ଉତ୍ତର ଦିଲ୍ଲୀର କିଷାନଗଞ୍ଜ ଅଞ୍ଚଳରେ ଥିବା ସବ୍ଜି ମଣ୍ଡିରେ ଜଣେ ଭିନ୍ନକ୍ଷମ ଦୋକାନୀ ପପ୍ପୁ କୁମାର ରାଠୋର(୩୬) କହିଲେ, “ଲୋକମାନେ ‘ଜୟ ଯବାନ, ଜୟ କିଷାନ’ କଥା କହନ୍ତି ଏବଂ ସରକାର ହୁଏତ ଯବାନମାନଙ୍କ କଥା ବୁଝୁଛନ୍ତି କିନ୍ତୁ କୃଷକମାନେ ଅନେକ ମାତ୍ରାରେ ଅବହେଳିତ ହେଉଛନ୍ତି ।’’ “ଚାଷରେ ଚାଷୀମାନେ ଯାହା ବିନିଯୋଗ କରୁଛନ୍ତି ତାହା ଫେରିପାଉନାହାନ୍ତି । ଏହା ଆଉ ଏକ ଲାଭଦାୟକ ବୃତ୍ତି ହୋଇନାହିଁ, ସେଥିପାଇଁ ଅନେକ ଚାଷ ଛାଡ଼ି ଦେଉଛନ୍ତି ।’’
ସେ ଆହୁରି କହିଲେ, “ଦରଦାମ୍ରେ ବୃଦ୍ଧି ଯୋଗୁ ଚାଷରେ ଆଉ କିଛି ସ୍ଥିରତା ରହୁନାହିଁ ।’’ “ଆମେ ମଣ୍ଡିରେ ଚାଷୀମାନଙ୍କୁ ଭେଟୁ ଏବଂ ମୁଁ ଅନେକ ଚାଷୀଙ୍କୁ ଜାଣିଛି ଯେଉଁମାନେ କି ଶ୍ରମିକ ଭାବେ କାମ କରୁଛନ୍ତି । ସରକାର ସେମାନଙ୍କର ପ୍ରସଙ୍ଗର ସମାଧାନ କରିବା ଆବଶ୍ୟକ କାରଣ ସେମାନେ ଆମର ଅନ୍ନଦାତା(ଖାଦ୍ୟ ପ୍ରଦାନକାରୀ) ।’’
ମଣ୍ଡିରେ ରାଜସ୍ଥାନର କରୌଲରୁ ଆସିଥିବା ଆଉ ଜଣେ ପରିବା ଦୋକାନୀ ରାଧେଶ୍ୟାମ ରାଠୋର କହିଲେ, “ଆମର ଏକ ଚାଷୀ ପରିବାର ଥିଲା । ଯଦି ଚାଷ କରିବା ଲାଭଦାୟକ ହୋଇଥାନ୍ତା ତା’ ହେଲେ ମୋ ବାପା ଦିଲ୍ଲୀକୁ ଆସିନଥାନ୍ତେ । ଏବେ ଆମେ ତିନି ଭାଇ ଏଠାରେ ଏହି ପରିବା ବ୍ୟବସାୟରେ ଅଛୁ ।’’
ତାଙ୍କ ପାଖରେ ବସିଥିବା ଦଳିତ ସଂପ୍ରଦାୟର ଆଳୁ ଓ ପିଆଜ ବ୍ୟବସାୟୀ ଓମପ୍ରକାଶ ରାୟସ୍ୱାଲ(୫୭) କହିଲେ, “ଆମେ ମଧ୍ୟ ଚାଷୀ ଥିଲୁ କିନ୍ତୁ ଆମର ପାରିବାରିକ ଜମି ମୋ’ ବାପାଙ୍କ ଭାଇମାନଙ୍କ ମଧ୍ୟରେ ଭାଗ ହୋଇଗଲା ପରେ ଖୁବ୍ ଛୋଟ ଖଣ୍ଡ ହୋଇଗଲା । ତେଣୁ ପ୍ରାୟ ୨୦ ବର୍ଷ ତଳେ ମୋ’ ବାପା କୋଲାନା ଗାଁ(ରାଜସ୍ଥାନର ଦୌସା ଜିଲ୍ଲାରେ ଥିବା)ରୁ ଜୀବିକାର୍ଜ୍ଜନ ପାଇଁ ଆମ ପରିବାର ସହିତ ଦିଲ୍ଲୀ ପଳାଇ ଆସିଲେ । ସେଥିପାଇଁ ଆମେ ଏଠାରେ ଅଛୁ । ଏବେ ଚାଷୀମାନେ ମୂଲ୍ୟ ପାଉନାହାନ୍ତି, ଦଲାଲ ଲାଭକୁ ନେଇଯାଉଛନ୍ତି । ଚାଷୀମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।’’
ଅନୁବାଦ: ଓଡ଼ିଶାଲାଇଭ୍