ସକାଳ ୯ଟା ବାଜିଛି । ମଜାଦାର ସପ୍ତାହାନ୍ତ ଖେଳ ପାଇଁ ଯୁବ କ୍ରିକେଟର୍‌ମାନଙ୍କୁ ନେଇ ମୁମ୍ବାଇର ଆଜାଦ୍‌ ମୈଦାନ ସକ୍ରିୟ ହୋଇ ଉଠିଛି । ଖେଳ ଆଗକୁ ବଢ଼ିବା ସହିତ ଖୁସି ଓ ନିରାଶାର କୋଳାହଳ ବାରମ୍ବାର ଶୁଭୁଛି ।

ମାତ୍ର ୫୦ ମିଟର ଦୂରରେ ଆଉ ଏକ ‘ଖେଳ’ ନିରବତାର ସହିତ ଜାରି ରହିଛି ଯେଉଁଥିରେ ୫,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଦୀର୍ଘ ଦିନ ଧରି ଏକ ଖେଳ ଚାଲିଛି, ଏଥିରେ ମୂଲ୍ୟବାନ ବାଜି ଲାଗିଛି ଏବଂ ଗତ ମାସ ମୁମ୍ବାଇର ଆଜାଦ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା)- ସ୍ୱାସ୍ଥ୍ୟକର୍ମୀଙ୍କ ଏ ଆନ୍ଦୋଳନର କୌଣସି ପରିସମାପ୍ତି ଦେଖିବାକୁ ମିଳୁନାହିଁ । ଫେବୃଆରୀ ୯ ତାରିଖରେ ଆରମ୍ଭ ହୋଇଥିବା ଏହି ଧାରଣାର ପ୍ରଥମ ସପ୍ତାହରେ ୫୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ବ୍ୟସ୍ତବହୁଳ ସଡ଼କ ଆଡ଼କୁ ଚାହିଁ, ପ୍ରାୟ ୩୦ ବର୍ଷ ବୟସର ଜଣେ ଆଶା କର୍ମୀ ତଳେ ବସି ରହିଛନ୍ତି। ତାଙ୍କ ଆଖପାଖ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟିରୁ ନିଜକୁ ଲୁଚାଇ ଭୟଭୀତ ହୋଇ ଏଣେତେଣେ ଚାହୁଁଛନ୍ତି। ଯେମିତି ସେ ଶୀଘ୍ର ଶୀଘ୍ର ନିଜ ପୋଷାକ ବଦଳାଉଛନ୍ତି, ମହିଳାଙ୍କ ଏକ ଦଳ ତାଙ୍କୁ ଦୁପଟ୍ଟା (ଓଢ଼ଣି) ଏବଂ ଚାଦର ରେ ଢାଙ୍କି ଦେଉଛନ୍ତି ।

କିଛି ଘଣ୍ଟା ପରେ, ମଧ୍ୟାହ୍ନ ଭୋଜନ ସମୟ ଆସିଯାଇଛି, ଟାଣ ଖରାରେ, ଆଶା କର୍ମୀମାନେ ସେମାନଙ୍କ ସହଯୋଗୀ ରୀତା ଚାଓ୍ୱଡ଼େଙ୍କ ଆଖପାଖରେ ଏକତ୍ରିତ ହେଉଛନ୍ତି, ସମସ୍ତଙ୍କ ହାତରେ ଖାଲି ଟିଫିନ୍‌ ବାକ୍ସ, ପ୍ଲେଟ୍‌ ଏବଂ ଠିପି ରହିଛି। ସେମାନେ ଧୈର୍ଯ୍ୟପୂର୍ବକ ନିଜ ପାଳି ଆସିବାକୁ ଅପେକ୍ଷା କରି ରହିଛନ୍ତି କାରଣ ୪୭ ବର୍ଷ ବୟସ୍କା ରୀତା ନିଜ ଘରୁ ତିଆରି କରି ଆଣିଥିବା ଖାଦ୍ୟ ପରଷି ଦେଉଛନ୍ତି। ଅନ୍ୟ ୧୭ ଜଣ ଆଶା କର୍ମୀଙ୍କ ସହିତ ଠଣେ ଜିଲ୍ଲାର ତିସଗାଓଁରୁ ଦୈନିକ ଦୁଇ ଘଣ୍ଟା ଯାତ୍ରା କରି ଆଜାଦ୍‌ ମୈଦାନରେ ପହଞ୍ଚୁଥିବା ରୀତା କୁହନ୍ତି, ‘‘ଏଠାରେ ଆନ୍ଦୋଳନରତ ପ୍ରାୟ ୮୦ରୁ ୧୦୦ ଜଣ ଆଶାକର୍ମୀଙ୍କ ପାଇଁ ମୁଁ ଖାଇବା ବ୍ୟବସ୍ଥା କରିଥାଏ।’’

ଫେବୃଆରୀ ୨୦୨୪ର ଶେଷ ଭାଗରେ ପରୀ ସହ କଥା ହୋଇ ସେ ଆହୁରି କୁହନ୍ତି, ‘‘କେହି ଜଣେ ଆଶା କର୍ମୀ ଯେମିତି ଭୋକରେ ରହିବେ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ। କିନ୍ତୁ ଏବେ ଆମେ ଅସୁସ୍ଥ ହୋଇପଡ଼ୁଛୁ । ଆଉ ଆମେ ଥକି ଗଲୁଣି।’’

PHOTO • Swadesha Sharma
PHOTO • Swadesha Sharma

ହଜାର ହଜାର ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ଗତ ମାସ ମୁମ୍ବାଇର ଆଜାଦ ମୈଦାନରେ ଆନ୍ଦୋଳନ କରୁଥିଲେ। କଲ୍ୟାଣର ରୀତା ଚାୱଡ଼େ ଏବଂ ତାଙ୍କର ୧୭ ଜଣ ଆଶା କର୍ମୀ ସହଯୋଗୀ ୨୧ ଦିନ ଧରି ଦୈନିକ ମୁମ୍ବାଇର ଆଜାଦ ମୈଦାନକୁ ଆସୁଥିଲେ ଏବଂ ନିଜ କ୍ଷମତା ଅନୁଯାୟୀ ଯେତେ ସଂଖ୍ୟକ ଲୋକଙ୍କୁ ଖାଇବାକୁ ଦେଇପାରିବେ ଦେଉଥିଲେ। ୨୦୦୬ରେ ଆଶାକର୍ମୀ ଭାବେ ଯୋଗ ଦେଇଥିବା ରୀତା (ଡାହାଣ) ମହାରାଷ୍ଟ୍ର ତିସ୍ଗାଓଁରେ ୧,୫୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦିଅନ୍ତି

PHOTO • Swadesha Sharma
PHOTO • Ujwala Padalwar

ରାଜ୍ୟର ୩୬ ଜିଲ୍ଲାର ଆଶା କର୍ମୀମାନେ ଏଠାରେ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ ଏବଂ ସେମାନେ ୨୧ ଦିନ ଓ ରାତି ଏଠାରେ ବିତାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ କିଛି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ

ମାର୍ଚ୍ଚ ୧ ତାରିଖରେ ଶେଷରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ, ‘‘ ଆଶା ଚି ନିରାଶା ସରକାର କର୍ ନାର୍ ନାହି (ସରକାର ଆଶା କର୍ମୀଙ୍କୁ ନିରାଶ କରିବେ ନାହିଁ)।’’ ଫଳରେ ଦୀର୍ଘ ୨୧ ଦିନ ପରେ ଆଶା କର୍ମୀମାନେ ଘରକୁ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସେହି ଦିନର ପ୍ରାରମ୍ଭରେ ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଏହା କହିଥିଲେ।

କେବଳ ମହିଳାମାନେ ଆଶା କର୍ମୀ ଭାବେ କାମ କରନ୍ତି ଏବଂ ସେମାନେ ୭୦ରୁ ଅଧିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥା’ନ୍ତି। ତେବେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମ (ଆଇସିଡିଏସ୍‌) ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ ସେମାନଙ୍କୁ କେବଳ ‘ସ୍ୱେଚ୍ଛାସେବୀ’ ଭାବେ ବର୍ଗୀକୃତ କରାଯାଇଛି। ତେଣୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସେମାନେ ପାଉଥିବା ଅର୍ଥରାଶିକୁ ମଜୁରି କିମ୍ବା ବେତନ ନୁହେଁ ବରଂ ‘ପାରିତୋଷିକ’ ବୋଲି କୁହାଯାଏ।

ପାରିତୋଷିକ ବ୍ୟତୀତ ସେମାନେ ପିବିପି (ପ୍ରଦର୍ଶନ ଆଧାରିତ ପାଉଣା ବା ପ୍ରୋତ୍ସାହନ ରାଶି)  ହକଦାର୍‌ ହୋଇଥାନ୍ତି। ସାର୍ବଜନୀନ ଟିକାକରଣକୁ ପ୍ରୋତ୍ସାହନ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ (ଆରସିଏଚ୍‌) ସେବା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସେମାନଙ୍କର ପ୍ରଦର୍ଶନକୁ ଆଧାର କରି ଆଶା କର୍ମୀମାନେ ପ୍ରୋତ୍ସାହନ ରାଶି ପାଇଥାନ୍ତି ବୋଲି ଏନ୍‌ଆର୍‌ଏଚ୍‌ଏମ୍‌ରେ  କୁହାଯାଇଛି ।

ସ୍ପଷ୍ଟ ଭାବେ କହିବାକୁ ଗଲେ ଏହି ଅର୍ଥ ଯଥେଷ୍ଟ ନୁହେଁ । ଜଣେ ଆଶା କର୍ମୀ ରମା ମନତକର କୁହନ୍ତି, ‘‘ ବିନ୍ ପଗାରି , ଫୁଲ୍ ଅଧିକାରୀ (ଟଙ୍କା ନାହିଁ କେବଳ ଦାୟିତ୍ୱ ଅଛି)! ଆମେ ଅଧିକାରୀଙ୍କ ଭଳି କାମ କରୁ ବୋଲି ସେମାନେ ଆଶା କରନ୍ତି, କିନ୍ତୁ ଆମକୁ ଟଙ୍କା ଦେବା ପାଇଁ ରାଜି ହୁଅନ୍ତି ନାହିଁ।’’

ଗତ କିଛି ମାସ ମଧ୍ୟରେ ମିଳିଥିବା ଏକାଧିକ ସରକାରୀ ଆଶ୍ୱାସନା ଭଳି ମୁଖ୍ୟମନ୍ତ୍ରୀ ନିକଟରେ ଦେଇଥିବା ପ୍ରତିଶ୍ରୁତି ଏ କାହାଣୀ ପ୍ରକାଶିତ ହେବା ବେଳକୁ ସରକାରୀ ସଂକଳ୍ପ(ଜିଆର୍‌)ରେ ପରିବର୍ତ୍ତିତ ହୋଇନାହିଁ। ଲାଗୁଛି ଯେମିତି ଆଶା କର୍ମୀମାନଙ୍କୁ ଆଗକୁ ବଢ଼ିବା ଲାଗି କେବଳ ଫମ୍ପା ପ୍ରତିଶ୍ରୁତି ଦିଆଯାଉଛି।

ଅକ୍ଟୋବର ୨୦୨୩ରେ ବେତନ ବୃଦ୍ଧି ପାଇଁ ଦେଇଥିବା ପ୍ରଥମ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଜିଆର୍‌ ପ୍ରକାଶ କରିବା ଲାଗି ମହାରାଷ୍ଟ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଲାଗି ହଜାର ହଜାର ଆଶା କର୍ମୀ ସଂକଳ୍ପବଦ୍ଧ ରହିଛନ୍ତି।

PHOTO • Ritu Sharma
PHOTO • Ritu Sharma

ବାମ : ନାଗପୁରର ବନଶ୍ରୀ ଫୁଲବନ୍ଧେ ୧୪ ବର୍ଷ ଧରି ଆଶା କର୍ମୀ ଭାବେ କାମ କରୁଛନ୍ତି। ଡାହାଣ : ୟୱତମାଲ ଜିଲ୍ଲାର ଆଶା କର୍ମୀ ପ୍ରୀତି କର୍ମାଙ୍କର (ସବୁଠୁ ବାମ) ଏବଂ ଅନ୍ତକଳା ମୋରେ (ସବୁଠୁ ଡାହାଣରେ) କୁହନ୍ତି ସେମାନଙ୍କୁ ଡିସେମ୍ବର ୨୦୨୩ ଠାରୁ ପାରିଶ୍ରମିକ ମିଳି ନାହିଁ

ବଞ୍ଚିତ ସମୁଦାୟକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆଶା କର୍ମୀଙ୍କ ଭୂମିକାର ମୌଳିକ ଦାୟିତ୍ୱ ବୋଲି ଆଶା କର୍ମୀ ବନଶ୍ରୀ ଫୁଲବନ୍ଧେ କୁହନ୍ତି। ‘‘ନିଜ ପରିବାର ଠାରୁ ଲୋକମାନେ ଆଶାମାନଙ୍କୁ ଅଧିକ ବିଶ୍ୱାସ କରନ୍ତି! ସ୍ୱାସ୍ଥ୍ୟ ବିଭାଗ ଆମ ଉପରେ ନିର୍ଭର କରିଥାଏ। ନୂଆ ଡାକ୍ତରମାନେ ନିଯୁକ୍ତି ପାଇବା ପରେ ଆଗ ପଚାରନ୍ତି : ଆଶା କୁଆଡ଼େ ଗଲେ? ଆମକୁ ତାଙ୍କ ନମ୍ବର ମିଳିପାରିବ କି?’’

୧୪ ବର୍ଷ ହେବ ବନଶ୍ରୀ ଆଶା କର୍ମୀ ଭାବେ କାମ କରି ଆସୁଛନ୍ତି। ‘‘ମୁଁ ୧୫୦ ଟଙ୍କାରେ କାମ ଆରମ୍ଭ କରିଥିଲି.. ଏହା ବନବାସ ଭଳି ନୁହେଁ କି? ଭଗବାନ ଶ୍ରୀରାମ ୧୪ ବର୍ଷ ପରେ ଅଯୋଧ୍ୟା ଫେରିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା, ନୁହେଁ କି? ଆମକୁ ସ୍ୱାଗତ କରିବା ଦରକାର ନାହିଁ କିନ୍ତୁ ଅତି କମରେ ଆମକୁ ମାନଧନ (ପାରିତୋଷିକ) ତ’ ଦିଅନ୍ତୁ ଯାହାଦ୍ୱାରା ଆମେ ସମ୍ମାନପୂର୍ଣ୍ଣ ଓ ସଚ୍ଚୋଟତାର ସହିତ ଜୀବନ ନିର୍ବାହ କରିପାରିବୁ?’’ ସେ କୁହନ୍ତି।

ଆଉ ଏକ ଦାବି ରହିଛି : ସମସ୍ତେ ଯେମିତି ପାଉଛନ୍ତି ସେମିତି ସେମାନଙ୍କୁ ପ୍ରତି ମାସରେ ଠିକ୍‌ ସମୟରେ ବେତନ ଦୟାକରି ମିଳିପାରିବ କି? ସବୁବେଳେ ୩ ମାସ ବିଳମ୍ବରେ ଦିଆଯିବା ଉଚିତ୍‌ ହେଉ ନାହିଁ ।

‘‘ଯଦି କ୍ରମାଗତ ଭାବେ ଆମକୁ ବିଳମ୍ବିତ ପାଉଣା ମିଳିବ, ଆମେ ଚଳିବୁ କେମିତି?’’ ଆଶା କର୍ମୀ ପ୍ରୀତି କର୍ମାଙ୍କର ପଚରନ୍ତି। ସେ ଏବେ ୟୱତମାଲ ଜିଲ୍ଲା ଉପସଭାପତି (ଜିଲ୍ଲା ଉପାଧ୍ୟକ୍ଷ) ଭାବେ କାର୍ଯ୍ୟ କରୁଛନ୍ତି। ‘‘ଜଣେ ଆଶା କର୍ମୀ ସେବା ଯୋଗାଇଥାଏ କିନ୍ତୁ ନିଜ ପେଟ ପୋଷିବା ପାଇଁ କାମ କରିଥାଏ। ଯଦି ତା’କୁ ପାଉଣା ମିଳିବ ନାହିଁ, ସେ ବଞ୍ଚିବ କେମିତି?’’

ଏପରି ସେମାନଙ୍କ ବାଧ୍ୟତାମୂଳକ କର୍ମଶାଳା ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେବା ଲାଗି ଯାତ୍ରା ଭତ୍ତା ମିଳିବାରେ ମଧ୍ୟ ତିନିରୁ ପାଞ୍ଚ ମାସ ପର୍ଯ୍ୟନ୍ତ ବିଳମ୍ବ ହୋଇଥାଏ। ‘‘୨୦୨୨ ପର ଠାରୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆମକୁ ଦାୟିତ୍ୱ ଦିଆଯାଇଥିବା କାର୍ଯ୍ୟକ୍ରମ ବାବଦ ପାଉଣା ଆମକୁ ଏଯାଏ ମିଳିପାରିବ ନାହିଁ,’’ ୟୱତମାଲ କଲାମ୍ବର ଅନ୍ତକଳା ମୋରେ କୁହନ୍ତି । ସେମାନେ ଆମକୁ କୁଷ୍ଠ ରୋଗ ସର୍ବେକ୍ଷଣ ପାଇଁ ଏହାକୁ ସାରିବା ଲାଗି କହିଥିଲେ। କିନ୍ତୁ ସେମାନେ ଏଯାଏଁ ଆମକୁ ଟଙ୍କା ଦେଇନାହାନ୍ତି।’’ ପ୍ରୀତି ଆହୁରି କୁହନ୍ତି, ‘‘ଆମକୁ ଗତ ବର୍ଷର ପୋଲିଓ, ଗୋଦର ରୋଗ ( ଲିମ୍ଫାଟିକ୍‌ ଫିଲାରିଆସିସ୍‌ ) ଏବଂ ଜନ୍ତ-ନାଶକ ( କୃମି ନାଶକ ) କାର୍ଯ୍ୟକ୍ରମ ବାବଦ ଟଙ୍କା ମିଳିନାହିଁ।’’

*****

ରୀତା ୨୦୦୬ରେ ୫୦୦ ଟଙ୍କା ବେତନରେ ଆଶା କର୍ମୀ ଭାବେ ଯୋଗ ଦେଇଥିଲେ। ‘‘ଏବେ ମୋତେ ମାସିକ ୬,୨୦୦ ଟଙ୍କା ପାରିଶ୍ରମିକ ମିଳୁଛି ସେଥିମଧ୍ୟରୁ କେନ୍ଦ୍ର ସରକାର ୩,୦୦୦ ଟଙ୍କା ଦେଉଛନ୍ତି ଏବଂ ଅବଶିଷ୍ଟ ପାଉଣା ମହାନଗର ନିଗମ ଠାରୁ ମିଳୁଛି।’’

୨ ନଭେମ୍ବର, ୨୦୨୩ରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ତାନାଜୀରାଓ ସାୱନ୍ତ ଘୋଷଣା କରିଥିଲେ ଯେ ମହାରାଷ୍ଟ୍ରରେ ଥିବା ୮୦ ହଜାର ଆଶା କର୍ମୀ ଏବଂ ୩,୬୬୪ ଗଟ ପ୍ରବର୍ତ୍ତକ (ଗୋଷ୍ଠୀ ପ୍ରୋତ୍ସାହନକାରୀ)ଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଦୀପାବଳି ବୋନସ୍‌ ସହିତ ଯଥାକ୍ରମେ ୭,୦୦୦ ଏବଂ ୬,୨୦୦ ଟଙ୍କାର ବର୍ଦ୍ଧିତ ପାରିଶ୍ରମିକ ମିଳିବ।

PHOTO • Courtesy: Rita Chawre
PHOTO • Swadesha Sharma

ମହାମାରୀ ସମୟରେ, ଆଶା କର୍ମୀମାନେ ଜରୁରିକାଳୀନ ଚିକିତ୍ସାର ଛାମୁଆଁ କର୍ମୀ ଥିଲେ। ସେମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ପ୍ରଶଂସା କରାଯାଇଥିଲେ ସୁଦ୍ଧା, ବଦଲାପୁରର ଜଣେ ଆଶା କର୍ମୀ ମମତା (ଡାହାଣରେ ବସିଥିବା) କୁହନ୍ତି ସେମାନଙ୍କୁ ଅତି କମ୍‌ ସୁରକ୍ଷା ଉପକରଣ ମିଳିଥିଲା

PHOTO • Courtesy: Ujwala Padalwar
PHOTO • Swadesha Sharma

ବାମ : ଉଜ୍ଜ୍ୱଳା ପଡଲୱାର୍‌ (ନୀଳ), ଅନ୍ୟତମ ଆନ୍ଦୋଳନ ଆୟୋଜକ କୁହନ୍ତି ଯେ ଯଦିଓ ଆନ୍ଦୋଳନର ପ୍ରଥମ ସପ୍ତାହରେ ୫୦ରୁ ଅଧିକ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା, ଅନେକ ଡାକ୍ତରଖାନାରୁ ଛାଡ଼ ପାଇବା ପରେ ଆନ୍ଦୋଳନ ଜାରି ରଖିବାକୁ ଆଜାଦ ମୈଦାନକୁ ଫେରି ଯାଇଥିଲେ। ଡାହାଣ : ଦିନ ରାତି ଆନ୍ଦୋଳନ ଜାରି ରଖିବା ପରେ, ସେମାନଙ୍କୁ ନିରାଶ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ଆଶା କର୍ମୀମାନେ ଶେଷରେ ମାର୍ଚ୍ଚ ୧, ୨୦୨୪ରେ ଘରକୁ ଫେରିଥିଲେ

ତୀବ୍ର ଅସନ୍ତୋଷ ପ୍ରକାଶ କରି ମମତା କୁହନ୍ତି, ‘‘ ଦିୱାଲି ହୌନାତା ହୋଲି ଆଲି (ଦୀପାବଳି ଯାଇ ଏବେ ହୋଲି ଆସି ପହଞ୍ଚିଲାଣି) କିନ୍ତୁ ଆମ ହାତରେ କିଛି ନାହିଁ।’’ ସେ ଆହୁରି କୁହନ୍ତି, ‘‘୭,୦୦୦ କିମ୍ବା ୧୦,୦୦୦ ଟଙ୍କା ବୃଦ୍ଧି ପାଇଁ ଦାବି କରୁନାହୁଁ। ଅକ୍ଟୋବରରେ କରିଥିବା ପ୍ରଥମ ଆନ୍ଦୋଳନରେ ଆମେ ଅତିରିକ୍ତ ଅନଲାଇନ କାମର ବିରୋଧ କରିଥିଲୁ।  ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମଏମଭିୱାଇ)ରେ ଆମକୁ ଦୈନିକ ୧୦୦ ଜଣ ଗ୍ରାମବାସୀଙ୍କ ପଞ୍ଜୀକରଣ କରିବାକୁ କୁହାଯାଇଥିଲା।’’

ସରକାରୀ ୱେବସାଇଟ୍‌ ଅନୁଯାୟୀ ଏହି ଯୋଜନାରେ, ‘‘ଗର୍ଭାବସ୍ଥା ସମୟରେ ମଜୁରି ହାନିର ଆଂଶିକ କ୍ଷତିପୂରଣ ବାବଦରେ ନଗଦ ପ୍ରୋତ୍ସାହନ ରାଶି ଦିଆଯାଇଥାଏ।’’ ସେହିପରି ୟୁ-ୱିନ୍‌ ଆପ୍‌ରେ ଗର୍ଭବତୀ ମା’ ଓ ଶିଶୁଙ୍କ ଟିକାକରଣ ରେକର୍ଡ ରଖିବା ଲାଗି ସେମାନଙ୍କୁ ଟାର୍ଗେଟ ଦିଆଯାଇଥିଲା।

ଫେବୃଆରୀ ୨୦୨୪ ଆରମ୍ଭରେ ୧୦,୦୦୦ ଆଶା କର୍ମୀ ଶାହାପୁରରୁ ୫୨ କିଲୋମିଟର ଦୂର ପଦଯାତ୍ରା କରି ଠାଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ‘‘ ଚାଲୁନ୍ ଆଲଏ , ଟାଙ୍ଗଡ଼ି ଆତୁତ୍ ଲ୍ୟା (କେବଳ ପାଦରେ ଚାଲି ଚାଲି ଆମ ଗୋଡ଼ ଥକି ଯାଇଥିଲା)। ଆମେ ଠାଣେର ରାସ୍ତା କଡ଼ରେ ସାରା ରାତି ବିତାଇ ଥିଲୁ।

ମାସ ମାସ ଧରି ଆନ୍ଦୋଳନ କରିବାର କୁପ୍ରଭାବ ସେମାନଙ୍କ ଉପରେ ପଡ଼ୁଛି । ‘‘ଆରମ୍ଭରୁ ଆଜାଦ ମୈଦାନରେ ୫,୦୦୦ରୁ ଅଧିକ ଆଶା କର୍ମୀ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଗର୍ଭବତୀ ଏବଂ ଆଉ କିଛି ନିଜ ନବଜାତଙ୍କୁ ନେଇ ଆସିଥିଲେ। ଏଠାରେ ଖୋଲା ଆକାଶ ତଳେ ରହିବା କଷ୍ଟକର ହୋଇପଡ଼ୁଥିଲା। ସେଥିପାଇଁ ଆମେ ସେମାନଙ୍କୁ ଘରକୁ ଯିବା ପାଇଁ ଅନୁରୋଧ କରିଥିଲୁ,’’ ଉଜ୍ଜ୍ୱଳା ପଡ଼ଲୱାର କୁହନ୍ତି। ସେ ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିଅନ୍‌ (ସିଟୁ)ର ରାଜ୍ୟ ସମ୍ପାଦକ ଏବଂ ଆନ୍ଦୋଳନର ଅନ୍ୟତମ ଆୟୋଜକ ଥିଲେ। ସେ କହିଥିଲେ, ଅନେକ ମହିଳାଙ୍କ ଠାରେ ଛାତି ଓ ପେଟ ଯନ୍ତ୍ରଣା ହୋଇଥିଲା। ଆଉ କିଛି ମୁଣ୍ଡବ୍ୟଥା ଓ ଜଳୀୟ ଅଂଶ ଅଭାବ ସମସ୍ୟାରେ ପଡ଼ିଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆଶା କର୍ମୀମାନେ ଡାକ୍ତରଖାନାରୁ ଛାଡ଼ ପାଇବା ପରେ ପୁଣିଥରେ ପଡ଼ିଆକୁ ଚାଲି ଆସିଥିଲେ ଏବଂ ଏକ ସ୍ୱରରେ କହିଥିଲେ : ‘‘ ଆତା ଆମଚା ଏକଚ୍ ନାରା , ଜିଆର୍ କାଢ଼ା ! (ଆମର କେବଳ ଗୋଟିଏ ଦାବି! ତୁରନ୍ତ ଜିଆର୍‌ ଜାରି କର)

*****

PHOTO • Swadesha Sharma

ଅକ୍ଟୋବର ୨୦୨୩ରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦୀପାବଳି ବୋନସ୍ ଘୋଷଣା କରିଥି ଲେ। ମମତା କୁହନ୍ତି, ‘ଦୀପାବଳି ଯାଇ ହୋଲି ଆସିଲାଣି କିନ୍ତୁ ଆମକୁ କିଛି ମିଳି ନାହିଁ’

କାଗଜପତ୍ରରେ ଦେଖିଲେ, ଆଶା କର୍ମୀଙ୍କ ଭୂମିକା ହେଉଛି ସମସ୍ତଙ୍କ ପାଖରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା। କିନ୍ତୁ ଅନେକ ବର୍ଷ ଧରି ଜନସମୁଦାୟର ସେବା କରିବା ସତ୍ତ୍ୱେ, ସେମାନେ ପ୍ରାୟତଃ ଏହାଠାରୁ ଆଗକୁ ଚାଲି ଯାଆନ୍ତି। ଆଶା କର୍ମୀ ମମତାଙ୍କ କଥା ଦେଖନ୍ତୁ, ସେ ସେପ୍ଟେମ୍ବର ୨୦୨୩ରେ ବଦଲାପୁରର ସୋନିବଲି ଗାଁରେ ଜଣେ ଗର୍ଭବତୀ ଆଦିବାସୀ ମହିଳାଙ୍କୁ ଘରେ ପ୍ରସବ ପରିବର୍ତ୍ତେ ଡାକ୍ତରଖାନାରେ ପ୍ରସବ କରାଇବା ଲାଗି ରାଜି କରାଇବାରେ ସଫଳ ହୋଇଥିଲେ।

ସେହି କଥା ମନେ ପକାଇ ସେ କୁହନ୍ତି : ‘‘ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କ ସହିତ ଯିବାକୁ ମନା କରି ଦେଇଥିଲେ ଏବଂ ସ୍ପଷ୍ଟ ଭାବେ କହିଥିଲେ, ‘ଯଦି ମୋ ସ୍ତ୍ରୀର କିଛି ହୁଏ ତା’ହେଲେ ତୁମେ ଦାୟୀ ରହିବ’।’’ ଗର୍ଭବତୀ ମା’ର ପ୍ରସବ ବେଦନା ଆରମ୍ଭ ହେବା ପରେ, ‘‘ମୁଁ ତାଙ୍କୁ ବଦଲାପୁରରୁ ଉଲ୍‌ହାସ୍‌ନଗର ଏକାକୀ ନେଇ ଯାଇଥିଲି,’’ ମମତା କୁହନ୍ତି। ପ୍ରସବ ହେଲା କିନ୍ତୁ ମା’ ବଞ୍ଚି ପାରିଲା ନାହିଁ। ପିଲାଟି ଗର୍ଭରେ ହିଁ ପ୍ରାଣ ହରାଇଥିଲା।

ମମତା କୁହନ୍ତି, ‘‘ମୁଁ ଜଣେ ବିଧବା, ମୋ ପୁଅ ସେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲା। ସକାଳ ୬ଟାରେ ମୁଁ ଘର ଛାଡ଼ିଥିଲି ଏବଂ ସେହି ମା’ ରାତି ପ୍ରାୟ ୮ଟା ବେଳେ ପ୍ରାଣ ହରାଇଥିଲା। ମୋତେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଡାକ୍ତରଖାନା ବାରଣ୍ଡାରେ ଅପେକ୍ଷା କରିବାକୁ କୁହାଗଲା। ପଞ୍ଚନାମା (ଶବ ବ୍ୟବଚ୍ଛେଦ) ପରେ ସେମାନେ କହିଲେ, ‘ଆଶା ତାଇ ଆପଣ ଏବେ ଯାଇପାରିବେ’। ଦେଢ଼ ୱଜତା ମୀ ଏକତେ ଯାଉ ? (ରାତି ଦେଢ଼ଟାରେ ମୁଁ ଏକାକୀ ଘରକୁ ଯିବି)?’’

ପରଦିନ ସେ ଯେତେବେଳେ ରେକର୍ଡ ସଂଶୋଧନ କରିବା ପାଇଁ ଗାଁକୁ ଗଲେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ସମେତ କିଛି ଲୋକ ତାଙ୍କୁ ଦୁର୍ବ୍ୟବହାର କଲେ ଏବଂ ମୃତ୍ୟୁ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ। ଗୋଟିଏ ମାସ ପରେ, ମମତାଙ୍କୁ ଜିଲ୍ଲା ସମିତି ପଚରାଉଚରା କରିବାକୁ ଡାକିଲା। ‘‘ସେମାନେ ମୋତେ ପଚାରିଲେ, ‘ମା’ର ମୃତ୍ୟୁ କେମିତି ହେଲା ଏବଂ ଆଶା ତାଇ କି ଭୁଲ କରିଥିଲେ?’ ଶେଷରେ ଯଦି ସବୁ ଦୋଷ ଆମ ମୁଣ୍ଡ ଉପରେ ଲଦାଯିବ ତା’ହେଲେ ଆମ ମାନଧନ ବଢ଼ାଇବ ନାହିଁ କାହିଁକି?’’ ସେ ପଚାରନ୍ତି।

ମହାମାରୀ ସମୟରେ, ସରକାର ଆଶା କର୍ମୀଙ୍କୁ ପ୍ରଶଂସା କରିଥିଲେ ଏବଂ ରାଜ୍ୟର ଉପାନ୍ତ ଗ୍ରାମରେ ଥିବା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ଔଷଧ ବିତରଣ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେମାନଙ୍କୁ ‘‘କରୋନା ଯୋଦ୍ଧା’’ ବୋଲି ଅଭିହିତ କରିଥିଲେ। ତେବେ, ଭୂତାଣୁ ଠାରୁ ସୁରକ୍ଷିତ ରହିବା ଲାଗି ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ପ୍ରାୟତଃ ମିଳୁନଥିଲା।

PHOTO • Swadesha Sharma
PHOTO • Swadesha Sharma

କାଗଜପତ୍ରରେ ଆଶା କର୍ମୀଙ୍କ କାମ ହେଉଛି ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା। କିନ୍ତୁ ଅନେକ ବର୍ଷ ଧରି ଜନସମୁଦାୟର ସେବା କରିବା ସତ୍ତ୍ୱେ, ସେମାନଙ୍କୁ ବାରମ୍ବାର ଅବହେଳା କରାଯାଇ ଆସିଛି। ମନ୍ଦା ଖତାନ (ବାମ) ଏବଂ ଶ୍ରଦ୍ଧା ଘୋଗଲେ (ଡାହାଣ) ୨୦୧୦ରେ ଆଶା କର୍ମୀମାନେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ସେମାନେ କଲ୍ୟାଣ, ମହାରାଷ୍ଟ୍ରରରେ ପ୍ରାୟ ୧,୫୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି

କଲ୍ୟାଣର ନନ୍ଦିୱଲି ଗାଁଓର ଆଶା କର୍ମୀ ମନ୍ଦା ଖତାନ ଓ ଶ୍ରଦ୍ଧା ଘୋଗଲେ ନିଜ ମହାମାରୀ ସମୟର ଅନୁଭୂତି ପ୍ରକାଶ କରି କୁହନ୍ତି, ‘‘ଥରେ, ସନ୍ତାନ ପ୍ରସବ କରିବା ପରେ ଜଣେ ପ୍ରସୂତୀ ମହିଳା କୋଭିଡ୍‌ ସଂକ୍ରମିତ ଥିବା ଜଣାପଡ଼ିଲା। ଭୂତାଣୁରେ ସଂକ୍ରମିତ ହେବା କଥା ଶୁଣିବା ପରେ ସେ ଭୟଭୀତ ହୋଇପଡ଼ିଲେ ଏବଂ ନବଜାତ ଶିଶୁକୁ ଧରି ଡାକ୍ତରଖାନାରୁ ଦୌଡ଼ି ପଳାଇଲେ।’’

‘‘ସେ ଭାବିଥିଲେ ସେ ଓ ତାଙ୍କ ଛୁଆକୁ ଧରି ମାରି ଦିଆଯିବ,’’ ଶ୍ରଦ୍ଧା କୁହନ୍ତି। ଭୂତାଣୁକୁ ନେଇ ଏତେ ଭୟ ଏବଂ ଭ୍ରାନ୍ତ ଧାରଣା ରହିଥିଲା।

‘‘ସେ ତାଙ୍କ ଘରେ ଲୁଚି ରହିଥିବା କେହି ଜଣେ ଆମକୁ କହିଥିଲେ। ଆମେ ତୁରନ୍ତ ଯାଇ ତାଙ୍କ ଘରେ ପହଞ୍ଚିଲୁ କିନ୍ତୁ ସେ ଭିତରୁ କବାଟ କିଳି ଦେଇଥିଲେ,’’ ମନ୍ଦା କୁହନ୍ତି। ସମ୍ପୃକ୍ତ ମହିଳା ଜଣଙ୍କ କିଛି ଭୁଲ ପଦକ୍ଷେପ ଗ୍ରହଣ କରିବେ ବୋଲି ଚିନ୍ତା କରି, ସେମାନେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ତାଙ୍କ ଘର ବାହାରେ ଛିଡ଼ା ହୋଇ ରହିଲେ। ‘‘ଆମେ ତାଙ୍କୁ ପଚାରିଲୁ, ‘ତୁମେ ତୁମ ପୁଅକୁ ଭଲ ପାଅ କି ନାହିଁ?’ ଆମେ ତାଙ୍କୁ ପରାମର୍ଶ ଦେଇ କହିଲୁ, ଯଦି ସେ ନିଜ ପିଲାକୁ ନିଜ ପାଖରେ ରଖିବେ ତା’ହେଲେ ପିଲାଟି ସଂକ୍ରମିତ ହୋଇଯିବ ଏବଂ ତା’ର ଜୀବନ ବିପଦରେ ପଡ଼ିବ।’’

ତିନି ଘଣ୍ଟା ଧରି ବୁଝାଇବା ପରେ ମା’ କବାଟ ଖୋଲିଲେ। ‘‘ଆମ୍ବୁଲାନ୍ସ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା। ଅନ୍ୟ କେହି ଚିକିତ୍ସା ଅଧିକାରୀ କିମ୍ବା ଗ୍ରାମ ସେବକ ନଥିଲେ, କେବଳ ଆମେ ଦୁଇ ଜଣ ଥିଲୁ।’’ ଲୁହ ଭିଜା ଆଖିରେ ମନ୍ଦା କୁହନ୍ତି, ‘‘ଯିବା ପୂର୍ବରୁ ସେ ମା’ ମୋ ହାତରେ ପିଲାକୁ ଧରାଇ ଦେଇ କହିଲେ, ‘ତୁମକୁ ବିଶ୍ୱାସ କରୁଥିବାରୁ ମୁଁ ମୋ ପିଲାକୁ ତୁମକୁ ଦେଇ ଯାଉଛି। ଦୟାକରି ମୋ ପିଲାର ଯତ୍ନ ନେବ।’ ପରବର୍ତ୍ତୀ ଆଠ ଦିନ ପର୍ଯ୍ୟନ୍ତ, ଆମେ ଦୈନିକ ତାଙ୍କ ଘରକୁ ଯାଇ ପିଲାକୁ ବୋତଲ କ୍ଷୀର ପିଆଉଥିଲୁ। ଆମେ ଭିଡିଓ କଲ କରି ସେହି ପିଲାକୁ ତା’ର ମା’କୁ ଦେଖାଉଥିଲୁ। ବର୍ତ୍ତମାନ ସୁଦ୍ଧା ସେ ମା’ ଆମକୁ ଫୋନ କରି ଧନ୍ୟବାଦ ଦେଇଥାଏ।

ମନ୍ଦା କୁହନ୍ତି, ‘‘ଗୋଟିଏ ବର୍ଷ ଧରି ଆମେ ନିଜ ପିଲା ଠାରୁ ନିଜକୁ ଦୂରେଇ ରଖିଥିଲୁ। କିନ୍ତୁ ଆମେ ଅନ୍ୟମାନଙ୍କ ପିଲାର ଜୀବନ ବଞ୍ଚାଇଥିଲୁ।’’ ସେତେବେଳେ ତାଙ୍କ ପିଲା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଶ୍ରଦ୍ଧାଙ୍କ ଶିଶୁକୁ ଅତିବେଶୀରେ ୫ ବର୍ଷ ହୋଇଥିଲା।

PHOTO • Cortesy: Shraddha Ghogale
PHOTO • Courtesy: Rita Chawre

ବାମ : ଆଶା କର୍ମୀ ଶ୍ରଦ୍ଧାଙ୍କୁ ଲକଡାଉନ ସମୟରେ କୋଭିଡ ରୋଗୀଙ୍କ ସହିତ କଥାବାର୍ତ୍ତା ହେବାକୁ ପଡ଼ିଥିଲା। ସେ କୁହନ୍ତି, ତାଙ୍କୁ ନିଜର ୫ ବର୍ଷ ପିଲା ଓ ପରିବାର ଲୋକଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିଥିଲା। ଡାହାଣ : ସୁରକ୍ଷା ପୋଷାକ ଏବଂ ମାସ୍କ ଅଭାବ ଥିବା କାରଣରୁ ରୀତା (ସବୁଠୁ ବାମ) ନିଜ ମୁହଁରେ ଦୁପଟ୍ଟା (ଓଢ଼ଣି) ଘୋଡ଼େଇ ଭୂତାଣୁ ଠାରୁ ନିଜକୁ ସୁରକ୍ଷିତ ରଖୁଥିଲେ

ଶ୍ରଦ୍ଧା ସେହି ଘଟଣା କଥା ମନେ ପକାଇ କୁହନ୍ତି ଯେତେବେଳେ ତାଙ୍କ ଗାଁରେ ଲୋକମାନେ କବାଟ ବନ୍ଦ କରି ଦେଉଥିଲେ। ‘‘ସେମାନେ ଆମକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍‌ରେ ଦେଖି ଆମେ ସେମାନଙ୍କୁ ଧରିବାକୁ ଆସୁଥିବା ଭାବି ଲୁଚି ଯାଉଥିଲେ।’’ କେବଳ ସେତିକି ନୁହେଁ, ‘‘ଆମେ ସାରା ଦିନ ସେହି କିଟ୍‌ ପିନ୍ଧି ରହୁଥିଲୁ। ବେଳେବେଳେ ଆମକୁ ଗୋଟିଏ ଦିନରେ ଚାରିଟି କିଟ୍‌ ବଦଳାଇବାକୁ ପଡ଼ୁଥିଲା। ଘଣ୍ଟା ଘଣ୍ଟା ଧରି ସେଗୁଡ଼ିକୁ ପିନ୍ଧିବା କାରଣରୁ ଆମର ମୁଖମଣ୍ଡଳ କଳା ପଡ଼ି ଯାଉଥିଲା। ଟାଣ ଖରାରେ ସେଗୁଡ଼ିକୁ ପିନ୍ଧି ଆମେ ଚାଲୁଥିଲୁ। ଆମର ଦେହହାତ କୁଣ୍ଡେଇ ହେଉଥିଲା ଏବଂ ପୋଡ଼ାଜଳା ହେଉଥିଲା।’’

ମନ୍ଦା ମଝିରେ ତାଙ୍କୁ ଅଟକାଇ କୁହନ୍ତି, ‘‘କିନ୍ତୁ ପିପିଇ ଓ ମାସ୍କ ବହୁତ ପରେ ଆସିଲା। ଅଧିକାଂଶ ମହାମାରୀ ସମୟରେ, ଆମେ ପଲ୍ଲୁ (କାନି) ଓ ଦୁପଟ୍ଟା (ଓଢ଼ଣି)ରେ ମୁହଁ ଘୋଡ଼ାଉଥିଲୁ।’’

‘‘ତା’ହେଲେ ମହାମାରୀ ସମୟରେ ଆମ ଜୀବନର କ’ଣ କୌଣସି ମୂଲ୍ୟ ନଥିଲା?’’ ମମତା ପଚାରନ୍ତି। ସେ ଆହୁରି କୁହନ୍ତି, ‘‘କରୋନା ମୁକାବିଲା କରିବା ଲାଗି ଆପଣମାନେ ଆମକୁ କିଛି ଭିନ୍ନ କୱଚ୍ (ସୁରକ୍ଷା ଢାଲ) ଦେଇଥିଲେ କି? ମହାମାରୀ ସମୟରେ ଆପଣମାନେ (ସରକାର) ଆମକୁ କିଛି ଦେଇନଥିଲେ। ଆମ ଆଶା ତାଇ ମାନଙ୍କୁ ଯେତେବେଳେ କରୋନା ହେଲା, ସେମାନେ ଅନ୍ୟ ରୋଗୀଙ୍କ ଭଳି ସମାନ ଦୁର୍ଭାଗ୍ୟର ଶିକାର ହେଲେ। ଏପରିକି ଯେତେବେଳେ ଟିକା ପରୀକ୍ଷଣ ପର୍ଯ୍ୟାୟରେ ଥିଲା, ସେତେବେଳେ ଆଶାମାନେ ସ୍ୱେଚ୍ଛାସେବୀ ଭାବେ ଆଗେଇ ଆସିବାରେ ପ୍ରଥମ ମହିଳା ଥିଲେ।’’

ଜୀବନର ଗୋଟିଏ ସମୟରେ, ବନଶ୍ରୀ ଫୁଲବନ୍ଧେ ଆଶା କର୍ମୀ ପଦ ଛାଡ଼ିବା ପାଇଁ ପ୍ରାୟ ନିଷ୍ପତ୍ତି କରି ନେଇଥିଲେ। ସେ କୁହନ୍ତି, ‘‘ଏହାଦ୍ୱାରା ମୋ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ଆରମ୍ଭ କରିଥିଲା।’’ ୪୨ ବର୍ଷୀୟା ଏହି ଆଶା କର୍ମୀ ନାଗପୁର ଜିଲ୍ଲାର ବଡ଼ୋଦା ଗାଁରେ ୧,୫୦୦ରୁ ଅଧିକ ଲୋକଙ୍କ ଯତ୍ନ ନେଇଥା’ନ୍ତି। ‘‘ମୋର ମନେ ଅଛି ଯେ ଥରେ କିଡନୀ ପଥର ପାଇଁ ମୋତେ ଅଧିକ ଯନ୍ତ୍ରଣା ହେଉଥିଲା। ମୁଁ ମୋ ଅଣ୍ଟାରେ କପଡ଼ା ବାନ୍ଧିଥିଲି ଏବଂ ସବୁ କାମ ଜାରି ରଖିଥିଲି।’’

ଜଣେ ରୋଗୀ ଓ ତାଙ୍କ ସ୍ୱାମୀ ବନଶ୍ରୀଙ୍କ ଘରକୁ ଆସିଲେ, ‘‘ସେ ପ୍ରଥମ ଥର ମା’ ହୋଇଥିଲେ। ସେମାନେ ଭୟଭୀତ ଥିଲେ। ମୁଁ ସେମାନଙ୍କୁ ବୁଝାଇଲି ଯେ ମୁଁ କୌଣସି କାର୍ଯ୍ୟ କରିବା ସ୍ଥିତିରେ ନାହିଁ କିନ୍ତୁ ସେମାନେ ବାଧ୍ୟ କରି କହିଲେ ଯେ ପିଲା ଜନ୍ମ ସମୟରେ ମୁଁ ଯେମିତି ଉପସ୍ଥିତି ରହିବି। ‘ନା’ କହିବା ସମ୍ଭବ ନଥିଲା ସେଥିପାଇଁ ମୁଁ ସେମାନଙ୍କ ସହିତ ଗଲି। ମୁଁ ତାଙ୍କ ପିଲା ଜନ୍ମ ପର୍ଯ୍ୟନ୍ତ ଦୁଇ ଦିନ ଧରି ଡାକ୍ତରଖାନାରେ ରହିଲି। ସେମାନଙ୍କର ସମ୍ପର୍କୀୟମାନେ ମୋ ଅଣ୍ଟାରେ କପଡ଼ା ଗୁଡ଼ା ହୋଇଥିବା ଦେଖୁଥିଲେ ଏବଂ ଥଟ୍ଟା କରି କହୁଥିଲେ, ‘‘ରୋଗୀଙ୍କର ପ୍ରସବ ହେବ ନା ଆପଣଙ୍କର!’’

PHOTO • Ritu Sharma
PHOTO • Ritu Sharma

ମୁମ୍ବାଇରେ ହେଉଥିବା ଆନ୍ଦୋଳନରେ ଯୋଗ ଦେବା ପାଇଁ ବନଶ୍ରୀ (ଚଷମା ପିନ୍ଧିଥିବା) ଏବଂ ପୂର୍ଣ୍ଣିମା (ବାମ) ୭ ଫେବୃଆରୀ, ୨୦୨୪ରେ ନାଗପୁରରେ ଥିବା ସେମାନଙ୍କ ଗାଁରୁ ଆସିଥିଲେ

ସେ ଲକଡାଉନ ସମୟରେ ନିଜ ଦିନଚର୍ଯ୍ୟା ବିଷୟରେ ମନେ ପକାଇ କୁହନ୍ତି, ଯେତେବେଳେ ସେ ଆଶା କର୍ମୀ ଭାବେ ନିଜର କର୍ତ୍ତବ୍ୟ ପୂରଣ କରୁଥିଲେ ଏବଂ ସଙ୍ଗରୋଧରେ ଥିବା ରୋଗୀଙ୍କୁ ଖାଦ୍ୟ ବିତରଣ କରୁଥିଲେ। ‘‘ଶେଷରେ ମୋ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଲା। ଅନେକ ଦିନ ପର୍ଯ୍ୟନ୍ତ ମୋର ଉଚ୍ଚ ରକ୍ତଚାପ ଅଧିକ ରହିଲା ଏବଂ ମୁଁ ଭାବିଲି ଯେ ବୋଧହୁଏ ମୋତେ ଏହି କାମ ଛାଡ଼ି ଦେବାକୁ ହେବ।’’ କିନ୍ତୁ ବନଶ୍ରୀଙ୍କ ଖୁଡ଼ି ତାଙ୍କୁ ମନେ ପକାଇ ଦେଇ କହିଥିଲେ ଯେ ‘‘ମୁଁ ଯେଉଁ କାମ କରୁଛି ତାହା ପୁଣ୍ୟ(ଭଲ କାମ)। ସେ କହିଥିଲେ ଯେ ଦୁଇ ଜଣଙ୍କ ଜୀବନ (ମା’ ଓ ଶିଶୁ) ମୋ ଉପରେ ନିର୍ଭରଶୀଳ। ମୁଁ କେବେ ହେଲେ ଏ ଚାକିରି ଛାଡ଼ିବା ଉଚିତ୍‌ ନୁହେଁ।’’

ଆମକୁ ଏ କାହାଣୀ କହିବା ସମୟରେ ବନଶ୍ରୀ ବାରମ୍ବାର ନିଜ ଫୋନକୁ ଦେଖୁଥାଆନ୍ତି। ସେ କୁହନ୍ତି, ‘‘ଘରକୁ କେବେ ଫେରିବି ବୋଲି ମୋ ପରିବାର ମୋତେ ପଚାରି ଚାଲିଛି। ମୁଁ ଏଠାକୁ ୫,୦୦୦ ଟଙ୍କା ନେଇ ଆସିଥିଲି। ଏବେ ମାତ୍ର ୨୦୦ ଟଙ୍କା ଅଛି।’’ ଡିସେମ୍ବର ୨୦୧୩ ପରଠାରୁ ତାଙ୍କୁ ମାସିକ ପାରିତୋଷିକ ମିଳିନାହିଁ।

ନାଗପୁରର ପାଣ୍ଢୁର୍‌ନା ଗ୍ରାମର ଜଣେ ଆଶା କର୍ମୀ ହେଉଛନ୍ତି ପୂର୍ଣ୍ଣିମା ୱାଶେ । ‘‘ଗୋଟିଏ ଆମ୍ବୁଲାନ୍ସରେ ମୁଁ ଜଣେ ଏଚ୍‌ଆଇଭି ସଂକ୍ରମିତ ମା’ର ସନ୍ତାନ ପ୍ରସବ କରାଇଥିଲି। ସେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଡାକ୍ତରଖାନାରେ ଯେତେବେଳେ ଲୋକମାନେ ଜାଣିଲେ, ସେମାନେ ଏହାକୁ ଏକ ବଡ଼ ଘଟଣା ଭାବେ ଦେଖିଲେ। ମୁଁ ସେମାନଙ୍କୁ କହିଲି, ‘ଜଣେ ଆଶା କର୍ମୀ ଭାବେ ମୁଁ ଯଦି କେବଳ ହଳେ ଗ୍ଲୋବ୍ସ ଏବଂ ନିଜ ଓଢ଼ଣି ବ୍ୟତୀତ ଅନ୍ୟ କୌଣସି ଉପକରଣ ବିନା ଶିଶୁ ଜନ୍ମରେ ସହାୟତା କଲି, ତା’ହେଲେ ଆପଣମାନେ କାହିଁକି ଏପରି ବ୍ୟବହାର କରୁଛନ୍ତି?’’

୨୦୦୯ରୁ ଜଣେ ଆଶା କର୍ମୀ ଭାବେ କାମ କରି ଆସୁଥିବା ପୂର୍ଣ୍ଣିମା ୪,୫୦୦ରୁ ଅଧିକ ଲୋକଙ୍କ ଦେଖାଶୁଣା କରିଥା’ନ୍ତି। ‘‘ମୁଁ ଜଣେ ସ୍ନାତକ,’’ ସେ କୁହନ୍ତି। ‘‘ମୋତେ ଅନେକ ଚାକିରି ପ୍ରସ୍ତାବ ମିଳିଥାଏ। କିନ୍ତୁ ଆଶା କର୍ମୀ ଭାବେ କାମ କରିବା ମୋର ନିଷ୍ପତ୍ତି ଏବଂ ସାରା ଜୀବନ ମୁଁ ଆଶା କର୍ମୀ ଭାବେ କାମ କରିବି। ମୋତେ ଟଙ୍କା ମିଳୁ କି ନମିଳୁ, ଅଗର୍ ମୁଝେ କର୍ ନି ହୈ ସେବା ତୋ ମର୍ ତେ ଦମ୍ ଦକ ଆଶା କା କାମ୍ କରୁଙ୍ଗି (ମୋର ସେବା କାର୍ଯ୍ୟ କରିବାର ଇଚ୍ଛା ଥିବା କାରଣରୁ ମୁଁ ମଲା ପର୍ଯ୍ୟନ୍ତ ଜଣେ ଆଶା କର୍ମୀ ଭାବେ କାମ ଜାରି ରଖିବି)’’

ଆଜାଦ ମୈଦାନରେ କ୍ରିକେଟ ଖେଳ ଜାରି ରହିଛି । ଇତିମଧ୍ୟରେ ଆଶା କର୍ମୀଙ୍କ ଆନ୍ଦୋଳନର ପରିସମାପ୍ତି ଘଟିଛି ।

ଅନୁବାଦ : ଓଡ଼ିଶାଲାଇଭ୍‍

Ritu Sharma

Ritu Sharma is Content Editor, Endangered Languages at PARI. She holds an MA in Linguistics and wants to work towards preserving and revitalising the spoken languages of India.

Other stories by Ritu Sharma
Swadesha Sharma

Swadesha Sharma is a researcher and Content Editor at the People's Archive of Rural India. She also works with volunteers to curate resources for the PARI Library.

Other stories by Swadesha Sharma

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE