ମୁଁ ଯେବେ ଗାନ୍ଧୀନଗର ଏବଂ ଅଲଗପୁରୀରେ ପହଞ୍ଚିଲି, ଉଭୟ ଗାଁ ବିବ୍ରତ ଲୋକଙ୍କ ଭିଡ଼ରେ ଭରି ଯାଇଥିଲା। କେବଳ ଗୋଟିଏ ସଡ଼କ ଦୁଇ ଦଳିତ (ଅନୁସୂଚିତ ଜାତି) ଗାଁକୁ ପରସ୍ପର ଠାରୁ ଅଲଗା କରିଛି । ସେଠାରେ ବହୁସଂଖ୍ୟାରେ ପୁଲିସ କର୍ମୀ ଓ ଗାଡ଼ିର ଉପସ୍ଥିତି ରହିଥିଲା। ଶିବକାଶୀ ସହରରେ କନିଷ୍କ ଫାୟାର୍ୱାର୍କସ୍ କମ୍ପାନୀରେ ନିଆଁ ଲାଗିବା ଯୋଗୁ ଘଟିଥିବା ଦୁର୍ଘଟଣାରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବାର ବିନାଶକାରୀ ଖବର ସ୍ଥାନୀୟ ଲୋକମାନଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଥିଲା। କେବଳ ଗାନ୍ଧୀନଗର ଗାଁରେ ଛଅ ଜଣ ପ୍ରାଣ ହରାଇଥିଲେ ଏବଂ ସମସ୍ତେ ଦଳିତ ଥିଲେ।
ଲୋକମାନେ ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖରେ ମ୍ରିୟମାଣ ହୋଇ ରାସ୍ତା ଉପରେ କାନ୍ଦି କାନ୍ଦି ଗଡ଼ିଯାଉଥିଲେ। କିଛି ଲୋକ ଫୋନରେ କଥା ହେଉଥିଲେ, ବିରୁଦ୍ଧନଗର ଜିଲ୍ଲାର ଅନ୍ୟ ସହର ଓ ଗାଁରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଖବର ଦେଉଥିଲେ।
କିଛି ସମୟ ପରେ, ଲୋକମାନଙ୍କ ଭିଡ଼ ଶ୍ମଶାନ ଆଡ଼କୁ ଅଗ୍ରସର ହେଲା ଏବଂ ମୁଁ ସେମାନଙ୍କ ସହିତ ଯୋଗ ଦେଲି। ଗାଁ ସାରା ସମସ୍ତେ ଆମ ସହ ଯୋଗ ଦେଲେ ଏବଂ ୧୭ ଅକ୍ଟୋବର, ୨୦୨୩ରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗାଁର ଛଅ ଜଣ ମୃତ ଶ୍ରମିକଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ଶ୍ମଶାନକୁ ଗଲେ। ପୋଡ଼ି ଯାଇଥିବା ଶବଗୁଡ଼ିକୁ ବାହାର କରିବା ଦାୟିତ୍ୱରେ ଥିବା ଜଣେ ଅଗ୍ନିଶମ କର୍ମଚାରୀ ସେଗୁଡ଼ିକୁ ଶବ ବ୍ୟବଚ୍ଛେଦ ପାଇଁ ନେବାରେ ଦେଖା ଦେଇଥିବା ସମସ୍ୟା ବିଷୟରେ କହୁଥିଲେ।
ରାତି ପ୍ରାୟ ୮:୩୦ ବେଳକୁ ଶେଷରେ ଛଅଟି ଆମ୍ବୁଲାନ୍ସ ଶ୍ମଶାନ ଘାଟରେ ପହଞ୍ଚିଲା ଏବଂ ଭିଡ଼ କାନ୍ଦବୋବାଳି ଛାଡ଼ି ସେହି ଆଡ଼କୁ ଦୌଡ଼ିଗଲା। କିଛି ମୁହୂର୍ତ୍ତ ପାଇଁ ମୁଁ ମୋ କାମ କଥା ଭୁଲିଗଲି; ମୁଁ ନିଜ କ୍ୟାମେରା ବାହାର କରିବା ଲାଗି ସକ୍ଷମ ହୋଇପାରୁନଥିଲି। ରାତିର ଅନ୍ଧକାର ଶ୍ମଶାନ ଉପରେ ପରଦା ଢାଙ୍କି ଦେଇଥିଲା ଏବଂ ଉଡ଼ୁଥିବା ଜୁଳୁଜୁଳିଆ ପୋକଙ୍କ ଯୋଗୁ ଚାରି ପାଖରେ ସୃଷ୍ଟି ହେଉଥିବା ଆଲୋକ ସେଠାରେ ଗାଁ ଲୋକ ଏକାଠି ହେବା ଭଳି ସଂକେତ ଦେଉଥିଲା।
ଶବ ବାହାର କରିବା ପରେ ଭିଡ଼ ଦୂରେଇ ଯାଇଥିଲା - ପୋଡ଼ି ଯାଇଥିବା ମାଂସର ଗନ୍ଧ ଅସହନୀୟ ଥିଲା। କିଛି ଲୋକଙ୍କର ବାନ୍ତି ମଧ୍ୟ ହେଲା। ନାଁର ଲେବୁଲ୍ ଲାଗିଥିବା ଯୋଗୁ ଶବଗୁଡ଼ିକୁ ଚିହ୍ନଟ କରି ହେଲା। ଭିଡ଼ ଦୂରେଇ ଯିବା ସହିତ ଶ୍ମଶାନ ଘାଟ ନିସଂଗ ହୋଇଯାଉଥିଲା।






























