ଏକ ଗାଢ଼ ନୀଳ ରଙ୍ଗର କୁର୍ତ୍ତା, ଏମ୍ବ୍ରୋଡରି ପଡିଥିବା ଲୁଙ୍ଗି ପିନ୍ଧି, କେଶରେ ସୁଗନ୍ଧିତ ଯସ୍ମିନ୍ ଫୁଲର ଗଜରା ଲଗାଇ ବଡ଼ ରୋଷେଇ ଘରେ ପ୍ରବେଶ କରନ୍ତି ଏମ.ପି. ସେଲଭି, ଯାହାକୁ ସେ ସାରାଦିନ ସମ୍ଭାଳନ୍ତି- କରୁମ୍ବୁକାଡ଼ାଇ ଏମ.ପି ସେଲଭି ବିରିୟାନୀ ମାଷ୍ଟର । କ୍ୟାଟରିଂ ୟୁନିଟର କର୍ମଚାରୀମାନେ ତାଙ୍କୁ ଦେଖନ୍ତି, ସେମାନଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ବନ୍ଦ ହୋଇଯାଏ ଏବଂ ଜଣେ କର୍ମଚାରୀ ତାଙ୍କୁ ଅଭିବାଦନ ଜଣାଇ ତାଙ୍କ ହାତରେ ଥିବା ବ୍ୟାଗ ନେଇଯାଏ ।

ସେଲଭି ହେଉଛନ୍ତି ‘ବିରିୟାନୀ ମାଷ୍ଟର’। ଏହି ବଡ଼ ରୋଷେଇ ଘରେ ତାଙ୍କ ନିର୍ଦ୍ଦେଶକୁ ୬୦ରୁ ଅଧିକ କର୍ମଚାରୀ ମାନିଥାନ୍ତି । କିଛି ମିନିଟ୍ ମଧ୍ୟରେ ସମସ୍ତେ ସଜାଗ ହୋଇଯାଆନ୍ତି, ଚଳଚଞ୍ଚଳ ହୋଇଉଠି ଦକ୍ଷତାର ସହ କାର୍ଯ୍ୟରେ ଲାଗିପଡ଼ନ୍ତି । ନିଆଁକୁ ବାହାରୁଥିବା ଧୂଆଁ ଓ ଧାଁସକୁ ଖାତିର କରନ୍ତି ନାହିଁ ।

ଏହି ପ୍ରସିଦ୍ଧ ବିରିୟାନୀ ସେଲଭି ଓ ତାଙ୍କ ରୋଷେୟାଙ୍କ ଦ୍ୱାରା ଗତ ୩ ଦଶନ୍ଧୀ ଧରି ତିଆରି ହୋଇଆସୁଛି - ଦମ୍ ମଟନ୍ ବିରିୟାନୀ, ଏପରି ଏକ ବ୍ୟଞ୍ଜନ ମାଂସ ଓ ଚାଉଳ ଏକାଠି ରୋଷେଇ କରାଯାଏ, ଅନ୍ୟ ବିରିୟାନୀ ଭଳି ନୁହେଁ, ଯେଉଁଥିରେ ଦୁଇ ମୁଖ୍ୟ ଉପାଦାନ ଅଲଗା ଅଲଗା ରନ୍ଧାଯାଏ ।

୫୦ ବର୍ଷ ବୟସ୍କା ଏହି କିନ୍ନର କୁହନ୍ତି, “ମୁଁ କୋଏମ୍ବାଟୁରଦମ୍‌ବିରିୟାନୀ ବିଶେଷଜ୍ଞ । ମୁଁ ଏକାକୀ ଏହାର ପରିଚାଳନା କରେ । ସବୁକିଛି ମନେ ରଖିଥାଏ । ଅନେକ ସମୟରେ ୬ ମାସ ପୂର୍ବରୁ ବୁକିଂ ମିଳିଯାଏ ।”

ଆମ ସହ କଥା ହେଉଥିବା ବେଳେ ବିରିୟାନୀ ମସଲା ଭର୍ତ୍ତି ହୋଇଥିବା ଏକ ସତୁଭମ୍ (ବଡ଼ ଚାମଚ) ତାଙ୍କ ହାତକୁ ବଢ଼ାଇ ଦିଆଗଲା । ମାରିନେଡ୍‌କୁ ଚାଖିଲେ ସେଲଭି ଏବଂ ମୁଣ୍ଡ ହଲାଇ କହିଲେ, “ଠିକ୍ ଅଛି ।” ଏହା ଶେଷ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣସ୍ୱାଦ ପରୀକ୍ଷା । ବ୍ୟଞ୍ଜନକୁ ମୁଖ୍ୟ ରୋଷୟାଙ୍କ ଅନୁମୋଦନ ମିଳିବା ପରେ ସମସ୍ତେ ଆଶ୍ୱସ୍ତ ହେଲେ।

ସେଲଭି ହସି ହସି କୁହନ୍ତି, “ସମସ୍ତେ ମତେ ‘ସେଲଭି ଆମ୍ମା (ମାଆ)’ ଡାକନ୍ତି । ଜଣେ ‘ଥିରୁନାଙ୍ଗାଇ’ (କିନ୍ନର)କୁ ‘ଆମ୍ମା’ ସମ୍ବୋଧନ କରିବା ଖୁସି ଦେଇଥାଏ ।”

PHOTO • Akshara Sanal
PHOTO • Akshara Sanal

ବାମ: ବ୍ୟଞ୍ଜନର ସ୍ୱାଦ ଚାଖି ଚୂଡ଼ାନ୍ତ ସ୍ୱୀକୃତି ଜଣାନ୍ତି ସେଲଭି ଆମ୍ମା। ଡାହାଣ: ଖାଦ୍ୟ ରନ୍ଧା ହେଉଥିବାବେଳେ ଅପେକ୍ଷା କରିଛନ୍ତି ବିରିୟାନୀ ମାଷ୍ଟର

PHOTO • Akshara Sanal
PHOTO • Akshara Sanal

ବାମ: ସେଲଭି ଆମ୍ମାଙ୍କ ସହକର୍ମୀମାନେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମସାଲା ସହ ଧୁଆ ହୋଇଥିବା ଚାଉଳକୁ ମିଶାଉଛନ୍ତି । ଡାହାଣ: ରନ୍ଧାକାର୍ଯ୍ୟର ତଦାରଖ କରୁଛନ୍ତି ସେଲଭି ଆମ୍ମା

ସହରର ସ୍ୱଳ୍ପ ଆୟକାରୀ ଜନବସତି ଅଞ୍ଚଳ ପୁଲ୍ଲୁକାଡୁରେ ଥିବା ନିଜ ଘରେ ଚଳାନ୍ତି ତାଙ୍କର କ୍ୟାଟରିଂ ସେବା । ୬୫ ଜଣଙ୍କୁ ସେ କର୍ମନିଯୁକ୍ତି ଦେଇଛନ୍ତି, ସେଥିରେ ଅଛନ୍ତି ୧୫ ଜଣ କିନ୍ନର । ଗୋଟିଏ ସପ୍ତାହରେ ତାଙ୍କ ଟିମ୍ ୧୦୦୦ କିଲୋ ପର୍ଯ୍ୟନ୍ତ ବିରିୟାନୀ ଅର୍ଡର ପ୍ରସ୍ତୁତ କରିଥାନ୍ତି ଏବଂ ବେଳେବେଳେ ବାହାଘରିଆ ଅର୍ଡର ମଧ୍ୟ ଏଥିରେ ଯୋଡ଼ି ହୋଇଯାଏ । ଥରେ ସହରର ଏକ ବଡ଼ ମସଜିଦ ପାଇଁ ୩୫୦୦ କିଲୋ ବିରିୟାନୀ ଯୋଗାଇଥିଲେ ସେଲଭି, ଯାହାକୁ ପାଖାପାଖି ୨୦ ହଜାର ଲୋକ ଖାଇଥିଲେ ।

“ମୁଁ କାହିଁକି ରୋଷେଇ କରିବାକୁ ପସନ୍ଦ କରେ? ଥରେ ମୋର ବିରିୟାନୀ ଖାଇ ଅବଦିନ୍ ନାମକ ଜଣେ ଗ୍ରାହକ ମୋତେ ଡାକି କହିଲେ, ‘କି ସ୍ୱାଦ! ହାଡ଼ରୁ ମାଂସ ବରଫ ଭଳି ଖସିଯାଉଛି’ ।“ କିନ୍ତୁ ଏହା କେବଳ ସ୍ୱାଦ ଯୋଗୁଁ ନୁହେଁ, ସେଲଭି କୁହନ୍ତି, “ମୋର ଗ୍ରାହକମାନେ କିନ୍ନରଙ୍କ ହାତରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତି । ଏହା ଆଶୀର୍ବାଦ ଭଳି ମନେହୁଏ ।”

ଆମେ ଯେଉଁଦିନ ଯାଇଥିଲୁ, ଏକ ବିବାହ ଉତ୍ସବ ପାଇଁ ୪୦୦ କିଲୋଗ୍ରାମର ବିରିୟାନୀ ରନ୍ଧା ହେଉଥିଲା । “ମୋର ଏହି ପ୍ରସିଦ୍ଧ ବିରିୟାନୀରେ କୌଣସି ‘ଗୁପ୍ତ’ ମସଲା ପଡ଼ିନଥାଏ ।” ସେଲଭି ଆମ୍ମା କୁହନ୍ତି, ସବୁ ଜିନିଷ ପ୍ରତି ସେ ଧ୍ୟାନ ଦେଉଥିବାରୁ ସ୍ୱାଦିଷ୍ଟ ହୋଇଥାଏ । “ମୋର ମନ ସବୁବେଳେ ହାଣ୍ଡି ଉପରେ ରହିଥାଏ । ଧନିଆ ପାଉଡର, ଗରମ ମସଲା ଏବଂ ଗୁଜୁରାତି ଭଳି ମସଲା ମିଶାଇବାକୁ ମୁଁ ପସନ୍ଦ କରେ ।” ନିଜ ହାତକୁ ଦେଖାଇ ସେ କୁହନ୍ତି, ଏହି ହାତରେ ହଜାର ହଜାର ଲୋକଙ୍କୁ ଖୁଆଇଛି ।

ବିବାହ ବିରିୟାନୀ ପାଇଁ ଉପାଦାନଗୁଡ଼ିକ ତାଙ୍କର କର୍ମଚାରୀ, ୩୦ ବର୍ଷ ଅତିକ୍ରମ କରିଥିବା ଦୁଇ ଭାଇ ତାମିଲାରାସନ ଓ ଏଲାଭାରାସନଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି । ସେମାନେ ପରିବା କାଟୁଛନ୍ତି, ମସଲା ମିଶାଉଛନ୍ତି ଏବଂ ଜାଳେଣି କାଠ ଯାଞ୍ଚ କରୁଛନ୍ତି । ଯଦି ଏହା ଏକ ବଡ଼ ଉତ୍ସବ, ତେବେ ବିରିୟାନୀ ତିଆରି କରିବାରେ ପୂରା ଦିନରାତି ଲାଗିପାରେ ।

PHOTO • Akshara Sanal
PHOTO • Akshara Sanal

ବାମ: ମଟନ୍ ସଫା କରାଯାଉଛି । ପାଣି ସହ ଏହାକୁ ମସଲା ଓ ଚାଉଳ ମିଶ୍ରଣରେ ମିଶାଇ ଦିଆଯିବ। ଡାହାଣ: ରୋଷେୟାମାନେ ବିରିୟାନୀରେ ମସଲା ମିଶାଉଛନ୍ତି

PHOTO • Akshara Sanal
PHOTO • Akshara Sanal

ବାମ: ଜଣେ ରୋଷେୟା ସହ କାମ କରୁଛନ୍ତି ସେଲଭି ଆମ୍ମା। ଡାହାଣ: ପ୍ରତ୍ୟେକ ବ୍ୟଞ୍ଜନରେ କେବଳ ସେ ହିଁ ଲୁଣ ମିଶାଇଥାନ୍ତି

ବିଶେଷ କରି ଏପ୍ରିଲ ଓ ମେ’ ମାସରେ ସେଲଭି ଆମ୍ମାଙ୍କ କାର୍ଯ୍ୟସୂଚୀ ବ୍ୟସ୍ତ ବହୁଳ ଥାଏ – ଛୁଟି ସିଜିନ, ଯେତେବେଳେ ତାଙ୍କୁ ୨୦ଟି ପାଖାପାଖି ଅର୍ଡର ମିଳିଥାଏ । ତାଙ୍କର ନିୟମିତ ଗ୍ରାହକ ପ୍ରାୟତଃ ମୁସଲିମ୍ ସଂପ୍ରଦାୟର ଏବଂ ଅଧିକାଂଶ ସମୟରେ ବିବାହ ଓ ନିର୍ବନ୍ଦ ପାଇଁ ସେ କ୍ୟାଟରିଂ ସେବା ଯୋଗାଇଥାନ୍ତି । ଏବଂ ସେ ଆହୁରି ମଧ୍ୟ କହିଛନ୍ତି, “ଯେତେ ବଡ଼ କୋଟିପତି ହୁଅନ୍ତୁ ନା କାହିଁକି ସେମାନେ ମତେ ‘ଆମ୍ମା’ (ମାଆ) ବୋଲି ଡାକିଥାନ୍ତି।”

ମଟନ୍ ବିରିୟାନୀ ସବୁଠୁ ଅଧିକ ଲୋକପ୍ରିୟ ଖାଦ୍ୟ, କିନ୍ତୁ ସେଲଭି ଚିକେନ୍ ଓ ବିଫ୍ ବିରିୟାନୀ ମଧ୍ୟ ଯୋଗାଇଥାନ୍ତି । ଏକ କିଲୋ ବିରିୟାନୀ ପ୍ରାୟ ୪ରୁ ୬ ଜଣ ଲୋକ ଖାଇଥାନ୍ତି । ଗୋଟିଏ କିଲୋ ବିରିୟାନୀ ରାନ୍ଧିବା ପାଇଁ ସେ ୧୨୦ ଟଙ୍କା ନେଇଥାନ୍ତି ଏବଂ ସାମଗ୍ରୀ ପାଇଁ ଅଲଗା ଭାବେ ଟଙ୍କା ଦେବାକୁ ପଡ଼େ।

୪ ଘଣ୍ଟା ଧରି ବିରିୟାନୀ ରାନ୍ଧିବା ପରେ ସେଲଭି ଆମ୍ମାଙ୍କ ଲୁଗାପଟା ସେ ବ୍ୟବହାର କରୁଥିବା ତେଲ ଓ ମସଲାରେ ମଇଳା ହୋଇଯାଏ । ରୋଷେଇର ଗରମରେ ତାଙ୍କ ମୁହଁ ଝାଳରେ ଚିକ୍‌ମିକ୍ କରୁଥାଏ । ତାଙ୍କ ପଛରେ ଥିବା ଧୂସର କୋଠରୀଟି ଚୁଲାରେ ବସିଥିବା ବଡ଼ ଡେକଚି (ରନ୍ଧନ ପାତ୍ର)ରୁ ବାହାରୁଥିବା ଧାଁସରେ ଜଳୁଥାଏ ।

“ମୋ ରୋଷେଇ ଘରେ ଲୋକ ଅଧିକ ସମୟ ରହିପାରନ୍ତି ନାହିଁ । ଆମେ ଯାହା କରୁଛୁ, ତାକୁ କରିବା ଭଳି ଲୋକ ମିଳିବା ମୁସ୍କିଲ ।” ସେ କୁହନ୍ତି, “ଆମେ ଓଜନ ଉଠାଉ, ନିଆଁ ଆଗରେ ଛିଡ଼ା ହୋଇ ରହୁ । ଯଦି ସେମାନେ ମୋ ପାଇଁ କାମ କରିବେ, ସେମାନଙ୍କୁ ଏହି କଷ୍ଟ କାମ କରିବାକୁ ପଡ଼ିବ । ଏବଂ ଯେଉଁମାନେ ଏପରି କରିବାକୁ ଇଚ୍ଛା କରନ୍ତି ନାହିଁ, ସେମାନେ ଛାଡ଼ି ପଳାନ୍ତି ।”

କିଛି ଘଣ୍ଟା ପରେ ନିକଟସ୍ଥ ରେଷ୍ଟୁରାଣ୍ଟରୁ କିଣା ହୋଇଥିବା ଜଳଖିଆ, ପରଟା ଓ ବିଫ୍ କୁରମା ଖାଇବା ପାଇଁ ସମସ୍ତେ ବସିଥାନ୍ତି ।

PHOTO • Akshara Sanal
PHOTO • Akshara Sanal

ବାମ ଓ ଡାହାଣ: ରୋଷେୟାମାନଙ୍କ ପାଦ ଓ ହାତରେ ପାଉଁଶ

PHOTO • Akshara Sanal
PHOTO • Akshara Sanal

ବାମ: ଆଞ୍ଚକୁ ସଜାଡୁଛନ୍ତି ସେଲଭି ଆମ୍ମାଡାହାଣ: ଖାଦ୍ୟ ପ୍ରସ୍ତୁତ ହୋଇଗଲା ପରେ ଜଳଖିଆ ଖାଇବା ପାଇଁ ସମସ୍ତେ ଏକାଠି ବସନ୍ତି

ପିଲାଦିନେ ଖାଦ୍ୟ ଅଭାବ ଦେଖି ଦେଖି ବଡ଼ ହୋଇଛନ୍ତି ସେଲଭି ଆମ୍ମା । ସେ କୁହନ୍ତି, “ଆମ ପରିବାର ପାଇଁ ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟକର ଥିଲା । ଆମେ କେବଳ ମକା ଖାଉଥିଲୁ । ଚାଉଳ ଏପରି ଜିନିଷ ଥିଲା, ଯାହା ଆମକୁ ୬ ମାସରେ ଥରେ ମିଳୁଥିଲା ।”

କୋଏମ୍ବାଟୁରର ପୁଲ୍ଲୁକାଡୁରେ ଏକ କୃଷକ ପରିବାରରେ ୧୯୭୪ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅନୁଭବ କଲେ ଯେ ସେ ଜଣେ କିନ୍ନର (ଜନ୍ମ ସମୟରେ ପୁରୁଷ, କିନ୍ତୁ ମହିଳା ଭାବେ ପରିଚିତ ହେଲେ), ହାଇଦ୍ରାବାଦ ଯାଇ ସେଠାରୁ ମୁମ୍ବାଇ ଏବଂ ଦିଲ୍ଲୀ ପଳାଇ ଯାଇଥିଲେ। ସେ କୁହନ୍ତି, “ସେଠାରେ ମତେ ଭଲ ଲାଗିଲା ନାହିଁ, ତେଣୁ ମୁଁ କୋଏମ୍ବାଟୁର ଫେରିଆସିଲି ଏବଂ ଆଉ କେଉଁଆଡକୁ ଯିବି ନାହିଁ ବୋଲି ନିଷ୍ପତ୍ତି ନେଲି। କୋଏମ୍ବାଟୁରରେ ଜଣେ ଟ୍ରାନ୍ସଜେଣ୍ଡର ମହିଳା ଭାବେ ସମ୍ମାନର ସହ ବଞ୍ଚିବା ପାଇଁ ମୁଁ ସକ୍ଷମ ହେଲି।”

୧୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ସେଲଭି, ଯେଉଁମାନେ ତାଙ୍କ ସହ ରୁହନ୍ତି ଓ କାମ କରନ୍ତି । “କେବଳ ଟ୍ରାନ୍ସଜେଣ୍ଡର ମହିଳା ନୁହନ୍ତି, ଅନ୍ୟ ପୁରୁଷ ଓ ମହିଳା ମଧ୍ୟ ଜୀବନଯାପନ ପାଇଁ ସେମାନେ ମୋ ଉପରେ ନିର୍ଭର କରନ୍ତି । ସମସ୍ତଙ୍କୁ ଖାଦ୍ୟ ମିଳିବା ଉଚିତ । ମୁଁ ଚାହେଁ, ସେମାନେ ଖୁସିରେ ରୁହନ୍ତୁ।”

*****

ଜଣେ ବୟସ୍କା କିନ୍ନର, ଯିଏ ସେଲଭି ଆମ୍ମାଙ୍କୁ ରୋଷେଇ ଶିଖାଇଥିଲେ ଏବଂ ୩୦ ବର୍ଷ ତଳେ ସେ ଯେଉଁ ରୋଷେଇ କୌଶଳ ଶିଖିଥିଲେ, ତାକୁ କେବେ ବି ଭୁଲି ନାହାନ୍ତି । “ପ୍ରଥମେ ବୋଲହାକ କରୁଥିଲି ଏବଂ ପରେ ସହାୟକ ଭାବେ ୬ ବର୍ଷ କାର୍ଯ୍ୟ କରିଥିଲି । ଦୁଇ ଦିନର କାମ ପାଇଁ ସେମାନେ ମତେ ୨୦ ଟଙ୍କା ଦେଉଥିଲେ । ଏହା କମ୍‌ ପରିମାଣ ଥିଲା । କିନ୍ତୁ ମୁଁ ଏଥିରେ ଖୁସି ଥିଲି ।”

ରୋଷେଇ କୌଶଳ ସେ ଅନ୍ୟମାନଙ୍କୁ ଶିଖାଇଛନ୍ତି – ସେଲଭି ଆମ୍ମାଙ୍କ ପୋଷ୍ୟ କନ୍ୟା ସାରୋ ତାଙ୍କଠାରୁ ରୋଷେଇ ଶିଖିଛନ୍ତି ଏବଂ ଆଜି ସେ ନିଜେ ବିରିୟାନୀ ତିଆରିରେ ମାଷ୍ଟର ଏବଂ ସେଲଭି ଗର୍ବର ସହ କୁହନ୍ତି, “ହଜାରେ କିଲୋ ବିରିୟାନୀ ତିଆରି କରିବା ପାଇଁ ସେ ସକ୍ଷମ ।”

PHOTO • Akshara Sanal
PHOTO • Akshara Sanal

ବାମ: କାନିହା ଜଣେ ଟ୍ରାନ୍ସ ଜେଣ୍ଡର ମହିଳା ଯିଏ ସେଲଭି ଆମ୍ମାଙ୍କ ସହ ରୁହନ୍ତି। ଡାହାଣ: ସେଲଭି ଆମ୍ମାଙ୍କ ଝିଅ ମାୟାକ୍କା (ଆଥିରା) ଲହୁଣି ବାହାର କରିବା ପାଇଁ କଞ୍ଚା କ୍ଷୀର ଗୋଳାଉଛନ୍ତି

“କିନ୍ନର ସମୁଦାୟରେ ଝିଅ ଓ ନାତୁଣୀ ଅଛନ୍ତି । ଯଦି ଆମେ ସେମାନଙ୍କୁ କୌଶଳ ଶିଖାଇବା, ସେମାନଙ୍କ ଜୀବନ ସମୃଦ୍ଧ ହେବ,” - କୁହନ୍ତି ସେଲଭି । ସେ ଅନୁଭବ କରନ୍ତି ଯେ ଆତ୍ମ-ପ୍ରତ୍ୟୟ ସୃଷ୍ଟି କରିବା ହେଉଛି ଅନ୍ୟ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ତାଙ୍କର ସବୁଠୁ ବଡ଼ ଉପହାର । “ନହେଲେ ଆମକୁ ଧନ୍ଦା (ବେଶ୍ୟା ବୃତ୍ତି) କିମ୍ବା ଭିକ୍ଷା ବୃତ୍ତି କରିବାକୁ ପଡ଼ନ୍ତା ।”

ସେ ଦର୍ଶାଇଛନ୍ତି ଯେ କେବଳ କିନ୍ନର ନୁହଁନ୍ତି (ପୁରୁଷ ଓ ମହିଳା ମଧ୍ୟ) ତାଙ୍କ ଉପରେ ନିର୍ଭର କରି ଜୀବନଯାପନ କରନ୍ତି । ୧୫ ବର୍ଷରୁ ଅଧିକ ଦିନ ଧରି ଭାଲୀ ଆମ୍ମା ଓ ସୁନ୍ଦରୀ ତାଙ୍କ ସହ କାମ କରୁଛନ୍ତି । ତାଙ୍କଠାରୁ ବୟସରେ ବଡ଼ ଭାଲୀ ଆମ୍ମା କୁହନ୍ତି, “ଯେତେବେଳେ ମୁଁ ସେଲଭି ଆମ୍ମାଙ୍କୁ ଭେଟିଲି, ସେତେବେଳେ ମୁଁ କମ୍‌ ବୟସର ଥିଲି । ମୋ ପିଲାମାନେ ଛୋଟ ଛୋଟ ଥିଲେ । ସେତେବେଳେ ଏହା ରୋଜଗାରର ଏକମାତ୍ର ଉପାୟ ଥିଲା । ଏବେ ମୋ ପିଲାମାନେ ବଡ଼ ହେଲେଣି, ରୋଜଗାର କଲେଣି । ସେମାନେ ଚାହାଁନ୍ତି ମୁଁ ଏବେ ବିଶ୍ରାମ ନିଏ । କିନ୍ତୁ ମୁଁ କାମ କରିବାକୁ ଭଲ ପାଏ । ରୋଜଗାର କରୁଥିବା ଟଙ୍କା ମୋତେ ସ୍ୱାଧୀନତା ଦେଇଥାଏ । ଇଚ୍ଛା ଅନୁସାରେ ମୁଁ ଖର୍ଚ୍ଚ କରିପାରୁଛି, ଭ୍ରମଣରେ ଯାଉଛି।”

ସେଲଭି ଆମ୍ମା କୁହନ୍ତି ଯେ ସେ ତାଙ୍କ କର୍ମଚାରୀଙ୍କୁ ଦିନକୁ ୧୨୦୦ ଟଙ୍କା ଦିଅନ୍ତି । ବେଳେବେଳେ ବଡ଼ ବଡ଼ ଅର୍ଡର ଆସେ, ୨୪ ଘଣ୍ଟା କାମ କରିବାକୁ ପଡ଼େ । ସେ କୁହନ୍ତି,‘‘ଯଦି ସକାଳେ ହେଉଥିବା ଉତ୍ସବ ପାଇଁ ରାନ୍ଧିବାକୁ ହୁଏ, ତେବେ ଆମେ ରାତିରେ ଶୋଇପାରୁ ନାହିଁ । ସେଥିପାଇଁ ୨୫୦୦ ଟଙ୍କା ଦିଆଯାଏ ।” ସେ ଦୃଢ଼ତାର ସହ କୁହନ୍ତି, “ତୁମକୁ ଏପରି ଦରମା ମିଳିବା ଉଚିତ, ଏହା କୌଣସି ସାଧାରଣ କାର୍ଯ୍ୟ ନୁହେଁ । ଆମେ ନିଆଁରେ କାମ କରୁ!”

ବିଶାଳ ରୋଷେଇ ଘରର ପ୍ରାୟ ସବୁ କୋଣରେ ନିଆଁ ଜଳୁଛି । ବିରିୟାନୀ ହେଉଥିବା ବେଳେ ଡେକଚିର ଘୋଡ଼ଣୀ ଉପରେ ଜାଳେଣି କାଠ ରଖାଯାଏ। ସେଲଭି ଆମ୍ମା କୁହନ୍ତି, “ତୁମେ ନିଆଁକୁ ଭୟ କରିପାରିବ ନାହିଁ ।” ଏହାର ଅର୍ଥ ନୁହେଁ ଯେ କୌଣସି କ୍ଷତ ହୁଏ ନାହିଁ । ସେ ଚେତାବନୀ ଦେଇ କହିଛନ୍ତି, “ଆମ ଦେହରେ ବି ନିଆଁ ଲାଗିଯାଏ, ତୁମକୁ ସତର୍କ ରହିବାକୁ ପଡ଼ିବ । ଆମେ ସେହି ନିଆଁରେ ଯନ୍ତ୍ରଣା ପାଉ । କିନ୍ତୁ ଯେତେବେଳେ ଭାବିବ ଯେ ତୁମେ ଶହେ ଟଙ୍କା ରୋଜଗାର କରି ଖୁସିରେ ଗୋଟିଏ ସପ୍ତାହ ଖାଇପାରିବ, ସେହି ଯନ୍ତ୍ରଣା ଦୂର ହୋଇଯିବ ।”

PHOTO • Akshara Sanal
PHOTO • Akshara Sanal

ବାମ: ଏକ ବଡ଼ ମାଟି ପାତ୍ରରେ ବିରିୟାନୀ ଧୀର ଆଞ୍ଚରେ ରନ୍ଧାଯାଏ, ଯାହାର ଢାଙ୍କୁଣୀ ସିଲ୍ ହୋଇଥାଏ। ଡାହାଣ: ଜଣେ ରୋଷେୟା ଆଞ୍ଚ ସଜାଡୁଛନ୍ତି

PHOTO • Akshara Sanal

ଉପାଦାନଗୁଡ଼ିକୁ ମିଶାଉଛନ୍ତି ସେଲଭି ଆମ୍ମା

*****

ସକାଳୁ ସକାଳୁ ଆରମ୍ଭ ହୁଏ ଜଣେ ରୋଷେୟାଙ୍କ ଦିନ ଏବଂ ସେଲଭି ଆମ୍ମା ସକାଳ ୭ଟା ସୁଦ୍ଧା ଘରୁ ବାହାରିୁ ଆସନ୍ତି। ହାତରେ ବ୍ୟାଗ ଧରି କରୁମ୍ବୁକଡ଼ାଇରେ ଥିବା ତାଙ୍କ ଘର ନିକଟରୁ ଏକ ଅଟୋରେ ଆସିଥାନ୍ତି । କର୍ମସ୍ଥଳୀରେ ପହଁଚିବାକୁ ତାଙ୍କୁ ୧୫ ମିନିଟ୍ ଲାଗିଥାଏ। ଅବଶ୍ୟ ସକାଳ ୫ଟାରୁ ତାଙ୍କ ଦିନ ଆରମ୍ଭ ହୁଏ, ଯେତେବେଳେ ସେ ତାଙ୍କ ଗାଈଗୋରୁ, ଛେଳି, କୁକୁଡ଼ା ଓ ବତକମାନଙ୍କ ଯତ୍ନ ନିଅନ୍ତି। ସେଲଭି ଆମ୍ମାଙ୍କ ପାଳିତ ଝିଅମାନଙ୍କ ମଧ୍ୟରୁ ଜଣେ, ୪୦ ବର୍ଷିୟା ମାୟାକ୍କା ଗୃହପାଳିତ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା, କ୍ଷୀର ଦୁହିଁବା ଓ ଅଣ୍ଡା ସଂଗ୍ରହ କରିବାରେ ତାଙ୍କର ସହାୟତା କରେ । ସେଲଭି ତାଙ୍କ ଗୃହପାଳିତ ପଶୁଙ୍କୁ ଖୁଆଇବାକୁ ଭଲ ପାଆନ୍ତି । ସେ କୁହନ୍ତି, “ବିଶେଷ କରି ରୋଷେଇ ଘରେ ଚାପରେ କାମ କରିବା ପରେ ଏହା ମନକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ।”

ଘରକୁ ଫେରିବା ପରେ ବି ମାଷ୍ଟର ବିରିୟାନୀ ରୋଷେୟାଙ୍କ କାର୍ଯ୍ୟ ଶେଷ ହୁଏ ନାହିଁ । ଏକ ଡାଏରୀ ଓ କଲମ ଧରି ବିଶ୍ୱସ୍ତ ବନ୍ଧୁମାନଙ୍କ କିଛି ସହାୟତା ନେଇ ସମସ୍ତ ବୁକିଂର ହିସାବ ରଖନ୍ତି । ପରଦିନ ରୋଷେଇ ପାଇଁ ସବୁ ଗ୍ରୋସରୀ ଜିନିଷ ଯୋଗାଡ଼ କରନ୍ତି ।

ନିଜ ପାଇଁ ରାତ୍ରିଭୋଜନ ପ୍ରସ୍ତୁତ କରିବାକୁ ଯିବାବେଳେ ସେଲଭି ଆମ୍ମା କୁହନ୍ତି, “ମୋତେ ଯେଉଁ ଲୋକମାନେ ବିଶ୍ୱାସ କରନ୍ତି, ମୁଁ କେବଳ ସେମାନଙ୍କ ଠାରୁ ସହଯୋଗ ନିଏ । କିଛି ନକରି କେବଳ ଖାଇବା ଓ ଶୋଇବାକୁ ମୁଁ ପସନ୍ଦ କରେ ନାହିଁ ।”

ମହାମାରୀ ସମୟରେ ୩ ବର୍ଷ ପର୍ଯ୍ୟନ୍ତ କାମ ବନ୍ଦ ହୋଇଯାଇଥିଲା ବୋଲି କହିଛନ୍ତି ସେଲଭି । “ବଞ୍ଚିବା ପାଇଁ ଅନ୍ୟ କୌଣସି ଉପାୟ ନଥିଲା, ତେଣୁ କ୍ଷୀର ପାଇଁ ଗାଈ କିଣିଥିଲୁ । ଆମେ ଏବେ ପ୍ରତ୍ୟେକ ଦିନ ୩ ଲିଟର କ୍ଷୀର ଆବଶ୍ୟକ କରୁ । ଯାହା ଅଧିକ ହୁଏ, ଆମେ ବିକି ଦେଉ।”

PHOTO • Akshara Sanal
PHOTO • Akshara Sanal

ବାମ: ସକାଳେ ନିଜ ଗୋରୁଙ୍କୁ ଖୁଆଉଛନ୍ତି ସେଲଭିଡାହାଣ: ଡାଏରୀରେ ଟିପୁଛନ୍ତି, ଯେଉଁଠି ଅର୍ଡରଗୁଡ଼ିକୁ ସେ ନଜରରେ ରଖିଥାନ୍ତି

PHOTO • Akshara Sanal
PHOTO • Akshara Sanal

ବାମ: ତାଙ୍କ କୁକୁର ଅପ୍ପୁ ସହ ସେଲଭି। ଡାହାଣ: ତାମିଲନାଡୁ ଅର୍ବାନ ହାବିଟାଟ ଡେଭେଲପମେଣ୍ଟ ବୋର୍ଡ କ୍ୱାର୍ଟର୍ସରେ ରୁହନ୍ତି ସେଲଭି । ସେ କୁହନ୍ତି, 'ଏଠାରେ ଲୋକମାନେ ଆମକୁ ସମ୍ମାନର ସହ ବ୍ୟବହାର କରନ୍ତି'

ତାମିଲନାଡୁ ଅର୍ବାନ ହାବିଟାଟ ଡେଭେଲପମେଣ୍ଟ ବୋର୍ଡ କ୍ୱାର୍ଟର୍ସରେ ଘର । ଆଖପାଖର ଅଧିକାଂଶ ପରିବାର ଅନୁସୂଚିତ ଜାତି ସମୁଦାୟର ଏବଂ ସେମାନେ ଦିନ ମଜୁରିଆ । “ଏଠାରେ କୌଣସି ଧନୀ ବ୍ୟକ୍ତି ନାହାନ୍ତି । ସମସ୍ତେ ଶ୍ରମିକ ଶ୍ରେଣୀର ଏବଂ ଯଦି ସେମାନଙ୍କ ପିଲାମାନଙ୍କ ପାଇଁ ଭଲ କ୍ଷୀର ଆବଶ୍ୟକ କରନ୍ତି, ସେମାନେ ମୋ ନିକଟକୁ ଆସନ୍ତି ।”

“ଆମେ ଏଠାରେ ୨୫ ବର୍ଷ ହେଲା ରହିଆସୁଛୁ । ରାସ୍ତା ତିଆରି ପାଇଁ ସରକାର ଆମ ଜମି ଅଧିଗ୍ରହଣ କରିଥିଲେ ଏବଂ ପ୍ରତିବଦଳରେ ଆମକୁ ଏଠାରେ ଏକ ଘର ଯୋଗାଇ ଦେଇଛନ୍ତି,” ଏହା ସହ ସେ କହିଛନ୍ତି, “ଏଠାରେ ଲୋକମାନେ ଆମକୁ ସମ୍ମାନର ସହ ବ୍ୟବହାର କରନ୍ତି ।”

ଅନୁବାଦ: ଓଡ଼ିଶାଲାଇଭ୍‍

Poongodi Mathiarasu

Poongodi Mathiarasu is an independent folk artist from Tamil Nadu and works closely with rural folk artists and the LGBTQIA+ community.

Other stories by Poongodi Mathiarasu
Akshara Sanal

Akshara Sanal is an independent photojournalist based in Chennai, and interested in documenting stories around people.

Other stories by Akshara Sanal
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE