ବାରାଣାସୀରେ ମତଦାନ ଦିନ ସଲମା ଦେଖିଲେ ଯେ ସେଠାରେ ଦୁଇଟି ଧାଡ଼ି ଅଛି- ଗୋଟିଏ ପୁରୁଷଙ୍କ ପାଇଁ ଓ ଅନ୍ୟଟି ମହିଳାଙ୍କ ଲାଗି। ଗୋଟିଏ ସରକାରୀ ସ୍କୁଲରେ ବଙ୍ଗାଲି ଟୋଲା ମତଦାନ କେନ୍ଦ୍ର କରାଯାଇଛି, ଯାହାକି ପ୍ରସିଦ୍ଧ ବିଶ୍ୱନାଥ ମନ୍ଦିରକୁ ଯାଇଥିବା ଏକ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ।

୨୫ ବର୍ଷ ବୟସ୍କ ଏହି କିନ୍ନର ଜଣଙ୍କ ମହିଳାଙ୍କ ଧାଡ଼ିରେ ଛିଡ଼ା ହେଲେ, କିନ୍ତୁ ସେ କୁହନ୍ତି, ‘‘ ଆଁଖେ ବଡ଼ି ହୋ ଗୟି ଥି ସବକୀ (ସମସ୍ତେ ବଡ଼ ବଡ଼ ଆଖିରେ ଚାହୁଁଥିଲେ)। ପୁରୁଷମାନେ ମୋତେ ନଦେଖିବା ଭଳି ନାଟକ କରୁଥିଲେ ଏବଂ ମୁଁ ଯେତେବେଳେ ମହିଳାଙ୍କ ଧାଡ଼ିରେ ଛିଡ଼ା ହେଲି ସେଠାରେ ଉପସ୍ଥିତ ମହିଳାମାନେ ହସିବା ସହ ପରସ୍ପର ମଧ୍ୟରେ ଟୁପୁରୁଟାପୁରୁ ହେବାକୁ ଲାଗିଲେ।

କିନ୍ତୁ ସଲମା ଏହାକୁ ଖାତିର କଲେ ନାହିଁ। ସେ କୁହନ୍ତି, ‘‘ମୁଁ ଯେମିତି ହେଉ ଗଲି, ମୋର ଭୋଟ୍‌ ଦେବାର ଅଧିକାର ରହିଛି ଏବଂ ଆଜି ଆମର ଯାହା ଦରକାର ସେହି ପରିବର୍ତ୍ତନ ଆଣିବା ଲାଗି ମୁଁ ଏହାକୁ ବ୍ୟବହାର କଲି।’’

ଭାରତର ନିର୍ବାଚନ ଆୟୋଗ (ଇସି)ଙ୍କ ତଥ୍ୟ ଅନୁଯାୟୀ ଭାରତରେ ୪୮,୦୪୪ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଏତେ ସଂଖ୍ୟକ ମତଦାତା ଥିବା ସତ୍ତ୍ୱେ ତୃତୀୟ ଲିଙ୍ଗୀଙ୍କ ପାଇଁ ଭୋଟ ପରିଚୟପତ୍ର ଟିଏ ପାଇବା ସହଜକଥା ନୁହେଁ। ଅଣ-ସରକାରୀ ସଂଗଠନ ପ୍ରିଜ୍‌ମେଟିକ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ନୀତି କୁହନ୍ତି, ବାରାଣାସୀରେ ପାଖାପାଖି ୩୦୦ ତୃତୀୟ ଲିଙ୍ଗୀ ଲୋକ ରୁହନ୍ତି ଏବଂ ସେମାନଙ୍କ ପାଇଁ ଭୋଟର୍‌ ଆଇଡି ପ୍ରସ୍ତୁତ କରିବା ଏକ ସଂଘର୍ଷପୂର୍ଣ୍ଣ କାମ। ସେ କୁହନ୍ତି, ‘‘ଆମକୁ ପାଖାପାଖି ୫୦ ତୃତୀୟ ଲିଙ୍ଗୀ ଲୋକଙ୍କ ପାଇଁ ଭୋଟ୍‌ ପରିଚୟପତ୍ର ମିଳିଯାଇଛି। କିନ୍ତୁ ନିର୍ବାଚନ ଆୟୋଗ ପ୍ରମାଣୀକରଣ କରିବା ଲାଗି ଘରକୁ ଘର ଯାଇ ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରି ଦେଇଛନ୍ତି, ଏହା ସମ୍ପ୍ରଦାୟର ଅନେକ ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି, କାରଣ ସେମାନେ ଚାହାନ୍ତି ନାହିଁ ଯେ ଲୋକମାନେ ତାଙ୍କର ଲିଙ୍ଗ ଯାଞ୍ଚ ପାଇଁ ସେମାନଙ୍କ ଘରକୁ ଆସନ୍ତୁ।’’

ଯଦିଓ ଭୋଟ୍‌ ପରିଚୟପତ୍ର ପ୍ରସ୍ତୁତ କରିବା ଲାଗି ସଲମାଙ୍କୁ କୌଣସି ବାଧାର ସାମ୍ନା କରିବାକୁ ପଡ଼ିନଥିଲା। ‘‘ମୁଁ ମୋ ପରିବାର କିମ୍ବା ଏମିତି କୌଣସି ବ୍ୟକ୍ତିଙ୍କ ସହ ରୁହେ ନାହିଁ ଯେଉଁମାନେ ମୋର ପରିଚୟ ଜାଣିନାହାନ୍ତି,’’ ସେ କୁହନ୍ତି।

PHOTO • Jigyasa Mishra

ଜୁନ୍‌ ୧, ୨୦୨୪ରେ ସଲମା ଯେତେବେଳେ ବାରାଣାସୀ ଅଞ୍ଚଳର ବଙ୍ଗାଲି ଟୋଲରେ ଥିବା ମତଦାନ କେନ୍ଦ୍ର (ବାମ)କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ, ସେ ଦେଖିଲେ ଯେ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଧାଡ଼ି ହୋଇଛି । ସଲମା ଜଣେ କିନ୍ନର ଏବଂ ଛୋଟିଆ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥା’ନ୍ତି। ହେଲେ ସେଦିନ ସେ ଦ୍ୱିତୀୟ ଧାଡ଼ିରେ ଛିଡ଼ା ହେବାରୁ କିଛି ଲୋକ ତାଙ୍କୁ ଭିନ୍ନ ଦୃଷ୍ଟିରେ ଚାହିଁଥିଲେ। ସଲମା ଏହାକୁ ଖାତିର୍‌ ନକରି ତାଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଗଲେ

ସଲମା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଯିବା ପରେ ତାଙ୍କର ଚାଲିବା ଓ କଥା ହେବାର ଶୈଳୀକୁ ଦେଖି ସହପାଠୀମାନେ ତାଙ୍କୁ ପରିହାସ କରିଥିଲେ, ଫଳରେ ସେ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେ ଏବେ ତାଙ୍କ ଭାଇ ସହ ରହୁଛନ୍ତି। ସେ ଏବେ ଛୋଟିଆ ବ୍ୟବସାୟଟିଏ କରି ବନାରସୀ ଶାଢ଼ୀ ବିକ୍ରି କରୁଛନ୍ତି ଏବଂ ଏଥିରୁ ମାସିକ ୧୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ସଲମା ସ୍ଥାନୀୟ ଦୋକାନରୁ ଶାଢ଼ି କିଣନ୍ତି ଏବଂ ସେଗୁଡ଼ିକୁ ଅନ୍ୟ ସହରରେ ଥିବା ଗ୍ରାହକମାନଙ୍କୁ ପଠେଇଥା’ନ୍ତି।

ଆଉ ଜଣେ କିନ୍ନର ଶମା ଗତ ଛଅ ବର୍ଷ ଧରି ବାରାଣାସୀ ସହରରେ ଦେହଜୀବୀ ଭାବେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ‘‘ବଲିୟା ଜିଲ୍ଲାର ଗୋଟିଏ ଗାଁରେ ମୁଁ ଜନ୍ମ ନେଇ ବଡ଼ ହୋଇଥିଲି। କିନ୍ତୁ ମୋ ଲିଙ୍ଗକୁ ନେଇ ସେଠାରେ ପରିସ୍ଥିତି ଅତି ଜଟିଳ ହୋଇପଡ଼ିଥିଲା,’’ ସେ କୁହନ୍ତି। ‘‘ପଡ଼ୋଶୀମାନେ ମୋ ବାପା ଓ ମା’ଙ୍କୁ ହଇରାଣ କରୁଥିଲେ। ସ୍ୱାଭାବିକ ହୋଇନଥିବାରୁ ମୋତେ ଓ ମୋ ମା’ଙ୍କୁ ମୋ ବାପା ଗାଳି କରୁଥିଲେ। କୌଣସି ଲିଙ୍ଗ ନଥିବା ଜଣେ ପିଲାକୁ ଜନ୍ମ ଦେଇଥିବାରୁ ସେ ମୋ ମା’କୁ ଦୋଷ ଦେଉଥିଲେ। ତେଣୁ ମୁଁ ବାରାଣାସୀ ଚାଲି ଆସିଲି, ଏ ସହର ମୋ ପାଇଁ ସବୁଠୁ ପାଖ ଥିଲା।’’ ମତଦାନ ଦିନ ସେ ଆଗୁଆ ମତଦାନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ‘‘ମୁଁ ଭିଡ଼ ଏବଂ ଲୋକମାନଙ୍କ ଖରାପ ନଜରରୁ ବର୍ତ୍ତିବାକୁ ଚାହୁଁଥିଲି,’’ ପରୀକୁ କହିଥିଲେ ଶମା।

ଏ ସହର ସବୁବେଳେ ସୁରକ୍ଷିତ ସ୍ଥାନ ନୁହେଁ, ବିଶେଷ କରି ତୃତୀୟ ଲିଙ୍ଗୀ ଲୋକଙ୍କ ପାଇଁ, ତେବେ ‘ତୃତୀୟ ଲିଙ୍ଗୀ ବ୍ୟକ୍ତି ( ଅଧିକାର ସୁରକ୍ଷା ) ଆଇନ’ ସରକାରଙ୍କୁ ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଥଇଥାନ ନିମନ୍ତେ ପଦକ୍ଷେପ ନେବାକୁ ଏବଂ ଏଭଳି ବ୍ୟକ୍ତିଙ୍କ ଆବଶ୍ୟକତା ପୂରଣ କରିବା ଲାଗି ନିର୍ଦ୍ଦେଶ ଦେଇଥାଏ। ନୀତି କୁହନ୍ତି, ପ୍ରତ୍ୟେକ ଦିନ ତାଙ୍କୁ ପାଞ୍ଚରୁ ସାତଟି ନିର୍ଯାତନା ମାମଲା ସହ ମୁକାବିଲା କରିବାକୁ ପଡ଼ିଥାଏ।

ପରୀ ଯେଉଁ କିନ୍ନରମାନଙ୍କ ସହିତ କଥା ହୋଇଥିଲା, ସେମାନେ ନିଜ ପ୍ରତି ହୋଇଥିବା ନିର୍ଯାତନା କଥା କହିଥିଲେ, ଯଥା ସଲମାଙ୍କୁ ସବୁବେଳେ ଲୋକଙ୍କ ଖରାପ ବ୍ୟବହାର ସହ ସାମ୍ନା କରିବାକୁ ପଡ଼ିଥାଏ, ସେମିତି ଆଉ ଜଣେ କିନ୍ନର ଅର୍ଚ୍ଚନା ଯେଉଁ ବ୍ୟୁଟି ପାର୍ଲରରେ କାମ କରୁଥିଲେ ସେଠାକାର ମାଲିକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଅର୍ଚ୍ଚନା ଯେତେବେଳେ ପୁଲିସ ପାଖରେ ଅଭିଯୋଗ କରିବାକୁ ଗଲେ ଥାନା ଅଧିକାରୀମାନେ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ, ବରଂ ତାଙ୍କୁ ଧମକ ଚମକ ଓ ନିର୍ଯାତନା ଦେଲେ । ସେମାନଙ୍କର ବ୍ୟବହାର ଅର୍ଚ୍ଚନାଙ୍କୁ ଆଦୌ ଚକିତ କରିନଥିଲା । ୨୦୨୪ରେ ଆଇଆଇଟି-ବିଏଚୟୁର ଜଣେ ଛାତ୍ରୀଙ୍କ ଗଣବଳାତ୍କାର ଘଟଣା ସମ୍ପର୍କରେ ଉଲ୍ଲେଖ କରି ସେ କୁହନ୍ତି, ‘‘ଯେତେବେଳେ ଜଣେ ମହିଳା ସୁରକ୍ଷିତ ନୁହନ୍ତି, କିନ୍ନରମାନେ କିଭଳି ସୁରକ୍ଷିତ ରହିପାରିବେ?’’

PHOTO • Jigyasa Mishra
PHOTO • Abhishek K. Sharma

ବାମ : ସଲମା କୁହନ୍ତି, କିନ୍ନରଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ରହିବା ଉଚିତ୍‌ । ଡାହାଣ : ନିର୍ବାଚନ ପୂର୍ବରୁ ନିଜର ଦାବି ପୂରଣ ନେଇ ବାରାଣାସୀରେ ତୃତୀୟ ଲିଙ୍ଗ ଲୋକମାନଙ୍କର ଶୋଭାଯାତ୍ରା। ସଲମା ବାମ (ବାଦାମୀ ଶାଲୱାର କମିଜ)

*****

ବହୁ ଚର୍ଚ୍ଚିତ ବାରାଣାସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଯିଏକି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଜୟ ରାୟଙ୍କଠାରୁ ଦେଢ଼ ଲକ୍ଷ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ ।

‘‘ପ୍ରଧାନମନ୍ତ୍ରୀ ଆମ ସହରରୁ ସାଂସଦ ଭାବେ ନିର୍ବାଚିତ ହେବାକୁ ୧୦ ବର୍ଷ ହୋଇଗଲାଣି, କିନ୍ତୁ ସେ କେବେ ଆମ ବିଷୟରେ ଚିନ୍ତା କରିଛନ୍ତି କି?’’ ସଲମା ପ୍ରଶ୍ନ କରିଥାନ୍ତି। ଭବିଷ୍ୟତକୁ ନେଇ ଏବେ ସେ ଚିନ୍ତିତ ଅଛନ୍ତି । ‘‘ସବୁକିଛି ଅନ୍ଧାର ଦେଖାଯାଉଛି। କିନ୍ତୁ ଆମେ ଏ ସରକାର ଉପରେ ନଜର ରଖିଛୁ,’’ ସେ କୁହନ୍ତି ।

ଶମା ଓ ଅର୍ଚ୍ଚନା ପରସ୍ପର ସହିତ ସହମତ ହୁଅନ୍ତି। ଏହି ଦୁଇ କିନ୍ନର ୨୦୧୯ରେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦେଇଥିଲେ, କିନ୍ତୁ ୨୦୨୪ରେ ସେମାନଙ୍କର ପସନ୍ଦ ବଦଳାଇ ଦେଇଥିଲେ। ଏଥର, ଶମା କୁହନ୍ତି, ‘‘ମୁଁ ପରିବର୍ତ୍ତନ ପାଇଁ ଭୋଟ୍‌ ଦେଇଛି।’’

୨୫ ବର୍ଷ ବୟସ୍କା ସ୍ନାତକ ଛାତ୍ରୀ ଅର୍ଚ୍ଚନା ଦେହଜୀବୀ ଭାବେ କାମ କରି ଗୁଜୁରାଣ ମେଣ୍ଟାଇଥା’ନ୍ତି। ସେ କୁହନ୍ତି, ‘‘ମୁଁ ମୋଦୀଙ୍କ ଭାଷଣରେ ପ୍ରଭାବିତ ହୋଇଥିଲି। ଏବେ ମୁଁ ଜାଣିଲି ଯେ ସେ କେବଳ ଗୋଟିଏ ଟେଲିପ୍ରମ୍ପଟର୍‌ରୁ ପଢ଼ୁଥିଲେ ।’’

ଆଇନରେ ପରିବର୍ତ୍ତନ ଏବଂ କାଗଜପତ୍ରରେ ସେମାନଙ୍କୁ ମିଳିଥିବା ଅଧିକାର ଗ୍ୟାରେଣ୍ଟିକୁ ନେଇ ସେମାନେ ସମାନ ଅନୁଭବ କରିଥାନ୍ତି।

PHOTO • Jigyasa Mishra

ସଲମା ଓ ପରୀ ସହ କଥା ହୋଇଥିବା ଅନ୍ୟ କିନ୍ନରମାନେ ସରକାରଙ୍କୁ ନେଇ ନିରାଶ ଅନୁଭବ କରିଥାନ୍ତି ଓ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ସଲମା କୁହନ୍ତି, ‘‘ସବୁକିଛି ଅନ୍ଧକାର ଦେଖାଯାଉଛି, କିନ୍ତୁ ଆମେ ଏ ସରକାର ଉପରେ ନଜର ରଖିଛୁ’

‘‘ଦଶ ବର୍ଷ ପୂର୍ବରୁ ସେମାନେ ଗୋଟଏ ସର୍ବନିମ୍ନ କାମ କରିଥିଲେ ଏବଂ ଆମକୁ ତୃତୀୟ ଲିଙ୍ଗୀ ଭାବେ ସ୍ୱୀକାର କରି ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ, କିନ୍ତୁ ସବୁକିଛି କେବଳ କାଗଜପତ୍ରରେ ଥିଲା,’’ ଶମା ୨୦୧୪ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଆଦେଶ ବିଷୟରେ ଉଲ୍ଲେଖ କରି କୁହନ୍ତି ଯେଉଁଥିରେ ଶୀର୍ଷ ଅଦାଲତ ‘‘ସରକାରଙ୍କ ଅନ୍ୟ ମାର୍ଗଦର୍ଶିକାରେ ଭିନ୍ନଲିଙ୍ଗୀ ବ୍ୟକ୍ତିମାନଙ୍କୁ ତୃତୀୟ ଲିଙ୍ଗୀ ଭାବେ ମାନ୍ୟତା ଦେଇଥିଲେ।’’ ଏସବୁ ଅନ୍ୟ ମାର୍ଗଦର୍ଶିକାରେ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ସଂରକ୍ଷଣ  ଏବଂ ଏହି ସମ୍ପ୍ରଦାୟ ପାଇଁ ସାମାଜିକ କଲ୍ୟାଣ ଯୋଜନା ପ୍ରସ୍ତୁତି ସମୟରେ ପଦକ୍ଷେପ ଗ୍ରହଣ କରିବା ସାମିଲ ରହିଥିଲା।

୨୦୧୯ରେ କେନ୍ଦ୍ର ସରକାର ତୃତୀୟ ଲିଙ୍ଗୀ ବ୍ୟକ୍ତି ( ସୁରକ୍ଷା ଅଧିକାର ) ଆଇନ ଗୃହୀତ କରିଥିଲେ, ଯାହା ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅଣ-ଭେଦଭାବ ନୀତି ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିଥିଲା; ଶିକ୍ଷାନୁଷ୍ଠାନରେ ନାମଲେଖା ଓ ସରକାରୀ ଚାକିରିରେ  ଏହା କୌଣସି ସଂରକ୍ଷଣ ସୁବିଧା ଦେଇନଥିଲା।

‘‘ପିଅନଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସବୁ ଚାକିରିରେ ସରକାର ଆମକୁ ସଂରକ୍ଷଣ ସୁବିଧା ଦିଅନ୍ତୁ ବୋଲି ଆମେ ଚାହୁଁ,’’ ସଲମା କୁହନ୍ତି।

(ନୀତି ଓ ସଲମାଙ୍କ ନାଁକୁ ଛାଡ଼ି ଦେଲେ କାହାଣୀରେ ଅନ୍ୟମାନଙ୍କର ଛଦ୍ମ ନାମ ବ୍ୟବହାର କରାଯାଇଛି)

ଅନୁବାଦ : ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Illustration : Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Photographs : Abhishek K. Sharma

Abhishek K. Sharma is a Varanasi-based photo and video journalist. He has worked with several national and international media outlets as a freelancer, contributing stories on social and environmental issues.

Other stories by Abhishek K. Sharma
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE