ରେହାନା ବିବି ଫେବୃଆରୀ ୭ ତାରିଖ, ୨୦୨୧ ସକାଳ ୧୦:୩୦ ସମୟରେ ତାଙ୍କ ସ୍ୱାମୀ ଅନସ ଶେଖଙ୍କୁ ଫୋନ ଲଗାଇଥିଲେ, କିନ୍ତୁ ଯୋଗାଯୋଗ ହୋଇନପାରିବା କାରଣରୁ ସେ ଏତେଟା ଚିନ୍ତିତ ହେଲେ ନାହିଁ। ସେ ମାତ୍ର ଦୁଇ ଘଣ୍ଟାରୁ କମ ସମୟ ତଳେ କଥା ହୋଇଥିଲେ। “ସେଦିନ ସକାଳେ ତାଙ୍କ ଜେଜେ ମା’ଙ୍କ ଦେହାନ୍ତ ହୋଇଥିଲା”, ରେହାନା କହିଥିଲେ, ଯିଏକି ଏହି ଖବର ଦେବା ଲାଗି ତାଙ୍କୁ ସକାଳ ୯ଟା ବେଳେ ଫୋନ କରିଥିଲେ।
“ସେ ଅନ୍ତିମ ସଂସ୍କାରକୁ ଆସିପାରିବେ ନାହିଁ। ସେଥିପାଇଁ ସମାଧି ଦେବା ସମୟରେ ସେ ମୋତେ ଭିଡ଼ିଓ କଲ କରିବା ଲାଗି କହିଛନ୍ତି”, ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ଭଗବାନପୁର ଗ୍ରାମରେ ଥିବା ନିଜର ବଖୁରିକିଆ ଝାଟିମାଟି ଘର ବାହାରେ ବସିଥିବା ୩୩ ବର୍ଷୀୟା ରେହାନା କହିଥିଲେ। ଅନସ ୧,୭୦୦ କିମିରୁ ଅଧିକ ଦୂର – ଉତ୍ତରାଖଣ୍ଡର ଗଢ଼ୱାଲର ପାର୍ବତ୍ୟାଞ୍ଚଳରେ ଥିଲେ। ରେହାନା ପୁଣିଥରେ ତାଙ୍କୁ ଫୋନ କଲେ, କିନ୍ତୁ ଲାଗିଲା ନାହିଁ।
ସେଦିନ ସକାଳେ ରେହାନାଙ୍କ ଦୁଇଟି ଫୋନ କଲ୍ ମଧ୍ୟରେ, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବିପର୍ଯ୍ୟୟ ଘଟିଥିଲା। ନନ୍ଦା ଦେବୀ ଗ୍ଲେସିୟରର ଗୋଟିଏ ଖଣ୍ଡ ଭାଙ୍ଗି ଯାଇଥିଲା, ଏହି କାରଣରୁ ଅଳକାନନ୍ଦା, ଧୌଲି ଗଙ୍ଗା ଓ ଋଷି ଗଙ୍ଗା ନଦୀରେ ଜଳ ପ୍ରଳୟ ଆରମ୍ଭ ହୋଇଯାଇଥିଲା। ଭୀଷଣ ବନ୍ୟା କାରଣରୁ ଏସବୁ ନଦୀ କୂଳରେ ନିର୍ମିତ ଘର ଭାସି ଯାଇଥିଲା, ଅନେକ ଲୋକ ସେଥିରେ ଫସି ରହିଥିଲେ, ଯେଉଁମାନଙ୍କ ମଧ୍ୟରେ ଏହି କ୍ଷେତ୍ରରେ ଥିବା ଜଳବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ସାମିଲ ଥିଲେ।
ଅନସ ସେମାନଙ୍କ ମଧ୍ୟରୁ ଥିଲେ ଜଣେ। କିନ୍ତୁ ରେହାନା ଜାଣିନଥିଲେ। ସେ ଆହୁରି କିଛି ସମୟ ତାଙ୍କ ସ୍ୱାମୀଙ୍କୁ କଲ କଲେ। ତାଙ୍କ ମନକୁ ଚିନ୍ତା ଘାରିଲା, ଯାହା ତୁରନ୍ତ ଭୟରେ ପରିଣତ ହୋଇଗଲା। “ମୁଁ ବାରମ୍ବାର ଫୋନ କରିଚାଲିଲି”, ସେ କାନ୍ଦି କାନ୍ଦି କହିଥିଲେ। “ମୁଁ ଜାଣିନଥିଲି ଯେ ଆଉ କ’ଣ କରିବାକୁ ହେବ।”







