‘‘ଏଠି ବାହା ହୋଇ ମୁଁ ଅନୁତାପ କରୁଛି।’’

୨୯ ବର୍ଷୀୟା ରୋଜି ଜଣେ ନବବିବାହିତା ଭାବେ ନିଜର ଅନୁଭୂତି ପ୍ରକାଶ କରୁଛନ୍ତି। ସେ ଏକାକୀ ନୁହନ୍ତି । ଶ୍ରୀନଗରର ଡଲ୍‌ ହ୍ରଦ ନିବାସୀମାନେ କୁହନ୍ତି ଯେ ଏଠାରେ ରହୁଥିବା କୌଣସି ପୁଅଙ୍କୁ ଝିଅମାନେ ବିବାହ କରିବାକୁ ଚାହୁଁନାହାନ୍ତି। ନିଜ ସାନ ପୁଅ ପାଇଁ ବାହାଘର ପ୍ରସ୍ତାବ ସନ୍ଧାନରେ ଥିବା ଗୁଲଶନ୍‌ ନଜୀର କୁହନ୍ତି, ‘‘ଆମେ ପୂର୍ବରୁ ତିନି ଥର ଅସ୍ୱୀକୃତିର ସାମ୍ନା କରିସାରିଛୁ। ଏପରିକି ମଧ୍ୟସ୍ଥମାନେ ମଧ୍ୟ ଏଠାକୁ ଆସିବା ବନ୍ଦ କରି ଦେଇଛନ୍ତି।’’

ବାରୁ ମୋହଲ୍ଲାର ଏହି ମା’ ଜଣଙ୍କ କୁହନ୍ତି ଯେ ଏହାର କାରଣ ହେଉଛି ସ୍ଥାନୀୟ ଅଞ୍ଚଳବାସୀ ଭୋଗୁଥିବା ଗୁରୁତର ଜଳସଙ୍କଟ। ରାଜ୍ୟର ସବୁଠୁ ବଡ଼ ମଧୁର ଜଳ ହ୍ରଦ ପାଖରେ ରହୁଥିବା ଲୋକମାନେ ଏଭଳି ସମସ୍ୟା ଭୋଗିବା ଏକ ବିଡ଼ମ୍ବନା।

‘‘ନଅ ବର୍ଷ ପୂର୍ବରୁ, ଆମେ ଆମ ନୌକାରେ ଡଲ୍ ହ୍ରଦ ଚାରି ପାଖରେ ଥିବା ବିଭିନ୍ନ ସ୍ଥାନକୁ ଯାଇ ପାଣି ଆଣୁଥିଲୁ,’’ ପେସାରେ ଜଣେ ବଢ଼େଇ ମୁସ୍ତାକ୍‌ ଅହମ୍ମଦ କୁହନ୍ତି। ‘‘ସେତେବେଳେ ପାଣି ଟ୍ୟାଙ୍କର୍‌ ନଥିଲା।’’

କିନ୍ତୁ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମୁସ୍ତାକ ସକାଳ ଠିକ୍‌ ୯ଟା ବେଳେ ମୁଖ୍ୟ ରାସ୍ତାରେ ପହଞ୍ଚି ଯାଉଛନ୍ତି ଏବଂ ସରକାରୀ ପାଣି ଟ୍ୟାଙ୍କରକୁ ଅପେକ୍ଷା କରି ରହୁଛନ୍ତି। ଗୁଡୁ ମୋହଲ୍ଲାରେ ରହୁଥିବା ତାଙ୍କର ୧୦ ଜଣିଆ ପରିବାର ତାଙ୍କ ଉପରେ ନିର୍ଭର କରିଥାନ୍ତି। କାମକୁ ସହଜ କରିବା ଲାଗି ସେ ୨୦,୦୦୦-୨୫,୦୦୦ ଟଙ୍କା ଖର୍ଚ୍ଚ କରି ଗୋଟିଏ ପାଣି ଟାଙ୍କି କିଣିଛନ୍ତି ଓ ପାଇପ୍‌ ବିଛାଇଛନ୍ତି । ‘‘ବିଦ୍ୟୁତ ସଂଯୋଗ ଥିଲେ ଏହି ବ୍ୟବସ୍ଥା କାମ କରିଥାଏ, କିନ୍ତୁ ଶୀତ ଦିନେ କାଶ୍ମୀରରେ ବହୁବାର ବିଦ୍ୟୁତ କାଟ ହୋଇଥାଏ,’’ ସେ କୁହନ୍ତି। ଚଳିତ ମାସ (ମାର୍ଚ୍ଚ)ରେ ଟ୍ରାନ୍ସଫର୍ମର ଖରାପ ହେବା କାରଣରୁ ସେମାନଙ୍କୁ ବାଲ୍‌ଟିରେ ପାଣି ବୋହିବାକୁ ପଡ଼ିଥିଲା।

Left: Hilal Ahmad, a water tanker driver at Baroo Mohalla, Dalgate says, 'people are facing lot of problems due to water shortage.'
PHOTO • Muzamil Bhat
Right: Mushtaq Ahmad Gudoo checking plastic cans (left) which his family has kept for emergencies
PHOTO • Muzamil Bhat

ବାମ : ଡଲ୍‌ଗେଟ୍‌ ବାରୁ ମୋହଲ୍ଲାର ଜଣେ ପାଣି ଟ୍ୟାଙ୍କର ଡ୍ରାଇଭର୍‌ ହିଲାଲ୍‌ ଅହମ୍ମଦ କୁହନ୍ତି, ‘ଜଳ ସଂକଟ କାରଣରୁ ସ୍ଥାନୀୟ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି।’ ଡାହାଣ : ମୁସ୍ତାକ୍‌ ଅହମ୍ମଦ ଗୁଡୁ ପ୍ଲାଷ୍ଟିକ୍‌ ଡବା (ବାମ)କୁ ଯାଞ୍ଚ କରୁଛନ୍ତି ଯାହାକୁ ତାଙ୍କ ପରିବାର ଜରୁରି ପରିସ୍ଥିତି ପାଇଁ ରଖିଛନ୍ତି

ମୁର୍ଶିଦାବାଦର ବେଗୁନବାଡ଼ି ଗ୍ରାମ ପଞ୍ଚାୟତରେ ଥିବା ହିଜୁଳି ପଡ଼ାର ବାସିନ୍ଦାମାନେ ମଧ୍ୟ ପାଣି ଟ୍ୟାଙ୍କର୍‌ରୁ ଜଳ ସଂଗ୍ରହ କରିଥା’ନ୍ତି। ତେବେ ପଶ୍ଚିମବଙ୍ଗର ଏହି ଅଞ୍ଚଳରେ ଘରୋଇ ଟ୍ୟାଙ୍କର୍‌ଗୁଡ଼ିକ ପାଣି ଯୋଗାଇଥା’ନ୍ତି ଏବଂ ୨୦ ଲିଟର ପାଣିକୁ ୧୦ ଟଙ୍କା ନିଅନ୍ତି।

‘‘ଆମ ପାଖରେ ଅନ୍ୟ କୌଣସି ଅନ୍ୟ କୌଣସି ବିକଳ୍ପ ନାହିଁ, ଆପଣ ଦେଖନ୍ତୁ, ଆମେ ଏହି ପାଣି କିଣିଥାଉ। ଯଦି ଆପଣ ଏହାକୁ ଛାଡ଼ିଦେବେ, ଆପଣଙ୍କୁ କିଛି ପିଇବାକୁ ମିଳିବ ନାହିଁ,’’ ଲାଲବାନୁ ବିବି କୁହନ୍ତି।

ଏହା ସ୍ପଷ୍ଟ ଯେ ରୋଜି, ମୁସ୍ତାକ୍‌ ଓ ଲାଲବାନୁ ସେହି ଲୋକମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କୁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ (ଜେଜେଏମ୍‌)ରୁ ଲାଭ ମିଳିପାରିନାହିଁ। ଜଳ ଜୀବନ ମିଶନ୍‌ ର ୱେବସାଇଟ୍‌ ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୭୫ ପ୍ରତିଶତ ଗ୍ରାମୀଣ ପରିବାର (୧୯ କୋଟି ପରିବାର) ନିକଟରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ରହିଛି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ୨୦୧୯ରେ ୩.୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କାରଣରୁ ପାଞ୍ଚ ବର୍ଷ ମଧ୍ୟରେ ନଳ ସଂଯୋଗ ସଂଖ୍ୟା ତିନି ଗୁଣା ବୃଦ୍ଧି ପାଇଛି, ସେଥିପାଇଁ ଆଜି ୪୬ ପ୍ରତିଶତ ଗ୍ରାମାଞ୍ଚଳ ପରିବାରକୁ ନଳ ଯୋଗେ ଜଳ ସଂଯୋଗ ମିଳିଛି।

ବାସ୍ତବରେ, ବିହାର ସରକାରଙ୍କ ସାତ୍‌ ନିଶ୍ଚୟ ଯୋଜନା ଅଧୀନରେ ୨୦୧୭-୧୮ ମସିହାରେ ବିହାର ଆକବରପୁର ଅନ୍ତର୍ଗତ ଚିନ୍ତା ଦେବୀ ଓ ସୁଶୀଲା ଦେବୀଙ୍କ ଗାଁରେ ନଳ ସଂଯୋଗ ମିଳିପାରିଛି । ‘‘ନଳ (ଟ୍ୟାପ୍‌) ଛଅ-ସାତ ବର୍ଷ ପୂର୍ବରୁ ଲାଗିଥିଲା। ଗୋଟିଏ ଟାଙ୍କି ମଧ୍ୟ ବସିଥିଲା। କିନ୍ତୁ ଏବେ ସୁଦ୍ଧା ଏସବୁ କୌଣସି ନଳରୁ ବୁନ୍ଦାଏ ହେଲେ ପାଣି ଆସିନାହିଁ,’’ ଚିନ୍ତା କୁହନ୍ତି।

ଏହାର କାରଣ ହେଉଛି ଚିନ୍ତା ଓ ସୁଶୀଳା ହେଉଛନ୍ତି ଦଳିତ ଏବଂ ୪୦ ଦଳିତ ପରିବାରକୁ କେବେହେଲେ ପାଣି ସଂଯୋଗ ମିଳିନଥିବା ବେଳେ ଉଚ୍ଚ ଜାତିର ଘରକୁ ମିଳିଛି । ଏହି ଶୁଖିଲା ନଳ ଏବେ ଜାତିପ୍ରଥାର ଏକ ପ୍ରତୀକ ପାଲିଟିଛି ।

Left: Women wait to fill water in West Bengal. Here in Hijuli hamlet near Begunbari in Murshidabad district, Rajju on the tempo. Lalbanu Bibi (red blouse) and Roshnara Bibi (yellow blouse) are waiting with two neighbours
PHOTO • Smita Khator
Right: In Bihar's Nalanda district, women wait with their utensils to get water from the only hand pump in the Dalit colony of Akbarpur panchayat
PHOTO • Umesh Kumar Ray

ବାମ : ପଶ୍ଚିମବଙ୍ଗରେ ପାଣି ଭରିବା ପାଇଁ ମହିଳାମାନେ ଅପେକ୍ଷା କରିଛନ୍ତି। ଏଠାରେ ମୁର୍ଶିଦାବାଦ ଜିଲ୍ଲାର ବେଗୁନବାଡ଼ିରେ ଥିବା ହିଜୁଳି ପଡ଼ାରେ ରାଜ୍ଜୁ ଟେମ୍ପୋ ଉପରେ ଅଛନ୍ତି । ଲାଲବାନୁ ବିବି (ନାଲି ବ୍ଲାଉଜ୍‌) ଏବଂ ରୋଶନାରା ବିବି (ହଳଦିଆ ବ୍ଲାଉଜ୍‌) ଦୁଇ ଜଣ ପଡ଼ୋଶୀଙ୍କ ସହିତ ଅପେକ୍ଷା କରିଛନ୍ତି । ଡାହାଣ : ବିହାରର ନାଳନ୍ଦା ଜିଲ୍ଲାରେ ମହିଳାମାନେ ଆକବରପୁର ପଞ୍ଚାୟତର ଦଳିତ କଲୋନିରେ ଥିବା ଏକମାତ୍ର ନଳକୂଅରୁ ପାଣି ନେବା ପାଇଁ ସେମାନଙ୍କ ପାତ୍ର ଧରି ଅପେକ୍ଷା କରି ରହିଛନ୍ତି

In the Dalit colony of Akbarpur, a tank was installed for tap water but locals say it has always run dry
PHOTO • Umesh Kumar Ray
Right: The tap was erected in front of a Musahar house in Bihar under the central Nal Jal Scheme, but water was never supplied
PHOTO • Umesh Kumar Ray

ଆକବରପୁରର ଦଳିତ କଲୋନୀରେ ନଳ ଯୋଗେ ଜଳ ଯୋଗାଣ ପାଇଁ ଗୋଟିଏ ଟାଙ୍କି ବସିଛି, କିନ୍ତୁ ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଏହା ସବୁବେଳେ ଶୁଖିଲା ପଡ଼ିଥାଏ। ଡାହାଣ : କେନ୍ଦ୍ରୀୟ ନଳ ଜଳ ଯୋଜନାରେ ବିହାରରେ ଏକ ମୁସହର ଘର ଆଗରେ ନଳ ବସିଛି କିନ୍ତୁ କେବେ ଜଳ ଯୋଗାଣ ହୋଇନାହିଁ

ସେମାନେ ରହୁଥିବା ଆକବରପୁର ଦଳିତ କଲୋନୀରେ, କେବଳ ଗୋଟିଏ ନଳକୂଅ ଅଛି ଯାହା ଉପରେ ମୁଖ୍ୟତଃ ମୁସହର୍‌ ଓ ଚମାର୍‌ ସମ୍ପ୍ରଦାୟ (ରାଜ୍ୟରେ ଯଥାକ୍ରମେ ଅତି ପଛୁଆ ଜାତି ଏବଂ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ) ର ଲୋକମାନେ ନିର୍ଭର କରିଥା’ନ୍ତି ।

ନଳକୂଅ ଖରାପ ହୋଇଗଲେ, ଯାହାକି ଅଧିକାଂଶ ସମୟରେ ହୋଇଥାଏ, ‘‘ଆମେ ପରସ୍ପର ମଧ୍ୟରେ ଟଙ୍କା ଆଦାୟ କରି ଏହାର ମରାମତି କରିଥାଉ,’’ ନାଳନ୍ଦା ଜିଲ୍ଲାରେ ଥିବା ଏହି କଲୋନୀର ବାସିନ୍ଦା ଚିନ୍ତା (୬୦) କୁହନ୍ତି । ଆଉ ଗୋଟିଏ ମାତ୍ର ବିକଳ୍ପ ହେଉଛି ଉଚ୍ଚ ଜାତିର ଯାଦବମାନଙ୍କୁ ଅନୁରୋଧ କରିବା, କିନ୍ତୁ ସେମାନେ ସବୁବେଳେ ମନା କରିଥା’ନ୍ତି, ସେ କୁହନ୍ତି ।

ଦଳିତ ମାନବାଧିକାର ଉପରେ ଜାତୀୟ ଅଭିଯାନ (ଏନସିଡିଏଚଆର) ଦ୍ୱାରା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତରେ ଥିବା ମୋଟ୍‌ ଦଳିତଙ୍କ ମଧ୍ୟରୁ ପ୍ରାୟ ଅଧା (୪୮.୪ ପ୍ରତିଶତ) ଲୋକଙ୍କୁ ସର୍ବସାଧାରଣ ଜଳ ଉତ୍ସ ଠାରୁ ବାସନ୍ଦ କରାଯାଇଛି ଏବଂ ୨୦ ପ୍ରତିଶତରୁ ଅଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳେ ନାହିଁ ।

ଆଦିବାସୀମାନେ ମଧ୍ୟ ଏପରି ଅସୁବିଧା ଭୋଗିଥା’ନ୍ତି ବୋଲି ମହାରାଷ୍ଟ୍ର ପାଲଘରର ଜଣେ କେ ଠାକୁର୍‌ ଆଦିବାସୀ ମହିଳା ରାକୁ ନାଡ଼ାଗେ କୁହନ୍ତି । ତାଙ୍କ ଗାଁ ଗୋଣ୍ଡେ ଖ. କୁ ‘‘ଟ୍ୟାଙ୍କର କେବେ ଆସେ ନାହିଁ’’ ସେ କୁହନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ୧,୧୩୭ ଲୋକଙ୍କୁ ପାଣି ଯୋଗାଉଥିବା କୂଅ ଖରା ଦିନେ ଶୁଖିଗଲେ, ‘‘ଆମକୁ ପାଣି ପାଇଁ ଦୁଇଟି କଳସୀ (ପାଣି ବୋହିବା ପାତ୍ର) - ଗୋଟିଏ ମୁଣ୍ଡରେ ଓ ଆଉ ଗୋଟିଏ ହାତରେ ଧରି ଜଙ୍ଗଲରେ ଚାଲି ଚାଲି ଯିବାକୁ ହୁଏ। ଜଙ୍ଗଲରେ କୌଣସି ରାସ୍ତା ନାହିଁ।’’

ପରିବାର ଆବଶ୍ୟକତା ପାଇଁ ଯଥେଷ୍ଟ ପାଣି ଆଣିବାକୁ ହେଲେ ରାକୁ ନଅ ଘଣ୍ଟାରୁ ଅଧିକ ସମୟ ଧରି ତିନି ଥର ପ୍ରାୟ ୩୦ କିଲୋମିଟର ଚାଲି ଚାଲି ଯିବାଆସିବା କରିଥା’ନ୍ତି।

*****

Shivamurti Sathe (right) is an organic farmer from Kakramba and sells his produce daily in the Tuljapur market in Maharashtra. He has seen five droughts in the last six decades, and maintains that the water crisis is man-made
PHOTO • Jaideep Hardikar
Shivamurti Sathe (right) is an organic farmer from Kakramba and sells his produce daily in the Tuljapur market in Maharashtra. He has seen five droughts in the last six decades, and maintains that the water crisis is man-made
PHOTO • Medha Kale

କକରମ୍ବାର ଚାଷୀ ଶିବମୂର୍ତ୍ତି ସାଠେ (ଡାହାଣ) ଜୈବିକ କୃଷି କରନ୍ତି ଏବଂ ସେ ନିଜର ଉତ୍ପାଦକୁ ମହାରାଷ୍ଟ୍ରର ତୁଲଜାପୁର ଦୈନିକ ବଜାରରେ ବିକ୍ରି କରନ୍ତି। ଗତ ଛଅ ଦଶନ୍ଧି ମଧ୍ୟରେ ସେ ପାଞ୍ଚଟି ମରୁଡ଼ି ଦେଖିଛନ୍ତି ଏବଂ ଜଳସଂକଟ ମନୁଷ୍ୟକୃତ ବୋଲି କୁହନ୍ତି

କକରମ୍ବା ଗାଁର ବାସିନ୍ଦା ଶିବମୂର୍ତ୍ତି ସାଠେ ନିଜ ଜୀବନର ଛଅ ଦଶନ୍ଧି ମଧ୍ୟରେ ପାଞ୍ଚଟି ମରୁଡ଼ି ଦେଖିଛନ୍ତି ।

ଚାଷୀ ଶିବମୂର୍ତ୍ତି କୁହନ୍ତି ମହାରାଷ୍ଟ୍ରର ତୁଲଜାପୁର କ୍ଷେତ୍ର ଏକଦା ଉର୍ବର ଜମିରେ ପୂରି ରହିଥିଲା, ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସମ୍ପୂର୍ଣ୍ଣ ଅନୁର୍ବର ହୋଇଯାଇଛି; ଘାସଟିଏ ସୁଦ୍ଧା ଉଠୁନାହିଁ । ଏଥିପାଇଁ ସେ ଟ୍ରାକ୍ଟର ବ୍ୟବହାରକୁ ଦୋଷ ଦେଇଥା’ନ୍ତି : ‘‘ ଅଟ୍‌ (ହଳ) ଏବଂ ବଳଦଙ୍କ ସହିତ ମାଟିରେ ଘାସ ଏକ ୱାସନ୍‌ (ପ୍ରାକୃତିକ ବନ୍ଧନ) ସୃଷ୍ଟି କରୁଥିଲା ଯାହା ପାଣିକୁ ଧୀର କରିବା ଓ ଝରିବାରେ ସହାୟକ ହେଉଥିଲା। ଟ୍ରାକ୍ଟର ମାଟିକୁ ଖୋଲି ଦେଇଥାଏ ଏବଂ ପାଣି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଏ।’’

୧୯୭୨ ମସିହାରେ ତାଙ୍କୁ ଯେତେବେଳେ ନଅ ବର୍ଷ ହୋଇଥିଲା ସେହି ସମୟର କଥା ମନେ ପକାଇ ସେ କୁହନ୍ତି, ‘‘ସେତେବେଳେ ପ୍ରଥମ ଏବଂ ସବୁଠାରୁ ବିନାଶକାରୀ ମରୁଡ଼ି ଦେଖା ଦେଇଥିଲା। ପାଣି ଥିଲା, କିନ୍ତୁ ଖାଦ୍ୟ ନଥିଲା। ସେହି ଦିନ ପରଠାରୁ ସ୍ଥିତି କେବେ ବି ସ୍ୱାଭାବିକ ହୋଇନାହିଁ ।’’ ସାଠେ କାକା ତୁଲଜାପୁର ସହରରେ ପନିପରିବା ଏବଂ ଚିକୁ ବିକ୍ରି କରନ୍ତି। ୨୦୧୪ ମରୁଡ଼ିରେ ତାଙ୍କର ଗୋଟିଏ ଏକର ଆମ୍ବ ବଗିଚା ନଷ୍ଟ ହୋଇଯାଇଥିଲା। ‘‘ଆମେ ଭୂତଳ ଜଳର ଅତିଶୟ ଉପଯୋଗ କରିସାରିଛୁ ଏବଂ ସବୁ ପ୍ରକାର ବିଷାକ୍ତ ରାସାୟନିକ ଉପଯୋଗ କରି ଆମ ଜମିକୁ ଫମ୍ପା କରି ଦେଇଛୁ।’’

ଏବେ ମାର୍ଚ୍ଚ ମାସ ଏବଂ ସେ କୁହନ୍ତି, ‘‘ମେ ମାସରେ ପ୍ରାକ୍‌ ମୌସୁମୀ ବର୍ଷା ହେବ ବୋଲି ଆମେ ଆଶା କରୁଛୁ ନଚେତ୍‌ ଚଳିତ ବର୍ଷ ଅତି କଷ୍ଟକର ହେବ ।’’ ପାନୀୟ ଜଳ ଅଭାବ ଏକ ସଂକଟ। ‘‘ଏକ ହଜାର ଲିଟର ପାଣି ପାଇଁ ଆମେ ୩୦୦ ଟଙ୍କା ଦେଉଛୁ। କେବଳ ଆମେ ମଣିଷ ନୋହୁଁ, ଆମ ଗାଈଗୋରୁଙ୍କୁ ମଧ୍ୟ ପାଣି ଦରକାର।’’

ସ୍ୱାମୀନାଥନ୍‌ ଆୟୋଗଙ୍କ ପ୍ରଥମ ରିପୋର୍ଟରେ କୁହାଯାଇଛି ଯେ, ଗୋଖାଦ୍ୟ ଅଭାବ କାରଣରୁ ପ୍ରାଣୀସମ୍ପଦଙ୍କ ମୃତ୍ୟୁ ଘଟୁଛି, ଯାହାଦ୍ୱାରା ଚାଷୀମାନଙ୍କ ପାଇଁ ପରବର୍ତ୍ତୀ ଋତୁର ଅପ୍ରତ୍ୟାଶିତ ପରିସ୍ଥିତିକୁ ମୁକାବିଲା କରିବା ଆହୁରି କଷ୍ଟକର ହୋଇପଡ଼ୁଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ‘‘ଏପରି ମରୁଡ଼ି ଏକ ଅସ୍ଥାୟୀ ଘଟଣା ନୁହେଁ, ବରଂ ଏହା ସ୍ଥାୟୀ ଭାବେ ବିନାଶକାରୀ ଅଟେ।’’

Left: Droughts across rural Maharashtra forces many families into cattle camps in the summer
PHOTO • Binaifer Bharucha
Right: Drought makes many in Osmanabad struggle for survival and also boosts a brisk trade that thrives on scarcity
PHOTO • P. Sainath

ବାମ : ଗ୍ରାମୀଣ ମହାରାଷ୍ଟ୍ର ବ୍ୟାପୀ ମରୁଡ଼ି କାରଣରୁ ଅନେକ ପରିବାର ବାଧ୍ୟ ହୋଇ ଖରାଦିନେ ଗୋରୁ ଶିବିରରେ ଆଶ୍ରୟ ନେଇଥା’ନ୍ତି। ଡାହାଣ :ମରୁଡ଼ି କାରଣରୁ ଓସମାନାବାଦର ଅନେକ ଲୋକ ସଂଘର୍ଷ କରିଥା’ନ୍ତି ଏବଂ ଏହା ଏକ ବଡ଼ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ଯାହା ଅଭାବରେ ଅଧିକ ବଢ଼ିଥାଏ

PHOTO • Priyanka Borar

ବର୍ତ୍ତମାନ ସୁଦ୍ଧା ପରୀରେ ପ୍ରକାଶିତ ହୋଇନଥିବା କଚ୍ଛୀ ଗୀତର ଏକ ଅଂଶ ସାଧାରଣ ଲୋକଙ୍କ ଜଳ ସଂକଟର ସମାଧାନ ଖୋଜିବାରେ ସରକାରଙ୍କ ସାମର୍ଥ୍ୟ ପ୍ରତି ଜନସାଧାରଣଙ୍କ ଅବିଶ୍ୱାସ ଉପରେ ଆଲୋକପାତ କରୁଛି। ମରୁଡ଼ି ଗ୍ରସ୍ତ ଚାଷୀଙ୍କ ସ୍ୱପ୍ନକୁ ଧୂଳିସାତ୍‌ କରି ସର୍ଦ୍ଦାର ସରୋବର ପ୍ରକଳ୍ପରେ ନଦୀ ବନ୍ଧର ଉଚ୍ଚତା ବୃଦ୍ଧି କରାଯିବା ସତ୍ତ୍ୱେ ଜଳ ବିତରଣରେ ଭାରୀ ବିଫଳତା ଦେଖିବାକୁ ମିଳିଛି ।  ସ୍ଥାନୀୟ ଅଞ୍ଚଳରେ ଜଳକୁ ବ୍ୟବସ୍ଥିତ ଢଙ୍ଗରେ ପାନୀୟ ଭାବେ ବ୍ୟବହାର କରିବା ପରିବର୍ତ୍ତେ ଉତ୍ପାଦନ ଆଡ଼କୁ, କୃଷିରୁ ଶିଳ୍ପ ଆଡ଼କୁ, ଗରିବଙ୍କ ଠାରୁ ଧନୀଙ୍କ ଆଡ଼କୁ ଦିଗ ପରିବର୍ତ୍ତିତ କରାଯାଇଛି । ଏଥିଯୋଗୁ ଚାଷୀମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି

୨୦୨୩ ମସିହା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଧରାଶିବ୍‌ (ପୂର୍ବତନ ଓସମାନାବାଦ୍‌) ଜିଲ୍ଲାର ତୁଲଜାପୁର ବ୍ଲକରେ ୫୭୦.୩ ମିଲିମିଟର ବର୍ଷା (ବାର୍ଷିକ ୬୫୩ ମିଲିମିଟର ବୃଷ୍ଟିପାତ ତୁଳନାରେ) ହୋଇଥିଲା । ଏହାର ଅର୍ଦ୍ଧାଧିକ ବର୍ଷା ଜୁଲାଇ ମାସର ମାତ୍ର ୧୬ ଦିନ ମଧ୍ୟରେ ହୋଇଥିଲା। ଜୁନ୍‌, ଅଗଷ୍ଟ ଏବଂ ଅକ୍ଟୋବର ମାସରେ ୩-୪ ସପ୍ତାହ ଧରି ଲାଗି ରହିଥିବା ମରୁଡ଼ି ସ୍ଥିତି ଯୋଗୁ ଜମିକୁ ଆବଶ୍ୟକ ଆର୍ଦ୍ରତା ମିଳିଲା ନାହିଁ; ଜଳାଶୟ ଭରିଲା ନାହିଁ।

ତେଣୁ କକରମ୍ବାର ଚାଷୀମାନେ ସଂଘର୍ଷ କରୁଛନ୍ତି : ‘‘ଆମକୁ (ଏବେ) ଆବଶ୍ୟକତା ଠାରୁ ମାତ୍ର ୫-୧୦ ପ୍ରତିଶତ ମିଳୁଛି। ଆପଣ ଗାଁ ସାରା ମାଠିଆ ଓ ହଣ୍ଡା (ହାଣ୍ଡି)ର ଲମ୍ବା ଧାଡ଼ି ଦେଖିବେ,’’ ସେ ଏହି ପରୀ ରିପୋର୍ଟରକୁ ଚେତାଇ ଦେଇ କହିଥାନ୍ତି।

‘‘ଏହା (ମରୁଡ଼ି ଭଳି ସ୍ଥିତି) ସମ୍ପୂର୍ଣ୍ଣ ମନୁଷ୍ୟକୃତ,’’ ସାଠେ କାକା କୁହନ୍ତି।

ମୁର୍ଶିଦାବାଦରେ ମଧ୍ୟ ସମାନ ସଂକଟ ଦେଖା ଦେଇଛି ଯେଉଁଠି ଭୂତଳ ଜଳ ଆର୍ସେନିକ୍‌ ମିଶି ପ୍ରଦୂଷିତ ହୋଇଯାଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକାର ଭାଗିରଥୀ ତଟବର୍ତ୍ତୀ ଇଲାକାରେ ଥିବା ଏହି ଅଞ୍ଚଳରେ ନଳକୂଅରୁ ଏକଦା ମଧୁର ଜଳ ବାହାରୁଥିଲା ଯାହା ଏବେ ଧୀରେ ଧୀରେ ଶୁଖିବାରେ ଲାଗିଛି ।

ବେଗୁନବାଡ଼ି ଗ୍ରାମ ପଞ୍ଚାୟତ (ଜନସଂଖ୍ୟା : ୨୦୧୧ ଜନଗଣନାରେ ୧୦,୯୮୩)ରେ ଟ୍ୟାପ୍‌ ପାଣି ସଂଯୋଗ ନଥିବାରୁ ଲୋକମାନେ ନଳକୂଅ ଉପରେ ନିର୍ଭର କରିଥା’ନ୍ତି। ‘‘ଆମେ ନଳକୂଅ ପାଣି ବ୍ୟବହାର କରୁ, କିନ୍ତୁ ସବୁ ଏବେ (୨୦୨୩ରେ) ଶୁଖିଯାଇଛି,’’ ରୋଶନା ବିବି କୁହନ୍ତି। ‘‘ସେମିତି ବେଲଡାଙ୍ଗା ୧ ବ୍ଲକ୍‌ରେ ଥିବା ଜଳାଶୟଗୁଡ଼ିକ ଶୁଖିଯାଇଛି। ପୋଖରୀଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ଶୁଖିଯାଇଛି।’’ ବର୍ଷା ଅଭାବ ସହିତ ବେଆଇନ ପାଣିପମ୍ପ୍‌ ଜରିଆରେ ଅନିୟନ୍ତ୍ରିତ ଭାବେ ଭୂତଳ ଜଳ ଉତ୍ତୋଳନ କରାଯାଉଥିବା କାରଣରୁ ଏପରି ହେଉଥିବା ସେ କୁହନ୍ତି।

In Murshidabad, shallow pumps (left) are used to extract ground water for jute cultivation. Community tanks (right) are used for retting of jute, leaving it unusable for any household use
PHOTO • Smita Khator
In Murshidabad, shallow pumps (left) are used to extract ground water for jute cultivation. Community tanks (right) are used for retting of jute, leaving it unusable for any household use
PHOTO • Smita Khator

ମୁର୍ଶିଦାବାଦରେ, ପାଣି ଉଠାଇବା ପମ୍ପ (ବାମ) ବ୍ୟବହାର କରି ଝୋଟ ଚାଷ ପାଇଁ ବେଆଇନ ଭାବେ ଭୂତଳ ଜଳ ଉତ୍ତୋଳନ କରାଯାଉଛି। ଗୋଷ୍ଠୀ ଟାଙ୍କି (ଡାହାଣ)କୁ ଝୋଟ ପଚାଇବା ପାଇଁ ବ୍ୟବହୃତ ହେଉଛି, ଫଳରେ ଏହା କୌଣସି ପରିବାର ଲୋକଙ୍କ ପାଇଁ ଅନୁପଯୋଗୀ ହୋଇପଡ଼ିଛି

୨୦୧୭ରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଭୂତଳ ଜଳ କୃଷି ଏବଂ ଘରୋଇ ଉପଯୋଗ ଉଭୟ ପାଇଁ ଏକ ପ୍ରମୁଖ ଉତ୍ସ, ଯାହା ଗ୍ରାମୀଣ ଜଳଯୋଗାଣରେ ୮୫ ପ୍ରତିଶତ ଯୋଗଦାନ ଦେଇଥାଏ।

ଜାହାଁନାରା ବିବି କୁହନ୍ତି ଯେ ଲଗାତାର ମୌସୁମୀ ବର୍ଷାର ଅଭାବ କାରଣରୁ ଏଠାରେ ଅତ୍ୟଧିକ ପରିମାଣରେ ଭୂତଳ ଜଳ ଉପଯୋଗ କରାଯାଉଛି। ଏହି ୪୫ ବର୍ଷୀୟା ମହିଳା ଜଣଙ୍କ ହିଜୁଳି ପଡ଼ାର ଏକ ଝୋଟ ଚାଷୀ ପରିବାରରେ ବାହା ହୋଇଥିଲେ। ‘‘ପରବର୍ତ୍ତୀ ରେଟିଂ ବା ସଢ଼ିବା ପ୍ରକ୍ରିୟା ପାଇଁ ଯଥେଷ୍ଟ ପାଣି ଥିଲେ ଝୋଟ ଫସଲ ଅମଳ କରିବା ସମ୍ଭବ ହୋଇଥାଏ। ଥରେ କାଟିସାରିବା ପରେ, ଝୋଟ ଫସଲକୁ ପକେଇ ରଖିହେବ ନାହିଁ, ସେଗୁଡ଼ିକ ନଷ୍ଟ ହୋଇଯିବ।’’ ଅଗଷ୍ଟ ୨୦୨୩ ଶେଷ ଭାଗରେ ବେଲଡାଙ୍ଗା ୧ ବ୍ଲକ୍‌ର ଚାଷ ଜମିରେ ପାଣି ଅଭାବରୁ ପାଚି ଯାଇଥିବା ଝୋଟ ଫସଲ ଅତିଶୟ ବର୍ଷା ଅଭାବର ପ୍ରମାଣ ଦେଇଥାଏ।

କିନ୍ତୁ ଯେକୌଣସି ମାମଲାରେ, ଆର୍ସେନିକ୍‌ ପ୍ରଦୂଷଣ କାରଣରୁ ଏସବୁ କ୍ଷେତ୍ରରେ ନଳକୂଅ ଉପରେ ଭରସା କରିହେବ ନାହିଁ, ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ଭୂତଳ ଜଳରେ ଆର୍ସେନିକ୍‌ ପ୍ରଦୂଷଣକୁ ଦେଖିଲେ ମୁର୍ଶିଦାବାଦ୍‌ ସବୁଠୁ ବେଶୀ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଅନ୍ୟତମ, ଯାହା ତ୍ୱଚା, ସ୍ନାୟବିକ ଏବଂ ପ୍ରସୂତୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

କିନ୍ତୁ ଆର୍ସେନିକ୍‌ ପ୍ରଦୂଷଣ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବା ସହିତ ଏହା ବନ୍ଦ ହୋଇଯାଇଛି। ତେବେ, ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଘରୋଇ ଡିଲରଙ୍କ ଉପରେ ନିର୍ଭର କରୁଛନ୍ତି ଏବଂ ବିଡ଼ମ୍ବନାର ବିଷୟ ହେଉଛି ଯେ, ସେମାନେ ଡିଲରଙ୍କ ଠାରୁ ଯେଉଁ ପାଣି କିଣୁଛନ୍ତି ତାହା ସୁରକ୍ଷିତ କି ନୁହେଁ ସେମାନେ ଜାଣନ୍ତି ନାହିଁ ।

ପାଣି ଟ୍ୟାଙ୍କର କିଛି ପିଲାଙ୍କୁ ସ୍କୁଲ୍‌ରୁ ଘରକୁ ଆଣିଥାଏ, ଯେମିତି ହିଜୁଳିର ବାସିନ୍ଦା ତଥା ବେଗୁନବାଡ଼ି ହାଇସ୍କୁଲ୍‌ର ପଞ୍ଚମ ଶ୍ରେଣୀ ଛାତ୍ର ରାଜ୍ଜୁ। ରାଜ୍ଜୁ ଘର ଲୋକଙ୍କୁ ସହାୟତା କରିବା ଲାଗି ହ୍ୟାଣ୍ଡପମ୍ପ୍‌ ପାଣି ଟ୍ୟାଙ୍କରରୁ ପାଣି ନେଇ ଘରକୁ ଆସନ୍ତି । ସେ ସିଧାସଳଖ ଆଖି ଉଠାଇ ଏହି ରିପୋର୍ଟରଙ୍କୁ କୁହନ୍ତି, ‘‘ଏହା ଘରେ ପଢ଼ିବା ଠାରୁ ଭଲ।’’

ସ୍ଥାନୀୟ ଅଞ୍ଚଳରେ କେବଳ ସେ ହିଁ ଏକମାତ୍ର ଜଳ ବାହକ ନୁହନ୍ତି। ହିଜୁଳି ଠାରୁ କିଛି କିଲୋମିଟର ଦୂର କାଜିସାହା (୧୩,୪୮୯ ଜନସଂଖ୍ୟା, ଜନଗଣନା ୨୦୧୧)ରେ କିଛି ଉତ୍ସାହୀ ବାଳକ ପାଣି ଡିଲର୍‌ଙ୍କ ମାର୍ଗଦର୍ଶନରେ ବୟସ୍କ ଲୋକମାନଙ୍କୁ ସେମାନଙ୍କର ପାଣି ମାଠିଆ ଓ ପାତ୍ର ଭରିବାରେ ସହଯୋଗ କରିଥା’ନ୍ତି। ବାଳକମାନେ କୁହନ୍ତି ଯେ, ‘‘ଭ୍ୟାନ୍‌ରେ ବସି ଗାଁରେ ବୁଲିବା’’ ଉଦ୍ଦେଶ୍ୟରେ ସେମାନେ ଏହି କାମ କରିବାକୁ ପସନ୍ଦ କରନ୍ତି।

Left: In Hijuli and Kazisaha, residents buy water from private dealers. Children are often seen helping the elders and also hop on to the vans for a ride around the village.
PHOTO • Smita Khator
Right: Residents of Naya Kumdahin village in Dhamtari district of Chhattisgarh have to fetch water from a newly-dug pond nearby or their old village of Gattasilli from where they were displaced when the Dudhawa dam was built across the Mahanadi river
PHOTO • Purusottam Thakur

ବାମ : ହିଜୁଳି ଓ କାଜିସାହାର ବାସିନ୍ଦାମାନେ ଘରୋଇ ଡିଲରଙ୍କ ଠାରୁ ପାଣି କିଣନ୍ତି। ପିଲାମାନଙ୍କୁ ପ୍ରାୟତଃ ବଡ଼ ଲୋକଙ୍କ ସାହାଯ୍ୟ କରୁଥିବା ଦେଖାଯାଏ ଏବଂ ସେମାନେ ଗାଁରେ ବୁଲିବା ଲାଗି ଭ୍ୟାନ୍‌ ଉପରେ ଚଢ଼ିଯାଆନ୍ତି। ଡାହାଣ : ଛତିଶଗଡ଼ ଧମତରୀ ଜିଲ୍ଲାର ନୟା କୁମଦାଡିହିନ ଗାଁର ବାସିନ୍ଦାଙ୍କୁ ପାଖରେ ନୂଆ କରି ଖୋଳାଯାଇଥିବା ଏକ ପୋଖରୀ କିମ୍ବା ସେମାନଙ୍କ ପୁରୁଣା ଗାଁ ଗଟ୍ଟାସିଲିରୁ ପାଣି ଆଣିବାକୁ ପଡ଼ିଥାଏ ଯେଉଁଠି ମହାନଦୀ ଉପରେ ଦୁଧୱା ନଦୀବନ୍ଧ ନିର୍ମାଣ କରାଯିବା କାରଣରୁ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା

PHOTO • Sanviti Iyer

ପୁରନ୍ଦର ତାଲୁକା ପୋଖର ଗାଁର ଶାହୁବାଇ ପୋମନ୍‌ ଆମକୁ କୁହନ୍ତି, ଆମର ଧାନ ପେସିବା ଏବଂ କୁଟିବା କାମ ଅତି କଷ୍ଟକର କିନ୍ତୁ ଲମ୍ବା ଦୂରତାରୁ ସବୁଦିନ ପାଣି ଆଣିବା ତୁଳନାରେ ଏହା ଅତି ସହଜ। ରାଜଗୁରୁନଗର ର ଦେବ ତୋରଣେ ଗାଁରେ ପାର୍ବତୀ ବାଇ ଅୱାରୀ କୁହନ୍ତି, ତାଙ୍କ ଗାଁର ମହିଳାମାନେ ବାସ୍ତବରେ ଭାଗ୍ୟଶାଳୀ ଅଟନ୍ତି, କାରଣ ତାଙ୍କ ପାଖରେ ପ୍ରଚୁର ମାତ୍ରାରେ ପାଣି ମହଜୁଦ ଥିବା ଏକ କୂଅ ଅଛି ଏବଂ ସେମାନେ ସମସ୍ତେ ସେଥିରୁ ପାଣି କାଢ଼ନ୍ତି । ପରିବାର ପାଇଁ ପାଣି ଭରିବା ମହିଳାଙ୍କ ଦାୟିତ୍ୱ, କିନ୍ତୁ ପାଣି ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଲମ୍ବା ବାଟ ଚାଲି ଚାଲି ଯିବା ତୁଳନାରେ କୂଅରୁ ପାଣି କାଢ଼ିବା ଅନେକ ଗୁଣରେ ସହଜ କାମ। ମୂଳ ଗ୍ରାଇଣ୍ଡମିଲ୍‌ ସଙ୍ଗସ୍‌ ପ୍ରୋଜେକ୍ଟ ଟିମ୍‌ ଏସବୁ ଗୀତକୁ ୧୯୯୫ ଏବଂ ୧୯୯୯ରେ ପୁଣେ ଜିଲ୍ଲାରେ ରେକର୍ଡ କରାଯାଇଥିଲା। ଏସବୁ ଗୀତ ଏହା ଠାରୁ ପୂର୍ବରୁ ସେହି ସମୟରେ ପ୍ରସ୍ତୁତ କରାଯାଇଥିଲା, ଯେତେବେଳେ ପ୍ରତିବର୍ଷ ଜଳସ୍ତର ବଢ଼ୁଥିଲା ଏବଂ ନଈ ଓ କୂଅରୁ ସହଜରେ ପାଣି ମିଳିପାରୁଥିଲା। ହେଲେ ବର୍ତ୍ତମାନ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି ଯେତେବେଳେ ପାଣି ଓ ନିଅଣ୍ଟ ପ୍ରାୟ ସମାର୍ଥକ ପାଲଟି ଯାଇଛନ୍ତି

ମୁର୍ଶିଦାବାଦରେ ଆର୍ସେନିକ୍‌ ଏବଂ ମହାରାଷ୍ଟ୍ର ପାଲଘରରେ ଡାଇରିଆ - ହଜାର ହଜାର କିଲୋମିଟର ବ୍ୟବଧାନରେ ଦେଖା ଦେଇଥିବା ଏହି ସମସ୍ୟାର କାରଣ ଗୋଟିଏ ଓ ତାହା ହେଉଛି ଜଳ ଭଣ୍ଡାର ହ୍ରାସ ପାଇବା।

ରାକୁ ନାଡ଼ାଗେ କୁହନ୍ତି ଯେ ତାଙ୍କ ଗାଁ ଗୋଣ୍ଡେ ଖ. ର କୂଅରେ ଜଳସ୍ତର ଦ୍ରୁତ ଗତିରେ ତଳକୁ ଖସିଚାଲିଛି ଏବଂ ୨୨୭ଟି ଘର ଏହି ଗୋଟିଏ ସ୍ରୋତ ଉପରେ ନିର୍ଭର କରିଥା’ନ୍ତି। ସେ କୁହନ୍ତି, ‘‘ଏହା ଆମ ପାଇଁ ପାଣିର ନିକଟତମ ଏବଂ ଏକମାତ୍ର ଉତ୍ସ।’’ ମୋଖଦା ତାଲୁକା ଅନ୍ତର୍ଗତ ଏହି ଗାଁର ଅଧିକାଂଶ ଲୋକ ଠାକୁର ଜନଜାତିର ଅଟନ୍ତି।

ଦୁଇ ବର୍ଷ ପୂର୍ବରୁ ତାଙ୍କ ପୁଅ ଦୀପକ ଡାଇରିଆରେ ଆକ୍ରାନ୍ତ ହୋଇଥିଲା, ଯାହା ସମ୍ଭବତଃ ସେମାନେ ପିଉଥିବା ପାଣି କାରଣରୁ ହୋଇଥିଲା। ୨୦୧୮ର ଏକ ଅଧ୍ୟୟନରେ ପାଲଘର ଜିଲ୍ଲାର ନଅଟି ଗାଁର ପିଲାମାନଙ୍କ ମଧ୍ୟରେ ଡାଇରିଆର ବ୍ୟାପକତା ୩୩.୪ ପ୍ରତିଶତ ରହିଥିବା ଜଣାପଡ଼ିଥିଲା। ନିଜ ପୁଅକୁ ରୋଗ ହେବା ପରେ ରାକୁ ସବୁଦିନ ଫୁଟା ପାଣି ପିଅନ୍ତି ।

କିନ୍ତୁ ପାଣି ଫୁଟାଇବା ପୂର୍ବରୁ ରାକୁ ପ୍ରଥମେ ପାଣି ଆଣିବାକୁ ଯାଆନ୍ତି । ଖରାଦିନେ, କୂଅ ପାଣି ଶୁଖିଗଲେ ଗାଁର ମହିଳାମାନେ ୱାଘ୍‌ ନଦୀ ପର୍ଯ୍ୟନ୍ତ ଯାଆନ୍ତି ଯାହାକି ନଅ କିଲୋମିଟର ଦୂରରେ ରହିଛି । ସେମାନେ ଦିନକୁ ଦୁଇରୁ ତିନି ଥର ତିନି ଘଣ୍ଟା ଧରି ଯିବା ଆସିବା କରନ୍ତି, ବଡ଼ି ଭୋରରକୁ କିମ୍ବା ଗୋଧୂଳି ବେଳା ପରେ, ଯେତେବେଳେ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଥାଏ।

ୟୁନିସେଫ୍‌ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ପାଣି ସଂକ୍ରାନ୍ତ ପାରିବାରିକ କାର୍ଯ୍ୟ ଅନୁଚିତ ଭାବେ ମହିଳାଙ୍କ ଉପରେ ପଡ଼ିଥାଏ ଏବଂ ‘‘ପ୍ରାୟ ୫୪ ପ୍ରତିଶତ ଗ୍ରାମୀଣ ମହିଳା - କିଛି କିଶୋରୀ ମଧ୍ୟ- ପ୍ରତ୍ୟେକ ଦିନ ପାଣି ଆଣିବା ଲାଗି ଆନୁମାନିକ ହାରାହାରୀ ୩୫ ମିନିଟ୍‌ ବିତାଇଥା’ନ୍ତି। ଏଥିରେ ବାର୍ଷିକ ୨୭ ଦିନର ମଜୁରି ନଷ୍ଟ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

‘‘ପୁରୁଷମାନଙ୍କୁ କାମ କରିବା ଲାଗି (ବାହାରକୁ) ଯିବାକୁ ହୁଏ, ତେଣୁ ଆମକୁ ରୋଷେଇ ପାଇଁ ପାଣି ଆଣିବାକୁ ହୁଏ। ସକାଳେ, ନଳକୂଅ ପାଖରେ ଭିଡ଼ ହୋଇଯାଏ,’’ ଚିନ୍ତା ଦେବୀ କୁହନ୍ତି । ‘‘ଅପରାହ୍ଣ ସମୟରେ, ଆମକୁ ଗାଧୋଇବା ଏବଂ କପଡ଼ା ସଫା କରିବା ଆଦି କାମ ପାଇଁ, ଆଉ ତା’ପରେ ସନ୍ଧ୍ୟାରେ ରାତି ଭୋଜନ ପାଇଁ ପାଣି ଦରକାର ହୁଏ,’’ ସେ ଆହୁରି କହିଥା’ନ୍ତି।

Left: In Gonde Kh village in Palghar district, a single well serves as the water-source for the entire community, most of whom belong to the K Thakur tribe.
PHOTO • Jyoti Shinoli
Right: When the well dries up in summer, the women have to walk to the Wagh river to fetch water two to three times a day
PHOTO • Jyoti Shinoli

ବାମ : ପାଲଘର ଜିଲ୍ଲାର ଗୋଣ୍ଡେ ଖ ଗାଁରେ ଗୋଟିଏ କୂଅ ସମ୍ପୂର୍ଣ୍ଣ ପଡ଼ା ପାଇଁ ଜଳ ଉତ୍ସ ଭାବେ କାମ କରିଥାଏ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କେ ଠାକୁର ଜନଜାତିର ବାସିନ୍ଦା ଅଟନ୍ତି। ଡାହାଣ : ଖରା ଦିନେ କୂଅ ଶୁଖିଗଲେ ମହିଳାମାନଙ୍କୁ ଦିନକୁ ଦୁଇ ତିନି ଥର ପାଣି ଆଣିବା ପାଇଁ ୱାଘ ନଦୀ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ

Left: Young girls help their mothers not only to fetch water, but also in other household tasks. Women and girls of the fishing community in Killabandar village, Palghar district, spend hours scraping the bottom of a well for drinking water, and resent that their region’s water is diverted to Mumbai city.
PHOTO • Samyukta Shastri
Right: Gayatri Kumari, who lives in the Dalit colony of Akabarpur panchayat, carrying a water-filled tokna (pot) from the only hand pump in her colony. She says that she has to spend at least one to two hours daily fetching water
PHOTO • Umesh Kumar Ray

ବାମ : ଝୋଟ ଝିଅମାନେ ସେମାନଙ୍କ ମା’ମାନଙ୍କୁ ପାଣି ଆଣିବା ଏବଂ ଅନ୍ୟ ଘର କାମରେ ସାହାଯ୍ୟ କରନ୍ତି। ପାଲଘର ଜିଲ୍ଲା ଅନ୍ତର୍ଗତ କିଲାବନ୍ଦର ଗାଁରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ମହିଳା ଓ ଝିଅମାନେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଚୁଆ ଖୋଳିବାରେ ବିତାଇଥାନ୍ତି ଏବଂ ସେମାନଙ୍କ ଅଞ୍ଚଳକୁ ଆସିବାକୁ ଥିବା ପାଣି ମୁମ୍ବାଇ ସହର ଆଡ଼କୁ ମୋଡ଼ି ଦିଆଯିବାକୁ ନେଇ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ଡାହାଣ : ଆକବରପୁର ପଞ୍ଚାୟତର ଦଳିତ ବସ୍ତିରେ ରହୁଥିବା ଗାୟତ୍ରୀ କୁମାରୀ ନିଜ ବସ୍ତିରେ ଥିବା ଗୋଟିଏ ମାତ୍ର ନଳକୂଅରୁ ପାଣି ଭର୍ତ୍ତି ଟୋକନା (ପାତ୍ର) ନେଇ ଯାଉଛନ୍ତି। ସେ କୁହନ୍ତି ଯେ ତାଙ୍କୁ ଦୈନିକ ପାଣି ଆଣିବାରେ ଅତିକମରେ ଘଣ୍ଟାଏରୁ ଦୁଇ ଘଣ୍ଟା ବିତାଇବାକୁ ପଡ଼ିଥାଏ

ଏହି ଦଳିତ ବସ୍ତିରେ ପାଣିର ଏକମାତ୍ର ଉତ୍ସ ହେଉଛି ଗୋଟିଏ ଚମ୍ପାକଲ୍‌ (ନଳକୂଅ) ଯେଉଁଠି ସେମାନଙ୍କୁ ପାଣି ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥାଏ। ‘‘ଏତେ ବଡ଼ ଟୋଲା (ବସ୍ତି)ରେ ଗୋଟିଏ ମାତ୍ର ନଳକୂଅ ରହିଛି । ଆମେ ଟୋକନା-ବାଲ୍ଟି (ପାଣିପାତ୍ର) ଧରି ଛିଡ଼ା ହେଉ,’’ ସୁଶୀଳା ଦେବୀ କୁହନ୍ତି।।

ଖରାଦିନେ ନଳକୂଅ ଶୁଖିଗଲେ, ମହିଳାମାନେ ଫସଲରେ ଜଳସେଚନ ପାଇଁ ବ୍ୟବହୃତ ପାଣି ସଂଗ୍ରହ କରିବା ଲାଗି ଚାଷ ଜମିକୁ ଯାଆନ୍ତି । ‘‘ବେଳେବେଳେ ଗୋଟିଏ କିଲୋମିଟର ଦୂରକୁ ଯିବାକୁ ହୁଏ। ପାଣି ସଂଗ୍ରହରେ ଅନେକ ସମୟ ନଷ୍ଟ ହୁଏ,’’୪୫ ବର୍ଷୀୟା ସୁଶୀଳା ଦେବୀ କୁହନ୍ତି ।

‘‘ ଗରମୀ ବଢ଼ତା ହୈ ତୋ ହମ୍‌ ଲୋଗୋଁ କୋ ପ୍ୟାସେ ମରନେ କା ନୌବତ୍‌ ଆ ଜାତା ହୈ (ଖରାଦିନେ ଯେତେବେଳେ ତାପମାତ୍ରା ବୃଦ୍ଧି ପାଏ, ଆମେ ଶୋଷରେ ମରିଯିବା ଭଳି ସ୍ଥିତି ଦେଖାଯାଏ),’’ ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତି କରିବାକୁ ଯାଉଥିବା ବେଳେ ସେ କ୍ରୋଧର ସହିତ କହିଥା’ନ୍ତି ।

ଏକାଧିକ ସ୍ଥାନର ଘଟଣାକୁ ନେଇ ପ୍ରସ୍ତୁତ ଏହି ପରୀ କାହାଣୀ ପାଇଁ କାଶ୍ମୀରରୁ ମୁଜାମିଲ୍‌ ଭଟ , ପଶ୍ଚିମବଙ୍ଗରୁ ସ୍ମିତା ଖାଟୋର , ବିହାରରୁ ଉମେଶ କେ ରାୟ , ମହାରାଷ୍ଟ୍ରରୁ ମେଧା କାଲେ ଜ୍ୟୋତି ଶିନୋଲି ଏବଂ ଛତିଶଗଡ଼ରୁ ପୁରୁଷୋତ୍ତମ ଠାକୁର ରିପୋର୍ଟିଂ କରିଛନ୍ତି। ପରୀ ଗ୍ରାଇଣ୍ଡ ମିଲ୍‌ ସଙ୍ଗୀତ ପ୍ରକଳ୍ପ ଏବଂ ରଣ୍‌ ର ସଙ୍ଗୀତ : କଚ୍ଛି ଲୋକ ଗୀତ ଉପରେ ଜାରି ରହିଥିବା ପ୍ରକଳ୍ପରୁ ସଙ୍ଗୀତ ଅଣାଯାଇଛି ଯାହାକୁ ଯଥାକ୍ରମେ ନମିତା ୱାଇକର ଏବଂ ପ୍ରତିଷ୍ଠା ପାଣ୍ଡ୍ୟା ପ୍ରସ୍ତୁତ କରିଛନ୍ତି । ସନ୍ୱିତୀ ଆୟାର ଗ୍ରାଫିକ୍ସ ପ୍ରସ୍ତୁତ କରିଛନ୍ତି

ପ୍ରଚ୍ଛଦ ଫଟୋ : ପୁରୁଷୋତ୍ତମ ଠାକୁର

ଅନୁବାଦ: ଓଡ଼ିଶାଲାଇଭ୍‍

Editors : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Editors : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Photo Editor : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

Other stories by Binaifer Bharucha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE