ସୟଦ ଖୁର୍ସିଦ ବଜେଟ ଉପରେ ଖୁବ୍ କମ୍ ଧ୍ୟାନ ଦେଇଥିଲେ। ୭୨ ବର୍ଷ ବୟସ୍କ ଖୁର୍ସିଦ କୁହନ୍ତି, ‘‘ମୁଁ ନ୍ୟୁଜ୍ ଚାନେଲ ଦେଖିବାକୁ ଚେଷ୍ଟା ସୁଦ୍ଧା କରିନଥିଲି। ଆପଣ ଜାଣିନାହାନ୍ତି ଯେ, ଏଥିରେ କେତେ ସତ୍ୟତା ଏବଂ କେତେ ଅପପ୍ରଚାର ରହିଛି।’’
ଚଳିତ ବଜେଟରେ ଟିକସ ସ୍ଲାବରେ ହୋଇଥିବା ପରିବର୍ତ୍ତନ ବିଷୟରେ ସେ ଶୁଣିଛନ୍ତି କାରଣ କେହି ଜଣେ ଏହା ବିଷୟରେ ଆଲୋଚନା କରୁଥିଲା। ସେ ହସି ହସି କୁହନ୍ତି, ‘‘କିନ୍ତୁ ମୁଁ ମୋ ପଡ଼ାରେ ଏମିତି ଜଣେ ବ୍ୟକ୍ତିଙ୍କୁ ଜାଣେ ନାହିଁ, ଯାହାଙ୍କୁ ଏହାର ଲାଭ ମିଳିବ। ‘‘ହମ୍ ଆପନା କମାତେ ହୈ ଔର ଖାତେ ହେଁ (ଆମେ ନିଜେ ରୋଜଗାର କରୁ ଓ ଖାଇଥାଉ)।
୬୦ ବର୍ଷରୁ ଅଧିକ ସମୟ ହେବ ମହାରାଷ୍ଟ୍ର ପରଭଣୀ ଜିଲ୍ଲାରେ ଥିବା ଗଙ୍ଗାଖେଡ଼ ସହରରେ ସୟଦ ଦରଜି ଭାବେ କାମ କରି ଆସୁଛନ୍ତି। ମାତ୍ର ଆଠ ବର୍ଷ ବୟସରେ ସେ ତାଙ୍କ ବାପାଙ୍କ ଠାରୁ ଏହି କାମ ଶିଖିଥିଲେ। ତେବେ ତାଙ୍କ ବ୍ୟବସାୟରୁ ଆଉ ଆଗ ଭଳି ଲାଭ ହେଉନାହିଁ। ‘‘ଯୁବପିଢ଼ି ରେଡିମେଡ ପୋଷାକକୁ ପସନ୍ଦ କରୁଛନ୍ତି,’’ ସେ କହିଥା’ନ୍ତି।
![](/media/images/02a-IMG20250203145616-PMN-Workers_like_us_.max-1400x1120.jpg)
![](/media/images/02b-IMG20250203145628-PMN-Workers_like_us_.max-1400x1120.jpg)
ତାଙ୍କର ଛଅ ପିଲା - ୪ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ କେବଳ ଗୋଟିଏ ପୁଅ ତାଙ୍କ ସହ ଦରଜି ଦୋକାନରେ କାମ କରୁଥିବା ବେଳେ ଆଉ ଜଣେ ସ୍ଥାନୀୟ ଅଞ୍ଚଳରେ ଠିକା କାମ କରିଥାଏ। ତାଙ୍କର ଝିଅମାନେ ବାହା ହୋଇସାରିଛନ୍ତି ଏବଂ ସେମାନେ ଗୃହିଣୀ
ଗୋଟିଏ ବଖୁରିକିଆ ଦୋକାନରେ କାମ କରି ସୟଦ ତାଙ୍କ ସହ କାମ କରୁଥିବା ଶ୍ରମିକଙ୍କୁ ପାରିଶ୍ରମିକ ଦେବା ପରେ ମାସିକ ପ୍ରାୟ ୨୦,୦୦୦ ଟଙ୍କା ରୋଜଗାର କରିଥା’ନ୍ତି। ‘‘ସୌଭାଗ୍ୟବଶତଃ ମୋ ବାପା ଏହି ଦୋକାନ କିଣିଥିଲେ ତେଣୁ ମୋତେ ଭଡ଼ା ଦେବାକୁ ପଡ଼ୁନାହିଁ। ଅନ୍ୟଥା ସେତିକି ସୁଦ୍ଧା ରୋଜଗାର ହୁଅନ୍ତା ନାହିଁ।’’ ‘‘ମୁଁ ବେଶୀ ପାଠ ପଢ଼ିନାହିଁ, ତେଣୁ ଭଲ ଭାବେ ପଢ଼ିପାରିବି ନାହିଁ,’’ ନିଖୁଣ ଭାବେ ସିଲେଇ କରିବା ସମୟରେ କପଡ଼ା ଉପରେ ଆଖି ନଉଠାଇ ସେ କୁହନ୍ତି।
ସରକାର ଏହି ବଜେଟରେ ନିମ୍ନ ଆୟ ବର୍ଗର ଲୋକଙ୍କ ପ୍ରତି ଧ୍ୟାନ ଦେଇଥିବା ଦାବି କରନ୍ତି, ‘‘କିନ୍ତୁ ଶେଷରେ ଏହା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଲାଭ ପହଞ୍ଚାଇଛି,’’ ସୟଦ କୁହନ୍ତି। ‘‘ଆମ ଭଳି ଶ୍ରମିକମାନଙ୍କୁ କିଛି ମିଳିବ ନାହିଁ।
ଅନୁବାଦ : ଓଡ଼ିଶାଲାଇଭ୍