ସମୟ ଭୋର ୩ଟା, ପୂର୍ବ ଭାରତର ଏକ ସମୁଦ୍ର ତଟ। ଗୋଟିଏ ଫ୍ଲାସ୍‌ ଲାଇଟ୍‌ ପକାଇ ଅଲିଭ୍‌ ରିଡଲେ କଇଁଚର ଅଣ୍ଡା ଖୋଜିବାରେ ଲାଗିଛନ୍ତି ରାମୋଲୁ ଲକ୍ଷ୍ମାୟା। ହାତରେ ଗୋଟିଏ କାଠ ବାଡ଼ି ଏବଂ ବାଲ୍‌ଟିଟିଏ ଧରି, ଜାଲାରିପେଟର ତାଙ୍କ ଘର ଏବଂ ଆର୍‌କେ ବେଳାଭୂମି ମଧ୍ୟରେ ଥିବା ବାଲୁକା ଶଯ୍ୟାରେ ସେ ଧୀରେ ଧୀରେ ଚାଲି ଚାଲି ପଇଁତରା ମାରୁଛନ୍ତି।

ବିଶାଖାପାଟଣାର ଗଡ଼ାଣିଆ ବାଲୁକା ଉପକୂଳରେ ଅଣ୍ଡା ଦେବାକୁ ଆସନ୍ତି ଅନେକ ମାଈ ଅଲିଭ ରିଡ୍‌ଲେ କଇଁଚ। ସେମାନେ ଅଣ୍ଡା ଦେବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ଏବଂ ୧୯୮୦ ଦଶକର ପ୍ରାରମ୍ଭରୁ ଏହି କଇଁଚମାନଙ୍କୁ ଏଠାରେ ଚିହ୍ନଟ କରାଯାଇଛି। ହେଲେ, ଉତ୍ତରରେ ଆଉ କିଛି କିଲୋମିଟର ଦୂରରେ, ଓଡ଼ିଶା ଉପକୂଳ ହିଁ ଦେଶରେ ସେମାନଙ୍କ ଅଣ୍ଡାଦାନ ପାଇଁ ସବୁଠାରୁ ବଡ଼ ସ୍ଥାନ। ସେଠାରେ ସେମାନେ ଦଳଦଳ ହୋଇ ଆସି ଅଣ୍ଡା ଦେଇଥାଆନ୍ତି। ଗୋଟିଏ ମାଈ ଅଲିଭ ରିଡ୍‌ଲେ କଇଁଚ ଥରକରେ ୧୦୦ରୁ ୧୫୦ ଯାଏ ଅଣ୍ଡା ଦେଇଥାଏ ଏବଂ ସେମାନେ ବାଲିରେ ଖୋଳିଥିବା ଗାତ ଭିତରେ ଅଣ୍ଡାଗୁଡ଼ିକୁ ପୋତି ଦିଅନ୍ତି।

“ବାଲି ଫସଫସିଆ ଲାଗିଲେ ଜାଣିବାକୁ ହେବ ଯେ ଏଠାରେ ମାଆ କଇଁଚଟିଏ ଅଣ୍ଡା ଦେଇଛି,” ଓଦା ବାଲିକୁ ସାବଧାନତାର ସହ ବାଡ଼ିରେ କେଞ୍ଚିବା ସହିତ ବୁଝାଇ ଦିଅନ୍ତି ଲକ୍ଷ୍ମାୟା। ଲକ୍ଷ୍ମାୟାଙ୍କ ସହିତ ଅଛନ୍ତି କାରାଇ ଜଲ୍ଲିବାବୁ, ପୁଟ୍ଟିୟାପାନ୍ନା ୟେରାନ୍ନା ଏବଂ ପୁଲ୍ଲା ପୋଲାରାଓ, ସମସ୍ତେ ମତ୍ସ୍ୟଜୀବୀ ଜଲାରି ସଂପ୍ରଦାୟର (ଆନ୍ଧ୍ର ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ)। ଅଲିଭ୍‌ ରିଡଲେ କଇଁଚ ଅଣ୍ଡା ସଂରକ୍ଷଣ ନିମନ୍ତେ ଆନ୍ଧ୍ର ପ୍ରଦେଶ ବନ ବିଭାଗ (ଏପିଏଫ୍‌ଡି) ପକ୍ଷରୁ ଆରମ୍ଭ ହୋଇଥିବା ସାମୁଦ୍ରିକ କଇଁଚ ସଂରକ୍ଷଣ ପ୍ରକଳ୍ପରେ ସେମାନେ ୨୦୨୩ରୁ ସାମୟିକ ଜଗୁଆଳି ଭାବରେ କାମ କରୁଛନ୍ତି।

ପ୍ରକୃତିର ସଂରକ୍ଷଣ ନିମନ୍ତେ ଅନ୍ତର୍ଜାତୀୟ ସଂଗଠନ (ଆଇୟୁସିଏନ୍‌)ର ରେଡ୍‌ ଲିଷ୍ଟ ରେ ଅଲିଭ୍‌ ରିଡଲେ କଇଁଚକୁ ‘ବିଲୁପ୍ତପ୍ରାୟ ପ୍ରଜାତି’ ରୂପରେ ବର୍ଗୀକରଣ କରାଯାଇଛି। ଏବଂ ଏହାକୁ ଭାରତୀୟ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ (୧୯୯୧ରେ ସଂଶୋଧିତ)ର ଅନୁଚ୍ଛେଦ-I ଅନୁସାରେ ସୁରକ୍ଷିତ ରଖାଯାଇଛି।

ଅନେକ କାରଣରୁ କଇଁଚମାନଙ୍କ ପ୍ରତି ବିପଦ ରହିଛି। ଯେମିତି କି ଉପକୂଳ ଅବକ୍ଷୟ, “ନିର୍ଦ୍ଦିଷ୍ଟ ଭାବରେ, ବିକାଶ ନାଁରେ ସେମାନଙ୍କ ଅଣ୍ଡାଦାନ ସ୍ଥଳ ନଷ୍ଟ କରିଦେବା ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ସାମୁଦ୍ରିକ ବାସସ୍ଥଳୀ ଲୋପ ପାଇଯିବା।” ଏହା କହନ୍ତି ବିଶାଖାପାଟଣାର କମ୍ବାଲକୋଣ୍ଡା ବନ୍ୟପ୍ରାଣୀ ଅଭୟାରଣ୍ୟର ଜଣେ ପ୍ରକଳ୍ପ ବିଜ୍ଞାନୀ ୟାଗନାପାଟି ଅଡ଼ାରି। ସେମାନଙ୍କ ମାଂସ ଓ ଅଣ୍ଡା ପାଇଁ ମଧ୍ୟ ସାମୁଦ୍ରିକ କଇଁଚର ଶିକାର କରାଯାଏ।

Left to right: Ramolu Lakshmayya, Karri Jallibabu, Puttiyapana Yerranna, and Pulla Polarao are fishermen who also work as guards at a hatchery on RK Beach, Visakhapatnam where they are part of a team conserving the endangered Olive Ridley turtle at risk from climate change and loss of habitats.
PHOTO • Amrutha Kosuru

ବାମରୁ ଡାହାଣକୁ: ରାମୋଲୁ ଲକ୍ଷ୍ମାୟା, କାରାଇ ଜଲ୍ଲିବାବୁ, ପୁଟ୍ଟିୟାପାନା ୟେରାନ୍ନା ଏବଂ ପୁଲ୍ଲା ପୋଲାରାଓ, ସମସ୍ତେ ମତ୍ସ୍ୟଜୀବୀ ଏବଂ ବିଶାଖାପାଟଣାର ଆର୍‌କେ ବେଳାଭୂମିରେ କଇଁଚ ପ୍ରଜନନ କେନ୍ଦ୍ରରେ ଜଗୁଆଳ ଭାବେ କାମ କରନ୍ତି ଏବଂ ସେମାନେ ଜଳବାୟୁ ପରିବର୍ତ୍ତନ ଏବଂ ବାସସ୍ଥଳୀ ଅବକ୍ଷୟ କାରଣରୁ ବିଲୁପ୍ତପ୍ରାୟ ଅଲିଭ ରିଡ୍‌ଲେ କଇଁଚର ସଂରକ୍ଷଣ ଦିଗରେ ସେଠାରେ କାର୍ଯ୍ୟରତ ଏକ ଟିମ୍‌ର ଅଂଶବିଶେଷ

Olive Ridley turtle eggs (left) spotted at the RK beach. Sometimes the guards also get a glimpse of the mother turtle (right)
PHOTO • Photo courtesy: Andhra Pradesh Forest Department
Olive Ridley turtle eggs (left) spotted at the RK beach. Sometimes the guards also get a glimpse of the mother turtle (right)
PHOTO • Photo courtesy: Andhra Pradesh Forest Department

ଆର୍‌କେ ବେଳାଭୂମିରେ ଜଗୁଆଳିମାନଙ୍କ ଦ୍ୱାରା ଚିହ୍ନଟ ଅଲିଭ ରିଡଲେ କଇଁଚ ଅଣ୍ଡା (ବାମ)। ବେଳେବେଳେ ସେମାନେ ମାଆ କଇଁଚକୁ ବି ଦେଖିଥାଆନ୍ତି (ଡାହାଣ)

“ମାଆ କଇଁଚ ଯେତେ ଗଭୀରରେ ଅଣ୍ଡା ପୋତି ଥାଉନା କାହିଁକି, ସେଗୁଡ଼ିକୁ ଖୋଜି ପାଇବା ସମ୍ଭବ। ଲୋକେ ହୁଏତ ତା’ ଉପରେ ପାଦ ପକାଇ ଦେଇପାରନ୍ତି କିମ୍ବା କୁକୁରମାନେ ସେଗୁଡ଼ିକୁ କାମୁଡ଼ି ବାହାରକୁ କାଢ଼ି ଦେଇପାରନ୍ତି,” କଇଁଚ ଅଣ୍ଡାର ସୁରକ୍ଷା ଉପରେ ଜୋର ଦେଇ ଲକ୍ଷ୍ମାୟା କହନ୍ତି। “ହେଲେ କୃତ୍ରିମ ପ୍ରଜନନ କେନ୍ଦ୍ରରେ ସେମାନେ ନିରାପଦରେ ରହନ୍ତି,” କହନ୍ତି ଏହି ୩୨ ବର୍ଷୀୟ ଯୁବକ।

ତେଣୁ କଇଁଚର ଜୀବନଧାରଣ ପାଇଁ ଲକ୍ଷ୍ମାୟାଙ୍କ ଭଳି ଜଗୁଆଳିମାନେ ଗୁରୁତ୍ୱପୂର୍ଣ୍ଣ। ସାମୁଦ୍ରିକ କଇଁଚ ଭିତରୁ ଆକାରରେ ସବୁଠାରୁ ଛୋଟ ପ୍ରଜାତିର କଇଁଚ ହେଉଛି ଅଲିଭ୍‌ ରିଡଲେ ଏବଂ ଅଲିଭ୍‌ ଭଳି ସବୁଜ ଖୋଳ ଯୋଗୁଁ ଏହାର ଏପରି ନାମକରଣ କରାଯାଇଛି।

ବେଳାଭୂମିରେ କଇଁଚ ଅଣ୍ଡା ଖୋଜିବା ଏବଂ ସେଗୁଡ଼ିକୁ ଆଣି ପ୍ରଜନନ କେନ୍ଦ୍ରରେ ରଖିବା, ଅଣ୍ଡାରୁ ଛୁଆ ବାହାରିବା ପରେ ସେମାନଙ୍କୁ ନେଇ ସମୁଦ୍ରରେ ଛାଡ଼ିବା ପ୍ରଭୃତି କାମ ଲାଗି ସେମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ର ପ୍ରଦେଶର ଚାରିଟି କୃତ୍ରିମ ପ୍ରଜନନ କେନ୍ଦ୍ର ଭିତରୁ ଆର୍‌କେ ବେଳାଭୂମି ଗୋଟିଏ- ଅନ୍ୟଗୁଡ଼ିକ ହେଲା ସାଗର ନଗର, ପେଦାନାଗାମାୟାପାଲମ ଏବଂ ଚେପାଲୁପାଡ଼ା।

ସାଗର ନଗର ପ୍ରଜନନ କେନ୍ଦ୍ରରେ ସବୁ ଜଗୁଆଳ ମତ୍ସ୍ୟଜୀବୀ ନୁହନ୍ତି। ସେମାନଙ୍କ ମଧ୍ୟରୁ କେତେକ ପ୍ରବାସୀ ଶ୍ରମିକ ଏବଂ କିଛି ଅଧିକ ରୋଜଗାର କରିବା ଆଶାରେ ସେମାନେ ଏହି ସ୍ୱଳ୍ପକାଳୀନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେମିତି ଜଣେ ହେଲେ ରଘୁ। ପେସାରେ ସେ ଡ୍ରାଇଭର, କିନ୍ତୁ ନିଜର ଘର ଚଳିବା ଖର୍ଚ୍ଚ ତୁଲାଇବାକୁ ଏହି କାମ କରୁଛନ୍ତି। ଶ୍ରୀକାକୁଲମ ବାସିନ୍ଦା ପ୍ରବାସୀ ଶ୍ରମିକ ରଘୁଙ୍କୁ ୨୨ ବର୍ଷ ବୟସ ହୋଇଥିବା ବେଳେ ସେ ବିଶାଖାପାଟଣା ଆସିଥିଲେ। ତାଙ୍କ ନିଜର ଗାଡ଼ି ନାହିଁ, କିନ୍ତୁ ସେ ଡ୍ରାଇଭର ଭାବରେ କାମ କରି ମାସକୁ ୭,୦୦୦ ଟଙ୍କା ରୋଜଗାର କରନ୍ତି।

ଏହି ସାମୟିକ କାମ ମୋତେ ସାହାଯ୍ୟ କଲା: ‘ଏବେ ମୁଁ ଘରେ ମୋ ବାପାମାଆଙ୍କ ପାଖକୁ ୫,୦୦୦-୬,୦୦୦ (ଟଙ୍କା) ପଠାଇ ପାରୁଛି।’

Left: B. Raghu, E. Prudhvi Raj, R. Easwar Rao, and G. Gangaraju work as guards at the Sagar Nagar hatchery. Right: Turtle eggs buried in sand at the hatchery
PHOTO • Amrutha Kosuru
Left: B. Raghu, E. Prudhvi Raj, R. Easwar Rao, and G. Gangaraju work as guards at the Sagar Nagar hatchery. Right: Turtle eggs buried in sand at the hatchery
PHOTO • Amrutha Kosuru

ବାମ: ବି. ରଘୁ, ଇ. ପୃଥ୍ୱୀରାଜ, ଆର. ଈଶ୍ୱର ରାଓ ଏବଂ ଜି. ଗଙ୍ଗାରାଜୁ ସାଗର ନଗର ପ୍ରଜନନ କେନ୍ଦ୍ରରେ ଜଗୁଆଳ ଭାବେ କାମ କରନ୍ତି। ଡାହାଣ: ପ୍ରଜନନ କେନ୍ଦ୍ରରେ ବାଲି ଭିତରେ କଇଁଚ ଅଣ୍ଡାକୁ ପୋତି ଦିଆଯାଏ

Guards at the Sagar Nagar hatchery digging a hole to lay the turtle eggs
PHOTO • Amrutha Kosuru
Guards at the Sagar Nagar hatchery digging a hole to lay the turtle eggs.
PHOTO • Amrutha Kosuru

ସାଗର ନଗର ପ୍ରଜନନ କେନ୍ଦ୍ରରେ ଅଲିଭ ରିଡଲେ କଇଁଚ ଅଣ୍ଡା ଦେବା ଲାଗି ଜଗୁଆଳମାନେ ଗାତ ଖୋଳୁଛନ୍ତି

ପ୍ରତି ବର୍ଷ ଡିସେମ୍ବରରୁ ମେ ମାସ ଯାଏ, ଏହି ଜଗୁଆଳମାନେ ଆର୍‌କେ ବେଳାଭୂମିରେ ଦୈନିକ ସାତ-ଆଠ କିଲୋମିଟର ଚାଲି ଚାଲି ବୁଲନ୍ତି ଏବଂ ମଝିରେ ମଝିରେ ଅଣ୍ଡା ଖୋଜିବାକୁ ଅଟକି ଯାଆନ୍ତି। ସାଧାରଣତଃ ଭାରତରେ ଅଲିଭ ରିଡ୍‌ଲେ କଇଁଚଙ୍କ ଅଣ୍ଡାଦାନ ସମୟ ନଭେମ୍ବରରୁ ମେ ମାସ ଭିତରେ ହୋଇଥାଏ। କିନ୍ତୁ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ଅଣ୍ଡା ଦେଖାଯାଏ।

ଜଲ୍ଲିବାବୁ କହନ୍ତି, “ବେଳେବେଳେ ଆମେ ମାଆର ପାଦଚିହ୍ନ ଚିହ୍ନିପାରୁ; କେବେ କେମିତି, ଅଣ୍ଡା ଦେଇଥିବା ମାଆ (କଇଁଚ) ବି ଦେଖିବାକୁ ମିଳେ।

ଥରେ କଇଁଚ ଅଣ୍ଡା ମିଳିଗଲେ, ସେଗୁଡ଼ିକୁ ଯତ୍ନ ସହକାରେ ଉଠାଇ ବ୍ୟାଗରେ ରଖାଯାଏ। ତା ସହିତ ସେହି ଅଞ୍ଚଳର କେଇ ଆଞ୍ଜୁଳା ବାଲି ବି ରଖାଯାଏ। ପ୍ରଜନନ କେନ୍ଦ୍ରରେ ଏହି ବାଲିକୁ ପୁଣି ଅଣ୍ଡା ପୋତି ରଖିବାରେ ବ୍ୟବହାର କରାଯିବ।

ସେମାନେ ଅଣ୍ଡାର ସଂଖ୍ୟା, କେବେ ମିଳିଥିଲା ଏବଂ ପ୍ରଜନନର ଆନୁମାନିକ ତାରିଖ ଲେଖାଥିବା କାଗଜକୁ ଗୋଟିଏ ବାଡ଼ିରେ ଲଗାଇ ବାଡ଼ିଟିକୁ ଅଣ୍ଡା ପୋତା ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତି। ଏହା ପ୍ରଜନନ ସମୟ ଓ ଅବଧି ଜାଣିବାରେ ସହାୟକ ହୁଏ। ସାଧାରଣତଃ ଅଣ୍ଡାରୁ ଛୁଆ ଫୁଟିବାକୁ ୪୫ରୁ ୬୫ ଦିନ ଲାଗିଥାଏ।

ଏହି ଜଗୁଆଳମାନେ ପ୍ରଜନନ କେନ୍ଦ୍ରରେ ସକାଳ ୯ଟା ପର୍ଯ୍ୟନ୍ତ ରହନ୍ତି ଏବଂ ତା’ପରେ ସେମାନେ ସେମାନଙ୍କର ମୁଖ୍ୟ ଜୀବିକା, ମାଛ ଧରିବାକୁ ଡଙ୍ଗାରେ ସମୁଦ୍ର ଭିତରକୁ ଯାଆନ୍ତି। ଅଣ୍ଡା ସଂରକ୍ଷଣ କାମରେ ସେମାନଙ୍କୁ ଡିସେମ୍ବରରୁ ମେ ମାସ ପର୍ଯ୍ୟନ୍ତ ମାସକୁ ୧୦,୦୦୦ ଟଙ୍କା ହିସାବରେ ମିଳେ। ଗତ ୨୦୨୧-୨୨ର ଅଣ୍ଡାଦାନ ସମୟ ପର୍ଯ୍ୟନ୍ତ ଏହା ୫,୦୦୦ ଟଙ୍କା ଥିଲା। “କଇଁଚ ଛୁଆମାନଙ୍କ ସହାୟତା କରିବା କାମରୁ (ଏହି କାମରୁ) ମିଳୁଥିବା ଟଙ୍କା ଅନେକ କାମରେ ଲାଗେ,” ଜଲ୍ଲିବାବୁ କହନ୍ତି।

Lakshmayya buries the Olive Ridley turtle eggs he collected at RK Beach at the hatchery. 'In the hatchery the eggs are safe,' he says
PHOTO • Amrutha Kosuru
Lakshmayya buries the Olive Ridley turtle eggs he collected at RK Beach at the hatchery. 'In the hatchery the eggs are safe,' he says.
PHOTO • Amrutha Kosuru

ଲକ୍ଷ୍ମାୟା ଆର୍‌କେ ବେଳାଭୂମିରୁ ସଂଗ୍ରହ କରିଥିବା ଅଲିଭ ରିଡଲେ କଇଁଚ ଅଣ୍ଡାକୁ ପ୍ରଜନନ କେନ୍ଦ୍ରରେ ପୋତି ଦେଉଛନ୍ତି। ସେ କହନ୍ତି, ‘ପ୍ରଜନନ କେନ୍ଦ୍ରରେ ସେମାନେ ସୁରକ୍ଷିତ’

ଲକ୍ଷ୍ମାୟା କହନ୍ତି, “ସମୁଦ୍ରରେ ମାଛଧରା ଉପରେ ବର୍ଷକୁ ଯେଉଁ ୬୧ ଦିନ କଟକଣା ଲାଗୁଛି, ସେ ସମୟରେ ଏହା ବେଶ୍‌ କାମରେ ଲାଗିବ। ପ୍ରଜନନ ସମୟରେ ଏପ୍ରିଲ ୧୫ରୁ ଜୁନ ୧୪ ଯାଏ ଏହି କଟକଣା ରହୁଛି।” ହେଲେ.ଏହି ସବୁ ମାସ ପାଇଁ ଜଗୁଆଳମାନେ ସେମାନଙ୍କ ପାଉଣା ପାଇନଥିଲେ। ଜୁନ ମାସରେ ‘ପରୀ’ ସେମାନଙ୍କୁ ସାକ୍ଷାତ କରିବା ସମୟରେ, ସେମାନେ ପ୍ରଥମ ତିନି ମାସ - ଡିସେମ୍ବର, ଜାନୁଆରୀ ଏବଂ ଫେବ୍ରୁଆରୀ- ପାଇଁ ପାଉଣା ପାଇଥିଲେ।

ମାଛଧରା ଉପରେ କଟକଣା ସମୟରେ ସେମାନଙ୍କର ରୋଜଗାର ଆଦୌ ନଥାଏ କହିଲେ ଚଳେ। ଜୁନ ମାସରେ ଲକ୍ଷ୍ମାୟା କହିଥିଲେ, “ଯାହାହେଉ, ଏ ବର୍ଷ, ଏହି ଅତିରିକ୍ତ ପଇସା ଅନେକ କାମରେ ଲାଗିଲା। ମୁଁ ଆଶା କରୁଛି, ବାକି ପଇସା ବି ଖୁବ୍‌ ଶୀଘ୍ର ମିଳିଯିବ।”

ନିକଟରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ସେପ୍ଟେମ୍ବରରେ ଏବଂ ଅନ୍ୟ କେତେକଙ୍କୁ ଅଗଷ୍ଟରେ ପାଉଣା ଦିଆଯାଇଥିଲା। ସେତେବେଳକୁ ମାଛଧରା ଉପରେ କଟକଣା ଲାଗୁ ହେବାର କେଇ ମାସ ବିତିଯାଇଥିଲା। ରଘୁ କହନ୍ତି ଯେ, ଅଣ୍ଡାରୁ କଇଁଚ ଛୁଆ ବାହାରିବା ପରେ ଯାଇ ତାଙ୍କର ସବୁଠାରୁ ପ୍ରିୟ କାମ ଆରମ୍ଭ ହୁଏ। ଜଗୁଆଳମାନେ କଇଁଚ ଛୁଆମାନଙ୍କୁ ସନ୍ତର୍ପଣରେ ବୁଟ୍ଟା (ଝୁଡ଼ି) ଭିତରେ ରଖନ୍ତି ଏବଂ ସେମାନଙ୍କୁ କୂଳରେ ଛାଡ଼ି ଦିଅନ୍ତି।

“କୁନି କୁନି ପାଦରେ ଏହି କଇଁଚ ଛୁଆମାନେ ବାଲି ଭିତରୁ ତରତର ହୋଇ ବାହାରନ୍ତି। ଛୋଟ ପାଦ ଅଥଚ କ୍ଷୀପ୍ର ବେଗରେ ସେମାନେ ଦୌଡ଼ନ୍ତି ଏବଂ ସମୁଦ୍ର ପାଣିରେ ନ ପହଞ୍ଚିବା ଯାଏଁ ଅଟକି ରହନ୍ତି ନାହିଁ,” ସେ କହନ୍ତି। “ତା’ପରେ ସମୁଦ୍ର ଲହଡ଼ି ସେମାନଙ୍କୁ ଭିତରକୁ ନେଇଯାଏ।”

After the eggs hatch, the hatchlings are carefully transferred into the a butta (left) by the guards. The fishermen then carry them closer to the beach
PHOTO • Photo courtesy: Andhra Pradesh Forest Department
After the eggs hatch, the hatchlings are carefully transferred into the a butta (left) by the guards. The fishermen then carry them closer to the beach
PHOTO • Photo courtesy: Andhra Pradesh Forest Department

ଅଣ୍ଡାରୁ ଛୁଆ ବାହାରିବା ପରେ, ଜଗୁଆଳମାନେ ଛୁଆମାନଙ୍କୁ ସାବଧାନତା ସହକାରେ ବୁଟ୍ଟା (ବାମ) ଭିତରେ ରଖନ୍ତି। ମତ୍ସ୍ୟଜୀବୀମାନେ ସେମାନଙ୍କୁ ସମୁଦ୍ରକୂଳକୁ ନେଇ ସେଠାରେ ଛାଡ଼ି ଦିଅନ୍ତି

Guards at the Sagar Nagar hatchery gently releasing the hatchlings into the sea
PHOTO • Photo courtesy: Andhra Pradesh Forest Department
Guards at the Sagar Nagar hatchery gently releasing the hatchlings into the sea
PHOTO • Photo courtesy: Andhra Pradesh Forest Department

ସାଗର ନଗର ପ୍ରଜନନ କେନ୍ଦ୍ରର ଜଗୁଆଳମାନେ କଇଁଚ ଛୁଆମାନଙ୍କୁ ଧୀରେ ଧୀରେ ଛାଡୁଛନ୍ତି

ଶେଷ ଥର ପାଇଁ ଏ ବର୍ଷ ଜୁନରେ ଅଣ୍ଡାରୁ ଛୁଆ ବାହାର କରାଯାଇଥିଲା। ଆନ୍ଧ୍ର ପ୍ରଦେଶ ବନ ବିଭାଗ ଅନୁସାରେ, ୨୧ ଜଣ ଜଗୁଆଳ ୪୬,୭୫୪ ଅଣ୍ଡା ସଂଗ୍ରହ କରିଥିଲେ ଏବଂ ୩୭,୬୩୦ ଛୁଆଙ୍କୁ ସମୁଦ୍ରରେ ଛଡ଼ା ଯାଇଥିଲା।  ୫,୬୫୫ଟି ଅଣ୍ଡାରୁ ଛୁଆ ବାହାରି ନଥିଲା।

“୨୦୨୩ ମାର୍ଚ୍ଚ ମାସରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଣ୍ଡା ନଷ୍ଟ ହୋଇଯାଇଥିଲା। ବାସ୍ତବିକ ଏହା ଦୁଃଖର କଥା। ମେ ମାସରେ କେତେକ ଅଣ୍ଡାରୁ ବାହାରିଥିବା ଛୁଆମାନଙ୍କର ପିଠିର ଖୋଳ ଭାଙ୍ଗି ଯାଇଥିଲା,” ଲକ୍ଷ୍ମାୟା କହନ୍ତି।

ଅଡ଼ାରି ଆମକୁ ବୁଝାଇ ଦିଅନ୍ତି ଯେ, ଜନ୍ମରୁ କଇଁଚ ଦେହରେ ସେମାନଙ୍କ ଭୌଗୋଳିକ ଅବସ୍ଥିତିର ଛାପ ଥାଏ। ମାଈ କଇଁଚମାନେ ଯେଉଁ ବେଳାଭୂମିରେ ଜନ୍ମ ନେଇଥାଆନ୍ତି, ସେହି ବେଳାଭୂମିକୁ ଅଣ୍ଡା ଦେବା ପାଇଁ ଯାଆନ୍ତି। ଜନ୍ମର ପାଞ୍ଚ ବର୍ଷ ପରେ ସେମାନେ ଛୁଆ ଦେବାକୁ ଯୋଗ୍ୟ ହୁଅନ୍ତି।

“ଏ ସବୁ କାମରେ ରହି ମୁଁ ଖୁସୀ। ମୁଁ ଜାଣିଛି ଯେ କଇଁଚ ଅଣ୍ଡାଗୁଡ଼ିକ ସମ୍ବେଦନଶୀଳ ଏବଂ ସେଗୁଡ଼ିକର ସୁରକ୍ଷା ଆବଶ୍ୟକ,” ଲକ୍ଷ୍ମାୟା କହନ୍ତି। ଆଗାମୀ ଅଣ୍ଡାଦାନ ଚକ୍ରକୁ ସେ ଅପେକ୍ଷା କରନ୍ତି।

ଏହି ଲେଖା ରଙ୍ଗ ଦେ ପକ୍ଷରୁ ପ୍ରଦତ୍ତ ଏକ ଅନୁଦାନ ସହଯୋଗରେ ପ୍ରସ୍ତୁତ

ଅନୁବାଦ: ଓଡ଼ିଶାଲାଇଭ୍‍

Amrutha Kosuru

Amrutha Kosuru is a 2022 PARI Fellow. She is a graduate of the Asian College of Journalism and lives in Visakhapatnam.

Other stories by Amrutha Kosuru
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE