ଭୁଲ୍ ହୋଇଗଲେ କିଛି ବି ଲାଭ ମିଳିବନି

ଅମନଙ୍କ ତୀକ୍ଷ୍ଣ ଦୃଷ୍ଟି ଗ୍ରାହକଙ୍କ କାନ ଉପରେ ନିବଦ୍ଧ ରହିଛି କାରଣ ସେ ପତଳା କାନ ଗଇ କଢ଼ାରେ ତାଙ୍କର କାନ ସଫା କରୁଛନ୍ତି। ଉପକରଣର ଧାରୁଆ ଅଂଶ କାନରେ ନ ବାଜିବା ପାଇଁ ତାର ଅଗରେ ତୁଳା ଗୁଡ଼ା ହୋଇଛି। ଏହି କାମ ଧୀରେ ଧୀରେ କରିବାକୁ ହେବ ନହେଲେ କାନ ଭିତରେ ଖଣ୍ଡିଆ ହୋଇଯିବ କିମ୍ୱା କାନ ଝିଲ୍ଲୀର କ୍ଷତି ହେବ। “କାନରୁ କେବଳ ଗଇ ହିଁ କଢ଼ାଯିବା ଦରକାର,” ସେ ଆପଣଙ୍କୁ ମନେ ପକାଇ ଦେଉଛନ୍ତି।

ଶାଖା ପ୍ରଶାଖା ମେଲିଥିବା ଗୋଟିଏ ଓସ୍ତ ଗଛର ଛାଇ ତଳେ ବସି ସେ ପରୀ ସହ କଥା ହେଉଥିଲେ। ତାଙ୍କ ପାଖରେ ଥୁଆ ହୋଇଥିଲା ଉପକରଣଗୁଡ଼ିକ ଥିବା ଏକ କଳା ବ୍ୟାଗ୍। ତା ଭିତରେ ଥିଲା କାନ ଗଇ କଢ଼ା, ଚିମୁଟା (ଟ୍ୱିଜର୍) ଏବଂ ତୁଳା। ଏସବୁ ବ୍ୟତୀତ ଜଡ଼ିବୁଟିରେ ତିଆରି ଔଷଧୀୟ ତେଲର ଗୋଟିଏ ଶିଶି ମଧ୍ୟ ସେହି ବ୍ୟାଗରେ ଥିଲା। ଅମନଙ୍କ କହିବା ଅନୁଯାୟୀ ସେହି ତେଲ ହେଉଛି ତାଙ୍କ ପରିବାରର କାନ ସଫା କରିବାର ସିକ୍ରେଟ ଫର୍ମୁଲା।

“କାନ ଗଇ କଢ଼ାରେ ମଇଳା ବାହାର କରୁ ନ ହେଲେ ଚିମୁଟାରେ ଟାଣି ଦେଉ।” ଔଷଧୀୟ ତେଲ କେବଳ ସେତେବେଳେ ବ୍ୟବହାର କରାଯାଏ ଯେତେବେଳେ କାହା କାନରେ ଗେଟି ହୋଇଯାଇଥାଏ। “କାନରେ ସଂକ୍ରମଣ ହୋଇଥିଲେ ଆମେ ତାର ଚିକିତ୍ସା କରୁନା। ଆମେ କେବଳ କାନରୁ ମଇଳା କାଢ଼ୁ ଏବଂ ଯଦି କାନ କୁଣ୍ଡାଇ ହେଉଥାଏ, ତେବେ ସେଥିରେ ତେଲ ଲଗାଇ ଦେଉ।” ଅମନଙ୍କ କହିବା କଥା ହେଲା କାନ କୁଣ୍ଡେଇ ହେବାବେଳେ ଲୋକେ ସାବଧାନତାର ସହ ଏହାକୁ କୁଣ୍ଡାନ୍ତି ନାହିଁ, ଫଳସ୍ୱରୂପ କାନ ଖଣ୍ଡିଆ ହୋଇଯାଏ।

PHOTO • Sanskriti Talwar
PHOTO • Sanskriti Talwar

ବାମ: ଅମନ ସିଂଙ୍କ ଉପକରଣ ସବୁ ହେଉଛି ଗୋଟିଏ କାନ ଗଇ କଢ଼ା (ଛୁଞ୍ଚୀ ଭଳି ଉପକରଣ), ଚିମୁଟା (ଟ୍ୱିଜର୍), ତୁଳା ଏବଂ ଜଡ଼ିବୁଟିରେ ତିଆରି ଔଷଧୀୟ ତେଲର ବୋତଲ। ସେ ଏସବୁକୁ ଗୋଟିଏ କଳା ବ୍ୟାଗ୍ ରେ ରଖି ଚାଲନ୍ତି। ଡାହାଣ:  ଔଷଧୀୟ ତେଲ ଜଡ଼ିବୁଟିରେ ତିଆରି ହୋଇଥାଏ ଏବଂ ତାର ପ୍ରସ୍ତୁତି ପ୍ରଣାଳୀ ହେଉଛି ପରିବାରର ଗୋଟିଏ ଗୁପ୍ତ ରହସ୍ୟ

PHOTO • Sanskriti Talwar
PHOTO • Sanskriti Talwar

ବାମ: ଅମନ ସିଂ କହନ୍ତି ଯେ ତାଙ୍କ ନାଲି ପଗଡ଼ି ହେଉଛି ତାଙ୍କର ପରିଚୟ। ‘ଆମେ ଏଇଟା ନ ପିନ୍ଧିଲେ କେମିତି କିଏ ଜାଣିବ ଯେ ଜଣେ କାନ ସଫାଳି ଯାଉଛି?’ ଡାହାଣ: ଅମନ ଶେଷରେ ଜଣେ ଗ୍ରାହକଙ୍କୁ ପାଇଲେ ଯିଏ ଅମ୍ବା ସିନେମାକୁ ଗୋଟିଏ ମ୍ୟାଟିନି ମୁଭି ଦେଖିବାକୁ ଆସିଥିଲେ

ଅମନ ୧୬ ବର୍ଷ ବୟସରେ ତାଙ୍କ ବାପା ବିଜୟ ସିଂଙ୍କଠାରୁ କାନ ସଫା କରିବା ଶିଖିଲେ। ହରିୟାଣାର ରେୱାରି ଜିଲ୍ଲାର ରାମପୁରାରେ ଏହା ହେଉଛି ସେମାନଙ୍କର ପାରିବାରିକ ବୃତ୍ତି। ଅମନ ପ୍ରଥମେ ନିଜ ପରିବାର ଲୋକଙ୍କର କାନ ସଫା କରି ଏହି କାମର ଅଭ୍ୟାସ କଲେ। “ପ୍ରଥମ ଛଅ ମାସ ପାଇଁ, ଆମେ କାନ ଗଇ କଢ଼ା ଓ ଚିମୁଟା ସାହାଯ୍ୟରେ ନିଜ ପରିବାର ଲୋକଙ୍କର କାନ ସଫା କରୁ। ବିନା କ୍ଷତ ଓ ଯନ୍ତ୍ରଣାରେ ସେମାନଙ୍କ କାନ ସଫା କରି ସାରିବା ପରେ ଆମେ ଘର ବାହାରକୁ କାମ କରିବାକୁ ବାହାରିଯାଉ,” ସେ କହନ୍ତି।

ଅମନ ତାଙ୍କ ପରିବାରର ତୃତୀୟ ପୀଢ଼ିର କାନ ସଫାଳି। ତାଙ୍କ ସ୍କୁଲ ପାଠପଢ଼ା ବିଷୟରେ ପଚାରିବାରୁ ସେ କହିଲେ ଯେ ସେ କେବେ ସ୍କୁଲ ଯାଇ ନାହାଁନ୍ତି। ନିଜକୁ ସେ ଜଣେ ନିରକ୍ଷର ବୋଲି କହନ୍ତି। ତାଙ୍କ ମତରେ, “ଟଙ୍କା ବଡ଼ ଜିନିଷ ନୁହେଁ। କାହାର କାନ ଖରାପ ହେବା ଉଚିତ ନୁହେଁ।”

ଦିଲ୍ଲୀ ଆସିବା ଆଗରୁ ପରିବାର ଲୋକଙ୍କ ପରେ ତାଙ୍କ ପ୍ରଥମ ଗ୍ରାହକ ଥିଲେ  ହରିୟାଣାର ଗୁରୁଗାଓଁର ଲୋକମାନେ। ଅମନ କହନ୍ତି, ଦିନ ଥିଲା ସେ ଜଣ ପିଛା କାନ ସଫା କରିବା ପାଇଁ ୫୦ ଟଙ୍କା ଚାର୍ଜ କରି ଦିନକୁ ୫୦୦-୭୦୦ ଟଙ୍କା ରୋଜଗାର କରିପାରୁ ଥିଲେ। “ଏବେ ମୁଁ ବହୁ କଷ୍ଟରେ ଦିନକୁ ମାତ୍ର ୨୦୦ ଟଙ୍କା ରୋଜଗାର କରିପାରୁଛି।”

ସେ ଦିଲ୍ଲୀର ଡକ୍ଟର ମୁଖାର୍ଜୀ ନଗରରେ ରୁହନ୍ତି। ଘରୁ ବାହାରି ସେ ଚାରି କିଲୋମିଟରର ଜନଗହଳି ରାସ୍ତା ଦେଇ ଗ୍ରାଣ୍ଡ ଟ୍ରଙ୍କ୍ ରୋଡରେ ଥିବା ଅମ୍ବା ସିନେମା ହଲଠାରେ ପହଞ୍ଚନ୍ତି। ସେଠାରେ ପହଞ୍ଚିବା ପରେ ଅମନ୍ ଦେଖିବା ଆରମ୍ଭ କରିଦିଅନ୍ତି ଯେ କୋଉଁମାନେ ତାଙ୍କର ଗ୍ରାହକ ହୋଇ ପାରିବେ, ବିଶେଷ କରି ଯେଉଁମାନେ ସକାଳର ଶୋ ଦେଖିବାକୁ ଆସିଥାନ୍ତି, ସେମାନେ ଅମନଙ୍କର ସମ୍ଭାବ୍ୟ ଗ୍ରାହକ। ନାଲି ପଗଡ଼ି ହେଉଛି ତାଙ୍କର କାନ ସଫାଳି ହେବାର ପରିଚୟ। “ଆମେ ଏଇଟା ନ ପିନ୍ଧିଲେ କେମିତି କିଏ ଜାଣିବ ଯେ ଜଣେ କାନ ସଫାଳି ଯାଉଛି?”

PHOTO • Sanskriti Talwar
PHOTO • Sanskriti Talwar

ବାମ: ପ୍ରତିଦିନ ସକାଳେ, ଅମନ ସିଂ ଡକ୍ଟର ମୁଖାର୍ଜୀ ନଗରର ବନ୍ଦ ବାହାଦୂର ମାର୍ଗ ଡିପୋ ପାଖରେ ଥିବା ତାଙ୍କ ଘରୁ ବାହାରି ଗୋଟେ ଘଣ୍ଟା ଧରି ଚାଲି ଚାଲି ଯାଇ ପହଞ୍ଚନ୍ତି ଦିଲ୍ଲୀର ଗ୍ରାଣ୍ଡ ଟ୍ରଙ୍କ୍ ରୋଡରେ ଥିବା ଅମ୍ବା ସିନେମା ନିକଟରେ। ଡାହାଣ: ଅମନ୍ ଦିଲ୍ଲୀ ୟୁନିଭରସିଟିର ନର୍ଥ କ୍ୟାମ୍ପସ୍ ପାଖରେ ଥିବା କମଳା ନଗର ମାର୍କେଟର ଲେନରେ ବୁଲୁଛନ୍ତି

ଅମ୍ବା ସିନେମା ପାଖରେ ଗୋଟିଏ ଘଣ୍ଟା ଧରି ଅପେକ୍ଷା କରିବା ପରେ ଅମନ୍ ୧୦ ମିନିଟ୍ ଦୂରରେ ଥିବା ଦିଲ୍ଲୀ ୟୁନିଭରସିଟିର ନର୍ଥ କ୍ୟାମ୍ପସ୍ ପାଖରେ କମଳା ନଗରର ଲେନ୍ ଗୁଡ଼ିକରେ ବୁଲନ୍ତି। ମାର୍କେଟ ଛାତ୍ରଛାତ୍ରୀ, ବ୍ୟସ୍ତ ବିକାଳି ଏବଂ କାମ ଅପେକ୍ଷାରେ ଥିବା ଦିନ ମଜୁରିଆଙ୍କର ଗହଳ ଲାଗିଥାଏ। ଅମନଙ୍କ ପାଇଁ ପ୍ରତ୍ୟେକ ବ୍ୟକ୍ତି ଜଣେ ସମ୍ଭାବ୍ୟ ଗ୍ରାହକ, ତେଣୁ ସେ ପଚାରି ପଚାରି ବୁଲୁଥାନ୍ତି, “ଭାଇ କାନ ସଫା କରିବେ କି? ଥରେ ଦେଖିବାକୁ ଦିଅନ୍ତୁ।”

ସେମାନେ ମନା କରି ଦିଅନ୍ତି।

୧୨ଟା ୪୫ ହେବା ବେଳକୁ ସେ ଅମ୍ବା ସିନେମାକୁ ଫେରିବାକୁ ବାହାରିଲେ।। କାରଣ ସେତେବେଳକୁ ସେକେଣ୍ଡ ଶୋ ଆରମ୍ଭ ହୁଏ। ଶେଷରେ ତାଙ୍କୁ ଜଣେ ଗ୍ରାହକ ମିଳିଲେ।

*****

ମହାମାରୀ ସମୟରେ, ଯେତେବେଳେ କାମ ମିଳିବାର ସୁଯୋଗ ବିଶେଷ କରି କମ୍ ଥିଲା, ଅମନ୍ ରସୁଣ ବିକିବା ଆରମ୍ଭ କରି ଦେଇଥିଲେ। “ମୁଁ ପାଖ ବଜାରରୁ (ହୋଲସେଲ୍ ମାର୍କେଟ) ସକାଳ ୭ଟା:୩୦ ବେଳକୁ ୧୦୦୦ ଟଙ୍କାର କିମ୍ୱା କିଲୋ ପିଛା ୩୫-୪୦ ଟଙ୍କାରେ ରସୁଣ କିଣେ। ତାକୁ ମୁଁ କିଲୋ ପିଛା ୫୦ ଟଙ୍କାରେ ବିକେ। ମୋର ଦିନକୁ ୨୫୦-୩୦୦ ଟଙ୍କା ଲାଭ ହୁଏ।”

କିନ୍ତୁ ଏବେ ଅମନ୍ ଆଉ ରସୁଣ ବିକା କାମ କରିବାକୁ ଚାହୁଁ ନାହାଁନ୍ତି। ତାଙ୍କ କହିବା ଅନୁଯାୟୀ ରସୁଣ ବିକା ବହୁତ କଷ୍ଟ। “ମୋତେ ପ୍ରତିଦିନ ସକାଳେ ମଣ୍ଡି ଯାଇ ରସୁଣ କିଣିବାକୁ ପଡ଼େ। ତାକୁ ଘରକୁ ଆଣି ମୁଁ ସଫା କରେ। ତାପରେ ସେଗୁଡ଼ିକୁ ବିକି ଘରକୁ ଗଲାବେଳକୁ ରାତି ୮ଟା ହୋଇଯାଏ।” ଏବେ କାନ ସଫା କାମ କରି ମୁଁ ସନ୍ଧ୍ୟା ୬ଟା ସୁଦ୍ଧା ଘରକୁ ଫେରି ପାରୁଛି।

PHOTO • Sanskriti Talwar
PHOTO • Sanskriti Talwar

ଅମନ୍ ତାଙ୍କ ଟୁଲ୍ ବ୍ୟବହାର କରି ଜଣେ ଗ୍ରାହକଙ୍କର କାନ ସଫା କରୁଛନ୍ତି

ପାଞ୍ଚ ବର୍ଷ ତଳେ ଯେତେବେଳେ ଅମନ୍ ଦିଲ୍ଲୀ ଆସିଥିଲେ, ସେ ଡକ୍ଟର ମୁଖାର୍ଜୀ ନଗରରେ ବନ୍ଦ ବାହାଦୂର ମାର୍ଗ ପାଖରେ ୩, ୫୦୦ ଟଙ୍କାରେ ଗୋଟିଏ ଘର ଭଡ଼ା ନେଇଥିଲେ। ଏବେ ବି ସେ ସେହି ଘରେ ତାଙ୍କ ସ୍ତ୍ରୀ ହିନା ସିଂ(୩୧), ଏବଂ ସେମାନଙ୍କର ୧୦ ବର୍ଷରୁ କମ୍ ତିନି ପୁଅ ନେଗି, ଦକ୍ଷ ଏବଂ ସୁହାନଙ୍କ ସହିତ ରହୁଛନ୍ତି। ତାଙ୍କ ବଡ଼ ପୁଅ ସରକାରୀ ସ୍କୁଲରେ ପଢ଼ୁଛି ଏବଂ ସେ ବଡ଼ ହେଲେ ସେଲ୍ସମ୍ୟାନ୍ ହେବ ବୋଲି ଅମନଙ୍କ ଇଚ୍ଛା। କାରଣ “ଏହି କାମରେ କିଛି ମୂଲ୍ୟ ନାହିଁ। ନା ମଣିଷର, ନା କାମର!” ଆୟ ଭୀ ନାହିଁ [ଏହି ବୃତ୍ତିରେ ନା ବ୍ୟକ୍ତି କିମ୍ବା କାମ ପାଇଁ ସମ୍ମାନ ନାହିଁ]

“କମଳାନଗର ଲେନରେ ସବୁ ବର୍ଗର ଲୋକ ଅଛନ୍ତି। ମୁଁ ଯଦି ସେମାନଙ୍କୁ କାନ ସଫା କରିବାକୁ ପଚାରୁଛି, ସେମାନେ କହୁଛନ୍ତି ଯେ ସେମାନଙ୍କୁ କୋଭିଡ୍ ହେଇଯିବ। ଦରକାର ପଡ଼ିଲେ ସେମାନେ ଡାକ୍ତରଙ୍କ ପାଖକୁ ଯାଇ କାନ ସଫା କରିଦେବେ,” ଅମନ୍ କହନ୍ତି।

“ମୁଁ ସେମାନଙ୍କୁ ଆଉ କଣ ବା କହିପାରିବି? ଠିକ୍ ଅଛି, ତାହେଲେ କାନ ସଫା କରନାହିଁ ବୋଲି କହିଦିଏ।”

*****

ଡିସେମ୍ବର ୨୦୨୨ରେ ଦିଲ୍ଲୀର ଆଜାଦପୁରରେ ଅମନଙ୍କୁ ଗୋଟିଏ ବାଇକ୍ ଧ୍କକା ଦେଇଥିଲା। ଦୁର୍ଘଟଣାରେ ତାଙ୍କର ମୁହଁ ଏବଂ ହାତରେ ଖଣ୍ଡିଆଖାବରା ହୋଇଥିଲା। ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠିରେ ଗୁରୁତର କ୍ଷତ ହୋଇଥିଲା। ସେ କାନ ସଫା କରିପାରୁ ନ ଥିଲେ।

ସୌଭାଗ୍ୟବଶତଃ, ଔଷଧ ଖାଇବା ପରେ କ୍ଷତ ଶୀଘ୍ର ଭଲ ହୋଇଗଲା। ଏବେ ସେ ବେଳେବେଳେ କାନ ସଫା କରୁଛନ୍ତି କିନ୍ତୁ ତା ସହିତ ଅଧିକ ସ୍ଥାୟୀ ରୋଜଗାର ପାଇଁ ଦିଲ୍ଲୀରେ ଫଙ୍କସନଗୁଡ଼ିକରେ ଢୋଲ ବଜାଇବା କାମ ଆରମ୍ଭ କରିଛନ୍ତି। ଥରେ ଢୋଲ ବଜାଇଲେ ତାଙ୍କୁ ୫୦୦ ଟଙ୍କା ମିଳୁଛି। ଅମନ୍ ଏବଂ ହିନାଙ୍କର ଗତ ମାସରେ ଝିଅଟିଏ ହୋଇଛି। ପରିବାର ଚଳାଇବା ପାଇଁ ତାଙ୍କୁ ଆହୁରି ଅଧିକ କାମ ଖୋଜିବାକୁ ପଡ଼ିବ ବୋଲି ଅମନ୍ କହନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Sanskriti Talwar

संस्कृति तलवार, नई दिल्ली स्थित स्वतंत्र पत्रकार हैं और साल 2023 की पारी एमएमएफ़ फेलो हैं.

की अन्य स्टोरी Sanskriti Talwar
Editor : Vishaka George

विशाखा जॉर्ज, पीपल्स आर्काइव ऑफ़ रूरल इंडिया की सीनियर एडिटर हैं. वह आजीविका और पर्यावरण से जुड़े मुद्दों पर लिखती हैं. इसके अलावा, विशाखा पारी की सोशल मीडिया हेड हैं और पारी एजुकेशन टीम के साथ मिलकर पारी की कहानियों को कक्षाओं में पढ़ाई का हिस्सा बनाने और छात्रों को तमाम मुद्दों पर लिखने में मदद करती है.

की अन्य स्टोरी विशाखा जॉर्ज
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE