କୈଶୋରରେ ପାଦ ଦେଇନଥିବା ସୂରଜ ଜଟ୍ଟୀ ଯେତେବେଳେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ଭାରତୀୟ ସେନାରେ ଯୋଗଦେବାକୁ ଚାହୁଁଛନ୍ତି । ତାଙ୍କ ବାପା ଶଙ୍କର, ଯିଏକି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ, ନିଜ ପୁଅକୁ ପ୍ରେରଣା ଦେଇଥିବାରୁ ମନେ ମନେ ଗର୍ବିତ ହୋଇଥିଲେ ।

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ପଲୁସ ସହରର ଏକ ଏକାଡେମୀରେ ତାଲିମ ନେଉଥିବା ୧୯ ବର୍ଷୀୟ ସୂରଜ କୁହନ୍ତି, ‘‘ମୋ ଘର ପରିବେଶ ଯୋଗୁଁ ଏହା ମୋ ପାଇଁ ଏକ ସ୍ପଷ୍ଟ ପସନ୍ଦ ଥିଲା’’ । ‘‘ଯେଉଁପର୍ଯ୍ୟନ୍ତ ମୋର ମନେ ପଡୁଛି, ମୁଁ ଅନ୍ୟ କୌଣସି ବିଷୟରେ କେବେ ବି ଚିନ୍ତା କରିନାହିଁ ।’’ ପୁଅର ଏପରି ନିଷ୍ପତ୍ତିରେ ଶଙ୍କର ଖୁସି ହୋଇଥିଲେ । ବାପା ଭାବେ ଏହା ଥିଲା ସବୁଠୁ ବଡ଼ ସ୍ୱୀକୃତି ।

ଏକ ଦଶନ୍ଧିରୁ କମ୍ ସମୟ ପରେ ଶଙ୍କର ତାଙ୍କ ପୁଅର ପସନ୍ଦ ନେଇ ଆଉ ଆଶ୍ୱସ୍ତ ନାହାନ୍ତି । କିଛି ବର୍ଷରେ ଜଣେ ଭାବପ୍ରବଣ ଏବଂ ଗର୍ବିତ ବାପାଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି । ସଠିକ୍‌ ଭାବେ କହିବାକୁ ଗଲେ ଜୁନ୍ ୧୪, ୨୦୨୨ରେ ।

ଏହି ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ‘‘ଅଗ୍ନିପଥ ଯୋଜନା ଅନୁଯାୟୀ ଭାରତୀୟ ଯୁବକମାନଙ୍କୁ ଅଗ୍ନିବୀର ଭାବରେ ସଶସ୍ତ୍ର ବାହିନୀରେ ସେବା କରିବାର ସୁଯୋଗ ଦିଆଯିବ ।’’

ଏହି ଯୋଜନା ଆରମ୍ଭ ହେବା ପୂର୍ବରୁ, ୨୦୧୫-୨୦୨୦ ମଧ୍ୟରେ ସଶସ୍ତ୍ର ବାହିନୀରେ ପାଞ୍ଚ ବର୍ଷର ହାରାହାରି ନିଯୁକ୍ତି ଥିଲା ୬୧,୦୦୦ । ୨୦୨୦ରେ ଯେତେବେଳେ ମହାମାରୀ ଆସିଥିଲା, ସେତେବେଳେ ନିଯୁକ୍ତି ବନ୍ଦ ହୋଇଯାଇଥିଲା ।

ଅଗ୍ନିପଥ ଯୋଜନାରେ କମ୍ ନିଯୁକ୍ତି - ପ୍ରାୟ ୪୬,୦୦୦ ଯୁବକ କିମ୍ବା ଅଗ୍ନିବୀର, ଭାରତୀୟ ସେନାକୁ “ଯୁବ, ଫିଟ୍‌ ଏବଂ ବିବିଧତାପୂର୍ଣ୍ଣ” ଶକ୍ତିରେ ଭରିଦେବ । ସରକାରୀ ପ୍ରେସ ବିଜ୍ଞପ୍ତି ଅନୁସାରେ ନାମାଙ୍କନ ପାଇଁ ୧୭.୫ ରୁ ୨୧ ବର୍ଷ ବୟସ ମଧ୍ୟରେ ଯୋଗ୍ୟତା ସ୍ଥିର କରାଯାଇଥିଲା, ଯାହା ସମ୍ଭବତଃ ସାମରିକ ବାହିନୀର ହାରାହାରି ବୟସକୁ ୪-୫ ବର୍ଷ ହ୍ରାସ କରିପାରେ ।

ଆଜୀବନ ସେନା କ୍ୟାରିୟର ପରି ନୁହେଁ, ଏହା ଏକ ଚାରି ବର୍ଷର ଯୋଗଦାନ, ଶେଷରେ ବ୍ୟାଚ୍‌ର ୨୫ ପ୍ରତିଶତ ସଶସ୍ତ୍ର ବାହିନୀର ନିୟମିତ କ୍ୟାଡରରେ ଚାକିରି ପାଇବେ ।

PHOTO • Parth M.N.
PHOTO • Parth M.N.

ବାମ: ପ୍ରତିରକ୍ଷା ସେବାରେ ଯୋଗଦେବା ପାଇଁ ସାଙ୍ଗଲିର ପଲୁସ୍ ସହରର ୟଶ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଯୁବକ ଓ ଯୁବତୀମାନେ । ଆଜୀବନ ସେନା କ୍ୟାରିୟର ପରି ନୁହେଁ, ଅଗ୍ନିପଥ ନିଯୁକ୍ତି ଯୋଜନା ଏକ ଚାରି ବର୍ଷର ଯୋଗଦାନ, ଶେଷରେ ବ୍ୟାଚ୍‌ର ୨୫ପ୍ରତିଶତ ସଶସ୍ତ୍ର ବାହିନୀର ନିୟମିତ କ୍ୟାଡରରେ ଚାକିରି ପାଇବେ । ଡାହାଣ: ପୂର୍ବତନ ସେନା କର୍ମଚାରୀ ତଥା କୁଣ୍ଡଲରେ ଥିବା ସୈନିକ ମହାସଂଘର ସଭାପତି ଶିବାଜୀ ସୂର୍ଯ୍ୟବଂଶୀ କୁହନ୍ତି, ‘ଜଣେ ସୈନିକଙ୍କୁ ପ୍ରସ୍ତୁତ ହେବା ପାଇଁ ଚାରି ବର୍ଷ ବହୁତ କମ୍ ସମୟ’

୬୫ ବର୍ଷୀୟ ପୂର୍ବତନ ସେନା କର୍ମଚାରୀ ଏବଂ ସାଙ୍ଗଲିର କୁଣ୍ଡାଲ ସହରର ସୈନିକ ମହାସଂଘର ସଭାପତି ଶିବାଜୀ ସୂର୍ଯ୍ୟବଂଶୀଙ୍କ ମତରେ ଏହି ଯୋଜନା ଜାତୀୟ ସ୍ୱାର୍ଥ ବିରୋଧୀ । ସେ କୁହନ୍ତି, "ସୈନିକ ଭାବେ ଜଣକୁ ପ୍ରସ୍ତୁତ ହେବା ପାଇଁ ଚାରି ବର୍ଷ ବହୁତ କମ୍ ସମୟ । “ଯଦି ସେମାନେ କାଶ୍ମୀର କିମ୍ବା ଅନ୍ୟ କୌଣସି ସଂଘର୍ଷ କ୍ଷେତ୍ରରେ ନିୟୋଜିତ ହୁଅନ୍ତି, ତେବେ ସେମାନଙ୍କର ଅଭିଜ୍ଞତାର ଅଭାବ ଅନ୍ୟ ତାଲିମପ୍ରାପ୍ତ ସୈନିକମାନଙ୍କୁ ବିପଦରେ ପକାଇପାରେ । ଏହି ଯୋଜନା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।”

ଏହା ମଧ୍ୟ ନାମାଙ୍କନ କରିଥିବା ବ୍ୟକ୍ତିଙ୍କ ପ୍ରତି ଅସମ୍ମାନ ବୋଲି ସୂର୍ଯ୍ୟବଂଶୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘‘ଯଦି ଅଗ୍ନିବୀର କର୍ତ୍ତବ୍ୟରତ ଥିବା ବେଳେ ମୃତ୍ୟୁବରଣ କରନ୍ତି, ତେବେ ସେମାନେ ଶହୀଦ ମାନ୍ୟତା ମଧ୍ୟ ପାଇ ପାରିବେ ନାହିଁ । ଏହା ଲଜ୍ଜାଜନକ । ଯଦି ଜଣେ ବିଧାୟକ (ରାଜ୍ୟ ବିଧାୟକ) କିମ୍ବା ଜଣେ ସାଂସଦ (ସଂସଦର ସଦସ୍ୟ) ଏକ ମାସ ପାଇଁ କାର୍ଯ୍ୟ କରନ୍ତି, ତେବେ ସେ ପୂର୍ଣ୍ଣ କାର୍ଯ୍ୟକାଳ ସେବା ଦେଇଥିବା ବିଧାୟକମାନଙ୍କ ପରି ସମାନ ସୁବିଧା ପାଇବେ । ତେବେ ସୈନିକମାନଙ୍କ ପ୍ରତି ଭେଦଭାବ କାହିଁକି? ”

ଏହି ବିବାଦୀୟ ଯୋଜନା ଘୋଷଣା ହେବା ପରେ ସମଗ୍ର ଭାରତରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା; ଏହାକୁ ପ୍ରାର୍ଥୀ ଏବଂ ପୂର୍ବତନ ସେନା କର୍ମଚାରୀମାନେ ବିରୋଧ କରିଥିଲେ ।

୨୦୨୪ ର ସାଧାରଣ ନିର୍ବାଚନରେ ​​ଆଶାଠାରୁ କମ୍‌ ପ୍ରଦର୍ଶନ ପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଥିରେ ସଂଶୋଧନ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଭାରତୀୟ ଜନତା ପାର୍ଟି ଗୁରୁତର କ୍ଷତି ସହିଛି, ଯେଉଁସବୁ ରାଜ୍ୟ ସଶସ୍ତ୍ର ବାହିନୀରେ ଅଧିକ ନିଯୁକ୍ତି ପାଇଁ ଜଣଶୁଣା । ଦୁଇ ବର୍ଷ ପରେ, ଏହି ଯୋଜନାରେ ଅସନ୍ତୋଷ ପଶ୍ଚିମ ମହାରାଷ୍ଟ୍ରରେ ପରିଲକ୍ଷିତ ହୋଇଛି - ଏକ ଅଞ୍ଚଳ ମଧ୍ୟ ସଶସ୍ତ୍ର ବାହିନୀରେ ବହୁ ସଂଖ୍ୟାରେ ନିଯୁକ୍ତି ପାଇଁ ଜଣାଶୁଣା । ଏଠାରେ ଏପରି ଗାଁ ଅଛି, ଯେଉଁ ଗାଁରେ ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ବ୍ୟକ୍ତି ସେନାବାହିନୀରେ ଅଛନ୍ତି ।

ଜଟ୍ଟୀ ଏପରି ଏକ ପରିବାରର ସଦସ୍ୟ । ସେ ସ୍ନାତକ କଳା ବିଭାଗର ଛାତ୍ର । ହେଲେ, ଯେବେଠାରୁ ସେ ଜଣେ ଅଗ୍ନିବୀର ହେବାକୁ ତାଲିମ ନେଭବା ପାଇଁ ଏକାଡେମୀରେ ନାମ ଲେଖାଇଛନ୍ତି, ସେତେବେଳୁ ତାଙ୍କର ପାଠପଢ଼ା ପ୍ରଭାବିତ ହୋଇଛି ।

PHOTO • Parth M.N.
PHOTO • Parth M.N.

ଏକାଡେମୀରେ ଶାରୀରିକ ପ୍ରଶିକ୍ଷଣରେ କଡ଼ା କସରତ ଆଦି ରହିଛି: ଦୌଡ଼ , ପୁସ୍-ଅପ୍ , ଚଟାଣରେ ଆଣ୍ଠେଇ ଆଣ୍ଠେଇ ଯିବା , ଏବଂ ଗୋଟିଏ ଚକ୍କର ପୂରା କରିବା ସମୟରେ ଅନ୍ୟ ଜଣଙ୍କୁ ପିଠିରେ ବୋହି ନେବା

ସେ କୁହନ୍ତି, “ମୁଁ ସକାଳେ ତିନି ଘଣ୍ଟା ଏବଂ ସନ୍ଧ୍ୟାରେ ତିନି ଘଣ୍ଟା ଶାରୀରିକ ତାଲିମ ପାଇଁ ବିତାଇଥାଏ। ଏଥିରେ ଅତ୍ୟନ୍ତ କ୍ଲାନ୍ତ ହୋଇପଡ଼େ, ଏବଂ ଅଧ୍ୟୟନରେ ଧ୍ୟାନ ଦେବା ପାଇଁ ମୋ ପାଖରେ ଶକ୍ତି ନଥାଏ । ଯଦି ମୁଁ ମନୋନୀତ ହୁଏ, ତେବେ ମୋତେ ପରୀକ୍ଷା ପୂର୍ବରୁ ଯିବାକୁ ପଡ଼ିବ।’’

ତାଙ୍କର ଶାରୀରିକ ପ୍ରଶିକ୍ଷଣରେ କଡ଼ା କସରତ ଆଦି ରହିଛି: ଦୌଡ଼ , ପୁସ୍-ଅପ୍ , ଚଟାଣରେ ଆଣ୍ଠେଇ ଆଣ୍ଠେଇ ଯିବା , ଏବଂ ଗୋଟିଏ ଚକ୍କର ପୂରା କରିବା ସମୟରେ ଅନ୍ୟ ଜଣଙ୍କୁ ପିଠିରେ ବୋହି ନେବା । ପ୍ରତ୍ୟେକ ଅଧିବେଶନ ଶେଷରେ, ତାଙ୍କ ପୋଷାକ ଝାଳରେ ଭିଜିଯାଏ ଏବଂ ମଇଳା ହୋଇଯାଏ । ତା’ପରେ କିଛି ଘଣ୍ଟା ମଧ୍ୟରେ ସେ ପୁଣିଥରେ ଅଭ୍ୟାସକୁ ଦୋହରାଇଥାନ୍ତି ।

ଗୋଟିଏ ବର୍ଷର ଏହି ଅନୁଶାସନ ଏବଂ ଅଗ୍ନିବୀର ଚୟନ ପରେ ଜଟ୍ଟୀଙ୍କୁ ଅଗ୍ନିବୀର ଭାବେ ମାସିକ ୨୧ ହଜାର ଟଙ୍କା ଲେଖାଁଏ ମିଳିବ, ଏହା ଚତୁର୍ଥ ବର୍ଷର୍ରେ ବଢ଼ି ୨୮ ହଜାର ଟଙ୍କାରେ ପହଁଚିବ । ଯଦି ତାଙ୍କ ବ୍ୟାଚ୍‌ରେ ନିଯୁକ୍ତି ହୋଇଥିବା ୨୫ ପ୍ରତିଶତ ଅଗ୍ନିବୀର ମଧ୍ୟରେ ରହିବାରେ ସେ ବିଫଳ ହୁଅନ୍ତି, ତେବେ ୪ ବର୍ଷ ପରେ ଅଗ୍ନିପଥ ଯୋଜନା ଅନୁଯାୟୀ ୧୧.୭୧ ଲକ୍ଷ ଟଙ୍କା ନେଇ ସେ ଘରକୁ ଫେରିଆସିବେ ।

ତାଙ୍କୁ ମଧ୍ୟ ସେତେବେଳେ ୨୩ ବର୍ଷ ହୋଇଥିବ, ସ୍ନାତକ ଡିଗ୍ରୀ ନଥିବାରୁ ନିଯୁକ୍ତି ବଜାରରେ ସେ ଭଲ ସୁଯୋଗ ପାଇବେ ନାହିଁ ।

ଜଟ୍ଟୀ କୁହନ୍ତି, “ସେଥିପାଇଁ ମୋ ବାପା ମୋ ପାଇଁ ଚିନ୍ତିତ ଅଛନ୍ତି। ସେ ଏହା ବଦଳରେ ମୋତେ ପୋଲିସ୍ ହେବାକୁ କହୁଛନ୍ତି।’’

ଭାରତ ସରକାର କହିଥିଲେ ଯେ ୨୦୨୨ ଉଦ୍‌ଘାଟନୀ ବର୍ଷରେ ୪୬,୦୦୦ ଅଗ୍ନିବୀର ନିଯୁକ୍ତ ହେବେ - ତେଣୁ ସେମାନଙ୍କ ମଧ୍ୟରୁ ୭୫% କିମ୍ବା ୩୪,୫୦୦ ଯୁବକ ୨୦୨୬ ମସିହାରେ କୌଣସି ଆଶା ନଥାଇ ଘରକୁ ଫେରିବେ, ସେତେବେଳେ ସେମାନଙ୍କ ବୟସ ୨୫ ବର୍ଷ ମଧ୍ୟରେ ହୋଇଥିବ ଏବଂ ପୁଣିଥରେ ସେମାନଙ୍କୁ ମୂଳରୁ ଆରମ୍ଭ କରିବାକୁ ପଡ଼ିବ ।

୨୦୨୬ ପର୍ଯ୍ୟନ୍ତ ସର୍ବାଧିକ ନିଯୁକ୍ତି ସୀମା ହେଉଛି ୧୭୫,୦୦୦। ଲକ୍ଷ୍ୟ ହେଉଛି ପଞ୍ଚମ ବର୍ଷରେ ୯୦,୦୦୦ ନିଯୁକ୍ତି ଏବଂ ପରବର୍ତ୍ତୀ ବର୍ଷଠାରୁ ନିଯୁକ୍ତିକୁ ୧୨୫,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା।

PHOTO • Parth M.N.
PHOTO • Parth M.N.

ବାମ: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସମଗ୍ର ଭାରତରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ପ୍ରାର୍ଥୀ ତଥା ପୂର୍ବତନ ସେନା କର୍ମଚାରୀମାନେ ଏହାକୁ ବିରୋଧ କରିଥିଲେ। ଡାହାଣ: ପଲୁସରେ ୟଶ ଏକାଡେମୀ ଚଳାଉଥିବା ପ୍ରକାଶ ଭୋରେ ବି ଶ୍ୱା ସ କରନ୍ତି ଯେ ଏହି ଯୋଜନା ଭାରତର ଗ୍ରାମାଞ୍ଚଳରେ ନିଯୁକ୍ତି ସଙ୍କଟକୁ ଆହୁରି ଉତ୍କଟ କରିବ କାରଣ ଏହା ଏପରି ଭାବରେ ପରିକଳ୍ପନା କରାଯାଇଛି ଯେ ଯୁବକମାନଙ୍କୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପୂର୍ବରୁ ସେମାନଙ୍କୁ ଡ୍ୟୁଟି  ପାଇଁ ଯିବାକୁ ପଡ଼ିବ

ୟୁନିଫର୍ମରେ ଥିବା ଅଧିକାଂଶ ଯୁବକ କୃଷକଙ୍କ ପିଲା, କୃଷି ସଙ୍କଟ ସହ ସଂଘର୍ଷ କରୁଛନ୍ତି । କରଜ ଭାର ବୃଦ୍ଧି, ଫସଲ ମୂଲ୍ୟ ହ୍ରାସ, ଋଣ ଅଭାବ ଏବଂ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଯୋଗୁଁ ହଜାର ହଜାର କୃଷକ ନିଜ ଜୀବନ ହରାଇଛନ୍ତି। ଚାଷୀ ପରିବାରର ପିଲାମାନଙ୍କ ପାଇଁ ଏକ ସ୍ଥାୟୀ ଅବଧି ପାଇଁ ସ୍ଥିର ଆୟ ସହିତ ଚାକିରି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ପଲୁସରେ ୟଶ ଏକାଡେମୀ ଚଳାଉଥିବା ପ୍ରକାଶ ଭୋରେ ବିଶ୍ୱାସ କରନ୍ତି ଯେ ଏହି ଯୋଜନା ଭାରତର ଗ୍ରାମାଞ୍ଚଳରେ ନିଯୁକ୍ତି ସଙ୍କଟକୁ ଆହୁରି ଉତ୍କଟ କରିବ କାରଣ ଏହା ଏପରି ଭାବରେ ପରିକଳ୍ପନା କରାଯାଇଛି ଯେ ଯୁବକମାନଙ୍କୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପୂର୍ବରୁ ସେମାନଙ୍କୁ ଡ୍ୟୁଟି  ପାଇଁ ଯିବାକୁ ପଡ଼ିବ । ସେ କୁହନ୍ତି, “ଚାକିରି ବଜାର ମାନ୍ଦା ହୋଇଯାଇଛି । ଡିଗ୍ରୀ ନ ଥିବାରୁ ପିଲାମାନଙ୍କ ପାଇଁ ଏହା ଆହୁରି ଖରାପ ହେବ। ଚାରି ବର୍ଷ ପରେ ଘରକୁ ଫେରିଲେ ସେମାନେ କୌଣସି ସୋସାଇଟି କିମ୍ବା ଏଟିଏମ୍ ବାହାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିବେ ।’’

ସେମାନଙ୍କୁ ମଧ୍ୟ ବିବାହ କରିବାକୁ କେହି ଚାହିଁବେ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ‘‘କନ୍ୟା ପରିବାର ସ୍ପଷ୍ଟ ଭାବରେ ପଚାରୁଛନ୍ତି ଯେ ଭାବୀ ସ୍ୱାମୀଙ୍କର ସ୍ଥାୟୀ ଚାକିରି ଅଛି ନା’ ସେ ଜଣେ ଚାରି ବର୍ଷର ସେନା କର୍ମଚାରୀ? କଳ୍ପନା କରନ୍ତୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ତାଲିମପ୍ରାପ୍ତ ହତାଶ ଯୁବକମାନଙ୍କ ଏକ ଗୋଷ୍ଠୀ ଏବଂ ସେମାନଙ୍କ ପାଇଁ କିଛି କରିବାର ନାହିଁ । ମୁଁ ଅଧିକ କହିବାକୁ ଚାହେଁ ନାହିଁ, କିନ୍ତୁ ଏହା ଏକ ଭୟାନକ ଚିତ୍ର ।’’

ସେନାରେ ୧୭ ବର୍ଷ ବିତାଇଥିବା ଏବଂ ୨୦୦୯ରେ ସାଙ୍ଗଲିରେ ଏକ ଟ୍ରେନିଂ ଏକାଡେମୀ ଚଳାଉଥିବା ମେଜର ହିମ୍ମତ୍ ଓହ୍ୱାଲ୍ କହିଛନ୍ତି ଯେ ଏହି ଯୋଜନା ବାସ୍ତବରେ ଯୁବକମାନଙ୍କୁ ସେନାରେ ଯୋଗଦେବାକୁ ନିରୁତ୍ସାହିତ କରିଛି । ସେ କୁହନ୍ତି, “୨୦୦୯ ମସିହାରୁ ଆମ ଏକାଡେମୀରେ ପ୍ରତିବର୍ଷ ୧,୫୦୦-୨୦୦୦ ପିଲା ନାମ ଲେଖାଉଥିଲେ। ଅଗ୍ନିବୀର ପରେ, ଏହି ସଂଖ୍ୟା ୧୦୦କୁ ଖସି ଆସିଛି । ଏହା ବହୁତ ବଡ଼ ହ୍ରାସ ।’’

ଏହି ପରିସ୍ଥିତିରେ, ତଥାପି ଯେଉଁମାନେ ଯୋଗ ଦିଅନ୍ତି, ସେମାନଙ୍କ ଆଶା ଥାଏ ବ୍ୟାଚ୍‌ର ୨୫ ପ୍ରତିଶତ ମଧ୍ୟରେ ରହିଯିବେ – ଜଟ୍ଟୀଙ୍କ ପରି। କିମ୍ବା, ରିୟା ବେଲଦାରଙ୍କ ପରି ସେମାନଙ୍କର ଏକ ଭାବପ୍ରବଣ କାରଣ ଅଛି ।

ସାଙ୍ଗଲିର ଏକ ଛୋଟ ସହର ମିରାଜ ନିବାସୀ ବେଲଦାର ଜଣେ ନାମମାତ୍ର ଚାଷୀଙ୍କ ଝିଅ । ସେ ପିଲାଦିନୁ ମାମୁଙ୍କ ନିକଟତର ଏବଂ ତାଙ୍କୁ ଗର୍ବିତ କରିବାକୁ ଚାହାଁନ୍ତି । ସେ କୁହନ୍ତି, "ତାଙ୍କ ମାମୁ ଭାରତୀୟ ସେନାରେ ସେବା କରିବାକୁ ଚାହୁଁଥିଲେ। ଏହି ସ୍ୱପ୍ନକୁ ସେ କେବେ ପୂରଣ କରିପାରି ନଥିଲେ । ମୁଁ ଚାହୁଁଛି ମୋ ମାଧ୍ୟମରେ ସେ ତାଙ୍କ ସ୍ୱପ୍ନକୁ ପୂରଣ କରନ୍ତୁ।’’

PHOTO • Parth M.N.
PHOTO • Parth M.N.

ଯୁବତୀମାନେ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିବାରୁ ଲୋକଙ୍କ ଟାହିଟାପରା ଶୁଣନ୍ତି । ପ୍ରଶିକ୍ଷଣ ନେଉଥିବା ସାଙ୍ଗଲିର ଏକ ଛୋଟ ସହର ମିରାଜର ନାମମାତ୍ର କୃଷକଙ୍କ ଝିଅ ରିୟା ବେଲଦାର କୁହନ୍ତି , ମୁଁ ଫେରି ଆସି ଝିଅମାନଙ୍କ ପାଇଁ ଏକ ଏକାଡେମୀ ଆରମ୍ଭ କରିବାକୁ ଚାହୁଁଛି’

ଝିଅ ହୋଇଥିବା ସତ୍ତ୍ୱେ ସେନାରେ ସାମିଲ ହେବାକୁ ଚାହୁଁଥିବା ଏବଂ ଓହ୍ୱାଲଙ୍କ ଅଧୀନରେ ତାଲିମ ନେଉଥିବା ବେଲଦାର ପଡ଼ୋଶୀଙ୍କ ମନ୍ତବ୍ୟକୁ ଅଣଦେଖା କରିଛନ୍ତି । ତାଙ୍କୁ ଥଟ୍ଟା ପରିହାସ କରାଯାଇଛି । ବେଲଦାର କୁହନ୍ତି, "କିନ୍ତୁ ମୁଁ ସେମାନଙ୍କ ପ୍ରତି ଧ୍ୟାନ ଦେଇ ନଥିଲି କାରଣ ମୋର ବାପାମାଆ ମୋତେ ସମର୍ଥନ କରିଥିଲେ ।’’

ଏହି ୧୯ ବର୍ଷୀୟା ଯୁବତୀ ସ୍ୱୀକାର କରିଛନ୍ତି ଯେ ଅଗ୍ନିପଥ ଯୋଜନା ତାଙ୍କ ପାଇଁ ଆଦର୍ଶ ନୁହେଁ। ସେ କୁହନ୍ତି, “ତୁମେ ଦିନ ଦିନ ଟ୍ରେନିଂ ନେଉଛ, ତୁମେ ତୁମର ସମାଲୋଚକଙ୍କୁ ସାମ୍ନା କରୁଛ, ତୁମେ ତୁମର ଶିକ୍ଷା ପ୍ରତି ବିପଦ ସୃଷ୍ଟି କରୁଛ, ତୁମେ ୟୁନିଫର୍ମ ପିନ୍ଧୁଛ ଏବଂ ମାତ୍ର ଚାରି ବର୍ଷ ମଧ୍ୟରେ ଏହାକୁ ତୁମଠାରୁ ଛଡ଼ାଇ ନିଆଯିବ, ତୁମର କିଛି ଭବିଷ୍ୟତ ରହିବ ନାହିଁ । ଏହା ଅତି ଅନ୍ୟାୟ।’’

ତେବେ, ଚାରି ବର୍ଷର କାର୍ଯ୍ୟ ଶେଷ କରିବା ପରେ ବେଲଦାରଙ୍କ ପାଇଁ ନିଜର ଯୋଜନା ରହିଛି। ସେ କୁହନ୍ତି, "ମୁଁ ଫେରି ଆସି ଝିଅମାନଙ୍କ ପାଇଁ ଏକ ଏକାଡେମୀ ଆରମ୍ଭ କରିବାକୁ ଚାହୁଁଛି ଏବଂ ମୁଁ ଆମ ଚାଷ ଜମିରେ ଆଖୁ ଚାଷ କରିବି। ଚାରି ବର୍ଷ ଶେଷ ପରେ ମଧ୍ୟ ଯଦି ମୁଁ ସ୍ଥାୟୀ ନିଯୁକ୍ତି ପାଇ ପାରୁନାହିଁ, ତଥାପି ମୁଁ କହିପାରିବି ଯେ ମୁଁ ଥରେ ସେନାରେ ଥିଲି ଏବଂ ମାମୁଙ୍କ ସ୍ୱପ୍ନକୁ ପୂରଣ କରିଥିଲି।’’

ବେଲଦାର ଭଳି ସମାନ ଏକାଡେମୀରେ ତାଲିମ ନେଉଥିବା କୋହ୍ଲାପୁର ସହର ନବିସୀ ୧୯ ବର୍ଷ ବୟସ୍କ ଓମ୍ ବିଭୂତେ ଅଧିକ ବ୍ୟବହାରିକ ବାଟ ଆପଣାଇଛନ୍ତି । ସେ ଦେଶ ସେବା କରିବାକୁ ଆଶା କରି ଅଗ୍ନିପଥ ଯୋଜନା ଘୋଷଣା ପୂର୍ବରୁ ଓହ୍ୱାଲଙ୍କ ଏକାଡେମୀରେ ଯୋଗ ଦେଇଥିଲେ। କିନ୍ତୁ ଦୁଇ ବର୍ଷ ପୂର୍ବରୁ ସେ ଏହି ନିଷ୍ପତିକୁ ବଦଳାଇଥିଲେ । ସେ କୁହନ୍ତି, “ମୁଁ ବର୍ତ୍ତମାନ ଜଣେ ପୋଲିସ ଅଫିସର ହେବାକୁ ଚାହୁଁଛି । ଏହା ଆପଣଙ୍କୁ୫୮ ବର୍ଷ ବୟସ ପର୍ଯ୍ୟନ୍ତ ଚାକିରି ସୁରକ୍ଷା ଦେଇଥାଏ ଏବଂ ପୋଲିସ୍ ଫୋର୍ସରେ ସେବା କରିବା ମଧ୍ୟ ଜାତୀୟ ସ୍ୱାର୍ଥ ରହିଛି । ମୁଁ ଜଣେ ସୈନିକ ହେବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଅଗ୍ନିପଥ ଯୋଜନା ମୋ ମତ ବଦଳାଇ ଦେଇଥିଲା ।’’

ବିଭୂତେ କହିଛନ୍ତି ଯେ ଚାରି ବର୍ଷ ପରେ ଘରକୁ ଫେରିବା ଭାବନା ତାଙ୍କୁ ଅତ୍ୟନ୍ତ ଚିନ୍ତିତ କରିଥିଲା । ସେ ପଚାରନ୍ତି, ‘‘ମୁଁ ଫେରିବା ପରେ ମୁଁ କ'ଣ କରିବି? କିଏ ମୋତେ ଭଲ ଚାକିରି ଦେବ? ଜଣେ ନିଜ ଭବିଷ୍ୟତ ବିଷୟରେ ବାସ୍ତବବାଦୀ ହେବା ଆବଶ୍ୟକ ।’’

ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଅଗ୍ନିପଥ ଯୋଜନାରେ ସବୁଠାରୁ ବଡ଼ କ୍ଷତି ହେଉଛି ଏହା ମହତ୍ୱାକାଂକ୍ଷୀ ସୈନିକଙ୍କ ମଧ୍ୟରେ ରାଷ୍ଟ୍ରବାଦକୁ ହ୍ରାସ କରିଛି । ସେ କୁହନ୍ତି,‘‘ମୁଁ କିଛି ବିବ୍ରତ କଲା ଭଳି ଖବର ଶୁଣିଛି। ଯେତେବେଳେ ପିଲାମାନେ ହୃଦୟଙ୍ଗମ କରନ୍ତି ଯେ ସେମାନେ ୨୫ ପ୍ରତିଶତ ମଧ୍ୟରେ ରହିପାରିବେ ନାହିଁ, ସେମାନେ ଉଦ୍ୟମ ବନ୍ଦ କରି ଦିଅନ୍ତି, ବରିଷ୍ଠମାନଙ୍କୁ ଅବମାନନା କରନ୍ତି । ଏବଂ ମୁଁ ସେମାନଙ୍କୁ ଦାୟୀ କରିବି ନାହିଁ । ଜୀବନକୁ ତୁମେ କାହିଁକି ବିପଦରେ ପକାଇବ, ଚାକିରି ପାଇଁ ତୁମେ ରକ୍ତ ନିଗାଡ଼ି ଏବଂ ଝାଳ ବୁହାଇବ, ଯାହା ଚାରି ବର୍ଷ ମଧ୍ୟରେ ତୁମକୁ ଛାଡ଼ିବାକୁ ପଡ଼ିବ? ଏହି ଯୋଜନା ସୈନିକମାନଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକରେ ପରିଣତ କରିଛି ।’’

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE