ପ୍ରାୟ ୩୦ ବର୍ଷ ବୟସ୍କ ଗଣେଶ ପଣ୍ଡିତ ସମ୍ଭବତଃ ନୂଆଦିଲ୍ଲୀର ପୁରୁଣା ଯମୁନା ସେତୁ ଲୋହା ପୁଲ୍ର ସର୍ବକନିଷ୍ଠ ବାସିନ୍ଦା। ସେ କହିଛନ୍ତି ଯେ ତାଙ୍କ ସମ୍ପ୍ରଦାୟର ଯୁବକମାନେ ସୁଇମିଂ କୋଚ୍ ଭାବରେ ଅଧିକ ‘ ମୁଖ୍ୟଧାରା ’ ର ଚାକିରି କରିବାକୁ ଏବଂ ପାଖରେ ଥିବା ଚାନ୍ଦନୀ ଚୌକରେ ଖୁଚୁରା ଦୋକାନରେ କାମ କରିବାକୁ ପସନ୍ଦ କରନ୍ତି ।
ଦିଲ୍ଲୀ ଦେଇ ପ୍ରବାହିତ ହେଉଥିବା ଯମୁନା ହେଉଛି ଗଙ୍ଗାର ଦୀର୍ଘତମ ଉପନଦୀ ଏବଂ ଆୟତନ ଦୃଷ୍ଟିରୁ ଦ୍ୱିତୀୟ ସର୍ବବୃହତ୍ (ଘାଘରା ପ୍ରଥମ)।
ପଣ୍ଡିତ ଯମୁନା ଉପରେ ଫଟୋ ସୁଟ୍ କରାଇଥା’ନ୍ତି ଏବଂ ନଦୀ ମଝିରେ ପୂଜାପାଠ କରିବାକୁ ଚାହୁଁଥିବା ଲୋକଙ୍କୁ ପରିବହନ କରନ୍ତି। ‘‘ଯେଉଁଠାରେ ବିଜ୍ଞାନ ବିଫଳ ହୁଏ, ସେଠାରେ ବିଶ୍ୱାସ କାମ କରେ’’, ସେ କହିଥା’ନ୍ତି। ତାଙ୍କ ବାପା ଏଠାରେ ଜଣେ ପୂଜକ ଏବଂ ସେ ଓ ତାଙ୍କ ଦୁଇ ଭାଇ, ‘‘ଯୁବାବସ୍ଥାରେ ଯମୁନାରେ ସନ୍ତରଣ କରିବା ଶିଖିଥିଲେ।’’ ପଣ୍ଡିତଙ୍କ ଭାଇମାନେ ପଞ୍ଚ ତାରକା ହୋଟେଲରେ ଲାଇଫ୍ ଗାର୍ଡ ଭାବରେ କାର୍ଯ୍ୟ କରନ୍ତି।
ଯୁବକ ଜଣକ କହିଛନ୍ତି ଯେ ଲୋକମାନେ ଆଜି ସେମାନଙ୍କ ଝିଅକୁ ଜଣେ ଡଙ୍ଗାଚାଳକଙ୍କ ସହ ବିବାହ କରିବାକୁ ଚାହୁଁ ନାହାଁନ୍ତି କାରଣ ଏହା ଏକ ଲାଭଜନକ କିମ୍ବା ସମ୍ମାନଜନକ ବୃତ୍ତି ନୁହେଁ। ସେ ବୁଝନ୍ତି ନାହିଁ , କିମ୍ବା ସେ ଏହା କହିବାକୁ ରାଜି ହୁଅନ୍ତି ନାହିଁ, ମୁଁ ଲୋକଙ୍କୁ ପରିବହନ କରି ଦିନକୁ ୩୦୦-୫୦୦ ଟଙ୍କା ରୋଜଗାର କରେ। ’’ ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି ଯେ ସେ ନଦୀରେ ଫଟୋ ଏବଂ ଭିଡିଓ ସୁଟିଂ ଆୟୋଜନ କରିବାରେ ସାହାଯ୍ୟ କରି ସେ ଯଥେଷ୍ଟ ପରିମାଣର ରୋଜଗାର କରନ୍ତି
ସେ ଦଶନ୍ଧିରୁ ଅଧିକ ସମୟ ଧରି ଯାତ୍ରୀମାନଙ୍କୁ ପରିବହନ କରିଆସୁଛନ୍ତି ଏବଂ ନଦୀର ଜଳରେ ପ୍ରଦୂଷଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କୁହନ୍ତି ଯେ , ସେପ୍ଟେମ୍ବର ମାସରେ ମୌସୁମୀ ଜଳ ଆବର୍ଜନା ବାହାରକୁ ବାହାର କରିବା ପରେ ହିଁ ଏହି ନଦୀ ସଫା ହୋଇଥାଏ।
ଯମୁନା ନଦୀର ମାତ୍ର ୨୨ କିଲୋମିଟର (କିମ୍ବା ମାତ୍ର ୧.୬ ପ୍ରତିଶତ) ଜାତୀୟ ରାଜଧାନୀ ଅଞ୍ଚଳ ଦେଇ ପ୍ରବାହିତ ହୋଇଥାଏ। କିନ୍ତୁ ସେହି ଛୋଟ ଅଂଶରେ ଖାଲି ହେଉଥିବା ବର୍ଜ୍ୟବସ୍ତୁ ଏହି ୧,୩୭୬ କିଲୋମିଟର ଦୀର୍ଘ ନଦୀର ମୋଟ ପ୍ରଦୂଷଣର ପ୍ରାୟ ୮୦ ପ୍ରତିଶତ ଅଟେ। ପଢ଼ନ୍ତୁ: ଯମୁନାର ‘ମଲା ମାଛ ତାଜା ହେବ’ କେବେ
ଅନୁବାଦ : ଓଡ଼ିଶାଲାଇଭ୍