ସାତଜେଲିଆର ଏଇ ଏକ ମାତ୍ର ଡାକଘରଟି ଉପରେ ହୁଏତ ତୁମ ଦୃଷ୍ଟି ପଡ଼ିନପାରେ। ଗୋଟିଏ ମାଟି ତିଆରି ଚାଳଘର ଆଗରେ ଝୁଲୁଥିବା ଲାଲ୍ ଡାକବାକ୍ସ ହେଉଛି ଚିହ୍ନଟ କରିବାର ଏକ ମାତ୍ର ଉପାୟ।
୮୦-ବର୍ଷ ପୁରୁଣା ଏହି ଉପ-ଡାକଘରଟି ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୨୪ଟି ଗ୍ରାମ ପଞ୍ଚାୟତରେ ସେବା ଯୋଗାଇ ଦିଏ। ଏହି ମାଟିଘରଟି ସୁନ୍ଦରବନରେ ସର୍ବନାଶ କରିଥିବା ଆଇଲା ଓ ଅମ୍ଫାନ୍ ପରି ସୁପର ସାଇକ୍ଲୋନ ସତ୍ତ୍ଵେ ତିଷ୍ଠି ରହିଛି। ଜୀବନ ରେଖା ସଦୃଶ ଏହି ଡାକଘରଟିରେ ବହୁ ସ୍ଥାନୀୟ ଅଧିବାସୀଙ୍କର ସଞ୍ଚୟ ଖାତା ରହିଛି, ଡାକ ଯୋଗେ ଏଠାରେ ଆସି ପହଞ୍ଚୁଥିବା ସେମାନଙ୍କର ଏକାଧିକ ପରିଚୟ ପତ୍ର ଭଳି ସରକାରୀ କାଗଜାତ ମଧ୍ୟ ରହିଛି।
ଗୋସାବା ବ୍ଲକକୁ ଘେରି ରହିଛି ତିନିଟି ନଦୀ – ଉତ୍ତର-ପଶ୍ଚିମରେ ଗୋମତୀ, ଦକ୍ଷିଣରେ ଦତ୍ତ ଓ ପୂର୍ବରେ ଗାଣ୍ଡାଲ। ଲାଖବାଗାନ ଗାଁର ଅଧିବାସୀ ଜୟନ୍ତ ମଣ୍ଡଳ କହନ୍ତି, “ଏହି ଦ୍ଵୀପାଞ୍ଚଳରେ ଥିବା ଏଇ ଡାକଘରଟି ହେଉଛି ଆମର ଏକ ମାତ୍ର ଭରସା [ସେମାନଙ୍କର ସରକାରୀ କାଗଜାତ ପାଇବା ପାଇଁ]”।
ନିରଞ୍ଜନ ମଣ୍ଡଳ, ବର୍ତ୍ତମାନର ପୋଷ୍ଟମାଷ୍ଟର ଏଠାରେ ଚାଳିଶି ବର୍ଷ ହେଲା କାମ କଲେଣି। ତାଙ୍କ ପୂର୍ବରୁ ତାଙ୍କର ବାପା ପୋଷ୍ଟମାଷ୍ଟର ଭାବେ କାମ କରୁଥିଲେ। ପ୍ରତି ଦିନ ସକାଳେ ସେ ତାଙ୍କ ଘରୁ ଚାଲିଚାଲି ଅଳ୍ପ କେତେ ମିନିଟ ଦୂରରେ ଥିବା ତାଙ୍କର ଏହି କାର୍ଯ୍ୟକ୍ଷେତ୍ରକୁ ଯାଉଥିଲେ। ଡାକଘର ପାଖରେ ଥିବା ସ୍ଥାନୀୟ ଚା’ ଦୋକାନଟିକୁ ସାରା ଦିନ ଲୋକମାନେ ଯିବା ଆସିବା କରୁଥିଲେ, ତେଣୁ ଡାକଘରଟିରେ ସବୁ ବେଳେ କେହି ନା କେହି ରହୁଥିଲେ।


ବାମରେ: ଡାକଘର ନିକଟରେ ଥିବା ନଈକୂଳ। ଡାହାଣରେ: ଡାକଘରଟି ଗୋଟିଏ ମାଟିଘରେ ଚାଲେ ଓ ଗୋସାବା ବ୍ଲକର ସାତଟି ଗ୍ରାମ ପଞ୍ଚାୟତରେ ସେବା ଯୋଗାଏ


ବାମରେ: ପୋଷ୍ଟ ମାଷ୍ଟର ନିରଞ୍ଜନ ମଣ୍ଡଳ ଓ ଡାକ ପିଅନ ବାବୁ । ଡାହାଣରେ: ଜୀବନ ରେଖା ସଦୃଶ ଏହି ଡାକଘରଟିରେ ବହୁ ସ୍ଥାନୀୟ ଅଧିବାସୀଙ୍କର ସଞ୍ଚୟ ଖାତା ରହିଛି ଓ ସେମାନଙ୍କର ଏକାଧିକ ପରିଚୟ ପତ୍ର ଭଳି ସରକାରୀ କାଗଜାତ ଡାକ ଯୋଗେ ଏଠାରେ ଆସି ପହଞ୍ଚେ
୫୯-ବର୍ଷୀୟ ପୋଷ୍ଟମାଷ୍ଟରଙ୍କ କାମ ପ୍ରାୟ ସକାଳ ୧୦ ଟାରେ ଆରମ୍ଭ ହୁଏ ଓ ଅପରାହ୍ନ ୪ ଟାରେ ଶେଷ ହୁଏ। ଡାକ ଘର ଭିତରେ ଆଲୋକର ଉତ୍ସ ହେଉଛି ସୋଲାର ପ୍ୟାନେଲ, ହେଲେ ବର୍ଷା ଦିନେ ତାହା ବିଶେଷ କାମ କରେ ନାହିଁ। ଯେତେବେଳେ ପ୍ୟାନେଲଗୁଡ଼ିକ ଚାର୍ଜ ହୋଇ ନଥାଏ କର୍ମଚାରୀମାନେ କିରୋସିନ ବତୀ ବ୍ୟବହାର କରନ୍ତି। ନିରଞ୍ଜନଙ୍କ କହିବା ଅନୁଯାୟୀ ସେମାନେ ଡାକଘର ଚଳାଇବା ବାବଦରେ ମାସକୁ ୧୦୦ ଟଙ୍କା ପାଆନ୍ତି – ସେଥିରୁ ଘରଭଡ଼ା ବାବଦରେ ଦିଅନ୍ତି ୫୦ ଟଙ୍କା ଓ ଅନ୍ୟାନ୍ୟ ଖର୍ଚ୍ଚ ହୁଏ ଆଉ ୫୦ ଟଙ୍କା।
ନିରଞ୍ଜନଙ୍କ ସହ ଡାକ ପିଅନ ଭାବେ କାମ କରନ୍ତି ବାବୁ, ଓ ତାଙ୍କ କାମ ହେଲା ସବୁ ପଞ୍ଚାୟତରେ ବୁଲି ଘରେ ଘରେ ଡାକ ପହଞ୍ଚାଇବା, ଯେଉଁଥିପାଇଁ ସେ ତାଙ୍କ ବାଇସାଇକେଲ ବ୍ୟବହାର କରନ୍ତି।
ପ୍ରାୟ ଅର୍ଦ୍ଧ-ଶତାବ୍ଦୀ ଧରି ଏହି ଡାକଘରେ ସେବା ଯୋଗାଇ ଆସୁଥିବା ନିରଞ୍ଜନ ବାବୁ ଆଉ ଅଳ୍ପ କେଇ ବର୍ଷରେ ଅବସର ନେବେ। ତାହା ପୂର୍ବରୁ, “ମୋର ସ୍ୱପ୍ନ ହେଲା କି ଗୋଟିଏ ପକ୍କା ଘର ନିର୍ମାଣ ହେବା ମୁଁ ଦେଖିବାକୁ ଚାହେଁ”, ସେ କହନ୍ତି।
ଲେଖାଟିକୁ ଲେଖିବା ପାଇଁ ସାହାଯ୍ୟ କରିଥିବାରୁ ଏହି ସାମ୍ବାଦିକ ଉର୍ଣ୍ଣା ରାଉତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ।
ଅନୁବାଦ: ଓଡ଼ିଶାଲାଇଭ୍