ମୋହେଶ୍ଵର ସମୁଆ ବନ୍ୟା ଯୋଗୁଁ ଯେତେବେଳେ ପ୍ରଥମ ଥର ସ୍ଥାନାନ୍ତରିତ ହେଲେ ସେ କଥା ଆଜି ବି ସ୍ପଷ୍ଟ ଭାବେ ମନେ ରଖିଛନ୍ତି। ସେତେବେଳେ ତାଙ୍କୁ ମାତ୍ର ପାଞ୍ଚ ବର୍ଷ ହୋଇଥିଲା। “ପାଣି ପ୍ରଥମେ ଆମ ଘରଗୁଡ଼ିକ ମଧ୍ୟରୁ ଗୋଟିଏ ଘରକୁ ଭସେଇ ନେଲା। ଆମେ ଡଙ୍ଗାରେ ବସି ପଳେଇ ଯାଇ ଦ୍ଵୀପ ନିକଟବର୍ତ୍ତୀ ସ୍ଥାନରେ ଆଶ୍ରୟ ନେଲୁ”, ଏବେ ଷାଠିଏ ଛୁଇଁ ସାରିଥିବା ସମୁଆ କହନ୍ତି।

ସମୁଆଙ୍କ ପରି ଆସାମର ନଦୀ ଦ୍ଵୀପାଞ୍ଚଳର ମଜୁଲିରେ ରହୁଥିବା ଏକ ଲକ୍ଷ ଷାଠିଏ ହଜାର ଲୋକ ବାରମ୍ବାର ବନ୍ୟା ଓ ଚାଷଜମି ହ୍ରାସର କଷ୍ଟ ଭୋଗି ଆସୁଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଏହି ଦ୍ଵୀପାଞ୍ଚଳର ୧୯୫୬ ମସିହାରେ ଥିବା ପ୍ରାୟ ୧୨୪୫ ବର୍ଗ କିମି ଜମି ପରିମାଣ ୨୦୧୭ ମସିହା ବେଳକୁ ପ୍ରାୟ ୭୦୩ ବର୍ଗ କିମିକୁ ହ୍ରାସ ପାଇ ଯାଇଛି।

“ଏହା ପ୍ରକୃତ ସଲମୋରା ନୁହେଁ”, କହନ୍ତି ସମୁଆ ଓ ପୁଣି ଯୋଗ କରନ୍ତି, “ପ୍ରାୟ ୪୩ ବର୍ଷ ତଳେ ବ୍ରହ୍ମପୁତ୍ର ନଦୀ ଗର୍ଭରେ ସଲମୋରା ହଜି ଯାଇଛି”। ତା’ପରେ ବ୍ରହ୍ମପୁତ୍ର ଓ ତାହାର ଉପନଦୀ ସୁବନସିରି ଦ୍ୱାରା ନୂଆ ସଲମୋରା ସୃଷ୍ଟି ହେଇଛି, ଯେଉଁଠାରେ ସମୁଆ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ନେଇ ପରିବାର ସହ ଗତ ୧୦ ବର୍ଷ ହେଲା ରହୁଛନ୍ତି।

ସିମେଣ୍ଟ ଓ କାଦୁଅ ମିଶା ଗୋଟିଏ ଅର୍ଦ୍ଧ-ସ୍ଥାୟୀ ନିର୍ମାଣ ହେଉଛି ତାଙ୍କ ନୂଆ ଘର। ବାହାରେ ଥିବା ପାଇଖାନାଟିକୁ ଗୋଟିଏ ସିଡ଼ି ପକାଇ ଯିବାକୁ ହୁଏ। “ପ୍ରତି ବର୍ଷ ଆମ କିଛି କିଛି ଜମି ବ୍ରହ୍ମପୁତ୍ର ଦ୍ଵାରା ଧୋଇ ହେଇଯାଏ”, ସେ କହନ୍ତି।

PHOTO • Nikita Chatterjee
PHOTO • Nikita Chatterjee

ବାମ: ‘ତାହା ମୋର ଘର ଥିଲା’, ଛୋଟ ବାଲିବସ୍ତ ଦ୍ଵୀପ ଆଡକୁ ଦେଖାଇ କହନ୍ତି ମୋହେଶ୍ଵର ସମୁଆ। ଯେତେବେଳେ ବ୍ରହ୍ମପୁତ୍ର ଏହି ଦ୍ଵୀପାଞ୍ଚଳକୁ ଗିଳିଲା ତାଙ୍କୁ ଏଠାକୁ ଆସିବାକୁ ହେଲା, ଯାହା ବର୍ତ୍ତମାନ ସଲମୋରା ଏହି ସମାନ କାରଣ ପାଇଁ ମୋହେଶ୍ଵରଙ୍କୁ ବାରମ୍ବାର ସ୍ଥାନାନ୍ତର କରିବାକୁ ପଡିଛି। ଡାହାଣ: ସଲମୋରା ଗାଁର ଜିଶ୍ଵର ହଜାରିକାଙ୍କ କହିବା ମୁତାବକ ବାରମ୍ବାର ବନ୍ୟା ଯୋଗୁଁ ଚାଷ ଜମି ଓ କୃଷି ଉତ୍ପାଦନ ହ୍ରାସ ପାଉଛି

ବାରମ୍ବାର ବନ୍ୟା ଦ୍ଵାରା ଗାଁର ଚାଷ ଜମି ପ୍ରଭାବିତ ହୁଏ। “ଧାନ, ବିରି ପରି ଶସ୍ୟ କି ବାଇଗଣ, କୋବି ପରି ପରିବା ଆମେ ଚାଷ କରି ପାରୁନାହୁଁ , ଆଉ ଏବେ କାହାର ଜମି ବୋଲି କିଛି ନାହିଁ”, କହନ୍ତି ସଲମୋରା ସରପଞ୍ଚ ଜିଶ୍ଵର। ବହୁ ବାସିନ୍ଦା ଡଙ୍ଗା ତିଆରି କରିବା, ମାଟି ପାତ୍ର ଗଢ଼ିବା ଏବଂ ମାଛ ଧରିବା ପରି କାମକୁ ବୃତ୍ତି ଭାବରେ ଆଦରି ନେଇଛନ୍ତି।

‘ସଲମୋରାରେ ତିଆରି ହେଉଥିବା ଡଙ୍ଗାର ଏବେ ସାରା ଦ୍ୱୀପରେ ଏବେ ବେଶ୍ ଚାହିଦା”, କହନ୍ତି ସମୁଆ, ଯିଏ ଡଙ୍ଗା ତିଆରି କରନ୍ତି। ଚାପୋରିସି ବା ଛୋଟଛୋଟ ଦ୍ଵୀପଗୁଡ଼ିକରେ ଲୋକଙ୍କ ପାଇଁ ନଦୀ ପାରହେବା, ପିଲାଙ୍କୁ ସ୍କୁଲରେ ଛାଡିବା, ମାଛ ଧରିବା ଓ ବନ୍ୟା ସମୟରେ ଡଙ୍ଗା ଦରକାର।

ସମୁଆ ଡଙ୍ଗା ତିଆରି ଶିଖିବା ସହ ତିନି ଜଣଙ୍କ ସାଙ୍ଗେ ମିଶି ଦଳ ହୋଇ ଡଙ୍ଗା ତିଆରି କରନ୍ତି। ତାଙ୍କ ମତରେ ‘ଶକ୍ତ ଓ ଦୀର୍ଘସ୍ଥାୟୀ’ ହେବାକୁ ସହଜରେ ମିଳୁ ନଥିବା ହଜଲ ଗୁରି ପରି ଦାମିକିଆ କାଠ ବ୍ୟବହାର କରିବାକୁ ପଡ଼େ। ଏହି କାଠ କେବଳ ସଲମୋରା ଓ ଏହାର ଆଖପାଖ ଗାଁଗୁଡ଼ିକରେ ମିଳେ।

ଗୋଟିଏ ବଡ଼ ଡଙ୍ଗା ତିଆରି କରିବାକୁ ସପ୍ତାହେ ଲାଗୁଥିବା ବେଳେ ଗୋଟିଏ ଛୋଟ ଡଙ୍ଗା କରିବାକୁ ଲାଗେ ପାଞ୍ଚ ଦିନ। ଦଳ ହେଇ ତିଆରି କଲେ ମାସକୁ ୫ ରୁ ୮ ଟି ପର୍ଯ୍ୟନ୍ତ ଡଙ୍ଗା ତିଆରି କରି ହୁଏ। ଦଶ ବାର ଜଣ ଲୋକ ଓ ପ୍ରାୟ ତିନିଟି ମୋଟରସାଇକେଲ ନେଇ ପାରିବା ଭଳି ବଡ ଡଙ୍ଗାର ଦାମ୍‌ ୭୦,୦୦୦ ଟଙ୍କା ପଡୁଥିବା ବେଳେ ଛୋଟ ଡଙ୍ଗା ୫୦,୦୦୦ ଟଙ୍କାରେ ବିକ୍ରି ହୁଏ। ସେହି ଆୟକୁ ସେମାନେ ତିନି ଜଣଙ୍କ ଭିତରେ ଭାଗ କରି ନିଅନ୍ତି।

PHOTO • Nikita Chatterjee
PHOTO • Nikita Chatterjee

ବାମ: ସଲମୋରାରେ ଡଙ୍ଗାର ଅଧିକ ଚାହିଦା ଥିବାରୁ ମୋହେଶ୍ଵର ଡଙ୍ଗା ତିଆରି ଶିଖିଲେ। ସେ ଅନ୍ୟ ଦୁଇ ତିନି ଜଣଙ୍କ ସହ ମିଶି କାମ କରନ୍ତି ଓ ରୋଜଗାରକୁ ଭାଗ କରି ନିଅନ୍ତି। ଡାହାଣ: ସଲମୋରା ଗ୍ରାମବାସୀଙ୍କ ମଧ୍ୟରେ ମାଛ ଧରିବା ଅତି ଲୋକପ୍ରିୟ। ବାଉଁଶ ଦ୍ଵାରା ତିଆରି ହୋଇଥିବା ଏକ ପ୍ରକାର ଜାଲ ଯାହାକୁ ଅଟୱା କୁହାଯାଏ, ସେଥିରେ ମୋହେଶ୍ଵର ହୋରୁ କିମ୍ବା ଛୋଟ ମାଛ ଧରନ୍ତି

PHOTO • Nikita Chatterjee
PHOTO • Nikita Chatterjee

ବାମ: ରୁମି ହଜାରିକା ପାଣିରେ ଆହୁଲା ମାରି ଯାଆନ୍ତି ଓ ଜାଳେଣି କାଠ ଆଣି ବିକ୍ରି କରନ୍ତି। ଡାହାଣ: ସେ କଳା ମାଟି ବ୍ୟବହାର କରି ସାତ୍ରୀୟ ଶୈଳୀର ଛୋଟ ଛୋଟ ମାଟି କାମ କରି ବଜାରରେ ବିକ୍ରି କରନ୍ତି

ବର୍ଷା ଦିନ ଓ ବନ୍ୟା ସମୟ ଆସିଲେ ହିଁ ଡଙ୍ଗା ତିଆରି କରିବା ବରାଦ ଆସୁଥିବାରୁ ଏହି ରୋଜଗାର ନିୟମିତ ମିଳେ ନାହିଁ। ତେଣୁ, ବହୁ ମାସ ଧରି ସମୁଆ କିଛି ରୋଜଗାର କରେ ନାହିଁ ଓ ମାସକୁ ମାସ ରୋଜଗାର କରିବା ଆଶା ରଖେ ନାହିଁ।

ଯେତେବେଳେ ବନ୍ୟା ହୁଏ, ଏବେ ପଚାଶ ବର୍ଷରୁ ଅଧିକ ବୟସର ରୁମି ହଜାରିକା ଯେ କି ଜଣେ ଦକ୍ଷ ଆହୁଲାକାରୀ, ନଦୀ ପାଣିରେ ଡଙ୍ଗାରେ ଜଙ୍ଗଲକୁ ଯାଆନ୍ତି ଓ ଜାଳେଣି କାଠ ଆଣି କ୍ଵିଣ୍ଟାଲ ହିସାବରେ ଗାଁ ହାଟରେ ବିକ୍ରି କରନ୍ତି ଓ ଟଙ୍କା କେଇଶହ ରୋଜଗାର କରନ୍ତି। କୋଲୋହ ବା କଳା ମାଟିରେ ସେ ହାଣ୍ଡିକୁଣ୍ଢେଇ ତିଆରି କରି ଦ୍ଵୀପର କେନ୍ଦ୍ରରେ ଥିବା ଗରାମୁର ଓ କମଳାବାରିରେ ହାଣ୍ଡି ପିଛା ୧୫ ଟଙ୍କା ଓ ମାଟିଦୀପ ପିଛା ୫ ଟଙ୍କା କରି ବିକ୍ରି ମଧ୍ୟ କରନ୍ତି।

“ଆମ ଜମି ସହ, ଆମେ ଆମର ପାରମ୍ପରିକ ବୃତ୍ତିଗତ ଦକ୍ଷତା ମଧ୍ୟ ହରେଇବାରେ ଲାଗିଛୁ”, ସେ କହନ୍ତି “ଆମ କୋଲୋହ ମାଟି ଏବେ ବ୍ରହ୍ମପୁତ୍ର ଦ୍ଵାରା ଧୋଇ ହେଇ ଯାଉଛି”

କୃଷ୍ଣା ପେଗିଙ୍କ ସାହା ଯ୍ୟ କ୍ରମେ ଏହି ରିପୋର୍ଟ ଲେଖା ଯାଇଥିବାରୁ ତାଙ୍କୁ ଏହି ସାମ୍ବାଦିକ ଧନ୍ୟବାଦ ଜଣାଉଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Nikita Chatterjee

Nikita Chatterjee is a development practitioner and writer focused on amplifying narratives from underrepresented communities.

Other stories by Nikita Chatterjee
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE