ଛଅ ମାସ ସମୟ ମଧ୍ୟରେ ସେ ତାଙ୍କ ଦୈନନ୍ଦିନ ଜୀବନର ବିଭିନ୍ନ ଫଟୋ ଉଠାଇଛନ୍ତି –ଗଛ, ଚାଷ ଜମି ଓ ଶସ୍ୟ ଅମଳ କରିବା, ପଶୁ ଓ ତାଙ୍କ ପରିବାର – କର୍ଣ୍ଣାଟକର ଚମରାଜନଗର ଜିଲ୍ଲାରେ ଅବସ୍ଥିତ ଏକ ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟ ପ୍ରାନ୍ତରେ । ଏଠାରେ ସେ ପ୍ରଥମ ଥର ପାଇଁ କ୍ୟାମେରା ବ୍ୟବହାର କରିବା ବିଷୟରେ ଜାଣିପାରିଥିଲା (ଏକ ଫୁଜିଫିଲ୍ମ, ଫାଇନ୍ପିକ୍ସ S୮୬୩୦) । ତାଙ୍କର ଫଟୋ ପ୍ରବନ୍ଧ ହେଉଛି ବନ୍ୟଜନ୍ତୁଙ୍କ ସହିତ ଜୀବନଯାପନ କରିବା ସମ୍ବନ୍ଧୀୟ ଏକ ବୃହତ୍ ସହଯୋଗମୂଳକ ଫଟୋଗ୍ରାଫି ପ୍ରକଳ୍ପ ଓ ପରୀରେ ପର୍ଯ୍ୟାୟକ୍ରମେ ପ୍ରକାଶିତ ହୋଇଥିବା ଛଅଟି ମଧ୍ୟରେ ଦ୍ୱିତୀୟ । (ଏହି କ୍ରମର ପ୍ରଥମ ପ୍ରବନ୍ଧ, ଜୟମ୍ମା ଯେତେବେଳେ ଗୋଟିଏ ଚିତା ବାଘ ଦେଖିଥିଲା , ୮ ମାର୍ଚ୍ଚ, ୨୦୧୭ ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।)
“ମୁଁ ମୋ ଲୋକମାନଙ୍କ ଫଟୋ ଉଠାଇବାକୁ ଭଲ ପାଉଥିଲି। ଅନ୍ୟମାନେ ଆମେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ଆମେମାନେ ଏଠାରେ କିଭଳି ଭାବେ ବଞ୍ଚିଥାଉ” ତାହା ଜାଣିବା ଦରକାର, ବୋଲି ନେଗି ଶିବା, ୩୩, କୁହନ୍ତି । “ମୁଁ ଆହୁରି ଅଧିକ ଫଟୋ ଉଠାଇବାକୁ ଚାହେଁ, କିନ୍ତୁ ମୋ ପାଖରେ ସମୟର ଅଭାବ ଅଛି । ମୁଁ ଗାଈମାନଙ୍କ ଘର ବାହୁଡା ବେଳର ଫଟୋ ଉଠାଇବାକୁ ଚାହେଁ । ବର୍ଷା ପରେ ଏବେ ଚାରିଆଡ ସବୁଜମୟ । ମୁଁ ମେଣ୍ଢା ବା ଛେଳିଗୁଡିକ ଚରୁଥିବା ଫଟୋ ବା ପକ୍ଷୀମାନେ ହ୍ରଦରେ ପାଣି ପିଉଥିବା ବେଳର ଫଟୋ ଉଠାଇବାକୁ ଚାହେଁ ।’’
ଏକାକୀ ଗଛ : “ଏହି ଗଛକୁ ଜଗଳ ଗାନ୍ତି ମାରା (ଲଢୁଆ ଗଛ) ବୋଲି କୁହାଯାଏ । ଏହି ଗଛକୁ କେହି ମଧ୍ୟ ନିଜ ଘରେ ବା ଜମିରେ ଲଗାନ୍ତି ନାହିଁ କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଏହି ଗଛ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇଥାଏ । ଦୀର୍ଘ ସମୟ ଧରି ଏହା ଏହି ନାମରେ ନାମିତ ହୋଇ ଆସୁଛି । ଆମେମାନେ ଏହାକୁ ବ୍ୟବହାର କରୁନାହୁଁ; ଆମେ କେବଳ ଏଥିରୁ ଜାଳେଣି ସଂଗ୍ରହ କରିଥାଉ।
ଜମିରେ କାମ କରୁଥିବା ବେଳେ : “ଏହା ଆମ ଗ୍ରାମ ନିକଟରେ ଅବସ୍ଥିତ, ମହିଳାମାନେ ଏଠାରେ ବିନ୍ସ ଅମଳ କରୁଛନ୍ତି । ଏହି ଛବିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ମୁଁ ଜାଣେ । ମୁଁ ପ୍ରାୟ ପୂର୍ବାହ୍ନ ୭ଟାରେ ଏହି ଫଟୋ ଉଠାଇଥିଲି; କେବଳ ଏହି ଫଟୋ ଉଠେଇବା ପାଇଁ ମୁଁ ଘରୁ ବାହାରକୁ ଆସିଥିଲି । କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଭୋର୍ ସମୟରୁ ଆସନ୍ତି ଓ ଜମିରେ କାମ କରନ୍ତି । ମୁଁ ମଧ୍ୟ ଜମିରେ କାମ କରୁଥିଲି, କିନ୍ତୁ ବର୍ତ୍ତମାନ ମୁଁ ଅନ୍ୟ ଚାକିରି କରୁଛି । ଆମେ ସମସ୍ତେ ଜଙ୍ଗଲକୁ ଲାଗି ରହିଥିବା ଜମିରେ ଖୁବ୍ କଠିନ ପରିଶ୍ରମ କରୁଛୁ ।’’
ଗାଭି ରୁଦ୍ରେଶ୍ୱର : “ଏହା ହେଉଛି ଆମର ଭୂ-ଦୃଶ୍ୟ, ଆମର ବଣପାହାଡ ଅଛି ଓ ଆମେ ଏଠାରେ ବାସ କରୁ । ଏହା ହେଉଛି ଗାଭି ରୁଦ୍ରେଶ୍ୱର ମନ୍ଦିର ପାହାଡ, ଏହା ବ୍ୟାଘ୍ର ଅଭୟାରଣ୍ୟର ଖାତ ପଛରେ ଅଛି । ଏହି ପାହାଡ ଭିତରେ ଏକ ମୂର୍ତ୍ତି ଅଛି ଓ ଏକ ଗୁମ୍ଫା ମଧ୍ୟ ରହିଛି ଯାହା ପାହାଡର ଶୀର୍ଷ ପର୍ଯ୍ୟନ୍ତ ଲମ୍ବିଛି । କେହି ମଧ୍ୟ ଏହା ଭିତରକୁ ଯଇପାରିବେ ନାହିଁ, କିନ୍ତୁ ସେଠାରେ ଏକ ଛୋଟିଆ ଗମନାଗମନ ପଥ ରହିଛି ଓ ସେ ଭିତରେ ଅନେକ ସାପ ଅଛନ୍ତି । ପାହାଡର ଶୀର୍ଷରେ ଏକ ଛୋଟ ମନ୍ଦିର ରହିଛି ଓ ଆମେ ପାହାଡ ପର୍ଯ୍ୟନ୍ତ ଚାଲିଚାଲି ଯାଇପାରିବା । ପାହାଡଶୀର୍ଷ ନିକଟକୁ ହାତୀ ଓ ବାଘ ଆସିଥାନ୍ତି, କିନ୍ତୁ ଆମେ ସମସ୍ତେ ସେଠାକୁ ଯାଇଛୁ । ଆମେ ସେଠାରେ ପ୍ରାର୍ଥନା ମଧ୍ୟ କରିପାରିବା । ଏହା ଲୋକ୍କରେ ନିକଟରେ ଅଛି, ଆମ ଗ୍ରାମଠାରୁ ଏହାର ଦୂରତା ପ୍ରାୟ ଏକ କିଲୋମିଟର ହେବ ।’’
ଘର ସାମନାରେ ଭାଇ ବଳଦ ସହିତ ଠିଆ ହୋଇଛନ୍ତି: “ଏହି ଘରର ମାଲିକ ହେଉଛନ୍ତି ରେଡ୍ଡୀ ବାବୁ, ଯିଏ ବାଙ୍ଗାଲୋର୍ରୁ ଆସିଛନ୍ତି। ଆମେ ତାଙ୍କ ପରିବାରକୁ ଜାଣିଛୁ, ତାଙ୍କ ପରିବାର ଗ୍ରାମରେ ଥିବା ବିଦ୍ୟାଳୟ ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ସେମାନେ ବିଦ୍ୟାଳୟର ପିଲାମାନଙ୍କୁ ବୃତ୍ତି ଓ ଖାତା ଯୋଗାଉଛନ୍ତି । ପୂର୍ବେ ଜଣେ କାମବାଲା ଭାବେ ମୁଁ ସେହି ଘରେ କାମ କରୁଥିଲି। ଏହି ଘର ସାମନାରେ ମୋ ଭାଇ ତାର ବଳଦମାନଙ୍କୁ ନିଜ ଘରକୁ ନେଇଥାଏ । ସେ ନିଜ ଗାଈମାନଙ୍କୁ ପଡିଆରେ ଚରେଇବାକୁ ନିଏ। ଏହି ବଳଦଗୁଡିକ ହେଉଛି ତା’ର। ବର୍ତ୍ତମାନ ବାହାରୁ ଆସୁଥିବା ଲୋକମାନେ ଏଠାରେ ଏହିପରି ଅନେକ ବଡ଼ବଡ଼ ଘର ନିର୍ମାଣ କଲେଣି ।
ବଳଦ : ‘‘ଏହି ବଳଦଟି ହେଉଛି ମୋ ଭାଇର । କୃଷି କାମରେ ଗାଈମାନେ କୃଷକମାନଙ୍କୁ ବହୁତ ସାହାଯ୍ୟ କରିଥାନ୍ତି । ସେମାନେ ଜମିରେ କଠିନ ପରିଶ୍ରମ ମଧ୍ୟ କରିପାରନ୍ତି, ବୋଧେ ସେଥିପାଇଁ ଆମେ ସେମାନଙ୍କୁ ପୂଜା କରିଥାଉ । ଆମେ ଏହି ବଳଦର ନାମ ବାସବା ରଖିଛୁ ।’’
ମହିଳାମାନେ ଖାଦ୍ୟ ପଦାର୍ଥ ଧରି ଯାଉଛନ୍ତି: ‘‘ଇଏ ହେଉଛି ମୋ ଭଉଣୀ । ସେ ପ୍ରାତଃ ସମୟରେ ଜମିରେ କାର୍ଯ୍ୟରତ ନିଜ ସ୍ୱାମୀ ପାଇଁ ଖାଇବା ନେଇ ଯାଉଛି ।’’
ଜଙ୍ଗଲ ନିଆଁ : “କିଏ ଏ ଜଙ୍ଗଲରେ ନିଆଁ ଲଗେଇଲା, ତାହା ମୁଁ ଜାଣେ ନାହିଁ । ତେବେ ଜଙ୍ଗଲକୁ ଯାଇଥିବା କେହି ଜଣେ ବ୍ୟକ୍ତି ଏଥିରେ ଅଗ୍ନି ସଂଯୋଗ କରିଥାଇପାରେ । କୌଣସି ଏକ ବ୍ୟକ୍ତି, ବିଡିରେ ଅଗ୍ନି ସଂଯୋଗ କରିବା ପରେ ଦିଆସିଲି କାଠିରେ ଲାଗିଥିବା ନିଆଁ ଲିଭେଇବାକୁ ଭୁଲି ଯାଇଛି ନିଶ୍ଚୟ । କିମ୍ବା ଏହା ପ୍ରାକୃତିକ ଉପାୟରେ ଲାଗିଥାଇ ପାରେ, ଏହା ମଧ୍ୟ ସମ୍ଭବ । ନିଜ ଗାଈଗୋରୁଙ୍କୁ ଚରେଇବା ପାଇଁ ଆସିଥିବା କେହି ବ୍ୟକ୍ତି ବା ଜଙ୍ଗଲକୁ ଯାଇଥିବା କୌଣସି ବ୍ୟକ୍ତି ଏପରି କରିଥାଇପାରେ । ଏହା ଲୋକ୍କରେ ନିକଟରେ ଅଛି, ବନବିଭାଗର କର୍ମଚାରୀମାନେ ଏହାକୁ ଲିଭେଇବା ପାଇଁ ଚେଷ୍ଟା କରୁଛନ୍ତି । ସେମାନେ ପ୍ରାୟ ରାତି ୧୧ଟା ପର୍ଯ୍ୟନ୍ତ ନିଆଁ ଲିଭେଇବା କାର୍ଯ୍ୟ କରୁଥିଲେ ।’’
ମୟୁର : “ଆମ ଜଙ୍ଗଲରେ ବହୁ ସଂଖ୍ୟକ ସୁନ୍ଦର ପକ୍ଷୀ ଓ ପଶୁ ଅଛନ୍ତି, ଯେପରି ଏହି ସୁନ୍ଦର ମୟୁର । ମୁଁ ଯେଉଁ ସ୍ଥାନରେ କାମ କରେ ସେ ନିକଟରେ ଏହି ଫଟୋ ଉଠାଇଛି । ସେଠାରେ ଏକ ପାହାଡ ଅଛି ଓ ଏହା ଏକ ଶିଳା ଉପରେ ଅଛି । ଏହା ସ୍ଥିର ଓ ସୁସଜ୍ଜିତ ହୋଇ ଠିଆ ହୋଇଛି ।’’
ଲଙ୍ଗଳ ଦ୍ୱାରା ଭୂମି କର୍ଷଣ କରିବା: “ଆମେମାନେ ଜମିରେ କାମ କରୁ । ଲଙ୍ଗଳ ଦ୍ୱାରା ଭୂମି କର୍ଷଣ କରୁ। ବିହନ ବୁଣୁ ଓ ଅମଳ କରୁ । ଆମେ ଜଙ୍ଗଲ ପାର୍ଶ୍ୱରେ ରହୁ, ତଥାପି ଆମେ କୃଷି କାମ କରୁ । ଆମେ ରାଗି, ଜୱାର ଓ ପିଆଜ ଆଦି ଚାଷ କରୁ । ଏଠାରେ ପାଣିର ଅଭାବ ରହିଛି ଓ ଅଧିକାଂଶ ଲୋକ ନିଜ ଫସଲକୁ ପାଣି ଯୋଗେଇବା ପାଇଁ ବର୍ଷା ଉପରେ ନିର୍ଭର କରିଥାନ୍ତି ।
ମେଣ୍ଡା ଚରେଇବା : “ଆମେ ପଶୁଧନ ଉପରେ ନିର୍ଭରଶୀଳ, ସେମାନେ ହେଉଛନ୍ତି ଆମ ଜୀବିକା ନିର୍ବାହର ମାଧ୍ୟମ । ଆମେ ସେମାନଙ୍କୁ ଚରେଇବା ପାଇଁ ଜଙ୍ଗଲକୁ ନେଇଥାଉ । ଲୋକମାନେ ଛେଳି ଓ ମେଣ୍ଢା ପାଳନ୍ତୁ । ସେମାନଙ୍କଠାରୁ ଆମେ ଉଲ୍ ପାଇଥାଉ । ବେଳେବେଳେ କିଛି ଅର୍ଥ ପାଇବା ପାଇଁ ଆମେ ଗୋଟିଏ ବା ଦୁଇଟି ଛେଳି ବା ମେଣ୍ଢା ବିକ୍ରି କରିଦେଉ । ମୋ ଗ୍ରାମରେ ଅନେକ ଲୋକ କିଛି ଅର୍ଥ ଉପାର୍ଜନ କରିବା ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କ ପାଖରେ ପ୍ରାୟ ୫୦ଟି ଛେଳି ଓ ମେଣ୍ଢା ଅଛି । ଆମ ପାଖରେ ୨୫ଟି ଛେଳି ଅଛି, କିନ୍ତୁ ଆମ ପାଖରେ ମେଣ୍ଢା ନାହିଁ । ସେମାନଙ୍କୁ ଚରେଇବାକୁ ନେବା ପାଇଁ ଆମ ପାଖରେ କେହି ମେଷପାଳକ ମଧ୍ୟ ନାହାନ୍ତି, ବୃଦ୍ଧାବସ୍ଥା ଯୋଗୁଁ ମୋ ମା ମଧ୍ୟ ଏବେ ଆଉ ବାହାରକୁ ଯାଇପାରୁନାହିଁ । ମେଣ୍ଢାମାନଙ୍କୁ ଆମେ ବାହାରେ ଏକଲା ଛାଡିପାରିବୁ ନାହିଁ, ସେମାନଙ୍କ ସହିତ ଆମକୁ ରହିବାକୁ ହେବ, ନଚେତ୍ ସେମାନେ ଆଉ ଫେରିବେ ନାହିଁ, ସେମାନଙ୍କୁ କେହି ବନ୍ୟଜନ୍ତୁ ଖାଇଦେବାର ସମ୍ଭାବନା ମଧ୍ୟ ରହିଛି । ଛେଳିଗୁଡିକ ହଜିଗଲେ ମଧ୍ୟ ଫେରି ଆସିବେ । ଏହି ଫଟୋରେ ମୋର ପୁତୁରା ସେମାନଙ୍କୁ ଚରାଉଛି । ଏହି ମେଣ୍ଢାଗୁଡିକ ହେଉଛି ମୋ ଭଉଣୀର ଓ ଛେଳିଗୁଡିକ ମୋର ।’’
ଲାଣ୍ଟନା ବା ଡାହାଣୀ ମାରୀ ବୁଣିବା : “ ଏ ହେଉଛି ମୋର ଶଳା । ସେ ଡାହାଣୀ ମାରୀ (ଲାଣ୍ଟନା) ସହିତ କାମ କରୁଛି । [ଲାଣ୍ଟନା କାମରା ହେଉଛି ଏକ ଫୁଲ ଫୁଟୁଥିବା ଗୁଳ୍ମ ଲତା, ଯାହା ଏହି ଭୂଭାଗର ଏକ ବିରାଟ ଅଞ୍ଚଳରେ ମାଡିଛି, ବିଶେଷକରି ଜାତୀୟ ଉଦ୍ୟାନ ଭିତରେ ।] ତାର ନାମ ହେଉଛି ବାସବା ଓ ସେ ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି । ଆମର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛି, ଯେଉଁଥିରେ ନଅ ଜଣ ମହିଳା ଓ ଏକମାତ୍ର ପୁରୁଷ ସଦସ୍ୟ ଅଛନ୍ତି । ବାସବା ହେଉଛି ସେହି ଏକମାତ୍ର ପୁରୁଷ । ଆମେ ଏହି ଗୋଷ୍ଠୀର ନାମ ଲାଣ୍ଟନା ସଂଘ ଦେଇଛୁ । ଆମେ ଏହି ଡାହାଣୀ ମାରୀରୁ ଆସବାବପତ୍ର ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷିତ ହୋଇଛୁ । ମୁଁ ଏହି କାମକରି ଦିନକୁ ୧୫୦ଟଙ୍କା ପାଉଥିଲି । ଆମେ ଏହି କାମରେ ଯେତେ ପରିଶ୍ରମ କରୁଥିଲୁ, ସେହି ଅନୁପାତରେ ଲାଭ ମିଳୁନଥିଲା । ଏଣୁ ମୁଁ ଏହା କରିବା ଛାଡିଦେଲି ଓ ଅନ୍ୟମାନଙ୍କ ଘରେ କାମ କରିବାକୁ ଆରମ୍ଭ କଲି ।
ପ୍ରଶିକ୍ଷଣ : ‘‘ଏ ହେଉଛି ମୋର ଭଉଣୀ ଯିଏ ଗୁଡ୍ଡେକେରେ ଗ୍ରାମର ଜେନୁ କୁରୁବା ଆଦିବାସୀ ଝିଅମାନଙ୍କୁ ଡାହାଣୀ ମାରୀ (ଲାଣ୍ଟନାର) ପ୍ରକ୍ରିୟାକରଣ ବିଷୟରେ ଶିକ୍ଷା ପ୍ରଦାନ କରୁଛି । ପୁରୁଷମାନେ ଜଙ୍ଗଲରୁ ଲାଣ୍ଟନା ସଂଗ୍ରହ କରନ୍ତି ଓ ମହିଳାମାନେ ଏହାର ପ୍ରକ୍ରିୟାକରଣ କରନ୍ତି ।’’
ଏହି କାମ ମରିଅମ୍ମା ଚାରିଟେବୁଲ୍ ଟ୍ରଷ୍ଟ, ମଙ୍ଗଳା ଗ୍ରାମ,କର୍ଣ୍ଣାଟକ ସମନ୍ୱୟରେ ଜାର୍ ମାର୍ଗ୍ୟୁଲିସ୍ଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦନା କରାଯାଇଛି । ବାଲ୍ତିମୋର୍ ଦେଶର ମାରୀଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ୨୦୧୫ - ୨୦୧୬ ଫୁଲ୍ବ୍ରାଇଟ୍ ନେହରୁ ଛାତ୍ର ରିସର୍ଚ୍ଚ ଗ୍ରାଣ୍ଟ, ଏକ ଗ୍ରାଜୁଏଟ ଛାତ୍ର ସଂଗଠନ ଗବେଷଣା ଗ୍ରାଣ୍ଟର ସହାୟତାରେ, ମରିଅମ୍ମା ଚାରିଟେବଲ୍ ଟ୍ରଷ୍ଟର ଆନ୍ତରିକ ସହଯୋଗରେ ସମ୍ଭବ ହୋଇପାରିଛି ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫଟୋଗ୍ରାଫର୍ଙ୍କ ନିଜସ୍ୱ ଆଗ୍ରହ ଓ ଉଦ୍ୟମ । ବିଷୟକୁ ଅନୁବାଦ କରିବାରେ ବି.ଆର୍.ରାଜୀବଙ୍କ ସାହାଯ୍ୟ ମଧ୍ୟ ଅମୂଲ୍ୟ ଅଟେ । ଏହି ଫଟୋର ସମସ୍ତ କପିରାଇଟ୍ ପରୀର କ୍ରିଏଟିଭ୍ କମନ୍ ପଲିସି ଅନୁଯାୟୀ କେବଳ ଫଟୋଗ୍ରାଫର୍ଙ୍କ ପାଖରେ ରହିଛି । ସେଗୁଡିକର ପୁନର୍ବ୍ୟବହାର ବା ପୁନରୁତ୍ପାଦନ ପରୀର ନିର୍ଦ୍ଦେଶ କ୍ରମେ ହେବା ଉଚିତ ।
ସମ୍ପର୍କିତ କାହାଣୀଗୁଡିକ:
ଜୟମ୍ମା ଯେତେବେଳେ ଗୋଟିଏ ଚିତା ଦେଖିଲା
ବାନ୍ଦିପୁରରେ ଯେଉଁ ଘରେ ଅମଳ କାମ ହୁଏ
ବାନ୍ଦିପୁରର ରାଜକୁମାରଙ୍କ ସହିତ ଅପ୍ରତ୍ୟାଶିତ ଭାବେ ସମ୍ମୁଖୀନ ହେବା
‘ଏହା ସେହି ସ୍ଥାନ ଯେଉଁଠାରେ ଚିତାବାଘ ଓ ବାଘମାନେ ଆକ୍ରମଣ କରନ୍ତି’
ମୁଁ ଏହି ଫଟୋଟି ଉଠେଇବା ପରେ ଏହି ବାଛୁରୀ ହଜିଯାଇଥିଲା
ଅନୁବାଦ: ଓଡ଼ିଶାଲାଇଭ୍