୧୦ ବର୍ଷରୁ କମ୍ ବୟସ୍କ ଏଜାଜ୍, ଇମ୍ରାନ, ୟାସିର ଓ ଶମିମା ମାତ୍ର କିଛି ବର୍ଷ ବିଦ୍ୟାଳୟକୁ ଯାଇଛନ୍ତି। ପ୍ରତିବର୍ଷ ସେମାନେ ଚାରି ମାସ କାଳ ବାପା-ମା’ଙ୍କ ସହିତ ପ୍ରବାସ କରିବା ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ବିଦ୍ୟାଳୟର ପାଠପଢ଼ାଠାରୁ ଦୂରେଇ ଯାଇଥାନ୍ତି। ମୌଳିକ ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଶିକ୍ଷା ସମେତ ଭାଷା ଜ୍ଞାନ ଓ ଲେଖା ଶୈଳୀ ଶିଖିବା ଠାରୁ ବଞ୍ଚିତ ହୁଅନ୍ତି।
ଏହି ପିଲାମାନଙ୍କୁ ୧୦ ବର୍ଷ ହେବା ବେଳକୁ ସେମାନେ ବୋଧହୁଏ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ଶ୍ରେଣୀଗୃହ ବାହାରେ ବିତାଇଥିବେ। ଭଲ ପାଠ ପଢ଼ୁଥିବା ଆଗ ଧାଡ଼ିର ପିଲାଙ୍କ ପାଇଁ ମଧ୍ୟ ଏହା ବହୁତ ବଡ଼ କ୍ଷତି, ଯାହାକୁ ଭରଣା କରିବା ସମ୍ଭବ ନୁହେଁ।
କିନ୍ତୁ ଆଉ ନୁହେଁ। ସେମାନଙ୍କ ପାଦ ସହ ପାଦ ମିଳାଇ, ବିଦ୍ୟାଳୟଠାରୁ ଦୂରେଇ ଯାଉଥିବା ସେହି ପିଲାଙ୍କ ସହିତ ପ୍ରବାସ କରୁଛନ୍ତି ଭ୍ରମଣଶୀଳ ଶିକ୍ଷକ ଅଲୀ ମହମ୍ମଦ। ଗତ ତିନି ବର୍ଷ ଧରି ୨୫ ବର୍ଷ ବୟସ୍କ ଅଲ୍ଲୀ କାଶ୍ମୀର ଲିଦ୍ଦର ଘାଟୀର ଏକ ଗୁଜ୍ଜର ବସତି ଖାଲାନକୁ ଆସିଛନ୍ତି। ଖରା ଦିନର ପରବର୍ତ୍ତୀ ଚାରି ମାସ (ଜୁନରୁ ସେପ୍ଟେମ୍ବର) ପର୍ଯ୍ୟନ୍ତ ସେ ସେଠାରେ ରହି ଗୁଜ୍ଜର ପରିବାରର ଛୋଟ ପିଲାଙ୍କୁ ପଢ଼ାଇବେ ଯେଉଁମାନେ ଖରା ଦିନିଆ ଚାରଣ ଭୂମି ସନ୍ଧାନରେ ନିଜ ପଶୁଙ୍କୁ ନେଇ ଏଠାକୁ ଆସିଛନ୍ତି।
‘‘ମୁଁ ଭାବୁଛି ମୁଁ ବି ଜଣେ ଶିକ୍ଷୟିତ୍ରୀ ହେବି,’’ ଲାଜକୁଳି ଶମିମା ଜାନ୍ କୁହନ୍ତି। ଏହା କହିବା ସହିତ ସେ ତାଙ୍କ ଆଗରେ ଖୋଲା ରହିଥିବା ସରକାର ଯୋଗାଇ ଦେଇଥିବା ପଢ଼ାଖାତାରେ ନିଜ ପାଠ କରିବାରେ ବ୍ୟସ୍ତ ହୋଇଯାଆନ୍ତି। ଦରକାର ହେଲେ ଅଲୀ ନିଜ ଖର୍ଚ୍ଚରେ ପିଲାଙ୍କୁ ଜରୁରି ପାଠପଢ଼ା ସାମଗ୍ରୀ ଯୋଗାଇ ଦେଇଥାନ୍ତି।












