“ଏତେ ବର୍ଷ ହେଲା ତୁମେ ମୋ ଫଟୋ ଉଠାଇ ଆସୁଛ, ତାକୁ ନେଇ କ’ଣ କରିବାକୁ ଯାଉଛ?” ଥରିଲା ଥରିଲା କଣ୍ଠରେ ମୋତେ ଏହା ପଚାରି କାନ୍ଦି ପକାନ୍ତି ଗୋବିନ୍ଦାମ୍ମା । ଏ ବର୍ଷ ମାର୍ଚ୍ଚ ମାସରେ, ତାଙ୍କ ପୁଅ ସେଲ୍ଲାୟାଙ୍କ ମୃତ୍ୟୁ ଘଟିବା ପରେ ସେ ପୂରା ଭାଙ୍ଗି ପଡ଼ିଛନ୍ତି । “ମୋ ଆଖିକୁ ଆଉ କିଛି ହେଲେ ଦିଶୁନି । ମୁଁ ତୁମକୁ ଦେଖିପାରୁନି । ମୋର ଆଉ ମୋ ବୁଢ଼ୀ ମାଆଟିର କଥା ଆଉ କିଏ ବୁଝିବ ?”

ସେ ମୋତେ ତାଙ୍କ ହାତର କଟାଦାଗ ଓ କ୍ଷତଚିହ୍ନ ଦେଖାନ୍ତି । ଗୋବିନ୍ଦାମ୍ମା କହନ୍ତି, “ଘରକୁ ଟଙ୍କା ୨୦୦ ନେଇ ଯିବା ଲାଗି ମୋତେ ଖୁବ୍‌ କଷ୍ଟ କରିବାକୁ ପଡ଼େ। ମୋର ଆଉ କ’ଣ ସେ ବୟସ ଅଛି ଯେ, ଚିଙ୍ଗୁଡ଼ି ଧରିବାକୁ ଜାଲ ପକାଇ ପାରିବି ? ନା, ମୁଁ କରିପାରିବିନି । ମୁଁ କେବଳ ମୋ ହାତ ଦୁଇଟିକୁ କାମରେ ଲଗାଇ ପାରିବି ।” ବୟସର ୭୦ ଦଶକରେ ପହଞ୍ଚି ସାରିଥିବା ଏହି ଛୋଟ ଏବଂ ଦୁର୍ବଳ ମହିଳା ଚିଙ୍ଗୁଡ଼ି ଧରାଳି ଜଣକ ଧରି ନେଇଛନ୍ତି ଯେ ତାଙ୍କ ବୟସ ଏବେ ୭୭ ବର୍ଷ । “ଲୋକେ ତ ମୋତେ ସେଇଆ ହିଁ କହନ୍ତି,” ସେ କହନ୍ତି । “ନଦୀଶଯ୍ୟା ବାଲି ଭିତରେ ହାତ ପୂରାଇ ଚିଙ୍ଗୁଡ଼ି ଧରିବା ଯୋଗୁଁ ହାତ କଟିଯାଏ । ପାଣିରେ ହାତ ବୁଡ଼ାଇ ଥିବା ବେଳେ ମୋ ହାତରୁ ରକ୍ତ ଝରୁଛି ବୋଲି ମୁଁ ଜାଣିପାରେନି ।”

୨୦୧୯ରେ ବକିଂହାମ କେନାଲ ଅଞ୍ଚଳ ଦେଇ ଯିବା ସମୟରେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି । ଉତ୍ତର ଚେନ୍ନାଇର ଏନ୍ନୋର ଅଞ୍ଚଳରେ କୋସସ୍‌ତାଲାଇୟାର ନଦୀ ସହ ସମାନ୍ତରାଳ ଭାବେ ଏହି କେନାଲ ପଡ଼ୋଶୀ ତିରୁବାଲ୍ଲୁର ଜିଲ୍ଲା ପର୍ଯ୍ୟନ୍ତ ବହିଯାଇଛି । ମାଛରଙ୍କା ପକ୍ଷୀ ଭଳି କ୍ଷୀପ୍ର ଗତିରେ ପାଣିରେ ବୁଡ଼ିବା ଏବଂ କେନାଲ ତଳ ପାଣି ଭିତରେ ପହଁରିବାରେ ତାଙ୍କର ଦକ୍ଷତା ଯୋଗୁଁ ତାଙ୍କ ଉପରେ ମୋର ନଜର ପଡ଼ିଥିଲା । ଆଖି ପିଛୁଳାକେ ନଦୀଶଯ୍ୟାର କଠିନ ବାଲିରେ ହାତ ପୂରାଇ ସେ ଅନ୍ୟମାନଙ୍କ ତୁଳନାରେ ଖୁବ୍‌ ଶୀଘ୍ର ଚିଙ୍ଗୁଡ଼ି ଧରିପାରୁଥିଲେ । ଅଣ୍ଟାଏ ପାଣିରେ ରହି, ଧରିଥିବା ଚିଙ୍ଗୁଡ଼ିମାନଙ୍କୁ ତାଙ୍କ ଅଣ୍ଟାରେ ବନ୍ଧା ହୋଇଥିବା ଏକ ତାଳପତ୍ର ଟୋକେଇରେ ରଖିବା ସମୟରେ ତାଙ୍କ ଦେହର ରଙ୍ଗ କେନାଲ ପାଣିର ରଙ୍ଗ ସହ, ମିଶିଗଲା ଭଳି ମନେ ହେଉଥିଲା । ସତେ ଯେମିତି ଦୁଇଟା ଯାକ ରଙ୍ଗ ଥିଲା ଅଭିନ୍ନ ।

ଜଳପଥରେ ଯାତ୍ରା ଉଦ୍ଦେଶ୍ୟରେ ୧୯ଶ ଶତାବ୍ଦୀରେ ନିର୍ମିତ ବକିଂହାମ କେନାଲ, ଏବଂ ଏନ୍ନୋର ଦେଇ ବହିଯାଉଥିବା କୋସସ୍‌ତାଲାଇୟାର ଓ ଆରାନିଆର ନଦୀ ସମାହାରରେ ସୃଷ୍ଟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଜଳସ୍ରୋତ ବ୍ୟବସ୍ଥା ଚେନ୍ନାଇ ନଗରୀକୁ ଏକ ଜୀବନରେଖା ପ୍ରଦାନ କରୁଥିଲା ।

PHOTO • M. Palani Kumar

ଉତ୍ତର ଚେନ୍ନାଇର ଏନ୍ନୋରରେ ଥିବା କାମରାଜର ବନ୍ଦର ନିକଟ କୋସସ୍‌ତାଲାଇୟାର ନଦୀରୁ ବାହାରି ଆସୁଛନ୍ତି ଗୋବିନ୍ଦାମ୍ମା ଭେଲୁ (ଡାହାଣ) ଏବଂ ତାଙ୍କ ସାଙ୍ଗରେ ଅଛନ୍ତି ଜଣେ ସଂପର୍କୀୟା (ବାମ) । ନଦୀରୁ ପର୍ଯ୍ୟାପ୍ତସଂଖ୍ୟକ ଚିଙ୍ଗୁଡ଼ି ପାଇ ନଥିବାରୁ ସେମାନେ କୋସସ୍‌ତାଲାଇୟାର ନଦୀ ସହ ସମାନ୍ତରାଳ ଭାବେ ବୋହିଯାଉଥିବା ବକିଂହାମ କେନାଲ ଆଡ଼କୁ ଯାଉଛନ୍ତି

PHOTO • M. Palani Kumar

ତାଙ୍କ ଇରୁଲାର ସଂପ୍ରଦାୟର ଅନ୍ୟମାନଙ୍କ ସହିତ ମିଶି ଗୋବିନ୍ଦାମ୍ମା (ବାମପଟ ଶେଷରେ) କୋସସ୍‌ତାଲାଇୟାର ନଦୀରେ ଚିଙ୍ଗୁଡ଼ି ଧରୁଛନ୍ତି । ଚିଙ୍ଗୁଡ଼ି ଧରିବା ପାଇଁ ସେମାନେ ପାଣି ଭିତର ଦେଇ - କିଲୋମିଟର ଯାଇଥାନ୍ତି

ଏନ୍ନୋରରୁ ଅଙ୍କାବଙ୍କା ହୋଇ ବହି ଯାଇ ପୁଲିକାଟ୍‌ ନାମରେ ସୁପରିଚିତ ପଳବେରକାଡୁ ହ୍ରଦରେ ପଡ଼ିଥିବା କୋସସ୍‌ତାଲାଇୟାର ନଦୀକୂଳ ଅଞ୍ଚଳରେ ବିସ୍ତୃତ ହେନ୍ତାଳ ବଣ ରହିଛି । ଏହି ୨୭ କିଲୋମିଟର ନଦୀ ଅଂଶର ଦୁଇ ପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହିତ ସେମାନଙ୍କ ଜମି ଓ ଜଳର ନିବିଡ଼ ସଂପର୍କ ରହିଆସିଛି । ମାଛ ଧରିବା ଏଠାକାର ମୁଖ୍ୟ ଜୀବିକା ଏବଂ ଉଭୟ ପୁରୁଷ ଓ ମହିଳାମାନେ ଏଠାରେ ମାଛ ଧରୁଥିବା ଦେଖିବାକୁ ମିଳେ । ଏଠାରେ ଉପଲବ୍‌ଧ ଚିଙ୍ଗୁଡ଼ି ପ୍ରଜାତିର ମୂଲ୍ୟ ବେଶ୍‌ ଅଧିକ ।

୨୦୧୯ରେ ଆମର ପ୍ରଥମ ସାକ୍ଷାତ ବେଳେ ଗୋବିନ୍ଦାମ୍ମା ମୋତେ କହିଲେ, “ମୋର ଦୁଇଟି ପୁଅଝିଅ । ମୋ ପୁଅକୁ ୧୦ ବର୍ଷ ଏବଂ ଝିଅକୁ ୮  ବର୍ଷ ହୋଇଥିବା ବେଳେ ମୋ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରେ ୨୪ ବର୍ଷ ବିତିଗଲାଣି । ମୋ ପୁଅ ବାହା ହୋଇସାରିଛି ଏବଂ ତା’ର ଚାରିଟି ଝିଅ: ମୋ ଝିଅର ଦୁଇଟି ଝିଅ ଅଛନ୍ତି । ଆଉ ଅଧିକ କ’ଣ ବା କାହା ପାଇଁ ଦରକାର ? ଘରକୁ ଆସ, ଆମେ କଥାବାର୍ତ୍ତା କରିବା।” ଏହିଭଳି ନିମନ୍ତ୍ରଣ ଦେଇ, ସେ ସେଠାରୁ ସାତ କିଲୋମିଟର ଦୂର ଆତିପାଟ୍ଟୁ ପୁଡୁନଗର (ନୂଆ ଆତିପାଟ୍ଟୁ ସହର) ଆଡ଼କୁ ଚାଲିବା ଆରମ୍ଭ କଲେ । ସେଠାକାର ରାସ୍ତାକଡ଼ରେ ସେ ନିଜେ ଧରିଥିବା ଚିଙ୍ଗୁଡ଼ି ବିକ୍ରି କରନ୍ତି । କୋଭିଡ୍‌- ୧୯ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ସହ ପୁଣି ସାକ୍ଷାତ କରିବାକୁ ମୋତେ ଦୁଇ ବର୍ଷ ଲାଗିଗଲା ।

ଗୋବିନ୍ଦାମ୍ମା ଇରୁଲାର ସଂପ୍ରଦାୟର ଏବଂ ତାମିଲନାଡୁରେ ଏହି ସଂପ୍ରଦାୟ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ସେ ଚେନ୍ନାଇର କାମରାଜର ବନ୍ଦର (ପୂର୍ବରୁ ଏନ୍ନୋର ବନ୍ଦର) ନିକଟରେ ରହିଆସୁଥିଲେ । ଏହି ବନ୍ଦର ନିକଟ କୋସସ୍‌ତାଲାଇୟାର ନଦୀରୁ ସେ ଚିଙ୍ଗୁଡ଼ି ଧରନ୍ତି । କିନ୍ତୁ ୨୦୦୪ ମସିହାରେ ସଂଘଟିତ ସୁନାମିରେ ତାଙ୍କ କୁଡ଼ିଆ ଘରଟି ନଷ୍ଟ ହୋଇଗଲା। ଏହାର ବର୍ଷକ ପରେ ସେ ସେଠାରୁ ୧୦ କିଲୋମିଟର ଦୂର ତିରୁବାଲ୍ଲୁର ଜିଲ୍ଲାର ଆତିପଟ୍ଟୁ ସହରକୁ ପଳାଇଗଲେ। ସୁନାମିରେ କ୍ଷତିଗ୍ରସ୍ତ ଅଧିକାଂଶ ଇରୁଲାର ସଂପ୍ରଦାୟର ବ୍ୟକ୍ତିଙ୍କୁ ଏଠାକାର ଅରୁଣୋଦୟମ୍‌ ନଗର, ନେସା ନଗର ଏବଂ ମାରିୟାମ୍ମା ନଗର କଲୋନିରେ ଥଇଥାନ କରାଯାଇଥିଲା ।

ସୁନାମି ପରେ ଅରୁଣୋଦୟମ୍‌ ନଗରରେ ତିଆରି ହୋଇଥିବା ଧାଡ଼ିକି ଧାଡ଼ି ଘର ଏବେ ଫିକା ଦିଶିଲାଣି । ଗୋବିନ୍ଦାମ୍ମା ଏବେ ସେହିଠାରେ ରହୁଛନ୍ତି । କିଛି ବର୍ଷ ତଳେ ତାଙ୍କ ନାତୁଣୀର ବାହାଘର ସମୟରେ ସେ ତା ପାଇଁ ଘର ଖାଲି କରିଦେଇଥିଲେ ଏବଂ ପାଖରେ ଥିବା ଗୋଟିଏ ନିମ ଗଛ ତଳେ ରହୁଥିଲେ ।

PHOTO • M. Palani Kumar
PHOTO • M. Palani Kumar

ବାମ : ଅରୁଣୋଦୟମ ନଗରର ତାଙ୍କ ଘର ବାହାରେ ଗୋବିନ୍ଦାମ୍ମା (ସବୁଜ ଶାଢ଼ିରେ) ଏବଂ ତାଙ୍କ ମାଆ (ଡାହାଣ) । ଡାହାଣ : ଗୋବିନ୍ଦାମ୍ମା ଓ ତାଙ୍କ ପୁଅ ସେଲ୍ଲାୟା (ନୀଳ ଚେକ୍‌ ଲୁଙ୍ଗି ପିନ୍ଧି ମଝିରେ), ନାତିନାତୁଣୀ ଏବଂ ସଂପର୍କୀୟମାନେ । ଏ ବର୍ଷ ମାର୍ଚ୍ଚରେ ପାରିବାରିକ ବିବାଦ କାରଣରୁ ସେଲ୍ଲାୟା ଆତ୍ମହତ୍ୟା କରି ପ୍ରାଣ ହରାଇଥିଲେ

ଗୋବିନ୍ଦାମ୍ମା ପ୍ରତିଦିନ ସକାଳ ୫ଟାରେ ଉଠି ଦୁଇ କିଲୋମିଟର ଦୂର ଆତିପାଟ୍ଟୁ ରେଳ ଷ୍ଟେସନ ଯାଏ ଚାଲି ଚାଲି ଯାଆନ୍ତି । ସେଠାରେ ସେ ଟ୍ରେନ୍‌ରେ ଯାଇ ଦୁଇଟି ଷ୍ଟେସନ ପରେ ଥିବା ଆତିପାଟ୍ଟୁ ପୁଡୁନଗରରେ ପହଞ୍ଚନ୍ତି । ସେଠାରୁ ସେ ସାତ କିଲୋମିଟର ପାଦରେ ଚାଲି ଚାଲି କାମରାଜର ବନ୍ଦର ନିକଟ ମାତା (ସେଣ୍ଟ ମେରୀଙ୍କ) ଚର୍ଚ୍ଚକୁ ଯାଆନ୍ତି । ବେଳେବେଳେ ସେ ଅନ୍ୟମାନଙ୍କ ସହ ଭଡ଼ା ଭାଗ କରି ଅଟୋରିକ୍‌ସାରେ ବି ଯାଆନ୍ତି । ଚିଙ୍ଗୁଡ଼ି ଧରି ଏବଂ ବିକ୍ରି କରି ଜୀବନ ନିର୍ବାହ କରୁଥିବା ଇରୁଲାର ସଂପ୍ରଦାୟର ଲୋକମାନଙ୍କ ପାଇଁ ଏହି ବନ୍ଦର ଅଞ୍ଚଳରେ ଅନେକ ଅସ୍ଥାୟୀ କୁଡ଼ିଆ ଘର ଓ ଆଶ୍ରଯସ୍ଥଳୀ ରହିଛି । ଗୋବିନ୍ଦାମ୍ମା ସେହି ଲୋକମାନଙ୍କ ସହ ଯୋଗ ଦିଅନ୍ତି ଏବଂ ତୁରନ୍ତ ନଈପାଣିକୁ ଯାଇ ନିଜ କାମରେ ଲାଗି ପଡ଼ନ୍ତି ।

ତାଙ୍କର ଦୃଷ୍ଟିଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବାରୁ କାମ କରିବାକୁ ଯିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ଗୋବିନ୍ଦାମ୍ମା କହନ୍ତି, “ଟ୍ରେନ୍‌ ଓ ଅଟୋରେ ବସିବା ପାଇଁ ମୋର ସହାୟତା ଦରକାର ହୁଏ । ମୁଁ ଆଗଭଳି ଆଉ ଦେଖିପାରୁନାହିଁ ।” ନଈ ପର୍ଯ୍ୟନ୍ତ ଯିବା ଲାଗି ତାଙ୍କୁ ଦିନକୁ ଅତି କମ୍‌ରେ ୫୦ ଟଙ୍କା ଲୋଡ଼ା ହୁଏ । “ଚିଙ୍ଗୁଡ଼ି ବିକି ମୁଁ ଦିନକୁ ମାତ୍ର ୨୦୦ ଟଙ୍କା ରୋଜଗାର କରୁଥିବା ବେଳେ ଏତେ ଟଙ୍କା ଖର୍ଚ୍ଚ କଲେ ମୁଁ କେମିତି ବଞ୍ଚିବି,” ସେ ପଚାରନ୍ତି । କେବେ କେମିତି ସେ ଦିନକୁ ୫୦୦ ଟଙ୍କା ବି ରୋଜଗାର କରନ୍ତି । କିନ୍ତୁ ଅଧିକାଂଶ ଦିନରେ ସେ ଅତି କଷ୍ଟରେ ୧୦୦ ଟଙ୍କା ପାଆନ୍ତି ଏବଂ ବେଳେବେଳେ କିଛି ହେଲେ ପାଆନ୍ତି ନାହିଁ ।

ଯେଉଁ ଦିନ ସକାଳେ ନଈରେ ଖୁବ୍‌ ବେଶୀ ଜୁଆର ଥାଏ, ରାତିରେ ଜଳସ୍ତର କମିବା ପରେ ହିଁ ଗୋବିନ୍ଦାମ୍ମା ତାଙ୍କ ଚିଙ୍ଗୁଡ଼ିଧରା ଜାଗାକୁ ଯାଆନ୍ତି । ଆଖିକୁ ଭଲ ଦେଖାଯାଉ ନଥିଲେ ମଧ୍ୟ ଅନ୍ଧାରରେ ଚିଙ୍ଗୁଡ଼ି ଧରିବା ତାଙ୍କୁ ସହଜ ମନେହୁଏ । ହେଲେ ପାଣିରେ ଥିବା ସାପ, ଏବଂ ରୁଂ କେଡ଼ତି (ଧୂସର ରଙ୍ଗର ମାଗୁର ମାଛ)କୁ ସେ ଭୟ କରନ୍ତି । ସେ କହନ୍ତି, “ମୁଁ ଠିକ୍‌ରେ ଦେଖିପାରେନାହିଁ...ମୁଁ ଜାଣେନି ମୋ ପାଦରେ କ’ଣ ବାଜୁଛି...ଏଇଟା ସାପ ନା ଜାଲ ।”

ଗୋବିନ୍ଦାମ୍ମା କହନ୍ତି, “ଏହାର କାମୁଡ଼ାରୁ ନିଜକୁ ବଞ୍ଚାଇ ଆମକୁ ଘରକୁ ଫେରିବାକୁ ପଡ଼ିବ । ଯଦି ଏଇ କଳା ମାଛ (ଧୂସର ରଙ୍ଗର ମାଗୁର ମାଛ) ହାତକୁ ବାଡ଼େଇ ଦିଏ, ତେବେ ଆମେ ସାତ ଆଠ ଦିନ ଯାଏ ଆଉ ଘରୁ ଉଠିପାରିବୁନି ।” ଏହି ଧୂସର ମାଗୁର ମାଛର ଦୁଇ ପଟ ଗାଲିରୁ ଝରୁଥିବା ତରଳ ପଦାର୍ଥ ( Plotosus canius ) ବିଷଯୁକ୍ତ ଏବଂ ଏହା ଦ୍ୱାରା ଯନ୍ତ୍ରଣାଦାୟକ କ୍ଷତ ମଧ୍ୟ ସୃଷ୍ଟି ହୋଇପାରେ । “ଏମିତି କି ଔଷଧ ଖାଇଲେ ବି ସେ ଯନ୍ତ୍ରଣାରୁ ମୁକ୍ତି ମିଳିବନି । ଯୁବା ବୟସର ହାତ ଏହି କଷ୍ଟ ସହିପାରିବ । ହେଲେ ମୁଁ କେମିତି ସହିବି, ମୋତେ କହନ୍ତୁ ତ ?”

PHOTO • M. Palani Kumar

ବକିଂହାମ କେନାଲରେ ଚିଙ୍ଗୁଡ଼ି ଧରି ନିଜ ପାଟିରେ ଧରିଥିବା ଗୋଟିଏ ଟୋକେଇରେ ରଖୁଛନ୍ତି ଗୋବିନ୍ଦାମ୍ମା

PHOTO • M. Palani Kumar

ଗୋବିନ୍ଦାମ୍ମାଙ୍କ ହାତରେ କଟାଦାଗ ଓ କ୍ଷତଚିହ୍ନ । ବାଲିରେ ହାତ ପୂରାଇ ଚିଙ୍ଗୁଡ଼ି ଧରିବା ଯୋଗୁଁ ହାତରେ ଗଭୀର କ୍ଷତ ହୁଏ

ଏନ୍ନୋରରେ ସ୍ଥାପିତ ବିଭିନ୍ନ ତାପଜ ବିଦ୍ୟୁତ କେନ୍ଦ୍ରରୁ ମନଇଚ୍ଛା ଛଡ଼ା ଯାଉଥିବା କୁଢ଼ କୁଢ଼ ପାଉଁଶ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ନଈରେ ଛୋଟ ଛୋଟ ପାହାଡ଼ ଭଳି ଜମି ରହିଥିବାରୁ ଏବଂ ପାଣିସୁଅରେ ବାଧା ସୃଷ୍ଟି କରୁଥିବାରୁ ତାଙ୍କ ସମସ୍ୟା ବହୁଗୁଣିତ ହୋଇଛି। “ ଅନ୍ଦ ସଗଦି ପାରୁ (ସେଇ କାଦୁଅ ମନ୍ଦାକୁ ଦେଖ),” ଫଟୋ ଉଠାଇବା ପାଇଁ ମୁଁ ପାଣିରେ ପଶିବା ବେଳେ ସେ କହନ୍ତି, “ କାଲା ଏଡୁତୁ ବଚ୍ଚୁ ପୋଗା ନମକୁ ସତ୍ତୁ ପୋୟିଡୁଦି (ଏଇଠୁ ଖାଲି ମୋ ଗୋଡ଼ ଉଠାଇବାରେ ହିଁ ମୋର ସବୁ ଶକ୍ତି ଚାଲିଯାଏ)।”

ବକିଂହାମ କେନାଲକୁ ଘେରି ରହିଥିବା ଏନ୍ନୋର-ମାନାଲି ଶିଳ୍ପାଞ୍ଚଳରେ ତାପଜ ବିଦ୍ୟୁତ କେନ୍ଦ୍ର, ପେଟ୍ରୋ-କେମିକାଲ ଏବଂ ସାର ଫ୍ୟାକ୍ଟରୀ ସମେତ ଅତି କମ୍‌ରେ ୩୪ଟି ବଡ଼ ବଡ଼ ବିପଜ୍ଜନକ ଶିଳ୍ପ ସଂସ୍ଥା ରହିଛି । ସେଠାରେ ତିନିଟି ବଡ଼ ବଡ଼ ବନ୍ଦର ମଧ୍ୟ ଅବସ୍ଥିତ । ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ ଏଠାକାର ଜଳାଶୟଗୁଡ଼ିକୁ ପ୍ରଦୂଷିତ କରିବା ସହିତ ଏହି କାରଣରୁ ସମୁଦ୍ର ସଂପଦ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ସ୍ଥାନୀୟ ମତ୍ସ୍ୟଜୀବୀମାନେ କହନ୍ତି ଯେ ଦୁଇ ଦଶନ୍ଧି ତଳେ ସେମାନେ ୬-୭ ପ୍ରକାରର ଚିଙ୍ଗୁଡ଼ି ପାଉଥିବା ବେଳେ ଏବେ ଏହା କେବଳ ୨-୩ଟି ପ୍ରକାରରେ ସୀମିତ ରହିଛି ।

ବର୍ଷକୁ ବର୍ଷ ଚିଙ୍ଗୁଡ଼ି ସଂଖ୍ୟା କମିବା କାରଣରୁ ଗୋବିନ୍ଦାମ୍ମା ଚିନ୍ତିତ ହୋଇପଡ଼ିଛନ୍ତି । ସେ କହନ୍ତି, “ଯେତେବେଳେ ପ୍ରବଳ ବର୍ଷା ହୁଏ ଆମେ ବହୁ ଅଧିକ ଚିଙ୍ଗୁଡ଼ି ପାଇଥାଉ । ଚିଙ୍ଗୁଡ଼ି ଧରି ଦିନ ୧୦ଟା ସୁଦ୍ଧା ଆମେ ଏହାକୁ ବିକିବାକୁ ଯାଉଥିଲୁ । ଆମକୁ ଏବେ ଆଗ ଭଳି ସେତେ ବେଶୀ ଚିଙ୍ଗୁଡ଼ି ମିଳୁନାହିଁ । ଅନ୍ୟ ଋତୁରେ, ଅଧା କିଲୋରୁ ଏକ କିଲୋ ଚିଙ୍ଗୁଡ଼ି ପାଇବାକୁ ଆମକୁ ଉପରବେଳା (ଅପରାହ୍‌ଣ ୨ଟା) ଯାଏ କାମ କରିବାକୁ ପଡ଼େ ।” ଫଳରେ ଏହି ଚିଙ୍ଗୁଡ଼ି ଦିନ ଶେଷରେ ବିକ୍ରି ହୋଇଥାଏ ।

ଅଧିକାଂଶ ଦିନ ଚିଙ୍ଗୁଡ଼ି ବିକିବା ଲାଗି ତାଙ୍କୁ ରାତି ୯ଟା କିମ୍ବା ୧୦ଟା ଯାଏ ଅପେକ୍ଷା କରିବାକୁ ପଡ଼େ । “ଯେଉଁ ଲୋକମାନେ ମୋ ପାଖରୁ ଚିଙ୍ଗୁଡ଼ି କିଣିବାକୁ ଆସନ୍ତି ସେମାନେ କମ୍‌ ଦରରେ ନେବାକୁ ମୂଲଚାଲ କରନ୍ତି । ମୁଁ କ’ଣ ବା କରିବି ? ଏହାକୁ ବିକିବା ଲାଗି ଆମକୁ ଟାଣ ଖରାରେ ବସିବାକୁ ପଡ଼େ । ଲୋକେ ଏକଥା ବୁଝନ୍ତିନି । ତୁମେ ବି ତ ଦେଖୁଛ- ଦେଖ, କେମିତି ଏହି ଦୁଇ ଭାଗ ଚିଙ୍ଗୁଡ଼ି ବିକିବା ଲାଗି ଆମକୁ କେତେ ସଂଘର୍ଷ କରିବାକୁ ପଡୁଛି,” ଗୋବିନ୍ଦାମ୍ମା କହନ୍ତି । ୨୦-୨୫ଟି ଚିଙ୍ଗୁଡ଼ି ଥିବା ପ୍ରତିଟି ଭାଗ ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହୁଏ । “ମୁଁ ଜାଣିନି, ଆଉ ଅନ୍ୟ କାମ ସବୁ କେମିତି କରିବି, ଏଇଟା ହିଁ ତ ମୋ ଜୀବିକା,” ଦୀର୍ଘଶ୍ୱାସ ଛାଡ଼ି ସେ କହନ୍ତି ।

PHOTO • M. Palani Kumar
PHOTO • M. Palani Kumar

ବାମ : ତାଙ୍କ ମାଛଧରା ଉପକରଣ, ଯାହା କି ତାଙ୍କର ଏକମାତ୍ର ଜୀବନରେଖା । ଡାହାଣ : ତାଙ୍କ କାମ ସରିବା ପରେ ଢୋକେ ପାଣି ପିଇବା ଲାଗି ବକିଂହାମ କେନାଲ ନିକଟରେ ବସି ପଡ଼ନ୍ତି ଗୋବିନ୍ଦାମ୍ମା

PHOTO • M. Palani Kumar
PHOTO • M. Palani Kumar

ବାମ : କାମରାଜର ବନ୍ଦର ପାଖ ସେଣ୍ଟ ମେରୀଙ୍କ ଚର୍ଚ୍ଚ ନିକଟରେ ଗାଡ଼ିକୁ ଅପେକ୍ଷା । ଡାହାଣ : ଆତିପଟ୍ଟୁ ପୁଡୁନଗରର ତିରୁବୋଟ୍ଟି ୟୁ ର ରାଜପଥ କଡ଼ରେ ଗୋବିନ୍ଦାମ୍ମା ତାଙ୍କ ଚିଙ୍ଗୁଡ଼ି ବିକନ୍ତି, ୨୦ - ୨୫ ଟି ଚିଙ୍ଗୁଡ଼ି ଥିବା ପ୍ରତି ଭାଗ ୧୦୦ - ୧୫୦ ଟଙ୍କାରେ ବିକ୍ରି ହୁଏ

ସଂରକ୍ଷଣ ପାଇଁ ଗୋବିନ୍ଦାମ୍ମା ଚିଙ୍ଗୁଡ଼ିକୁ ବରଫରେ ରଖନ୍ତି ନାହିଁ । ବରଂ ଓଦାଳିଆ ଏବଂ ତାଜା ରଖିବା ପାଇଁ ଏଥିରେ ବାଲି ଛିଞ୍ଚି ଦିଅନ୍ତି । “ଲୋକେ (ଗରାଖମାନେ) ଏହାକୁ ଘରକୁ ନେଇ ରାନ୍ଧିଲା ଯାଏ ଏହା ତଟକା ରହିଥିବ । ତମେ ଜାଣିଛ, ରନ୍ଧା ହେଲେ ଏହା କେଡ଼େ ସୁଆଦିଆ ଲାଗେ ?” ସେ ମୋତେ ପଚାରନ୍ତି । “ମୁଁ ଯେଉଁଦିନ ଚିଙ୍ଗୁଡ଼ି ଧରେ, ସେହି ଦିନ ହିଁ ଏହାକୁ ବିକିବାକୁ ପଡ଼େ । ତାହେଲେ ହିଁ ମୁଁ କାଞ୍ଜି (ଖେଚେଡ଼ି) ଖାଇପାରେ ଏବଂ ମୋ ନାତିନାତୁଣୀଙ୍କ ପାଇଁ କିଛି କିଣିପାରେ । ତା ନହେଲେ, ମୋତେ ଭୋକରେ ରହିବାକୁ ପଡ଼େ ।”

ଖୁବ୍‌ କମ୍‌ ବୟସରୁ ହିଁ ସେ ଚିଙ୍ଗୁଡ଼ି ଧରିବାର ‘କଳା’ ଶିଖିନେଲେ । ଅତୀତକୁ ମନେ ପକାଇ ଗୋବିନ୍ଦାମ୍ମା କହନ୍ତି, “ପଢ଼ିବାକୁ କି ଲେଖିବାକୁ ମୋ ବାପାମାଆ ମୋତେ ସ୍କୁଲ ପଠାଇଲେନି । ବରଂ ମୋତେ ନଈକୁ ନେଇ ଚିଙ୍ଗୁଡ଼ି ଧରିବା ଶିଖାଇଲେ’’। ‘‘ଜୀବନ ସାରା ମୁଁ ପାଣିରେ କାଟିଛି । ଏହି ନଈ ହିଁ ମୋ ପାଇଁ ସବୁକିଛି । ଏହା ବ୍ୟତୀତ, ମୋର ଆଉ କିଛି ନାହିଁ । ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୋ ପିଲାଙ୍କ ତୁଣ୍ଡରେ ଆହାର ଦେବାକୁ ମୁଁ କେତେ ଯେ ସଂଘର୍ଷ କରିଛି, ସେ କଥା କେବଳ ଭଗବାନ ହିଁ ଜାଣନ୍ତି । ମୁଁ ଯଦି ଏ ନଈରୁ ଚିଙ୍ଗୁଡ଼ି ଧରି ନଥାଆନ୍ତି, ତେବେ ମୁଁ ବଞ୍ଚି ନଥାଆନ୍ତି ।

ତାଙ୍କ ମାଆ ନଈରୁ ଚିଙ୍ଗୁଡ଼ି ଧରି ଏବଂ ବିଭିନ୍ନ ପ୍ରକାର ଚୁନା ମାଛ କିଣାବିକା କରି ଗୋବିନ୍ଦାମ୍ମା ଓ ତାଙ୍କର ଚାରି ଭାଇ ଭଉଣୀଙ୍କୁ ବଡ଼ କରିଥିଲେ । ତାଙ୍କୁ ୧୦ ବର୍ଷ ବୟସ ହୋଇଥିବା ବେଳେ ଗୋବିନ୍ଦାମ୍ମାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । “ମୋ ମାଆ ଆଉ ବିବାହ କଲେନି । ଆମମାନଙ୍କର ଯତ୍ନ ନେବାରେ ହିଁ ସେ ତାଙ୍କ ସାରା ଜୀବନ ବିତାଇ ଦେଲେ । ତାଙ୍କ ବୟସ ଏବେ ୧୦୦ ବର୍ଷରୁ ଅଧିକ । ସୁନାମି କଲୋନିର ଲୋକେ ତାଙ୍କୁ କଲୋନିର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି କହନ୍ତି’’।

ଗୋବିନ୍ଦାମ୍ମାଙ୍କ ପିଲାମାନଙ୍କ ଜୀବନ ବି ଏହି ନଦୀ ଉପରେ ନିର୍ଭର କରେ । ସେ କହନ୍ତି, “ମୋ ଝିଅ ଗୋଟେ ମଦୁଆକୁ ବାହା ହୋଇଛି । ସେ କୌଣସି କାମ ଠିକ୍‌ ଭାବରେ କରେନି । ତା ଶାଶୁ ହିଁ ଚିଙ୍ଗୁଡି ଧରି ଓ ବିକ୍ରି କରି ସେମାନଙ୍କୁ ଖାଇବାକୁ ଦିଏ ।”

PHOTO • M. Palani Kumar

କୋସସ୍‌ତାଲାଇୟାର ନଦୀରୁ ମାଛ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ସେଲ୍ଲାୟା । ୨୦୨୧ ରେ ଏହି ଫଟୋ ଉଠାଯାଇଥିଲା

PHOTO • M. Palani Kumar

ସେଲ୍ଲାୟା (ବାମ) ଧରିଥିବା ମାଛ ସହିତ ଗୋଟିଏ ଜାଲକୁ ଧରିଛନ୍ତି, ତେଣେ କୋସସ୍‌ତାଲାଇୟାର ନଈକୂଳରେ ଥିବା ତାଙ୍କ ଅସ୍ଥାୟୀ ତମ୍ବୁ ପାଖରେ ତାଙ୍କ ସ୍ତ୍ରୀ ପରିବାର ପାଇଁ ଖାଦ୍ୟ ରାନ୍ଧୁଛନ୍ତି

ମୃତ୍ୟୁ ସମୟରେ ତାଙ୍କ ବଡ଼ପୁଅ ସେଲ୍ଲାୟାଙ୍କୁ ୪୫ ବର୍ଷ ହୋଇଥିଲା। ସେ ମଧ୍ୟ ପରିବାର ଚଳାଇବାକୁ ଚିଙ୍ଗୁଡ଼ି ଧରୁଥିଲେ। ୨୦୨୧ରେ ମୁଁ ତାଙ୍କୁ ଭେଟିବା ସମୟରେ, ପୁରୁଣା ଦିନର କଥା ମନେ ପକାଇ ସେ କହିଥିଲେ: “ମୋ ପିଲାଦିନେ ମୋ ବାପାମାଆ ନଈକୁ ଯିବା ଲାଗି ଭୋର ୫ଟାରୁ ଘରୁ ବାହାରି ପଡୁଥିଲେ। ସେମାନେ ରାତି ୯ଟା କି ୧୦ଟାରେ ଫେରୁଥିଲେ। ମୁଁ ଓ ମୋ ଭଉଣୀ ଭୋକରେ ଶୋଇପଡୁଥିଲୁ। ମୋ ବାପାମାଆ କିଛି ଚାଉଳ ନେଇ ଘରକୁ ଆସୁଥିଲେ, ରାନ୍ଧୁଥିଲେ ଏବଂ ଆମକୁ ନିଦରୁ ଉଠାଇ ଖାଇବାକୁ ଦେଉଥିଲେ।”

ତାଙ୍କୁ ୧୦ ବର୍ଷ ବୟସ ହୋଇଥିବା ବେଳେ ଆଖୁ ଫ୍ୟାକ୍‌ଟରୀରେ କାମ କରିବା ଲାଗି ସେଲ୍ଲାୟା ଆନ୍ଧ୍ର ପ୍ରଦେଶକୁ ପଳାଇ ଯାଇଥିଲେ। ସେ କହିଲେ, “ମୁଁ ସେଠାରେ ଥିବା ବେଳେ ଦିନେ ମୋ ବାପା ଚିଙ୍ଗୁଡ଼ି ଧରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ପ୍ରାଣ ହରାଇଲେ। ସେତେବେଳେ ମୁଁ ମୋ ବାପାଙ୍କ ମୁହଁ ବି ଦେଖିପାରି ନଥିଲି’’। ତାଙ୍କ ମୃତ୍ୟୁ ପରେ, ମୋ ମାଆ ସବୁକିଛି କଲେ। ତାଙ୍କର ଅଧିକାଂଶ ସମୟ ସେ ନଈରେ ହିଁ କାଟନ୍ତି।”

ଫ୍ୟାକ୍ଟ୍ରିରେ ତାଙ୍କୁ ଠିକ୍‌ ସମୟରେ ଦରମା ମିଳୁ ନଥିଲା। ତେଣୁ ସେଲ୍ଲାୟା ଘରକୁ ଫେରି ଆସି ମାଆଙ୍କ ସହ କାମ କରିବାରେ ଲାଗିଲେ। ହେଲେ, ମାଆଙ୍କ ଭଳି ହାତରେ ନ ଧରି ଚିଙ୍ଗୁଡ଼ି ଧରିବାକୁ ଜାଲ ବ୍ୟବହାର କରୁଥିଲେ ସେଲ୍ଲାୟା ଓ ତାଙ୍କ ସ୍ତ୍ରୀ। ସେମାନଙ୍କର ଚାରିଟି ଝିଅ। “ମୁଁ ମୋ ବଡ଼ଝିଅକୁ ବାହା ଦେଇ ସାରିଛି। ଆଉ ଜଣେ ଗ୍ରାଜୁଏସନ୍‌ (ବିଏ-ଇଂଲିଶ) ପଢୁଛି  ଏବଂ ବାକି ଦୁଇ ଜଣ ସ୍କୁଲକୁ ଯାଉଛନ୍ତି। ଚିଙ୍ଗୁଡ଼ି ବିକି ମୁଁ ଯେଉଁ ପଇସା ପାଏ ତାହା ସେମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରିଦିଏ,” ସେଲ୍ଲାୟା କହିଲେ। “ଗ୍ରାଜୁଏସନ୍‌ କଲା ପରେ ମୋ ଝିଅ ଆଇନ ପଢ଼ିବ ବୋଲି ଚାହୁଁଛି । ସେଥିରେ ମୋତେ ତା’ର ସହାୟତା କରିବାକୁ ହେବ।”

ହେଲେ, ତାଙ୍କ ଇଚ୍ଛା ପୂରଣ ହୋଇପାରିନି । ୨୦୨୨ ମାର୍ଚ୍ଚରେ କୌଣସି ଏକ ପାରିବାରିକ ବିବାଦ କାରଣରୁ ସେଲ୍ଲାୟା ଆତ୍ମହତ୍ୟା କରି ପ୍ରାଣତ୍ୟାଗ କଲେ। ଦୁଃଖରେ ଭାଙ୍ଗି ପଡ଼ିଥିବା ଗୋବିନ୍ଦାମ୍ମା କହନ୍ତି, “କମ୍‌ ବୟସରୁ ମୁଁ ମୋ ସ୍ୱାମୀଙ୍କୁ ହରାଇଲି । ଏବେ ମୋ ପୁଅକୁ । ମୁଁ ମଲା ବେଳକୁ ମୋ ଚିତାରେ ନିଆଁ ଦେବାକୁ ମୋର ଆଉ କେହି ନାହିଁ । ମୋ ପୁଅ ମୋର ଯେମିତି ସେବା କରିଥାଆନ୍ତା, ସେମିତି କ’ଣ ଆଉ କିଏ  କରିପାରିବ ?”

PHOTO • M. Palani Kumar

ସେଲ୍ଲାୟାଙ୍କ ମୃତ୍ୟୁ ପରେ ଅରୁଣୋଦୟ ମ୍ ନଗରରେ ଥିବା ତାଙ୍କ ଘରେ ତାଙ୍କ ଫଟୋକୁ ଦେଖି କାନ୍ଦି ପକାନ୍ତି ଗୋବିନ୍ଦାମ୍ମା

PHOTO • M. Palani Kumar
PHOTO • M. Palani Kumar

ବାମ : ପୁଅର ମୃତ୍ୟୁ ପରେ ଗୋବିନ୍ଦାମ୍ମା ସ ମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଅତି କମ୍‌ ବୟସରୁ ମୁଁ ମୋ ସ୍ୱାମୀଙ୍କୁ ହରାଇଲି । ଏବେ ମୋ ପୁଅକୁ । ଡାହାଣ : ଅରୁଣୋଦୟ ମ୍‌ ନଗରର ତାଙ୍କ ଘର ସା ମ୍‌ ନାରେ ତାଙ୍କ ଚିଙ୍ଗୁଡ଼ି ଟୋକେଇ ସହିତ ଗୋବିନ୍ଦାମ୍ମା । ତାଙ୍କ ପରିବାର ଚଳାଇବା ପାଇଁ ସେ କାମ କରି ଆସୁଛନ୍ତି

ତାମିଲ ଭାଷାରେ ଏ କାହାଣୀର ରିପୋର୍ଟ ସଂଗ୍ରହ କରାଯିବା ପରେ ସେନ୍ତାଲିର ଏସ. ଏହାକୁ ଇଂରାଜୀରେ ଅନୁବାଦ କରିଛନ୍ତି । ତାମିଲ ଭାଷାର ସମ୍ପାଦନାରେ ସହାୟତା କରିବା ଲାଗି ପରୀର ତାମିଲ ଅନୁବାଦ ସମ୍ପାଦକ ରାଜସଙ୍ଗୀତନଙ୍କୁ ରିପୋର୍ଟର ଧନ୍ୟବାଦ ଜଣାଇଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

एम. पलनी कुमार पीपल्स आर्काइव ऑफ़ रूरल इंडिया के स्टाफ़ फोटोग्राफर हैं. वह अपनी फ़ोटोग्राफ़ी के माध्यम से मेहनतकश महिलाओं और शोषित समुदायों के जीवन को रेखांकित करने में दिलचस्पी रखते हैं. पलनी को साल 2021 का एम्प्लीफ़ाई ग्रांट और 2020 का सम्यक दृष्टि तथा फ़ोटो साउथ एशिया ग्रांट मिल चुका है. साल 2022 में उन्हें पहले दयानिता सिंह-पारी डॉक्यूमेंट्री फ़ोटोग्राफी पुरस्कार से नवाज़ा गया था. पलनी फ़िल्म-निर्माता दिव्य भारती की तमिल डॉक्यूमेंट्री ‘ककूस (शौचालय)' के सिनेमेटोग्राफ़र भी थे. यह डॉक्यूमेंट्री तमिलनाडु में हाथ से मैला साफ़ करने की प्रथा को उजागर करने के उद्देश्य से बनाई गई थी.

की अन्य स्टोरी M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE