପାଦକ ଭାବରେ ଦେଖୁଛନ୍ତି – ଏବଂ ଅନ୍ୟମାନଙ୍କ ଦ୍ୱାରା ଏହିପରି ଭାବରେ ଦେଖାଯିବାକୁ ଇଛା କରୁଛନ୍ତି । ଏହି ଦୂରନ୍ତ ଅଞ୍ଚଳରେ ସେମାନେ ଆମକୁ କହିଲେ, ‘‘ଆମେ କାହାର ଚାକର ନୁହେଁ । ଆମେ ଉତ୍ପାଦକ ।’’ ଏହି ଐତିହାସିକ ପରିବର୍ତ୍ତନକୁ ଜଣେ କିପରି ଶାରୀରିକ କିମ୍ବା ଭୌତିକ ଭାବରେ ମାପ କରିପାରିବ? ଏହି ମାନସିକ ପରିବର୍ତ୍ତନ ଯାହା ସେମାନଙ୍କର ନିଜସ୍ୱ ଦୁନିଆକୁ ପରିବର୍ତ୍ତନ କରେ, ଯଦିଓ ସମାନ ମାପ କରି ନୁହେଁ, ଆହାଃ, ସେମାନଙ୍କ ଚାରିପାଖରେ ଥିବା ବିଶାଳ ପୃଥିବୀ?

ଣ ମପାଯାଇପାରିବ ନାହିଁ

ସେମାନଙ୍କ ମାଇଲ୍‌ ଖୁଣ୍ଟି ପରି ସଂଖ୍ୟାରେ ପ୍ରଭାବଶାଳୀ, କୁଡୁମ୍ବଶ୍ରୀର ମହିଳାମାନଙ୍କର କେତେକ ବୃହତ୍ତମ ଉପଲବ୍ଧି କିଲୋଗ୍ରାମ୍‌ କିମ୍ବା ଏକର, ନିବେଶ ଏବଂ ଲାଭ ଭାବରେ ହିସାବ କରାଯାଇପାରିବ ନାହିଁ ।

ଜଣେ କିପରି ଘରେ ପରିବର୍ତ୍ତିତ ସମୀକରଣକୁ ସଂଖ୍ୟାରେ ହିସାବ କରିବ ? ଇଡୁକି, ୱାୟାନାଡ଼, ତ୍ରିସୁର୍‌ ଏବଂ ଆହୁରି ଅନେକ ଜିଲ୍ଲାର ଅନେକ ମହିଳା ସ୍ୱାଧୀନ ଉପାର୍ଜନକାରୀ ହେବାର ସେମାନଙ୍କର ବୋଧ ଆମକୁ କହିଥିଲେ ।

ଏହାର ଗୁରୁତ୍ୱ ଆମେ କିପରି ମାପିଥାଉ: ଅତି ବେଶୀରେ ଏକ ଦ୍ୱିତୀୟ-ପସନ୍ଦ ସହଯୋଗ ହେବାରୁ ଜଣେ ପୂର୍ଣ୍ଣ ସ୍ୱାଧୀନ ଉପାର୍ଜନକାରୀ ହେବାର ବୋଧକୁ ଯିବା?

ଜଣେ କିପରି ବର୍ଦ୍ଧିଷ୍ଣୁ ରାଜନୈତିକ ପରିଣାମର ଏକ ସାଂଖିକ ମୂଲ୍ୟ ରଖିପାରିବ? କିମ୍ବା ଅଧିକ ଅର୍ଥପୂର୍ଣ୍ଣ କାର୍ଯ୍ୟ କରିବାର ସନ୍ତୋଷର ପରିମାଣ ମାପିପାରିବ? ଆମେ କିପରି ମହିଳାମାନଙ୍କ ଉତ୍ପୀଡ଼ନ ଆଶଙ୍କା ହ୍ରାସ ହେବାକୁ ମାପି ପାରିବା – ସେମାନଙ୍କ ନିଯୁକ୍ତିଦାତା, କର୍ମସ୍ଥଳ ଉତ୍ପୀଡ଼ନ ଇତ୍ୟାଦି ପ୍ରତି? କିମ୍ବା କେବଳ ଜଣେ ମଜୁରୀ ଆୟକାରୀ ନୁହେଁ ବରଂ ଜଣେ ଉତ୍ପାଦକ ହେବାର ଉନ୍ମୁକ୍ତକାରୀ ବୋଧର ସାଂଖିକୀକରଣ କରିପାରିବା?

କେହି କେହି ଲିଙ୍ଗ ନ୍ୟାୟ ପ୍ରତି ଏକ ଆର୍ଥିକ ମୂଲ୍ୟ ଦେଇପାରିବ କି – ବୋଧହୁଏ କୁଡୁମ୍ବଶ୍ରୀ ଉପସ୍ଥାପନା କରିଥିବା ବୃହତ୍ତମ ଏକକ ସକରାତ୍ମକତା?

ଥିଲାଙ୍ଗୀରି କମ୍ୟୁନିଟି ଡେଭଲପ୍‌ମେଣ୍ଟ ସୋସାଇଟିର ଅଧ୍ୟକ୍ଷା ସୁବେଇରା (୩୬)ଙ୍କ କହିବା ଅନୁଯାୟୀ, ‘‘ପୁରୁଷ ଏବଂ ମହିଳା ସମାନ କି? ଅବଶ୍ୟ ଏହା ବିତର୍କର ଏକ ପ୍ରସଙ୍ଗ ନୁହେଁ, ବରଂ ଏଭଳି କିଛି ଯାହାର ଆଚରଣ କରାଯିବା ଆବଶ୍ୟକ ।’’ ସୁବେଇରାଙ୍କର ଏକ ଜଟିଳ ବୃକକ୍‌ ରୋଗ ରହିଛି । ସେ ତାଙ୍କ ମାଆଙ୍କ ସହ ରୁହନ୍ତି ଯେ କି ରୋଗରେ ଶଯ୍ୟାଶାୟୀ । କିନ୍ତୁ ସୁବେଇରାଙ୍କର ନେତୃତ୍ୱ ନେବାର ସାମର୍ଥ୍ୟ ଅନନ୍ୟ । ସେ ତାଙ୍କ ଗ୍ରାମକୁ ପ୍ରାୟ ଶୂନ୍ୟରୁ ୧୦୦ ପ୍ରତିଶତ ଆର୍ଥିକ ଅନ୍ତର୍ଭୁକ୍ତି ଦିଗକୁ ନେଇଛନ୍ତି ।

PHOTO • P. Sainath & Ananya Mukherjee

ଅନେକ କୁଡୁମ୍ବଶ୍ରୀ ମହିଳା ଏହା ଜାଣି ଆନନ୍ଦିତ ଯେ ସେମାନେ ଆର୍ଥିକ ଏବଂ ସାମାଜିକ ଭାବରେ ସକ୍ରିୟ ହେବା ପରେ ସେମାନଙ୍କର ପିଲାମାନେ ସେମାନଙ୍କୁ ଭିନ୍ନ ଭାବରେ ଦେଖନ୍ତି । ଏହା ମଧ୍ୟ କମ୍‌ ବୟସର ବାଳିକାମାନଙ୍କୁ ଅନେକ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ, ସମିଶା ପାୟୋଲିରେ ୧୦ମ ଶ୍ରେଣୀ ଛାତ୍ରୀ ଯେ କି ତାଙ୍କ ଗାଁର ଶିଶୁ ପଞ୍ଚାୟତର ଅଧ୍ୟକ୍ଷା । ସେ କୁହନ୍ତି, ‘‘ମୁଁ ଜଣେ ସାମ୍ବାଦିକ ହେବାକୁ ଏବଂ ଆମ ସମାଜର କୁପ୍ରଥାଗୁଡ଼ିକ ବିଷୟରେ କହିବାକୁ ଚାହେଁ।’’

ତଥାପି ଅନେକ ମହିଳାଙ୍କ ପାଇଁ ଏହି ଅଭିଯାନରେ ଅଂଶଗ୍ରହଣ କରିବା ସହଜ ନୁହେଁ । ଅନେକ ସମୟରେ ସେମାନଙ୍କ ପରିବାର ଏବଂ ସେମାନଙ୍କ ସମୂହରୁ ଦୃଢ଼ ଆପତ୍ତି ଆସିଥାଏ ତଥାପି ମହିଳାମାନେ ଜାରି ରଖନ୍ତି, ଏମିତି କିଛି ଜିନିଷ ପାଇଁ ଯାହା ମପାଯାଇପାରିବ ନାହିଁ – ଅତି କମ୍‌ରେ ଆମ ପାଖରେ ଥିବା ପରିମାପକଗୁଡ଼ିକରେ ।

ଜଣେ କୁଡୁମ୍ବଶ୍ରୀ ସଦସ୍ୟା ନିଜର କାମ ଜାରି ରଖିବାର ଉଦ୍ୟମ ସମୟରେ ସାମ୍ନା କରିଥିବା କଷ୍ଟକର ସମସ୍ୟାଗୁଡ଼ିକ ବର୍ଣ୍ଣନା କରିବା ସମୟରେ କହିଥିଲେ, ‘‘ମୁଁ ଏହି ଅଭିଯାନରେ ଅଛି କାରଣ ଏହା ମୋର ଯନ୍ତ୍ରଣାକୁ ଶକ୍ତିରେ ରୂପାନ୍ତର କରିବାରେ ସାହାଯ୍ୟ କରେ ।’’

କୁଡୁମ୍ବଶ୍ରୀ ସଂଘ କୃଷି କ’ଣ କରେ ତାହାର ଗୁରୁତ୍ୱକୁ ମଧ୍ୟ ଆମେ ମାପିପାରିବା କି? ସେଗୁଡ଼ିକ ମହିଳାମାନଙ୍କୁ ଖାଦ୍ୟ ଉତ୍ପାଦନ ଉପରେ ନିୟନ୍ତ୍ରଣ ଦେଇଛି – ଯାହା ଖାଦ୍ୟ ନିରାପତ୍ତାର ଚାବିକାଠି ।

ଆଦିବାସୀ ମହିଳାମାନେ ସବୁ ସ୍ଥାନରେ ସ୍ଥାୟୀ ବିକାଶରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଏହା ଭୂମି ବିକାଶର ନିଗମକରଣ କିମ୍ବା ବ୍ୟବସାୟକରଣ ହେଉ କିମ୍ବା ସ୍ଥାୟୀ କୃଷି ଅଭ୍ୟାସରେ ହେଉ । ସଂଘ କୃଷି ସେହି ଭୂମିକାକୁ ଗଭୀର କରିବାରେ ସାହାଯ୍ୟ କରିଛି ।

ଅଧିକରୁ ଅଧିକ ଖାଦ୍ୟଶସ୍ୟ ଭୂମି ଅର୍ଥକାରୀ ଫସଲ ଚାଷ ପାଇଁ ପରିବର୍ତ୍ତିତ ହେଉଥିବା ଏକ ଦେଶରେ ଅନୁର୍ବର ଜମିଗୁଡ଼ିକୁ ଧାନ ଜମିରେ ପରିବର୍ତ୍ତନ କରିବାର ଗୁରୁତ୍ୱକୁ ଜଣେ କିପରି ହିସାବ କରିପାରିବ?

କୁଡୁମ୍ବଶ୍ରୀର ‘ସବୁଜ ସେନାନୀ’ ଏହା ନିଖୁଣ ଭାବରେ କରୁଛନ୍ତି ।

ସଂଘ କୃଷି ଦ୍ୱାରା ପୁନରୁଦ୍ଧାର କରାଯାଇଥିବା ଜମିଗୁଡ଼ିକୁ ପ୍ରବାସୀ ପକ୍ଷୀମାନେ ଫେରିବା ଉପରେ କେହି ଏକ ଦାମ୍‌ କିମ୍ବା ଭୌତିକ ମୂଲ୍ୟ ରଖିପାରିବେ କି? ଏହା ମପାଯାଇପାରିବ କି?

ଜଣେ କିପରି ଏଭଳି ଏକ ପରିବର୍ତ୍ତନର ସାମାଜିକ, ସାଂସ୍କୃତିକ ଏବଂ ମନସ୍ତାତ୍ତ୍ୱିକ ଗୁରୁତ୍ୱକୁ ଆକଳନ କରିପାରିବ?

ଜଣେ କିପରି ମନର ଶିଖିବାର ଆଗ୍ରହକୁ ମାପି ପାରିବ? କେବଳ ଉଚ୍ଚତର ଭୌତିକ ବିଷୟରେ ନୁହେଁ ବରଂ ଯାହା ଦ୍ୱାରା ମହିଳାମାନେ ଅଧିକରୁ ଅଧିକ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବୁଝିଛନ୍ତି ଏବଂ କାର୍ଯ୍ୟକାରୀ କରୁଛନ୍ତି  ସେ ସମ୍ପର୍କରେ? ଏହା ହେଉଛି ଏକ ସ୍ଥୂଳ ପ୍ରଭାବ ବିଶିଷ୍ଟ ସୂକ୍ଷ୍ମ ରାଜନୀତି । ସଦସ୍ୟମାନଙ୍କର ସାଧାରଣତଃ ଦୃଢ଼ ରାଜନୈତିକ ଅନୁବନ୍ଧନ ରହିଛି କିନ୍ତୁ ସେଗୁଡ଼ିକ ଗୋଷ୍ଠୀ ବୈଠକ ଉପରେ ପ୍ରଭାବିତ କିମ୍ବା ବିହ୍ୱଳିତ କରେ ନାହିଁ ।

କେବଳ ଭୂସଂସ୍କାର ଅଭିଯାନଗୁଡ଼ିକ ଅଧିକ ଦୂରଗାମୀ ଅଧିକ ଐତିହାସିକ ଗୁରୁତ୍ୱ ବିଶିଷ୍ଟ ଥିଲା କିନ୍ତୁ ସେଥିରେ ଅଭାବ ଥିବା ଗୋଟିଏ ଉପାଦାନକୁ କୁଡୁମ୍ବଶ୍ରୀ ମହିଳାମାନେ ଆଣିଛନ୍ତି; ଲିଙ୍ଗ ନ୍ୟାୟ । ତାହାଲେ ଆମେ ଏହାକୁ କେମିତି ମାପିବା? ଏହା ଏକର କିମ୍ବା କିଲୋକୁ ରୂପାନ୍ତରିତ ହୁଏ ନାହିଁ ଏବଂ ଆମେ ଏହାକୁ କିପରି ଉପଯୋଗ କରିବା – କାରଣ ଏହା ହେଉଛି ପ୍ରକୃତ ଆହ୍ୱାନ – ‘ବିକାଶ’ ଏବଂ ‘ଦାରିଦ୍ର୍ୟ ଦୂରୀକରଣ’ ପ୍ରତି ଆମର ଆଭିମୁଖ୍ୟ କ’ଣ, ଲିଙ୍ଗ ନ୍ୟାୟ ଏବଂ ସାମୂହିକ ଉତ୍ସାହର ଏହି ଦୃଷ୍ଟିକୋଣଗୁଡ଼ିକ ତାହାକୁ ରୂପାନ୍ତର କରିବ ?

ଏହି ନିବନ୍ଧଟି ମୂଳତଃ Yahoo India Originals ରେ ପ୍ରକାଶିତ ହୋଇଥିଲା ।

ପି . ସାଇନାଥ ହେଉଛନ୍ତି ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ୍ ଇଣ୍ଡିଆର ସଂସ୍ଥାପକ - ସମ୍ପାଦକ ସେ କେଇ ଦଶକ ଧରି ଗ୍ରାମୀଣ ରିପୋର୍ଟର ରହିଆସିଛନ୍ତି ଏବଂ ସେ ହେଉଛନ୍ତି ଏଭ୍ରିବଡି ଲଭ୍‌ସ ଏ ଗୁଡ୍ ଡ୍ରାଉଟ୍‌ ର ଲେଖକ ।

ଅନନ୍ୟା ମୁଖାର୍ଜୀ ହେଉଛନ୍ତି ଟରୋଣ୍ଟ ସ୍ଥିତ ୟର୍କ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ।

ଏହି ନିବନ୍ଧଟିକୁ ସୂଚନା ପ୍ରଦାନ କରିଥିବା ଅନନ୍ୟା ସୋସିଆଲ୍‌ ସାଇନ୍ସ ରିସର୍ଚ କାଉନ୍‌ସିଲ୍ ଅଫ୍‌ କାନାଡ଼ା ( ଏସ୍ଏସ୍‌ଏଚ୍‌ଆର୍‌ସି ) ଏବଂ ଶାସ୍ତ୍ରୀ ଇଣ୍ଡୋ - କାନାଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ପ୍ରତି କୃତଜ୍ଞ । ସେ ମଧ୍ୟ ସ୍ୱୀକାର କରନ୍ତି ଯେ ଏହି ଅଧ୍ୟୟନର ଏକ ଅଂଶ ପୂର୍ବରୁ ଅନ୍ୟ ଏକ ସ୍ୱରୂପରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath & Ananya Mukherjee

पी. साईनाथ People's Archive of Rural India के फाउंडर-एडिटर हैं। वह दशकों से ग्रामीण भारत के पत्रकार रहे हैं और वह 'Everybody Loves a Good Drought' के लेखक भी हैं। अनन्या मुखर्जी यॉर्क विश्वविद्यालय, टोरंटो में राजनीतिक विज्ञान की प्रोफेसर हैं। अनन्या सामाजिक विज्ञान अनुसंधान परिषद कनाडा (एसएसएचआरसी) और शास्त्री इंडो-कनाडियन इंस्टीट्यूट की आभारी हैं कि उन्होंने इस लेख में मौजूद सूचनाओं के रिसर्च में मदद की। वह इस बात को भी स्वीकार करती हैं कि इस शोध के एक भाग को दूसरे रूप में पहले द हिंदू में प्रकाशित किया जा चुका है।

की अन्य स्टोरी P. Sainath & Ananya Mukherjee
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE