ତିନି ଦଶନ୍ଧି ପୂର୍ବେ ସଞ୍ଜୟ କାମ୍ବଳେ ଯେତେବେଳେ ଛୋଟ ଥିଲେ, ତାଙ୍କୁ ସେତେବେଳେ ବାଉଁଶ କାମ ଶିଖାଇବାକୁ କେହି ରାଜି ହୋଇ ନଥିଲେ। ଆଜି, ସେ ଯେତେବେଳେ ଏହି ହଜି ଯାଉଥିବା ହସ୍ତକଳାକୁ ସେ ଶିଖାଇବାକୁ ଚାହୁଁଛନ୍ତି, କେହି ଶିଖିବାକୁ ଚାହୁଁ ନାହାନ୍ତି। “ରୋଚକ କଥା ହେଲା ଯେ ସମୟ କେମିତି ବଦଳି ଯାଇଛି”, କହନ୍ତି ପଚାଶ-ବର୍ଷୀୟ ସଞ୍ଜୟ।

ତାଙ୍କର ଏକ ଏକର ଜମିରେ ଲାଗିଥିବା ବାଉଁଶରେ ହିଁ କାମ୍ବଳେ ହାତରେ ତିଆରି କରନ୍ତି ଇର୍ଲ – ଏହାକୁ ପଶ୍ଚିମ ମହାରାଷ୍ଟ୍ରର ଧାନ ଚାଷୀମାନେ ବର୍ଷାତି ଭାବେ ବ୍ୟବହାର କରନ୍ତି। “ପ୍ରାୟ କୋଡିଏ ବର୍ଷ ତଳେ ଆମ ସାହୁୱାଡ଼ି ତାଲୁକାରେ ବହୁତ ବର୍ଷା ହେଉଥିବା ଯୋଗୁଁ ଜମିରେ କାମ କରୁଥିବା ପ୍ରତ୍ୟେକ ଚାଷୀ ଇର୍ଲ ବ୍ୟବହାର କରୁଥିଲେ”, କହନ୍ତି କେର୍ଲେ ଗାଁର ଜଣେ ଅଧିବାସୀ। ଜମିରେ କାମ କଲାବେଳେ ସେ ବି ଇର୍ଲଟିଏ ପିନ୍ଧନ୍ତି। ଗୋଟିଏ ବାଉଁଶରେ ତିଆରି ଇର୍ଲ ଅନ୍ୟୁନ ସାତ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହୁଏ, ଏବଂ “ତା’ପରେ ବି ଏହାକୁ ସହଜରେ ମରାମତି କରିହୁଏ”, ସେ ଯୋଗ କରନ୍ତି।

କିନ୍ତୁ ବହୁତ କଥା ବଦଳି ଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ କୋଲ୍ହାପୁର ଜିଲ୍ଲାରେ ଗତ ୨୦ ବର୍ଷ ଭିତରେ ବୃଷ୍ଟିପାତ ପରିମାଣ ୧୩୦୮ ମିମି (୨୦୦୩)ରୁ ୯୭୩ ମିମି (୨୦୨୩)କୁ କମିଛି।

“କିଏ ଜାଣିଥିଲା ଯେ ବୃଷ୍ଟିପାତ ପରିମାଣ ଏତେ କମିଯିବ ଯେ ଦିନେ ହସ୍ତକଳା ଶେଷ ହୋଇଯିବ?”, ପଚାରନ୍ତି ଇର୍ଲ -ହସ୍ତଶିଳ୍ପୀ ସଞ୍ଜୟ କାମ୍ବଳେ।

“ବୃଷ୍ଟିପାତ ଉପରେ ନିର୍ଭରଶୀଳ ହୋଇଥିବାରୁ ଆମେ ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଷ କାମ କରୁ”, କହନ୍ତି କାମ୍ବଳେ। ବର୍ଷ ବର୍ଷ ଧରି ଅନିୟମିତ ବୃଷ୍ଟିପାତ ଯୋଗୁଁ ଏଠାକାର ଅଧିକାଂଶ ଗ୍ରାମର ଲୋକେ ମୁମ୍ବାଇ ଓ ପୁଣେ ପରି ସହରକୁ ଯାଇ ସେଠାରେ ରେଷ୍ଟୁରାଣ୍ଟରେ, କଣ୍ଡକ୍ଟର ଭାବେ ଘରୋଇ ବସ୍‌ କମ୍ପାନୀରେ, ରାଜମିସ୍ତ୍ରୀ, ଦିନ ମଜୁରିଆ ଓ ବୁଲା ବିକାଳି ଭାବେ କାମ କରୁଛନ୍ତି, ନଚେତ ସାରା ମହାରାଷ୍ଟ୍ରର ଚାଷ ଜମିରେ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି।

PHOTO • Sanket Jain
PHOTO • Sanket Jain

ବାମ: ମହାରାଷ୍ଟ୍ରର କେର୍ଲେ ଗାଁର ଅଧିବାସୀ ସଞ୍ଜୟ କାମ୍ବଳେ ଇର୍ଲ ତିଆରି କରନ୍ତି – ଚାଷୀମାନେ ବାଉଁଶ ପାତିଆ ତିଆରି ହୋଇଥିବା ଏହି ବର୍ଷାତିକୁ ଜମିରେ ଚାଷ କଲାବେଳେ ବ୍ୟବହାର କରନ୍ତି। ଡାହାଣ: “ଗୋଟିଏ ଭଲ ମାନକ ଥିବା ଇର୍ଲ ବନେଇବା ପାଇଁ ଭଲ ଗୁଣର ବାଉଁଶକୁ ଚିହ୍ନଟ କରିବା ଦକ୍ଷତାରେ ଜଣେ ପାରଦର୍ଶୀ ହେବା ଦରକାର”, ସଞ୍ଜୟ ତାଙ୍କ ଜମିରେ ଥିବା ବାଉଁଶ ଗଛଗୁଡ଼ିକୁ ନିରୀକ୍ଷଣ କରିବା ସମୟରେ କହୁଛନ୍ତି

ବୃଷ୍ଟି ପରିମାଣ କମି ଯାଉଥିବା ବେଳେ ଯେଉଁମାନେ ଗାଁରେ ରହି ଯାଇଛନ୍ତି, ସେମାନେ ଧାନ ଚାଷ ନକରି ଆଖୁ ଚାଷ କରୁଛନ୍ତି। କାମ୍ବଳେ କହନ୍ତି, “ଯେଉଁ ଚାଷୀମାନଙ୍କର ନଳକୂଅ ଅଛି ସେମାନେ ସହଜରେ ବଢୁଥିବା ଆଖୁ ଚାଷ କରିବାକୁ ଆଗଭର ହେଉଛନ୍ତି”। ପ୍ରାୟ ସାତ ବର୍ଷ ତଳୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଯଦି ଯଥେଷ୍ଟ ବର୍ଷା ହୁଏ, ତେବେ ମୌସୁମୀ ଋତୁରେ କାମ୍ବଳେ ପ୍ରାୟ ୧୦ ଟି ଇର୍ଲ ବିକ୍ରି କରନ୍ତି, କିନ୍ତୁ ୨୦୨୩ ରେ ସେ ମାତ୍ର ତିନିଟି ବରାଦ ପାଇଥିଲେ। “ଏ ବର୍ଷ ବହୁତ କମ୍‌ ବର୍ଷା ହେଲା। ତେଣୁ କିଏ କାହିଁକି ଇର୍ଲ କିଣିବେ?” ତାଙ୍କ ଗରାଖମାନେ ଆଖପାଖରେ ଥିବା ଅମ୍ବା, ମନସୋଲି, ତାଳଭଡ଼େ ଓ ଚାନ୍ଦୋଳି ଭଳି ଗାଁରୁ ଆସନ୍ତି।

ଆଖୁ ଚାଷ କରିବା ଦ୍ଵାରା ଆଉ ଗୋଟିଏ ସମସ୍ୟା ସୃଷ୍ଟି ହେଇଛି। “କମ୍‌ ଉଚ୍ଚତାର ଫସଲ କିଆରୀରେ ଇର୍ଲ ପିନ୍ଧି କାମ କରିହୁଏ। ଇର୍ଲର ଆକାର ବଡ଼ ହୋଇଥିବାରୁ ତାକୁ ପିନ୍ଧି ଆଖୁ କିଆରୀରେ ଚାଲିଲା ବେଳେ ସେଇଟି ଫସଲ ସହ ପିଟି ହେବ”, ବୁଝାଇ କହନ୍ତି ସଞ୍ଜୟ, ଯେ କି ଜଣେ ଦଳିତ ଶ୍ରେଣୀର ବୁଦ୍ଧ ଧର୍ମାବଲମ୍ବୀ। ଇର୍ଲର ଆକାର ତାକୁ ପିନ୍ଧୁଥିବା ଚାଷୀଙ୍କ ଉଚ୍ଚତା ଅନୁଯାୟୀ ପ୍ରସ୍ତୁତ କରାଯାଏ। “ଏହା ଗୋଟିଏ ଛୋଟ ଘର ସଦୃଶ”, ଯୋଗ କରନ୍ତି ସେ।

ଏବେ ଗାଁରେ ବିକ୍ରି ହେଉଥିବା ଶସ୍ତା ପ୍ଲାଷ୍ଟିକ ବର୍ଷାତି ଯୋଗୁଁ ଇର୍ଲ ବ୍ୟବହାର ଠପ୍‌ ହେଇଯାଇଛି। କୋଡିଏ ବର୍ଷ ତଳେ କାମ୍ବଳେ ଗୋଟିଏ ଇର୍ଲକୁ ୨୦୦ ରୁ ୩୦୦ ଟଙ୍କାରେ ବିକ୍ରି କରୁଥିଲେ, ଯାହାକୁ କି ଦରଦାମ ବୃଦ୍ଧି ହେତୁ ସେ ଏବେ ୬୦୦ ଟଙ୍କାକୁ ବୃଦ୍ଧି କରି ଦେଇଛନ୍ତି।

*****

କାମ୍ବଳେଙ୍କ ବାପା ସ୍ଵର୍ଗତଃ ଚନ୍ଦ୍ରପ୍ପା ଜଣେ ଚାଷୀ ଓ କାରଖାନା ଶ୍ରମିକ ଥିଲେ। ସଞ୍ଜୟଙ୍କ ଜନ୍ମ ପୂର୍ବରୁ ଦେହତ୍ୟାଗ କରିଥିବା ତାଙ୍କ ଜେଜେ ବାପା ଜ୍ୟୋତିବା ଇର୍ଲ ବନାଉଥିଲେ – ସେତେବେଳେ ଏହା ଗାଁରେ ସାଧାରଣ ପେସା ଥିଲା।

୩୦ ବର୍ଷ ତଳେ ଏହି ଇର୍ଲର ଚାହିଦା ଏତେ ଅଧିକ ଥିଲା ଯେ କାମ୍ବଳେ ଭାବୁଥିଲା ଚାଷ କାମ ସହ ବାଉଁଶ କାମ କରି ସେ ତାଙ୍କର ରୋଜଗାରକୁ ବୃଦ୍ଧି କରି ପାରିବେ। “ମୋ ପାଖରେ କିଛି ଅନ୍ୟ ଉପାୟ ନଥିଲା”, ସେ କହନ୍ତି – “ପରିବାର ଭରଣ ପୋଷଣ ପାଇଁ ମୋତେ ରୋଜଗାର କରିବା ଦରକାର ଥିଲା”।

PHOTO • Sanket Jain
PHOTO • Sanket Jain

ସଞ୍ଜୟ ବାଉଁଶ ମାପିବା ପାଇଁ କୌଣସି ମାପକ ବ୍ୟବହାର କରନ୍ତି ନାହିଁ। ପର୍ଲି ନାମକ ଦା’ (ବାମ) ବ୍ୟବହାର କରି ସେ ଗୋଟିଏ ବାଉଁଶକୁ ଖୁବ୍‌ ଶୀଘ୍ର ସମାନ ଭାବେ ଦୁଇ ଭାଗ କରି କାଟି ଦିଅନ୍ତି (ଡାହାଣ)

PHOTO • Sanket Jain
PHOTO • Sanket Jain

ବାମ: ପର୍ଲି ଅତି ଧାରୁଆ ଓ ପ୍ରାୟତଃ ଇର୍ଲ-କରୁଥିବା କାରିଗରଙ୍କ ପାଇଁ ତାହାର ବିପଦ ରହିଥାଏ। ଡାହାଣ: ବାଉଁଶ ଚିରୁଥିବା ବେଳେ ସଞ୍ଜୟ

ଯେତେବେଳେ ସେ ଏହି ହସ୍ତକଳା ଶିଖିବାକୁ ନିଷ୍ପତ୍ତି ନେଲେ, କର୍ଲେସ୍ଥିତ କାମ୍ବଳେୱାଡି ଭସାତ (ଅଞ୍ଚଳ)ରେ ରହୁଥିବା ନିପୁଣ ଇର୍ଲ-କାରିଗରଙ୍କ ପାଖକୁ କାମ୍ବଳେ ଗଲେ। “ମୋତେ ଏହି କଳା ଶିଖାଇ ଦେବାକୁ ମୁଁ ତାଙ୍କୁ ଅନୁରୋଧ କଲି, କିନ୍ତୁ ସେ ଏତେ ବ୍ୟସ୍ତ ଥିଲେ ଯେ ମୋ ଆଡେ ଅନେଇଲେ ବି ନାହିଁ,” ମନେ ପକେଇ କହନ୍ତି କାମ୍ବଳେ। ସେ ଯାହା ବି ହେଉ, ସେ ଆଦୌ ଛାଡ଼ିବା ଲୋକ ନଥିଲେ, ପ୍ରତିଦିନ ସକାଳେ ସେ ସେହି କାରିଗରଙ୍କ କାମକୁ ଧ୍ୟାନ ଦେଇ ଦେଖିଲେ ଏବଂ ଧୀରେ ଧୀରେ ନିଜେ ନିଜେ ସେହି କଳାକୁ ଶିଖିଲେ।

ବାଉଁଶକୁ ନେଇ କାମ୍ବଳେ ପ୍ରଥମେ ପରୀକ୍ଷାମୂଳକ ଭାବେ ତିଆରି କରିଥିଲେ ଗୋଲାକାର ଛୋଟ ଟୋପଲି (ଚାଙ୍ଗୁଡି), ଯାହାକୁ ଶିଖିବା ପାଇଁ ତାଙ୍କୁ ସପ୍ତାହେ ସମୟ ଲାଗିଥିଲା। ବାଉଁଶ ସହ ସେ ସାରା ଦିନ କିଛି ନା କିଛି କରିବାରେ ଲାଗିଥାନ୍ତି, ବାଲି-ବାଦାମି ରଙ୍ଗର ବାଉଁଶ ପାତିଆକୁ ବୁଣି ଚାଲିଥାନ୍ତି ଠିକ ଭାବେ ତିଆରି କରିବା ପର୍ଯ୍ୟନ୍ତ।

“ମୋ ଜମିରେ ବର୍ତ୍ତମାନ ପାଖାପାଖି ୧୦୦୦ ବାଉଁଶ ଗଛ ଅଛି”, କହନ୍ତି କାମ୍ବଳେ। “ସେଗୁଡ଼ିକୁ କାରୁକଳା ପାଇଁ ବ୍ୟବହାର କରାଯାଏ ଓ ଅଙ୍ଗୁର ବଗିଚାରେ ଢେରା ଦେବାକୁ ଯୋଗାଇ ଦିଆଯାଏ।“ ଯଦି ତାଙ୍କୁ ବଜାରରୁ ଚିଭା (ଏକ ପ୍ରକାର ସ୍ଥାନୀୟ ବାଉଁଶ) କିଣିବା ଦରକାର ଥାଏ, ସଞ୍ଜୟ ଅନ୍ତତଃ ଗୋଟିଏ ବାଉଁଶକୁ ୫୦ ଟଙ୍କା କରି ବିକନ୍ତି।

ଇର୍ଲ ତିଆରି କରିବା ଅତି କଷ୍ଟକର କାମ ଓ ତାହା ଶିଖିବା ପାଇଁ ସଞ୍ଜୟଙ୍କୁ ପ୍ରାୟ ବର୍ଷେ ଲାଗିଥିଲା।

ଠିକ୍‌ ବାଉଁଶ ଗଛ ବାଛିବା ହେଉଛି ପ୍ରଥମ କାମ। ଚିଭା ଟାଣ ଓ ଅଧିକ ଦିନ ରହୁଥିବାରୁ ଗାଁ ଲୋକମାନଙ୍କର ପସନ୍ଦ। କାମ୍ବଳେ ତାଙ୍କ ଜମିରେ ଥିବା ବାଉଁଶ ଗଛଗୁଡ଼ିକୁ ଭଲ କରି ନିରୀକ୍ଷଣ କରନ୍ତି ଓ ଗୋଟିଏ ୨୧ ଫୁଟିଆ ବାଉଁଶ ଆଣନ୍ତି। ତା’ ପର ପାଞ୍ଚ ମିନିଟରେ ସେ ବାଉଁଶଟିର ଦ୍ଵିତୀୟ ପବଠାରୁ କାଟି ଦିଅନ୍ତି ଓ କାନ୍ଧରେ ବୋହି ନେଇ ଆସନ୍ତି।

PHOTO • Sanket Jain
PHOTO • Sanket Jain

ବାଉଁଶରୁ ଅତି ପତଳା କରି କଟା ଯାଇଥିବା ବତା (ବାମ) ଯେଉଁଥିରେ ଇର୍ଲ ବୁଣା ହେବ। ପ୍ରସ୍ଥ ଭାବେ ରଖାଯାଇଥିବା ବାଉଁଶ ବତା (ଡାହାଣ)

PHOTO • Sanket Jain
PHOTO • Sanket Jain

ବାମ: ବାଉଁଶ ବତାକୁ ମୋଡ଼ି ଛାଞ୍ଚ ତିଆରି କରିବା ପାଇଁ ବହୁତ ସମୟ ଲାଗେ ଓ ପରିଶ୍ରମ କରିବାକୁ ପଡ଼େ। ଡାହାଣ: ଗୋଟିଏ ମାତ୍ର ଭୁଲ୍‌ ପୂରା କାମଟିକୁ ଖରାପ କରିଦେଇ ପାରେ ଓ ତେଣୁ ସେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ

ସେ ଫେରି ଆସନ୍ତି ତାଙ୍କର ଚିରା ନିକଟକୁ (ଲାଟରାଇଟ ପଥରରେ ତିଆରି ଘର) ଯେଉଁଥିରେ ଗୋଟିଏ ବଖରା ଘର ଓ ରନ୍ଧାଘର ଅଛି ଓ ଅଗଣାରେ ସେ କାମ କରନ୍ତି ସେଠାରେ ବାଉଁଶକୁ ତଳେ ରଖନ୍ତି। ସେ ଗୋଟିଏ ପର୍ଲି (ଏକ ପ୍ରକାରର ଦା’) ଦ୍ଵାରା ବାଉଁଶର ଦୁଇ ପାଖକୁ ସମାନ କରି କାଟନ୍ତି। ତା’ପରେ ପର୍ଲି ଦ୍ଵାରା ବାଉଁଷାଟିକୁ ସମାନ ଭାବେ ଦୁଇ ଖଣ୍ଡ କରନ୍ତି ଏବଂ ପ୍ରତି ଖଣ୍ଡରେ ପର୍ଲି ପୁରାଇ ଦୁଇ ଫାଳ କରନ୍ତି।

ସେ ପର୍ଲି ଲଗାଇ ବାଉଁଶର ସବୁଜିଆ ଉପର ଅଂଶକୁ କାଟି ସଫା କରନ୍ତି ଓ ତାକୁ କାଟି ସେଥିରୁ ପତଳା ବତା ତିଆରି କରନ୍ତି। ସେହି ବତାଗୁଡ଼ିକରୁ ପତଳା ପତଳା ଚାଞ୍ଚ ତିଆରି କରିବାକୁ ତାଙ୍କୁ ପ୍ରାୟ ତିନିଘଣ୍ଟା ଲାଗିଯାଏ। ସେହି ପତଳା ଚାଞ୍ଚ ବ୍ୟବହାର କରି ଇର୍ଲ ତିଆରି ହୁଏ।

“ଇର୍ଲର ଆକାର ଅନୁଯାୟୀ ଚାଞ୍ଚଗୁଡ଼ିକର ସଂଖ୍ୟା ନିର୍ଦ୍ଧାରିତ ହୁଏ”, ସେ କହନ୍ତି। ମୋଟାମୋଟି ପ୍ରତି ଇର୍ଲ ତିଆରି କରିବାକୁ ୨୦  ଫୁଟ ଲମ୍ବ ତିନିଟି ବାଉଁଶ ଦରକାର ହୁଏ।

କାମ୍ବଳେ ୨୦ଟି ଯାକ ବାଉଁଶ ପାତିକୁ ଛ’ ଇଞ୍ଚ ବ୍ୟବଧାନରେ ପ୍ରସ୍ଥ ଭାବେ ରଖନ୍ତି। ତା’ ପରେ ସେ ଆଉ କିଛି ବାଉଁଶ ପାତିକୁ ଲମ୍ବ ଭାବେ ତା’ ଉପରେ ରଖନ୍ତି ଓ ତଳଉପର କରି ଛନ୍ଦନ୍ତି, ଯେମିତି ଗୋଟିଏ ଚଟାଇ ବୁଣାଯାଏ।

ଜଣେ ଧୂରୀଣ କାରିଗର ଏହି ବାଉଁଶ ପାତି କାଟିବା ପାଇଁ ସ୍କେଲ କି ମାପକ ଟେପ୍‌ ବ୍ୟବହାର କରନ୍ତି ନାହିଁ, ବରଂ କେବଳ ନିଜ ପାପୁଲିର ମ୍ୟାପ ଦ୍ଵାରା କାମ ତୁଲାଇ ଦିଅନ୍ତି। “ଏହି ମାପ ଏତେ ନିଖୁଣ ଯେ ଆଦୌ କୌଣସି ବାଉଁଶ ପାତ ବଳିଯାଏ ନାହିଁ”, ମୁହଁରେ ହସ ଫୁଟାଇ ସେ କହନ୍ତି।

PHOTO • Sanket Jain
PHOTO • Sanket Jain

ବାମ: ଗୋଟିଏ ଛୋଟ ଇର୍ଲର ଛାଞ୍ଚ ଦେଖାଉଛନ୍ତି। ଡାହାଣ: ଇର୍ଲଟି ତିଆରି ହୋଇ ସାରିଲା ପରେ ତା’ ଉପରେ ଗୋଟିଏ ତାରପଲିନ ଲଗାଇ ଦିଆଯାଏ। ୨୦୨୩ରେ ଯଥେଷ୍ଟ ବୃଷ୍ଟିପାତ ନହେବାରୁ ସଞ୍ଜୟଙ୍କୁ ଇର୍ଲ ବନେଇବାକୁ ଯଥେଷ୍ଟ ବହିନା ମିଳି ନଥିଲା

“ଏହା ଗଠନ ହୋଇ ସାରିବା ପରେ, ଏହାର କଡ଼କୁ ମୋଡ଼ିବାକୁ ପଡ଼େ ଓ ସେଥିପାଇଁ ବହୁତ ବଳ ଖଟାଇବାକୁ ପଡ଼େ”, ସେ ଯୋଗ କରନ୍ତି। ଏହି ଗଠନକୁ ମୋଡ଼ିବା ଓ ତା’ର ଥୁଣ୍ଟା ଅଂଶକୁ ଉପର ଆଡ଼କୁ ମୋଡ଼ିବା ପାଇଁ ତାଙ୍କୁ ପ୍ରାୟ ଘଣ୍ଟାଏ ଖଣ୍ଡ ଲାଗେ। ଏହି ପୂରା କାମ କରିବାକୁ ତାଙ୍କୁ ପ୍ରାୟ ଆଠ ଘଣ୍ଟା ଲାଗେ, ସେ କହନ୍ତି।

ଗଠନ ପ୍ରଣାଳୀ ଶେଷ ହେବା ପରେ ଇର୍ଲ ଉପରେ ବର୍ଷା ପାଣିକୁ ଅଟକାଇବା ପାଇଁ ଗୋଟିଏ ବଡ଼ ତାରପଲିନ ଘୋଡ଼େଇ ଦିଆଯାଏ। ଏହାକୁ ବ୍ୟବହାରକାରୀଙ୍କ ଦେହରେ ଜଡ଼େଇ ରହିବାକୁ ଗୋଟିଏ ପ୍ଲାଷ୍ଟିକ ଦୌଡ଼ିରେ ବାନ୍ଧି ଦିଆଯାଏ ଯାହାର ଅନ୍ୟ ମୁଣ୍ଡକୁ ଇର୍ଲର ମୋଡ଼ା ହୋଇ ରହିଥିବା ଖୁଣ୍ଟାରେ ବନ୍ଧା ଯାଇଥାଏ। ଠିକ୍‌ ଭାବେ ବାନ୍ଧି ହୋଇ ରହିବାକୁ ଏକାଧିକ ଶେଷ ଭାଗରେ ଗଣ୍ଠି ବାନ୍ଧି ଦିଆ ଯାଇଥାଏ। ନିକଟବର୍ତ୍ତୀ ସହର ଅମ୍ବା ଓ ମଲକାପୁରରୁ କାମ୍ବଳେ ପ୍ରତି ଖଣ୍ଡ ତାରପଲିନକୁ ୫୦ ଟଙ୍କା ଦେଇ କିଣନ୍ତି।

*****

ଇର୍ଲ ବନେଇବା ସହ କାମ୍ବଳେ ନିଜ ଜମିରେ ମଧ୍ୟ ଧାନ ଚାଷ କରନ୍ତି। ଅମଳର ଅଧିକାଂଶ ତାଙ୍କ ପରିବାରରେ ବ୍ୟବହାର କରନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ-ଚାଳିଶ-ବର୍ଷୀୟା ମାଳାବାଈ ମଧ୍ୟ ତାଙ୍କ ନିଜର ଓ ଅନ୍ୟମାନଙ୍କର ଜମିରେ ଅଗାଡ଼ି ବାଛିବା, ଧାନ ବୁଣିବା, ଆଖୁ ଲଗାଇବା ଓ ଫସଲ ଅମଳ କରିବା ପରି କାମ କରନ୍ତି।

“ଆମକୁ ଯେହେତୁ ଇର୍ଲ ନେବା ପାଇଁ ଯଥେଷ୍ଟ ବହିନା ମିଳୁନାହିଁ ଓ କେବଳ ଧାନ ଚାଷ କରି ଆମେ ବଞ୍ଚି ପାରିବୁ ନାହିଁ, ମୁଁ ଜମି କାମ କରିବାକୁ (ଶ୍ରମିକ ଭାବେ) ନିଷ୍ପତ୍ତି ନେଲି”, ସେ କହନ୍ତି। ସେମାନଙ୍କର ତିନି ଝିଅ କରୁଣା, କାଞ୍ଚନ ଓ ଶୁଭାଙ୍ଗୀ, ସମସ୍ତଙ୍କ ବୟସ ପଚିଶିରୁ ତିରିଶ ମଧ୍ୟରେ ଓ ସମସ୍ତେ ବିବାହିତା ତଥା ଘର ସମ୍ଭାଳୁଛନ୍ତି। ସେମାନଙ୍କ ପୁଅ ସ୍ୱପ୍ନୀଲ  ମୁମ୍ବାଇରେ ପାଠ ପଢୁଛି ଓ ଇର୍ଲ କେମିତି ତିଆରି ହୁଏ ଆଦୌ ଶିଖି ନାହିଁ। “ଏଠି କୌଣସି ଜୀବିକା ମିଳୁ ନଥିବାରୁ ସେ ସହରକୁ ଚାଲିଗଲା”, କହନ୍ତି ସଞ୍ଜୟ।

PHOTO • Sanket Jain
PHOTO • Sanket Jain

ବାମ: ରୋଜଗାର ବଢ଼େଇବା ପାଇଁ ସଞ୍ଜୟ ମାଛ ରଖିବା ପାଇଁ ବ୍ୟବହାର ହେଉଥିବା ‘କରଣ୍ଡା’ ଭଳି ଅନ୍ୟାନ୍ୟ ବାଉଁଶ ସାମଗ୍ରୀ ବି ତିଆରି କରୁଛନ୍ତି। ଡାହାଣ: ସଞ୍ଜୟ ତିଆରି କରିଥିବା ଟୋପଲି (ଚାଙ୍ଗୁଡ଼ି)

PHOTO • Sanket Jain
PHOTO • Sanket Jain

ବାମ: ବୁଣିବା ବେଳେ ସମାନତା ରଖିବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଡାହାଣ: ସଞ୍ଜୟଙ୍କ କହିବା ମୁତାବକ ବିଗତ ତିନି ଦଶନ୍ଧିରେ ଏହି ହସ୍ତକଳାକୁ ଶିଖିବାକୁ ତାଙ୍କ ପାଖକୁ କେହି ବି ଆସି ନାହାନ୍ତି

ନିଜ ଆୟ ବୃଦ୍ଧି କରିବା ପାଇଁ କାମ୍ବଳେ ଖୁରୁ (କୁକୁଡ଼ା ରଖିବା ଝୁଡ଼ି) ଓ କରଣ୍ଡା (ମାଛ ରଖିବା ଝୁଡ଼ି) ଭଳି ଅନ୍ୟାନ୍ୟ ବାଉଁଶରୁ ହାତ ତିଆରି ସାମଗ୍ରୀ ବନେଇବାରେ ସିଦ୍ଧହସ୍ତ ହୋଇଛନ୍ତି। ସେଗୁଡ଼ିକୁ ବହିନା ପାଇଁ ତିଆରି କରାଯାଏ ଓ ଗ୍ରାହକମାନେ ଆସି ତାଙ୍କ ଘରୁ ସେଗୁଡ଼ିକୁ ନେଇ ଯାଆନ୍ତି। ପ୍ରାୟ ଗୋଟିଏ ଦଶନ୍ଧି ପୂର୍ବେ ପାରମ୍ପରିକ ଭାବେ ଚାଉଳ ରଖିବା ପାଇଁ ବ୍ୟବହାର କରା ଯାଉଥିବା ଟୋପଲା ଓ କାଙ୍ଗୀ ଆଦି ବନାଉଥିଲେ। କିନ୍ତୁ ପତ୍ରଚା ଡବା (ଟିଣ ଡବା) ସହଜରେ ମିଳିବା ପରେ ସେଗୁଡ଼ିକର ବହିନା ଆଉ ଆସିଲା ନାହିଁ। ଏବେ ସେ କେବଳ ତାଙ୍କ ଘରେ ବ୍ୟବହାର କରିବା ପାଇଁ ସେଗୁଡିକୁ ବନାଉଛନ୍ତି।

“କିଏ ବା କାହିଁକି ଏହି ଦକ୍ଷତା ଶିଖିବାକୁ ଚାହିଁବ?”, ଫୋନରେ ତାଙ୍କ କଳାକୃତିଗୁଡ଼ିକର ଫଟୋ ଦେଖାଉ ଦେଖାଉ କହନ୍ତି କାମ୍ବଳେ ଓ ପୁଣି ଯୋଡ଼ନ୍ତି, “ଏଗୁଡ଼ିକର କୌଣସି ଚାହିଦା ନାହିଁ ଓ ଏଥିରୁ ଯଥେଷ୍ଟ ଆୟ ହେଉ ନାହିଁ। ଆଉ ଅଳ୍ପ କେତେ ବର୍ଷ ଭିତରେ ଏଗୁଡ଼ିକ ହଜିଯିବ”।

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ସହଯୋଗରେ ସଙ୍କେତ ଜୈନଙ୍କ ଦ୍ଵାରା ପ୍ରସ୍ତୁତ ଏହି ଲେଖାଟି ଗ୍ରାମୀଣ ଶିଳ୍ପୀମାନଙ୍କ ଉପରେ ଆଧାରିତ ସିରିଜର ଏକ ଅଂଶ

ଅନୁବାଦ : ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Shaoni Sarkar

Shaoni Sarkar is a freelance journalist based in Kolkata.

Other stories by Shaoni Sarkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE