‘‘ବଜେଟକୁ ନେଇ ପ୍ରତିବର୍ଷ ହେଉଥିବା ଏହି ହୋହଲ୍ଲା ଆମ ଜୀବନରେ କିଛି ପରିବର୍ତ୍ତନ ଆଣିବ କି?’’ ବୋଲି ପ୍ରଶ୍ନ କରନ୍ତି ଦୁଇ ପିଲାଙ୍କ ଏକାକିନୀ ମା’ କେ. ନାଗମ୍ମା। ୨୦୦୭ରେ ସେପ୍ଟିକ୍‌ ଟାଙ୍କି ସଫା କରିବା ସମୟରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ପରେ ସେ ସଫେଇ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ଜଣେ ସଂଯୋଜକ ଭାବେ କାମ କରୁଛନ୍ତି। ତାଙ୍କର ସବୁଠୁ ବଡ଼ ଝିଅ ଶାୟଲା ଜଣେ ନର୍ସ ଏବଂ ସାନ ଝିଅ ଆନନ୍ଦୀ ଗୋଟିଏ ଅସ୍ଥାୟୀ ସରକାରୀ ଚାକରି କରନ୍ତି।

‘ବଜେଟ୍‌’ ଆମ ପାଇଁ କେବଳ ଏକ ଆକର୍ଷଣୀୟ ଶବ୍ଦ। ଆମେ ନିଜ ରୋଜଗାରରେ ଘର ବଜେଟ ସୁଦ୍ଧା ପ୍ରସ୍ତୁତ କରିପାରିବୁ ନାହିଁ ଏବଂ ଆମକୁ ସରକାରଙ୍କ ଯୋଜନାରୁ ମଧ୍ୟ ବାହାରେ ରଖାଯାଇଥାଏ। ତେବେ ଏହି ବଜେଟ୍‌ କ’ଣ? ଏଥିରେ ମୋ ଝିଅମାନଙ୍କର ବାହାଘର ହୋଇପାରିବ କି?’’

ନାଗମ୍ମାଙ୍କ ଜନ୍ମ ପୂର୍ବରୁ ତାଙ୍କ ବାପାମା’ ଚେନ୍ନାଇକୁ ଚାଲି ଆସିଥିଲେ ତେଣୁ ସେ ଏଠାରେ ଜନ୍ମ ନେଇଥିଲେ ଓ ବଡ଼ ହୋଇଥିଲେ। ସେମାନଙ୍କ ନିଜ ସହର ନାଗଲପୁରମରେ ରହୁଥିବା ତାଙ୍କର ପିଉସୀ ପୁଅ ସହିତ ୧୯୯୫ରେ ତାଙ୍କ ବାପା ତାଙ୍କର ବାହାଘର କରେଇ ଦେଇଥିଲେ। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଥିବା ପାମୁରୁ ନିକଟବର୍ତ୍ତୀ ଏହି ଗ୍ରାମରେ, ତାଙ୍କର ସ୍ୱାମୀ କନ୍ନନ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସେମାନଙ୍କ ପରିବାର ଅନୁସୂଚିତ ଜାତି ଭାବେ ମାଦିଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି। ‘‘୨୦୦୪ରେ, ଦୁଇଟି ପିଲା ହେବା ପରେ ଆମେ ଆମ ଝିଅଙ୍କ ପାଠପଢ଼ା ପାଇଁ ଚେନ୍ନାଇ ଆସିବାକୁ ନିଷ୍ପତ୍ତି ନେଲୁ,’’ ନାଗମ୍ମା ସ୍ମରଣ କରି କୁହନ୍ତି। ଏହାର ତିନି ବର୍ଷ ପରେ, କନ୍ନନଙ୍କ ପରଲୋକ ହୋଇଥିଲା।

PHOTO • Kavitha Muralidharan
PHOTO • Kavitha Muralidharan

ଝିଅ ଶ୍ୟଲା ଓ ଆନନ୍ଦୀ ସହ କେ. ନାଗମ୍ମା

ଚେନ୍ନାଇର ଗିଣ୍ଡି ନିକଟରେ ଥିବା ସେଣ୍ଟ ଥୋମାସ ମାଉଣ୍ଟର ଗୋଟିଏ ସଂକୀର୍ଣ୍ଣ ଗଳିରେ ଏକ ଛୋଟ ଘରେ ରହୁଥିବା ନାଗମ୍ମା ଜୀବନରେ ସେହି ଦିନ ଠାରୁ କୌଣସି ପରିବର୍ତ୍ତନ ଆସିନାହିଁ ଯେବେ ମୁଁ ପାଞ୍ଚ ବର୍ଷ ପୂର୍ବରୁ ତାଙ୍କୁ ଭେଟିଥିଲି। ‘‘ସୁନା ସୋଭରେନ୍‌ ପିଛା ଯେତେବେଳେ ୨୦-୩୦,୦୦୦ ଟଙ୍କା ଥିଲା, ସେତେବେଳେ ମୁଁ ଅଳ୍ପ ଅଳ୍ପ କରି ଗୋଟିଏ କିମ୍ବା ଦୁଇଟି ସୋଭରେନ କିଣିବାକୁ ଆଶା କରୁଥିଲି। (ସୋଭରେନ୍‌ ପାଖାପାଖି ୮ ଗ୍ରାମ ହୋଇଥାଏ)। ଏବେ ଯେତେବେଳେ ଗୋଟିଏ ସୋଭରେନ୍‌ ମୂଲ୍ୟ ୬୦-୭୦,୦୦୦ ଟଙ୍କାରେ ପହଞ୍ଚିଛି, ମୁଁ ମୋ ଝିଅଙ୍କ ବାହାଘର ଖର୍ଚ୍ଚ କିପରି ତୁଲାଇ ପାରିବି? ବୋଧହୁଏ, ବାହାଘରରେ ସୁନା ଦେବାନେବା ବନ୍ଦ ହୋଇଗଲେ ମୁଁ କାମ ଚଳେଇପାରିବି।’’

କିଛି ସମୟ ଚିନ୍ତା କରିବା ପରେ, ସେ ଧୀରେ ଧୀରେ କୁହନ୍ତି, ‘‘ସୁନା କଥା ଭୁଲିଯାଅ-ଖାଇବୁ କ’ଣ? ଗ୍ୟାସ୍ ସିଲିଣ୍ଡର୍, ଚାଉଳ, ଏପରିକି ଜରୁରୀ ପରିସ୍ଥିତିରେ ସବୁଠାରୁ ଶସ୍ତା କ୍ଷୀର ପ୍ୟାକେଟ୍ ମଧ୍ୟ ଆମ ହାତରୁ ଖସିଯିବା ପରି ମନେହୁଏ। ମୁଁ ସେହି ଚାଉଳ ପାଇଁ ୨,୦୦୦ ଟଙ୍କା ଦେଉଛି, ଯାହା ମୁଁ ବର୍ଷକ ପୂର୍ବରୁ ୧,୦୦୦ ଟଙ୍କାରେ କିଣିଥିଲି। କିନ୍ତୁ ଆମର ଆୟ ସେତିକି ରହିଛି।’’

ସେ ହାତରେ ମଇଳା ସଫା କରୁଥିବା ଶ୍ରମିକଙ୍କ ସଂଘର୍ଷ ବିଷୟରେ ଆଲୋଚନା କରିବା ମାତ୍ରେ ତାଙ୍କର ହତାଶାବୋଧ ଆହୁରି ଗଭୀର ହୋଇଯାଏ, ଯେଉଁମାନଙ୍କ ପାଇଁ ସେ ପୂର୍ଣ୍ଣକାଳୀନ ସାମାଜିକ କର୍ମୀ ହୋଇଯାଇଛନ୍ତି। ‘‘ସେମାନଙ୍କ ପାଇଁ କିଛି ସୁଧାର ଆସିନାହିଁ,’’ ସେ କୁହନ୍ତି। ‘‘ଏସଆରଏମଏସ* ନମସ୍ତେ ପାଲଟିଯାଇଛି, କିନ୍ତୁ ଲାଭ କ’ଣ? ଅତିକମ୍‌ରେ ଏସଆରଏମଏସ ଅଧୀନରେ ଆମେ ଗୋଷ୍ଠୀ ଗଠନ କରିପାରିଥା’ନ୍ତୁ ଏବଂ ଅଧିକ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବା ଲାଗି ଋଣ ନେଇପାରିଥା’ନ୍ତୁ। କିନ୍ତୁ ନମସ୍ତେ ଅଧୀନରେ ସେମାନେ ଆମକୁ ମେସିନ ଦେଉଛନ୍ତି ଏବଂ ଆମକୁ ସେହି କାମ କରିବା ଲାଗି ବାଧ୍ୟ କରୁଛନ୍ତି ଯାହା ପାଇଁ ମୋ ସ୍ୱାମୀ ପ୍ରାଣ ହରେଇଥିଲେ। ମୋତେ କୁହନ୍ତୁ, ଗୋଟିଏ ମେସିନ୍‌ ଆମକୁ ସମ୍ମାନ ଦେବ କି?’’

ଏସଆରଏମଏସ: ସେଲ୍ଫ ଏମ୍ପ୍ଲଇମେଣ୍ଟ ସ୍କିମ୍‌ ଫର୍‌ ରିହାବିଲିଟେସନ ଅଫ୍‌ ମାନୁଆଲ୍‌ ସ୍କାଭେଞ୍ଜର୍ସ (ହାତରେ ମଇଳା କାଢ଼ୁଥିବା ସଫେଇ କର୍ମୀଙ୍କ ଥଇଥାନ ପାଇଁ ଆତ୍ମନିଯୁକ୍ତି ଯୋଜନା) ୨୦୦୭କୁ ପୁନଃନାମକରଣ କରାଯାଇ ୨୦୨୩ରେ ନମସ୍ତେ ବା ନେସନାଲ ଆକ୍ସନ ଫର୍‌ ମେକାଇନାଇଜଡ୍‌ ସାନିଟେସନ ଇକୋସିଷ୍ଟମ (ଯାନ୍ତ୍ରିକ ସଫେଇ ପରିତନ୍ତ୍ର ପାଇଁ ଜାତୀୟ ପ୍ରୟାସ) ରଖାଯାଇଥିଲା। କିନ୍ତୁ ଯାହା ନାଗମ୍ମା କୁହନ୍ତି, ଏହା ହାତରେ ମଇଳା କାଢ଼ୁଥିବା ସଫେଇ କର୍ମୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପରିବର୍ତ୍ତେ ସେମାନଙ୍କ ସମସ୍ୟାକୁ ଆହୁରି ବଢ଼େଇ ଦେଇଥିଲା

ଅନୁବାଦ : ଓଡ଼ିଶାଲାଇଭ୍‍

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE