‘‘ଆମେ ଏ ସମ୍ପର୍କରେ ଜାଣିନାହୁଁ,’’ ବଜେଟ୍‌ ଉପରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନକୁ ସ୍ପଷ୍ଟ ରୂପେ ଖଣ୍ଡନ କରି ବାବାସାହେବ କୁହନ୍ତି।

‘‘ଆମେ କ’ଣ ଚାହୁଁ ସରକାର କେବେ ଆମକୁ ପଚାରିଛି?’’ ତାଙ୍କ ପତ୍ନୀ ଦାବି କରି ଜାଣିବାକୁ ଚାହିଁଛନ୍ତି। ତାହା ନକରି ସେମାନେ ଆମ ପାଇଁ କିପରି ନିଷ୍ପତ୍ତି ନେବେ? ଆମକୁ ୩୦ ଦିନ ଯାକ କାମ ଦରକାର।’’

ପୁଣେ ଜିଲ୍ଲାର ଶିରୁର ତାଲୁକାର କୁରୁଲି ଗ୍ରାମ ଉପକଣ୍ଠରେ ଥିବା ସେମାନଙ୍କ ବଖୁରିକିଆ ଟିଣ ଘର ଆଜି ସକାଳୁ ଅସ୍ୱାଭାବିକ ଭାବେ ବ୍ୟସ୍ତ ରହିଛି। ବାବାସାହେବ କୁହନ୍ତି, ‘‘ଆମେ ୨୦୦୪ରେ ଜାଲନାରୁ ଏଠାକୁ ଆସିଥିଲୁ। ଆମର କେବେବି ନିଜସ୍ୱ ଗାଁ ନଥିଲା। ଆମ ଲୋକମାନେ ସବୁବେଳେ ଗାଁ ବାହାରେ ରହୁଥିଲେ କାରଣ ଆମେ କ୍ରମାଗତ ଭାବେ ପ୍ରବାସ କରୁଥିଲୁ।

ଭୀଲ ପାରଧୀଙ୍କୁ ବ୍ରିଟିଶ ଶାସନ କାଳରେ ‘ଅପରାଧୀକ’ ଜନଜାତି ମାନ୍ୟତା ମିଳିଥିଲା, ସେମାନେ ୭୦ ବର୍ଷ ପରେ ମଧ୍ୟ ସାମାଜିକ ଭେଦଭାବ ଏବଂ ଅପମାନର ଶିକାର ହୋଇଆସୁଛନ୍ତି, ଏକଥା ସେ କୁହନ୍ତି ନାହିଁ। ଆହୁରି ମହାରାଷ୍ଟ୍ରରେ ଅନୁସୂଚୀତ ଜନଜାତି ରୂପେ ତାଲିକାଭୁକ୍ତ ହେବା ସତ୍ତ୍ୱେ ମଧ୍ୟ ସେମାନଙ୍କର ଏପରି ସ୍ଥିତି ଲାଗି ରହିଛି। ପ୍ରବାସ କାରଣରୁ ସେମାନେ ପ୍ରାୟତଃ ନିର୍ଯାତନାର ଶିକାର ହୋଇଥା’ନ୍ତି।

ଅବଶ୍ୟ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଅଭିଭାଷଣରେ ପ୍ରବାସ ସମ୍ପର୍କରେ କରିଥିବା ଉଲ୍ଲେଖ ବିଷୟରେ ସେମାନେ ଶୁଣିନାହାନ୍ତି। ଯଦି ବା ସେମାନେ ଶୁଣିଥା’ନ୍ତେ ଏହାଦ୍ୱାରା ଆଦୌ ପ୍ରଭାବିତ ହୋଇନଥା’ନ୍ତେ। ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍‌ ଅଭିଭାଷଣରେ କହିଥିଲେ, ‘‘ଗ୍ରାମାଞ୍ଚଳରେ ଅଧିକ ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରହିଛି ଯାହାଫଳରେ ପ୍ରବାସ ଗୋଟିଏ ବିକଳ୍ପ ହେବ, ବାଧ୍ୟବାଧକତା ନୁହେଁ।’’

PHOTO • Jyoti

ଏହି ଚାରି ଜଣିଆ ଭୀଲ ପାରଧୀ ପରିବାରରେ - ବାବାସାହେବ (୫୭) (ସବୁଠୁ ଡାହାଣ), ମନ୍ଦା, (୫୫) (ଲାଲ ଓ ନୀଳ ଶାଢ଼ିରେ), ସେମାନଙ୍କ ପୁଅ ଆକାଶ (୨୩) ଏବଂ ସ୍ୱାତୀ (୨୨) ଅଛନ୍ତି। ସେମାନଙ୍କୁ ଗୋଟିଏ ମାସରେ ୧୫ ଦିନରୁ ଅଧିକ କାମ ମିଳିନଥାଏ। ବାଧ୍ୟବାଧକତା କାରଣରୁ ସେମାନେ ସବୁବେଳେ ପ୍ରବାସ କରନ୍ତି, ଏହା ସେମାନଙ୍କ ପାଇଁ ଏକ ବିକଳ୍ପ ନୁହେଁ

ନୀତି ନିର୍ଦ୍ଧାରଣ ହେଉଥିବା ସ୍ଥାନରୁ ୧,୪୦୦ କିଲୋମିଟର ଦୂରରେ ରହୁଥିବା ଭୀଲ ପାରଧୀ ସମ୍ପ୍ରଦାୟର ବାବାସାହେବ ଓ ତାଙ୍କ ପରିବାର ପାଇଁ ସବୁବେଳେ ଖୁବ୍‌ କମ୍‌ ବିକଳ୍ପ ଏବଂ ସ୍ୱଳ୍ପ ସୁଯୋଗ ଥାଏ। ସେମାନେ ଭାରତର ୧୪ କୋଟି ୪୦ ଲକ୍ଷ ଭୂମିହୀନ ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନଙ୍କ ପାଇଁ କାମ ପାଇବା ଏକ ବଡ଼ ଆହ୍ୱାନ।

‘‘ଆମକୁ ମାସରେ ମାତ୍ର ୧୫ ଦିନ କାମ ମିଳେ। ବାକି ଦିନ ଆମେ ବେକାର ହୋଇ ବସିରହୁ,’’ ବାବାସାହେବଙ୍କ ପୁଅ ଆକାଶ କୁହନ୍ତି। କିନ୍ତୁ ଆଜି ଗୋଟିଏ ବିରଳ ଦିନ, ସେମାନେ ଚାରି ଜଣ ଯାକ - ଆକାଶ (୨୩), ତାଙ୍କ ପତ୍ନୀ ସ୍ୱାତୀ (୨୨), ମନ୍ଦା (୫୫) ଏବଂ ବାବାସାହେବ (୫୭) ଗୋଟିଏ ପାଖ ଗାଁର ପିଆଜ ଜମିରେ କାମ ପାଇଛନ୍ତି।

ଏହି ବସ୍ତିରେ ରହୁଥିବା ୫୦ ଆଦିବାସୀ ପରିବାର ପାଖରେ ପିଇବା ପାଣି, ବିଦ୍ୟୁତ କିମ୍ବା ଶୌଚାଳୟ ସୁବିଧା ନାହିଁ। ‘‘ଶୌଚ ହେବାକୁ ଆମେ ଜଙ୍ଗଲକୁ ଯାଉ। କୌଣସି ଆରାମ୍‌ (ଆରାମ) ନାହିଁ, ସୁରକ୍ଷା ନାହିଁ । ପାଖ ଗାଁର ବାଗାୟାତ ଦାର୍‌ (ଉଦ୍ୟାନକୃଷି ଚାଷୀ) ଆମର ଏକମାତ୍ର ଆୟ ଉତ୍ସ,’’ ସମସ୍ତଙ୍କ ପାଇଁ ଟିଫିନ୍‌ ପ୍ରସ୍ତୁତ କରୁ କରୁ ସ୍ୱାତୀ କୁହନ୍ତି।

‘‘ପିଆଜ ଚାଷ କାମ କରି ଆମେ ଦିନକୁ ୩୦୦ ଟଙ୍କା ପାଉ। ରୋଜଗାର କରିବାକୁ ହେଲେ ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ,’’ ବାବାସାହେବ କୁହନ୍ତି । ପରିବାର ମିଳିତ ଭାବେ ଅତି କଷ୍ଟରେ ବାର୍ଷିକ ୧ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ତେବେ ସେମାନଙ୍କୁ କେତେ ଥର କାମ ମିଳୁଛି ତା’ ଉପରେ ଏହି ଆୟ ନିର୍ଭର କରିଥାଏ। ଫଳରେ ଆୟକର ଉପରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇଯାଏ। ଆକାଶ କୁହନ୍ତି, ‘‘ବେଳେବେଳେ ଆମେ ଛଅ କିଲୋମିଟର କିମ୍ବା ତା’ଠାରୁ ଅଧିକ ବାଟ ଚାଲି ଚାଲି ଯାଉ। ଆମକୁ ଯେଉଁଠି କାମ ମିଳେ ସେଠାକୁ ଯାଉ।

ଅନୁବାଦ : ଓଡ଼ିଶାଲାଇଭ୍‍

Jyoti is a Senior Reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE