କପାସିର ପରିବର୍ତ୍ତମାନ ଭାଗ୍ୟଚକ୍ର
PARIର ସ୍ୱେଚ୍ଛାସେବୀ ସଙ୍କେତ ଜୈନ ସାରା ଭାରତର ୩୦୦ ଗାଁ ପରିକ୍ରମଣ ଲାଗି ଲକ୍ଷ୍ୟ ରଖିଛନ୍ତି ଏବଂ ଅନ୍ୟାନ୍ୟ କାହାଣୀ ସହିତ ଏହି ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି: ଏକ ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଚିତ୍ର ଏବଂ ସେହି ଚିତ୍ରର ଏକ ରେଖାଚିତ୍ର। PARIର ଏକ ଶୃଙ୍ଖଳରେ ଏହା ପ୍ରଥମ । ସଂପୂର୍ଣ୍ଣ ଚିତ୍ର ବା ରେଖାଚିତ୍ର ଦେଖିବା ଲାଗି ସ୍ଲାଇଡରୁ କୌଣସି ଗୋଟିଏ ପଟକୁ ଟାଣି ନିଅନ୍ତୁ ।
ଏବେ ବି ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାର କପାସି ଗାଁରେ ଚକ ଘୂରେ, ହେଲେ ଘୂରିବାର ହାର କମି କମି ଯାଉଛି । ତାହା ହେଲା କୁମ୍ଭାର ଚକ । ଏମିତି ଏକ ଅଞ୍ଚଳରେ ଯେଉଁଠି କୁମ୍ଭକାରମାନେ ସେମାନଙ୍କ କାରିଗରୀକୁ କଳାର ଏକ ରୂପ ପ୍ରଦାନ କରିଛନ୍ତି । ଏବଂ ସେମାନେ ନିଜ ନିଜକୁ କଳାକାର ରୂପରେ ଦେଖନ୍ତି । କାଗଲ ବ୍ଲକ୍ର ଏହି ଗାଁରେ ରହନ୍ତି ପ୍ରାୟ ୬,୦୦୦ ଲୋକ । ଯାହାଙ୍କର ହାତକୁ ଆପଣ ଏଇ ଚିତ୍ର ଓ ରେଖାଚିତ୍ରରେ ଦେଖୁଛନ୍ତି, ସେ ହେଲେ ବିଷ୍ଣୁ କୁମ୍ଭାର । ସେ କହନ୍ତି, “୧୯୬୪ରେ ଏଠାରେ ୧୮୦ ଜଣ କଳାକାର ଥିଲେ । ଆଜି ମାତ୍ର ଚାରି ଜଣ ଯାହା ଏହି ବୃତ୍ତିରେ ଅଛନ୍ତି ।”
କୋହ୍ଲାପୁରୀ ମୃତ୍ତିକା ଶିଳ୍ପକୁ ବଞ୍ଚାଇ ରଖିଥିବା ଏକ ପରିବାରର ତ୍ରୟୋଦଶ ପିଢ଼ିରେ ଜନ୍ମ ନେଇଛନ୍ତି ବିଷ୍ଣୁ । ବ୍ୟବସାୟରେ ତାଙ୍କ ନିଜ ପରିବାର କେବେହେଲେ କ୍ଷତି କରିନାହିଁ । କିନ୍ତୁ “କଳାକାରମାନଙ୍କ ସଂଖ୍ୟା ଖୁବ୍ କମିଯାଇଛି” ବୋଲି କହନ୍ତି
ମୃତ୍ତିକା କାରିଗରୀରେ ଅଢ଼େଇ ଲକ୍ଷ ଘଣ୍ଟାର
ଅନୁଭୂତି ଥିବା ଏହି ବ୍ୟକ୍ତି ଜଣକ । ମୃତ୍ତିକା ଶିଳ୍ପରୁ ଜୀବନଧାରଣରେ ଅକ୍ଷମ ଲୋକେ ଏହାକୁ ଛାଡ଼ିଲେ ଏବଂ ଏହା ଲୋପ ପାଇବାରେ ଲାଗିଲା । କିନ୍ତୁ ଏହା ପଛରେ ଅନ୍ୟାନ୍ୟ କାରଣ ବି ରହିଛି । ଅନେକ ସ୍ଥାନରେ କୁମ୍ଭାର ଚକ ବଦଳରେ ଯନ୍ତ୍ରଚାଳିତ ମୃତ୍ତିକା ଶିଳ୍ପ ଗଢ଼ି ଉଠିଲା । ଯୁବ ପିଢ଼ି ଅନ୍ୟ କାର୍ଯ୍ୟକ୍ଷେତ୍ରରେ ଜୀବନ ନିର୍ବାହର ବିକଳ୍ପ ଖୋଜିଲେ । ବର୍ତ୍ତମାନ ଯେଉଁ କୁମ୍ଭାରମାନେ ଅଛନ୍ତି ସେମାନେ ବୟସ୍କ ଏବଂ ଅନେକ ପିଠି ଯନ୍ତ୍ରଣାରେ ପୀଡ଼ିତ ।
ବିଷ୍ଣୁ କହନ୍ତି, “ମୋ ପୁଅ ଚିନିକଳରେ କାମ କରେ ଏବଂ ଅଳ୍ପ କିଛି ସାହାଯ୍ୟ କରେ । ଏ କ୍ଷେତ୍ରରେ ତା’ର ପ୍ରତିଭା ସେତେଟା ବିକଶିତ ହୋଇନାହିଁ’’ । ‘‘ତେଣୁ ମୁଁ ମୋର ବୋହୂ ଅର୍ଥାତ୍ ତା’ର ସ୍ତ୍ରୀକୁ ଏହି କଳା ଜାରି ରଖିବାକୁ ତାଲିମ ଦେଉଛି ।”
ଅନୁବାଦ: ଓଡ଼ିଶାଲାଇଭ୍