ସାନୁଙ୍କର ସମ୍ପର୍କୀୟ ଭାଇ, ବିଶ୍ୱନାଥ ସେନ୍ ତାଙ୍କୁ ପ୍ରଥମେ ଶଙ୍ଖ ଚୂଡ଼ିରେ କିପରି ଖୋଦେଇ କରାଯାଏ ଶିଖାଇଥିଲେ।
“ମୁଁ ଚୂଡ଼ିରେ ଡିଜାଇନ୍ ଖୋଦେଇ କରେ ଏବଂ ତା’ପରେ ସେଗୁଡ଼ିକୁ ମହାଜନ(ଠିକାଦାର)ଙ୍କ ପାଖକୁ ପଠେଇ ଦିଏ। ସେମାନେ ବିକ୍ରି କରନ୍ତି। ମୁଁ ସାଧାରଣ ଶଙ୍ଖା ତିଆରି କରେ। ଅନ୍ୟମାନେ ଖୋଦେଇ କାମ ହୋଇଥିବା ଚୂଡ଼ି ଏବଂ ଶଙ୍ଖା ଉପରେ ସୁନା ପାଣି ଦେବାକୁ ମୋ ପାଖକୁ ପଠାନ୍ତି,” କହନ୍ତି ୩୧ ବର୍ଷୀୟ ସାନୁ ଘୋଷ, ଯିଏ ତାଙ୍କର କିଶୋର ଅବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାରୁ ଅଧିକ ସମୟ ଏହି କାମ କରିବାରେ ବିତାଇଛନ୍ତି।
ଏହି ଶଙ୍ଖ କାରୀଗର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାକପୁରରେ ଥିବା ଶଙ୍ଖବଣିକ କଲୋନୀରେ ରୁହନ୍ତି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଶଙ୍ଖ କାରୁକାର୍ଯ୍ୟ କରାଯାଉଥିବା କର୍ମଶାଳା ରହିଛି। “ଲାଲକୁଠିରୁ ଘୋଷପଡ଼ା ଯାଏଁ ଅନେକ ଶଙ୍ଖ କାରୀଗର ଚୂଡ଼ି ଉତ୍ପାଦନ କ୍ଷେତ୍ରରେ କାମ କରନ୍ତି।”
ମହାଜନମାନେ ଆଣ୍ଡାମାନ ଏବଂ ଚେନ୍ନାଇରୁ ଶଙ୍ଖ ଆମଦାନୀ କରନ୍ତି। ଶଙ୍ଖ ହେଉଛି ଏକ ପ୍ରକାର ସାମୁଦ୍ରିକ ଗେଣ୍ଡା। ତାର ଶାମୁକାର ଆକାର ଉପରେ ନିର୍ଭର କରି ଏହା ବଜା ଯାଉଥିବା ଶଙ୍ଖ ଭାବରେ ବ୍ୟବହାର କରାଯିବ ଅନ୍ୟଥା ଚୂଡ଼ି ତିଆରି କରିବା ପାଇଁ ବ୍ୟବହାର କରାଯିବ। ମୋଟା ଏବଂ ଓଜନିଆ ଶଙ୍ଖରେ ଚୂଡ଼ି ତିଆରି କରିବା ସହଜ କାରଣ ଛୋଟ ଏବଂ ପତଳା ଶଙ୍ଖ ଡ୍ରିଲ୍ କରିବା ସମୟରେ ଶୀଘ୍ର ଭାଙ୍ଗିଯାଏ। ତେଣୁ ପୂଜା ପାଇଁ ହାଲୁକା ଶଙ୍ଖ ବ୍ୟବହାର କରାଯାଏ ଏବଂ ଓଜନିଆ ଶଙ୍ଖ ଚୂଡ଼ି ତିଆରି କରିବା ପାଇଁ ବ୍ୟବହାର କରାଯାଏ।










