ସୁକୁମାର ବିଶ୍ୱାସ ଜଣେ ସାଧାରଣ ପଇଡ଼ ବିକାଳି ନୁହଁନ୍ତି। ତୃଷାର୍ତ୍ତ ଗ୍ରାହକଙ୍କ ପାଇଁ ପଇଡ଼ କାଟିବା ବେଳେ ବି ସଙ୍ଗୀତ ପ୍ରତି ତାଙ୍କର ଅନୁରାଗ ଥମି ଯାଏ ନାହିଁ- “ମୁଁ ଖାଦ୍ୟ ବିନା ବଞ୍ଚି ପାରିବି ସତ, ହେଲେ ଗୀତ ଗାଇବା ବିନା ନୁହେଁ”। ଶାନ୍ତିପୁରର ଲଙ୍କାପାଡ଼ା ଏବଂ ଆଖପାଖ ଅଞ୍ଚଳରେ ‘ଡାବଦାଦୁ’ (ପଇଡ଼ ଜେଜେ) ନାଁରେ ସେ ସୁପରିଚିତ।
ଏହି ୭୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆପଣଙ୍କ ପାଇଁ ପଇଡ଼ କାଟି ଦିଅନ୍ତି, ସେଥିରେ ଷ୍ଟ୍ର ପୂରାଇ ହାତକୁ ବଢ଼ାଇ ଦିଅନ୍ତି, ଆଉ ଆପଣ ପିଇ ସାରିବା ପରେ, ପଇଡ଼ର ଖୋଳକୁ କାଟି, ତା ଭିତରୁ କୋମଳ ନାଳି ବାହାର କରି ଆପଣଙ୍କୁ ଦିଅନ୍ତି ଏବଂ ଏ ସବୁ କରିବା ସମୟରେ ସେ ଲୋକଗୀତ ଗାଇ ଚାଲିଥାଆନ୍ତି। ସେ ଗାଆନ୍ତି, ରହସ୍ୟବାଦୀ ଲାଲୁନ ଫକୀର, ସଙ୍ଗୀତଜ୍ଞ ଶାହ ଅବଦୁଲ କରିମ, ଭବା ଖ୍ୟାପା ଏବଂ ଅନ୍ୟମାନଙ୍କ ଦ୍ୱାରା ସଂଯୋଜିତ ଗୀତ। ସେ କହନ୍ତି ଯେ ଏହି ସବୁ ଗୀତ ଭିତରୁ ହିଁ ସେ ନିଜ ଜୀବନର ଅର୍ଥ ଖୋଜି ପାଆନ୍ତି। ‘ପରୀ’ ପାଇଁ ଏହି ସବୁ ଗୀତରୁ ଗୋଟିଏ ଉଦ୍ଧୃତ ପଦର ସଂକ୍ଷିପ୍ତ ବ୍ୟାଖ୍ୟା କରନ୍ତି ସେ: “ସତ୍ୟ କ’ଣ ବୋଲି ଜାଣିପାରିଲେ ହିଁ ଆମେ ସତ୍ୟ ନିକଟରେ ପହଞ୍ଚି ପାରିବା। ସତ୍ୟକୁ ଜାଣିବା ଲାଗି ଆମକୁ ନିଜ ମନ ଭିତରେ ସାଧୁତା ଧାରଣ କରିବାକୁ ହେବ। ଅସାଧୁତା କବଳରୁ ମୁକ୍ତି ପାଇଲେ ହିଁ ଆମେ ଅନ୍ୟମାନଙ୍କୁ ଭଲ ପାଇବାରେ ସକ୍ଷମ ହେବା।”
ତାଙ୍କ ଟୋଲି (ତିନିଚକିଆ ସାଇକେଲରେ ଲାଗିଥିବା ଡାଲା) ଚଲାଇ ସେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ସମୟରେ ବି ଗାଇ ଚାଲିଥାଆନ୍ତି। ତାଙ୍କ ଗୀତ ଶୁଣିଲେ ହିଁ ସେ ସେହି ଅଞ୍ଚଳକୁ ଆସିଗଲେ ବୋଲି ଲୋକେ ଜାଣିଯାଆନ୍ତି।
ଗ୍ରାହକମାନଙ୍କ ସହିତ ତାଙ୍କ କାରବାର ଅବ୍ୟାହତ ରଖି ସେ କହନ୍ତି, “ଏମିତି ଲୋକ ବି ଅଛନ୍ତି ଯେଉଁମାନେ ପଇଡ଼ କିଣନ୍ତି ନାହିଁ, କେବଳ ମୋ ଗୀତ ଶୁଣିବା ଲାଗି କିଛି ସମୟ ଠିଆ ହୋଇଯାଆନ୍ତି। ସେମାନଙ୍କୁ କିଣିବାକୁ ପଡ଼େ ନାହିଁ। ବେଶୀ ବିକ୍ରି ହେଉ ବୋଲି ମୁଁ ଆଶା କରେନି। ସେତିକିରେ ମୁଁ ଖୁସି।”




