ତାଙ୍କ ନାଁ ଆଗରୁ ଆଉ ଗୋଟିଏ ବିଶେଷଣ ଲଗାଇବାକୁ ଜିଦ୍‌ ଧରନ୍ତି ହେମନ୍ତ କାୱଲେ।

“ମୁଁ ଶିକ୍ଷିତ, ବେକାର, ଆଉ .... ଅବିବାହିତ,” ନିଜର ବୈବାହିକ ସ୍ଥିତିକୁ ଲକ୍ଷ୍ୟ କରି କଟାକ୍ଷ କରନ୍ତି ଏହି ୩୦ ବର୍ଷୀୟ ଯୁବକ ଜଣକ । ତା ସହିତ ନିଜକୁ ଏବଂ ତାଙ୍କ ଭଳି ଅନ୍ୟ ଅନେକ ଯୁବ ଚାଷୀଙ୍କୁ ପରିହାସ କରନ୍ତି ସେ ।

ସୁ-ଶିକ୍ଷିତ । ବେରୋଜଗାର । ଅବିବାହିତ । ପ୍ରତିଟି ଶବ୍ଦ ଉପରେ ଜୋର୍‌ ଦେଇ ସେ ଉଚ୍ଚାରଣ କରନ୍ତି ଏବଂ ତାଙ୍କର ସେହି ଛୋଟିଆ ପାନ ଦୋକାନ ପାଖରେ ତାଙ୍କୁ ଘେରି ଠିଆ ହୋଇଥିବା ୩୦ ବର୍ଷରୁ ଅଧିକ ବୟସର ତାଙ୍କ ସାଙ୍ଗମାନେ ଦୁର୍ବଳ ସ୍ୱରରେ ହସି ଉଠନ୍ତି । ସେହି ହସ ଭିତରେ ଛପି ରହିଥାଏ ସେମାନଙ୍କ ବାଧ୍ୟତାମୂଳକ ଅବିବାହିତ ଜୀବନର କ୍ରୋଧ ଓ ଲଜ୍ଜାର ମିଶାମିଶି ଭାବ । ସତେ ଯେମିତି ସେହି ତିନିଟି ଶବ୍ଦରେ ସେମାନଙ୍କୁ ବି ଉପହାସ କରାଯାଇଛି ।

“ତାହା ହିଁ ଆମର ମୁଖ୍ୟ ସମସ୍ୟା,” ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା କାୱଲେ କହନ୍ତି ।

ଏବେ ଆମେ ଅଛୁ ସେଲୋଡ଼ି ଗାଁରେ । କୃଷକ ଆତ୍ମହତ୍ୟାକୁ ନେଇ ବହୁଚର୍ଚ୍ଚିତ ପୂର୍ବ ମହାରାଷ୍ଟ୍ର ଅନ୍ତର୍ଗତ କପାଚାଷର କେନ୍ଦ୍ରସ୍ଥଳୀ ରୂପେ ପରିଚିତ ବିଦର୍ଭ ଅଞ୍ଚଳର ୟବତମାଲ-ଦାରୱା ରାସ୍ତାର ଏକ ଗାଁ । ବର୍ଷ ବର୍ଷ ଧରି କୃଷି ସଂକଟର କଳାବାଦଲ ତଳେ ରହିଆସିଥିବା ଏହି ଅଞ୍ଚଳରୁ କାମଧନ୍ଦା ସନ୍ଧାନରେ ଲୋକଙ୍କ ପଳାୟନର ସଂଖ୍ୟା ବି ବହୁ ଅଧିକ । ଗାଁର ମୁଖ୍ୟ ଛକରେ କାୱଲେଙ୍କ ପାନ କେବିନ୍‌ର ସବୁଜ ଛାୟାରେ ରୁଣ୍ଡ ହୋଇଥିବା ଏହି ଯୁବକମାନେ ଗପସପରେ ସମୟ ବିତାଉଛନ୍ତି । ସେମାନେ ସମସ୍ତେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି; ସମସ୍ତଙ୍କର ନିଜ ନାଁରେ ଚାଷଜମି ରହିଛି; ସମସ୍ତେ ବେକାର । ତାଙ୍କ ଭିତରୁ କେହି ହେଲେ ବିବାହ କରିନାହାନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ପୁଣେ, ମୁମ୍ବାଇ, ନାଗପୁର କି ଅମରାବତୀ ଭଳି ନଗରୀରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି; କିଛି ଦିନ ପାଇଁ ସ୍ୱଳ୍ପ ଦରମାରେ କାମ କରିଛନ୍ତି; ଚାକିରି ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ପବ୍ଲିକ୍‌ ସର୍ଭିସ୍ କମିଶନଙ୍କ ପରିଚାଳିତ କିମ୍ବା ଅନ୍ୟାନ୍ୟ ସଂସ୍ଥାରେ ନିଯୁକ୍ତି ପରୀକ୍ଷା ଦେଇ ସାରିଛନ୍ତି, ଏବଂ ବିଫଳ ହୋଇଛନ୍ତି ।

କେବଳ ଏ ଅଞ୍ଚଳର କାହିଁକି, ସାରା ଦେଶର ଅଧିକାଂଶ ଯୁବକଙ୍କ ଭଳି କାୱଲେ ବି ପିଲାଟି ଦିନରୁ ଭାବି ନେଇଥିଲେ ଯେ ଚାକିରିଟିଏ ପାଇବା ପାଇଁ ଉଚ୍ଚଶିକ୍ଷା ନିହାତି ଦରକାର ।

ଏବେ ସେ ଜାଣୁଛନ୍ତି ଯେ ବିବାହ ପାଇଁ କନ୍ୟାଟିଏ ପାଇବାକୁ ସ୍ଥାୟୀ ସରକାରୀ ଚାକିରିଟିଏ ଦରକାର ।

କେବେ କେମିତି, ତାହା ବି ଅତି ଅଳ୍ପସଂଖ୍ୟାରେ ଚାକିରି ମିଳୁଥିବା ଅନୁଭବ କରିବା ପରେ କାୱଲେ ତାଙ୍କ ଗାଁରେ ଥିବା ପରିବାରର ଚାଷଜମିରେ କାମ କରିବାକୁ ସ୍ଥିର କଲେ ଏବଂ କିଛିଟା ଅତିରିକ୍ତ ରୋଜଗାର ପାଇଁ ଗାଁରେ ଏହି କେବିନ୍‌ଟିକୁ ପକାଇଲେ ।

“ମୁଁ ପାନ କେବିନ୍‌ ପକାଇବାକୁ ସ୍ଥିର କଲି, ଜଣେ ସାଙ୍ଗକୁ ରସୱନ୍ତୀ (ଆଖୁରସ ଷ୍ଟଲ) ଚଳାଇବାକୁ କହିଲି, ଏବଂ ଆଉ ଜଣଙ୍କୁ ଜଳଖିଆ ଷ୍ଟଲ କରିବାକୁ କହିଲି । ଯାହା ଫଳରେ ଆମେ କିଛି ବ୍ୟବସାୟ କରିପାରିବୁ,” ପ୍ରଖର ବୁଦ୍ଧିସଂପନ୍ନ କାୱଲେ କହନ୍ତି । “ପୁଣେରେ ରହି ପୂରା ଗୋଟିଏ ଚପାତି ଖାଇବା ଅପେକ୍ଷା ଗାଁରେ ରହି ଅଧା ଚପାତି ଖାଇବା ସବୁ ସମୟରେ ଭଲ,” ସେ କହନ୍ତି ।

PHOTO • Jaideep Hardikar

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜର ଭାଗ୍ୟ ପରୀକ୍ଷା କରିବା ପରେ ଏବଂ ପୁଣେ ଏବଂ ଅନ୍ୟାନ୍ୟ ସହରର କେତେକ ଫ୍ୟାକ୍ଟ୍ରିରେ କାମ କରିବା ପରେ ହେମନ୍ତ କୱାଲେ (ଡାହାଣ) ପାନ ଦୋକାନଟିଏ କରିବା ଲାଗି ୟବତମାଲ ଜିଲ୍ଲାର ଦାରୱା ତହସିଲ ଅନ୍ତର୍ଗତ ତାଙ୍କ ଗାଁ ସେଲୋଡ଼ିକୁ ଫେରି ଆସିଲେ । ଜୀବିକା ଅର୍ଜନ ଲାଗି ସେ ଓ ତାଙ୍କ ବନ୍ଧୁ ଅଙ୍କୁଶ କଙ୍କିରାଡ (ବାମ) ନିଜ ନିଜର ଚାଷଜମିରେ ଚାଷ ମଧ୍ୟ କରନ୍ତି। ହେମନ୍ତ କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ଅଙ୍କୁଶ ଦାରୱାରେ କୃଷି ବିଜ୍ଞାନରେ ସ୍ନାତକ ପାସ୍‌ କରିଛନ୍ତି

ବର୍ଷ ବର୍ଷ ଧରି ଆର୍ଥିକ ସଂକଟଜନିତ ଦୁଃସ୍ଥିତିରେ କାଳ କାଟିବା ପରେ, ଏବେ ମହାରାଷ୍ଟ୍ରର ଗ୍ରାମାଞ୍ଚଳର ଯୁବକମାନେ ଆଉ ଏକ ସୁଦୂର ପ୍ରସାରୀ ପରିଣତି ବିଜଡ଼ିତ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି: ବିଳମ୍ବିତ ବିବାହ କିମ୍ବା ବାଧ୍ୟତାମୂଳକ ଅବିବାହିତ ଜୀବନ ଏବଂ ଚିର ଅବିବାହିତ ଜୀବନଯାପନର ଅପରିହାର୍ଯ୍ୟ ଆଶଙ୍କା ।

“ଘରେ ମୋ ମାଆ ମୋ ବାହାଘର ପାଇଁ ସବୁବେଳେ ଚିନ୍ତିତ,” କାୱଲେଙ୍କ ଅନ୍ତରଙ୍ଗ ବନ୍ଧୁ ୩୧ ବର୍ଷୀୟ ଅଙ୍କୁଶ କାଙ୍କିରାଡ଼ କହନ୍ତି । ଅଙ୍କୁଶଙ୍କର ୨.୫ ଏକର ଜମି ଅଛି ଏବଂ ସେ କୃଷି ବିଜ୍ଞାନରେ ବିଏସ୍‌ସି ପାସ୍‌ କରିଛନ୍ତି। “ମୋର ବୟସ ବଢୁଥିବା ବେଳେ ମୁଁ କେମିତି ଅବିବାହିତ ରହିପାରିବି ବୋଲି ମୋ ମାଆ ଚିନ୍ତା କରୁଛନ୍ତି,” ସେ କହନ୍ତି ଏବଂ ବାହା ହେବାକୁ ଚାହୁଁଥିଲେ ବି ଅତି କମ୍‌ ରୋଜଗାର ଯୋଗୁଁ କରିପାରୁନାହାନ୍ତି ବୋଲି କଥା ଯୋଡ଼ନ୍ତି ।

ଭିନ୍ନ ଭିନ୍ନ ଭାବରେ କହୁଥିଲେ ମଧ୍ୟ, ଏ ଅଞ୍ଚଳରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ରୀତି ବୋଲି ସମସ୍ତେ ‘ପରୀ’କୁ କହନ୍ତି। ମହାରାଷ୍ଟ୍ରର ସମୃଦ୍ଧ ଚିନି କ୍ଷେତ୍ର ତୁଳନାରେ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛୁଆ ଅଞ୍ଚଳ ରୂପେ ପରିଗଣିତ ଗୋନ୍ଦିଆର ପୂର୍ବ ସୀମାବର୍ତ୍ତୀ ଏହି ଅଞ୍ଚଳରେ ଆପଣ ଯୁବ ବର୍ଗର ଏମିତି ଅନେକ ପୁରୁଷ ଓ ମହିଳାଙ୍କୁ ଭେଟିବେ, ଯେଉଁମାନେ କି ସେମାନଙ୍କର ସ୍ୱାଭାବିକ ବିବାହଯୋଗ୍ୟ ବୟସ ଅତିକ୍ରମ କରିସାରିଛନ୍ତି ।

ରାଜ୍ୟର ବିଭିନ୍ନ ମେଟ୍ରୋ ନଗରୀ କିମ୍ବା ଶିଳ୍ପାଞ୍ଚଳରେ ରହୁଥିବା ସେମାନଙ୍କ ବୟସର ଅନ୍ୟ ଅଧିକ ଶିକ୍ଷିତ ଯୁବକଯୁବତୀଙ୍କ ତୁଳନାରେ ସେମାନଙ୍କ ପାଖରେ ସାମାଜିକ ଓ ଯୋଗାଯୋଗ ଦକ୍ଷତା ନଥିବା କାରଣରୁ ସେମାନେ ଏ କ୍ଷେତ୍ରରେ ଆଗେଇ ପାରୁନାହାନ୍ତି ।

୨୦୨୪ ମସିହା ଏପ୍ରିଲ ପୂର୍ବଭାଗରୁ ଆରମ୍ଭ ମାସକ ଭିତରେ, ସମଗ୍ର ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଅନେକ ଯୁବକ ଓ ଯୁବତୀଙ୍କୁ ‘ପରୀ’ ସାକ୍ଷାତ କରିଥିଲା ଏବଂ ସେମାନଙ୍କ ମଧ୍ୟରେ ଅନେକ ଶିକ୍ଷିତ ଏବଂ ଉଚ୍ଚାଭିଳାଷୀ ରହିଥିଲେ ହେଁ ସେମାନେ ନିଜ ପାଇଁ ଉପଯୁକ୍ତ ଜୀବନ ସାଥୀଟିଏ ଖୋଜି ପାଇପାରୁ ନଥିଲେ । ବିବାହ ପ୍ରସଙ୍ଗରେ ମୋହଭଙ୍ଗ ହେବା ପରେ ସେମାନେ ଶଙ୍କାଗ୍ରସ୍ତ ଓ ଭବିଷ୍ୟତ ସଂପର୍କରେ ଅନିଶ୍ଚିତ ସ୍ଥିତିରେ ରହିଥିଲେ ।

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଏବଂ ମାନବ ବିକାଶ ସଂସ୍ଥା (ଆଇଏଚଡି) ପକ୍ଷରୁ ମିଳିତ ଭାବେ ପ୍ରକାଶିତ ଭାରତରେ ନିଯୁକ୍ତି ସଂକ୍ରାନ୍ତ ରିପୋର୍ଟ- ଇଣ୍ଡିଆ ଏମ୍ପ୍ଲୟମେଣ୍ଟ ରିପୋର୍ଟ ୨୦୨୪ ଅନୁସାରେ  ଭାରତର ବେକାର ଲୋକଙ୍କ ମଧ୍ୟରୁ ପାଖାପାଖି ୮୩ ପ୍ରତିଶତ ଶିକ୍ଷିତ ଯୁବକଯୁବତୀ । ଏଥିରେ ଆହୁରି କୁହାଯାଇଛି ଯେ, ମୋଟ ବେକାର ଯୁବକଯୁବତୀଙ୍କ ତୁଳନାରେ ଅତି କମ୍‌ରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିବା ବେକାର ଯୁବକଯୁବତୀଙ୍କ ଅନୁପାତ ୨୦୦୦ ମସିହାରେ ୩୫.୨ ପ୍ରତିଶତ ରହିଥିବା ବେଳେ ୨୦୨୨ରେ ଏହା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇ ୬୫.୭ ପ୍ରତିଶତରେ ପହଞ୍ଚିଛି ।

୩୪୨ ପୃଷ୍ଠାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, “କର୍ମଜୀବୀମାନେ କୃଷି କ୍ଷେତ୍ରକୁ ଛାଡ଼ି ଅଣ-କୃଷି କ୍ଷେତ୍ରରେ ପ୍ରବେଶ କରିବା ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବା ବେଳେ ବିଶ୍ୱ ମହାମାରୀ (କୋଭିଡ୍‌-୧୯) ଯୋଗୁଁ ୨୦୧୯ ପରେ ଏହାର ବିପରୀତ ଧାରା ଲକ୍ଷ୍ୟ କରାଯାଇଥିଲା । ଫଳରେ କୃଷି କ୍ଷେତ୍ରରେ ନିଯୁକ୍ତିର ଅନୁପାତ ବଢ଼ିବା ସହିତ ମୋଟ ଶ୍ରମଶକ୍ତିରେ କୃଷିଜୀବୀମାନଙ୍କ ସଂଖ୍ୟା ସାମଗ୍ରିକ ଭାବେ ବୃଦ୍ଧି ପାଇଥିଲା ।”

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଭାରତରେ ନିଯୁକ୍ତି କହିଲେ ମୁଖ୍ୟତଃ ଆତ୍ମନିଯୁକ୍ତି ଏବଂ ସାମୟିକ ନିଯୁକ୍ତିକୁ ବୁଝାଇ ଥାଏ । ଏଥିରେ କୁହାଯାଇଛି, “ପାଖାପାଖି ୮୨ ପ୍ରତିଶତ ଶ୍ରମଶକ୍ତି ଅଣ-ଆନୁଷ୍ଠାନିକ କ୍ଷେତ୍ରରେ ନିୟୋଜିତ ଏବଂ ପାଖାପାଖି ୯୦ ପ୍ରତିଶତ କର୍ମଜୀବୀ ଅଣ ଆନୁଷ୍ଠାନିକ ଭାବେ ନିଯୁକ୍ତି ପାଇଥାଆନ୍ତି ।” ସେମାନେ, ସେଲୋଡ଼ି ଗାଁର ଯୁବକମାନଙ୍କ ଭଳି ପାନ ଦୋକାନଟିଏ କରନ୍ତି, ରସୱନ୍ତୀ ଏବଂ ଚା’-ଜଳଖିଆ ଷ୍ଟଲ ଚଳାନ୍ତି ।

“ନିଯୁକ୍ତି ଅଭିବୃଦ୍ଧିର ଧାରା ଦୃଷ୍ଟିରୁ ୨୦୧୯ ମସିହା ପରଠାରୁ ମୋଟ ନିଯୁକ୍ତିରେ ଅଣଆନୁଷ୍ଠାନିକ କ୍ଷେତ୍ରରେ ଏବଂ/କିମ୍ବା ଅଣଆନୁଷ୍ଠାନିକ ନିଯୁକ୍ତିର ଅଂଶ ବୃଦ୍ଧି ପାଇଲା ।” ୨୦୧୨-୨୨ରେ ସାମୟିକ ଶ୍ରମିକମାନଙ୍କର ମଜୁରିରେ ସାମାନ୍ୟ ବୃଦ୍ଧି ପ୍ରକ୍ରିୟା ଅବ୍ୟାହତ ରହିଥିବା ବେଳେ ନିୟମିତ ଶ୍ରମିକମାନଙ୍କର ପ୍ରକୃତ ମଜୁରି ହୁଏତ ସ୍ଥିର ରହିଥିଲା କିମ୍ବା ହ୍ରାସ ପାଇଥିଲା । ୨୦୧୯ ପରେ ଆତ୍ମନିଯୁକ୍ତି କ୍ଷେତ୍ରରେ ପ୍ରକୃତ ରୋଜଗାର ମଧ୍ୟ ତଳକୁ ଖସିବାରେ ଲାଗିଥିଲା । ମୋଟାମୋଟି ଭାବେ ମଜୁରି ନିମ୍ନମୁଖୀ ରହିଥିଲା । ସର୍ବଭାରତୀୟ ସ୍ତରରେ, ୨୦୨୨ ମସିହାରେ କୃଷି କ୍ଷେତ୍ରରେ ନିୟୋଜିତ ୬୨ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ରରେ ନିୟୋଜିତ ୭୦ ପ୍ରତିଶତ ଅଣକୁଶଳୀ ସାମୟିକ ଶ୍ରମିକ ନିର୍ଦ୍ଧାରିତ ସର୍ବନିମ୍ନ ଦୈନିକ ମଜୁରି ପାଇ ନଥିଲେ ।

PHOTO • Jaideep Hardikar
PHOTO • Jaideep Hardikar

ବାମ: କିଛି ଅତିରିକ୍ତ ରୋଜଗାର ଉଦ୍ଦେଶ୍ୟରେ ପାନ ଷ୍ଟଲ ପାଖରେ ରାମେଶ୍ୱର କଙ୍କିରାଡ ଗୋଟିଏ ରସୱନ୍ତୀ (ଆଖୁରସ ଷ୍ଟଲ) ସ୍ଥାପନ କରିଛନ୍ତି । ତାଙ୍କ ବନ୍ଧୁମାନଙ୍କ ଭିତରେ ସେ ସବୁଠାରୁ ସାନ ଏବଂ ଚାଷବାସରୁ ନିଜର ସ୍ୱଳ୍ପ ରୋଜଗାର ଦୃଷ୍ଟିରୁ ସେ ବିବାହ କରି ପରିବାର ଗଢ଼ିବା ଲାଗି ଆଗ୍ରହୀ ନୁହଁନ୍ତି । ଡାହାଣ: ରାମେଶ୍ୱର ତାଙ୍କ ଆଖୁପେଡ଼ା ଯନ୍ତ୍ର ଚଳାଉଛନ୍ତି । ତାଙ୍କ ପଛରେ ଠିଆ ହୋଇଛନ୍ତି କୱାଲେ (ଚେକ୍‌ ଶାର୍ଟ) ଏବଂ ଅଙ୍କୁଶ କଙ୍କିରାଡ (ବାଦାମୀ ଟି-ଶାର୍ଟ)

*****

ବାସ୍ତବ କ୍ଷେତ୍ରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ।

ବିବାହ ପାଇଁ କନ୍ୟା ଖୋଜି ପାଇବା ଏକ ଆହ୍ୱାନ ସଦୃଶ ହୋଇଥିବା ବେଳେ ଗାଁଗହଳିର ଶିକ୍ଷିତା ଝିଅମାନଙ୍କ ପାଇଁ ସ୍ଥାୟୀ ଚାକିରି କରୁଥିବା ବରପାତ୍ରଟିଏ ଖୋଜିବା ମଧ୍ୟ ସମାନ ଭାବରେ କଷ୍ଟକର ।

ବିଏ ପାସ୍‌ କରିଥିବା ସେଲୋଡି ଗାଁର ଜଣେ ଯୁବତୀ (ନିଜ ନାମ ପ୍ରକାଶ କରିବାକୁ ଅନିଚ୍ଛୁକ ଏବଂ ନିଜ ପସନ୍ଦର ଜୀବନ ସାଥୀ ସଂପର୍କରେ କହିବାକୁ ଲାଜ କରୁଥିବା) କହନ୍ତି: “ଗାଁରେ ଚାଷବାସରେ ବ୍ୟସ୍ତ ରହୁଥିବା ଜଣେ ପୁରୁଷ ଅପେକ୍ଷା ସହରରେ ରହି ସ୍ଥାୟୀ ଚାକିରିଟିଏ କରୁଥିବା ଜଣେ ପୁରୁଷଙ୍କୁ ମୁଁ ବିବାହ କରିବାକୁ ଚାହିଁବି ।”

ଗାଁରେ ରହୁଥିବା ତାଙ୍କ ସଂପ୍ରଦାୟର ଅନ୍ୟ କେତେକ ଝିଅଙ୍କ ପାଇଁ ସହରରେ ରହି ସ୍ଥାୟୀ ଚାକିରି କରୁଥିବା ବରପାତ୍ରଟିଏ ଖୋଜିବାର ଅନୁଭୂତି ଅଧାରରେ ସେ କହନ୍ତି, ତାହା ଏତେ ସହଜ ନୁହେଁ ।

ସମଗ୍ର ଅଞ୍ଚଳରେ, ଏହି ସମସ୍ୟା ସବୁ ଜାତି ଓ ବର୍ଗର ଲୋକଙ୍କ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଭାବରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମଧ୍ୟରେ ଥିବା ଉଚ୍ଚଜାତିର ଜମିମାଲିକ କିମ୍ବା ମରାଠାମାନଙ୍କ ଭଳି ପ୍ରତିପତ୍ତିଶାଳୀ ସଂପ୍ରଦାୟ କ୍ଷେତ୍ରରେ, ସମାନ ଭାବରେ ସତ ମନେ ହୁଏ ।

ବେକାରି କିଛି ନୂଆ କଥା ନୁହେଁ, ନା ବେକାର ହୋଇ ରହିବାର ସମ୍ଭାବନା, କିମ୍ବା ବିଳମ୍ବିତ ବିବାହ । କିନ୍ତୁ ଆଜିକାଲି ଏହି ସାମାଜିକ ସମସ୍ୟାର ହାର ନିହାତି ଚିନ୍ତାଜନକ ବୋଲି ପୁରୁଖା ଚାଷୀମାନେ କହନ୍ତି ।

ସେଲୋଡ଼ିର ଜଣେ ପୁରୁଖା ଚାଷୀ ଭାଗୱନ୍ତ କାଙ୍କିରାଡ କହନ୍ତି, “ଆଗରୁ ଯେଉଁମାନେ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଥିଲେ, ସେମାନେ ବି ଆଜିକାଲି ଆଉ ସେମାନଙ୍କ ଭୂମିକା ତୁଲାଇବାକୁ ଆଗ୍ରହୀ ନୁହନ୍ତି ।” ଉପଯୁକ୍ତ ଜୀବନ ସାଥୀ ମିଳୁ ନଥିବାରୁ ତାଙ୍କର ଦୁଇ ଜଣ ପୁତୁରା ଓ ଜଣେ ଝିଆରୀ ବିବାହ କରିପାରିନାହାନ୍ତି । ସେ କହନ୍ତି ଯେ, ବର୍ଷ ବର୍ଷ ଧରି ସେ ତାଙ୍କ ସଂପ୍ରଦାୟରେ ମଧ୍ୟସ୍ଥ ଭୂମିକା ନିର୍ବାହ କରିଆସୁଥିଲେ, ବିବାହଯୋଗ୍ୟ ଯୁବକଯୁବତୀମାନଙ୍କ ପାଇଁ କନ୍ୟା କି ବରପାତ୍ର ଖୋଜି ଆସୁଥିଲେ । ଆଜି ସେ ଉପାୟହୀନ, ସେ କହନ୍ତି ।

“ମୁଁ ପରିବାରରେ କୌଣସି ବିବାହ ଉତ୍ସବକୁ ଯିବା ବନ୍ଦ କରିଦେଲି,” ଦଶ ଏକର ଜଳସେଚିତ ଜମିର ମାଲିକ ଏବଂ ସ୍ନାତକୋତ୍ତର ଡିଗ୍ରୀଧାରୀ ୩୨ ବର୍ଷୀୟ ଯୋଗେଶ ରାଉତ କହନ୍ତି । “କାରଣ, ଯେତେବେଳେ ବି ମୁଁ ଯାଏ, ମୁଁ କେବେ ବିବାହ କରିବି ବୋଲି ଲୋକେ ପଚାରନ୍ତି,” ସେ କହନ୍ତି । “ଏହା ଲଜ୍ଜାଜନକ ଏବଂ ହତାଶାଜନକ ।”

ତେଣେ ଘରେ, ବାପାମାଆ ଚିନ୍ତାରେ ଥାଆନ୍ତି । କିନ୍ତୁ ରାଉତ କହନ୍ତି, ଯଦିବା ସେ କନ୍ୟାଟିଏ ଖୋଜି ପାଆନ୍ତି, ତଥାପି ସେ ବାହା ହେବେ ନାହିଁ । କାରଣ, ଏତେ ତୁଚ୍ଛ ଏବଂ ଅଳ୍ପ ରୋଜଗାର ପରିବାର ଚଳାଇବା ଖୁବ୍‌ କଷ୍ଟକର ।

“ଚାଷବାସରୁ ହେଉଥିବା ରୋଜଗାରରେ ଜଣେ ବଞ୍ଚି ରହିପାରିବ ନାହିଁ,’ ସେ କହନ୍ତି । ସେହି କାରଣରୁ ଏହି ଗାଁର ଅଧିକାଂଶ ପରିବାର, ଚାଷବାସ ଉପରେ ନିର୍ଭର କରି ଚଳୁଥିବା କିମ୍ବା ଗାଁରେ ରହୁଥିବା ପୁଅ ସହିତ ସେମାନଙ୍କ ଝିଅର ବିବାହ କରିବାକୁ ଚାହାଁନ୍ତି ନାହିଁ । ଯେଉଁ ପୁଅମାନେ ସହରରେ ରହି ସ୍ଥାୟୀ ସରକାରୀ ଚାକିରି କରନ୍ତି, କିମ୍ବା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି, କିମ୍ବା ଆତ୍ମନିଯୁକ୍ତି ଜରିଆରେ ରୋଜଗାର କରନ୍ତି, ସେମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଏ ।

ସମସ୍ୟା ହେଉଛି ଯେ, ସ୍ଥାୟୀ ଚାକିରି ସଂଖ୍ୟା କମ୍‌ ଏବଂ ଲମ୍ବା ବ୍ୟବଧାନରେ ମିଳିଥାଏ ଏବଂ ଏହା ଖୋଜି ପାଇବା ପ୍ରକୃତରେ କଷ୍ଟକର କାମ ।

PHOTO • Jaideep Hardikar
PHOTO • Jaideep Hardikar

ବାମ: ‘ଯଦି ଆପଣଙ୍କର ସ୍ଥାୟୀ ରୋଜଗାର ପନ୍ଥା ନାହିଁ ତେବେ ଆପଣ ପରିବାର ଚଳାଇ ପାରିବେ ନାହିଁ,’ ଚାଷୀ ଯୋଗେଶ ରାଉତ କହନ୍ତି । ସେ ତାଙ୍କ ପରିବାରରେ କୌଣସି ବିବାହ ଉତ୍ସବକୁ ଯିବା ବନ୍ଦ କରିଦେଇଛନ୍ତି । କାରଣ, ସବୁ ସମୟରେ ତାଙ୍କୁ କେବେ ବିବାହ କରୁଛ ବୋଲି ପଚରାଗଲା । ଡାହାଣ: ହେମନ୍ତ ଏବଂ ଅଙ୍କୁଶ ସେମାନଙ୍କ ପାନ ଦୋକାନ ଚଳାଉଛନ୍ତି

ଅନେକ ବ୍ୟକ୍ତିଙ୍କ ସହିତ ‘ପରୀ’ର ସାକ୍ଷାତକାରରୁ ଜଣାପଡ଼ିଛି ଯେ, ଦୀର୍ଘ ବର୍ଷ ହେଲା ଜଳ ସଂକଟରେ ଘାଣ୍ଟି ହେଉଥିବା ମରାଠୱାଡ଼ା କ୍ଷେତ୍ରରେ, ଖାସ୍‌ କରି ଜଳାଭାବ ପ୍ରପୀଡ଼ିତ ଅଞ୍ଚଳର ଲୋକେ ଏଣିକି କନ୍ୟା ଖୋଜିବା ବନ୍ଦ କରିଦେଇଛନ୍ତି, କିମ୍ବା ଏଭଳି କୌଣସି ସହରକୁ ପଳାଇ ଯାଉଛନ୍ତି. ଯେଉଁଠି, ଯଦି ସେମାନେ ବିବାହ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଚାକିରି କିମ୍ବା ପାଣି କିମ୍ବା ଉଭୟ ମିଳିପାରିବ ।

ନିୟମିତ ରୋଜଗାର ମିଳିବା କଷ୍ଟକର ଏବଂ ଗ୍ରୀଷ୍ମ ଋତୁ ଭଳି ଚାଷବାସ ବନ୍ଦ ରହିଥିବା ସମୟରେ ଘର ଚଳାଇବା ଲାଗି ରୋଜଗାରର କୌଣସି ସାର୍ଥକ ସୁଯୋଗ ମିଳି ନଥାଏ ।

“ଗ୍ରୀଷ୍ମରେ ଚାଷକାମ ହୁଏ ନାହିଁ,” କାୱଲେ କହନ୍ତି । ଗାଁରେ ତାଙ୍କର ବର୍ଷାପାଣି ଉପରେ ନିର୍ଭର କରୁଥିବା ଦଶ ଏକର ଚାଷଜମି ରହିଛି ଏବଂ ତାଙ୍କର କେତେକ ବନ୍ଧୁଙ୍କ ଜମିରେ କୂଅ ବା ଗଭୀର କୂଅ ରହିଥିବାରୁ ସେମାନେ ସେଥିରେ ଭେଣ୍ଡି ଭଳି ଋତୁଭିତ୍ତିକ ପନିପରିବା ଚାଷ କରୁଛନ୍ତି । କିନ୍ତୁ ସେଥିରୁ ପରିଶ୍ରମର ସୁଫଳ ମିଳେନାହିଁ ।

“ରାତି ୨ଟାରୁ ମୁଁ ଉଠିଯାଏ; ବଡ଼ି ଭୋରରୁ ମୋ ଚାଷଜମିରୁ ଭେଣ୍ଡି ତୋଳି ଦାରୱାକୁ ନେଇ ସେଠାରେ ୨୦ କିଲୋଗ୍ରାମ ଝୁଡ଼ି ପିଛା ୧୫୦ ଟଙ୍କା ହିସାବରେ ବିକ୍ରି କରେ,” ଉତ୍ତେଜିତ କଣ୍ଠରେ କହନ୍ତି ଅଜୟ ଗାୱଣ୍ଡେ, ଯେ କି ଜଣେ ୮ ଏକର ଡାଷଜମିର ମାଲିକ, କଳାରେ ସ୍ନାତକ ଡିଗ୍ରୀଧାରୀ ଏବଂ ଅବିବାହିତ । “ଜମିରୁ ଭେଣ୍ଡି ଉଠାଇ ନେବାକୁ ୨୦୦ ଟଙ୍କା ଲାଗେ, ତେଣୁ ମୁଁ ଆଜି ମୋର ଶ୍ରମିକ ମଜୁରି ବାବଦ ଖର୍ଚ୍ଚ ବି ପାଇପାରି ନାହିଁ,” ସେ କହନ୍ତି ।

ଚାଷ ଜମିରେ ପଶୁମାନେ ପଶି ଫସଲ ନଷ୍ଟ କରିବା କଥାକୁ ସାମିଲ କଲେ ଏହି ସମସ୍ୟା ଏକ ସଂପୂର୍ଣ୍ଣ ସଂକଟର ରୂପ ନେଇଥାଏ । ଗାୱଣ୍ଡେ କହନ୍ତି, ସେଲୋଡ଼ିରେ ମାଙ୍କଡ଼ ଉପଦ୍ରବ ଲାଗି ରହେ । କାରଣ, ଚାଷଜମି ଓ ବୁଦୁବୁଦିକିଆ ଜଙ୍ଗଲ ମଝିରେ ବନ୍ୟ ଜୀବଜନ୍ତୁମାନଙ୍କ ଆଶ୍ରୟ ନିମନ୍ତେ ଏଭଳି ସ୍ଥାନ ନାହିଁ ଯେଉଁଠି ପାଣି କିମ୍ବା ଖାଦ୍ୟ ମିଳୁଥିବ । “ସେମାନେ ଦିନେ ମୋ ଜମିରେ ପଶନ୍ତି ତ ଆର ଦିନ ଆଉ କାହା ଜମିରେ, କ’ଣ ଆଉ କରିବୁ?”

ପ୍ରତିପତ୍ତିଶାଳୀ ତିରାଲେ-କୁମ୍ବି ଜାତିର (ଅନ୍ୟାନ୍ୟ ପଛୁଆ ବର୍ଗ) କାୱଲେ ଦାରୱାର ଏକ କଲେଜରେ ପାଠ ପଢ଼ିଲେ, ଚାକିରି ଖୋଜିବାକୁ ପୁଣେ ଯାଇଥିଲେ, ସେଠାରେ ମାସକୁ ୮,୦୦୦ ଟଙ୍କା ଦରମାରେ ଗୋଟିଏ ବେସରକାରୀ କମ୍ପାନୀରେ ଚାକିରି କରିଥିଲେ ଏବଂ ଦରମା ଟଙ୍କା ଅତି କମ୍‌ ହୋଇଥିବାରୁ ଘରକୁ ଫେରିଆସିଲେ । ତା’ପରେ ସେ ପ୍ରାଣୀ ଚିକିତ୍ସା ସେବାରେ ଏକ ପାଠ୍ୟକ୍ରମ ଶେଷ କରି ଏକ ଅତିରିକ୍ତ ଦକ୍ଷତା ହାସଲ କଲେ । ଏଥିରୁ ତାଙ୍କୁ କୌଣସି ସୁଫଳ ମିଳିଲା ନାହିଁ । ତା’ପରେ ସେ ଫିଟର୍‌ ପାଠ୍ୟକ୍ରମରେ ଡିପ୍ଲୋମା କରି ଏକ ବୈଷୟିକ ଦକ୍ଷତା ହାସଲ କଲେ, ହେଲେ ଏଥିରୁ ବି କିଛି ସୁବିଧା ମିଳିଲା ନାହିଁ ।

ଏସବୁ ଭିତରେ, ସେ ବ୍ୟାଙ୍କ ଚାକିରି, ରେଳବାଇ, ପୋଲିସ ଚାକିରି ଏବଂ ସରକାରୀ କିରାଣୀ ପଦବୀ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଲାଗି ପ୍ରସ୍ତୁତି ଚଳାଇବା ସହିତ ପରୀକ୍ଷା ଦେଇଥିଲେ ।

ଶେଷରେ, ସେ ଆଶା ଛାଡ଼ି ଦେଲେ । ତାଙ୍କର ଅନ୍ୟ ବନ୍ଧୁମାନେ ତାଙ୍କ କଥାରେ ସମ୍ମତ ହୁଅନ୍ତି । ସେମାନଙ୍କର କାହାଣୀ ବି ଏକାଭଳି ।

PHOTO • Jaideep Hardikar
PHOTO • Jaideep Hardikar

ବାମ : ସେଲୋଡ଼ି ଗାଁର ମୁଖ୍ୟ ଛକ  । ଡାହାଣ : ୟବତମାଲର ତୀରଝଡ଼ା ଗାଁ ସରପଞ୍ଚଙ୍କ ଦ୍ୱା ରା ସ୍ଥାପିତ ଷ୍ଟଡି ସେଣ୍ଟରରେ ୩୦ ବର୍ଷରୁ ଅଧିକ ଯୁବକମାନେ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଲାଗି ପାଠ ପଢୁଛନ୍ତି । ସେମାନେ ସମସ୍ତେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ହେଁ ବିବାହ ଲାଗି ଉପଯୁକ୍ତ କ ନ୍ୟା ପାଇପାରି ନାହାନ୍ତି

ଏଥର ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ, ଏପ୍ରିଲ ୨୬ ତାରିଖ ଦିନ ପଶ୍ଚିମ ବିଦର୍ଭ ଅନ୍ତର୍ଗତ ୟବତମାଲ-ୱାଶିମ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣର ମାତ୍ର ତିନି ଦିନ ପୂର୍ବରୁ, ସେମାନେ ସ୍ପଷ୍ଟ ଭାବରେ କହନ୍ତି ଯେ, ଏଥର ସେମାନେ ସମସ୍ତେ ପରିବର୍ତ୍ତନ ଲାଗି ଭୋଟ ଦେବେ । ଏହି ନିର୍ବାଚନରେ ଶିବ ସେନାର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଶିବସେନା-ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ପକ୍ଷରୁ ସଞ୍ଜୟ ଦେଶମୁଖ ଏବଂ ଏକନାଥ ସିନ୍ଦେଙ୍କ ସେନା ଗୋଷ୍ଠୀ ପକ୍ଷରୁ ରାଜଶ୍ରୀ ପାଟିଲ ପ୍ରାର୍ଥୀ ହୋଇଛନ୍ତି ।

ଏହି ଯୁବକମାନେ ଦେଶମୁଖଙ୍କୁ ସମର୍ଥନ କରୁଛନ୍ତି । କାରଣ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ଗୋଷ୍ଠୀ କଂଗ୍ରେସ ଓ ଏନ୍‌ସିପି ସହିତ ମେଣ୍ଟ କରିଛନ୍ତି । ବିଦର୍ଭ କଂଗ୍ରେସର ଏକ ପାରମ୍ପରିକ ଦୁର୍ଗ ଭାବରେ ରହିଆସିଛି ।

ତେନ ସ୍ତାଚ୍‌ ବାତା ମାରତେ, କା କେଲା ଜୀ ତେନ (ସେ କେବଳ କଥା କହୁଛନ୍ତି, କିନ୍ତୁ ସେ କ’ଣ କରିଛନ୍ତି)?” କଥା ମଝିରେ କହି ଉଠନ୍ତି କାଙ୍କିରଡ୍‌; ତାଙ୍କ କଣ୍ଠରେ ବାହାରି ଆସେ ପ୍ରତିବାଦର ସ୍ୱର । ସେ ଏକ ସାଧାରଣ ବରହାଡ଼ି ବୋଲିରେ କହନ୍ତି, ଯାହା କି ଏ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ବ୍ୟଙ୍ଗାତ୍ମକ ଧାରାକୁ ସୂଚାଏ ।

କିଏ ? ଆମେ ପଚାରୁ । କିଏ ଖାଲି କଥା କହେ, ଆଉ କାମ କରେନି?

ପୁଣି ସେହି ଯୁବକମାନେ ଅଳ୍ପ ହସନ୍ତି । “ଆପଣ ଜାଣିଛନ୍ତି,” କାୱଲେ କହନ୍ତି ଏବଂ ନିରବ ହୋଇଯାଆନ୍ତି ।

ସେମାନଙ୍କର ଶାଣିତ ବ୍ୟଙ୍ଗର ଲକ୍ଷ୍ୟସ୍ଥଳରେ ଥିଲେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଯେ କି ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହାନ୍ତି ବୋଲି ସେମାନେ ଅନୁଭବ କରୁଥିଲେ । ୨୦୧୪ରେ, ସାଧାରଣ ନିର୍ବାଚନ ଲାଗି ପ୍ରଚାର ସମୟରେ ଦାରୱା ଅନ୍ତର୍ଗତ ଏକ ପାଖ ଗାଁରେ ସେ ଚାୟ-ପେ-ଚର୍ଚ୍ଚା କାର୍ଯ୍ୟକ୍ରମ କରିଥିଲେ ଏବଂ ଏହି ଅବସରରେ ସେ ଅନୌପଚାରିକ ଭାବେ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇ ସେମାନଙ୍କ ଋଣଛାଡ଼ କରିବା, କପା ଓ ସୋୟାବିନର କିଣାମୂଲ୍ୟ ବଢ଼ାଇବା ଏବଂ ଏ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ସଂସ୍ଥା ସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଥିଲେ ।

ମୋଦି ତାଙ୍କ ପ୍ରତିଶ୍ରୁତି ମୁତାବକ କାମ କରିବେ ବୋଲି ବିଶ୍ୱାସ କରି ୨୦୧୪ ଓ ୨୦୧୯ ମସିହାରେ, ଏହି ଯୁବକମାନେ ପ୍ରବଳ ଉତ୍ସାହର ସହିତ ବିଜେପିକୁ ଭୋଟ ଦେଇଥିଲେ ।  ୨୦୧୪ରେ ସେମାନେ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଥିଲେ ଏବଂ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ମୂଳୋତ୍ପାଟନ କରିଥିଲେ । ଏବେ, ସେମାନଙ୍କର ହୃଦ୍‌ବୋଧ ହେଉଛି ଯେ, ମୋଦିଙ୍କ ପ୍ରତିଶ୍ରୁତି ସବୁ କେବଳ ଗୋଟିଏ ବେଲୁନ୍‌ ଭଳି ଥିଲା- ଯେଉଁଥିରୁ ହାୱା ବାହାରି ଯାଇଛି ।

ସେ ସମୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ଭୋଟ ଦେଇଥିଲେ । ସେମାନେ ଆଶା କରିଥିଲେ ଯେ, ସେମାନଙ୍କୁ ଚାକିରି ମିଳିବ, ଅର୍ଥନୀତିର ଉନ୍ନତି ସାଧିତ ହେବ, ଚାଷବାସ ଲାଭଦାୟକ ହେବ । କାରଣ, ମୋଦିଙ୍କ କଥା ଏତେ ଯୁକ୍ତିଯୁକ୍ତ ଏବଂ ଜୋରଦାର ଥିଲା ଯେ, ନିରାଶାରେ ବୁଡ଼ି ରହିଥିବା ଚାଷୀମାନେ ସେତେବେଳେ ସେ ଅଞ୍ଚଳରେ ଦେଖାଦେଇଥିବା ମୋଦି ଲହରିରେ ଭାସି ଯାଇଥିଲେ ଏବଂ ନିର୍ଣ୍ଣାୟକ ଢଙ୍ଗରେ ତାଙ୍କୁ ହିଁ ଭୋଟ ଦେଇଥିଲେ ।

ଦଶ ବର୍ଷ ବିତିଯିବା ପରେ ବି କପା ଓ ସୋୟାବିନର ଦର ଯେତିକି ଥିଲା ସେତିକି ରହିଛି । ଉତ୍ପାଦନ ବାବଦ ଖର୍ଚ୍ଚ ଦୁଇ-ତିନି ଗୁଣ ବଢ଼ି ଯାଇଛି । ଦରଦାମ ବୃଦ୍ଧି ଯୋଗୁଁ ଘରୋଇ ବଜେଟ ବିଗିଡ଼ି ଗଲାଣି । ଏବଂ କୌଣସି ସ୍ଥାନରେ ଚାକିରିର କୌଣସି ସୁଯୋଗ ମିଳୁ ନଥିବାରୁ ଯୁବ ଗୋଷ୍ଠୀ ମଧ୍ୟରେ ଆକ୍ରୋଶ ଓ ଉଦ୍‌ବେଗ ସୃଷ୍ଟି ହୋଇଛି ।

ଏ ସବୁ ଏକାଠି ହୋଇ ସେମାନଙ୍କୁ ପୁଣି ଚାଷବାସ ଭିତରକୁ ଠେଲି ଦେଇଛି ଏବଂ ଯେଉଁ କାମରୁ ସେମାନେ ବର୍ତ୍ତିବାକୁ ବାଟ ଖୋଜୁଥିଲେ ପୁଣି ତାହାକୁ ହିଁ ଆଦରି ନେଇଛନ୍ତି । ସେଲୋଡ଼ି ଗାଁର, ଏବଂ ବାସ୍ତବରେ ସମଗ୍ର ମହାରାଷ୍ଟ୍ରର ଗ୍ରାମାଞ୍ଚଳର ଯୁବ ଗୋଷ୍ଠୀ ସେମାନଙ୍କ ଅନ୍ତରର ଉଦ୍‌ବେଗକୁ ପରାହତ କରୁଥିବା ସେହି ଶାଣିତ ବୁଦ୍ଧିମତ୍ତା ନିହିତ ବ୍ୟଙ୍ଗ ସଦୃଶ ଏକ ନୂତନ ଭାବଧାରାକୁ ଶବ୍ଦରୂପରେ ସଜାଇଛନ୍ତି: “ ନୌକରି ନାହି, ତର ଛୋକରି ନାହି (ଚାକିରି ନାହିଁ ତ କନ୍ୟା ନାହିଁ!)

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE